Unknown

 

 

 

 

 

 

 

 

 

ଚନ୍ଦ୍ରମୋହନ ପରିକ୍ରମା

ଡକ୍ଟର ଅରବିନ୍ଦ ଗିରି

 

ମୁଖଶାଳା

 

ଓଡ଼ିଆ ସାହିତ୍ୟର ପ୍ରଖ୍ୟାତସାଧକ କବି, ଗାଳ୍ପିକ, ପ୍ରାବନ୍ଧିକ, ବ୍ୟାକରଣକାର ଓ ପ୍ରସିଦ୍ଧ ଶିକ୍ଷାବିତ ଚନ୍ଦ୍ରମୋହନ ମହାରଣା (୧୮୬୦-୧୯୨୯) ଏକ ବହୁମୁଖୀ ପ୍ରତିଭା । ଛାତ୍ର ଜୀବନରୁ ସେ ଓଡ଼ିଆ ସାହିତ୍ୟର ପ୍ରବନ୍ଧ, ଗଳ୍ପ ଓ କାବ୍ୟ-କବିତା ଆଦି ବିଭାଗରେ ଲେଖନୀଚାଳନା କରି ନିଜ ପ୍ରତିଭାଦୀପ୍ତ ସାରସ୍ୱତ ପ୍ରଜ୍ଞାର ପରିଚୟ ପ୍ରଦାନ କରିଥିଲେ । ସ୍ନାତକ ଉପାଧି ହାସଲ କରିସାରିବା ପରେ ସେ ଶିକ୍ଷକତାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିଥିଲେ ସୁଦ୍ଧା ସାହିତ୍ୟକୁ ନିଜର କୃତି ଭାବରେ ଗ୍ରହଣ କରିଥିଲେ । କିଛିକାଳର ଶିକ୍ଷକତା ଏବଂ ସ୍କୁଲ ପରିଦର୍ଶକ ଭାବରେ କାର୍ଯ୍ୟ କରିସାରିବା ପରେ ଚନ୍ଦ୍ରମୋହନ ଓଡ଼ିଶାର ପ୍ରଥମ ଓଡ଼ିଆ ପ୍ରଧାନଶିକ୍ଷକ ଭାବରେ ପୁରୀ ଜିଲ୍ଲା ସ୍କୁଲରେ ଯୋଗଦେଇଥିଲେ । ସେତେବେଳେ ପୁରୀ ଜିଲ୍ଲା ସ୍କୁଲରେ କାଳିନ୍ଦୀଚରଣ ପାଣିଗ୍ରାହୀ, ଅନନ୍ତ ପ୍ରସାଦ ପଣ୍ଡା, ହରିଶ୍ଚନ୍ଦ୍ର ବଡ଼ାଲ ଓ ରାଜକିଶୋର ରାୟଙ୍କ ଭଳି ଅନେକ ପ୍ରତିଭାଶାଳୀ ସାରସ୍ୱତ ସାଧକମାନେ ଛାତ୍ରଭାବରେ ଅଧ୍ୟୟନ କରୁଥିଲେ । ଚନ୍ଦ୍ରମୋହନଙ୍କ ଶିକ୍ଷାଦାନରେ ଶହ ଶହ ଛାତ୍ରଛାତ୍ରୀ ମେଧାବୀ ହେବାର ସୁଯୋଗ ଲାଭ କରିଥିବାବେଳେ ଅନେକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା ମଧ୍ୟ ହୋଇପାରିଛନ୍ତି । ଓଡ଼ିଆ ସାହିତ୍ୟକୁ ଚନ୍ଦ୍ରମୋହନଙ୍କ ସବୁଠାରୁ ବଡ଼ଅବଦାନ ହେଉଛି ‘ମୌଳିକ ବ୍ୟାକରଣ’ଗ୍ରନ୍ଥର ଦୁଇଟି ଭାଗ । ସଂଶିତ ଗ୍ରନ୍ଥରେ ଚନ୍ଦ୍ରମୋହନଙ୍କ ଅଗାଧ ସାରସ୍ୱତ ସୃଷ୍ଟି ଓ ଆଦର୍ଶ ଗୁରୁ ଭାବରେ ତାଙ୍କ ଶିକ୍ଷାଦାନ ପଦ୍ଧତି ତଥା ଉଜ୍ଜ୍ୱଳତମ ବ୍ୟକ୍ତିତ୍ୱର ମୂଲ୍ୟାଙ୍କନ କରିଛନ୍ତି ଓଡ଼ିଆ ସାହିତ୍ୟର ପ୍ରଥିତଯଶା ସାରସ୍ୱତ ସାଧକମାନେ । ଏହି ଅପାଶୋରା ବ୍ୟକ୍ତିଙ୍କ ସୃଜନ କାରିଗରିକୁ ଏକ ସୁନ୍ଦର ପୁସ୍ତକ ଆକାରରେ ସଚେତନ ପାଠକ ପାଠିକାମାନଙ୍କୁ ଉପହାର ଦେଉଥିବାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ନିଜକୁ ଗୌରବାନ୍ୱିତ ମନେ କରିବା ସ୍ୱାଭାବିକ ।

 

ଚନ୍ଦ୍ରମୋହନଙ୍କ ପ୍ରତିଭାଦୀପ୍ତ ସାରସ୍ୱତ ସୃଷ୍ଟି ସମ୍ପର୍କରେ ବିଶେଷ ମୂଲ୍ୟାୟନ ଏବଂ ତାଙ୍କ ଅଭୁଲା ସ୍ମୃତିକୁ ଗୋଟିଏ ମାଳାରେ ଗୁନ୍ଥି ଏକ ପ୍ରାମାଣିକ ଗ୍ରନ୍ଥ ଭାବରେ ଓଡ଼ିଆ ସାହିତ୍ୟ ବାଣୀଭଣ୍ଡାରକୁ ଉପହାର ଦେଇଥିବା ସୁଖ୍ୟାତ ଶିକ୍ଷାବିତ ଓ ପ୍ରାବନ୍ଧିକ ଅରବିନ୍ଦ ଗିରିଙ୍କ ଏହି ମହତକାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି କମ୍‍ ହେବ । ତାଙ୍କ ସାରସ୍ୱତ ଦାୟିତ୍ୱକୁ ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ତାଙ୍କୁ ଏଥିପାଇଁ ସାଧୁବାଦ ଜ୍ଞାପନ କରୁଅଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ଅନ୍ୟାନ୍ୟ ପ୍ରକାଶିତ ପୁସ୍ତକ ଭଳି ‘ଚନ୍ଦ୍ରମୋହନ ପରିକ୍ରମା’ ପୁସ୍ତକଟି ଓଡ଼ିଆ ସାହିତ୍ୟର ସୁଧୀ ପାଠକପାଠିକାମାନଙ୍କ ନିକଟରେ ଆଦର ଲାଭ କରିବ ବୋଲି ମୋର ଆଶା ଓ ବିଶ୍ୱାସ ।

 

ପୁସ୍ତକଟିର ଦ୍ରୁତ ପ୍ରସାର କାମନା କରୁଅଛି ।

 

 

ଭୁବନେଶ୍ୱର

ସୁଚିସ୍ମିତା ମନ୍ତ୍ରୀ

ସଚିବ

୨୫ ଫେବୃଆରୀ, ୨୦୨୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୃତଜ୍ଞତା

(ଦ୍ୱିତୀୟ ସଂସ୍କରଣ)

 

‘ଚନ୍ଦ୍ରମୋହନ-ପରିକ୍ରମା’ ରେମୁଣା ‘ଚନ୍ଦ୍ରମୋହନ ସାହିତ୍ୟ ପରିଷଦ’ ଆନୁକୂଲ୍ୟରେ ପ୍ରକାଶ ପାଇଥିଲା ୧୯୮୧ ମସିହା ଜାନୁଆରୀରେ ଠିକ ଆଜକୁ ୩୮ ବର୍ଷ ତଳେ । ସତ୍ୟବାଦୀ ଯୁଗର ନିର୍ମାତା, ବିଶିଷ୍ଟ ଶିକ୍ଷାବିତ୍‌, ସୁସାହିତ୍ୟିକ, ବୟାକରଣ, ଚନ୍ଦ୍ରମୋହନ ମହାରଣା, ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ, ସବୁଜ ଯୁଗର ଅନ୍ୟତମ ସ୍ରଷ୍ଟା କାଳିନ୍ଦୀ ଚରଣ, ହିରଶ୍ଚନ୍ଦ୍ର ବଡ଼ାଲ ଏବଂ ପରବର୍ତ୍ତୀ ଜଗନ୍ନାଥ ରଥ, ଅନନ୍ତ ପ୍ରସାଦ ପଣ୍ଡା, ଗୋଲକ ଚନ୍ଦ୍ର ମହାପାତ୍ର, ଶ୍ରୀଧର ଦାସ, ରାଜକିଶୋର ରାୟ ପ୍ରଭୃତି କୃତବିଦ୍ୟ ସାହିତ୍ୟିକଙ୍କ ଥିଲେ ଶିକ୍ଷାଗୁରୁ । ଉପରୋକ୍ତ ଛାତ୍ର ସମାଜ ଏବଂ ଚନ୍ଦ୍ରମୋହନଙ୍କ ସାହଚର୍ଯ୍ୟରେ ଆସିଥିବା ଫକୀରମୋହନ ସେନାପତି, ବିଶ୍ୱନାଥ କର ତଥା ଚନ୍ଦ୍ରମୋହନଙ୍କ ସାହିତ୍ୟ ଅଧ୍ୟୟନ କରିଥିବା ମୁଗ୍ଧଛାତ୍ର, ପାଠକ, ଯେଉଁମାନେ କି ଚନ୍ଦ୍ରମୋହନଙ୍କ ଜୀବନୀ ଓ ସାହିତ୍ୟ ବିଷୟରେ ଆଲୋକପାତ କରିଥିବା ପ୍ରାୟ ତିରିଶରୁ ଅଧିକ ପ୍ରବନ୍ଧ, କବିତା ଓ ପତ୍ରାବଳି ପରିକ୍ରମାରେ ସ୍ଥାନୀତ ହୋଇଥିଲା । ତା’ଛଡ଼ା ଏହାଥିଲା ମୋର ଦୁଇଶହ ପୃଷ୍ଠା ସମ୍ବଳିତ ପ୍ରଥମ ସମ୍ପାଦିତ ପୁସ୍ତକ ।

 

ଅଧୁନା ଚନ୍ଦ୍ରମୋହନ ସାହିତ୍ୟର ପାଠକୀୟ ଆଦୃତି ଘଟିଥିବାବେଳେ ଦୀର୍ଘବର୍ଷ ତଳେ ପ୍ରକାଶିତ ‘ଚନ୍ଦ୍ରମୋହନ-ପରିକ୍ରମା’ଟି ଆଜି ସମ୍ପୂର୍ଣ୍ଣ ଦୁଷ୍ପ୍ରାପ୍ୟ । ତେଣୁ ଏହାର ପୁନଃମୁଦ୍ରଣ ଜରୁରୀ ଅଟେ ।

 

ଗତ ତା୧୬.୦୧.୧୯ରିଖ ବୁଧବାର ଚନ୍ଦ୍ରମୋହନଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଫକୀରମୋହନ ବିଶ୍ୱବିଦ୍ୟାଳୟ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ତିନୋଟି ଅଧିବେଶନରେ ଯୋଗଦେଇଥିବା ବିଶିଷ୍ଟ ଅତିଥି, ପ୍ରଫେସରମାନେ ହେଲେ ଚନ୍ଦ୍ରମୋହନ ମହାରଣାଙ୍କ ନାତି ବିଶିଷ୍ଟ ବୈଜ୍ଞାନିକ ଜ୍ଞାନଦେବ ମହାରଣା ଏବଂ ଆଦିକନ୍ଦ ସାହୁ, ମନୋରଞ୍ଜନ ପ୍ରଧାନ, ପ୍ରସନ୍ନ କୁମାର ସ୍ୱାଇଁ, ରମାକାନ୍ତ ସିଂହ, ବୀରେନ୍ଦ୍ର ମହାନ୍ତି, ମଣୀନ୍ଦ୍ର ମେହେର, ଶିଶିର ବେହେରା, ହେମଲତା ବେହେରା, ଜୟନ୍ତ କୁମାର ଦାସ ଓ ପ୍ରହ୍ଲାଦ ଖିଲ । ପରିଶିଷ୍ଟାଂଶରେ ଚନ୍ଦ୍ରମୋହନ ରାଜା ବୈକୁଣ୍ଠନାଥ ଦେଙ୍କ ପାଖକୁ ଲିଖିତ ପତ୍ର ଓ ‘ଗୁରୁ ଓ ଛାତ୍ର ଚନ୍ଦ୍ରମୋହନ ଓ କୃପାସିନ୍ଧୁ ପ୍ରସଙ୍ଗ’ ପ୍ରବନ୍ଧଟି ନୂତନ ଭାବରେ ସଂଯୋଜିତ ହୋଇଛି ।

 

ପାଠ କରାଯାଇଥିବା ଭିତ୍ତିପ୍ରବନ୍ଧଗୁଡ଼ିକୁ ପରିକ୍ରମାର ଦ୍ୱିତୀୟ ଅଧ୍ୟାୟରେ ସ୍ଥାନିତ କରାଯାଇଛି । ଚନ୍ଦ୍ରମୋହନଙ୍କ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଗବେଷକମାନେ ସୁନ୍ଦର ଆଲୋକପାତ କରିଛନ୍ତି । ଚନ୍ଦ୍ରମୋହନଙ୍କ ଜୀବନୀ ଓ ସାହିତ୍ୟ ବିଷୟରେ ସବିଶେଷ ଜ୍ଞାନ ଆହରଣ ପାଇଁ ପୁସ୍ତକଟି ଖୁବ୍ ଉପାଦେୟ । ଏହି ଅବସରରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆମନ୍ତ୍ରିତ ଏବଂ ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ ବିଶିଷ୍ଟ କଥାକାର ଜୟନ୍ତୀ ରଥ ‘ଚନ୍ଦ୍ରମୋହନ ପରିକ୍ରମା’ର ପରିବର୍ଦ୍ଧିତ ପୁନର୍ମୁଦ୍ରଣ କରିବା ଦିଗରେ ଅଗ୍ରହ ପ୍ରକାଶ କରିଥିବାରୁ, ତାଙ୍କଠାରେ ଚିର ଋଣୀ । ଓଡ଼ିଶା ସାହିତ୍ୟ ଏକାଡେମୀର ଅନ୍ୟ କର୍ମକର୍ତ୍ତାମାନଙ୍କୁ ଏହି ଅବସରରେ ମଧ୍ୟ କୃତଜ୍ଞତା ଜଣାଉଛି ।

 

ଅରବିନ୍ଦ ଗିରି


 

ପ୍ରାକ୍‌କଥନ

 

ମେଘାଚ୍ଛନ୍ନ ଆକାଶରେ ଚନ୍ଦ୍ରର କିରଣ ମଳିନ ହେଲାପରି ସ୍ୱର୍ଗତଃ ଚନ୍ଦ୍ରମୋହନ ମହାରଣାଙ୍କର ସାହିତ୍ୟ ପ୍ରତିଭା ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଅନ୍ଧକାର ମଧ୍ୟରେ ଆଚ୍ଛନ୍ନ ହୋଇ ରହିଥିଲା । କିନ୍ତୁ ଏହା ସତ୍ୟ ଯେ ମେଘ ଦୀର୍ଘଦିନ ଧରି ଆକାଶକୁ ଆଚ୍ଛନ୍ନ କରି ରଖିପାରେନାହିଁ । ତଦ୍ରୂପ ମେଘରୂପୀ କାଳପଙ୍କ ପ୍ରତିଭାକୁ ବହୁବର୍ଷ ଅନ୍ଧକାର ମଧ୍ୟରେ ରଖିପାରିବ ନାହିଁ । ବର୍ତ୍ତମାନ ସେହି ଅନ୍ଧକାର କ୍ରମେ ଅପସାରିତ ହୋଇଯାଇଛି ଏବଂ ଚନ୍ଦ୍ରମୋହନଙ୍କ ସାହିତ୍ୟିକ ପ୍ରତିଭା ମଧ୍ୟ କ୍ରମେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହେବାକୁ ଯାଉଛି । ଏହାର ସୂଚନା ଏହି ‘ଚନ୍ଦ୍ରମୋହନ ପରିକ୍ରମା’ ।

 

ରେମୁଣାର ପୁରୁଷୋତ୍ତମପୁର ନାମକ ଅଜ୍ଞେୟ ଏକ ଗ୍ରାମରେ ଯେଉଁ ଶିଶୁ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲା, ସେତେବେଳେ କିଏ ବିଶ୍ୱାସ କରିଥିଲା ଯେ ସେହି ଶିଶୁ ଭବିଷ୍ୟତରେ ଓଡ଼ିଶାରେ ଜଣେ ବିଶିଷ୍ଟ ଶିକ୍ଷାବିତ ଏବଂ ସୁସାହିତ୍ୟିକ ହେବ ? ଊନବିଂଶ ଶତାବ୍ଦୀର ଦ୍ୱିତୀୟ ପାଦର ଶେଷରୁ ଚତୁର୍ଥ ପାଦର ଶେଷ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଓ ସାହିତ୍ୟର ଯେଉଁଭଳି ବିପର୍ଯ୍ୟୟ ଦେଖା ଦେଇଥିଲା, ତାହାର ମୁକାବିଲା କରିବା ନିମନ୍ତେ ସେହି ଭଳିଆ ସାହିତ୍ୟ ରଥୀ ମହାରଥୀମାନଙ୍କର ଆବିର୍ଭାବ ମଧ୍ୟ ହୋଇଥିଲା । ସେନାପତି ଫକୀରମୋହନ, ରାୟ ରାଧାନାଥ, ବଳ ନନ୍ଦକିଶୋର, ମେହେର ଗଙ୍ଗାଧର, କାନ୍ତକବି ଲକ୍ଷ୍ମୀକାନ୍ତ, ମହାନ୍ତି ଚିନ୍ତାମଣି ଏବଂ ମହାରଣା ଚନ୍ଦ୍ରମୋହନ ପ୍ରଭୃତି ସାହିତ୍ୟକମାନେ ଆବିର୍ଭୂତ ହୋଇ ଭାଷା ଓ ସାହିତ୍ୟର ରକ୍ଷା କବଚରୂପେ କାର୍ଯ୍ୟ କରିଥିଲେ ।

 

ଚନ୍ଦ୍ରମୋହନଙ୍କ ପ୍ରତିଭା ବହୁମୁଖୀ । ଏକାଧାରରେ ସେ ଥିଲେ କବି, ସୁସମାଲୋଚକ, ପୋଖତ ବ୍ୟାକରଣକାର ଏବଂ ପ୍ରସିଦ୍ଧ ଶିକ୍ଷାବିତ । ସଂସ୍କୃତରେ ତାହାଙ୍କର ଅଗାଧ ପାଣ୍ଡିତ୍ୟ ମଧ୍ୟ ଥିଲା । ସେ ବାଲେଶ୍ୱର ଜିଲ୍ଲାର ସର୍ବପ୍ରଥମେ ବି.ଏ. ପାଶ୍‍ କରିଥିଲେ ଏବଂ ପୁରୀ ଜିଲ୍ଲା ସ୍କୁଲରେ ଓଡ଼ିଶାର ପ୍ରଥମ ପ୍ରଧାନ ଶିକ୍ଷକ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲେ । କେବଳ ସେତିକି ନୁହେଁ, ଛୁରିଆନା ବକୁଳବନର ପଞ୍ଚସଖାଙ୍କ ମଧ୍ୟରୁ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ରଙ୍କର ଛାତ୍ର ଜୀବନର ନିର୍ମାତା ଥିଲେ । ଏବେ ତାଙ୍କର ଜୀବିତ ଛାତ୍ରମାନଙ୍କ ମଧ୍ୟରୁ ବିଖ୍ୟାତ ସାହିତ୍ୟିକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଲ, ଗାଳ୍ପିକ ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା, ଶ୍ରୀ ରାଜକିଶୋର ରାୟ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ । ମାତ୍ର ଏଭଳି ଜଣେ ମହାନ୍‍ ଶିକ୍ଷାବିତ ଓ ସୁସାହିତ୍ୟିକଙ୍କୁ ଦେଶବାସୀ ଆଜି ଭୁଲି ଯିବାକୁ ବସିଲେଣି ।

 

ଏହି ‘ଚନ୍ଦ୍ରମୋହନ ପରିକ୍ରମା’ ଦିନେ ପ୍ରକାଶିତ ହେବ ବୋଲି ପୂର୍ବରୁ କେହି ଚିନ୍ତା କରିନଥିଲେ । ଏହାର ପ୍ରକାଶନ ପାଇଁ ତରୁଣ ଗବେଷକ ଶ୍ରୀ ଅରବିନ୍ଦ ଗିରି ମୁଖ୍ୟତଃ ଦାୟୀ । ତାହାଙ୍କର ପ୍ରେରଣା, ଉତ୍ସାହ ଓ ଅକ୍ଳାନ୍ତ ପରିଶ୍ରମର ଫଳ ‘ଚନ୍ଦ୍ରମୋହନ ପରିକ୍ରମା’ କହିଲେ ଅତ୍ୟୁକ୍ତି ହେବନାହିଁ । ଏତଦ୍‌ବ୍ୟତୀତ ଗବେଷକ ଶ୍ରୀ ଗିରିଙ୍କ ପ୍ରଚେଷ୍ଟାରେ ଚନ୍ଦ୍ରମୋହନଙ୍କ ଜୀବନୀ, ତାଙ୍କର ସମସ୍ତ ଲେଖାର ଏକ ଗ୍ରନ୍ଥାବଳୀ ନିକଟ ଭବିଷ୍ୟତରେ ପ୍ରକାଶ ପାଇବ । ଏହାଦ୍ୱାରା ଚନ୍ଦ୍ରମୋହନଙ୍କ ସାହିତ୍ୟ ଉପରେ ବହୁପରିମାଣରେ ଆଲୋକପାତ ହେବ ।

 

ଏହି ପରିକ୍ରମା ପ୍ରକାଶ କରିବା ନିମନ୍ତେ ଯେଉଁ ଚିନ୍ତାଶୀଳ ସୁସାହିତ୍ୟିକମାନେ ସେମାନଙ୍କର ବହୁମୁଲ୍ୟ ସମୟ ଦେଇ ପ୍ରବନ୍ଧମାନ ଲେଖିଛନ୍ତି ଏବଂ ଯେଉଁ ଉଦାରମନା ବଦାନ୍ୟ ସାହିତ୍ୟପ୍ରେମୀ ବନ୍ଧୁମାନେ ମୁକ୍ତ ହସ୍ତରେ ଆର୍ଥିକ ସାହାଯ୍ୟ କରିଛନ୍ତି, ପରିଷଦ ତରଫରୁ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ।

 

ବଟବିହାରୀ ଦାସ

ସମ୍ପାଦକ

ଚନ୍ଦ୍ରମୋହନ ସାହିତ୍ୟ ପରିଷଦ

ରେମୁଣା, ବଲେଶ୍ୱର

 

ନିଜ କଲମରୁ

 

ବଣମଲ୍ଲୀ ବଣରେ ଝଡ଼ିଗଲା ପରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରତିଭା-ସମ୍ପନ୍ନ ଅନେକ ସାହିତ୍ୟ ସ୍ରଷ୍ଟାମାନେ ଲୋକଲୋଚନର ଅନ୍ତରାଳରେ ରହିଯାଇଛନ୍ତି । ସୃଷ୍ଟି ପ୍ରାଚୁର୍ଯ୍ୟ ଦୃଷ୍ଟିରୁ କମ୍‍ ହେଲେବି ଓଡ଼ିଆ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ସେମାନଙ୍କର ଦାନ କମ୍‍ ବୋଲି କହିହେବ ନାହିଁ । ସେହି ଅନାଲୋଚିତ ଅବହେଳିତ ପ୍ରତିଭା ମଧ୍ୟରେ ସ୍ୱର୍ଗତଃ ଚନ୍ଦ୍ରମୋହନ ମହାରଣା ଅନ୍ୟତମ । ‘ଚନ୍ଦ୍ରମୋହନ ପରିକ୍ରମା’ ସେହି ଅନାବିଷ୍କୃତ ପ୍ରତିଭାର ଏକ ଭଗ୍ନ ମୁଖଶାଳା ।

 

ସ୍ୱର୍ଗତଃ ମହାରଣାଙ୍କ ଉପରେ ଏକ ସଂକଳନ ପ୍ରକାଶ କରିବାର ଅଭିଳାଷ ବହୁଦିନରୁ ଥିଲା । ଏଥିପାଇଁ ବ୍ୟକ୍ତିଗତ ଭାବରେ ଅଳ୍ପ କେତୋଟି ପ୍ରବନ୍ଧ କେତେଜଣ ଅଧ୍ୟାପକ ତଥା ଚନ୍ଦ୍ରମୋହନଙ୍କ ଛାତ୍ରମାନଙ୍କଠାରୁ ସଂଗ୍ରହ କରିଥିଲି । କିନ୍ତୁ ସେସବୁ ଏକତ୍ର ପ୍ରକାଶ କରିବାର କଳ୍ପନା କେବେ କରିନଥିଲି କି ଏଥିପାଇଁ ପ୍ରାରମ୍ଭିକ ଉଦ୍ୟମ ମଧ୍ୟ ନ ଥିଲା । ପରେ ହଠାତ୍‌ ‘ଚନ୍ଦ୍ରମୋହନ ସାହିତ୍ୟ ପରିଷଦ’ ଆନୁକୂଲ୍ୟରେ ଅର୍ଥ ସଂଗ୍ରହ କରାଯାଇ ପ୍ରକାଶ ସମ୍ଭବ ହୋଇପାରିଲା । ଏଥିପାଇଁ ରେମୁଣାର ‘ଚନ୍ଦ୍ରମୋହନ ସାହିତ୍ୟ ପରିଷଦ’ଠାରେ ମୁଁ ଋଣୀ ।

 

ଚନ୍ଦ୍ରମୋହନଙ୍କ ବ୍ୟକ୍ତିଗତ ଜୀବନ ଓ ସାହିତ୍ୟ ଉପରେ ଆଧାରିତ ପ୍ରାଥମିକ ଉଦ୍ୟମ ‘ଚନ୍ଦ୍ରମୋହନ ପରିକ୍ରମା’, ଯେହେତୁ ମହାରଣାଙ୍କ ଦୁଷ୍ପ୍ରାପ୍ୟ ଲେଖାଗୁଡ଼ିକ ଏକତ୍ର ଗ୍ରନ୍ଥାବଳୀ ଆକାରରେ ପ୍ରକାଶ ହୋଇପାରିନାହଁ । ଅତଏବ ତାଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚିତ ନିର୍ଦ୍ଦିଷ୍ଟ ପ୍ରବନ୍ଧ ସବୁ ସଂକଳନରେ ସ୍ଥାନ ପାଇବା ଏକ ଅସମ୍ଭବ ପ୍ରଚେଷ୍ଟା କେବଳ, ଯାହାଫଳରେ ଜନଶ୍ରୁତି ଓ କ୍ଷୁଦ୍ର ଉପାଦାନ ଆଧାରିତ ପ୍ରବନ୍ଧଗୁଡ଼ିକ ସ୍ଥଳବିଶେଷରେ ଏକପ୍ରକାର ତଥା ପୁନରାପବୃତ୍ତିମୂଳକ ହୋଇପଡ଼ିଛି । ଆଜକୁ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ବର୍ଷ ତଳେ କବି ମହାରଣା ଧରାଧାମରୁ ବିଦାୟ ନେଇ ସାମ୍ପ୍ରତିକ ସାହିତ୍ୟିକ ତଥା ଛାତ୍ର ସମାଜ ପାଇଁ ଯେପରି ବିସ୍ମୃତିର ଅଧ୍ୟାୟ ହୋଇଛନ୍ତି, ସେହିପରି ତାଙ୍କ ସାହିତ୍ୟ ସୃଷ୍ଟି ମଧ୍ୟ ସେମାନଙ୍କ ଦୃଷ୍ଟିର ବହୁ ଅନ୍ତରାଳରେ ରହିଯାଇଛି । ଭାବିଲେ ଦୁଃଖ ଲାଗେ ଯେ ପୁରୀ ଜିଲ୍ଲା ସ୍କୁଲର ପ୍ରଥମ ଓଡ଼ିଆ ହେଡ଼୍‍ମାଷ୍ଟର ଯେଉଁ ଚନ୍ଦ୍ରମୋହନ ମହାରଣା ସତ୍ୟବାଦୀ ପଞ୍ଚସଖା ଗୋଷ୍ଠୀର ସଂଗଠକ ତଥା ତତ୍‌କାଳୀନ କବିବର ରାଧାନାଥ, ଭକ୍ତିକବି ମଧୁସୂଦନଙ୍କ ପରି ଉତ୍କଳର ଜଣେ ସ୍ୱନାମଧନ୍ୟ ଶିଶୁପାଠ୍ୟ ନିର୍ମାତା, ବ୍ୟାକରଣବିତ, ପ୍ରାବନ୍ଧିକ ଓ ସୁସାହିତ୍ୟିକ ସେହି କ୍ଷଣଜନ୍ମା ସାଧକ ଆଜି ବିସ୍ମୃତି ଗର୍ଭରେ ଲୀନ ହୋଇ ଯାଇଛନ୍ତି ।

 

ଚନ୍ଦ୍ରମୋହନ ମହାରଣାଙ୍କ ସମ୍ପର୍କରେ ଏହାକୁ ଏକ ପୂର୍ଣ୍ଣାଙ୍ଗ ଆଲୋଚନା ଗ୍ରନ୍ଥ ବୋଲି କହିହେବ ନାହିଁ । ଏହା ତାଙ୍କ ବ୍ୟକ୍ତିଗତ ଓ ସାହିତ୍ୟିକ ଜୀବନ ଉପରେ ସାମାନ୍ୟ ଅଲୋକ ଶିଖା ମାତ୍ର । ବହୁ ବାଧାବିଘ୍ନ ମଧ୍ୟରେ ସଂକଳନଟି ପ୍ରକାଶ ପାଇଛି । ଏଥିପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି, ଶିକ୍ଷାନୁଷ୍ଠାନ ମୁକ୍ତ ହସ୍ତରେ ଆର୍ଥିକ ସାହାଯ୍ୟ ଦେଇଥିବାରୁ ସେମାନଙ୍କଠାରେ ମୁଁ ସବୁଦିନ ଋଣୀ । ପ୍ରତିଶ୍ରୁତି ଦେଇ ମଧ୍ୟ ସଂକଳନଟିର ପ୍ରକାଶନରେ ଅନେକ ବିଳମ୍ବ ଘଟିଥିବାରୁ ମୁଁ ଖୁବ୍‌ ଦୁଃଖିତ । ପରିକ୍ରମା ପାଇଁ ପରାମର୍ଶ ଦେଇଥିବା ମୋର ପୂଜ୍ୟ ଅଧ୍ୟାପକ ଆଶୁତୋଷ ପଟ୍ଟନାୟକ, ଅଧ୍ୟାପକ କୃଷ୍ଣଚରଣ ବେହେରା, ପ୍ରାକ୍ତନ ଅଧ୍ୟକ୍ଷ ବଳରାମ ସାହୁ ଓ କବି ବ୍ରଜନାଥ ରଥଙ୍କଠାରେ ମୁଁ ଚିର ଋଣୀ । ପ୍ରଚ୍ଛଦଶିଳ୍ପୀ ସହୃଦୟ ଶ୍ରୀ ଉଦୟ ନାରାୟଣ ଜେନା କବି ମହାରଣାଙ୍କର ପ୍ରତିଛବିଟି କରି ଦେଇଥିବାରୁ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ପୁସ୍ତକଟିର ଉପଯୋଗିତା ପାଠକବର୍ଗ ଉପଲବ୍ଧି କରି ମତାମତ ଜଣାଇଲେ ବିଶେଷ ଖୁସି ହେବି ।

ଅରବିନ୍ଦ ଗିରି

 

ସୂଚୀପତ୍ର

 

-

ଅର୍ଘ୍ୟ

 

-

ଚନ୍ଦ୍ରମୋହନ ବାବୁ

ପଣ୍ଡିତ ନୀଳକଣ୍ଠ ଦାଶ

-

ଗୋଡ଼ କିପରି ଖସେ

ପଣ୍ଡିତ ଗୋଦାବରୀଶ ମିଶ୍ର

-

ମୋର ସ୍କୁଲ ଶିକ୍ଷକ

ଲକ୍ଷ୍ମୀନାରାୟଣ ସାହୁ

-

ସେ ମଧୁର ସ୍ମୃତି

ଜଗନ୍ନାଥ ରଥ

-

କୁହୁ କୁହୁ କୁହୁ

କାଳିନ୍ଦୀ ଚରଣ ପାଣିଗ୍ରାହୀ

-

ତସ୍ମୈ ଶ୍ରୀ ଗୁରବେ ନମଃ...

ହରିଶ୍ଚନ୍ଦ୍ର ବଡ଼ାଲ

-

ସ୍ୱର୍ଗତ ଶିକ୍ଷାବିତ ଶ୍ରୀ ଚନ୍ଦ୍ରମୋହନ ମହାରଣା-ମୁଁ ତାଙ୍କୁ ଯେତିକି ଜାଣେ

ଅନନ୍ତ ପ୍ରସାଦ ପଣ୍ଡା

-

ଚନ୍ଦ୍ରମୋହନ

ଗୋଲକ ଚନ୍ଦ୍ର ମହାପାତ୍ର

୧୦

-

ମୋ ଜାଣିବାରେ

ବଟବିହାରୀ ଦାସ

୧୧

-

ସ୍ମରଣୀୟ ଚନ୍ଦ୍ରମୋହନ ମହାରଣା

ରବୀନ୍ଦ୍ର କୁମାର ପ୍ରହରାଜ

୧୨

-

ଚନ୍ଦ୍ରମୋହନ ମହାରଣା

କୁଞ୍ଜବିହାରୀ ଦାଶ

୧୨

-

ଅଭିମତ

ସୁରେନ୍ଦ୍ର ମହାନ୍ତି

୧୩

-

ଗୁରୁଦେବ ଚନ୍ଦ୍ରମୋହନ

ଶ୍ରୀଧର ଦାସ

୧୪

-

ମେଘାଚ୍ଛାଦିତ ଚନ୍ଦ୍ର

ବ୍ରଜନାଥ ରଥ

୧୫

-

ଛ’ଋତୁ କବିତାର କବି ଚନ୍ଦ୍ରମୋହନ

ନୃସିଂହ ପ୍ରସାଦ ରଥ

୧୬

-

କଥାବଳୀର ରୂପକାର ଚନ୍ଦ୍ରମୋହନ ମହାରଣା

ପଠାଣି ପଟ୍ଟନାୟକ

୧୭

-

କଥାବଳି କଥା

ବସନ୍ତ କୁମାର ଶତପଥୀ

୧୮

-

ନୀରବ ସାଧକ ଚନ୍ଦ୍ରମୋହନ

ଅପୂର୍ବ ରଂଜନ ରାୟ

୧୯

-

ରେମୁଣାର ବରପୁତ୍ର ଚନ୍ଦ୍ରମୋହନ

ବାଞ୍ଛାନିଧି ଦାସ

୨୦

-

‘ମହାଯାତ୍ରା’ର ଜନରବ

ଅରବିନ୍ଦ ଗିରି

୨୧

-

ମା’ ମୁହଁରୁ ଯାହା ଶୁଣିଛି

ଜୟଦେବ କମିଳା

୨୨

-

ପ୍ରଧାନ ଶିକ୍ଷକ ସେ ଯୁଗର

ଉଦୟନାଥ ଷଡ଼ଙ୍ଗୀ

୨୩

-

ଚନ୍ଦ୍ରମୋହନ ଓ ତାଙ୍କ ରଚିତ ବ୍ୟାକରଣ

ସୁଧାଂଶୁ ଶେଖର ରାୟ

୨୪

-

‘ବସନ୍ତ’ର ଅନନ୍ୟ ସ୍ୱାଦ ‘ନବୋଦ୍ୟମ’

ଶ୍ରୀ ବିଳାସ

 

 

 

 

 

 

କବି ଗୀତି

 

 

 

 

 

୨୫

-

ଉତ୍କଳ–ଭ୍ରମଣ

ବ୍ୟାସକବି ଫକୀରମୋହନ ସେନାପତି

୨୬

-

ହେ ଚନ୍ଦ୍ରମୋହନ

ରାଧାମୋହନ ଗଡ଼ନାୟକ

୨୭

-

ହେ ପ୍ରକୃତି କବି ମହାରଣା

ଉପେନ୍ଦ୍ର ପ୍ରସାଦ ପଣ୍ଡା

 

 

 

 

 

 

ପରିଶିଷ୍ଟ

 

 

 

 

 

୨୮

-

ବିୟୋଗ ବାର୍ତ୍ତା

ବିଶ୍ୱନାଥ କର

୨୯

-

ଚନ୍ଦ୍ରମୋହନ ମହାରଣାଙ୍କ ଜୀବନର କେତୋଟି ସ୍ମରଣୀୟ ଘଟଣା

ଅକ୍ଷୟ କୁମାର ବେଜ

୩୦

-

ଫକୀରମୋହନ

ଚନ୍ଦ୍ରମୋହନ ମହାରଣା

 

 

 

 

 

 

ପତ୍ରାବଳୀ

 

 

 

 

 

୩୧

-

ସଂକ୍ଷେପୋକ୍ତି

କାଳିନ୍ଦୀ ଚରଣ ପାଣିଗ୍ରାହୀ

୩୨

-

ପରିଷଦ ସମ୍ପର୍କରେ ପଦେ କଥା

ବଟବିହାରୀ ଦାସ

୩୩

-

ଗୁରୁ ଓ ଛାତ୍ର : ଚନ୍ଦ୍ରମୋହନ ଓ କୃପାସିନ୍ଧୁ ପ୍ରସଙ୍ଗ

ଚିନ୍ତାମଣି ଦାଶ

 

 

 

 

 

 

ଦ୍ୱିତୀୟ ଅଧ୍ୟାୟ

 

 

 

 

 

୩୪

-

ସାହିତ୍ୟିକ ଚନ୍ଦ୍ରମୋହନ ମହାରଣା

ଆଦିକନ୍ଦ ସାହୁ

୩୫

-

ଚନ୍ଦ୍ରମୋହନ ବାଜ

ଜ୍ଞାନଦେବ ମହାରଣା

୩୬

-

ଗାଳ୍ପିକ ଚନ୍ଦ୍ରମୋହନ

ମନୋରଂଜନ ପ୍ରଧାନ

୩୭

-

ଓଡ଼ିଆ ବ୍ୟାକରଣ ଓ ଚନ୍ଦ୍ରମୋହନ ମହାରଣା

ପ୍ରସନ୍ନ କୁମାର ସ୍ୱାଇଁ

୩୮

-

ଚନ୍ଦ୍ରମୋହନଙ୍କ କଥାବଳିରେ ମାନବିକତାର ସନ୍ଦେଶ

ମଣୀନ୍ଦ୍ର କୁମାର ମେହେର

୩୯

-

ପ୍ରାବନ୍ଧିକ ଚନ୍ଦ୍ରମୋହନଙ୍କ ରଚନା ଶିକ୍ଷା ଓ.ଜାତୀୟ ଚେତନା

ରମାକାନ୍ତ ସିଂହ

୪୦

-

ଓଡ଼ିଆ ଶିଶୁ ସାହିତ୍ୟକୁ ଚନ୍ଦ୍ରମୋହନ ମହାରଣାଙ୍କ ଅବଦାନ

ବୀରେନ୍ଦ୍ର ମହାନ୍ତି

୪୧

-

ଆଧୁନିକ ଯୁଗର ବୈତାଳିକ କବି ଚନ୍ଦ୍ରମୋହନ ମହାରଣା

ଶିଶିର ବେହେରା

୪୩

-

ଚନ୍ଦ୍ରବିଧୌତ ଜ୍ୟୋତ୍ସ୍ନାରେ ପ୍ରକୃତି

ହେମଲତା ବେହେରା

୪୪

-

ପ୍ରାବନ୍ଧିକ ଚନ୍ଦ୍ରମୋହନ ମହାରଣା

ଜୟନ୍ତ କୁମାର ଦାସ

୪୫

-

କବି ଚନ୍ଦ୍ରମୋହନଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟି

ପ୍ରହ୍ଲାଦ ଖିଲ

-୦-

 

ଅର୍ଘ୍ୟ

 

କ୍ଷୀରୀ ଚୋରିକରି ଖାଇଥିଲ କେବେ

 

ଆହେ ପ୍ରଭୁ ଗୋପୀନାଥ !

ଯୁଗେଯୁଗେ ତୁମେ କରିଅଛ ଚୋରି

 

ଶତେକ ଭକତ ଚିତ୍ତ ।

ବାଣୀ-ସାଧକ କବି ‘ଚନ୍ଦ୍ରମୋହନ’

 

ଏ ତୁମରି ପୁଣ୍ୟପୀଠେ

ଅଙ୍କିଥିଲେ ଯେଉଁ ଅକ୍ଷୟର ଟୀକା

 

କାଳର ଲଲାଟ ପଟେ;

ତାହାରି କୃତିର ମୂଲ୍ୟାୟନ ଏହି

 

ଗ୍ରନ୍ଥଟି ଚରଣେ ତୁମ

ଅର୍ପଣ କଲୁ ଭକ୍ତି ଆବେଗେ

 

ଘେନା ହେଉ ଅନୁପମ !!

-୦-

 

ଚନ୍ଦ୍ରମୋହନ ବାବୁ

ପଣ୍ଡିତ ନୀଳକଣ୍ଠ ଦାଶ

 

ସେତେବେଳେ ଓଡ଼ିଆ ଜଣେ ହେଡ଼୍‍ମାଷ୍ଟର ହୋଇ ଆସିବେ, ଏହା ଶୁଣିବାଟା ବଡ଼ କଥା । ମୁଁ ପିଲାଦିନେ ଚନ୍ଦ୍ରମୋହନ ବାବୁଙ୍କୁ ସ୍କୁଲ ଡେପୁଟି ଇନ୍ସିପେକ୍ଟର ଥିବାର ଦେଖିଥିଲି । ସ୍କୁଲ ଶିକ୍ଷକମାନଙ୍କ ଭିତରେ ବଡ଼ ଯୋଗ୍ୟଲୋକ ବୋଲି ତାଙ୍କର ସୁଖ୍ୟାତି ଥିଲା । ମୋର ମନେଅଛି, ଆମ ଗାଁ ସ୍କୁଲ ପରିଦର୍ଶନ କରିବାକୁ ଗଲାବେଳେ ସେ ଗୋଟିଏ କୋଇଲି ବୋବେଇବାର ଶୁଣି ପଚାରି ଦେଇଥିଲେ, “ପଣ୍ଡିତ ମହାଶୟ, କୁହନ୍ତୁ ତ ଏ ମାଈ କି ଅଣ୍ଡିରା କୋଇଲି ?” ପଣ୍ଡିତ ମହାଶୟ ଟିକିଏ ଇତସ୍ତତଃ ହୋଇ କହି ପକାଇଲେ “ମାଈ ହୋଇଥିବ । ଅଣ୍ଡିରାର ଏ ସୁନ୍ଦର ସ୍ୱର ହେବ କୁଆଡ଼ୁ?” ଚନ୍ଦ୍ରମୋହନ ବାବୁ କହିଲେ, “ନାଁ ନାଁ, ମାଈ କୋଇଲିର ଏପରି ସ୍ୱର ନାହିଁ । ଆପଣ ଜାଣନ୍ତି ନାହିଁ । କାଳିଦାସ ଲେଖିଛନ୍ତି- ପୁଂସ୍କୋକିଳୋଯନ୍ ମଧୁରମଂ ଚୁକୁଜ ।” ସେକାଳେ ମଧ୍ୟ ଓଡ଼ିଆ ଶିକ୍ଷକମାନେ ସଂସ୍କୃତ ଜାଣୁଥିଲେ । ଚନ୍ଦ୍ରମୋହନ ବାବୁ ସ୍କୁଲ ପରୀକ୍ଷା କରିବା ଛଡ଼ା ଏହିପରି କଥା ଛଳରେ ବହୁତ ଆଲୋଚନା କରୁଥିଲେ । ଓଡ଼ିଆ ଶିକ୍ଷିତ ଶ୍ରେଣୀରେ ତାଙ୍କର ଖୁବ୍ ଆଦର ଓ ସୁଖ୍ୟାତି ଥିଲା । କିନ୍ତୁ ହାଇସ୍କୁଲରେ ହେଡ଼୍‍ମାଷ୍ଟର ହୋଇପାରୁନଥିଲେ । ସେକାଳେ ହାଇସ୍କୁଲମାନଙ୍କରେ ବଙ୍ଗଳା ପିଲା ବହୁତ ଥିଲେ । ଓଡ଼ିଆ ହେଡ଼୍‍ମାଷ୍ଟର ହେଲେ ସେମାନେ ମଧ୍ୟ ସହି ପାରୁନଥିଲେ । ପୁରୀ ଜିଲ୍ଲା ସ୍କୁଲର ହେଡ଼୍‍ମାଷ୍ଟର ହୋଇ ଆସିବାର ବର୍ଷେ ଦି’ ବର୍ଷ ପୂର୍ବରୁ ଥରେ ସେ କିଛିଦିନ ପାଇଁ ରେଭେନ୍ସା କଲେଜିଏଟ୍ ସ୍କୁଲରେ ହେଡ଼୍‍ମାଷ୍ଟର ହୋଇଥିଲେ । ସେତେବେଳେ ଦିନେ ସେ କ୍ଲାସକୁ ଆସିଲାବେଳକୁ ପିଲାମାନେ ପୂର୍ବରୁ ବିଚାର କରି ଗୋଟିଏ ନିହାଣ ଓ ଗୋଟିଏ ମୁଗୁର ଟେବୁଲ ଉପରେ ରଖି ଦେଇଥିଲେ । ଅବଶ୍ୟ ଯେଉଁମାନେ ରଖି ଦେଇଥିଲେ, ସେମାନେ ତାଙ୍କର ଉପାଧି ମହାରଣା ଦେଖି ତାଙ୍କୁ ବଢ଼େଇ ବୋଲି ବିଚାରିଥିଲେ । ସେ କିନ୍ତୁ ବଢ଼େଇ ନ ଥିଲେ । ସେ ଥିଲେ ଜାତିରେ ଥଟାରି । ସେ ଯାହାହେଉ, ସେତେବେଳେ ଖବରକାଗଜ ନ ଥିଲେ ମଧ୍ୟ ଏ ଖବର ଓଡ଼ିଶାରେ ବ୍ୟାପି ଯାଇଥିଲା । ଆମେ ସ୍କୁଲରେ ଓଡ଼ିଆ ପିଲାମାନେ ଏଥିରେ ନିଜକୁ ବଡ଼ ଅପମାନିତ ବୋଧ କରିଥିଲୁଁ । ତେଣୁ ଚନ୍ଦ୍ରମୋହନ ବାବୁଙ୍କ ପ୍ରତି ମୋର ଯେ ଭକ୍ତି ଓ ଆଦର ଆଗରୁ ଥିଲା ତା’ କହିବା ଦରକାର ନାହିଁ ।

 

ପରେ ସେ ଆସିଲେ । ଯଥାର୍ଥରେ ତାଙ୍କ ପରି ଉଦାପଣଚେତା ଶିଶୁପ୍ରାଣ ଶିକ୍ଷକ ମୁଁ ବଡ଼ କମ୍ ଦେଖିଛି । ମୋତେ ସେ ଅତ୍ୟନ୍ତ ବିଶ୍ୱାସ କରୁଥିଲେ । ଆସିବାର କିଛିଦିନ ପରେ ମୋ ଉପରେ ବୋର୍ଡ଼ିଂର ସମସ୍ତ ଭାର ଛାଡ଼ିଦେଇ ଏକ ପ୍ରକାର ନିଶ୍ଚିନ୍ତ ହୋଇଥିଲେ । ପିଲାଙ୍କର ବ୍ରହ୍ମଚର୍ଯ୍ୟଗତ ଚରିତ୍ର ପାଇଁ ତାଙ୍କର ବଡ଼ ତୀକ୍ଷ୍ଣ ଦୃଷ୍ଟି ଥିଲା । ସେଥିପାଇଁ ସର୍ବଦା ସେ ମୋ ସଙ୍ଗେ ବିଚାର ପରାମର୍ଶ କରି ଯାହା ଦରକାର ତା’ କରୁଥିଲେ । ମୁଁ ଶେଷରେ ଯେତେବେଳେ ବଛାବଛି ପରୀକ୍ଷା ପରେ ପୁରୀ ଜିଲ୍ଲା ସ୍କୁଲ ଛାଡ଼ିଲି, ସେତେବେଳେ ସେ କହିଥିଲେ, “ନୀଳକଣ୍ଠ ଚାଲିଗଲେ ହଷ୍ଟେଲ କାହା ଜିମା ରହିବ ।”

 

ସେତିକି ନୁହେଁ । ପାଠ ବୁଝିବା ଦରକାର ହେଲେ ତାଙ୍କ ଦ୍ୱାର ମୋ ପାଇଁ ସର୍ବଦା ଅବାରିତ ଥିଲା । ରାତି ଏଗାରଟାବେଳେ ମଧ୍ୟ ବୀଜ ଗଣିତର ମୋ ପକ୍ଷରେ ସେତେବେଳେ ଅସାଧ୍ୟ ସମସ୍ୟାମାନ ଘେନି ଯାଇ ପହଞ୍ଚିଛି । ସେ ଶୋଇବାଠାରୁ ଉଠି ଆସି ମୋ ଅଙ୍କଟି ମୋତେ ବୁଝାଇ ଦେଇ ପୁଣି ଯାଇ ଶୁଅନ୍ତି । ମୋର ହସ୍ତାକ୍ଷର ବଡ଼ ଖରାପ ଥିଲା । ଅକ୍ଷରଗୁଡ଼ାକ ମୋଡ଼ା ମୋଡ଼ା ହୋଇ ସେଥିରେ ଅକ୍ଷରର ଦେହଠାରୁ ଲାଞ୍ଜ ମୁଣ୍ଡର କୁଟୀଳ ରେଖା ସବୁ ବହୁତ ବାହାରୁଥାଏ । ଅକ୍ଷରଗୁଡ଼ିକ ବି ବହୁତ ବକ୍ରାକୃତି ଥାଏ । ମୋତେ ଦିନେ ସେ କହିଲେ, “ନୀଳକଣ୍ଠ, ତୁମେ ୟାକୁ ବଦଳାଇ ଦିଅ ।” ମୁଁ ବୁଝିପାରିଲି ନାଇଁ । ତା’ପରେ ମୋତେ ବୁଝାଇଲେ, “ମୁହୂର୍ତ୍ତେ ମନ ଠିକ୍ କରି କୃତ ସଂକଳ୍ପ ହେଲେ ଏହା ସହଜରେ ହୋଇଯିବ ।” ସେତିକିବେଳେ ମନୁଷ୍ୟର ସଂକଳ୍ପ ଶକ୍ତି (Good Conduct) ବିଷୟରେ ମୁଁ ତାଙ୍କଠାରୁ ପ୍ରସଙ୍ଗତଃ ଯାହା ଶୁଣିଥିଲି, ତା’ର ସ୍ମୃତି ଏବେ ମଧ୍ୟ ଜୀବନ୍ତ ଅଛି । ମୁଁ ବହୁତ ଛାତ୍ର ଓ ଯୁବକଙ୍କୁ ସେ କଥା କହିଛି । ସେମାନଙ୍କ ମଧ୍ୟରୁ ଅନେକେ ଫଳ ବି ପାଇଥିବେ । ମୋ କଥା କହୁଛି । ତହିଁଆରଦିନ ମୁଁ ସଂକଳ୍ପ କରି ହସ୍ତାକ୍ଷର ବଦଳାଇ ବସିଲି–ଚନ୍ଦ୍ରମୋହନ ବାବୁଙ୍କ ହସ୍ତାକ୍ଷରକୁ ଆଦର୍ଶ କରି । ସେ ମୋତେ ବୁଝାଇଥିଲେ, ବ୍ୟବହାରରେ ମିତବ୍ୟୟିତ-ଅକ୍ଷରରେ ମଧ୍ୟ ସେଇଆ ଲାଞ୍ଜ, ମୁଣ୍ଡ, ମୋଡ଼ାଗାର ସବୁ ଦରକାର ନାଇଁ । ଅକ୍ଷର ସ୍ପଷ୍ଟ କରିବା ପାଇଁ ଗାରର ଯେତିକି ପ୍ରକାର ଓ ପରିମାଣ ଲୋଡ଼ା, ସେତିକି ହେଲେ ହେଲା । ଏହାହିଁ ଅକ୍ଷର ଭଲ କରିବାର ସୂତ୍ର । ଏକ ସପ୍ତାହ ଭିତରେ ମୋର ଅକ୍ଷର ବଦଳିଗଲା । ପରେ ସତ୍ୟବାଦୀ ସ୍କୁଲରେ ପିଲାଙ୍କୁ ଅକ୍ଷର ଲେଖା ଶିଖାଇଲାବେଳେ ଚନ୍ଦ୍ରମୋହନଙ୍କ ତତ୍ତ୍ୱ କଥାଗୁଡ଼ିକ ମଧ୍ୟ ମୋର ବରାବର ମନେଥିଲା ।

 

ଚନ୍ଦ୍ରମୋହନ ବାବୁ ପ୍ରାୟ ଆକାଶ ନିର୍ମଳ ଥିଲାବେଳେ ମୋତେ ସାଙ୍ଗରେ ଘେନି ସ୍କୁଲ ହତା ଭିତରେ ବୁଲି ବୁଲି ବାଲିରେ ଆଳାପ କରୁଥାନ୍ତି । ସେତିକିବେଳେ ଆକାଶକୁ ଚାହିଁ ଗ୍ରହର ଗତି, ମଙ୍ଗଳର ଅତିଚାର, ଚନ୍ଦ୍ରପଥରେ ନିର୍ଦ୍ଦିଷ୍ଟ ଅଶ୍ୱିନୀ, ଆଦ୍ରା, ପୁନର୍ବସୁ, ଚିତ୍ରା, ସ୍ୱାତୀ, ଜ୍ୟେଷ୍ଠା, ଭାଦ୍ରପଦ ପ୍ରଭୃତି ଉଜ୍ଜ୍ୱଳ ଯୋଗ ତାରାଗୁଡ଼ିକଠାରୁ ଆରମ୍ଭ କରି କ୍ରମେ ଅନ୍ୟାନ୍ୟ ନକ୍ଷତ୍ରସବୁ ମୋତେ ଦେଖାଇ ବୁଝାଇ ଦେଉଥିଲେ । ପରେ ସତ୍ୟବାଦୀ ସ୍କୁଲରେ ଥିଲାବେଳେ ତାହାର ମାନଚିତ୍ର ଧରି ମୁଁ ରାତି ରାତି ଆରାମ ଚୌକିରେ ସ୍କୁଲ ଅଗଣାରେ ବସି ଗ୍ରହତାରା ସବୁ ଚିହ୍ନି ଗତି ଲକ୍ଷ୍ୟ କରିବାବେଳେ ପିଲାଙ୍କୁ ଧରି ବିଲକୁ ଯାଇ ତାଙ୍କୁ ତାରା ଦେଖାଇ ବୁଝାଇବାବେଳେ ମୋର ଚନ୍ଦ୍ରମୋହନ ବାବୁ ହିଁ ମନେପଡ଼ୁଥିଲେ ।

 

ଥରେ ପିଲାଙ୍କୁ ପ୍ରାଇଜ୍ ବଣ୍ଟା ହେବା ପୂର୍ବଦିନ ଆସିଷ୍ଟାଣ୍ଟ୍ ହେଡ଼୍‍ମାଷ୍ଟର ଭୈରବ ଚନ୍ଦ୍ର ଦତ୍ତ ଓ ଆସିଷ୍ଟାଣ୍ଟ୍ ମାଷ୍ଟର ଚିନ୍ତାମଣି କରଙ୍କୁ ଘେନି ଚନ୍ଦ୍ରମୋହନ ବାବୁ କାହାକୁ କେଉଁ ବିଷୟରେ କ’ଣ ପ୍ରାଇଜ୍ ଦିଆଯିବ ଏହା ଠିକ୍ କରୁଥାନ୍ତି । ଦୁଆରେ ଚପରାସୀ ଜଗିଥାଏ । କୌଣସି ଛାତ୍ର ଯିବେନାହିଁ କି କୌଣସି ଶିକ୍ଷକ ବିନା ଡାକରାରେ ଯିବେ ନାହିଁ ବୋଲି ଆଦେଶ ଥାଏ । ଚନ୍ଦ୍ରମୋହନ ବାବୁ ଶୃଙ୍ଖଳା ରକ୍ଷାର ଭାରି କଡ଼ା । ସମସ୍ତଙ୍କର ସେଥିପାଇଁ ଭାରି ଡରଥାଏ । ଜଣେ ଶିକ୍ଷକ ଆସି ଦୁଇପିଲାଙ୍କର ନାମ କହି ଖବର ଦେଲେ । ସେମାନେ ସତ୍ ସ୍ୱଭାବ (Good Conduct) ପ୍ରାଇଜ୍ ପାଇବାର ଠିକ୍ ହେଲା । ସେ ଦୁଇଟି ଛୋଟ ଛୋଟ ସୁନ୍ଦର ପିଲା । ମୁଁ ତାଙ୍କ ସ୍ୱଭାବ ସମ୍ବନ୍ଧରେ କୌଣସି ପ୍ରକାର ସନ୍ତୁଷ୍ଟ ନ ଥିଲି । ମୁଁ ଶୁଣିବାମାତ୍ରେ ହଠାତ୍ ସେ ଘର ଭିତରକୁ ଚନ୍ଦ୍ରମୋହନ ବାବୁଙ୍କ ପାଖକୁ ଯିବି ବୋଲି ବାହାରିଲି । ସମସ୍ତେ ମନାକଲେ । ଚପରାସୀ ମଧ୍ୟ ମନାକଲା । ନ ମାନି ଭିତରକୁ ଚାଲିଗଲି । ଚନ୍ଦ୍ରମୋହ ବାବୁ ମୋତେ ଚାହିଁଦେଲେ । ଅନ୍ୟ ଦୁଇଜଣ ମାଷ୍ଟର ଅବାକ୍ ହୋଇଗଲେ । ନିଶ୍ଚୟ ବିଚାରିଲେ ମୋ ଉପରେ ଦଣ୍ଡ ହେବ । ଚନ୍ଦ୍ରମୋହନ ବାବୁ ଜମା ବିରକ୍ତ ନ ହୋଇ ମୋତେ ପଚାରିଲେ, “କୁଆଡ଼େ ଆସିଲ?” ମୁଁ କହିଲି, ଅମୁକ୍ ଅମୁକ୍ ପିଲାଙ୍କୁ ସତ୍‌ ସ୍ୱଭାବ ପୁରସ୍କାର ଦିଆଯିବାର ଶୁଣୁଚି । ଚନ୍ଦ୍ରମୋହନ ବାବୁ ଜମା ବିରକ୍ତ ନ ହୋଇ ମୋତେ ପଚାରିଲେ, “କ’ଣ ତୁମର ମତ ନୁହେଁ ?” ମୁଁ କହିଲି, ‘ନା’ । ଆଉ କିଛି ନ କହି ନିଜେ ଚନ୍ଦ୍ରମୋହନ ବାବୁ କଲମ ଧରି ସେ ଦୁଇଟି ନାଁ କାଟିଦେଲେ । ମୁଁ ସଙ୍ଗେ ସଙ୍ଗେ ଚାଲି ଆସିଲି । ସେଇଦିନ ରାତିରେ ସତ୍‌ ସ୍ୱଭାବ ପୁରସ୍କାର ଓ ସେଇପାଇଁ ପିଲା ବାଛିବା ସମ୍ବନ୍ଧରେ ଚନ୍ଦ୍ରମୋହନ ବାବୁଙ୍କ ସଙ୍ଗେ ମୋର ବହୁତ କଥା ପଡ଼ିଲା, ବୋଧହୁଏ ତା’ପରେ ଚନ୍ଦ୍ରମୋହନବାବୁ ସତ୍‌ ସ୍ୱଭାବ ନିମନ୍ତେ ଆଉ କାହାକୁ କେବେ ପୁରସ୍କାର ଦେଇଛନ୍ତି ବୋଲି ମୋର ମନେ ହେଉନାହିଁ ।

 

ଆଉ ଦିନେ ବୋଡ଼ିଂରେ ଜଣେ ଯୁବକ ଅନ୍ୟାନ୍ୟ ଦୁଇ ଏକ ଜଣ ବଙ୍ଗାଳୀ ପିଲାଙ୍କ ସଙ୍ଗେ ରାତିରେ ବାହାରକୁ ଯାଇ ସମୁଦ୍ର ପନ୍ତାରେ ବୁଲୁଥିବା କଥା ମୁଁ ଲକ୍ଷ୍ୟକରି ଜାଣିଲି । ସମୁଦ୍ର କୂଳକୁ ବାୟୁପରିବର୍ତ୍ତନ ପାଇଁ ଆସିଥିବା କୌଣସି ଭଦ୍ରଲୋକଙ୍କର ଯୁବତୀ ଅବିବାହିତା ଝିଅଙ୍କ ସଙ୍ଗେ ସେମାନେ ସମୁଦ୍ର କୂଳେ ଅଲଗା ଜାଗାରେ ରାତିରେ ବହୁତ ସମୟ କଟାଉଛନ୍ତି । ମୁଁ ନିଜେ ବୋଡ଼ିଂର ପିଲାଟିକୁ ଚେଷ୍ଟାକରି ମଧ୍ୟ ସେଥିରୁ ନିବୃତ୍ତ କରାଇ ପାରିଲି ନାଇଁ । ଚନ୍ଦ୍ରମୋହନ ବାବୁଙ୍କୁ ଯାଇ କହିଲି । ସେ ବଡ଼ ବିସ୍ମିତ ହେଲେ । କହିଲେ, “ମୁଁ ଦେଖି ପାରିବି ?” ସେ ଦିନ ଜହ୍ନରାତି । ଖଣ୍ଡେ ସାଧାରଣ ଲୁଗା ପିନ୍ଧି ଚନ୍ଦ୍ରମୋହନ ବାବୁ ମୋ ସଙ୍ଗେ ଗଲେ । ଦୂରରୁ ସବୁ ଦେଖିଲେ, ଫେରି ଆସିଲେ । ତହିଁଆରଦିନ କିଛି ନ କହି ସେ ବଙ୍ଗାଳୀ ପିଲାଟିକୁ ସ୍କୁଲରୁ ବାହାର କରିଦେଲେ । ସେ ପିଲାଟିର ଅଭିଭାବକ ଜଣେ ପ୍ରତିଷ୍ଠିତ ଲୋକ । ସେ ଅନ୍ୟାନ୍ୟ ବଙ୍ଗାଳୀକୁ ମିଳାଇ ଚନ୍ଦ୍ରମୋହନ ବାବୁଙ୍କ ନାମରେ ମୋକଦ୍ଦମା କରିବାକୁ ବାହାରିଲେ, ତଥାପି ଚନ୍ଦ୍ରମୋହନବାବୁଙ୍କର ଭ୍ରୂକ୍ଷେପ ନାଇଁ । କୌଣସି କାରଣ ସେ କହିଲେ ନାଇଁ । ଓଡ଼ିଆ ହୋଇ ବଙ୍ଗାଳୀଙ୍କ ଉପରେ ଜୁଲୁମ କରୁଛନ୍ତି ବୋଲି ସଭା ହେଲା । ଚନ୍ଦ୍ରମୋହନବାବୁ ଅଟଳ, ପରେ ସବୁକଥା କ୍ରମେ ଜଣାପଡ଼ିଲା । ପୁରୀର ସ୍ୱନାମ ପ୍ରସିଦ୍ଧ ରାମଚନ୍ଦ୍ର ଦାଶ ମୁକ୍ତାର ମଧ୍ୟସ୍ଥ ହୋଇ ସମସ୍ତଙ୍କୁ ଥଣ୍ଡା କରିଦେଲେ, ଗୋଟିଏ କିଛି ମୀମାଂସା ହୋଇଗଲା ।

 

(ନୀଳକଣ୍ଠ ଗ୍ରନ୍ଥାବଳୀ-୧ମ ଖଣ୍ଡ)

-୦-

 

ଗୋଡ଼ କିପରି ଖସେ

ପଣ୍ଡିତ ଗୋଦାବରୀଶ ମିଶ୍ର

 

ଗୋଡ଼ କିପରି ଖସେ

 

ମୁଁ ଦଶମ ଶ୍ରେଣୀରେ ପଢ଼ିବାବେଳେ, ମୁଁ ଥରେ ଶଶିଦାଙ୍କ କୋଳରେ ମୁଣ୍ଡ ଦେଇ, ରାତି ଅନ୍ଧାରରେ ମୁହଁର ଭାବଭଙ୍ଗି ଲୁଚାଇ, ମୋ ଜୀବନର କେତେକ ଦୋଷ ତ୍ରୁଟି, ନିତାନ୍ତ ସଲଜ୍ଜ ଭାଷାରେ ଗୋଟିଏ ପରେ ଗୋଟିଏ କହିବାରେ ଲାଗିଛି, X X ମୁଁ କହିଲି, “ଆମ ସ୍କୁଲ ଗରିବ ପାଣ୍ଠିରୁ ମୁଁ ଷୋହଳ ଟଙ୍କା ଖାଇ ଯାଇଛି ।” ସେହି ପାଣ୍ଠି ନିମନ୍ତେ ଚାନ୍ଦା ଅସୁଲ କରିବା ଭାର ମୋ ଉପରେ ଥିଲା । ସେ (ଶଶିଦା) ସ୍ୱାଭାବିକ ସହାନୁଭୂତି ଦେଖାଇ କହିଲେ, “ଏଥିରେ କାନ୍ଦିବାର କ’ଣ ଅଛି ? ମୁଁ ପ୍ରଧାନ ଶିକ୍ଷକଙ୍କୁ ପଚାରିବି, ସେ ନେବାକୁ କହିଲେ, ଟଙ୍କାଟା ତୋ ପାଇଁ ମୁଁ ଦେଇଦେବି । ତୁ ପରେ ମତେ କେତେବେଳେ ଶୁଝିବୁ ।” ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ମହାରଣା ସେ ଟଙ୍କା, ଚାନ୍ଦାଦାତାମାନଙ୍କ ନାମରେ ଆଦାୟ ପକାଇ, ମୋ ନାମରେ ଖର୍ଚ୍ଚ ଦେଖାଇବାକୁ ଆଦେଶ ଦେଲେ । ସେହି ଗରିବ ପାଣ୍ଠିରୁ ମୋ ବାବଦ ବିଦ୍ୟାଳୟ ବେତନ ଦିଆଯାଉଥିଲା ।

 

ପରିବର୍ତ୍ତନ

 

ପ୍ରଧାନ ଶିକ୍ଷକ ଥିଲେ ଅଧରଚନ୍ଦ୍ର ବେନାର୍ଜୀ । ସେ ଏକେ ଗଣିତ ଶିକ୍ଷକ, ତା’ପରେ ପୁଣି ସେ ସର୍ବଦା ବସି ବାଡ଼ି ତିଆରି କରୁଥାନ୍ତି, ବିଦ୍ୟାଳୟର ପରିଚାଳନା ପ୍ରତି ଦୃଷ୍ଟି ଦିଅନ୍ତି ଅଳ୍ପ । ତାଙ୍କର ବଦଳି ହୋଇଗଲା, ଆସିଲେ ଚନ୍ଦ୍ରମୋହନ ମହାରଣା । ସେତେବେଳେ ବିଦ୍ୟାଳୟରେ ଇଂରାଜି ଭାଷା ଶିକ୍ଷକଙ୍କ ପ୍ରତି ପିଲାଙ୍କର ଭୟ ସମ୍ଭ୍ରମ ବେଶି ଥାଏ । ଚନ୍ଦ୍ରମୋହନବାବୁ ଏକାଦଶ ଶ୍ରେଣୀରେ ଇଂରାଜୀ ପଢ଼ାଉଥିଲେ । ସେ ଶ୍ରେଣୀର ପିଲାମାନେ ନୂତନ ପ୍ରଧାନ ଶିକ୍ଷକଙ୍କ ଆଗରେ ଥରହର ହୋଇଗଲେ । ଏକାଦଶ ଶ୍ରେଣୀ ବିଦ୍ୟାଳୟର ଶ୍ରେଷ୍ଠ ଶ୍ରେଣୀ । ସେ ଶ୍ରେଣୀର ନୂଆ ହାଉଆ ସବୁ ଶ୍ରେଣୀକୁ ଯାଇ ଛୁଇଁଲା ।

 

ଚନ୍ଦ୍ରମୋହନ ବାବୁ ବୋଧହୁଏ ପୁରୀ ଉଚ୍ଚ ବିଦ୍ୟାଳୟର ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ । ସେ ସମୟରେ ପୁରୀରେ ବଙ୍ଗାଳୀମାନଙ୍କର ବିଶେଷ ପ୍ରତିପତ୍ତି ଥାଏ । ଜଣେ ଓଡ଼ିଆ ପ୍ରଧାନ ଶିକ୍ଷକ ହୋଇଯିବାରେ ସେମାନଙ୍କ ମଧ୍ୟରେ ଚହଳ ପଡ଼ିଗଲା । ବୟସ୍କ ବଙ୍ଗାଳୀମାନେ ଯେପରି ପ୍ରତିପତ୍ତିଶାଳୀ ହୋଇଥାନ୍ତି, କେତେଜଣ ବଙ୍ଗାଳୀ ପିଲା ସେହିପରି ବିଦ୍ୟାଳୟରେ ବିଭ୍ରାଟ ସୃଷ୍ଟି କରନ୍ତି । ସେମାନଙ୍କ ମଧ୍ୟରେ ଅଗ୍ରଣୀ ଥାଏ ଜଣେ ବିଶିଷ୍ଟ ଓକିଲଙ୍କ ଭାଇ । ଏକାଦଶ ଶ୍ରେଣୀ ଛାତ୍ର । ଦିନେ ହଠାତ୍ ବିଦ୍ୟାଳୟ ସାରା ଦୋହଲିଗଲା । ଚନ୍ଦ୍ରମୋହନ ବାବୁ ଶ୍ରେଣୀ ଭିତରେ ପଶି ସେ ପିଲାଟିକୁ ବେତରେ ଖୁବ୍ ପ୍ରହାର କଲେ । ପିଲାଟି ଦୁଇ ଚାରିଥର ପ୍ରହାର ଖାଇଲା ପରେ, ବେତଟାକୁ ଧରି ପକାଇ, ଚିତ୍କାର କରି ଇଂରାଜିରେ କହିଲା, “ଆଉ ଥରେ ଯଦି ମୋ ଦେହକୁ ଛୁଅଁ, ମୁଁ ତୁମକୁ କଚେରୀକୁ ଟାଣିଟାଣି ନେବି । ଜାଣ ମୁଁ ଅମୁକଙ୍କ ଭାଇ ।” ତା’ପରେ ଅନେକ ଘାଣ୍ଟଚକଟ ଅବଶ୍ୟ ଲାଗିଲା; କିନ୍ତୁ ଚନ୍ଦ୍ରମୋହନ ବାବୁଙ୍କୁ କଚେରୀକୁ ଯିବାକୁ ପଡ଼ିଲା ନାହିଁ । ପିଲାଟି ବିରୁଦ୍ଧରେ ଗୁରତର ପ୍ରମାଣମାନ ରହିଥିଲା ।

 

କ୍ରମେ ବିଦ୍ୟାଳୟଟା ସୁମାର୍ଗକୁ ଆସିଲା । ପିଲାମାନେ ହାତେ ମାପି ଚାଖଣ୍ଡେ ଚାଲିବାକୁ ଆରମ୍ଭ କଲେ । ଛାତ୍ରାବାସର ତାସ୍‍ ଖେଳ ଓ ଛାତ୍ରମାନଙ୍କର ରାତ୍ରିରେ ଯାଇ ସମୁଦ୍ର କୂଳରେ ବୁଲିବା ବନ୍ଦ ହୋଇଗଲା ।

 

ମୋର ଦଶମ ଶ୍ରେଣୀବେଳେ ଶିକ୍ଷା ବିଭାଗ ଡିରେକ୍ଟର ଆସିଥିଲେ । ସେତେବେଳେ ସେହି ଜଣକ ଥିଲେ ପଶ୍ଚିମବଙ୍ଗ, ପୂର୍ବବଙ୍ଗ, ଓଡ଼ିଶା ଓ ବିହାର ଏପରି ବର୍ତ୍ତମାନ କାଳରେ ଚାରି ପ୍ରଦେଶର ଏକମାତ୍ର ଡିରେକ୍ଟର । ଡିରେକ୍ଟର ଆମ ଶ୍ରେଣୀରେ ପଶିଯାଇ ପଚାରିଲେ, “ଏ ଶ୍ରେଣୀର ପ୍ରଥମ ଛାତ୍ର କିଏ ?” ପ୍ରଧାନ ଶିକ୍ଷକ ବ୍ୟକ୍ତିଗତ ଭାବରେ ମୋତେ ଚିହ୍ନିଥିଲେ । ମୋତେ ବହି ଧରି ପଢ଼ିବାକୁ କହିଲେ । ମୁଁ ଦୁଇଧାଡ଼ି ପୁରା ନ ପଢ଼ୁଣୁ ଡିରେକ୍ଟର ଓ ଇନ୍‌ସପେକ୍ଟର ଦୁହେଁ ଠୋ ଠୋ ହସିଲେ । ପ୍ରଧାନ ଶିକ୍ଷକଙ୍କ ମୁହଁ କଳା ପଡ଼ିଗଲା ।

 

ତା’ପରଦିନ ଆମ ଶ୍ରେଣୀର ପଠନ ନିର୍ଘଣ୍ଟ ବଦଳିଗଲା, ଚନ୍ଦ୍ରମୋହନ ବାବୁ ଦ୍ୱିତୀୟ ଘଣ୍ଟାରେ ଆସି ଇଂରେଜି ପଢ଼ାଇଲେ । ସେ ଶ୍ରେଣୀକୁ ଆସିବା ମାତ୍ରେ ମୋତେ ପଢ଼ିବାକୁ କହନ୍ତି ଏବଂ ମୋ ପ୍ରଥମ ଭୁଲରେ ବେଞ୍ଚ ଉପରେ ଠିଆ ହେବାକୁ ଆଦେଶ ଦିଅନ୍ତି । ତାହା ପ୍ରାୟ ଦୀର୍ଘ ଚାଲିମାସ ଚାଲିଲା । ମୁଁ ଦ୍ୱିତୀୟ ଘଣ୍ଟା ଆରମ୍ଭରୁ ବିଦ୍ୟାଳୟ ଛୁଟି ହେବା ପର୍ଯ୍ୟନ୍ତ ବେଞ୍ଚ ଉପରେ ଠିଆ ହୋଇ ରହେ । କେବଳ ଅନ୍ୟାନ୍ୟ ବିଷୟରେ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ଅଧେ ଦୟାର୍ଦ୍ର ହୋଇ ତାଙ୍କ ଘଣ୍ଟାରେ ମୋତେ ପ୍ରସା କରିବାକୁ ଆପେ ବାହାରକୁ ପଠାଇ ଦିଅନ୍ତି । ସେହି ଚାରିମାସ ଯାକ ମୁଁ କେବଳ ଇଂରାଜୀ ଶବ୍ଦକୋଷ ଧରି କର୍ଷଣରେ ଲାଗିଲି । ଦିନେ ଚନ୍ଦ୍ରମୋହନ ବାବୁ ଶ୍ରେଣୀକୁ ଆସି ଅଭ୍ୟସ୍ତ ରୀତିରେ ମୋତେ ପଢ଼ିବାକୁ କହିଲେ । ସେଦିନର ପଢ଼ା ଥିଲା ଗୋଟିଏ ପଦ୍ୟ । ମୁଁ ତୃତୀୟ ଧାଡ଼ି ପର୍ଯ୍ୟନ୍ତ ପଢ଼ିଛି, ବେଞ୍ଚ ଉପରେ ଠିଆ ହେବା ଆଦେଶ ମିଳିଲା । ମାତ୍ର ମୁଁ ପ୍ରତିବାଦ କରି କହିଲି, “ମୋର ଭୁଲ ହୋଇନାହିଁ ।” ତହୁଁ ସେ ନିଜେ ପଢ଼ି ଠିକ୍ ଉଚ୍ଚାରଣ କ’ଣ ହେବ, ଶୁଣାଇବାକୁ ଗଲେ । ତାଙ୍କର ତୃତୀୟ ଧାଡ଼ି ଶେଷ ହେବାରେ ମୁଁ କହିଲି, “ନାହିଁ ଆଜ୍ଞା, ଆପଣ ଭୁଲ ପଢ଼ିଲେ ।” ସେ ଚମକି ପଡ଼ିଲେ ଓ ସଙ୍ଗେ ସଙ୍ଗେ କହିଲେ, “ଶବ୍ଦକୋଷ ଅନୁସାରେ ତୁମ ଉଚ୍ଚାରଣ ଠିକ୍ ହୋଇପାରେ, ମାତ୍ର ପଦ୍ୟର ଛାନ୍ଦ ମୋ ଉଚ୍ଚାରଣ ଲୋଡ଼ୁଛି ।” ମୁଁ ପ୍ରତିବାଦ କଲି, “ନା, ଛାନ୍ଦ ମଧ୍ୟ ଶବ୍ଦକୋଷର ଉଚ୍ଚାରଣ ଲୋଡ଼ୁଛି ।” ସେ ସେଥିରେ କର୍ଣ୍ଣପାତ କଲେ ନାହିଁ, ମୁଁ ବେଞ୍ଚ ଉପରେ ଠିଆ ହେଲି । ପଢ଼ାଇ ସାରି ସେ ଫେରିଯାଇ ତୃତୀୟ ଘଣ୍ଟା ମଝିରେ ମୋତେ ବସିବାକୁ ଯେ ଆଦେଶ ପଠାଇଲେ, ତା’ପରେ ମୋତେ ଆଉ ଠିଆ ହେବାକୁ ପଡ଼ିଲା ନାହିଁ ।

 

ଉଚ୍ଚାରଣ ହେଉ ବା ଭାଷାଜ୍ଞାନ ହେଉ, ଇଂରେଜିରେ ବ୍ୟୁତ୍ପତ୍ତି ନିମନ୍ତେ ମୁଁ ଚନ୍ଦ୍ରମୋହନ ବାବୁଙ୍କ ନିକଟରେ ଋଣୀ, କିନ୍ତୁ ମୁଁ ତାର ଯଥାର୍ଥ ସଦ୍‍ବ୍ୟବହାର କରିପାରିନାହିଁ । ମୋର ବି.ଏ, ପରୀକ୍ଷା ଦେବା ବର୍ଷ ସେପରି ସଦ୍‍ବ୍ୟବହାର ସୁଯୋଗ ଦୁଇଥର ଆସିଥିଲା ।

 

ଶଶିଦା

ଏବେ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ନୂଆ ଆରମ୍ଭ ହେଉଛି ଗ୍ରୀଷ୍ମ ଛୁଟି ପରେ । ସେ ସମୟରେ ହେଉଥିଲା ବଡ଼ଦିନ ଛୁଟି ପରେ ଜାନୁଆରୀ ମାସରେ । ମୋ ଦଶମ ଶ୍ରେଣୀରେ ବସନ୍ତକାଳରେ ଦିନେ ଚନ୍ଦ୍ରମୋହନ ବାବୁ ଜଣେ ବୟସ୍କ ବ୍ୟକ୍ତିଙ୍କ ସହିତ ଆମ ଛାତ୍ରାବାସକୁ ଆସିଲେ ଏବଂ କେତେକ ପିଲାଙ୍କୁ ତାଙ୍କୁ ଚିହ୍ନାଇ ଦେଇ ଚାଲିଗଲେ । ଆଗନ୍ତୁକ କିଛି ସମୟ ଛାତ୍ରାବାସରେ କଟାଇଲେ । ସେ ଚନ୍ଦ୍ରମୋହନ ବାବୁଙ୍କ ଘରେ ରହୁଥିଲେ । ମୁଁ ପରେ ଜାଣିପାରିଲି ଯେ, ଚନ୍ଦ୍ରମୋହନ ବାବୁ ତାଙ୍କୁ ପୂର୍ବରୁ ଚିହ୍ନିଥିଲେ ଓ ତାଙ୍କୁ ପୁରୀରୁ ଡକାଇ ଆଣିଥିଲେ । ସେତେବେଳକୁ ଏକାଦଶ ଶ୍ରେଣୀର ବଙ୍ଗାଳୀ ଛାତ୍ରକୁ ବେତ୍ରାଘାତ କରିବା ଘଟଣା ଘଟିଯାଇଥିଲା । ତାଙ୍କର ସେ ସମୟରେ ପୁରୀକୁ ଆସିବା କାରଣ ମୁଁ ତାଙ୍କୁ କେବେ ଭରସି ପଚାରି ନାହିଁ । ସେ ମଧ୍ୟ ମୋତେ ତାଙ୍କ ନିଜ ଆଡ଼ୁ କହିନାହାନ୍ତି । ମୋର ମନେହୁଏ, ସେହି ଘଟଣା ସମ୍ପର୍କରେ ଉପୁଜିଥିବା ପରିସ୍ଥିତି ସୁଧାରିବାରେ ସାହାଯ୍ୟ ପାଇବା ସକାଶେ ଚନ୍ଦ୍ରମୋହନ ବାବୁ ତାଙ୍କୁ ଅଣାଇଥିବେ ।

 

ପୁରୀରୁ ରାଜଧାନୀକୁ (୧୯୦୬)

 

ମୋର ବୃତ୍ତି ପାଇବା ସମ୍ବାଦ ଚନ୍ଦ୍ରମୋହନ ବାବୁଙ୍କ ଚିଠିରୁ ଜାଣିଲି । ସେତେବେଳକୁ ସେ କଟକ ନର୍ମାଲ ସ୍କୁଲକୁ ଦ୍ୱିତୀୟ ଶିକ୍ଷକ ପଦରେ ବଦଳି ହୋଇ ଆସିଥିଲେ । ସେ ଚିଠିରେ ଗୋଟିଏ ପ୍ରସ୍ତାବ ମଧ୍ୟ ଜଣାଇଥିଲେ । ପ୍ରସ୍ତାବଟି ହେଉଛି, ମୁଁ ତାଙ୍କ ବସାରେ ଆସି ରହି କଲେଜରେ ପଢ଼ିବି ଓ ମୋ ଖାଇବା ପିଇବା ଖର୍ଚ୍ଚ ବାବଦକୁ ତାଙ୍କ ବଡ଼ପୁଅ ରଜନୀକୁ ପଢ଼ାଇବି । X X X ଚିଠି ଖଣ୍ଡି ମୋତେ ଗାଢ଼ ଅମାବସ୍ୟା ଅନ୍ଧାରରେ ଅଲୋକ ରେଖା ଦେଖାଇ ଦେଲା ।

 

ମୁଁ ଯଥା ସମୟରେ କଟକୁ ଆସି କଲେଜରେ ନାମ ଲେଖାଇଲି ଓ ଚନ୍ଦ୍ରମୋହନ ବାବୁଙ୍କ ବସାରେ ରହିଲି । କିନ୍ତୁ ଜୀବନଟା ମୋତେ ଅତିଶୀଘ୍ର ଦୁର୍ବହ ବୋଧହେଲା । ପୁରୀରେ ମୋର ପ୍ରାୟ ସାଢ଼େ ଚାରିବର୍ଷ ରହିବା ମଧ୍ୟରେ ରୋଷେୟା ନ ଥିବା କାରଣରୁ ରୋଷେଇ ପାଳି ମୋ ଉପରେ, ମୋଟରେ ତିରିଶ ଦିନ ପଡ଼ିଥିବ । କିନ୍ତୁ କଟକରେ ମାସକେ ପ୍ରାୟ ପନ୍ଦର ଦିନ ପଡ଼ିବାକୁ ଲାଗିଲା । ଚନ୍ଦ୍ରମୋହନ ବାବୁ ଯେତିକି ଉପକାରୀ ମିତ୍ର, ସେତିକି କଡ଼ା ମୁନିବ । ସୁତରାଂ ପୂଜାରୀ ତାଙ୍କ ବସାରେ ଥୟଧରି ରହୁ ନ ଥିଲେ । ମୁଁ ତାଙ୍କ ପରିବାରରେ ଏକମାତ୍ର ବ୍ରାହ୍ମଣ ଥିବାରୁ, ହାଣ୍ଡି ଧରିବା ଅଧିକାର ଥିଲା ଏକା ମୋରି । ମୁଁ ରନ୍ଧନ ପରିପାଟି ଅବଶ୍ୟ ହାସଲ କରିନେଲି; କିନ୍ତୁ ଦୁଇଟା ଆନୁଷଙ୍ଗିକ ଅସୁବିଧା ବରାବର ବୋଧ କରିବାକୁ ଲାଗିଲି । ପ୍ରଥମ, ବେସର ବାଟିବା ଯୋଗୁ ମୋ ହାତ ହଳଦିଆ ହୋଇଯାଏ । ତାହା ଦେଖି ସହପାଠୀ ମୋତେ ଥଟ୍ଟା କରନ୍ତି । ମୁଁ ଯେ ରୋଷେଇ କରି ପଡ଼ୁଛି, ସେ କଥା କହିବାକୁ ମୋତେ ଲାଜମାଡ଼େ । ଦ୍ୱିତୀୟରେ ମୋତେ ବରାବର ପୂଜାରୀ ଓ ଚାକର କାର୍ଯ୍ୟ ତୁଲାଇବାର ଦେଖି ମୋ ଛାତ୍ର ରଜନୀ ଧରିନେଲା ଯେ ମୁଁ ତାଙ୍କ ଘରର ଭୃତ୍ୟ । ସେ ମୋଠାରୁ ବୟସରେ ବହୁତ ସାନ, ବୋଧହୁଏ ସପ୍ତମ ଶ୍ରେଣୀରେ ପଡ଼ୁଥିଲା । ତାହା ତୁଣ୍ଡରୁ ‘ଗୋଦାବରୀଶ’ ଡାକ ଶୁଣିଲେ, ମୋ ନାଡ଼ି ଛାଡ଼ିଯାଉଥିଲା । ପଢ଼ାପଢ଼ିରେ ଯେ ବ୍ୟାଘାତ ଜନ୍ମୁଥିଲା, ତାହା ତୃତୀୟ ଅସୁବିଧା । ତାକୁ ମୁଁ ବିଶେଷ ମଣୁ ନ ଥିଲି ।

 

ପଢ଼ାପଢ଼ିରେ ଯେତେ ବ୍ୟାଘାତ ହେଲେ ସୁଦ୍ଧା, ଚନ୍ଦ୍ରମୋହନ ବାବୁଙ୍କ ବସା ଛଡ଼ା ଅନ୍ୟତ୍ର ଚାଲିଯିବାକୁ ମୁଁ ନିଷ୍ପତ୍ତି କରିପାରେନାହିଁ । ତାଙ୍କ ମୁହଁକୁ ଚାହିଁଲେ ମୋ ଦୁର୍ଭାବନା ସବୁ ସକାଳର ଶିଶିର ବିନ୍ଦୁ ପରି ଉଭାଇଯାଏ, କିନ୍ତୁ ଦିନେ ହଠାତ୍ ଗୋଟିଏ ଘଟଣା ଘଟିଗଲା । ମୋତେ ବିନା ମଶାରୀରେ ଶୋଇବାକୁ ପଡ଼େ । ଇଶାନ୍‍ ବାବୁ ଚନ୍ଦ୍ରମୋହନ ବାବୁଙ୍କର ଜଣେ ସଙ୍ଗୀ । ସେ ଦିନେ ସନ୍ଧ୍ୟାରେ ତାଙ୍କ ବସାରେ ଆସି ପହଞ୍ଚିଲେ । ଖିଆପିଆ ପରେ ସମସ୍ତେ ଶୋଇବାକୁ ଗଲେ: କିନ୍ତୁ ରାତି ଅଧରେ ଇଶାନ୍ ବାବୁ ମୋତେ ଉଠାଇ ମଶାରି ଦେଲେ । ମୋର କଷ୍ଟ ଦେଖି ସେ ନିଜେ ନ ଶୋଇ, ବଜାରକୁ ସେହି ରାତିରେ ଯାଇ ତାହା କିଣି ଆଣିଥିଲେ । ଘଟଣାଟା ମୋତେ ଭାରି ଅଡ଼ୁଆ ଅଡ଼ୁଆ ଲାଗିଲା । ସେ ସମୟରେ କେତେଦିନ ପୂଜାରୀ ନ ଥିଲା । ମୋ ମନରେ କି ଭାବ ଜାଗି ଉଠିଲା କେଜାଣି, ଗୋଟାଏ ସାମାନ୍ୟ କଥାରେ ମୁଁ ନିଜ ଗୋଡ଼ ନିଜେ ଖସାଇ ରସାତଳକୁ ଚାଲିଗଲି । ଖାଇବାବେଳେ ମୁଁ ଘିଅ ପ୍ରତିଦିନ ପରଷେ, ଅଥଚ ଖାଏ ନାହିଁ । ଦିନେ କେହି ନ ଥିବାବେଳେ ଶିକାରୁ ଘିଅ ଘଡ଼ିଟି କାଢ଼ି ମେଞ୍ଚାଏ ଘିଅ ଆଙ୍ଗୁଠିରେ ଧରି ପାଟିରେ ପୁରାଇ ଦେଲି । ମୁଁ ସବୁ ଗିଳି ନାହିଁ, ତୋଟି ବନ୍ଦ ହୋଇ ଆସିଲା, ଚନ୍ଦ୍ରମୋହନ ବାବୁଙ୍କ ମୂର୍ତ୍ତି ଆଖି ଆଗରେ ଦିଶିଗଲା, କାନକୁ ଶୁଭିଗଲା- ‘ଗୋଦାବରୀଶ, ଏ କ’ଣ କଲ ?’

 

ମୁଁ ଚନ୍ଦ୍ରମୋହନ ବାବୁଙ୍କ ଆଗେ ଦୋଷ ପ୍ରକାଶ କରିପାରିଲି ନାହିଁ; ମାତ୍ର ଶଶିଦାଙ୍କ ପାଖକୁ ଚିଠିରେ ଜଣାଇ, ଅନ୍ୟତ୍ର ଯାଇ ରହିବାକୁ ପ୍ରସ୍ତାବ କଲି । ସେତେବେଳକୁ କଲେଜରେ ମୋର ଦ୍ୱିତୀୟ ବର୍ଷର ଆରମ୍ଭ । ଚନ୍ଦ୍ରମୋହନ ବାବୁ ସେତେବେଳେ ମୋତେ ବସାରେ ରଖିବା ନିମନ୍ତେ ମୋର ବିଶେଷ ସୁବିଧା କରିଦେଲେ । ପୁଅକୁ ପଢ଼ାଇବା ନିମନ୍ତେ ଆଉ ଜଣେ ଶିକ୍ଷକ ରଖିଲେ ଓ ପୂଜାରୀ ନ ପଳାଇ ଯେପରି ରହିବ ସେପରି ବ୍ୟବସ୍ଥା କଲେ । ମାତ୍ର ମୁଁ ଘିଅ ଖାଇବା ଘଟଣାଟା ନ କହି ରହିବି କିପରି ? ମୁଁ କେତେଥର ସାହସରେ ତାଙ୍କ ପାଖକୁ ଯାଏ, ଅଥଚ ନ କହି ଫେରିଆସେ । ମୁଁ ଯେତେଥର ଫେରେ ମୋତେ ସେତିକି ଅଥୟ ଲାଗେ । ଦିନେ ଗୋଟିଏ ସୁଯୋଗ ମିଳିଲା । ମୁଁ ବସା ଖର୍ଚ୍ଚ ହିସାବ ରଖୁଥିଲି । ଚନ୍ଦ୍ରମୋହନ ବାବୁ ବେତନ ପାଇବା ଦିନ ମାସକ ଖର୍ଚ୍ଚ ବାବଦକୁ ଷାଠିଏ ଟଙ୍କା ମୋ ହାତରେ ଧରେଇ ଦିଅନ୍ତି । ମୁଁ ତାଙ୍କୁ ସେହି ଟଙ୍କା ଯାଇ ମାଗିଲି । ସେ ଅବାକ୍ ହୋଇଗଲେ, କହିଲେ, “ଗୋଦାବରୀଶ, ତୁମକୁ ମୁଁ ଯାହା ମଣିଥିଲି, ତୁମେ ତାହା ନୁହେଁ ଦେଖୁଛି ।” ମୁଁ ବୁଝିଲି ଯେ ମୁଁ ପ୍ରକୃତରେ ତାହା ନୁହେଁ । ଚୋର ମନ ଗଣ୍ଠିରେ । ମୋ ମନଟା ହଠାତ୍ ସେହି ଘିଅଖିଆ ଘଟଣାକୁ ଚାଲିଗଲା । ମୁଁ ଭୋ-ଭୋ କାନ୍ଦି ପକାଇଲି । ତାଙ୍କ ମନକୁ ଗଲା ଯେ, ସେ ଟଙ୍କା ମୋତେ ଦେଇନାହାନ୍ତି । ସେ ନିଜ କୁରୁତା ମୁଣିରୁ ଟଙ୍କା ଖୋଜି ବାହାର କରି ଆଣିଲେ । ମୁଁ ମୋ ପେଟରେ ଘାଣ୍ଟି ହେଉଥିବା କଥାଟା କହି ପକାଇଲି । ଶୁଣି ସାରି ସେ ଆଶ୍ୱସନା ଦେଲେ, “ଦୋଷକୁ ଦୋଷ କଟିଗଲ।। ଆଉ ମନ ବ୍ୟସ୍ତ କରନାହିଁ । ରହି ପଢ଼ାପଢ଼ିରେ ଲାଗ ।”

 

କ’ଣ କେତେବେଳେ ଘଟେ

 

କଟକରେ ଚନ୍ଦ୍ରମୋହନ ବାବୁଙ୍କ ବସାରେ ମୋର କୃତ୍ୟ ବେଶ୍ ଚଳିଯାଏ । ମୁଁ ଦଶଟଙ୍କା ବୃତ୍ତିରୁ କଲେଜ ବେତନ ଚାରିଟଙ୍କା ଦେଇ ଟଙ୍କାଟିଏ ନିଜ ହାତଖର୍ଚ୍ଚ ପାଇଁ ରଖି ବାକି ପାଞ୍ଚ ଟଙ୍କା ମନିଅର୍ଡ଼ର କରି ଗ୍ରାମକୁ ପଠାଏ ।

 

(କଟକ) ଦିନେ ମୁଁ ଛାତ୍ରାବାସରେ ପିଲାଙ୍କ ମେଳାରେ ବସି ଚନ୍ଦ୍ରମୋହନ ବାବୁଙ୍କ କଥାବାର୍ତ୍ତା, ଭଙ୍ଗି ଓ ମୁଦ୍ରା ଅଭିନୟ କରୁଛି । ଦ୍ୱାର ପାଖରେ ସ୍ୱୟଂ ଚନ୍ଦ୍ରମୋହନ ବାବୁ ଆସି ଠିଆ ହୋଇଗଲେ । ମୋ ଛାତିରେ ଗୋଟିଏ ପଥର ପଡ଼ିଗଲା । ଅନ୍ୟାନ୍ୟ ଛାତ୍ର ଯେ ଯାହା ବାଟରେ ଖସି ପଳାଇଲେ । ଚନ୍ଦ୍ରମୋହନ ବାବୁ ସର୍ବଦା ସାଧୁ ଭାଷାରେ କଥା କହନ୍ତି । କହିଲେ, “ଅପ୍ରତିଭ ହୁଅନାହିଁ । ବେଶ୍ ଅନୁକରଣ କରି ତ ପାରୁଛ । ଏଠାରେ ଆସି ରହିଲ ? ଚାଲ, ପୂର୍ବସ୍ଥାନକୁ ଯିବ ।” ତାଙ୍କ ଚାକର ମୋ ଜିନିଷପତ୍ର ଧରିଲା, ମୁଁ ଦ୍ୱିରୁକ୍ତି ନ କରି ତାଙ୍କ ପଛେ ପଛେ ଗଲି ।

 

(ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ - ୫ମ ସଂସ୍କରଣ-୧୯୭୩ ମସିହା)

-୦-

 

ମୋର ସ୍କୁଲ ଶିକ୍ଷକ

ଲକ୍ଷ୍ମୀନାରାୟଣ ସାହୁ

 

ମୋର ସ୍କୁଲ ଶିକ୍ଷକ (ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିଲାବେଳେ)

 

ଉପେନ୍ଦ୍ର ନାଥ ଦତ୍ତଗୁପ୍ତଙ୍କ ନିକଟରେ ମୁଁ ପଢ଼ିଛି । ସେ ଚାରିଆଖିଆ ଅର୍ଥାତ୍ ଇଂରାଜୀ, ଅଙ୍କ, ସାହିତ୍ୟ ସବୁଥିରେ ଧୂରନ୍ଦର । ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣା ଏହିପରି ଚଉଆଖିଆ ଥିଲେ ଏବଂ ତାଙ୍କର ଜ୍ଞାନ ବଡ଼ ଗଭୀର ଥିଲା ।

 

ମୁଁ କ’ଣ ଏକା ରାଗୀ ?

 

କ୍ରୋଧ ମନୁଷ୍ୟର ଭୟଙ୍କର ରିପୁ । ମୋର କ୍ରୋଧ ମତେ ଅଧେ ଖାଇ ଦେଇଛି । କିନ୍ତୁ କ୍ରୋଧୀ ହେବାକୁ କାହାକୁ ଭଲ ଲାଗେ ? ମୋତେ ଲାଗେନା, ତୁମକୁ ଲାଗେ ? ତଥାପି ରାଗିବାକୁ ହୁଏ, ରାଗିବାକୁ ପଡ଼େ । ବିଶ୍ୱାମିତ୍ରଙ୍କର କ୍ରୋଧ ଥିଲା, ଦୁର୍ବାସାଙ୍କର କ୍ରୋଧ ଥିଲା- ସେତ ପୌରାଣିକ । ମଧୁବାବୁଙ୍କ କ୍ରୋଧ ଦେଖି ଅଛି । ଚନ୍ଦ୍ରମୋହନ ମହାରଣାଙ୍କର କ୍ରୋଧ ସ୍ୱଚକ୍ଷୁରେ ଦେଖିଅଛି ।

 

ଥରେ ଚନ୍ଦ୍ରମୋହନ ବାବୁଙ୍କର କ୍ରୋଧ ଦେଖିଅଛି । ଥରେ କାହିଁକି, ଅନେକଥର । ଥରକର କଥା କହିବି ? ମୁଁ ସେତେବେଳେ କଟକରେ ଚନ୍ଦ୍ରମୋହନ ବାବୁଙ୍କ ପାଖରେ ଟ୍ରେନିଂ ସ୍କୁଲ ଘରେ ଥାଏ । Intermediate Science ପଡ଼ୁଥାଏ । ଚନ୍ଦ୍ରମୋହନ ବାବୁ ପ୍ରତି ରବିବାର ଦୁଇ ତିନଜଣଙ୍କୁ ନିମନ୍ତ୍ରଣ କରି ଖୁଆନ୍ତି । ଏହା ତାଙ୍କର ଧର୍ମ ବିଧି ଥିଲା । ଗୋଟିଏ ରବିବାରରେ ମୃତ୍ୟୁଞ୍ଜୟ ବାବୁ ନିମନ୍ତ୍ରିତ । ସେ, ମୁଁ, ଚନ୍ଦ୍ରମୋହନ ବାବୁ, ଆଉ ଜଣେ ବୋଧହୁଏ ବାଲେଶ୍ୱରରର ବୈଦ୍ୟନାଥ ପଣ୍ଡା ଏକାଠି ଖାଇବା ପାଇଁ ବସିଛୁଁ । ପୂଝାରୀ ପ୍ରଥମେ ଭାତ ଆଣି ଚନ୍ଦ୍ରମୋହନ ବାବୁଙ୍କୁ ଦେବାକୁ ବସିଲା । ଏତିକିରେ ଭାଁ ଭାଁ କରି ବିରକ୍ତ ହୋଇ ଉଠିଲେ । ପୂଝାରୀଟି ନୂଆ ବୁଢ଼ା; ଚନ୍ଦ୍ରମୋହନ ବାବୁଙ୍କର ଢଙ୍ଗ ଢାଙ୍ଗ ଜାଣିନାହିଁ– ସୁତରାଂ ସେ ଭକୁଆ ହୋଇପଡ଼ିଲା । ଚନ୍ଦ୍ରମୋହନ ବାବୁ “ଐଃ ! ଉଲ୍ଲୁ କାହାଁକାର” କହି ଭାତ ମୃତ୍ୟୁଞ୍ଜୟ ବାବୁଙ୍କ ଆଗରେ ଦେବାପାଇଁ କହିଲେ । ପୂଝାରୀ ବିଚରା ଭୟରେ ଭାତ ବାଢ଼ିଦେଇ ଚାଲିଗଲା । ତରକାରି ଦେଲାବେଳକୁ ପୁଣି ଚନ୍ଦ୍ରମୋହନ ବାବୁଙ୍କ ପାଖରେ ଆଗେ ଦେଲା । ଚନ୍ଦ୍ରମୋହନ ବାବୁ ତ ନିଆଁ । ପୂଝାରୀ ବିଚରା ବରବର ହୋଇ ଚାଲିଗଲାବେଳକୁ କହିଲା, ବାବୁ ଏପରି ହେଲେ ମୁଁ ଚଳିପାରିବି ନାହିଁ । ଚନ୍ଦ୍ରମୋହନ ବାବୁ ଏହା ଶୁଣିଲା କ୍ଷଣି କହି ଉଠିଲେ, ଐଃ, ମୁହଁ ସିଲାଇ କର । ଭାଗ୍ୟକୁ ଆଉ ଗୋଟିଏ ପୂଝାରୀ ମଧ୍ୟ ଥିଲା । ସେ ପୂଝାରୀଟି ଆସି ଦିଆନିଆ କଲା । ନୋହିଲେ କି କାଣ୍ଡଟିଏ ଘଟିଥାନ୍ତା । ଏପରି ହୁଏ ନାହିଁ କି ?

 

(ମୋର ବାରବୁଲା ଜୀବନ- ପ୍ରଥମ ସଂସ୍କରଣ-ପୃ୩୮, ୧୩୬)

-୦-

 

ସେ ମଧୁର ସ୍ମୃତି

ଯଜ୍ଞଭୂଷଣ ପଣ୍ଡିତ ଶ୍ରୀ ଜଗନ୍ନାଥ ରଥ

କାବ୍ୟତୀର୍ଥ, ବିଦ୍ୟାଭୂଷଣ (ପୂର୍ବତନ ଛାତ୍ର)

 

“ଅଜ୍ଞାନ-ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ-ଶଳାକୟା

ଚକ୍ଷୁ ରୁନ୍ମୀଳିତଂ ଯେନ ତସ୍ମୈ ଶ୍ରୀ ଗୁରୁବେ ନମଃ ।”

“ଶତାୟୁର୍ବୈ ପୁରୁଷଃ” ଏହା ବେଦ ବାଣୀ ।

 

ଏହା କେବଳ ବ୍ୟକ୍ତି ପକ୍ଷରେ ପ୍ରଯୁଜ୍ୟ ନୁହେଁ । ଅନୁଷ୍ଠାନ ପକ୍ଷରେ ମଧ୍ୟ, ବ୍ୟକ୍ତି ହେଉ ବା ଅନୁଷ୍ଠାନ ହେଉ ଯିଏ ସ୍ୱାର୍ଥ ପ୍ରତି ଦୃକ୍‌ପାତ ନ କରି, ନିଷ୍ଠାପର ଭାବରେ ବ୍ୟକ୍ତିର କିମ୍ବା ସମାଜର ଅଥବା ଦେଶର ଶ୍ରେୟଃ ସାଧନରେ ସର୍ବଦା ତତ୍ପର, ସେହି କେବଳ ଶତାୟୁ ବା ଚିରାୟୁ ହୋଇଥାଏ । ଆଜି କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲର ଶତ ବାର୍ଷିକୋତ୍ସବ । ଏହା ଯେ ଆନୁଷ୍ଠାନିକ, କ୍ରମବର୍ଦ୍ଧନଶୀଳ ନିଷ୍ଠାର ଫଳ, ଏହା କହିବା ବାହୁଲ୍ୟମାତ୍ର । ଏହା ଯେଉଁ ମହାପୁରୁଷଙ୍କ କଳ୍ପନାପ୍ରସୂତ, ସେ ଯେ ତ୍ରିକାଳଜ୍ଞ, ଏଥିରେ ସନ୍ଦେହ ନାହିଁ । ପୁଣି ଏହା ଯେଉଁ ଶୁଭ ମୁହୂର୍ତ୍ତରେ ଏବଂ ଯେଉଁ ପୁଣ୍ୟକ୍ଷେତ୍ରରେ ପ୍ରତିଷ୍ଠିତ ସେ ମୁହୂର୍ତ୍ତ ଦୁର୍ଲ୍ଲଭ ଏବଂ ସେ କ୍ଷେତ୍ର ଏକ ପ୍ରକାର ‘ତୀର୍ଥସ୍ଥାନ’ ।

 

ଏହି ବିଦ୍ୟାପୀଠ ପ୍ରଥମରୁ ବହୁ ବର୍ଷ ପର୍ଯ୍ୟନ୍ତ ନର୍ମାଲ ସ୍କୁଲ ନାମରେ ପରିଚିତ ଥିଲା । ବର୍ତ୍ତମାନ ତାହା ‘ସେକେଣ୍ଡାରୀ ଟ୍ରେନିଂ ସ୍କୁଲ’ ନାମରେ ଅଭିହିତ ହେଉଅଛି । ଏହା କେବଳ ଲୋକଶିକ୍ଷା ଏବଂ ଲୋକରକ୍ଷା ଉଦ୍ଦେଶ୍ୟରେ ପ୍ରତିଷ୍ଠିତ । ବାସ୍ତବିକ ଶିକ୍ଷାହିଁ ସମାଜ ବା ଦେଶର ଜୀବନ ନାଡ଼ିସ୍ୱରୂପ । ତାହାର ଅଭାବ ହେଲେ ଦେଶରେ ବା ସମାଜରେ ସୁଖ, ଶାନ୍ତି, ସୌଜନ୍ୟ ରହିବା ଅସମ୍ଭବ । ଅଧିକନ୍ତୁ ଦେଶ ଛାରଖାର ହୋଇଯିବା ସୁନିଶ୍ଚିତ । ପୂର୍ବେ ଶିକ୍ଷକ ଗଢ଼ିବା ନିମନ୍ତେ କଟକରେ ଏହାହିଁ ଏକମାତ୍ର ବିଦ୍ୟାପୀଠ ଥିଲା । ବର୍ତ୍ତମାନ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଏହିପରି କେତେଗୋଟି ବିଦ୍ୟାଳୟ ସ୍ଥାପିତ ହୋଇସାରିଛି, ଲୋକମାନଙ୍କର ଶିକ୍ଷାପ୍ରତି ଆଗ୍ରହର ବୃଦ୍ଧି ଯୋଗୁଁ ।

 

ସେ ଯାହାହେଉ, କଟକର ଟ୍ରେନିଂ ସ୍କୁଲ ଯେ ଏ ସମସ୍ତଙ୍କ ଆଦର୍ଶ ଏହା କହିବା ବାହୁଲ୍ୟ ମାତ୍ର । ସମସ୍ତେ ଜାଣିଛନ୍ତି ସ୍ୱର୍ଗତ ଭକ୍ତକବି ଶ୍ରୀ ମଧୁସୂଦନ ରାଓ ଏବଂ ସ୍ୱର୍ଗତ ସାହିତ୍ୟରଥୀ ଶ୍ରୀ ଚନ୍ଦ୍ରମୋହନ ମହାରଣା ଏହି ମହାପୁରୁଷ ଦ୍ୱୟ ବହୁ ଦିବସ ଯାବତ୍ ଉକ୍ତ ବିଦ୍ୟାପୀଠରେ ତୀର୍ଥଗୁରୁ ଥିଲେ । ବର୍ତ୍ତମାନ ସେପରି କ୍ଷଣଜନ୍ମା ପୁରୁଷଙ୍କର ଶିକ୍ଷାକ୍ଷେତ୍ରରେ ଏକାନ୍ତାଭାବ କହିଲେ ଚଳେ ।

 

ଏ ଦୀନ ଲେଖକ ଭଗବତ୍ କୃପାରୁ ହେଉ ବା ପୂର୍ବଜନ୍ମର ସୁକୃତ ଫଳରୁ ହେଉ ପିତୃକଳ୍ପ ସରସ୍ୱତୀ ପୁତ୍ର ଶ୍ରୀ ଚନ୍ଦ୍ରମୋହନ ମହାରଣାଙ୍କ ପଦପ୍ରାନ୍ତରେ ଗତ ୧୯୦୮ ମସିହାରୁ ୧୯୧୦ ମସିହା ପର୍ଯ୍ୟନ୍ତ ଛାତ୍ରତ୍ୱ ଲାଭ କରି ଜୀବନରେ କୃତାର୍ଥ ହୋଇପାରିଅଛି । ଆଜୀବନ ପୂଜ୍ୟ ସେହି ଗୁରୁପାଦଙ୍କଠାରୁ ମୁଁ ଯେଉଁ ଋଣ ଗ୍ରହଣ କରିଅଛି ତାହା ଯେ ଜନ୍ମ ଜନ୍ମାନ୍ତର ଅପରିଶୋଧ ଏଥିରେ ସନ୍ଦେହ ନାହିଁ । ‘ଛାତ୍ରବର୍ଗଙ୍କୁ ମନୁଷ୍ୟରୂପେ ଗଢ଼ିବାରେ ତାହାଙ୍କର ଚାଲିଚଳଣି, ଦୃଷ୍ଟିଭଙ୍ଗୀ, ରକ୍ଷଣାବେକ୍ଷଣ, ତତ୍ପରତା, ଉପଦେଶାବଳୀ ଏବଂ ବିଦ୍ୟାଦାନ ଶୈଳୀ ବର୍ଣ୍ଣନା କରିବା ମୋ ପକ୍ଷରେ ଏକାନ୍ତ ଅସମ୍ଭବ । ସ୍ଥୂଳତଃ ମୁଁ ଏତିକି କହିପାରେ ଯେ ଶୈଶବାଧି ମୁଁ ଯେତେ ଗୁରୁଙ୍କର ଆଶ୍ରୟ ନେଇଅଛି ଏବଂ ଯେତେ ସହକର୍ମୀ ଶିକ୍ଷକଙ୍କ ସହିତ ଶିକ୍ଷକତା କରି ଆସିଅଛି କାହାରିଠାରେ ସେ ମହନୀୟତା ଉପଲବ୍ଧି କରିବାକୁ ପାଇନାହିଁ । ମୋର ବିଶ୍ୱାସ ହୁଏ ମର୍ତ୍ତ୍ୟରେ ଶିକ୍ଷାର ବିସ୍ତାର ପାଇଁ ଏବଂ ଆଦର୍ଶ ଶିକ୍ଷକତା ପ୍ରଦର୍ଶନ ନିମନ୍ତେ ସ୍ୱୟଂ ସରସ୍ୱତୀ ପୁତ୍ର “ଚନ୍ଦ୍ରମୋହନ” ରୂପରେ ମର୍ତ୍ତ୍ୟରେ ଅବତରଣ କରିଥିଲେ ।’

 

ସେ ପୂଜ୍ୟପାଦଙ୍କର ସମଗ୍ର ଜୀବନୀ ଲେଖିବା ଦୂରେଥାଉ ଜୀବନର ପ୍ରତ୍ୟେକ ଅଧ୍ୟାୟରେ ଖଣ୍ଡିଏ ଖଣ୍ଡିଏ ବିରାଟ ପୁସ୍ତକ ହୋଇପାରିବ । ତାହା ଏ ସ୍ଥଳରେ ଏବଂ ମୋ ପକ୍ଷରେ ଅସମ୍ଭବ । ସୁତରାଂ ସୂଚନା ମାତ୍ର ଦେବା ସମୀଚୀନ ହେବ ।

 

କହିଛି ଏବଂ କହୁଛି ସେ ଥିଲେ ଛାତ୍ରମାନଙ୍କର ପିତୃକଳ୍ପ । ତାଙ୍କର ଆନ୍ତରିକ କାମନା ଥିବାପରି ମନେହୁଏ “ପୁତ୍ରାଦିଚ୍ଛେତ୍ ପରାଜୟମ୍‌” । ଅର୍ଥାତ୍ ସେ ପ୍ରତ୍ୟେକ ଛାତ୍ରଙ୍କୁ ନିଜଠାରୁ ଅଧିକ ଯୋଗ୍ୟତମ କରି ଗଢ଼ିବାକୁ ସତତ ଚେଷ୍ଟିତ ଥିଲେ । ସେ ଥିଲେ ଶାସନ ଓ ଶିକ୍ଷାକ୍ଷେତ୍ରରେ ନାରିକେଳ ତୁଲ୍ୟ । ଅର୍ଥାତ୍ ଯେପରି ନାରିକେଳର ବହିରାବଣ ଅତି କଠୋର ଏବଂ ଅନ୍ତର ରସମୟ ଖାଦ୍ୟପୂର୍ଣ୍ଣ ସେହିପରି ତାହାଙ୍କର କଥା ଏବଂ ଦୃଷ୍ଟି କର୍କଶ ଥିଲା । ସୁତରାଂ ଛାତ୍ରମାନେ ଅନ୍ୟାୟ ଏବଂ ଅତ୍ୟାଚାରରୁ ଦୂରରେ ରହୁଥିଲେ । ତେଣୁ ଗୁରୁଦେବଙ୍କୁ କୌଣସି ଦଣ୍ଡ ଦେବାକୁ ପଡ଼ୁନଥଲା । ଯଦି ଦୈବାତ୍ କେହି ଦୋଷ କରୁଥିଲା ସେ ତାକୁ ଆର୍ଥିକ ବା ଶାରୀରିକ ଦଣ୍ଡ ନ ଦେଇ ଅନୁତାପ ସୂତ୍ରେ ତାହାର ପ୍ରାୟଶ୍ଚିତ ବିଧାନ କରାଉଥିଲେ । ସେ ବୋଡ଼ିଂର ସୁପରିନ୍‌ଟେଣ୍ଡେଣ୍ଟ ହେଲେହେଁ ଦିନକ ପାଇଁ ସୁଦ୍ଧା ସୁପରିଭିଜନ କରିବାକୁ ବୋଡ଼ିଂକୁ ଯାଇନାହାନ୍ତି, କିନ୍ତୁ ଚାରିଚକ୍ଷୁରେ ଛାତ୍ରମାନଙ୍କର ଦୋଷମାନ ବୁଝି କୌଶଳକ୍ରମେ ତହିଁର ସଂଶୋଧନ କରୁଥିଲେ । ଏପରିକି ଛାତ୍ରମାନଙ୍କର ପରୋକ୍ଷରେ ସେମାନଙ୍କର ଚାଲି ଏବଂ ବୋଲି ଆତ୍ମସ୍ଥ କରି, କେହି କେଉଁଆଡ଼େ ଗଲେ ବା କିଛି କହିଲେ ନିଜ ଘରେ ରହି ସେଥିରୁ କିଏ ଗଲା କିଏ କହିଲା ଜାଣିପାରି ସମୁଚିତ ବ୍ୟବସ୍ଥା କରୁଥିଲେ । ଯାହାସବୁ ଅନୁଭବ କରି ଛାତ୍ରମାନେ ବିଶ୍ୱାସ କରୁଥିଲେ ସେ ମନୁଷ୍ୟ ନୁହନ୍ତି, ସାକ୍ଷାତ୍ ଦେବତା, ସୁତରାଂ ସମସ୍ତେ ସର୍ବଦା ସାବଧାନ ରହୁଥିଲେ ।

 

କହିଛି, ନାରିକେଳ ତୁଲ୍ୟ ତାଙ୍କର ଅନ୍ତର ରସମୟ । କ୍ଲାସରେ ଶିକ୍ଷାଦାନ ବେଳାରେ ଏହା ଅତି ସୁସ୍ପଷ୍ଟ । ପ୍ରଥମରୁ କ୍ଳାସର ସଜ୍ଜା ଅତି ଅନୁକରଣୀୟ । ମେଧାନୁସାରେ ଛାତ୍ରମାନେ ସଜ୍ଜିତ ହୋଇ ବସିଥାଆନ୍ତି । ପ୍ରତ୍ୟେକ ପ୍ରଶ୍ନର ଉତ୍ତର, ଅଳ୍ପ ମେଧାବୀ ଛାତ୍ରଙ୍କଠାରୁ ଆଦାୟ କରିବାକୁ ଚେଷ୍ଟା କରାଯାଇଥାଏ । ଯାହାଠାରୁ ସମୀଚୀନ ଉତ୍ତର ନ ମିଳେ ସେ ସେହିପରି ଠିଆହୋଇ ରହିଥାଏ, କିନ୍ତୁ ମେଧାବୀ ଛାତ୍ର ଉତ୍ତର ଦେଇନପାରି ମଧ୍ୟ ବସିବାର ଆପତ୍ତି ନ ଥାଏ । ଏହା ଦେଖିଲେ ଦଣ୍ଡରେ ପାତ୍ରାନ୍ତର ଅଛି ବୋଲି ମନେହୁଏ, କିନ୍ତୁ ତାହା ନୁହେଁ, କାରଣ ସାମାନ୍ୟ ଦଣ୍ଡରେ ଅତି ମେଧାବୀ ଛାତ୍ରର ଯେଉଁ ଯାତନା ହୁଏ, ଅଳ୍ପ ମେଧାବୀର କଠୋର ବେତ୍ରାଘାତରେ ମଧ୍ୟ ତାହା ହୁଏ ନାହିଁ । ପଦେ କଥାରେ ମେଧାବୀ ଛାତ୍ରର ଯେଉଁ ଚେତନା ହୁଏ ପାଞ୍ଚବେତ ପ୍ରହାରରେ ସୁଦ୍ଧା ନଷ୍ଟ ଛାତ୍ରର ତାହା ହୋଇନଥାଏ ।

 

ଶିକ୍ଷାଦାନ ଅତି ଅସାଧାରଣ । କୌଣସି ପ୍ରକାରରେ ପାଠ୍ୟପୁସ୍ତକ ଶେଷକରି ଦେଇ ଲଫାଫା ଦୋରସ୍ତ କରିବା ନୀତି ତାହାଙ୍କର ସ୍ୱଭାବ ବିରୁଦ୍ଧ । ପଦ୍ୟ ହେଉ ବା ଗଦ୍ୟ ହେଉ ପଢ଼ା ହେବାବେଳେ ତହିଁରେ କୌଣସି ବାକ୍ୟ ବା ପଦର ସମ୍ୟକ୍ ଚର୍ଚ୍ଚା କରାଯାଇଥାଏ । ସେଥିରେ ଥିବା ବ୍ୟାକରଣଗତ ରହସ୍ୟ, ଭାଷାଗତ ଦୋଷ ଦୈର୍ବଲ୍ୟ, ବିଭିନ୍ନ ଭାଷାରେ ତହିଁରସ୍ୱରୂପ ଏବଂ ପ୍ରୟୋଗରେ ଚର୍ଚ୍ଚା ହୋଇଥାଏ । ଅଧିକନ୍ତୁ ସେହି ଚର୍ଚ୍ଚା ପ୍ରତ୍ୟେକ ଛାତ୍ରଙ୍କଦ୍ୱାରା କ୍ରମାନ୍ୱୟେ କରାଇବାରେ ତାହା ଭୁଲି ହୁଏ ନାହିଁ । ବିଶେଷ କଥା ଏହି ଯେ ଛାତ୍ରମାନଙ୍କର ଅନୁତ୍ସନ୍ଧିତ୍ସା ବଢ଼ାଇବା ନିମନ୍ତେ ପ୍ରତ୍ୟହ କୌଣସି ଶବ୍ଦର ମୌଳିକତା ବା କୌଣସି ବିଷୟରେ ତଥ୍ୟ ପୌରଣିକତା କିମ୍ବା ଐତିହାସିକତା ବୁଝିବା ନିମନ୍ତେ ଛାତ୍ରମାନଙ୍କ ଉପରେ ଭାର ଦିଆଯାଇଥାଏ । ଗୁରୁଦେବ ଆଉ ସବୁକଥା ଭୁଲିଯାଇ ପାରନ୍ତି, ଛାତ୍ରମାନଙ୍କୁ ଯାହା କହିବାର ଏବଂ କୁହାଇବାର ତାହା ଭୁଲନ୍ତି ନାହିଁ । ସୁତରାଂ ଅନୁସନ୍ଧାନ ନିମନ୍ତେ ଦିଆଯାଇଥିବା ବିଷୟ ତତ୍‌ପରଦିନ ଆଦାୟ କରିଥାଆନ୍ତି । ସୁତରାଂ ଛାତ୍ରମାନେ ନିଜର ଦାୟିତ୍ୱ ତୁଲାଇବା ନିମନ୍ତେ ଅଭିଧାନ, ପୁରାଣ, ଇତିହାସ ପ୍ରଭୃତିର ସାହାଯ୍ୟ ନେବାକୁ ବାଧ୍ୟ ହୋଇଥାନ୍ତି । ଏତଦ୍ଦ୍ୱାରା ସେମାନଙ୍କର ତଥ୍ୟ ନିରୂପଣ କରିବା ସଙ୍ଗେ ସଙ୍ଗେ ଆନୁଷଙ୍ଗିକ କେତେକ ବିଷୟ ଜାଣିବାକୁ ସୁବିଧା ହୋଇଥାଏ । ସେଥିରେ ଉଦ୍ଦେଶ୍ୟ ସାଧିତ ହୋଇ ନ ପାରିଲେ ତତ୍‌ପରଦିନ ଗୁରୁଦେବ ଅସାଧାରଣ ରୀତିରେ ସ୍ୱୟଂ ସମାଧାନ କରିଥାଆନ୍ତି । ନିମ୍ନଲିଖିତ ଗୋଟିଏ ଉଦାହରଣରୁ ତହିଁର ନୀତି ସୁସ୍ପଷ୍ଟ ହେବ ।

 

ଏକଦା କ୍ଳାସରେ ଆନୁଷଙ୍ଗିକ ଭାବରେ ପ୍ରଶ୍ନ ହେଲା ‘ପହ୍ନା’ କାହିଁରୁ ଅପଭ୍ରଷ୍ଟ ? ଏ ପ୍ରଶ୍ନବେଳେ ଅଭିନୟରୁ ଜଣାଯାଉଥିଲା ଗୁରୁଦେବ ଏହା ଜାଣିନାହାନ୍ତି । ଜାଣିବାକୁ ଚାହୁଁଛନ୍ତି । ଛାତ୍ରମାନେ ତତ୍‌ପରଦିନ ଏହାର ଉତ୍ତର ଦେବାକୁ ବାଧ୍ୟ । ସୁତରାଂ ପ୍ରତ୍ୟେକ ଅଭିଧାନର ଏବଂ ବହୁ ବିଜ୍ଞାନଲୋକଙ୍କର ଆଶ୍ରୟ ନେଇଛନ୍ତି, କିନ୍ତୁ ଫଳ ପାଇପାରି ନାହାନ୍ତି । ତତ୍‌ପରଦିନ କ୍ଳାସରେ ପ୍ରଶ୍ନ ହେଲା- କାଲି କ’ଣ ବୁଝିବାକୁ କୁହାଯାଇଥିଲା ? ଛାତ୍ରମାନେ ଉତ୍ତର ଦେଲେ -କିଛି ଠିକ କରିପାରିଲୁ ନାହିଁ । ଏହି ଉତ୍ତରରେ ଗୁରୁଦେବ ବ୍ୟସ୍ତ ହୋଇ କହିଲେ- କିଛି ଠିକ୍ ହୋଇପାରିଲା ନାହିଁ । ଏହା କହି ପଢ଼ାଇବାକୁ ଲାଗିଲେ । ପଢ଼ିବାର କିଛି ସମୟ ପରେ ଅବାନ୍ତର ଭାବରେ ପୁଣି ପ୍ରଶ୍ନ ହେଲା ‘ପ୍ରସ୍ନବ’ ଏହାର ବ୍ୟୁତ୍ପତ୍ତି କିପରି ?

 

ଏହି ପଦଟି ଅପ୍ରଚୁର । ସୁତରାଂ ଛାତ୍ରମାନଙ୍କର ଅସାଧ୍ୟ ହେଲା । ତେଣୁ ବୁଝିଶୁଝି ପରଦିନ କରିବାକୁ ବରାଦ ହେଲା ।

 

ଏ ଶବ୍ଦ ଅଭିଧାନରେ ସୁପ୍ରାପ୍ୟ । ତେଣୁ ଛାତ୍ରମାନେ ତହିଁରୁ ବ୍ୟୁତ୍ପତ୍ତି ଅଭିଧାନରୁ ପାଇ ‘ପହ୍ନା’ ଶବ୍ଦ ତହିଁରୁ ଅପଭ୍ରଷ୍ଟ ସ୍ଥିର କରି ଗୁରୁଦେବଙ୍କୁ ଜଣାଇବାକୁ ପ୍ରସ୍ତୁତ ହେଲେ । କ୍ଳାସରେ ‘ପହ୍ନା’ କଥା ପଚରା ନ ଯାଇ ପଚରା ହେଲା, କାଲି କ’ଣ ବୁଝିବାକୁ କହିଥିଲି ? ସଙ୍ଗେ ସଙ୍ଗେ ଉତ୍ତର ହେଲା ‘ପ୍ରସ୍ନବ’ ଶବ୍ଦର ବ୍ୟୁତ୍ପତ୍ତି ନିମନ୍ତେ । ଶିକ୍ଷକ ଏହାଶୁଣି ଅତି ଜିଜ୍ଞାସୁ ଭାବରେ କ’ଣ ବୁଝିଲ ବୋଲି କହିବାରୁ ଛାଚ୍ରମାନେ ବାଚ୍ୟ ସହିତ ତହିଁର ବ୍ୟୁତ୍ପତ୍ତି କହି ‘ପହ୍ନା’ ଶବ୍ଦ ଏଥିରୁହିଁ ଅପଭ୍ରଷ୍ଟବୋଲି ଜଣାଇଥିଲେ । ସେଥିରେ ଗୁରୁଦେବ ସତେ ଯେପରି ନିଜେ ନ ଜାଣିଥିବା ବିଷୟ ଜାଣିପାରିବାର ଅଭିନୟ କରି ଅପୂର୍ବ ଆନନ୍ଦ ପ୍ରକାଶ କରିବା ସଙ୍ଗେ ସଙ୍ଗେ ମୂଳ ଶବ୍ଦର ବ୍ୟୁତ୍ପତ୍ତି ଏବଂ ତହିଁରୁ ଅପଭ୍ରଷ୍ଟ ଶବ୍ଦର ବ୍ୟୁତ୍ପତ୍ତି ବାରମ୍ବାର ଆବୃତ୍ତି କରାଇ ଥିଲେ ।

 

ଏହିପରି ରୀତିରେ ପ୍ରତ୍ୟହ ପ୍ରତ୍ୟେକ ବିଷୟ ପଢ଼ା ହେବାରେ ଛାତ୍ରମାନଙ୍କୁ ଆଉ ଅଧିକ ପଢ଼ିବାକୁ ହୁଏନାହିଁ । ପଠିତ ବିଷୟ ଜୀବିତାବଧି ମନରେ ଦୃଢ଼ୀଭୂତ ହୋଇ ରହିଯାଏ । ପୂଜ୍ୟପାଦ ଗୁରୁଦେବ ପଢ଼ାଇବାବେଳେ ତାଙ୍କର କୌଣସି ବିଷୟରେ ସନ୍ଦେହ ହେଲେ କୌଣସି ପ୍ରକାରେ ଛାତ୍ରମାନଙ୍କୁ ବୁଝାଇ ଶୁଝାଇ କାର୍ଯ୍ୟ ହାସଲ କରିବା ତାଙ୍କର ସ୍ୱଭାବ ବିରୁଦ୍ଧ । ସୁତରାଂ ଯେ କୌଣସି ପ୍ରକାରେ ସେ ବିଷୟ ବୁଝି ବୁଝାଇ ଦେଇଥାଆନ୍ତି । ବିଦ୍ୟା ଭିତରେ ସାନବଡ଼, ତଳଉପର ବିଚାର ନ କରି ଯାହାଦ୍ୱାରା ସନ୍ଦେହର ଉନ୍ମୋଚନ ହୋଇ ପାରିବ ତହିଁର ବ୍ୟବସ୍ଥା କରିଥାନ୍ତି । ‘ଚିଲିକା’ କାବ୍ୟ ତାହାଙ୍କର ଅତି ଆଦରଣୀୟ । ତାହା ପଢ଼ାଇବାବେଳେ ସେ ସେଥିରେ ଅଭିଭୂତ ହୋଇଯାଆନ୍ତି ଏବଂ ବାହାର ଜ୍ଞାନ କିଛି ରହେନାହିଁ । ଦିନେ ଦିନେ ତାଙ୍କ ପିରିଅଡ଼ ପରେ ଅନ୍ୟର ପରିଅଡ଼ ଅତୀତ ହୋଇ ଯାଇଅଛି । ତାହା ସେ ଜାଣିପାରିନାହାନ୍ତି । ଦିନେ ସେହି ‘ଚିଲିକା’ କାବ୍ୟର ପଶ୍ଚିମାକାଶର ବର୍ଣ୍ଣନା ପଡ଼ୁ ପଡ଼ୁ ସେଥିରେ ବର୍ଣ୍ଣିତ-

 

ପୂର୍ଣ୍ଣପ୍ରାଚେତସୀ ବର୍ଣ୍ଣବଇଭବେ

ମିଶେ ଦିବା ଯହିଁ ଭୂତ ମହାର୍ଣ୍ଣବେ ।

 

ଶେଷପଂକ୍ତି-

 

ବର୍ଣ୍ଣିତ ‘ଭୂତ’ ଶବ୍ଦର ଅର୍ଥ ଦୈବାତ୍ ସେ ପଞ୍ଚ ମହାଭୂତ ବିଚାରି ବୁଝାଇବାରେ ବଡ଼ ସଙ୍କଟରେ ପଡ଼ିଗଲେ । ସ୍ମରଣଂ “ନୀ ଚାଦପ୍ୟୂତ୍ତମାଂ ବିଦ୍ୟାଂ” ନୀତିରେ ନିଜର ଅଧୀନ ପ୍ରାକ୍‌ଟିସିଂ ସ୍କୁଲର ହେଡ଼୍‍ପଣ୍ଡିତ ଶ୍ରୀ ଆର୍ତ୍ତତ୍ରାଣ ଶତପଥୀଙ୍କୁ ଡକାଇ କ୍ଳାସ ମଧ୍ୟରେ ‘ଭୂତ’ ଶବ୍ଦର ଅର୍ଥ ‘ଅତୀତ’ ବୋଲି କହିବାରେ ଆନନ୍ଦରେ ଗଦ୍‌ଗଦ୍ ହୋଇ କୃତାର୍ଥ ହୋଇଥିଲେ । କେବଳ ମୋର କାହିଁକି ପ୍ରାୟ ସବୁ ଛାତ୍ରଙ୍କର ଏହି ବିଦ୍ୟାନୁରାଗିତା ଯୋଗୁଁ ତାହାଙ୍କ ପ୍ରତି ଭକ୍ତିର ମାତ୍ରା ଅଧିକ ବଢ଼ି ଯାଇଥିଲା । ଏହିପରି ଯେତେ କୌତୁକଜନକ ଶିକ୍ଷାପ୍ରଦ ଘଟଣା ପ୍ରତିଦିନ ଘଟୁଥିଲା, ତାହା ଲେଖିଲେ ଖଣ୍ଡିଏ ବିରାଟ ଗ୍ରନ୍ଥ ଲେଖାଯାଇପାରିବ । ଦେଖାଯାଏ ଏପରି ଛାତ୍ରସର୍ବସ୍ୱ ଚନ୍ଦ୍ରମୋହନ ମହାରଣାଙ୍କ ଛାତ୍ରବୃନ୍ଦ, ଶିକ୍ଷକ ସମାଜରେ ସର୍ବତ୍ର ଆଦୃତ ଏବଂ ପ୍ରଶଂସିତ । ଦେଶର ସକଳ ବିଦ୍ୟାପୀଠରେ ଏହିପରି ଛାତ୍ରବତ୍ସଳ ଶିକ୍ଷକ ଯେ ଏକାନ୍ତ ଲୋଡ଼ା ଏହା କହିବା ବାହୁଲ୍ୟ ମାତ୍ର ।

 

ମୁଁ ଟ୍ରେନିଂ ସ୍କୁଲରୁ ଉତ୍ତୀର୍ଣ୍ଣ ହେବାପରେ ଅତି ସ୍ନେହ ଯୋଗୁଁ ସେଇ ପୂଜ୍ୟପାଦ ଗୁରୁଦେବଙ୍କ ଗୃହରେ ରହିବାର ସୌଭାଗ୍ୟ ଲାଭ କରିଥିଲି । ସେତେବେଳେ ଯାଚିତ ଏବଂ ଅଯାଚିତ ଭାବରେ ଶିକ୍ଷକତା ସମ୍ବନ୍ଧରେ ଅନେକ ନୀତିମୟ ଉପଦେଶ ପାଇପାରିଥିଲି । ସେ ସମସ୍ତର ବର୍ଣ୍ଣନା ଏଠାରେ ଦେବା ଅସମ୍ଭବ । ସ୍ଥୂଳତଃ କେତେଗୋଟି ବିଷୟର ଉଲ୍ଲେଖ କରି ବର୍ଣ୍ଣନା ଶେଷ କରିବି । ସେ କହିଥିଲେ-

 

୧) ଶିକ୍ଷକ କର୍ତ୍ତବ୍ୟ ପରାୟଣ ହୋଇ ପ୍ରତ୍ୟହ ଛାତ୍ରମାନଙ୍କର ଉନ୍ନତି ଚିନ୍ତା କରିବେ ।

 

୨) ସେମାନଙ୍କର ରୋଗବ୍ୟାଧି, ଅଭାବ ଅସୁବିଧା ବିଷୟରେ ଯଥେଷ୍ଟ ପ୍ରତିକାର କରିବେ ।

 

୩) ଛାତ୍ର କୌଣସି ଦୋଷ କଲେ ତାହାକୁ ଶାରୀରିକ ବା ଆର୍ଥିକ ଦଣ୍ଡ ନ ଦେଇ ମାନସିକ ପ୍ରାୟଶ୍ଚିତ ବଳରେ ସଂଶୋଧନ କରିବେ ।

 

୪) ଶିକ୍ଷକ ନିଜର ଅଲକ୍ଷିତ ଚେଷ୍ଟା ଫଳରେ ଛାତ୍ର ସମାଜରେ ଦେବତା ଭଳି ଭକ୍ତି ପାଇବା ଉଚିତ ।

 

୫) ପରୀକ୍ଷା ଖାତା ଦେଖିବାବେଳେ ଶିକ୍ଷକ ନାମ ବା ରୋଲ ନମ୍ବରରେ ଭୁଲି ନ ଯାଇ ଜଜ୍ ଯେପରି ଆସାମୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରନ୍ତି, ପରୀକ୍ଷାର୍ଥୀକୁ ଉଦ୍ଧାର କରିବା ପାଇଁ ପରୀକ୍ଷକ-ଶିକ୍ଷକ ସେହିପରି ଚେଷ୍ଟା କରିବେ । ଏହିପରି ନାନା ଉପଦେଶ ପାଇ ମୁଁ କର୍ମକ୍ଷେତ୍ରରେ ବହୁ ସୁଖ୍ୟାତି ଲାଭ କରିପାରିଅଛି ।

 

ଜାଣିଛି ଏବଂ ଶୁଣିଛି ଚନ୍ଦ୍ରମୋହନ ମହାରଣାଙ୍କ ଭଳି ମଧୁସୂଦନ ରାଓ ପ୍ରଭୃତି ବହୁ ଚିରପୂଜ୍ୟ ଶିକ୍ଷକ ଏହି ବିଦ୍ୟାପୀଠରେ ଅମର ବୀଜ ବପନ କରି ଯାଇଅଛନ୍ତି । ସେହି କାଳୋତ୍‌ଥିତ ଦିବ୍ୟବୃକ୍ଷର ଆଶ୍ରୟ ନେଇପାରିଲେ ଯେ ଲୋକ ସ୍ୱୟଂ କୃତାର୍ଥ ହୋଇ ଦେଶକୁ କୃତାର୍ଥ କରିପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ପରିଶେଷରେ ଜଗତ୍‌ପିତା ଜଗଦୀଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ଏହି ସେକେଣ୍ଡାରୀ ଟ୍ରେନିଂ ସ୍କୁଲ କେବଳ ଶତାୟୁ ନ ହୋଇ ଚିରାୟୁ ହେଉ ଏବଂ ଅନ୍ୟାନ୍ୟ ବିଦ୍ୟାପୀଠ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶକୁ କୃତାର୍ଥ କରନ୍ତୁ ।

 

(ବି.ଦ୍ର: ଉକ୍ତ ପ୍ରବନ୍ଧଟି କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ ‘ଶତବାର୍ଷିକୀ ସ୍ମରଣିକା’ (୧୯୭୦)ରୁ ନିଆଯାଇଛି ।)

-୦-

 

କୁହୁ କୁହୁ କୁହୁ

ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ସେହି ସମୟରୁ ଆମ ସ୍କୁଲ ଯେଉଁଠି ଥିଲା, ସେଠାରୁ ଉଠି ଆସିଲାଣି ସଦର ଥାନା ପାଖ ପ୍ରକାଣ୍ଡ ନୂଆ ଘରକୁ । ହେଡ଼୍‍ମାଷ୍ଟର ଦାଶରଥି ବାବୁଙ୍କ ପରେ ଆସିଲେଣି ଚନ୍ଦ୍ରମୋହନ ମହାରଣା । ଚନ୍ଦ୍ରମୋହନ ବାବୁଙ୍କ ସହିତ ଖୁବ୍ ନିକଟବର୍ତ୍ତୀ ହେବାର ସୌଭାଗ୍ୟ ମୋର ଘଟିନାହିଁ । ମାତ୍ର ସାହିତ୍ୟ କ୍ଷେତ୍ରରେ ଓ ଚିରତ୍ରବତ୍ତାରେ ଏହି କଠୋର ସମାଲୋଚକ ହେଡ଼୍‍ମାଷ୍ଟରଙ୍କ ବିଷୟରେ ଆଗରୁ ଆମେ ଶୁଣିଥାଉଁ ।

 

ତହୁଁ ଖୁବ ସନ୍ତର୍ପଣରେ ତାଙ୍କ ସଙ୍ଗେ ଚଳିବାକୁ ହୁଏ । କବିବର ରାଧାନାଥ ରାୟଙ୍କର ଏହି ସମାଲୋଚକ ମୋ ପକ୍ଷରେ ଭୟ ଓ ସଂଭ୍ରମର ଏକ ବିରାଟ ରହସ୍ୟ ହୋଇପଡ଼ିଥିଲେ । ତାଙ୍କୁ କେବେ ହସଖୁସିରେ କାହାରି ସହିତ କଥାବାର୍ତ୍ତା ହେବାର ଦେଖିବା ସୁଯୋଗ ମୋର ଘଟିନାହିଁ । ଛାତ୍ରମାନଙ୍କ ମଧ୍ୟରେ କୁହାକୁହି ହୁଅନ୍ତି ଯେ, ଚନ୍ଦ୍ରମୋହନ ବାବୁ ଯେମିତି କଡ଼ା, ସେମିତି ପାଠୁଆ ଲୋକ ।

 

ତାଙ୍କର ସାଧାରଣ କଥାବାର୍ତ୍ତାରେ ସୁଦ୍ଧା ସଂସ୍କୃତ ବ୍ୟାକରଣର ନିୟମଗୁଡ଼ିକ ସେ ପାଳନ କରିଥାନ୍ତି ବୋଲି ଶୁଣେ । ସେଥି ସଙ୍ଗେ ବାକ୍‌ସଞ୍ଜମ ତାଙ୍କର ଲକ୍ଷ୍ୟଣୀୟ-ଅଳ୍ପକଥା କହୁଥିବାରୁ ତାହା ଓଜନଦାର ।

 

‘ହରି’ ନାମଧ୍ୟେୟ ତାଙ୍କର ଗୋଟିଏ ପରିଚାରକ ଥିଲା । ତାହାକୁ ଡାକିଲାବେଳେ କୁଆଡ଼େ ସେ ‘ହରେ’ ବୋଲି ସୁଦୀର୍ଘ ଉଚ୍ଚାରଣ କରିଥାନ୍ତି । ଛାତ୍ରମାନଙ୍କ ମୁହଁରେ ଏହି କଥା ପରିହାସ ଛଳରେ ଆଲୋଚିତ ହୁଏ । ଇଂରାଜୀ ଭାଷାରେ ମଧ୍ୟ ସେ ଥିଲେ ଖୁବ୍ ଧୁରନ୍ଦର ।

 

ମୁଁ ପଢ଼ୁଥାଏ ବୋଧହୁଏ ମାଟ୍ରିକୁଲେସନ କ୍ଳାସ ଟେନରେ- ‘ଚିଲଡ୍ରେନସ୍ ଟ୍ରେଜେରୀ’ କିମ୍ବା ‘ଗୋଲଡେନ୍ ଟ୍ରେଜେରୀ’ ଇଂରାଜୀ କବିତା ସଂକଳନରୁ ଚନ୍ଦ୍ରମୋହନ ବାବୁ ଆମକୁ “The Cuckoo” ବା କୋଇଲି କବିତାଟି ପଢ଼ାଉଥାନ୍ତି ।

 

ପଢ଼ାଇବା ଆରମ୍ଭ କଲା ଆଗରୁ ସେ ପିଲାଙ୍କୁ ପଚାରିଲେ- “ତୁମେ ସବୁ କୋଇଲି ଦେଖିଛ ?” ଆମ କ୍ଳାସକୁ ଏଇ ତାଙ୍କର ପ୍ରଥମ ଆଗମନ । ହେଡ଼୍‍ମାଷ୍ଟରମାନେ କ୍ୱଚିତ୍ ଉପର କ୍ଳାସରେ ପଢ଼ାନ୍ତି । ଖୁବ୍ କଡ଼ା ହେଡ଼୍‍ମାଷ୍ଟର ବୋଲିତ ଶୁଣିଥାଉ, ତହୁଁ ଅତି ସନ୍ତର୍ପଣରେ ଚୁପ୍‌ଚାପ୍ ବସି ରହିଥାଉ, ହେଡ଼୍‍ମାଷ୍ଟର ସ୍କୁଲକୁ ଆସିବାମାତ୍ରେ ଚାରିଆଡ଼େ ତୁନ୍‌ତାନ । ଆଜି ତାଙ୍କର ଏଭଳି ପ୍ରଶ୍ନରେ କିଏ ‘ହଁ’ ପୁଣି କିଏ ‘ନାହିଁ’ କଲେ । ତହୁଁ ସେ ପ୍ରଶ୍ନ କଲେ, “ଆଚ୍ଛା କୋଇଲିର ଶବ୍ଦ ଶୁଣିଛ ?” ସେ ପ୍ରଶ୍ନର ଉତ୍ତରରେ ପ୍ରାୟ ସବୁ ପିଲା ଏକ ସ୍ୱରରେ କହି ଉଠିଲେ ‘ହଁ’ ।

 

ତା’ପରେ ହେଡ଼୍‍ମାଷ୍ଟରଙ୍କ ନିର୍ଦ୍ଦେଶ- “ଆଚ୍ଛା, କୋଇଲି କିପରି ଶବ୍ଦ କରେ, ତୁମ୍ଭେମାନେ କଲ ଦେଖି ।” ସବୁପିଲା ଏକ ସଙ୍ଗରେ କୁହୁ କୁହୁ ଆରମ୍ଭ କରିଦେଲେ । କ୍ଳାସ ତମାମ ‘କୁହୁ’ ନାଦରେ ଫାଟି ପଡ଼ିଲା । ବୋଧହୁଏ- ଆମ ଭୟ ଭାଙ୍ଗିବାକୁ ସେ ଏଇ ଉପାୟ କରିଥିଲେ ।

 

କବିତାର ପଢ଼ା ଆରମ୍ଭ ହୁଏ । କବିବର ରାଧାନାଥଙ୍କ ‘ମହାଯାତ୍ରା’ କାବ୍ୟର ସମାଲୋଚକ ଚନ୍ଦ୍ରମୋହନ ବାବୁ । ଯେଉଁ ସମାଲୋଚନା ଫଳରେ ସେ ‘କାବ୍ୟ’ଟି ଅସଂପୂର୍ଣ୍ଣ ରହିଗଲା ବୋଲି ଶୁଣାଯାଏ । ପିଲାଙ୍କ ସାମନାରେ ଭୟ ଓ ସମ୍ଭ୍ରମର ପ୍ରତିମୂର୍ତ୍ତି ସେଇ ଚନ୍ଦ୍ରମୋହନ ଯେ ଛାତ୍ରମାନଙ୍କୁ ଏମିତି ଖୁସିରେ ଖେଳାଇ ପଢ଼ାଇ ପାରନ୍ତି, ପରେ ସେ କଥା ଆଲୋଚିତ ହୁଏ ଆମ ଭିତରେ ।

 

ଅତି ଆଗ୍ରହରେ ମନୋନିବେଶ କଲୁଁ ତାଙ୍କ ଅଧ୍ୟାପନାରେ । ପ୍ରଥମ ପଦରୁ ଆରମ୍ଭ କରି ଯେଉଁ ରୀତିରେ ସେ ପଢ଼ାଇଲେ–ଯେଉଁ ସବୁ ଉଦାହରଣ ଦେଇ ପ୍ରତିଶବ୍ଦର ବ୍ୟାଖ୍ୟା ଓ ବ୍ୟବହାର ଇଂରାଜୀ ସାହିତ୍ୟରେ ଦର୍ଶାଇ ଯେତେ ପ୍ରମାଣ ଓ କୋଇଲିର ସ୍ଥାନ ଭାରତୀୟ କବିତାରେ ନିରୂପଣ କରିବାକୁ ଯାଇ ଯେଉଁ ବିସ୍ତୃତ ବିଶ୍ଳେଷଣ ସେ ଉତ୍‌ଥାପନ କଲେ- “ଦିନ ପରେ ଦିନ, ଗୋଟିକ ପରେ ଆଉ ଗୋଟିଏ ଇଂରାଜୀ କ୍ଳାସ ଚାଲିଲା କିନ୍ତୁ Cuckoo କବିତା ବୁଝାଇବା ଶେଷ ହେଲା ନାହିଁ ଚନ୍ଦ୍ରମୋହନ ବାବୁଙ୍କ ପକ୍ଷରେ । ଠିକ୍ ଯେମିତି କୋଇଲିର ‘କୁହୁ’ ଶେଷ ହୁଏ ନାହିଁ ଶୁଣିବା ଲୋକର ଜୀବନ ବ୍ୟାପୀ ।”

 

(ବି.ଦ୍ର: ‘ଅଙ୍ଗେ ଯାହା ନିଭାଇଛି’ ପୁସ୍ତକରୁ ସଂଗୃହୀତ)

-୦-

 

ତସ୍ମୈ ଶ୍ରୀ ଗୁରବେ ନମଃ...

ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଲ

 

ଅତି ସାନଟି ଦିନର କଥା....

 

ବାଲେଶ୍ୱର ଜିଲ୍ଲାସ୍କୁଲର ସେତେବେଳେ ହେଡ଼୍‍ମାଷ୍ଟର ଥିଲେ (ବର୍ତ୍ତମାନ ସ୍ୱର୍ଗତ) ଉପେନ୍ଦ୍ର ନାରାୟଣ ଦତ୍ତଗୁପ୍ତ । ମହାମନା ଋଷି-ପ୍ରତିମ ଧର୍ମପ୍ରାଣ ପୁରୁଷ । ସେ କାଳର ହା.ଇ. ସ୍କୁଲ ହେଡ଼୍‍ମାଷ୍ଟରମାନେ ଅତିଶୟ ଶ୍ରଦ୍ଧା-ସମ୍ଭ୍ରମର ଦାବି କରିବାର ଯୋଗ୍ୟ ବ୍ୟକ୍ତି ହେଉଥିଲେ । ସହରରେ ଭଦ୍ର ସମାଜରେ ସେମାନଙ୍କର ବିଶିଷ୍ଟ ଓ ସୁନିର୍ଦ୍ଦିଷ୍ଟ ସ୍ଥାନ ଥିଲା । ଅମଲା ଅଫିସର ମହଲରେ ମଧ୍ୟ ସେମାନେ ସମ୍ମାନାର୍ହ ଥିଲେ । ଉପେନ୍ଦ୍ର ବାବୁ ଏପରି ଜଣେ ଅତି ସୁଦକ୍ଷ ଓ କଡ଼ା ହେଡ଼୍‍ମାଷ୍ଟର ଥିଲେ ଯେ ଛାତ୍ର ଓ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ, ପଣ୍ଡିତ, ମୌଲବୀ ପର୍ଯ୍ୟନ୍ତ ତାଙ୍କୁ ନିରତିଶୟ ସହ୍ୟ କରି ଚଳୁଥିଲେ; ନିତାନ୍ତ ପ୍ରୟୋଜନ ବ୍ୟତିରକେ ତାଙ୍କ ଆଗକୁ ଯାଉନଥିଲେ । ପ୍ରବୀଣ ହେଡ଼୍‍ପଣ୍ଡିତ ଲୋକନାଥ ମହାପାତ୍ର ମଧ୍ୟ ନିଜର ଗାମ୍ଭୀର୍ଯ୍ୟ, ବ୍ୟକ୍ତିତ୍ୱ ଓ ପାଣ୍ଡିତ୍ୟ ପ୍ରଭାବରେ ଛାତ୍ର ସମାଜର ଭକ୍ତି ଓ ଶ୍ରଦ୍ଧା ଅର୍ଜନ କରିଥିଲେ । ସେ ଏବଂ ସେକେଣ୍ଡ ପଣ୍ଡିତ ଅନନ୍ତ ରଥ ଓ ଡ୍ରଇଂ ମାଷ୍ଟର ଆନନ୍ଦ ମିଶ୍ର ପୁରୀ ଜିଲ୍ଲାର ଅଧିବାସୀ ଥିଲେ ଏବଂ ଶେଷୋକ୍ତ ଦୁଇଜଣ ମଧ୍ୟ ଛାତ୍ରମାନଙ୍କର ବିଶେଷ ପ୍ରିୟ ଥିଲେ । ହେଡ଼୍‍ମାଷ୍ଟର ଉପେନ୍ଦ୍ର ବାବୁଙ୍କର ବ୍ୟକ୍ତିଗତ ଦୃଷ୍ଟି ମୋ ପ୍ରତି ଆକୃଷ୍ଟ ହୋଇଥିଲା । ପ୍ରଥମ କାରଣ ଯେ ମୁଁ ଜିଲ୍ଲା ସ୍କୁଲରେ ପ୍ରଥମ ସ୍ଥାନ ପାଇ ଛାତ୍ରବୃତ୍ତି ଲାଭ କରିଥିବାରୁ ମ୍ୟାଟ୍ରିକ୍ୟୁଲେସନ ପରୀକ୍ଷାରେ ଆମ ସ୍କୁଲରୁ ବୃତ୍ତି ପାଇବା ସକାଶେ ସମ୍ଭାବ୍ୟ ଯୋଗ୍ୟ ଛାତ୍ର । ସେହି ଉପେନ୍ଦ୍ର ବାବୁଙ୍କର ସହର ଭିତରେ ଖୁବ୍ ପ୍ରଭାବ ଓ ପ୍ରତିପତ୍ତି ଥିଲା ମଧ୍ୟ । ତାଙ୍କୁ ମୋର ମନେ ମନେ ସହସ୍ର ପ୍ରଣାମ ।

 

ଏଣେ ଅଳ୍ପଦିନ ପରେ ଗୁରୁ-ବଦଳି ଘଟିଲା; ଆସିଲେ “ଆମ ନୂଆ ହେଡ଼୍‍ମାଷ୍ଟର” ଚନ୍ଦ୍ରମୋହନ ମହାରଣା ମହାଶୟ । କିନ୍ତୁ ସେ ନିଜେ ସଶରୀରେ ଅବତୀର୍ଣ୍ଣ ହେବା ପୂର୍ବରୁ ତାଙ୍କର ଗୁଣ-ଗ୍ରାମର ଅଗ୍ରିମ ଖ୍ୟାତି ‘ବୁଲେଟିନ୍‌’ ଛାଆଁକେ ରଟିଗଲା । ଭାରୀ କଡ଼ା ମିଂଜାଜ୍‌, ଅତ୍ୟନ୍ତ ଚିଡ଼ା ମଣିଷ, ଅନିୟମ ବା କାମରେ ତ୍ରୁଟି ବିଚ୍ୟୁତି ଆଦୌ ସହନ୍ତି ନାହିଁ । ଛୁଆଁଛୁଇଁରେ ଭୀଷଣ କଡ଼ାକଡ଼ି । କାହାରି ସହିତ ବିଶେଷ ମିଳାମିଶା କରନ୍ତି ନାହିଁ, ଇତ୍ୟାଦି ଇତ୍ୟାଦି । ଶୁଣୁ ଶୁଣୁ ଆମ ଛାତ୍ର ଶିକ୍ଷକ ସମସ୍ତଙ୍କୁ ଅଜଣା ସନ୍ତ୍ରାସ ଘାରି ପକାଇଲା ।

 

ଯଥା ସମୟରେ ସେ ଆସିଲେ । ଝଡ଼ାଝଡ଼ି ସଫାସୁତୁରା ସାରା ସ୍କୁଲ ବିଲ୍‌ଡିଂ ହତା ନୂଆ ପରି ଦିଶିଲା । ଦିନ ପରେ ଦିନ ଧୀମା ଗତିରେ ବିତିଲା । ପ୍ରଥମ ପ୍ରଥମ, ସ୍କୁଲର ସବୁ ଶ୍ରେଣୀର ଲୋକ ଖୁବ୍ ସତର୍କ ସମ୍ଭ୍ରମରେ ଜଗି ଜଗି ଚଳୁଥିଲେ; ପାନରୁ ଚୂନ ଖସିଲେ ଖଣ୍ଡ-ପ୍ରଳୟ ଘଟିବ, ଅବସ୍ଥାଟା ଏଇଭଳି । ଚପରାସୀ ଦି’ଜଣ ରାଧୁ ଓ ନକୁଳି, ପୂର୍ବେ ପୂର୍ବେ ଛାତ୍ରଙ୍କୁ ବେଳେବେଳେ ବଡ଼ପାଟିରେ ରୋକୁଥିଲେ, ଗଣ୍ଡଗୋଳ ପାଟିତୁଣ୍ଡ କଲେ ନିଜର ଚପ୍ରାସୀପଣ ଜାହିର କରିବାକୁ । ଏବେ ସେ ଦି’ଜଣ ଚୁଟିଆ ମୂଷା ପରି ଚୁପ୍‌ଚାପ୍‌; ପାଟି ଯଦି ବା ଫିଟେ ତୁଣ୍ଡ ଶବ୍ଦ ଶୁଭେନା । ହେଡ଼୍‍ମାଷ୍ଟରଙ୍କ ଅଫିସ ସାମ୍‌ନାରେ ବାରନ୍ଦାରେ ଛାତ୍ର-ଶିକ୍ଷକ କାହାରିକୁ ଯିବାକୁ ସେମାନେ ହାତ ହଲେଇ ନିରସ୍ତ କରନ୍ତି । କାମରେ ହେ: ମା:ଙ୍କ ଅନୁମତି ନେଇ ଭିତରକୁ ଯିବାକୁ ଇଙ୍ଗିତ କରନ୍ତି । କଥାରେ ବ୍ୟବହାର ବିଲ୍‌କୁଲ୍ କମ୍‍ । ଏପରିକି, ହଷ୍ଟେଲ-ଖିଆ କୁକୁରଟା ଖରାଦିନ ଦି’ପ୍ରହରେ ବାରନ୍ଦାରେ ଛାଇରେ ଶୋଇଥିଲା; ତାର ତେଣିକି ସେଠି ଶୋଇବା ବସିବା ଖତମ୍ । ଏମିତି ସ୍ତବ୍ଧ ନିରାଡ଼ମ୍ବ ଅବସ୍ଥା, ନିୟମାନୁବର୍ତ୍ତିତା (ଡିସିପ୍ଳିନ୍‌) ପୂରା ଦମ୍‌ରେ ଚାଲୁ । ଛାତ୍ର ଶିକ୍ଷକ ସମସ୍ତେ ପଂକ୍‌ଚୁଏଲ୍‌- ଠିକ୍ ସମୟରେ କ୍ଳାସକୁ ଆସନ୍ତି । ଆରମ୍ଭ ଘଣ୍ଟାର ୫ ମିନିଟ୍ ପର୍ଯ୍ୟନ୍ତ କ୍ଳାସମାନଙ୍କରେ ଅଖଣ୍ଡ ନୀରବତା; କାରଣ ଦିନେ ଦିନେ ସେତିକିବେଳେ ହେ:ମା: ସ୍କୁଲର ଚାରିପାଖେ ଚୌଡ଼ା ବାରନ୍ଦା ଦେଇ ଥରେ ବୁଲି ଆସନ୍ତି । ପ୍ରାୟଶଃ କୌଣସି କ୍ଳାସ ରୁମ୍ ଭିତରେ ପଶନ୍ତି ନାହିଁ । ଖାଲି ଯାଉଁ ଯାଉଁ ବାରନ୍ଦାରୁ କ୍ଳାସ ଭିତରର ଅବସ୍ଥା ଏକ ନଜର ଲକ୍ଷ୍ୟ କରି ଅଫିସକୁ ଫେରିଯାନ୍ତି । ସେତିକିରେ ସାରା ସ୍କୁଲର ଦମ୍ ବନ୍ଦ । ଆତ୍ମାରାମ ତଟସ୍ଥ !

 

X X X X

 

ଚନ୍ଦ୍ରମୋହନ ବାବୁଙ୍କ ସଙ୍ଗେ ମୋର ଭବିଷ୍ୟ ସମ୍ପର୍କ ପ୍ରସଙ୍ଗ ଅବତାରଣା କରିବା ପୂର୍ବରୁ ପୂର୍ବ ପୂର୍ବ ପାରାଗ୍ରାଫରେ ସୂଚିତ ତାଙ୍କର ଚାରିତ୍ରିକ ବୈଶିଷ୍ଟ୍ୟତା ବିଷୟର କିଞ୍ଚିତ୍ ବିଶଦ ବ୍ୟାଖ୍ୟା ଓ ସ୍ପଷ୍ଟୀକରଣର ଏଠି ପ୍ରୟୋଜନ ରହିଛି- ଯଦ୍ଦ୍ୱାରା ପାଠକଙ୍କ ମନରେ ତାଙ୍କ ସମ୍ବନ୍ଧରେ ପ୍ରଚଳିତ କୌଣସି ଭ୍ରାନ୍ତ ବା ଅମୂଳକ ଧାରଣା ସ୍ଥାନ ନ ପାଏ ।*

*(ଏଥିର ବିଷୟବସ୍ତୁ ମୂଳତଃ ତାଙ୍କର କନିଷ୍ଠ ପୁତ୍ର ଶ୍ରୀଯୁକ୍ତ ଶରତଚନ୍ଦ୍ର ମହାରଣାଙ୍କ ସୌଜନ୍ୟରୁ ପ୍ରାପ୍ତ ।)

 

(କ) ସେ କ୍ଷଣକ୍ରୋଧୀ ଥିଲେ ସତ । ମାତ୍ର କ୍ଷମାଶୀଳ ମଧ୍ୟ ଥିଲେ, ଏବଂ ପରେ ମନରୁ କ୍ରୋଧ ତଡ଼ି ପାରୁଥିଲେ । କୌଣସି କାର୍ଯ୍ୟ (ଯେତେ ସାମାନ୍ୟ ହେଉ ପଛକେ) ଠିକ୍ ପଦ୍ଧତିରେ କରା ନ ହେଲେ ବା ନିର୍ବୁଧିଆ ଭାବରl କରାଗଲେ, ସେ ତାହା ଆଦୌ ସହ୍ୟ କରିପାରୁ ନ ଥିଲେ ଏବଂ ସମ୍ଭବତଃ ସେହି କାରଣରୁ ଲୋକେ ତାଙ୍କ ଅତିକ୍ରୋଧୀ ବୋଲି ଧରି ନେଉଥିଲେ । ଥରେ ସେ ବିଲବାଟରେ ଯାଉଥିବାବେଳେ ଘାସୁଆ ଠିକ୍ ଭାବରେ ଦାଆ ଚଲାଉ ନ ଥିବାର ଦେଖି. ସେ ତକ୍ଷଣେ ସେଇ ଲୋକ ହାତରୁ ଦାଆ କାଢ଼ିନେଇ, ବସିପଡ଼ି ତାକୁ ନିଜେ ଘାସ କାଟି ଦେଖାଇ ଦେଇଥିଲେ କିପରି ଭାବରେ ଦାଆ ଚଳାଇବା ଉଚିତ ।

 

(ଖ) ବାଟ ଚାଲିବାବେଳ, ସେ ବାଟ ମଝିରେ ବା କଡ଼ରେ ନ ଚାଲି ପୁରା ବାଟ ବାହାରେ ଚାଲୁଥିଲେ (ଯଦିଓ ସେକାଳରେ ବାଟରେ ଗାଡ଼ି ମୋଟରର ଟ୍ରାଫିକ୍ ଭୟ ସେପରି ନ ଥିଲା) । ତାଙ୍କ ମୃତ୍ୟୁ ପରେ ଜଣେ ସାଧୁ, ଯେ କି ତାଙ୍କର ଏହି ଅଭ୍ୟାସ କଥା ଜାଣିଥିଲେ, ବ୍ୟାଖ୍ୟା କରି କହିଲେ ଯେ ଚନ୍ଦ୍ରମୋହନଙ୍କ ଧାରଣା ଥିଲା- ବହୁ ସାଧୁସନ୍ଥମାନେ ଆଗରୁ ଏ ବାଟ ଦେଇ ଯାଇଛନ୍ତି । ସେମାନଙ୍କର ପଦଚିହ୍ନ (ଦୃଶ୍ୟତଃ ନ ଥିଲେ ହେଁ) ପଡ଼ିଚି ଏ ବାଟରେ, ତା’ଉପରେ ମୋର ମାଡ଼ିଯିବା ଠିକ୍ ନୁହେଁ । ...ହେଲେ ଏହାହିଁ ଯେ ପ୍ରକୃତ କାରଣ ତା’ ଜଣାନାହିଁ ।

 

(ଗ) ସେ କାହାରି ବିଛଣା ଖଟରେ ବସୁନଥିଲେ । ପୁଣି, ତାଙ୍କ ନିଜ ବିଛଣାରେ ତାଙ୍କର ପିଲାମାନେ ସୁଦ୍ଧା ବସୁନଥିଲେ । ସେ ଘରେ ଗେରୁଆ ଲୁଗା ପିନ୍ଧୁଥିଲେ । ତାଙ୍କର ବ୍ୟବହାର୍ଯ୍ୟ ସବୁ ପଦାର୍ଥ ଅଲଗା ରହୁଥିଲା, ଏପରିକି ଯେଉଁ କଲମ ବା ପେନ୍‌ସିଲରେ ଲେଖୁଥିଲେ, ତାକୁ ଅନ୍ୟ କେହି ଧରିବା ମନାଥିଲା । ସ୍କୁଲ ଅଫିସରେ ତାଙ୍କ ବ୍ୟବହାର୍ଯ୍ୟ କଲମ ପେନ୍‌ସିଲରେ ପ୍ରତ୍ୟହ ଚପରାସୀ ନୂଆ ସଫା କାଗଜ ମୋଡ଼ି ରଖିଲେ, ହେ:ମା: ପରେ ତାହ ବ୍ୟବହାର କରୁଥିଲେ । ତାଙ୍କ ବସିବା ଚୌକିରେ ଅନ୍ୟ କେହି ବସୁ ନ ଥିଲେ । ସେ ମଧ୍ୟ ଅନ୍ୟର ବ୍ୟବହୃତ ଜିନିଷ ଛୁଉଁ ନ ଥିଲେ ।

 

(ଘ) ସେ ଟଙ୍କା ପଇସା ନୋଟ ଇତ୍ୟାଦି ଛୁଉଁ ନ ଥିଲେ । ଦରମା ଟଙ୍କା ବା ଅନ୍ୟ ଟଙ୍କା ପଇସା ପିଅନ ବା ନିଜ ଲୋକ ଆଣି ଘରେ ଦେଇ ଯାଉଥିଲେ । ତାଙ୍କ ଘରେ ବାକ୍‌ସରେ ଚାବି ପଡ଼ୁନଥିଲା । ଯଦିଓ ସେଥିରେ ୫୦୦/୬୦୦ ଟଙ୍କା, ୧୦/୧୨ଟା ସୁନା ମୋହର ଓ University Examination ପେପର ବା ସଂସ୍କୃତାଦି ପରୀକ୍ଷାରେ ବା ସ୍କୁଲ ପରୀକ୍ଷାରେ marksheet ଆଦି ରହୁଥିଲା । (ତାଙ୍କ ଘରର ପାଠୁଆ ପିଲାମାନେ ଏସବୁ କଥା ଅନ୍ୟଙ୍କୁ କେବେ କହୁନଥିଲେ) ।

 

(ଙ) ସେ ଦିନରେ ମୋଟରେ ପ୍ରାୟ ୪/୫ଘଣ୍ଟା କାଳ ମୌନ ରହୁଥିଲେ । ସ୍ନାନ କରିସାରି ମନେ ମନେ ପ୍ରାର୍ଥନା କରୁଥିଲେ । ତତ୍‌ପରେ ଭୋଜନରେ ବସି ଗୁଣ୍ଡାଏ ଖାଇବା ପରେ କଥା କହୁଥିଲେ । ପୁଣି ସେ ଅତିଥି ସତ୍‌କାର କରିବାକୁ ଭଲ ପାଉଥିଲେ ଏବଂ କଟକରେ ଥିବାବେଳେ ପ୍ରତି ରବିବାର ବା ଛୁଟି ଦିନରେ ନିଜ ବସାକୁ ୨/୩ ଜଣଙ୍କୁ ନିମନ୍ତ୍ରଣ କରି ଭୋଜନ କରାଉଥିଲେ ।

 

ଶୁଚିତା

 

ସେ ପ୍ରତିଦିନ (୧୯୧୬ରୁ ୧୯୨୯ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ) ୪ଥର ଗାଧୋଉ ଥିଲେ । ସକାଳେ ପାଇଖାନାରୁ ଆସି ୯/୧୦ଟା ବେଳେ, ଓପରଓଳି ୪/୫ଟାବେଳେ ଓ ଶେଷଥର ରାତି ପ୍ରାୟ ୯ଟା ବେଳେ ।

 

(ଚ) ଚନ୍ଦ୍ରମୋହନ ମହାରଣା ଓଡ଼ିଆ ଛଡ଼ା ବଙ୍ଗଳା, ଇଂରାଜୀ, ସଂସ୍କୃତ ଓ ଉର୍ଦ୍ଦୁ-ପାର୍ସୀ ଭାଷା ଜାଣୁଥିଲେ ଏବଂ ଶୁଦ୍ଧ ଉଚ୍ଚାରଣ ଉପରେ ବିଶେଷ ଜୋର ଦେଉଥିଲେ- ଯେ, ସେ ସେହି ଭାଷାରେ କଥା କହିବାବେଳେ ଅନ୍ୟ ଲୋକ ଜାଣିପାରୁ ନ ଥିଲେ ଯେ ଏ ଜଣେ ଓଡ଼ିଆ । ତାଙ୍କର ପାଠ୍ୟପୁସ୍ତକ ଆଦି ଲେଖିବା ପଛରେ ଥିଲା ବିଲାତର Macmillan & Co.ତରଫରୁ ଅନୁରୋଧ, ଯେ ସେ ଯଦି ଓଡ଼ିଆରେ ପାଠ୍ୟ ପୁସ୍ତକ ଲେଖିଦିଅନ୍ତି ତେବେ ତାହ କମ୍ପାନୀ ଛପାଇବେ । ‘କଥାବଳୀ’ କମ୍ପାନୀ ଛପାଇଲେ ଓ ତାଙ୍କୁ royalty ଯାଚିଲେ, ମାତ୍ର ସେ ତାହା ସ୍ୱୀକାର ନ କରି ଉତ୍ତର ଦେଲେ– “ମୁଁ ଟଙ୍କା ପାଇଁ ବହି ଲେଖି ନ ଥିଲି, ପିଲେ ପଢ଼ିବେ ବୋଲି ଲେଖିଥିଲି ।” ଏଥିରୁ ଶିକ୍ଷା ବିଷୟରେ ତାଙ୍କ ହୃଦୟବତ୍ତାର ସମ୍ୟକ୍ ପରିଚୟ ମିଳେ ।

 

(ଛ) ପୁଣି ତାଙ୍କର ଗବେଷଣା-ସ୍ପୃହା ଯଥେଷ୍ଟ ଥିଲା । ଉଦାହରଣସ୍ୱରୂପ- ସେ ପ୍ରଥମେ ନାନା ଉତ୍ସ-ସୂତ୍ରରୁ ସଂଧାନ କରି ଲେଖିଲେ ଯେ, ଶ୍ରୀମତ୍ ଶ୍ରୀଧରସ୍ୱାମୀ (ଭଗବତ୍ ଗୀତର ସୁପ୍ରସିଦ୍ଧ ଟୀକାକାର) ଓ ବିଶ୍ୱନାଥ କବିରାଜ (ସାହିତ୍ୟ-ଦର୍ପଣକାର) ଓଡ଼ିଶାର ଲୋକ ଥିଲେ । ପଣ୍ଡିତ ଶ୍ରୀ ବିନାୟକ ମିଶ୍ର ଚନ୍ଦ୍ରମୋହନଙ୍କର ଶିଷ୍ୟ ଥିଲେ । ଚନ୍ଦ୍ରମୋହନ ତାଙ୍କୁ ଗୋଟିଏ ବିଷୟରେ ଗବେଷଣା କରିବା ପାଇଁ ବହୁବର୍ଷ କାଳ ପ୍ରେରଣା ଯୋଗାଇଥିଲେ, ଏବଂ ଶୁଣାଯାଏ ପଣ୍ଡିତ ମିଶ୍ର ଦୀର୍ଘ ୨୭ବର୍ଷ କାଳ ସେଥିରେ ଲାଗି ରହିଥିଲେ । ଶେଷଥର ସେ ୧୯୨୭ରେ ଚନ୍ଦ୍ରମୋହନଙ୍କ ଘରକୁ ଆସି ରେମୁଣାରେ ସେହି ବିଷୟରେ କଥାବାର୍ତ୍ତା କରିଥିଲେ ।

 

(ଜ) କେତେକ ଜଣାଶୁଣା ଲୋକଙ୍କ ରଟନା ସେ କବିବର ରାଧାନାଥ ରାୟଙ୍କର ‘ମହାଯାତ୍ରା’ ଅମିତ୍ରାକ୍ଷର କାବ୍ୟରେ ବ୍ରିଟିଶ-ଶାସନ-ବିରୋଧୀ ଅର୍ଥ ଥିବା କଥା ଚନ୍ଦ୍ରମୋହନ ସରକାରଙ୍କୁ ଦର୍ଶାଇଥିଲେ । ଏହା ଆଦୌ ସତ ନୁହେଁ । ପ୍ରମାଣ-ଚନ୍ଦ୍ରମୋହନ କଟକରେ ଥିବା ପର୍ଯ୍ୟନ୍ତ (୧୯୧୯ ମସିହା) କବିବରଙ୍କ ଘରକୁ ସପ୍ତାହରେ ଥରେ ଦୁଇଥର ପାରିବାରିକ ଯା’ଆସ ଥିଲା, ଏବଂ କବିବରଙ୍କ ପୁତ୍ର ଶଶିଭୂଷଣ ବଞ୍ଚିଥିବା ପର୍ଯ୍ୟନ୍ତ ଦୁର୍ଗାପୂଜା ଉପଲକ୍ଷରେ ବାଲେଶ୍ୱର ରାଜବାଟୀର ନିମନ୍ତ୍ରଣ-ରକ୍ଷାର୍ଥେ ଆସି, ରେମୁଣାରେ ଚନ୍ଦ୍ରମୋହନଙ୍କ ସଙ୍ଗେ ନିଶ୍ଚୟ ଦେଖା କରିବାକୁ ଯାଇଥିଲେ । (ମଧ୍ୟ-ରେମୁଣାର ବଙ୍ଗାଳି ସାଇରେ ଶଶିଭୂଷଣଙ୍କ ମାମୁଘର ଥିବା ଅନ୍ୟ ଏକ କାରଣ)

 

(ଝ) ମୌଳିକ-ସାହିତ୍ୟ ରଚନା ସମ୍ପର୍କରେ ଲୋକଙ୍କର ଆଉ ଗୋଟିଏ ଭ୍ରାନ୍ତଧାରଣା ତାଙ୍କ ବିଷୟରେ ଶୁଣାଯାଏ ଯେ -ତାଙ୍କର ବ୍ୟାକରଣପ୍ରୀତି ଏଡ଼େ ଉଗ୍ର ଥିଲା ଯେ, ସେ ନିଜର ରଚନାକୁ ନିଃଶେଷରେ ବ୍ୟାକରଣ ଶୁଦ୍ଧି କରିବାକୁ ଯାଇ ବାରମ୍ବାର କାଟି ପକାଉଥିଲେ; ତେଣୁ ମୌଳିକ ରଚନା ତାଙ୍କ କଲମରୁ ବାହାରି ପାରିଲା ନାହିଁ । ଏ ଧାରଣା ଭୁଲ । ପ୍ରକୃତ ଘଟଣା ହେଲା- ଚନ୍ଦ୍ରମୋହନ ସାମାନ୍ୟ ଗୋଟିଏ ପୋଖରୀ ଓ ଜମିବାଡ଼ି ନେଇ ସ୍ୱଗ୍ରାମର ‘ଠକି ସାହୁ’ ନାମକ ଜଣେ ପଡ଼ୋଶୀ ସଙ୍ଗେ ମାଲିମକଦ୍ଦମାରେ ସୁଦୀର୍ଘ ୧୨/୧୪ ବର୍ଷ କାଳ ବହୁ ଅଶାନ୍ତି ଭୋଗ କଲେ ଏବଂ ସେହି ମାମଲା ଚାଲୁଥିବାବେଳେ ବିପକ୍ଷର ପ୍ରରୋଚନାରେ ପଡ଼ି ତାଙ୍କର ଜଣେ ଚାକରାଣୀ ୨୪-୧୨-୧୯୧୧ରେ ଚନ୍ଦ୍ରମୋହନଙ୍କ (ଚାଳ) ଘରେ ନିଆଁ ଲଗାଇ ପୋଡ଼ିଦେଲା । ସେହି ଅଗ୍ନିକାଣ୍ଡରେ ଚନ୍ଦ୍ରମୋହନଙ୍କ ପ୍ରାୟ ୪୦ଖଣ୍ଡ କାବ୍ୟ କବିତା ଓ ଅନ୍ୟାନ୍ୟ ରଚନାର ପାଣ୍ଡୁଲିପି ଭସ୍ମସାତ୍ ହୋଇଗଲା । ଘଟଣାର ପରଦିନ ସେ ରେମୁଣାରେ ପହଞ୍ଚି ତାଙ୍କର ବହୁବର୍ଷର ଲେଖା ରଚନାଗୁଡ଼ିକର ଏକ ଶୋଚନୀୟ ପରିଣତିରେ ନିରତିଶୟ ମର୍ମାହତ ଓ ହତୋତ୍ସାହ ହେଲେ । ଉକ୍ତ ଘଟନାର ପରେ ପରେ ପ୍ରାୟ ଦୁଇ ଅଢ଼େଇ ବର୍ଷ ମଧ୍ୟରେ ତାଙ୍କର ପତ୍ନୀ ରାସମଣି ଦେବୀ ହଠାତ୍ ବିସୂଚିକା ରୋଗରେ ଆକ୍ରାନ୍ତ ହୋଇ ମାତ୍ର ୫/୭ ଘଣ୍ଟା ମଧ୍ୟରେ ପ୍ରାଣତ୍ୟାଗ କରିବାରୁ, ତାଙ୍କ ମନରାଜ୍ୟରେ ଦ୍ୱିତୀୟ ଏକ ବିଷମ ଆଘାତ ଆସି ପହଞ୍ଚିଲା । କ୍ରମେ ସେ ଆସନ-ପ୍ରାଣାୟାମାଦି ଆଡ଼କୁ ଉତ୍ତରୋତ୍ତର ଅଧିକ ଆକୃଷ୍ଟ ହୋଇ ଶେଷରେ ସମ୍ଭବତଃ ଯୋଗ-ପ୍ରକ୍ରିୟାର କୌଣସି ଦୋଷ ହେତୁରୁ ତାଙ୍କର ପୂର୍ବର ଉଚ୍ଛଳ ସ୍ୱାସ୍ଥ୍ୟ ଓ ସବଳତା ହରାଇ ବାୟୁ ଓ ଅର୍ଶ ରୋଗର ଶୀକାର ହୋଇପଡ଼ିଲେ । ଘରୋଇ ମାଲିମକଦ୍ଦମାର ଦୀର୍ଘ ଦିନର ଅଶାନ୍ତି ଓ ତଦୁଦ୍ଭୁତ ଘରପୋଡ଼ି, ଅକାଳ ପତ୍ନୀ ବିୟୋଗ ଓ ପରବର୍ତ୍ତୀ ସ୍ୱାସ୍ଥ୍ୟହାନୀ ଓ ରୋଗ ଯନ୍ତ୍ରଣା- ଏହି ତିନି କାରଣର ‘ତ୍ର‌୍ୟଇସ୍ପର୍ଶ’ ଯୋଗାଯୋଗ ହେତୁ ତାଙ୍କର ମୌଳିକ ରଚନାର ସମ୍ଭାବନା ଅନ୍ତର୍ହିତ ହେଲା ।

 

X X X X

 

ଏବେ ପୂର୍ବ କଥାକୁ ଫେରି ଆସିବା...କଥା ହେଲା ‘ଆମ ନୂଆ ହେଡ୍ ମାଷ୍ଟର’ଙ୍କର* । ବାଲେଶ୍ୱର ଜିଲ୍ଲା ସ୍କୁଲ, ୧୯୨୦ ସାଲ । ମୋର ବାପା ସେତେବେଳକୁ ଯୁଦ୍ଧୋତ୍ତର ବ୍ୟାପକ ଇନ୍‌ଫ୍ଳୁଏଞ୍ଜାରେ ଗତ ହେଲେଣି; ଘରର ଅବସ୍ଥା ପ୍ରାୟ ଅଚଳ, ମୋତେ ସଂଧ୍ୟାରେ ଟିଉସନ କରିବାକୁ ପଡ଼େ; ଫେରିବାକୁ ରାତି ୮ଟା/୯ଟା । ବାଲେଶ୍ୱରର ରାସ୍ତାରେ ଜଳେ ମିଞ୍ଜି ମିଞ୍ଜି ମ୍ୟୁନିସିପାଲଟିର କିରାସିନି ଡିବିରି; ସେଥିରେ ନିଜ ହାତ ପାପୁଲିରେ ରେଖା ବି ଭଲ ଦୃଶ୍ୟ ହୁଏ ନାହିଁ । ଅଧେ ଦିନ ବତି ଜଳେନା ଆଦୌ ବା ହାଉଆରେ ଲିଭିଯାଏ । ଅନ୍ଧାରରେ ଏକୁଟିଆ ନିର୍ଜନ ଲମ୍ବା ରାସ୍ତା ପାରି ହୋଇ ବଜାର ଭିତରକୁ, ଆଲୁଅକୁ ଆସି ପହଞ୍ଚିବା ପର୍ଯ୍ୟନ୍ତେ ବାଟଚଲା ଲେକେ କେହି ବା କଦବା ଗୀତ ବୋଲି ବୋଲି ଯାଏ । ମୋତେ ଗୀତ ଆସେନା; ମୁଁ ସେ ପରିସ୍ଥିତିରେ ନିଜକୁ ନିଜେ ସାହସ ଦେବା ଉଦ୍ଦେଶ୍ୟରେ କେବଳ କବିତା ବା ସଂସ୍କୃତ ଶ୍ଳୋକ ଆବୃତ୍ତି କରି ଯାଏ । ଦିନକର ଘଟଣା, ମୁଁ ଜିଲ୍ଲା ସ୍କୁଲ ରାସ୍ତା ଦେଇ ମୋତିଗଞ୍ଜ ବଜାର (ବର୍ତ୍ତମାନ ସିନେମା ବଜାର) ଆଡ଼କୁ ଆଗେଇ ଯାଉଚି, ଗୋଡ଼ି ପୋଖରୀ ପାରିହୋଇ ଜିଲ୍ଲା ସ୍କୁଲର ପୂର୍ବପାଖ ଫାଟକ ଆଗଦେଇ । ହେଡ଼୍‍ମାଷ୍ଟରଙ୍କ କ୍ୱାର୍ଟରର ଅତି ନିକଟ । ହଠାତ୍ ପଛଆଡ଼ୁ ଚପରାସୀ ନକୁଳିର ଡାକ ଶୁଣିଲି- ହେ ବାବୁ, କିଏ ଯାଉଚ ଶୁଣ ଶୁଣ । ଦଉଡ଼ି ଆସିଲା; ଚିହ୍ନିପାରି କହିଲା ହେଡ଼୍‍ମାଷ୍ଟ୍ରେ ଡାକୁଛନ୍ତି । ଚପ୍ରାସୀ ପଛେ ପଛେ ଯାଇ ମୁଁ କମ୍ପିତ ପଦରେ ହେ:ମା:ଙ୍କ ଆଗେ ଯାଇ ନମସ୍କାର କରି ଠିଆହେଲି । ଜଣାଗଲା, ସେ ମୋତେ ଦେଖି ଟିକେ ଆଶ୍ଚର୍ଯ୍ୟ ହୋଇଛନ୍ତି, ପଚାରିଲେ- “ତୁମେ ? ତୁମେ କୁମାର ସମ୍ଭବ ଶ୍ଳୋକ ବୋଲି ଯାଅ ଏବାଟେ, ଦିନେ ଦିନେ ?” ମୁଁ ସ୍ୱୀକାର ସୂଚକ ମୁଣ୍ଡ ଟୁଙ୍ଗାରିବାରୁ ସେ ଦ୍ୱିତୀୟ ପ୍ରଶ୍ନ କଲେ “ତୁମର ତ Additional Mathematics (ଅଙ୍କ, ଅଧିକା ବିଷୟ), ତୁମେ ସଂସ୍କୃତ କୁମାରସମ୍ଭବ ଶିଖିଲ କିପରି ?” ମୂଳକଥା- ସେକେଣ୍ଡ ପଣ୍ଡିତ ଓ ଅନନ୍ତ ରଥ ମୋତେ ସେ ବହିଖଣ୍ଡି ଦେଇଥିଲେ, କଥା ଥିଲା ଯଦି ମୁଁ ମାସକ ଭିତରେ ସାରା ବହି ମୁଖସ୍ଥ କରିଦିଏଁ, ତେବେ ସେ ମୋତେ ପୁରସ୍କାର ଦେବେ । କହିଲି ସେ କଥା । ଶୁଣି ସେ କିଛିକ୍ଷଣ ତୁନୀ ରହିଲେ । ଅନ୍ୟ ପ୍ରଶ୍ନ କଲେ– “ଏତେ ରାତିରେ ଇଆଡ଼େ କାହିଁକି ଆସ ? ଏ ବର୍ଷ ପରା ତୁମର ମ୍ୟାଟ୍ରିକ୍ ପରୀକ୍ଷା; ଏ ସମୟଟା ତୁମର ମନୋଯୋଗ ଦେଇ ପଢ଼ାପଢ଼ି କରିବା କଥା....।” ମୁଁ ଭୀତତ୍ରସ୍ତ ହୋଇ କହି ପକାଇଲି–“ଆଜ୍ଞା, ଆମେ ବଡ଼ ଗରିବ, ଟ୍ୟୁସନ ନ କଲେ ଘର ଚଳେନା, ମା’-ଭଉଣୀ ଅଛନ୍ତି ।”

 

*“ପାଦଟୀକା”-ଏହି ଶିରୋନାମାରେ ମୁଁ ଗୁରୁ-ସ୍ମରଣ ଉପଲକ୍ଷେ, ଇତିପୂର୍ବେ ସପ୍ତର୍ଷି (ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖପତ୍ର) ପତ୍ରିକାରେ ଲେଖାଟିଏ ପ୍ରକାଶ କରିଥିଲି । ଦୁର୍ଭାଗ୍ୟବଶତଃ, ସେ ଲେଖାର ପାଣ୍ଡୁଲିପି ବା ଛପା-କପି ମୋ ପାଖେ ନ ଥିବାରୁ ତଦ୍‌ବର୍ଣ୍ଣିକ ବିଷୟବସ୍ତୁର ପୁନରାବୃତ୍ତିର କିଛି କିଛି ତ୍ରୁଟି ବିଚ୍ୟୁତି ରହିଯିବାର ଆଶଙ୍କା ବଶତଃ, ଏ ପ୍ରବନ୍ଧରେ ସେ ବିଷୟ ଯଥା ସମ୍ଭବ ବାଦ୍ ଦେଲି ।

 

ସେ ଅଭ୍ୟାସମତେ ହାତ ଟେକି ମୋତେ ନିରସ୍ତ କଲେ । କିଛିକ୍ଷଣ ମୌନ ରହି ମୋତେ ଆଦେଶ ଦେଲେ- “ଆଚ୍ଛା, ଯାଅ; କାଲି ଦଶଟା ପୂର୍ବରୁ ତୁମ ଗାର୍ଜେନଙ୍କୁ (ବାବୁ ଭୋଳାନାଥ ଦତ୍ତ) ନେଇ ଅଫିସରେ ମୋ ସଙ୍ଗେ ଦେଖା କରିବ ।”

 

ଦେଖା କଲୁଁ । ବିସ୍ତାରିତ ନ ଲେଖି, ଏତିକି ଜଣାଇଲେ ହେ:ମା: ଚନ୍ଦ୍ରମୋହନ ମହାରଣାଙ୍କର ଅନ୍ତର୍ନିହିତ ଉଦାରତା ଓ ଛାତ୍ରମାନଙ୍କର ସୁଖ-ଦୁଃଖ-ଉନ୍ନତି ବିଧାନ ପ୍ରତି ତୀକ୍ଷ୍‌ଣ କଲ୍ୟାଣ-ଦୃଷ୍ଟିରେ ଯଥେଷ୍ଟ ପରିଚୟ ମିଳିବ ଯେ, ତା’ ପରଠୁଁ ସେ ବ୍ୟବସ୍ଥା କରେଇଦେଲେ- ମୁଁ ଘରେ ନ ରହି ହଷ୍ଟେଲରେ ଆସି ରହିବି, ପଢ଼ାଶୁଣା ଅବ୍ୟାହତ ରହିବ, ଟିଉସନ ବିଲ୍‌କୁଲ୍ ବନ୍ଦ । ସିଟ୍ ରେଣ୍ଟ୍ (ହଷ୍ଟେଲର) ଓ ଖାଇବା ଖର୍ଚ୍ଚ ପଡ଼ିବ ନାହିଁ.....ଇତ୍ୟାଦି ସବୁ ବନ୍ଦୋବସ୍ତ ଓ ସୁବିଧା । ତେବେ ପ୍ରତି ଶନିବାର ମୁଁ ଘରକୁ ଯାଇ ମା’-ଭଉଣୀଙ୍କର ଖବର ନେବି ଓ ଯାହା ଯାହା ବ୍ୟବସ୍ଥା କରି ଆସିବି ।

 

ବାଲେଶ୍ୱର ଜିଲ୍ଲା ସ୍କୁଲ ମ୍ୟାଟ୍ରିକ ପରୀକ୍ଷାରେ ଭଲ ଫଳ ଦର୍ଶାଉ, ୟୁନିଭରସିଟିରେ ଉଚ୍ଚ ସ୍ଥାନ ପାଇ ଏଠାରେ ଛାତ୍ର ସର୍ବୋଚ୍ଚ ବୃତ୍ତି ଜିତି ଆଣନ୍ତୁ– ଏଇଟା ହେ:ମା:, ଅନ୍ୟ ଶିକ୍ଷକ ତଥା ଛାତ୍ର ମଣ୍ଡଳୀଙ୍କର ସମସ୍ତଙ୍କର ଆନ୍ତରିକ ଆକାଂକ୍ଷା ଥିଲା । ତା’ହେଲେ ସ୍କୁଲର ସୁନାମ ଓ ଯଶ ଅଧିକ ବଢ଼ିବ । ମୋର ପରମ ସୌଭାଗ୍ୟ ଯେ, ଭିକ୍ଟୋରିଆ ଜୁବୁଲି ସ୍କୁଲ ଭଳି ଏଥର ବି ଗୁରୁ ଆଶୀର୍ବାଦରୁ ୧୯୨୧ ସାଲ ପାଟନା ୟୁନିଭର୍ସିଟି ମ୍ୟାଟ୍ରିକ୍ ପରୀକ୍ଷାରେ ସମଗ୍ର ବିହାର-ଓଡ଼ିଶାରେ ତୃତୀୟ ସ୍ଥାନ ଅଧିକାର କରି ସେମାନଙ୍କର ବହୁବାଂଛିତ (ମୋର ଏକାନ୍ତ ପ୍ରୟୋଜନୀୟ) ୟୁନିଭର୍ସିଟି ବୃତ୍ତି ପାଇ ଅତଃପର ମୁଁ କଟକ ରେଭେନ୍ସା କଲେଜରେ ସାଇନ୍‌ସ (I.Sc.) ପଢ଼ିବାକୁ ଗଲି ।

 

X X X X

 

କଲେଜ ପଢ଼ା ଆରମ୍ଭ କରିବା ପୂର୍ବରୁ ଏଠାରେ ଗୋଟିଏ ଛୋଟ ଘଟନା ବିବୃତ ନ କଲେ ଚନ୍ଦ୍ରମୋହନ-ଚରିତ୍ରର ବିଶିଷ୍ଟ ମହନୀୟତା ଫୁଟି ଉଠିବ ନାହିଁ । ସେଇଟା ହେଲା (ଯାହାକି ମୋତେ ସବୁଠୁଁ ବେଶୀ ଆଶ୍ଚର୍ଯ୍ୟ କରିଥିଲା ସେ ସନ୍ଧି ବେଳରେ) ଯେ ହଷ୍ଟେଲକୁ ଆସି ରହିବା ଦିନ ପୂର୍ବରୁ, ମଝିରେ ଯେତେଦିନ ମୁଁ ଘରେ ରହି ସ୍କୁଲ ଆସୁଥିଲି, ହେ:ମା: ଚନ୍ଦ୍ରମୋହନ ବାବୁ ବ୍ୟବସ୍ଥା କରି ଦେଉଥିଲେ ଯେ, ମୁଁ ସେହି କେତେଦିନ ତାଙ୍କ କ୍ୱାର୍ଟରରେ ସକାଳ ଦଶଟା ପୂର୍ବରୁ ଭାତଖାଇ କ୍ଳାସକୁ ଯିବି । ସହାନୁଭୂତି ଓ ଉଦାରତାର ଏହି ପରାକାଷ୍ଠା, ଏହି ନୂଆ ପରିଚିତ ମୋ ତରୁଣ ମନକୁ କୃତଜ୍ଞତା ଓ ଭକ୍ତିରେ ଉଦବେଳିତ, ସମ୍ମୋହିତ କରି ଦେଇଥିଲା । (ପରେ ଶୁଣିଛି, ସେ କଟକ-ପୁରୀରେ ଥିଲାବେଳେ ଏକାଧିକ ଶିକ୍ଷାର୍ଥୀ ତାଙ୍କ ବସାରେ ଆହାରାଦି କରିବାର ବ୍ୟବସ୍ଥା ରହୁଥିଲା ।) ଶିକ୍ଷାର ପ୍ରସାର ଓ ଉନ୍ନତି କଳ୍ପେ, ତାଙ୍କର ଏବମ୍ବିଧ ଆନ୍ତରିକ ପ୍ରଚେଷ୍ଟା ତାଙ୍କ ଚରିତ୍ରର ଏକ ବିଶିଷ୍ଟ ମହତ୍ତ୍ୱ ।

 

X X X X

 

ପୁରାଣ ବର୍ଣ୍ଣିତ ପରମଜ୍ଞାନୀ ଅବଧୂତଙ୍କର ଅନେକାନେକ ଗୁରୁ ଥିବା, ଲୋକ ପ୍ରସିଦ୍ଧ । କଳିଯୁଗର ନିତାନ୍ତ-ସାଧାରଣ ଗରିବ ଛାତ୍ର ମୁଁ । ମୋର ଭାଗ୍ୟରେ ବି, ଶିକ୍ଷା-ପରିମଣ୍ଡଳର ସୀମିତ ପରିବେଶ ମଧ୍ୟରେ ହିଁ ସେଭଳି ଏକାଧିକ ମହାପ୍ରାଣ ସଦ୍‌ଗୁରୁ ମିଳିଥିଲେ । ସ୍ୱର୍ଗତ ହେଡ଼୍‍ମାଷ୍ଟର ଚନ୍ଦ୍ରମୋହନ ମହାରଣାଙ୍କ ସ୍ମରଣ ଉପଲକ୍ଷରେ ସେ ସବୁର ବିସ୍ତାରିତ ଆଲୋଚନା ଏଠାରେ ଅପ୍ରାସଙ୍ଗିକ । ଉପସଂହାରରେ ମନରେ ପ୍ରଶ୍ନ ଉଠେ- କଅଣ, ଆଜିର ସମାଜ ଓ ଦୁନିଆର ସର୍ବଗ୍ରାସୀ ସ୍ୱାର୍ଥସିଦ୍ଧ ପରିବେଶ ଭିତରେ ଏବେ ବି ଶିକ୍ଷାଗୁରୁମାନଙ୍କର ଦୁଃସ୍ଥ ଶିକ୍ଷାର୍ଥୀମାନଙ୍କ ପାଇଁ ସେଭଳି ସହୃଦୟତା ଓ ମହତ୍ୱବୋଧ ବର୍ତ୍ତି ରହିନାହିଁ ? ଅଛି, ଅଛି–କାଣିଚାଏ ହେଲେ ଅଛି; ଆଉ ମଣିଷ ମଣିଷ ଥିବାଯାଏ, ଥିବ ।

 

ବଟେଶ୍ୱର, ବାଲେଶ୍ୱର (ତା୨୦.୩.୧୯୮୦)

-୦-

 

ସ୍ୱର୍ଗତ ଶିକ୍ଷାବିତ୍ ଶ୍ରୀ ଚନ୍ଦ୍ରମୋହନ ମହାରଣା-ମୁଁ ତାଙ୍କୁ ଯେତିକି ଜାଣେ

ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା

(୧)

 

ବାଲେଶ୍ୱରରେ ପାଠପଢ଼ା*

 

“ବାଲେଶ୍ୱର ଭିକ୍ଟୋରିଆ ଜୁବୁଲି ମାଇନର ସ୍କୁଲରୁ କୃତିତ୍ୱ ସହିତ ପାସ୍‍ କରି ମୁଁ ବାଲେଶ୍ୱର ଜିଲ୍ଲା ହାଇସ୍କୁଲରେ ଯୋଗଦେଲି । ସେତେବେଳେ ସ୍ୱନାମଧନ୍ୟ ସାହିତ୍ୟିକ ତଥା ସୁଶିକ୍ଷକ ଶ୍ରୀ ଚନ୍ଦ୍ରମୋହନ ମହାରଣା ବାଲେଶ୍ୱର ଜିଲ୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଥାନ୍ତି ଏବଂ ତାଙ୍କ ତଳେ ଅନ୍ୟତମ ଶିକ୍ଷକ ଥାନ୍ତି ଅଙ୍କଶାସ୍ତ୍ରବିତ୍ ଶ୍ରୀ ଭୀମ ରାଉତ, ଏମ୍‌.ଏ. ।”

 

“ତା’ପରେ ମୁଁ କିଛିଦିନ ପାଇଁ ବାଲେଶ୍ୱର ଜିଲ୍ଲା ହାଇସ୍କୁଲ ହଷ୍ଟେଲରେ ରହିଥିଲି ପଢ଼ାପଢ଼ିର ସୁବିଧା ପାଇଁ । ସେଇ ସମୟରେ ସ୍କୁଲ ପ୍ରଧାନ ଅଧ୍ୟକ୍ଷ ସାହିତ୍ୟିକ ଶ୍ରୀ ଚନ୍ଦ୍ରମୋହନ ମହାରଣାଙ୍କର ସମ୍ପର୍କରେ ଆସିବାର ସୁବିଧା ମଧ୍ୟ ପାଇଥିଲି । ଶ୍ରୀଯୁକ୍ତ ମହାରଣାଙ୍କର ବ୍ୟବହାରରେ କେତେକ ବୈଶିଷ୍ଟ୍ୟ ଥିଲା । ସେ କ୍ଳାସରେ ପଢ଼ାଉଥିଲାବେଳେ କୌଣସି ଚକ୍ ଷ୍ଟିକ୍ କିମ୍ବା କଲମ ପେନ୍‌ସିଲ ଇତ୍ୟାଦି ହାତରେ ଛୁଉଁ ନ ଥିଲେ । ସେଥିପାଇଁ ତାଙ୍କ ଚକ୍ ଷ୍ଟିକ୍ ଓ କଲମ ପେନ୍‍ସିଲରେ ଖଣ୍ଡିଏ ଧଳା କାଗଜର ପଟି ଗୁଡ଼ା ହେଉଥିଲା ଓ ସେଇ କାଗଜ ପଟି ଉପରେ ଆଙ୍ଗୁଳି ରଖି ସେ ଲେଖାଲେଖି କରୁଥିଲେ ।” (ଗ୍ରନ୍ଥାବଳୀ-ପୃ୨୩୧/୨୩୨)

 

*ଅନନ୍ତ ପ୍ରସାଦ ପଣ୍ଡା ଗ୍ରନ୍ଥାବଳୀ: ଦ୍ୱିତୀୟ ଭାଗ

 

(୨)

 

ସେତେବେଳେ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣାଙ୍କର କଡ଼ା ନଜର ଫଳରେ ସେ ବର୍ଷ ବାଲେଶ୍ୱର ଜିଲ୍ଲା ସ୍କୁଲରୁ ତିନିଜଣ ଫାଷ୍ଟ ଡିଭିଜନରେ ପାସ୍‍ କରି ସ୍କଲରସିପ୍ ଲାଭ କରିଥିଲେ । ସେଥିମଧ୍ୟରୁ ଥିଲି ମୁଁ ଓ ଶ୍ରୀଯୁକ୍ତ ମହାରଣାଙ୍କର ପୁତ୍ର ଶ୍ରୀ ଲୋକନାଥ ମହାରଣା । ଲୋକନାଥ ମୋର ପଢ଼ାସାଥି ଥିବାରୁ ଆମେ ଥରେ ରେମୁଣାର ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିର ଦେଖିବାକୁ ଯାଇ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣାଙ୍କର ନିଜଘରେ ଗୋଟିଏ ରାତ୍ରୀ ଯାପନ କରିବାର ସୌଭଗ୍ୟ ଲାଭ କରିଥିଲୁ । ମୋର ଯେତେଦୂର ମନେହୁଏ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣା ସେଇ ବାଲେଶ୍ୱର ଜିଲ୍ଲା ସ୍କୁଲର ହେଡ଼୍‍ମାଷ୍ଟର ଭାବରେ କାର୍ଯ୍ୟ କରୁଥିବା ସମୟରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ମହାରଣା ଯେ କେବଳ ଜଣେ ଉଚ୍ଚକୋଟୀର ଶିକ୍ଷାବିତ୍ ଥିଲେ ତା’ ନୁହେଁ; ସେ ବି ଥିଲେ ଜଣେ ଅତି ସୁଦକ୍ଷ ପ୍ରଶାସନିକ ଅଫିସର । ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଏପରି ସୁଶୃଙ୍ଖଳିତ ଥିଲା ଯେ ସେ ଛାତ୍ର ମହଲରେ ଯଥେଷ୍ଟ ସମ୍ମାନର ଅଧିକାରୀ ହେଉଥିଲେ । ତାଙ୍କର ଶିକ୍ଷା ପ୍ରଣାଳୀ ଓ ପଦ୍ଧତି ମଧ୍ୟ ଥିଲା ଅତି ଉଚ୍ଚକୋଟୀର ଓ ଚିତ୍ତାକର୍ଷକ । ସେ ଅନ୍ୟ କୌଣସି ଛାତ୍ରର ବ୍ୟବହାରରେ ସାମାନ୍ୟ ବିଶୃଙ୍ଖଳା ଦେଖିଲେ ଖୁବ୍ ରାଗିଉଠି ବିରକ୍ତି ପ୍ରକାଶ କରୁଥିଲେ କିନ୍ତୁ ଅନ୍ତର ମଧ୍ୟରେ ସେ ଥିଲେ ଜଣେ ଖୁବ୍ ଛାତ୍ରବତ୍ସଳ ଓ ସ୍ନେହୀ ଶିକ୍ଷକ । ସେଥିପାଇଁ ସେ ତତ୍‌କାଳୀନ ଶିକ୍ଷା ବିଭାଗରେ ଜଣେ ସୁଦକ୍ଷ ଅଫିସର ଭାବରେ ସୁଖ୍ୟାତି ଲାଭ କରିବାକୁ ସମର୍ଥ ହୋଇଥିଲେ । ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଥିଲେ ଜଣେ ଉଚ୍ଚ ନୀତିବାନ ଓ ଆଦର୍ଶବାନ ବ୍ୟକ୍ତି । ସେଥିପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ।

 

ତାଙ୍କର ସାହିତ୍ୟିକ ପ୍ରତିଭା ମଧ୍ୟ ଥିଲା ଅତି ସମୁଜ୍ଜ୍ୱଳ । ସେ ଅବଶ୍ୟ ବେଶୀ କବିତା ଲେଖି ନ ଥିଲେ କିନ୍ତୁ ତାଙ୍କର ଅନ୍ତର କବିତ୍ୱମୟ ଥିଲା । ସେଥିପାଇଁ ଜଣେ ପ୍ରସିଦ୍ଧ ଇଂରେଜ କବି ଗୋଟିଏ ମାତ୍ର କବିତା ଲେଖି ଯେପରି ବିଶ୍ୱବିଖ୍ୟାତ ହୋଇପାରିଥିଲେ ସେହିପରି ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣାଙ୍କର ଗୋଟିଏ ମାତ୍ର କବିତା ପଢ଼ି ଓଡ଼ିଶାର ତତ୍‌କାଳୀନ ସୁବିଖ୍ୟାତ ସୁଲେଖକ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କର ‘ଉତ୍କଳ ଭ୍ରମଣ’ ନାମକ ପୁସ୍ତକରେ ଶ୍ରୀ ଚନ୍ଦ୍ରମୋହନଙ୍କର କବି ପ୍ରତିଭାର ପରିଚୟ ଦେଇ ଲେଖିଥିଲେ- ସ୍ୱର୍ଗତ ଶିକ୍ଷାବିତ୍ ଶ୍ରୀ ଚନ୍ଦ୍ରମୋହନ ମହାରଣା-ମୁଁ ତାଙ୍କୁ ଯେତିକି ଜାଣେ

 

“ଚନ୍ଦ୍ରମୋହନ ମହାରଣା ହେଉ ହେଉ ହେଉ

ବାରେ ମାତ୍ର ଢାଳିଦିଅ କବିତାର ଢେଉ

ଖଣ୍ଡିଏ କବିତା ଲେଖି ଥକି ପଡ଼ିଲ କି?

ଏଡ଼େ ଅଳସୁଆ ହେଲେ କାମ ଚଳିବ କି?”

 

ମୁଁ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣାଙ୍କର ସମ୍ପର୍କରେ ଆସିଲି ତାଙ୍କର ବୃଦ୍ଧାବସ୍ଥାରେ ସେ ସରକାରୀ କାର୍ଯ୍ୟରୁ ଅବସର ନେବା ବୟସରେ ଜଣେ ମେଟ୍ରିକ୍ୟୁଲେସନ କ୍ଳାସର ଛାତ୍ର ଭାବରେ । X X X ତାଙ୍କ ଜୀବନର ଶେଷାଙ୍କରେ କାଣିଚାଏ ମାତ୍ର ଯେତିକି ଜାଣିଥିଲି ସେତିକି ଲେଖି ମୋର ପୂଜ୍ୟପାଦ ଗୁରୁଦେବଙ୍କୁ ସ୍ମରଣ କରି ମୋର ଭକ୍ତି ଅର୍ଘ୍ୟ ଅର୍ପଣ କରି ରହୁଛି ।

-୦-

 

Unknown

ଚନ୍ଦ୍ରମୋହନ

ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ମହାପାତ୍ର

 

ଶଂସିତ ବ୍ୟକ୍ତିଙ୍କ ବିଷୟରେ କିଛି ଜାଣିବା କଥା କହୁଛି । “ଚନ୍ଦ୍ରମୋହନ ବୋଇଲେ ସାହିତ୍ୟିକ, ଶିକ୍ଷାବିତ୍‍, ଶିକ୍ଷକ, ଶୃଙ୍ଖଳାରକ୍ଷକ ଏବଂ କଲମକୁ ଶୃଙ୍ଖଳିତ କରିଥିବା ଏକ ମହତ୍ ଦେଶପ୍ରେମୀ ମହାରଣା ଚନ୍ଦ୍ରମୋହନଙ୍କୁହିଁ ବୁଝିବେ ।” ଆଜିକି ଷାଠିଏ ବର୍ଷ ପୂର୍ବେ ଅର୍ଥାତ୍ ଛଅ ଦଶନ୍ଧି ଗତ ହୋଇଗଲାଣି ତାଙ୍କର କର୍ମମୟ ଜୀବନର ଅବସାନ ଆଡ଼କୁ ଯାଉଥିବା ଅବସ୍ଥାରେ ମୁଁ ଜଣେ ଛାତ୍ର ହିସାବରେ ତାଙ୍କୁ ଜାଣିଥିଲି- ସେ ସମୟର ସ୍ମୃତିକୁ ବର୍ତ୍ତମାନ ଆଉଡ଼ାଇ ଗୁରୁ ଗୌରବ ଯତ୍‌କିଞ୍ଚିତ୍ ପ୍ରକାଶ କରୁଅଛି ।

 

ଆମମାନଙ୍କର ଛାତ୍ରାବସ୍ଥାରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶୀର୍ଷ ଶ୍ରେଣୀରେ (୧୯୧୯) ପଡ଼ୁଥିଲାବେଳେ ସ୍କୁଲ ପୂଜା ଛୁଟିରେ ବନ୍ଦ ଥିଲା । ନମସ୍ୟ ଉପେନ୍ଦ୍ର ନାରାୟଣ ଦତ୍ତଗୁପ୍ତ ହେଡ଼୍‍ମାଷ୍ଟରଙ୍କ କଡ଼ା ନଜରରୁ ପିଲାଏ କିଛିଦିନ ପାଇଁ ମୁକ୍ତି ପାଇଥାନ୍ତି । ଆମେ ମଫସଲ ପିଲାଏ ଘରକୁ ଯାଇ ଆଉ ସ୍କୁଲ ଖବର କିଛି ପାଉ ନ ଥିଲୁଁ । ସ୍କୁଲ ଛୁଟି ପରେ ଖୋଲିଲା । ଦେଖିଲୁଁ ଉପେନ୍ଦ୍ର ବାବୁ ନାହାନ୍ତି, ନୂଆ ହେଡ଼୍‍ମାଷ୍ଟର ଆସିଛନ୍ତି । ଉପେନ୍ଦ୍ର ନାରାୟଣ ଦତ୍ତଗୁପ୍ତଙ୍କୁ ପିଲାଏ କି ସହର ମଫସଲବାସୀ ପଢ଼ୁଆମାନେ ସମସ୍ତେ ପୁରୁଣା ହେଡ଼୍‍ମାଷ୍ଟର ବୋଲି ଜାଣିଥିଲେ-କାରଣ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ବହୁକାଳ ଥିଲେ ବୋଲି ନୁହେଁ, ତାଙ୍କର ଶିକ୍ଷାଦାନ ଏବଂ ଶୃଙ୍ଖଳାରକ୍ଷା ଓ ୧୯୧୭ରେ ମେଲେରିଆ, ମହାମାରୀ ପ୍ରଥମ ବାଲେଶ୍ୱରକୁ ଆକ୍ରମଣ କରିଥିବାବେଳେ, ଆଚାର୍ଯ୍ୟ ହରିହରଙ୍କ ସଙ୍ଗେ ଗ୍ରାମସେବାରେ ପରିଚିତ ହୋଇପଡ଼ିଥିଲେ । ତାଙ୍କୁ ପିଲାଏ ଏତେ ଡରୁଥିଲେ ଯେ, ସେ ବଦଳି ହୋଇ ଆଉଜଣେ ହେଡ଼୍‍ମାଷ୍ଟରଙ୍କ ଆସିବା ସ୍କୁଲ ଖୋଲିବାବେଳେ ଦେଖି ପରସ୍ପର ଉତ୍‌ଫୁଲ୍ଲ ହେଉଥିଲେ । ସେ ପୁରୀ ଜିଲ୍ଲା ସ୍କୁଲ ଚାଲିଗଲେ । ଇୟେ ଯେଉଁ ହେଡ଼୍‍ମାଷ୍ଟର ଆସିଲେ ସେ କଟକ ଟ୍ରେନିଂ ସ୍କୁଲରୁ ଆସିଲେ । ତାଙ୍କୁ ‘ନୂଆ ହେଡ଼୍‍ମାଷ୍ଟର’ ପଦବୀ ଆମେ ଦେଲୁଁ ।

 

ଚନ୍ଦ୍ରମୋହନ ମହାରଣା କହିଲେ ସେତେବେଳେ ଟ୍ରେନିଂ ସ୍କୁଲର ହେଡ଼୍‍ମାଷ୍ଟରଙ୍କୁ ବୁଝାଉଥିଲେ । ଆଉ ଶତ ଶତ ଟ୍ରେନିଂ ପ୍ରାପ୍ତ ଶିକ୍ଷକ ସେଠାରୁ ବାହାରି ତାଙ୍କ ନାମ ସାରା ଓଡ଼ିଶାର ସହର ମଫସଲରେ ପ୍ରକାଶ କରିଥିଲେ । ଆମେ ପିଲମାନେ ଶୁଣିଲୁଁ ଯେ ଏତେ ଦୁର୍ବଳ, ବୁଢ଼ା ଏବଂ ରୋଗା ଅବସ୍ଥାରେ, ଯେ କି ଚାକିରୀ ଶେଷ କରିବାର ପର୍ଯ୍ୟାୟରେ ଅଳ୍ପ କେଇବର୍ଷ ପରେ ପେନ୍‌ସନ୍ ନେବେ, ସେ କାହିଁକି ତାଙ୍କର ଦୀର୍ଘଦିନର କର୍ମସ୍ଥଳ ଏବଂ ଏକ କେନ୍ଦ୍ରସ୍ଥାନ ଛାଡ଼ି ବାଲେଶ୍ୱର ବଦଳି ହେଲେ, ଏହା ସେ ସମୟର ଶିକ୍ଷା ବିଭାଗର କର୍ତ୍ତାଙ୍କର କାହିଁକି ଅସହ୍ୟ ହେଲା ? ଶୁଣିଲୁ ଆମର ନୂଆ ହେଡ଼୍‍ମାଷ୍ଟର ଯଦିବା ବହୁଦିନ ଧରି ଟ୍ରେନିଂ ସ୍କୁଲର ମଙ୍ଗୁଆଳ ଥିଲେ, ତଥାପି ସେ ନିଜେ ଯେ ଟ୍ରେନିଂ ପୁଚ୍ଛ ଧରି ନ ଥିଲେ ଅର୍ଥାତ୍ କୌଣସି ଶିକ୍ଷକ ତାଲିମର ଉପାଧି ପାଇ ନ ଥିଲେ ଏବଂ ସେ ଉପାଧି ପାଇବା ପାଇଁ ଶିକ୍ଷା ନେବାର ମଧ୍ୟ ବୟସ ନ ଥିଲା– ତେଣୁ ସେହି ଶେଷ ଚାକିରୀରେ ଟ୍ରେନିଂସ୍କୁଲ ଛାଡ଼ିବାକୁ ହେଲା । ଯେଉଁ ଲୋକ ଶତ ସହସ୍ର ଛାତ୍ରଙ୍କୁ ଟ୍ରେନିଂପ୍ରାପ୍ତ ଶିକ୍ଷକ କରାଇଥିଲେ ଏବଂ ତାଙ୍କ ପୂର୍ବରୁ ମଧ୍ୟ ଟ୍ରେନିଂ ସ୍କୁଲରେ ତାଙ୍କ ପରି ପ୍ରବୀଣମାନେ ଟ୍ରେନିଂ ନ ପାଇ ଶିକ୍ଷକତା କରି ଶିକ୍ଷକ ଉତାରୁଥିଲେ-କେବଳ ତାଙ୍କରି ବେଳକୁ ବହୁଦିନ ତାଲିମ ଦେବାପରେ ଟ୍ରେନିଂ ପାସ୍‍ ଛପା ଉପାଧି ଅଭାବରୁ ତାଙ୍କର ବାଲେଶ୍ୱର ଜିଲ୍ଲା ସ୍କୁଲକୁ ଆସିବାର ହେଲା ।

 

ଏ କ୍ଷେତ୍ରରେ ଆମେ ପିଲାମାନେ ଉତ୍ତର ଜୀବନରେ ଜଣେ ନାମଜାଦା, କୃତୀ ଶିକ୍ଷକ ଏବଂ ମାତୃଭାଷାର ସୁଲେଖକଙ୍କୁ ଦେଖିଥିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେକଲୁ । ଏହା ନ ହୋଇଥିଲେ ମହାରଣା ସେହି କଟକ ଟ୍ରେନିଂ ସ୍କୁଲରେ କର୍ମ ଜୀବନ ଶେଷ କରିଥାନ୍ତେ, ବାଲେଶ୍ୱର ଲୋକେ ବିଶେଷ କରି ପିଲାଏ ତାଙ୍କ ଦର୍ଶନ ଏବଂ ଭାଷଣ ଶୁଣିପାରି ନ ଥାନ୍ତେ । ପ୍ରକାଶ ଥାଉକି ମହାରଣା ତାଙ୍କ ପ୍ରଥମ ଚାକିରୀ ଜୀବନରେ ପୁରୀ ଜିଲ୍ଲା ସ୍କୁଲରେ ହେଡ଼୍‍ମାଷ୍ଟର ଥାଇ ବଛା ବଛା ଓଡ଼ିଆ ଜାତୀୟତାର ନେତା, କବି, ଦାର୍ଶନିକ ଏବଂ ଭାବୁକଙ୍କୁ ଉତାରିଥିଲେ । ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ପ୍ରଭୃତି ତାଙ୍କୁ ଗୁରୁ ଏବଂ ପୃଷ୍ଠପୋଷକଭାବେ ପାଇଥିଲେ । ଗୁରୁଦେବଙ୍କର ପୁରୀ, କଟକରେ ଛାତ୍ର ଥିଲେ । ଆମ ପଢ଼ିଲାବେଳକୁ ବୁଢ଼ା ସମୟରେ ବାଲେଶ୍ୱରରେ ତାଙ୍କର ଛାତ୍ର ହେଲୁ । ଏଠାରେ ସେ ଶେଷ କେଇବର୍ଷ ଥିଲେ ମଧ୍ୟ ଅନେକ ଛାତ୍ର ତାଙ୍କଦ୍ୱାରା ଉପକୃତ ଏବଂ ଉନ୍ନତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ସୁଯୋଗ୍ୟ ସୁସାହିତ୍ୟିକ ହରିଶଚନ୍ଦ୍ର ବଢ଼ାଲ ଜଣେ ଅଟନ୍ତି ।

 

ସେ ଆମମାନଙ୍କୁ ଇଂରାଜୀ ପଢ଼ାଉଥିଲେ । ତାଙ୍କ ଶ୍ରେଣୀରେ ବସିଥିବାବେଳେ ପିଲାଏ ଏକ ଧ୍ୟାନରେ ତାଙ୍କୁ ଚାହିଁ ରହିଥାନ୍ତି । ଗୋଟିଏ ବୁଢ଼ା ଗୋରାଲୋକ ଧୋତି ଖଣ୍ଡେ ପିନ୍ଧିଥାନ୍ତି ଆଉ କମିଜଟାଏ ଘୋଡ଼ାଇ ହୋଇ ଯେତେବେଳେ କ୍ଳାସ ଘରକୁ ପଶି ଆସନ୍ତି, ସେ କି ଭୟ ଏବଂ ଭକ୍ତି ପିଲାଙ୍କ ଭିତରେ ଭରି ଦିଅନ୍ତି ! ସେ ବଡ଼ ଶୁଚିବାଦୀ ଥିଲେ, କ୍ଳାସ୍‌ରୁମରେ କେତେଥର ଉଠି ପିଅନ ରାଧୁଦ୍ୱାରା ଡାହାଣ ହାତ ପାପୁଲି ଧୋଇ ନେଉଥିଲେ-ଲେଖୁଥିବା କଲମଟିରେ ମୂଳଆଡ଼କୁ କିଛି ଅଂଶ କାଗଜଗୁଡ଼ିଆ ହୋଇଥାଏ । ସେତେବେଳେ ଫାଉଣ୍ଟେନ କଲମ ଦୁଷ୍ପ୍ରାପ୍ୟ ଏବଂ ସୁଲଭ ନ ଥିଲା । କେବଳ ଆମେ ଉପେନ୍ଦ୍ରବାବୁ ହେଡ଼୍‍ମାଷ୍ଟରଙ୍କୁ ଗୋଟିଏ ଫାଉଣ୍ଟେନ କଲମ ବ୍ୟବହାର କରୁଥିବାର ଦେଖିଥିଲୁଁ, ସେକାଳର ତାଙ୍କର ଫୋଟଗ୍ରାଫ୍‌ର ଛାତି ପକେଟରେ ରଖି ଚିତ୍ର ଉଠିଥିବାର ମଧ୍ୟ ଦେଖାଯାଏ । ଆଉ ମହାରଣା ଏପରି ଶୃଙ୍ଖଳା ରକ୍ଷା କରୁଥିଲେ ଯେ ସେ ମୋଟେ ଉଚ୍ଚାଗଳାରେ କାହାକୁ ଡାକୁ ନ ଥିଲେ କିମ୍ବା କାହାରି ଉପରେ ରାଗୁ ନ ଥିଲେ । କେବଳ ଇଙ୍ଗିତରେ ସେ ସବୁ କରାଇ ନେଉଥିଲେ । ପିଅନଠାରୁ ଶିକ୍ଷକମାନେ ସମସ୍ତେ ତାଙ୍କୁ ଏକ ନୀରବ ଭକ୍ତି ହୃଦୟ ମଧ୍ୟରେ ପୋଷଣ କରିଥିବାର ଜଣାପଡ଼ୁଥାଏ । ପଛକୁ ଜାଣିଲୁଁ ଯେ ସେ ଜଣେ ଅତ୍ୟନ୍ତ ନୀତିବାଦୀ ଏବଂ ତ୍ରୁଟି ସଚେତନ ଥିବାରୁ ସେପରି ସ୍ଖଳନ କାହାରି ସହି ପାରୁନଥିଲେ । ତେଣୁ ସମସ୍ତେ ଆଗରୁ ସାବଧାନ ହୋଇ ଯାଉଥିଲେ । ଆମେ ପିଲମାନେ ଶ୍ରେଣୀରେ ତଟସ୍ଥ ହୋଇ ତାଙ୍କ ପାଠ ଶୁଣୁଥିଲୁଁ । ସେ ପଢ଼ାଇଲାବେଳେ ଏପରି ତନ୍ମୟ ହୋଇ ଯାଉଥିଲେ ଯେ କେତେବେଳେ ପଇଁଚାଳିଶ ମିନିଟ୍‌ର ଏକ ପଢ଼େଇବା ଘଣ୍ଟା ଶେଷ ହୋଇଗଲାଣି ଏବଂ ଘଣ୍ଟାରୁ ଶବ୍ଦ ଦିଆଗଲାଣି ତାହା ବୋଧହୁଏ ଜାଣିପାରୁ ନ ଥିଲେ । ଇଂରାଜୀ ସାହିତ୍ୟରେ କୌଣସି ବିଷୟ ସଙ୍ଗେ ସଂସ୍କୃତ ସାହିତ୍ୟରେ ସେହିପରି ବିଷୟରେ କିଏ କେଉଁଠି ଲେଖିଛନ୍ତି: ଓଡ଼ିଆ ସାହିତ୍ୟରେ ବିଶେଷତଃ ରାଧାନାଥ ତାଙ୍କ କାବ୍ୟ କବିତାରେ ସେପ୍ରକାର ବିଷୟରେ କିପରି ଲେଖିଛନ୍ତି, ଏସବୁ ତୁଳନାତ୍ମକ ପ୍ରକାଶ ଚାଲିଥିବା ସଙ୍ଗେ ସଙ୍ଗେ ଯଦି ସେହି ଇଂରାଜୀ ସାହିତ୍ୟରେ ବର୍ଣ୍ଣିତ କୌଣସି ଦୃଶ୍ୟ ସଙ୍ଗେ ଓଡ଼ିଶାରେ କୌଣସି ପ୍ରାକୃତିକ ଦୃଶ୍ୟର ସାଦୃଶ୍ୟ ସେ ଦେଖିଥାନ୍ତି, ତାହା ବର୍ଣ୍ଣନା କରନ୍ତି । ଉଦାହରଣସ୍ୱରୂପ Rip-van-wincle (Irringଙ୍କ) ପଢ଼ାଇଲାବେଳେ ଏଥିରେ ବର୍ଣ୍ଣିତ କେତେକ ଦୃଶ୍ୟ ସଙ୍ଗେ ଖୋର୍ଦ୍ଧାର କେତେକ ଦୃଶ୍ୟ, ଏପରିକି ବାଲେଶ୍ୱର ସହର ଭିତରେ ସେତେବେଳେ ଥିବା Distella Roadର ଉଭୟ ପାର୍ଶ୍ୱରେ ଦେବାଦରୁ ଗଛର କ୍ସକ୍ଟଙ୍ଗକୁ ମଧ୍ୟ ଇଂରାଜୀ କବିତାର Wordsworth, Shellyଙ୍କ କେତେକ ସ୍ଥାନ ବର୍ଣ୍ଣନାବେଳେ ଦେଖାଇ ଦେଉଥାନ୍ତି । ପଇଁଚାଳିଶ ମିନିଟରେ ଏକ ପିରିଅଡ୍ ତାଙ୍କୁ କୁଳାଉ ନ ଥିବାରୁ ଅନ୍ୟ ଶିକ୍ଷକ ପରବର୍ତ୍ତୀ ଘଣ୍ଟାରେ ଆସି ଶ୍ରେଣୀ ସାମନାରେ ଏହାଙ୍କ ନଜରକୁ ଆସି ଫେରି ଯାଉଥିଲେ ।

 

ଆମେମାନେ ସେତେବେଳେ ପୁସ୍ତକଗତ ଶିକ୍ଷାଠାରୁ ତାଙ୍କର ଅଭିଜ୍ଞତାଲବ୍‌ଧ ବିଷୟମାନ ଶୁଣିବାକୁ ପାଇଥିଲୁଁ; ଏହା ଛାତ୍ର ହୃଦୟରେ ଲାଖି ହୋଇ ରହି ଯାଉଥିଲା । ସେ ତାଙ୍କର ସହକର୍ମୀମାନଙ୍କ ଭିତରୁ ପ୍ରାୟ ସମସ୍ତେ କନିଷ୍ଠ ଥିବାରୁ ଏବଂ ନିଜର ସ୍ନେହ ପ୍ରକାଶ ପାଇଁ ଅନୁପଯୁକ୍ତ ଥିବାରୁ, କେତେବେଳେ ଦରକାର ହେଲେ ସେମାନଙ୍କ ନାମ କେବଳ ସସ୍ନେହରେ ଉଚ୍ଚାରଣ କରି କଥା କହୁଥିଲେ- ଯଥା ଜଗନ୍ନାଥ ତ୍ରିପାଠୀ, ଭୀମ ରାଉତଙ୍କ ଭଳି ଲୋକମାନେ ତାଙ୍କର ସହକାରୀ ହେଡ଼୍‍ମାଷ୍ଟର ଥିଲେ ସୁଦ୍ଧା ସେ ଜଗନ୍ନାଥ, ଭୀମ ଏହିପରି ଭାବରେ କଥାବାର୍ତ୍ତା ସମୟରେ ସ୍ନେହସୂଚକ ନାମ ଉଚ୍ଚାରଣ କରୁଥିଲେ । ଆଜିକାଲିକା ଭଳି ନିମ୍ନଶ୍ରେଣୀ କର୍ମଚାରୀମାନଙ୍କୁ ମଧ୍ୟ ତାଙ୍କ ନାମ ସହ ‘ବାବୁ’ ଶବ୍ଦ ଯୋଡ଼ି ଡାକିବା ତାଙ୍କଠାରେ ନ ଥିଲା । ତାଙ୍କର ଅବ୍ୟକ୍ତ ସ୍ନେହ ସେ ଏହିପ୍ରକାର ପ୍ରକାଶ କରୁଥିଲେ ଏବଂ ସମସ୍ତ ସହକର୍ମୀମାନେ ଅଧିକ ଆଗ୍ରହରେ କର୍ତ୍ତବ୍ୟରତ ଥିବାର ଦେଖୁଥିଲେ ।

 

ସେ ଏପରି ହୃତ୍‍ସ୍ୱାସ୍ଥ୍ୟ ଥିଲେ ଯେ ତାଙ୍କ ଯୌବନର ପ୍ରତିଛବି ଯେ ନ ଦେଖିଛି, ସେ ବିଶ୍ୱାସ କରିପାରିବ ନାହିଁ ଯେ ଯୌବନରେ ସେ ଜଣେ ଦୀପ୍ତିମନ୍ତ ସ୍ୱାସ୍ଥ୍ୟବାନ ସୁଢ଼ଳ ଆକୃତି ବିଶିଷ୍ଟ ଶ୍ୟାମାଙ୍ଗ ପୁରୁଷ ଥିଲେ । ଏକଥା ତାଙ୍କର ଗରିଷ୍ଠ ଆହାର ଭୋଜନାନ୍ତେ ପରିପାକ କରି ଦେଉଥିବା ବିଷୟ ଆମ୍ଭେମାନେ ପଣ୍ଡିତ ମହାଶୟଙ୍କଠାରୁ ଶୁଣିଥିଲୁଁ । ଆଗରୁ ତାଙ୍କର ଯୌବନର ମୂର୍ତ୍ତି ଉତ୍କଳ ସାହିତ୍ୟ ପତ୍ରିକାରେ ଦେଖିଥିଲି । ତାଙ୍କ କଥାର ଯଥାର୍ଥତା ଥିଲା । ଥରେ ସେ ପାଦରେ ଚାଲି ଏବଂ ତାଙ୍କ ସ୍ତ୍ରୀ କନ୍ୟାଙ୍କୁ ଗୋରୁ ଗାଡ଼ିରେ ବସାଇ ଅନ୍ୟ କୌଣସି ଭୃତ୍ୟଙ୍କୁ ସାଙ୍ଗରେ ନ ନେଇ ଆମ୍ଭମାନଙ୍କ ଗ୍ରାମ ପୁରୁଣା ବାଲେଶ୍ୱରର ଶ୍ରୀ ବାଣେଶ୍ୱର ମହାଦେବଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ସେଇଥର ସେ ତାଙ୍କର କୌଳିକ ମନ୍ତ୍ରଫୁଙ୍କା ବ୍ରାହ୍ମଣ ଅଧିକାରୀଙ୍କ ଘରକୁ ମଧ୍ୟ ଗଲେ । ସେଠାରେ ସେ ରାଧାଶ୍ୟାମ ବାଡ଼ିରେ ତାଙ୍କ ପାଦ ବନ୍ଦନା କଲେ । ଇୟେ ଏତେ ବୁଢ଼ା ହୋଇ ଯାଇଥିଲେ- ସିଏ କିନ୍ତୁ ଟୋକା ଥିଲେ । ଏଥିରୁ ସନାତନୀ ପ୍ରଥା ସେ ଛାଡ଼ି ନ ଥିବାର ଜଣାଗଲା ।

 

ଆମ୍ଭମାନଙ୍କୁ ପଢ଼େଇବାବେଳେ କୌଣସି କାରଣରୁ କବିବର ରାଧାନାଥ ରାୟଙ୍କ ବିଷୟରେ ରଚନା ମାଧ୍ୟମରେ ଉଲ୍ଲେଖ କରୁଥିଲାବେଳେ ସେ ତାଙ୍କ ପ୍ରତି ଏପରି ଭକ୍ତି ଦେଖାଉଥିଲେ ଯେ ପ୍ରଚଳିତ ଭ୍ରମ ଧାରଣା ଆମ୍ଭମାନଙ୍କର ଦୂର ହୋଇଗଲା । ଏପରି କୃତଜ୍ଞତା ଏବଂ ଭକ୍ତି ସହ ସ୍ୱଦେଶ ପ୍ରୀତିରେ ସେ ତାଙ୍କ ବିଷୟରେ ମଜ୍ଜି ଯାଉଥିଲେ । ସେ ଦେଖିଛି ତାଙ୍କ ସେତେବେଳର ମୂର୍ତ୍ତି ସେ ଭୁଲିପାରିବ ନାହିଁ । ଅନେକେ କହୁଥିଲେ ସେ କେତେବେଳେ ଲେଖାରେ ବ୍ୟାକରଣ ଦୋଷ ମାର୍ଜନା କରୁନଥିଲେ ଏବଂ ଯାହା ଲେଖୁଥିଲେ ବାରମ୍ବାର ପରବର୍ତ୍ତୀ ସମୟରେ ସଂଶୋଧନ କରୁଥିଲେ । ଯେ ତାଙ୍କର ଯୌବନର ‘କଥାବଳି’ ପଢ଼ିଛନ୍ତି ସେ ଦେଖିବେ କିପରି ଭାବପୁଷ୍ଟ ଓ ସାହିତ୍ୟିକର ପ୍ରକୃତ ବିଭବପୂର୍ଣ୍ଣ ଅଟେ । ଶରତ୍ ଋତୁ ବର୍ଣ୍ଣନା ପ୍ରସଙ୍ଗରେ ଶେଫାଳି ଫୁଲକୁ ଦେଖି ଲେଖିଛନ୍ତି:-

 

“ପ୍ରବାଳ ବୃନ୍ତରେ ଖଚିତ ସଜ ସ୍ଫଟିକ ଦଳ,

ଲଭନ୍ତା ଉପମା ହୋଇଲେ ସୁବାସିତ କୋମଳ ।”

 

ଏହି ଦୁଇଧାଡ଼ି ନମୁନା ଦେଖନ୍ତୁ । ବକୁଳ ବୃକ୍ଷ ଉପରେ ଲିଖିତ କବିତା ସେହିପରି “ପର୍ଣ୍ଣେଫଳ, ବର୍ଣ୍ଣେରମ୍ୟ” X X X ଆଦି । ଏଭଳି ପ୍ରତିଭା ଉତ୍କଳ ମାଟିରେ ବିକଶିତ ହୋଇପାରିଲା ନାହିଁ । ଦୁର୍ଭାଗ୍ୟର ବିଷୟ । ଏହା ଦୈବୀ ବିଡ଼ମ୍ବନା, କାଳକ୍ରମେ ଏହା ବିସ୍ମୃତ ହୋଇ ଯାଉଅଛି । ସେ ଯେପରି ଦାରିଦ୍ର‌୍ୟର କଷାଘାତ ସହି ମଣିଷ ହୋଇଥିଲେ ସେହିପରି ଅନ୍ୟଠାରେ ଗୁଣ ଏବଂ ଶକ୍ତିର ସନ୍ଧାନ ପାଇଲେ ତାଙ୍କୁ ମଧ୍ୟ ଉପରକୁ ଉଠାଇବାକୁ ସାହାଯ୍ୟ କରୁଥିଲେ । ଅବଶ୍ୟ ଏସବୁ ସେ ପ୍ରଚାର କରିନାହାନ୍ତି । ଏହା ତାଙ୍କର ସ୍ୱଭାବ ନ ଥିଲା । ସେ ତ୍ରୁଟି ସହି ପାରୁ ନ ଥିବାରୁ ନିଜର ଅନ୍ତରରେ ବୋଧହୁଏ କୋପକୁ ଚପାଇ ରଖୁଥିଲେ । ସେଥିପାଇଁ ନାନା ଦୁର୍ବିପାକରେ ମ୍ରିୟମାଣ ହେଉଥିଲେ । ଆଜିକି ପଚାଶ ବର୍ଷ ହେଲା ସେ ଚାଲିଗଲେଣି । ତାଙ୍କର ଲେଖାଗୁଡ଼ିକରୁ ଲୁପ୍ତ ରତ୍ନୋଦ୍ଧାର ହେଉ ।

 

ଚନ୍ଦ୍ରମୋହନଙ୍କୁ ରାସ୍ତାର ମଝିରେ ଚାଲିବାର ଦେଖିନାହୁଁ । ସେ ଆମ୍ଭମାନଙ୍କ ଗାଁକୁ ଯାଇଥିଲାବେଳେ ଏବଂ ତାଙ୍କୁ ବାଟେଇବା, ବଧାଇ ଦେବାକୁ ଫେରନ୍ତା ସହର ରାସ୍ତାରେ ଚାଲୁଥିଲାବେଳେ ଏହି କଥା ଦେଖିଥିଲୁଁ । ଏଥିରେ ରାଧାନାଥଙ୍କ ଜୀବନୀରେ ପଢ଼ିଥିବା ତାଙ୍କର ରାସ୍ତା କଡ଼େ କଡ଼େ ଚାଲିବା କଥା ମନେ ପଡ଼ିଯାଏ । ଏହା ଏକ ପ୍ରକାର ନିରାପତ୍ତା ସତ୍ତ୍ୱେ ବିନୟର ଲକ୍ଷଣ । ସେ ଘରେ ଖଣ୍ଡିଏ ଗେରୁଆ ଲୁଗା ପିନ୍ଧୁଥିଲେ । ଶୀତଦିନେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କ୍ୱାର୍ଟରରେ ଦେଖିଛୁଁ ଖଣ୍ଡିଏ ଗେରୁଆ ଲୁଗାର କାନିଟିଏ ଘୋଡ଼ି ହୋଇ ଗୋଟିଏ ନିଆଁ (ଉମ୍‌ହେଇ) ରଖିବା ମାଟିପାତ୍ର ପାଖରେ ବସିଥାନ୍ତି । ଶୁଣିଥିଲୁଁ ଯେ ସେ ଘରେ ଖଲିପତ୍ରରେ ଖାଆନ୍ତି । (ଖଲି-ସାନ ଶାଳପତ୍ରକୁ ସିଲାଇ କରି ବଡ଼ କରାଯାଇଥାଏ) ସେ ଆମ୍ଭମାନଙ୍କୁ ଥରେ ‘ଖଲ୍ଲିକୋଟ’ ରାଜ୍ୟ କଥା କହି ପଚାରୁଥିଲେ ଖଲ୍ଲି ଅର୍ଥ କ’ଣ ? ସେପରି ଉତ୍ତର ଠିକ୍ ଭାବରେ କେହି କହିଲେ ନାହିଁ । ସେ କହିଲେ ଖଲ୍ଲି ଅର୍ଥ ସାନ, ସାନ ସାନ କେତେକ କୋଟ = ରାଜ୍ୟାଂଶ ମିଶି ନାମ ଖଲ୍ଲିକୋଟ । ଥରେ ଗ୍ରୀଷ୍ମବକାଶରେ ତାଙ୍କର ବେତନ ବୃଦ୍ଧି ହୋଇ ପାଞ୍ଚଶହ ଟଙ୍କା ହେତୁ ସମସ୍ତ ସ୍କୁଲର କର୍ମଚାରୀ ସହ ପିଲାମାନଙ୍କୁ ଖୁଆଇଥିଲେ । ସେ ଦିନ ଆମେମାନେ ତାଙ୍କ ବଡ଼ପୁଅ ରଜନୀ ବାବୁଙ୍କୁ ସେଠାରେ ଦେଖିଲୁ (ସେତେବେଳେ ଲୋକନାଥ ଏବଂ ଶରତ ଯଥାକ୍ରମେ ୯ମ ଓ ୫ମ ଶ୍ରେଣୀ ଛାତ୍ର), ରଜନୀ ବାବୁ ବି.ଏ ପରୀକ୍ଷାରେ ଫେଲ ହୋଇ ଘରେ ଥିଲେ । ଚନ୍ଦ୍ରମୋହନଙ୍କର ଗୋଟିଏ ଧାରଣା ଥିଲା- ପିଲା ଅକୃତକାର୍ଯ୍ୟ ହେବ କାହିଁକି ? ସେ ନିଶ୍ଚୟ ପରିଶ୍ରମ ଓ ଚେଷ୍ଟା କଲେ କୃତକାର୍ଯ୍ୟ ହେବ । ଏହି ଧାରଣା ହେତୁ ସେ ପୁଅ ପ୍ରତି ମନେ ମନେ ରାଗି ରହିଥିଲେ । ସେ ସମୟରେ ରଜନୀ ବାବୁଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବାରୁ ଦେଖିଥିଲୁଁ । ପିତାଙ୍କ ଅସନ୍ତୋଷରୁ ନୁହେଁ ତ ? ସେହି ଭୋଜିରେ ସେ ଅତ୍ୟନ୍ତ ଶୁଚିଗ୍ରସ୍ତ ଥିଲେ । ପ୍ରତ୍ୟେକ ପିଲାଙ୍କୁ ଅଇଁଠା ବିଷୟରେ ସଚେତନ କରାଉଥାନ୍ତି । ପୂଝାରୀ ଓ ପରିବେଷକମାନଙ୍କର ଡରି ଡରି ଖାଦ୍ୟ ପରିବେଷଣ ଏବଂ ଅଣାଇବା ହେଉଥାଏ ଯେପରି ଖାଦ୍ୟର ପବିତ୍ରତା କୌଣସିରୂପେ ନଷ୍ଟ ନ ହୁଏ । ‘ଶଙ୍ଖୁଳି’ ଶବ୍ଦଟା ବାରମ୍ବାର ସେ ଶୁଣାଉଥାନ୍ତି । ଖୁବ୍ ସ୍ନେହମୟ ବାତାବରଣରେ ଶିକ୍ଷକ ଓ ଛାତ୍ରମାନେ ସେଦିନ ସେଠାରେ ଏକପ୍ରକାର ମିଶିଯାଇଥିବାର ସେ ବାରମ୍ବାର ଦେଖିବାକୁ ବୁଲୁଥାନ୍ତି । ବାସ୍ତବିକ ହୃଦୟବାନ ବ୍ୟକ୍ତି ସେ ଥିଲେ । ସେହିବର୍ଷ ସେ ତଳ ଶ୍ରେଣୀରେ ସାହିତ୍ୟ କୁସୁମ ପରିବର୍ତ୍ତେ ‘କଥାବଳି’ ଚାଲୁ କରାଇଥିଲେ । ଉକ୍ତ ବହିରେ ତାଙ୍କର ‘ବକୁଳ’, ‘ଛଅଋତୁ’ ଏବଂ ‘ସଦ୍ୟପ୍ରାପ୍ତ ଶିଶୁ ମୃତ୍ୟୁରେ’ ଲିଖିତ କବିତା ସବୁ ପିଲାଏ ଗାଇ ବୁଲୁଥିଲେ । ସେ ତାଙ୍କ ଯୌବନରେ କିପରି କବିତା ଲେଖୁଥିଲେ ତାହା ତାଙ୍କ ବିଷୟରେ ଏକ parodyରେ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏହିପରି ଲେଖି ଅଛନ୍ତି ଉତ୍କଳପୁତ୍ର “ଫକୀରମୋହନ” ତାଙ୍କ ଉତ୍କଳ ଭ୍ରମଣରେ:–

“ଆହେ ଚନ୍ଦ୍ର ମହାରଣେ ହେଉ ହେଉ ହେଉ,

ଆଉ ଥରେ ଢାଳିଦିଅ କବିତାର ଢେଉ ।

ଛପାଇବେ ରାମଚନ୍ଦ୍ର ଚିନ୍ତା କି ହେ ଆଉ,

ମାରିନେବ ଟଙ୍କା ମୁଠେ ଠୁଙ୍କି ଦେଇ ବାହୁ ।”

 

(ଶ୍ରୀ ରାମଚନ୍ଦ୍ର ଭଞ୍ଜ, ମୟୁରଭଞ୍ଜ ମହାରାଜାଙ୍କ ଉତ୍କଳ-ପ୍ରଭା ପତ୍ରିକାରେ ଲେଖି ସେ ପାରିତୋଷିକ ପାଉଥିଲେ ।) ଯେତେଦୂର ସମ୍ଭବ ଚନ୍ଦ୍ରମୋହନଙ୍କ ଶେଷ ରଚନା ‘ଉତ୍କଳ-ସାହିତ୍ୟ’ରେ ୧୯୧୮ ମସିହା ଫକୀରମୋହନ ସ୍ମୃତିସଂଖ୍ୟା (କବିଙ୍କ ମୃତ୍ୟୁ ପରେ) “ଫକୀରମୋହନ” ଶିରୋନାମାରେ ବାହାରିଥିଲା । ଏହାପରେ ଚନ୍ଦ୍ରମୋହନ ମହାରଣାଙ୍କୁ ଲେଖିବାର ଦେଖାଯାଏ ନାହିଁ ।

 

ଶଂସିତ ବ୍ୟକ୍ତିଙ୍କ ବିଷୟରେ ତାଙ୍କର ସମାଲୋଚକ (ଗ୍ରାମ୍ୟ) କେହି କେହି କହନ୍ତି ସେ ବଡ଼ ଜିଦଖୋର ଏବଂ litigant ଥିଲେ ଏବଂ ଏହା ତାଙ୍କର ଗୃହଦାହ ପରେ ହୋଇପାରିଥାଏ । ଯେହେତୁ ସେ ଅତ୍ୟନ୍ତ ଦୁଃସ୍ଥ ଅବସ୍ଥାରେ ବାଲ୍ୟକାଳରେ ଦିନ ଯାପନ କରିଥିଲେ– ରେମୁଣାରୁ ବାଲେଶ୍ୱର ଜିଲ୍ଲା ସ୍କୁଲକୁ ଦୈନିକ ଗୋଡ଼ରେ ଚାଲି ଚାଲି ଯିବା ଆସିବା କରୁଥିଲେ । ଏପିରିକି ରାତିର ପଢ଼ିବା ପାଇଁ ଆଲୁଅ ମଧ୍ୟ ମିଳୁ ନ ଥିଲା ବୋଲି ଜନଶ୍ରୁତି କହେ । ସ୍ୱର୍ଗୀୟ ଚନ୍ଦ୍ରମୋହନ ମହାରଣା ସ୍ନ୧୮୮୫ ମସିହାରେ ବାଲେଶ୍ୱର ଜିଲ୍ଲା ସ୍କୁଲରୁ ଏନ୍‌ଟ୍ରାନ୍ସ ପରୀକ୍ଷାରେ ୧ମ ଶ୍ରେଣୀରେ ବୃତ୍ତିଧାରୀ ଛାତ୍ରରୂପେ ପାସ୍‍ କରିଥିଲେ । ସେ ବର୍ଷ କେହି ପ୍ରଥମ ଶ୍ରେଣୀରେ ପାସ୍‍ କରିନଥିଲେ (vide-Balasore Zilla School Centenary Souvenir 1953) । ଜଣେ ଦୁଃସ୍ଥ ଛାତ୍ର ୧୬ବର୍ଷ ବୟସରେ ପାସ୍‍ କରିବା ପୂର୍ବରୁ ୧୨/୧୩ ବର୍ଷରୁ ଜିଲ୍ଲା ସ୍କୁଲର ୪ର୍ଥ ଶ୍ରେଣୀରେ ପାଠ ପଢ଼ିବାକୁ ଦୈନିକ ଗୋଡ଼ରେ ଚାଲି ଚାଲି ରେମୁଣାରୁ ବାଲେଶ୍ୱର ୧୦ ମାଇଲ ଯିବା ଆସିବା କରି ନାନା ପ୍ରତିବନ୍ଧକ ଭିତରେ ଆଗେଇ ଯିବା ଏକ ଅସାଧାରଣ କଥା ଥିଲା । ତଦ୍ୱାରା ସେ ଶିକ୍ଷାବିଭାଗର ଉଚ୍ଚ ପଦରେ ଅଧିଷ୍ଠିତ ରାଧାନାଥ ରାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସେ ତାଙ୍କର ପଠଦ୍ଦଶାରେ ତାଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ । ଏକଥା କହିବାର ଅର୍ଥ ହେଉଛି ଚନ୍ଦ୍ରମୋହନ ମହାରଣାଙ୍କର ଅନ୍ତର୍ନିହିତ କୋମଳ ସ୍ୱଭାବ ତାଙ୍କ ବଡ଼ପୁଅଙ୍କର ବି.ଏ. ଫେଲ ହେବାରେ ଉଦ୍ଭବ ହେବା ସ୍ୱାଭାବିକ ଥିଲା ।

 

ଯାହାହେଉ ଆଜି “ଗୁରୁ ଗୌରବ” ଏତିକି ଲେଖି ଏ ଅକିଞ୍ଚନ ଏକଦା ତାଙ୍କ ଛାତ୍ର ଆତ୍ମପ୍ରସାଦ ଲାଭ କରୁଅଛି ।

-୦-

 

ମୋ ଜାଣିବାରେ

ରସରାଜ ବଟବିହାରୀ ଦାସ

 

ଚନ୍ଦ୍ର ଆବିଷ୍କୃତ ହୋଇ ତାହାର ମାଟି, ଗୋଡ଼ି, ପଥର ଭୂପୃଷ୍ଠକୁ ଅଣାଯାଇ କେତେ କ’ଣ ପରୀକ୍ଷା ନିରୀକ୍ଷା ହୋଇଯାଇଛି, କିନ୍ତୁ ଚନ୍ଦ୍ରମୋହନ ମହାରଣା ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇ ନାହାନ୍ତି । ତାଙ୍କୁ ଆମେରିକା ତ ଆବିଷ୍କାର କରି ନଥାନ୍ତା, କରିଥାନ୍ତେ ଓଡ଼ିଆ ପୁଅମାନେ । ସିନ୍ଧୁ ପ୍ରଦେଶର ମହେନ୍‌-ଜୋ-ଦାରୋ ଏବଂ ପଞ୍ଜାବର ହରପ୍‌ପା ଏହି ଦୁଇ ସ୍ଥାନରେ ଖନନ ଫଳରେ ଭାରତର ପ୍ରାଚୀନତମ ସଭ୍ୟତା ଆବିଷ୍କୃତ ହେଲା । ଏହି ଆବିଷ୍କାରର ବଡ଼ପଣ୍ଡା ପ୍ରତ୍ନତତ୍ତ୍ୱବିଦ୍ ପଣ୍ଡିତ ରାଖାଲ ଦାସ ବନ୍ଦୋପାଧ୍ୟାୟ ଥିଲେ । ହେଲେ ଓଡ଼ିଶାର ପ୍ରତ୍ନତତ୍ତ୍ୱବିଦ୍ ପରମାନନ୍ଦ ଆଚାର୍ଯ୍ୟ ମଧ୍ୟ ଥିଲେ, ସେ ଚେଷ୍ଟା କରି ଖୋଳତାଡ଼ କରିଥିଲେ କିଛି କରିପାରି ନ ଥାନ୍ତେ ? ଏହାବୋଲି ମୁଁ କହୁନାହିଁ ଯେ ଚନ୍ଦ୍ରମୋହନଙ୍କ ଶ୍ମଶାନକୁ ଖୋଳିତାଡ଼ି ତାଙ୍କୁ ଆବିଷ୍କାର କରିଥାନ୍ତେ । ଖୋଳିଥିଲେ ତାଙ୍କ ହାଡ଼ର ଟୁକୁରାଟେ ମଧ୍ୟ ପାଇନଥାନ୍ତେ । ଯଦିବା ଶ୍ମଶାନରୁ ମାଟି ମୁଠେ ଆଣିଥାନ୍ତେ ତାକୁ ନେଇ କୌଣସି ରସାୟନବିଦ୍ ପାଖକୁ ପୁଣି ଦୌଡ଼ିବାକୁ ପଡ଼ିଥାନ୍ତା । ସେଥିରୁ କ’ଣ ବା ଲାଭ ହୋଇଥାନ୍ତା ? କିନ୍ତୁ ମାଟି ଖୋଳି ଚନ୍ଦ୍ରମୋହନଙ୍କୁ କ’ଣ ଆବିଷ୍କାର କରିହେବ ? କାଗଜପତ୍ର ଘଣ୍ଟାଚକଟା ନ କଲେ ତାଙ୍କୁ ଆବିଷ୍କାର କରିବା ସମ୍ଭବ ନୁହେଁ ।

 

ଚନ୍ଦ୍ରମୋହନ ଚିର ବିଦାୟ ନେବାର ଅର୍ଦ୍ଦଶତାବ୍ଦୀ ପୂରିଗଲାଣି । ଏବେବି ତାଙ୍କ ଜନ୍ମସ୍ଥାନ ରେମୁଣାର ଲୋକମାନେ ତାଙ୍କୁ ଆବିଷ୍କାର କରିପାରି ନାହାନ୍ତି । ଯେଉଁମାନେ ତାଙ୍କୁ ନିଜ ଆଖିରେ ଦେଖିଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଅଶିକ୍ଷିତ ଗାଉଁଲି ଲୋକ ତାଙ୍କୁ ଚାନ୍ଦ ମହାରଣା ବୋଲି ଜାଣିଥିଲେ । ଟିକିଏ ଶିକ୍ଷାପ୍ରାପ୍ତ ଲୋକ ତାଙ୍କୁ ଚନ୍ଦ୍ରମୋହନ ମାଷ୍ଟର ବୋଲି ଜାଣିଥିଲେ । ସେମାନଙ୍କଠାରୁ ଆଉ ଟିକିଏ ଶିକ୍ଷିତ ଲୋକ ତାଙ୍କୁ ‘କଥାବଳି’ ଓ ‘ବ୍ୟାକରଣ’ ଲେଖକ ବୋଲି ଜାଣିଥିଲେ । ତାଙ୍କଠାରୁ ଅଧିକ ଶିକ୍ଷିତ ଲୋକ ଯେଉଁମାନେ କି କଲେଜ ପାଠ ଶେଷ କରିଥିଲେ ସେମାନେ ସବୁ ଜାଣି ଅଜଣା ଭଳିଆ ଥିଲେ । କିମ୍ବା ପୂଜ୍ୟପୂଜା ଦିଗରେ ଉଦାସୀନ ଥିଲେ । ଅର୍ଦ୍ଧଶତାବ୍ଦୀ ବିତିଗଲାଣି, ପୂର୍ବର ସେହି ଉଦାସୀନତା ଭାବ ଆଉ କ’ଣ ରହନ୍ତା ? ସମାଜର ରଙ୍ଗ ଢଙ୍ଗ ବଦଳି ଗଲାଣି, ରୁଚି ବି ବଦଳି ଗଲାଣି, ସଂକୀର୍ଣ୍ଣମନ ପ୍ରଶସ୍ତ ହେଲାଣି । ଦେଖାଶିଖା ଓଡ଼ିଶା, ଅନ୍ୟାନ୍ୟ ପ୍ରଦେଶରେ କିପରି ପୂଜ୍ୟପୂଜାର ଆଦର ବଢ଼ି ଚାଲିଛି ତାହା ଓଡ଼ିଆ ପୁଅ ଦେଖୁଛନ୍ତି । କେତେଦିନ ଆଉ ଉଦାସୀନ ହୋଇ ବସି ରହନ୍ତେ । କିନ୍ତୁ ବର୍ତ୍ତମାନ ଅଣ୍ଡାଳି ବୁଲିଲେ ପାଇବେ କ’ଣ ? ନେଡ଼ିଗୁଡ଼ କହୁଣିକୁ ବହି ଯାଇଛି । ତଥାପି କହୁଣି ଚାଟିବାକୁ ପଡ଼ିବ । କିନ୍ତୁ ଏପର୍ଯ୍ୟନ୍ତ କେହି ମେହେନତ କରି ନାହାନ୍ତି କି ଚେଷ୍ଟା ବି କରି ନାହାନ୍ତି । ସେଥିପାଇଁ ନିରାଶ ନ ହୋଇ ଆଉ ଅଳ୍ପଦିନ ପାଇଁ ଧୈର୍ଯ୍ୟ ଧରନ୍ତୁ । ଚନ୍ଦ୍ରମୋହନ ଆବିଷ୍କୃତ ହେବେ । ଉଆଁଶ ପକ୍ଷ ଗଡ଼ିଗଲା କିନା, ତା’ପରେ ଆକାଶଟା ମେଘୁଆ ମେଘୁଆ ଥିବାରୁ ଅସୁବିଧା ହେଲା । ଏବେ ଆକାଶ ନିର୍ମଳ, ଏହା ସାଙ୍ଗକୁ ଜଣେ ତରୁଣ ଜ୍ୟୋତିର୍ବିଦ୍ ମଧ୍ୟ ଆବିଷ୍କାରରତ । ଚନ୍ଦ୍ରମୋହନ ଯିବେ କୁଆଡ଼େ ? ତାଙ୍କ ମାଲମସଲା ବି ଯିବ କୁଆଡ଼େ ? ଏଥର ମୋ ଆଖି ଦେଖା, ଜାଣିବା କଥା ଦି’ପଦ କହେଁ ।

 

ମୋ ବୟସ ସେତେବେଳେ ଛଅ କି ସାତ ହେବ । ଦିନେ ମୁଁ ଆମ ଗାଁ ଦାଣ୍ଡରେ ଅନ୍ୟ ପିଲାଙ୍କ ସହିତ ଖେଳୁଥିଲି । ଆମେ ସମସ୍ତେ ଲଙ୍ଗଳା, କେହି ଲୁଗା ପିନ୍ଧି ନ ଥିଲୁଁ । ସେତେବେଳେ ଆଜିକାଲିକା ପରି ଛୁଆମାନେ ପେଣ୍ଟ ପିନ୍ଧୁ ନ ଥିଲେ । ଛୋଟ କରିଆ ଧୋତି ପିନ୍ଧୁଥିଲେ । ଲୁଗା ମଇଳା ହେବା ଭୟରେ ବାପ ମା’ ପିଲାଙ୍କୁ ଲୁଗା ପିନ୍ଧାଇ ଖେଳିବା ପାଇଁ ଛାଡ଼ୁ ନ ଥିଲେ । ଆମେ ସେଦିନ ବୋଧହୁଏ ବାଗୁଡ଼ି ଖେଳରେ ରତ ଥିଲୁଁ । ହଠାତ୍ ଜଣେ ଅପରିଚିତ ବାବୁଙ୍କୁ ଦେଖି ଖେଲ ବନ୍ଦ କରି ତାଙ୍କ ଆଡ଼କୁ ଅନେଇ ରହିଲୁଁ । ବେଶି ଲମ୍ବା ନୁହନ୍ତି କି ଗେଡ଼ା ନୁହନ୍ତି । ଦେହର ବର୍ଣ୍ଣ କଳା । ଏଭଳିଆ ଲୋକଙ୍କୁ ଦେଖି ଭୟ କରିବାର ନୁହଁ, କିନ୍ତୁ ତାଙ୍କର ସେହି ଜୁଆଳିଆ ନିଶ ହଳକ ଦେଖି ଆମ ପିଳେହି ପାଣି । ମୋ ଆଡ଼କୁ ଚାହିଁ କହିଲେ, “ଆରେ ପିଲା, କୃଷ୍ଣବାବୁଙ୍କ ଘର କେଉଁଟା ?” ମୁଁ ହାତ ବଢ଼େଇ କହିଲି, “ସେଇ ଆଡ଼େ ।” ତା’ପରେ ସେ ମୋତେ ତାଙ୍କ ସାଙ୍ଗରେ ଯାଇ ଘର ଦେଖେଇଦେବା ପାଇଁ କହିଲେ । ମୁଁ କିନ୍ତୁ ତାଙ୍କ ସଙ୍ଗରେ ନ ଯାଇ କହିଲି, “ହେଇ ତାଙ୍କ ଘରଟା ଦିଶୁଚି ଯେ....” ସେ ଆଉ ମୋତେ ଅପେକ୍ଷା ନ କରି ଦାଣ୍ଡ ମଝିରେ ନ ଚାଲି ଗୋଟିଏ କଡ଼ରେ ଚାଲିଗଲେ । ଆମେ ବଡ଼ କୌତୁହଳି ହୋଇ ଅନେଇ ଥାଉଁ । କାରଣ ଦାଣ୍ଡ ମଝିରେ ନ ଚାଲି ବାଡ଼ କଡ଼ଟାରେ କାହିଁକି ଚାଲୁଛନ୍ତି । ପ୍ରାୟ ଅଧଘଣ୍ଟାକ ପରେ ସେ ଓ କୃଷ୍ଣବାବୁ ସେହି ବାଟରେ ଫେରିବାର ଦେଖି ମୁଁ ଲୁଚିଗଲି । କାରଣ କୃଷ୍ଣବାବୁ ମୋର ଜେଡ଼ୁତା ପୁଅ ଭାଇ । ଯଦି ଜଣାପଡ଼ିଯାଏ ଯେ ମୁଁ ସେହି ବୁଢ଼ାଙ୍କୁ ତାଙ୍କ ଘରକୁ ନେଇଗଲି ନାହିଁ ବୋଲି କଥାଟା ଖରାପ ହେବ । ତାଙ୍କୁ କିଛି ଦୂର ଆଗେଇ ଦେଇ କୃଷ୍ଣବାବୁ ଫେରି ଆସିଲେ । ମୋତେ ଲଙ୍ଗଳା ଅବସ୍ଥାରେ ଦେଖି କହିଲେ, “ତୁ କାହିଁକି ଲଙ୍ଗଳା ହୋଇ ବୁଲୁଚୁ ? ଲୁଗା ନାହିଁକି ? ଯିଏ ଗଲେ ସିଏ କିଏ ଜାଣୁ ? ଚନ୍ଦ୍ରମୋହନ ବାବୁ ପରା ?” ମୁଁ କିନ୍ତୁ ନୀରବ ରହିଲି । କଥାର ମର୍ମଟା କିଛି ଉପଲବ୍ଧି କରି ପାରିଲିନାହିଁ । ଯଦି ସେହି ଶକ୍ତି ଟିକକ ଥାନ୍ତା ନିଶ୍ଚୟ ଲଜ୍ଜିତ ଓ ଅନୁତପ୍ତ ହୋଇଥାନ୍ତି ।

 

ଆଉ ଦିନକର ଘଟଣା । ସେତେବେଳେ ମୁଁ ରେମୁଣା ମିଡ଼ିଲ ଭର୍ଣ୍ଣାକ୍ୟୁଲାର ସ୍କୁଲର ୨ୟ ମାନରେ ପଢ଼ୁଥିଲି । ଆଜିକାଲି ଏହାକୁ ୩ୟ ଶ୍ରେଣୀ କୁହାଯାଉଛି । ସେଦିନ ସ୍କୁଲକୁ ଆସି କୌଣସି କାରଣ ବଶତଃ ୬ଷ୍ଠ ମାନ ବା ୭ମ ଶ୍ରେଣୀର କୋଠରୀ ପାଖକୁ ଯାଇ ଦେଖିଲି ମୋ’ଠାରୁ ଲମ୍ବା ଲମ୍ବା ପିଲାମାନେ ବେଞ୍ଚ ଉପରେ ଛିଡ଼ା ହୋଇଛନ୍ତି । ଭାରି ମଜା ଲାଗିଲା । କିନ୍ତୁ ପର ମୁହୂର୍ତ୍ତରେ ଦେଖିଲି, ଚୌକି ଉପରେ ବସିଛନ୍ତି ସେହି ନିଶୁଆ ବୁଢ଼ା ଯେ କି ମୋତେ କୃଷ୍ଣବାବୁଙ୍କ ଘର ଦେଖାଇବା ପାଇଁ କହିଥିଲେ । ଭୟରେ ମୋ ଅନ୍ତ ପାଣି ହୋଇଗଲା । ଛାତି ଧଡ଼ପଡ଼ ହେବାକୁ ଲାଗିଲା । ଦୌଡ଼ି ପଳାଇ ଆସି ନିଜ କ୍ଳାସରେ ବସିଲି । ପିଲାମାନଙ୍କଠାରୁ ବୁଝିଲି ଯେ ବ୍ୟାକରଣ ପ୍ରଶ୍ନର ଉତ୍ତର ଦେଇପାରି ନ ଥିବାରୁ ସେହି ପିଲାମାନଙ୍କୁ ବେଞ୍ଚ ଉପରେ ଛିଡା କରେଇ ଦେଇଛନ୍ତି । ବ୍ୟାକରଣର ସ୍ୱାଦ ସେତେବେଳେ ମୁଁ ପାଇ ନ ଥାଏଁ । କ’ଣ ବା ବୁଝିବି ? କେବଳ ଭୟ ହେଉଥାଏ ଯେବେ ଆମ ଶ୍ରେଣୀକୁ ଆସି ଯାଆନ୍ତି ମୋ ଦଫା ରଫା ହୋଇଯିବ ।

 

ବୟାକରଣ ଚନ୍ଦ୍ରମୋହନ ବ୍ୟାକରଣର ନିୟମ ମାନି ଘରେ ବାହାରେ ସବୁଆଡ଼େ କଥା କହୁଥିଲେ ଏବଂ ଅନ୍ୟମାନଙ୍କୁ କୁହାଉଥିଲେ । ବ୍ୟାକରଣଗତ ତ୍ରୁଟି ଦେଖିଲେ ଯେତେ ବଡ଼ଲୋକ ହେଉ ସେ ତାହାର ତ୍ରୁଟି ଦର୍ଶାଇ ଦେଉଥିଲେ । ସାଧାରଣତଃ ‘ଏକତ୍ରିତ’ ଶବ୍ଦର ବ୍ୟବହାର ଥାଏ । କିନ୍ତୁ ଏହା ଅଶୁଦ୍ଧ; ‘ଏକତ୍ର’ ଶବ୍ଦ ଶୁଦ୍ଧ ।

 

ଆଉ ଦିନକର ସ୍ମୃତି ଚିର ଦୁଃଖଦ । ସେତେବେଳେ ମୁଁ ବାଲେଶ୍ୱର ଜିଲ୍ଲା ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର । କ୍ଳାସରେ ପଢ଼ା ଚାଲିଛି, ସ୍କୁଲ ପିଅନ ଖଣ୍ଡେ ଚିରକୁଟ୍ (slip) ଆଣି କ୍ଳାସ ଶିକ୍ଷକଙ୍କୁ ଦେଲା । ଚିରକୁଟ୍ ପଢ଼ିସାରି ସେ ଆମ୍ଭମାନଙ୍କୁ ଏକ ମିନିଟ୍ ପାଇଁ ନୀରବ ରହିବାକୁ ନିର୍ଦ୍ଦେଶ ଦେଲେ, କାହିଁକି ଏକଥା କହିଲେ ଚିନ୍ତା କରୁଁ କୁରୁଁ ଏକ ମିନିଟ୍ ଅତିକ୍ରମ କରିଗଲା । କିଛି ପଚାରିବା ପୂର୍ବରୁ ସେ ଗମ୍ଭୀର ହୋଇ କହିଲେ “ଏହି ସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ମହାରଣା ଦେହତ୍ୟାଗ କରିଛନ୍ତି ।”

 

‘ଏଁ.....’ ଅଜାଣତରେ ମୋ ପାଟି ଭିତରୁ ଗୋଟିଏ ଶବ୍ଦ ବାହାରିଗଲା । ଦୁଃଖରେ ଅବଶ୍ୟ । ସେତେବେଳେ ମୁଁ ଆଉ ଲଙ୍ଗଳା ହୋଇ ଖେଳିବା ପିଲା ନୁହେଁ, ଅଷ୍ଟମ ଶ୍ରେଣୀର ଛାତ୍ର । ଚନ୍ଦ୍ରମୋହନଙ୍କୁ ସଂପୂର୍ଣ୍ଣ ବା ଆଂଶିକ ଆବିଷ୍କାର କରିବାର ଶକ୍ତି ନ ଥିଲେ ମଧ୍ୟ ମୋଟାମୋଟି ଚିହ୍ନି ସାରିଥାଏ । ସେ ମୋର ଗୁରୁ ନ ଥିଲେ ମଧ୍ୟ ଗୁରୁପିତା ଥିଲେ । ଗୁରୁଥିଲେ ତାଙ୍କର ବଡ଼ପୁଅ ରଜନୀ ରଞ୍ଜନ ମହାରଣା (ହେମ ବାବୁ) । ଚନ୍ଦ୍ରମୋହନଙ୍କ ପ୍ରୟାଣ ପରେ ଗୋଟିଏ ଛୋଟ କବିତା ତାଙ୍କ ଉଦ୍ଦେଶ୍ୟରେ ଲେଖିଥିଲି । ତାହା ତତ୍‌କାଳୀନ ସ୍କୁଲ ମେଗାଜିନ ‘ବଳାଙ୍ଗୀ’ରେ ପ୍ରକାଶ ପାଇଥିଲା କି ମନେନାହିଁ । ଦୀର୍ଘ ପଚାଶ ବର୍ଷର ଅପ୍ରକାଶିତ ପାଣ୍ଡୁଲିପିରେ ଆତ୍ମଗୋପନ କରି ରହିଥିଲା ପୁରୁଣା କାଗଜ ବିଡ଼ା ମଧ୍ୟରେ । ଗବେଷକ ଅରବିନ୍ଦ ବାବୁ ପୁରୁଣା ପତ୍ର ପତ୍ରିକା ଅଣ୍ଡାଳୁ ଅଣ୍ଡାଳୁ ତାକୁ ଆବିଷ୍କାର କଲେ ଏବଂ ତାହାର ଏକ ନକଲ ନେଇଗଲେ ପରିକ୍ରମାରେ ପ୍ରକାଶ କରିବା ପାଇଁ ।

 

ଚନ୍ଦ୍ରମୋହନ ରେମୁଣାରୁ ସର୍ବପ୍ରଥମେ ବି.ଏ. ପାସ୍‍ କରିଥିଲେ । ସେଥିପାଇଁ ସେ ଘରୁ ଆସିଲେ ଲୋକମାନେ ତାଙ୍କୁ କୌତୁହଳି ହୋଇ ଦେଖିବାକୁ ଯାଉଥିଲେ । ସମଗ୍ର ବାଲେଶ୍ୱର ଜିଲାରୁ ସେ ପ୍ରଥମେ ବି.ଏ ପାସ୍‍ କରିଥିବାର ଲୋକେ କହନ୍ତି । କିନ୍ତୁ ସେ କଥା ଦୃଢ଼ତାର ସହିତ ମୁଁ କହିପାରୁନାହିଁ । କହିପାରନ୍ତି ତାଙ୍କର ଜୀବିତ ଛାତ୍ରମାନେ । ସେ ମଧ୍ୟ ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ପ୍ରଧାନଶିକ୍ଷକ ଥିଲେ । ଥରେ ରେମୁଣା ହାଇସ୍କୁଲକୁ ଜଣେ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ କର୍ମଚାରୀ ପରିଦର୍ଶନ କାର୍ଯ୍ୟ କରିବାକୁ ଆସି ତତ୍‌କାଳୀନ ଶିକ୍ଷକ ଚନ୍ଦ୍ରମୋହନ ଜେନାଙ୍କୁ ଚନ୍ଦ୍ରମୋହନ ମହାରଣାଙ୍କ ବିଷୟରେ କେତେକ କଥା ପଚାରି ମନ୍ତବ୍ୟ ଦେଇଥିଲେ ଯେ ରେମୁଣା ଦୁଇଟି ବିଷୟରେ ବିଖ୍ୟାତ । ପ୍ରଥମେ ଶ୍ରୀକ୍ଷୀରଚୋରା ଗୋପୀନାଥ, ଦ୍ୱିତୀୟରେ ଚନ୍ଦ୍ରମୋହନ ମହାରଣା । ଜୟତୁ ଚନ୍ଦ୍ରମୋହନ.....।

କଁରାଳି

-୦-

 

ସ୍ମରଣୀୟ ଚନ୍ଦ୍ରମୋହନ ମହାରଣା

ଅଧ୍ୟାପକ ରବୀନ୍ଦ୍ର କୁମାର ପ୍ରହରାଜ

 

ଊନବିଂଶ ଶତାବ୍ଦୀର ମଧ୍ୟଭାଗର ଉତ୍ତର କାଳରେ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଯେଉଁ ସଙ୍କଟ ଉପୁଜିଥିଲା, ପ୍ରତ୍ୟେକ ଓଡ଼ିଆ ସାହିତ୍ୟ-ଇତିହାସର ପାଠକ ସେ ସମ୍ପର୍କରେ ଅବହିତ ଅଛନ୍ତି । ବୈଦେଶିକ ଶାସନ ତନ୍ତ୍ରର ରଥଚକ୍ର ତଳେ ଓଡ଼ିଆ ଭାଷା, ସାହିତ୍ୟ ଓ ଜାତୀୟତା ନିଷ୍ପେଷିତ ହେବାକୁ ଯାଉଥିବାବେଳେ ଯେଉଁ କେତେକ ବରେଣ୍ୟ, ପ୍ରାତଃସ୍ମରଣୀୟ ସାହିତ୍ୟ ସାଧକ ଓ ବଳିଷ୍ଠ, କର୍ମନିଷ୍ଠ ବ୍ୟକ୍ତିତ୍ୱ ଏଥିରେ ପୁନଃଜୀବନର ସତ୍ତା ଜାଗ୍ରତ କରିଥିଲେ ଏବଂ ଓଡ଼ିଆ ସାହିତ୍ୟ ସଭା ତଥା ଜାତୀୟ କ୍ଷେତ୍ରରେ ଅର୍ଦ୍ଧଶତାବ୍ଦୀବ୍ୟାପୀ ଅଭିଭାବକତ୍ୱ କରି ଆସିଥିଲେ ସେମାନଙ୍କ ମଧ୍ୟରେ ଓଡ଼ିଶାର ତତ୍କାଳୀନ ସ୍ୱନାମଧନ୍ୟ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ମହାରଣା ଅନ୍ୟତମ । ଯେଉଁ କାଳରେ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସ୍ଥିତି ଅଥବା ପରିବର୍ତ୍ତନ ବୈଦେଶିକ ଶାସକ ତଥା ଅଣଓଡ଼ିଆ ଅମଲାମାନଙ୍କର ମର୍ଜ୍ଜି ଉପରେ ନିର୍ଭର କରୁଥିଲା ଏବଂ ଯାବତୀୟ କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁଯୋଗ୍ୟ, ସୁଶିକ୍ଷିତ ଓଡ଼ିଆମାନଙ୍କର ଭାଗ୍ୟ ପଥରତଳେ ଚାପି ହୋଇ ପଡ଼ୁଥିଲା, ସେତେବେଳେ ଚନ୍ଦ୍ରମୋହନ କଠୋର ଅଧ୍ୟବସାୟ, ଅନନ୍ୟସାଧାରଣ ନିଷ୍ଠା ଓ ସ୍ୱୀୟ କର୍ମକ୍ଷେତ୍ରରେ ଅତୁଳନୀୟ ଯୋଗ୍ୟତାର ପରିଚୟ ଦେଇ କର୍ମ ଜୀବନରେ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ନିଜସ୍ୱ ଆସନ ଦୃଢ଼ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କର ସମ୍ମାନନୀୟ ହୋଇ ପାରିଥିଲେ । ଜାତୀୟ ହୀନମନ୍ୟତାର କାଳିମା-କାସାରରେ ଯେଉଁ କେତେକ ବ୍ୟକ୍ତିତ୍ୱ ଶତଦଳ, ପ୍ରଫୁଲ୍ଲତା, ସତେଜତା ତଥା ପ୍ରାଣବତ୍ତାର ପ୍ରତୀକରୂପେ ବିକଶିତ ଥିଲେ ଚନ୍ଦ୍ରମୋହନ ସେହିମାନଙ୍କର ପାଂକ୍ତେୟ ।

 

୧୮୭୦ ମସିହାର ଏକ ଶୁଭ ବାସରରେ ଚନ୍ଦ୍ରମୋହନ ବାଲେଶ୍ୱରର ରେମୁଣାରେ ଭୂମିଷ୍ଠ ହୋଇଥିଲେ । ଛାତ୍ର ଜୀବନରୁହିଁ ତାଙ୍କ ମେଧା ଓ ପ୍ରତିଭାର ପରିଚୟ ମିଳିଥିଲା । ଆପାତ ଦାରିଦ୍ର‌୍ୟ ପ୍ରତିଭାଶାଳୀ ଚନ୍ଦ୍ରମୋହନଙ୍କ ଉଚ୍ଚଶିକ୍ଷାରେ ଅନ୍ତରାୟ ହୋଇ ନ ଥିଲା । ଗୋଟିକ ପରେ ଗୋଟିଏ ଶ୍ରେଣୀରେ ବୃତ୍ତିପ୍ରାପ୍ତ ହୋଇ ଚନ୍ଦ୍ରମୋହନ କଲିକତାରୁ ଶେଷରେ ଫାଷ୍ଟଗ୍ରେଡରେ ବି.ଏ ପାସ୍‍ କରି କର୍ମ ଜୀବନରେ ପ୍ରବେଶ କଲେ । ପ୍ରଥମେ ତାଳଚେର ଯୁବରାଜଙ୍କ ଅଭିଭାବକ ଓ ଗୃହ ଶିକ୍ଷକ ଭାବରେ ସେ କାର୍ଯ୍ୟ ଆରମ୍ଭ କଲେ । ଛାତ୍ର ଅବସ୍ଥାରୁ ହିଁ ବହି ଲେଖିବା ଅଭ୍ୟାସ ତାଙ୍କର ରହିଥିଲା । ସାହିତ୍ୟ ଚର୍ଚ୍ଚା ପାଇଁ ସେ ସେହି କାଳରୁ ହିଁ କବିବର ରାଧାନାଥଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଗୁଣଗ୍ରାହୀ ରାଧନାଥ ସେତେବେଳେ ଶିକ୍ଷା ବିଭାଗର ଉଚ୍ଚ କର୍ମଚାରୀ ଥିବାରୁ ଚନ୍ଦ୍ରମୋହନଙ୍କୁ ଡକାଇ ଆଣି ବାଲେଶ୍ୱର ଜିଲ୍ଲାସ୍କୁଲର ସହକାରୀ ଶିକ୍ଷକ ପଦରେ ନିଯୁକ୍ତି ପ୍ରଦାନ କରିଥିଲେ । ପରେ ଚନ୍ଦ୍ରମୋହନ ପୁରୀ ଜିଲ୍ଲାକୁ ବଦଳି ହୋଇ ଆସିଥିଲେ ଏବଂ ପରେ ପରେ ପୁରୀ ଓ ବାଲେଶ୍ୱର ଜିଲ୍ଲାର ଡେପୁଟି ଇନ୍‌ସପେକ୍ଟର (ସ୍କୁଲ) ହୋଇଥିଲେ । ଯେତେଦୂର ଜଣାଯାଏ ଭକ୍ତକବି ମଧୁସୂଦନଙ୍କ ପରେ ଚନ୍ଦ୍ରମୋହନହିଁ ଦ୍ୱିତୀୟ ଓଡ଼ିଆ ହେଡ଼୍‍ମାଷ୍ଟରରୂପେ ନିଯୁକ୍ତି ପାଇଥିଲେ । ଜଣେ ଓଡ଼ିଆ ହେଡ଼୍‍ମାଷ୍ଟର ହେବାର କେତେକ ନ୍ୟସ୍ତ ସ୍ୱାର୍ଥ ମହଲରେ ସେତେବେଳେ ଅନେକ ସଂଶୟ ଓ ସମାଲୋଚନା ପ୍ରକାଶ ପାଇଥିଲା । ସେ ପୁରୀ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଥିଲାବେଳେ ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ର ପ୍ରଭୃତି ତାଙ୍କର ପ୍ରିୟ ଛାତ୍ର ଥିଲେ । ଚନ୍ଦ୍ରମୋହନ ଏହି ଛାତ୍ରମାନଙ୍କ ଉପରେ ଯେପରି ପ୍ରଭାବ ପକାଇ ପାରିଥିଲେ ତାହା ଏମାନଙ୍କ ପକ୍ଷରେ ଯାବଜ୍ଜୀବନ ଅବିସ୍ମରଣୀୟ ଥିଲା । ସେଥିପାଇଁ ଉଭୟ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ନିଜ ନିଜର ଆତ୍ମଜୀବନୀରେ ଚନ୍ଦ୍ରମୋହଙ୍କ ଶିକ୍ଷକ ଜୀବର ନୀଷ୍ଠା, ଆଦର୍ଶ, ନୀତିବାଦିତା ତଥା ବହୁଦର୍ଶିତାର ଭୂୟସୀ ପ୍ରଶଂସା କରିଛନ୍ତି । ପରବର୍ତ୍ତୀ କାଳରେ ଚନ୍ଦ୍ରମୋହନଙ୍କ ଅନ୍ୟତମ କୃତୀ ଛାତ୍ର ହରିଶ୍ଚନ୍ଦ୍ର ବଡ଼ାଲ ମଧ୍ୟ ଏକ ସାହିତ୍ୟ ପତ୍ରିକାରେ “ଆମ ନୂଆ ହେଡ଼୍‍ମାଷ୍ଟର” ଶୀର୍ଷକ ଲେଖାରେ ପ୍ରଧାନ ଶିକ୍ଷକ ଭାବରେ ତାଙ୍କର ବୈଶିଷ୍ଟ୍ୟ, ଛାତ୍ର-ବତ୍ସଳତା, ସୌଜନ୍ୟ ଏ ବିଦ୍‌ବତ୍ତାର ପରିଚୟ ପ୍ରଦାନ କରିଛନ୍ତି ।

 

୧୮୬୯ ମସିହାରେ ପ୍ରତିଷ୍ଠିତ କଟକ ନର୍ମାଲସ୍କୁଲ ଯାହା ଆଜି କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ ଭାବରେ ପରିଚିତ ହେଉଛି, ଏକଦା ଓଡ଼ିଆ ସାହିତ୍ୟର ପ୍ରାଚୀନ କେନ୍ଦ୍ରରୂପେ ପ୍ରତିଷ୍ଠିତ ଥିଲା । ଭକ୍ତକବି ମଧୁସୂଦନ, ବାଗ୍ମିପ୍ରବର ବିଶ୍ୱନାଥ କର ଏବଂ ସୁସାହିତ୍ୟିକ ଚନ୍ଦ୍ରମୋହନ ମହାରଣା ପ୍ରଭୃତି ବିଶିଷ୍ଟ ସାହିତ୍ୟବିଦ୍‌ମାନଙ୍କ ସାମୂହିକ ପ୍ରଚେଷ୍ଟାରେ ଏହି ନର୍ମାଲସ୍କୁଲକୁ କେନ୍ଦ୍ର କରି ଏକ ‘ଆଲୋଚନା ସଭା’ ଗଢ଼ି ଉଠିଥିଲା । ଓଡ଼ିଆ ସାହିତ୍ୟରସ୍ୱରୂପ ନିର୍ଣ୍ଣୟ ଓ ଉଦ୍‌ଘାଟନ ଥିଲା ଏହି ସଭାର ଉଦ୍ଦେଶ୍ୟ ଓ ଆଦର୍ଶ । ପରେ ଏହା ଆଜିର ‘ଉତ୍କଳ-ସାହିତ୍ୟ-ସମାଜ’ ନାମ ଧାରଣ କରିଅଛି ।

 

୧୮୯୪ ସାଲରେ ନବପ୍ରତିଷ୍ଠିତ ଏହି ‘ଆଲୋଚନା ସଭା’ର ପ୍ରଥମ ଅଧିବେଶନରେ ଚନ୍ଦ୍ରମୋହନ ମହାରଣା ‘ସାହିତ୍ୟ’ ଶୀର୍ଷକ ଏକ ପ୍ରବନ୍ଧ ପାଠ କରିଥିଲେ । ଏହି ପ୍ରବନ୍ଧ ନୂତନ ପର୍ଯ୍ୟାୟ ‘ଶିକ୍ଷାବନ୍ଧୁ’ ପତ୍ରିକାର ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ୧୯୦୭ରୁ ୧୯୧୯ ମସିହା ପର୍ଯ୍ୟନ୍ତ ଚନ୍ଦ୍ରମୋହନ କଟକ ନର୍ମାଲ ସ୍କୁଲର ପ୍ରଧାନ ଶିକ୍ଷକ ଥିଲାବେଳେ ଓଡ଼ିଆ ସାହିତ୍ୟ ସମ୍ପର୍କୀୟ ଆଲୋଚନାରେ ବିଶେଷ ଭାଗ ନେବା ସଙ୍ଗେ ସଙ୍ଗେ ‘ଉତ୍କଳ ସାହିତ୍ୟ’ ଆଦି ପତ୍ରିକାରେ ଉଚ୍ଚକୋଟୀର ପ୍ରବନ୍ଧ ଓ କବିତା ଆଦି ଲେଖୁଥିଲେ । ବରେଣ୍ୟ ସାହିତ୍ୟ ସମ୍ପାଦକ ଓ ପ୍ରାବନ୍ଧିକ ବିଶ୍ୱନାଥ କରଙ୍କଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସାହିତ୍ୟିକ ସମ୍ପାଦନରେ ଚନ୍ଦ୍ରମୋହନ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ ।

 

ଶିକ୍ଷକ ଭାବରେ ଚନ୍ଦ୍ରମୋହନ ଥିଲେ ଅତ୍ୟନ୍ତ ସୁଦକ୍ଷ । ଓଡ଼ିଆ ବଙ୍ଗଳା ଆଦି ପ୍ରାଦେଶିକ ଭାଷାରେ ସେ ଜଣେ ସୁପଣ୍ଡିତ ଥିଲେ । ଇଂରାଜୀ ଭାଷାରେ ତାଙ୍କର ବ୍ୟୁତ୍ପତ୍ତି ସମ୍ପର୍କରେ କହିବାକୁ ଯାଇ ପଣ୍ଡିତ ଗୋଦାବରୀଶ “ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ” ପୁସ୍ତକର ୬୪ ପୃଷ୍ଠାରେ ଲେଖିଛନ୍ତି “ଉଚ୍ଚାରଣ ହେଉ ବା ଭାଷାଜ୍ଞାନ ହେଉ, ଇଂରାଜୀରେ ବ୍ୟୁତ୍ପତ୍ତି ନିମନ୍ତେ ମୁଁ ଚନ୍ଦ୍ରମୋହନ ବାବୁଙ୍କଠାରେ ଋଣୀ ।” ଏ ସମ୍ପର୍କରେ ସେ ଚନ୍ଦ୍ରମୋହନଙ୍କ ଛାତ୍ର ଭାବରେ ତାଙ୍କର କେତେକ ଅନୁଭୂତିର ଆଲେଖ୍ୟ ପ୍ରଦାନ କରିଛନ୍ତି । ଏକଥା ଜଣାଶୁଣା ଯେ ପଣ୍ଡିତ ଗୋଦାବରୀଶ ତାଙ୍କ ସମୟରେ ସମଗ୍ର ଓଡ଼ିଶାରେ ଇଂରାଜୀରେ ଲେଖିବା ଓ କହିବାରେ ଅଗ୍ରଗଣ୍ୟ ବୋଲି ଗୃହୀତ ହୋଇଥିଲା । ଗଣିତ ଶାସ୍ତ୍ରରେ ମଧ୍ୟ ଚନ୍ଦ୍ରମୋହନଙ୍କର ପ୍ରବେଶ ଅସାଧାରଣା ଥିଲା । ପଣ୍ଡିତ ନୀଳକଣ୍ଠ ତାଙ୍କର ଆତ୍ମଜୀବନର ସ୍ୱତନ୍ତ୍ର ଏକ ପର୍ଯ୍ୟାୟରେ ଚନ୍ଦ୍ରମୋହନ ମହାରଣାଙ୍କ ବିଷୟ ଉଲ୍ଲେଖ କରି ଲେଖିଛନ୍ତି ଯେ ବୀଜଗଣିତର ଯାବତୀୟ କଠିନ ଅଙ୍କ ଓ ସୂତ୍ରଗୁଡ଼ିକ ସେ ଚନ୍ଦ୍ରମୋହନ ବାବୁଙ୍କ ନିକଟରୁ ସନ୍ତୋଷଜନକ ଭାବରେ ବୁଝିପାରୁଥିଲେ । ଅଙ୍କ ବୁଝିବା ପାଇଁ ରାତି ଏଗାରଟାବେଳେ ତାଙ୍କ ନିକଟରେ ଉପସ୍ଥିତ ହେଲେହେଁ ସେ ନଦରୁ ଉଠି ଧୈର୍ଯ୍ୟର ସହିତ ଅଙ୍କ ବୁଝାଇ ଦେଉଥିଲେ । ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ବ୍ୟାକରଣରେ ସେ ଧୂରନ୍ଧର ପଣ୍ଡିତ ଥିବା ବିଷୟ ଏବେ ପ୍ରବାଦ ହୋଇ ରିହଛି । ୧୯୧୦ ମସିହାରେ ତାଙ୍କର “ଓଡ଼ିଆ ବ୍ୟାକରଣ” ପୁସ୍ତକ ପ୍ରକାଶିତ ହୋଇଥିଲା । ସଂସ୍କୃତ ସାହିତ୍ୟ ପ୍ରତି ତାଙ୍କର ଥିଲା ବିଲକ୍ଷଣ ଶ୍ରଦ୍ଧା ଓ ସମ୍ମାନ । “ଆମ ନୂଆ ହେଡ଼୍‍ମାଷ୍ଟର” ଶୀର୍ଷକ ଲେଖାରେ କୃତବିଦ୍ୟ ସାହିତ୍ୟିକ ହରିଶ୍ଚନ୍ଦ୍ର ବଡ଼ାଲ କାଳିଦାସୀୟ କାବ୍ୟ ସମୂହରେ ଚନ୍ଦ୍ରମୋହନଙ୍କର ଅନୁରାଗ ସମ୍ପର୍କରେ ଏକ ସୁନ୍ଦର ପରିଚୟ ପ୍ରଦାନ କରିଅଛନ୍ତି । ରାତ୍ରିର ନିର୍ଜନ ପ୍ରହରରେ ଛାତ୍ର କଣ୍ଠରୁ କାଳିଦାସୀୟ ଶ୍ଳୋକର ଆବୃତ୍ତି ଶ୍ରବଣରେ ଚନ୍ଦ୍ରମୋହନ କିପରି ସ୍ୱୀୟ ଆବେଗ ସମ୍ବରଣ କରିପାରି ନାହାନ୍ତି ତାହା ଏହି ଲେଖାଟିରେ ଅତି ଚମତ୍କାର ଭାବରେ ବର୍ଣ୍ଣିତ ହୋଇଛି । ପଣ୍ଡିତ ନୀଳକଣ୍ଠଙ୍କର ଆତ୍ମଜୀବନୀରେ ମଧ୍ୟ ଚନ୍ଦ୍ରମୋହନ ବାବୁଙ୍କର ସଂସ୍କୃତ ପ୍ରୀତି ବିଷୟରେ ଗୋଟିଏ ଦୃଷ୍ଟାନ୍ତ ଉଲ୍ଲିଖିତ ଅଛି । ଚନ୍ଦ୍ରମୋହନ ଡେପୁଟି ଇନ୍‌ସପେକ୍ଟର ଥିଲାବେଳେ କୌଣସି ଏକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ବିଦ୍ୟାଳୟରେ ଅବସ୍ଥାନ କାଳରେ ଗୋଟିଏ କୋଇଲି ବୋବାଇ ଉଠିଲା । ଚନ୍ଦ୍ରମୋହନ ହେଡ଼୍‍ପଣ୍ଡିତ ମହାଶୟଙ୍କୁ ତତ୍‌କ୍ଷଣାତ୍ ପ୍ରଶ୍ନ କଲେ– “କୁହନ୍ତୁ ତ ପଣ୍ଡିତ ମହାଶୟ, ଏ କୋଇଲିଟି ମାଈ କି ଅଣ୍ଡିରା ?” ପଣ୍ଡିତ ମହାଶୟ ସ୍ଥୂଳ ବୁଦ୍ଧି ବଶତଃ କହିଲେ, “ମାଈ ହୋଇ ନ ଥିଲେ ଏପରି ମଧୁର ସ୍ୱନ ହୁଅନ୍ତା ନାହିଁ ।” ମୁଣ୍ଡ ହଲାଇ ଚନ୍ଦ୍ରମୋହନ କହିଲେ– କ’ଣ ଆପଣ କାଳିଦାସଙ୍କୁ ପଢ଼ିନାହାନ୍ତି ? ସେ ଲେଖିଛନ୍ତି–

 

“ପୁଂସ୍କୋକିଳୋ ଯନ୍ ମଧୁରଂ ଚୂକୁଜ ।”

 

କେବଳ ପାଠ୍ୟ ବିଷୟରେ ଅସାଧାରଣ ପାଣ୍ଡିତ୍ୟ ଓ ପ୍ରୟୋଗକୁଶଳତା ଯୋଗୁ ନୁହେଁ, ଅଖଣ୍ଡ ନୀତି ଓ ଦୃଢ଼ ଶୃଙ୍ଖଳାବାଦୀ ଥିବାରୁ ସେ ଛାତ୍ରମାନଙ୍କର ଶ୍ରଦ୍ଧା, ସମ୍ମାନ, ଭକ୍ତି ଓ ଭୟର ଭାଜନ ହୋଇଥିଲେ । ଦୁଷ୍ଟ ଓ ଦୁର୍ବିନୀତ ଛାତ୍ରମାନଙ୍କୁ କଠୋର ଦଣ୍ଡ ଦେଇ ସେ ଯେପରି ଶାସନାଧୀନ କରୁଥିଲେ, ତାହା ଉଭୟ ନୀଳକଣ୍ଠ ଓ ଗୋଦାବରୀଶ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି । ଉତ୍ତମ ଆଚରଣ ଲାଗି କେଉଁ ଛାତ୍ରକୁ ପୁରସ୍କୃତ କରାଯିବ ବା ନ ଯିବ ସେଥିପାଇଁ ପ୍ରଧାନ ଶିକ୍ଷକ ଭାବରେ ସହକାରୀ ଶିକ୍ଷକମାନଙ୍କ ମତାମତ ଉପରେ ନିର୍ଭର କରିବା ଅପେକ୍ଷା ବଡ଼ଚାଟ ବା ମନିଟରର ସୁପାରିଶ ଉପରେ ସେ ଅଧିକ ଆସ୍ଥା ସ୍ଥାପନ କରୁଥିବା ବିଷୟ ନୀଳକଣ୍ଠଙ୍କ ଆତ୍ମଜୀବନୀରେ ବିବୃତ ଅଛି । ଛାତ୍ରମାନେ କିପରି ଅଧ୍ୟବସାୟୀ, ଚରିତ୍ରବାନ ଓ କର୍ମଠ ହେବେ ସେଥିପ୍ରତି ତାଙ୍କର ତୀକ୍ଷ୍‌ଣ ଦୃଷ୍ଟି ଥିଲା । ଇଂରାଜୀ କବିତା ଠିକ ଭାବରେ ଉଚ୍ଚାରଣ କରି ନ ପାରୁଥିବା ଯୋଗୁ ଗୋଦାବରୀଶଙ୍କୁ ସାତଦିନକାଳ ପ୍ରତି ପିରୟଡ଼୍‍ରେ ଦଣ୍ଡାୟମାନ ହେବାର ଆଦେଶ ସେ ଦେଇ ତାଙ୍କର ଇଂରାଜୀ ଉଚ୍ଚାରଣକୁ ବିଶୁଦ୍ଧ କରିପାରିଥିଲେ । କୌଣସି ଛାତ୍ର ଯେଡ଼େ ପ୍ରଭାବଶାଳୀ ପିତାର ସନ୍ତାନ ହେଉ ପଛକେ ଚାରିତ୍ରିକ ସ୍ଖଳନର ପରିଚୟ ଦେବାମାତ୍ରେ ହିଁ ଚନ୍ଦ୍ରମୋହନଙ୍କଦ୍ୱାରା ବିଦ୍ୟାଳୟରୁ ବହିଷ୍କୃତ ହେଉଥିଲା । ତାଙ୍କଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନ ତଥା ତହିଁର ଅଧ୍ୟାୟୀମାନଙ୍କର ସ୍ୱାର୍ଥ ଓ ସମ୍ମାନ ରକ୍ଷା କରିବା ଲାଗି ସେ ଅସାଧ୍ୟ ସାଧନ କରୁଥିଲେ । କଟକ ନର୍ମାଲ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲାବେଳେ ଏହିପରି ଏକ ଦୁଃସାହସିକ ପଦକ୍ଷେପ ନେଇଥିବାରୁ ତାଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିଥିଲା । ଉତ୍କଳ ଗୌରବ ମଧୁସୂଦନ ଓ ପ୍ରଖ୍ୟାତ ଓକିଲ ଗୋକୁଳାନନ୍ଦ ଚୌଧୁରୀଙ୍କ ସହାୟତା ଫଳରେ ସେ ରାଜଦଣ୍ଡରୁ ରକ୍ଷା ପାଇଥିଲେ । ସେଥିପାଇଁ ଓଡ଼ିଆ ଛାତ୍ରମାନଙ୍କ ନିକଟରେ ଚନ୍ଦ୍ରମୋହନ ଦେବତା ଭଳି ପୂଜ୍ୟ ଥିଲେ । ନିଷ୍ଠାପର, ସାଧନାପୂତ, ନିରଳସ ଓ କୁସଂସ୍କାର ମୁକ୍ତ ଜୀବନ କଟାଇଥିବାରୁ ଛାତ୍ର ଓ ଶିକ୍ଷକ ମଣ୍ଡଳୀରେ ଚନ୍ଦ୍ରମୋହନ ବାବୁଙ୍କ ବ୍ୟକ୍ତିତ୍ୱ ହିମାଳୟ ଭଳି ଉନ୍ନତ ଥିଲା । ସମଗ୍ର ଓଡ଼ିଶାରେ ଏକ ବିଚକ୍ଷଣ ଓ ସୁଦକ୍ଷ ହେଡ଼୍‍ମାଷ୍ଟର ଭାବରେ ଶେଷ ଜୀବନ ପର୍ଯ୍ୟନ୍ତ ତାଙ୍କର ସୁଖ୍ୟାତି ଅକ୍ଷୂର୍ଣ୍ଣ ରହିଥିଲା ।

 

‘ଆଲୋଚନା-ସଭା’ କଟକ ନର୍ମାଲ ସ୍କୁଲକୁ କେନ୍ଦ୍ର କରି ଗଢ଼ି ଉଠିଥିବା ବିଷୟ ପୂର୍ବରୁ କଥିତ ହୋଇଅଛି । ଓଡ଼ିଆ ସାହିତ୍ୟର ଉନ୍ନତି ସାଧନରେ ଏହି ‘ଆଲୋଚନା ସଭା’ ଓ ତତ୍‌ସହିତ କଟକ ନର୍ମାଲ ସ୍କୁଲ ଯେପରି ପରସ୍ପର ଜଡ଼ିତ ହୋଇପଡ଼ିଥିଲେ ତାହା ଆଜି ଓଡ଼ିଆ ସାହିତ୍ୟ ଇତିହାସର ବିଷୟୀଭୂତ ହୋଇପଡ଼ିଛି । ୧୮୯୭ ମସିହାରେ ‘ଆଲୋଚନା-ସଭା’ର ତୃତୀୟ ଅଧିବେଶନରେ ପ୍ରଦତ୍ତ ଭାଷଣରେ ବିଶ୍ୱନାଥ କର ଏହି ଅନୁଷ୍ଠାନକୁ ଉଦ୍ଦେଶ୍ୟ କରି କହିଥିଲେ, “ଏହି ଆଲୋଚନା ସଭା ଉପଯୁକ୍ତ କ୍ଷେତ୍ରରେ ସଂସ୍ଥାପିତ ହୋଇଅଛି । ନର୍ମାଲ ସ୍କୁଲ ଓଡ଼ିଆ ଭାଷାର ସର୍ବୋଚ୍ଚ ବିଦ୍ୟାଳୟ । ଏହାର ଛାତ୍ରମାନେ ଉତ୍କଳଭୂମିର ନାନା ସ୍ଥାନରେ କାର୍ଯ୍ୟ କରିବାକୁ ଯିବେ । ସେମାନେ ଯେବେ ସାହିତ୍ୟସେବାର ଉନ୍ନତ ଭାବ ଓ ଆକାଂକ୍ଷା ପ୍ରାଣରେ ପୋଷଣ କରି କର୍ତ୍ତବ୍ୟ ସାଧନରେ ତତ୍ପର ହୁଅନ୍ତି, ତାହାହେଲେ ସେମାନଙ୍କଦ୍ୱାରା ଦେଶର ଅଶେଷ କଲ୍ୟାଣ ସାଧିତ ହୋଇପାରିବ– ସେମାନେ ନିଜେ ସାହିତ୍ୟସେବା କରି ଜୀବନ କୃତାର୍ଥ କରିପାରିବେ ଏବଂ ଅନ୍ୟ ଶତଶତ ପ୍ରାଣରେ ସାହିତ୍ୟ ସେବାର ଭାବ ଜାଗ୍ରତ କରିବାକୁ ସମର୍ଥ ହେବେ ।” ବସ୍ତୁତଃ ଭକ୍ତକବି ମଧୁସୂଦନ ଓ ବହୁଦର୍ଶୀ ଚନ୍ଦ୍ରମୋହନଙ୍କ ପରି ସୁଯୋଗ୍ୟ ସାହିତ୍ୟିକ ପ୍ରଧାନ ଶିକ୍ଷକ ଲାଭ କରି କଟକ ନର୍ମାଲ ସ୍କୁଲର ଛାତ୍ରମାନେ ସେକାଳରେ ଉଚ୍ଚ ଓ ମଧ୍ୟ ଇଂରାଜି ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ଭାବରେ ସୁନାମ ଅର୍ଜନ କରିଥିଲେ । ପାଠ୍ୟପୁସ୍ତକ ରଚୟିତା ଭାବରେ ସେକାଳରେ ସୁଖ୍ୟାତି, ଯଶ ଓ ଅର୍ଥ ଲାଭ କରିଥିବା ପଣ୍ଡିତ ଗୋବିନ୍ଦ ରଥ ଓ ଖଣ୍ଡପଡ଼ା ନିବାସୀ ପ୍ରସିଦ୍ଧ ପଞ୍ଜିକାକାର ରାଜବଲ୍ଲଭ ମିଶ୍ର ଥିଲେ କଟକ ନର୍ମାଲ ସ୍କୁଲର ପ୍ରଥମ ପରୀକ୍ଷୋତ୍ତୀର୍ଣ୍ଣ ଛାତ୍ର ।

 

ଚନ୍ଦ୍ରମୋହନଙ୍କର ଜୀବନୀ ପର୍ଯ୍ୟାଲୋଚନା କଲାବେଳେ ତାଙ୍କର ସାହିତ୍ୟିକ ଅଭିମୁଖ୍ୟ ଅତି ବିସ୍ମିତ ହେବା ଆଲୋଚକ ପକ୍ଷରେ ସହଜ ନୁହେଁ । କାରଣ ଚନ୍ଦ୍ରମୋହନ ନିଜକୁ ଓ ନିଜର ବ୍ୟକ୍ତିତ୍ୱକୁ ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମାବଦ୍ଧ ନ ରଖି ସାହିତ୍ୟ-ସମାଲୋଚନା ଓ ରଚନା କ୍ଷେତ୍ରରେ ପ୍ରସାରିତ କରିଥିଲେ । ସେଥିପାଇଁ ଓଡ଼ିଶାର ତତ୍କାଳୀନ ବିଦ୍ୱାନମଣ୍ଡଳୀରେ ଚନ୍ଦ୍ରମୋହନଙ୍କର ସ୍ୱତନ୍ତ୍ର ସମ୍ମାନ ରହିଥିଲା ।

 

ଉତ୍କଳ ସାହିତ୍ୟର ତ୍ରୟତ୍ରଂଶଦ ବର୍ଷ ପ୍ରଥମ ସଂଖ୍ୟା ଅର୍ଥାତ୍ ୧୯୨୯ ମସିହା ଏପ୍ରିଲ ସଂଖ୍ୟାରେ “ଚନ୍ଦ୍ରମୋହନ ମହାରଣାଙ୍କ ବିୟୋଗ” ଶୀର୍ଷକ ପ୍ରବନ୍ଧରେ ତାଙ୍କର ସାହିତ୍ୟିକ ଜୀବନ ସମ୍ପର୍କରେ ଆଲୋକପାତ କରିବାକୁ ଯାଇ ଆଲୋଚକ ଯାହା ଲେଖଛନ୍ତି ସେଥିରୁ ଜଣାଯାଏ ଯେ ସୁପଣ୍ଡିତ, କବି, ସୁନିପୁଣ ସମାଲୋଚକ ଓ ସୁଗଭୀର ଚିନ୍ତାଶୀଳ ଚନ୍ଦ୍ରମୋହନଙ୍କ ଯେଉଁ ରୂପ ଆମେ ବିଂଶ ଶତାବ୍ଦୀରେ ଦେଖିବାକୁ ପାଉ ସେ ରୂପର ଅନ୍ୟ ଏକ ବିଭାଗ ଗତ ଶତାବ୍ଦୀରେ ପ୍ରକାଶ ପାଇଥିଲା । ଏଫ୍‌.ଏ, କ୍ଳାସରେ ପଢ଼ିଲାବେଳେ ସେ ଯେଉଁ କେତୋଟି କବିତା ‘ସଂସ୍କାରକ’ ପତ୍ରିକାରେ ଲୋକଲୋଚନକୁ ଆଣିଥିଲେ ତାହାର ଏକ ସଂକଳନ ହେଉଛି ୧୮୮୮ ସାଲର ‘ନବୋଦ୍ୟମ’ ପୁସ୍ତକ । ବସନ୍ତ ଋତୁର ଫୁଲ, ଫଳ, ମଧୁପର ଗୁଂଜନ, ଗନ୍ଧବହ ଇତ୍ୟାଦି ଗତାନୁଗତିକ ଉପକରଣ ଓ ପ୍ରାଚୀନ ଅଳଙ୍କାରର ଅବଲମ୍ବନରେ ‘ବସନ୍ତ’ (ତା୨୪-୩-୮୭) କବିତା ରଚିତ । ‘ମଲ୍ଲିକା’ (ତା୨୭-୬-୮୭), ‘ଶରତ’ (ତା୧୩-୧୦-୮୭) ଓ ‘ମଳୟ ନିଳୟ ପ୍ରତି’ (ତା୨-୨-୮୮) ପ୍ରଭୃତି କବିତାରେ ପୂର୍ବୋକ୍ତ କାବ୍ୟରୀତି ପରିଦୃଷ୍ଟ ହୁଏ । ‘ଅପୂର୍ବ କାରାରୁଦ୍ଧ ପୁରୁଷର ପତ୍ର’ (ତା ୭-୭-୮୭), ‘ଶଯ୍ୟାସ୍ଥ ଆଶା ମୁଗ୍‌ଧ ବ୍ୟକ୍ତି’ (ତା୧୫-୯-୮୭), ‘ମାତୃହୀନ ବାଳକର ଜନନୀ ପ୍ରତି’ ‘ନିରାଶ ବ୍ୟକ୍ତିର ନିଶୀଥ ନିଭୃତ ଚିନ୍ତା’, ‘ବିଦେଶରୁ ସ୍ୱଗୃହାଭିମୁଖରେ ବାଲେଶ୍ୱର ପ୍ରତ୍ୟାଗମନ କାଳରେ କୌଣସି ସମୁଦ୍ର ପୋତରେ ଦୁଇ ସହୋଦରର ବିନାଶ’, ‘ମାତୃ ବିୟୋଗ’ ପ୍ରଭୃତି କବିତା ଅତ୍ୟନ୍ତ କରୁଣ ରସାତ୍ମକ ଓ ଏଥିରେ କବି ପ୍ରତିଭାର ସମ୍ୟକ ପରିଚୟ ସୁସ୍ପଷ୍ଟ । ଏହାର ସମୁଦାୟ ୧୫ଟି କ୍ଷୁଦ୍ର କବିତା ମଧ୍ୟରୁ ଅଧିକାଂଶ ଚଉଦ ଧାଡ଼ିର କବିତା ଓ ସୌନ୍ଦର୍ଯ୍ୟ ସୃଷ୍ଟି ପାଇଁ ପାଦ ମଧ୍ୟରେ ମଧ୍ୟ ବିରାମ ଅଛି । ବର୍ଣ୍ଣନାର ସ୍ୱାଭାବିକତା ଓ ବିଷୟ ବସ୍ତୁର ବୈଚିତ୍ର‌୍ୟ ହିଁ ଏ କବିତାମାନଙ୍କର ବିଶେଷତ୍ୱ । ସମସାମୟିକ ସାହିତ୍ୟ ସୃଷ୍ଟି ଦ୍ୱାରା ସାହିତ୍ୟିକ ପ୍ରଭାବିତ ହେବାର ସ୍ୱୀକାର କରାଗଲେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ‘ତପସ୍ୱିନୀ’ ରଚନା ଓ ପରିକଳ୍ପନା ଲାଗି କିୟଦଂଶରେ ହେଉ ପଛକେ, ଉତ୍କଳ ସାହିତ୍ୟ ୪ର୍ଥ ବର୍ଷ, ୧ମ ସଂଖ୍ୟା (୧୯୦୦ ମସିହା ଜାନୁୟାରୀ)ରେ ପ୍ରକାଶିତ ଚନ୍ଦ୍ରମୋହନଙ୍କ ‘ନିର୍ବାସିତା ସୀତାର ସ୍ୱଗତ’ ଶୀର୍ଷକ କବିତା ଆଗରୁ ପ୍ରଭାବିତ ଓ ପ୍ରଣୋଦିତ କରିଥିବ- ଏହା ଅନୁମାନ କରାଯାଇପାରେ । ଚନ୍ଦ୍ରମୋହନଙ୍କର ପ୍ରଖ୍ୟାତ ଓ ବହୁ ଆଦୃତ ପାଠ୍ୟପୁସ୍ତକ ‘କଥାବଳି’ରେ ମଧ୍ୟ ସେ କାଳରେ ତୃତୀୟ ଓ ଚତୁର୍ଥମାନର ଛାତ୍ରମାନଙ୍କ ପଠନୋପଯୋଗୀ କବିତା ସମୂହରେ ତାଙ୍କର କବି ସୁଲଭ କାବ୍ୟିକ ରସ ଚେତନାର ପରିଚୟ ମିଳିଥାଏ । ଗ୍ରୀଷ୍ମ, ବର୍ଷା, ଶରତ୍‌, ହେମନ୍ତ, ଶିଶିର ଓ ବସନ୍ତ ଋତୁର ପ୍ରକୃତି ବର୍ଣ୍ଣନାରେ ତାଙ୍କର ଦ୍ରଷ୍ଟୃସୁଲଭ ସହଜ ଓ ସରଳ ଦୃଷ୍ଟିଭଙ୍ଗୀ ସହିତ ଭାବାବିଷ୍ଟ କବିଚିତ୍ତର ସମନ୍ୱୟ ଘଟି ପାରିଛି । ଉଦାହରଣ ସ୍ୱରୂପ ନମ୍ନୋଦ୍ଧୃତ କେତେକ କବିତାଂଶ ଲକ୍ଷ୍ୟ କରାଯାଇ ପାରେ ।

 

(କ)

 

ଘଞ୍ଚ ଗୁଳ୍ମରାଜି କରେ ମଣ୍ଡନ;

ଘନ-ପୀତ କାନ୍ତି ଶଣ ସୁମନ

ପଥିକ ନେତ୍ରେ ଏ ନବ ଅତିଥି

ନ ମାଗୁଁ ଅଜାଡ଼ି ଦିଏ ସୁପ୍ରୀତି;

ଅପୂର୍ବ ଭିଆଣ

ଧରଣୀ-ଶିରେ କି ହେମ ବିତାନ? (ବର୍ଷା)

 

(ଖ)

 

ଜହ୍ନିଫୁଲ ଜହ୍ନି ଲତିକା

 

ଶେଯେ ଆସିଲା ଫୁଟି;

ଶ୍ୟାମ ଛାୟା ପଥେ କି ଅବା

 

ସ୍ୱର୍ଣ୍ଣ ତାରକା କୋଟି । (ଶରତ)

 

(ଗ)

 

ଧରା-ଜରା କରି

ଗଲା ଅପସରି

ଶିଶିର ସମୟ ଧୀରେ,

ସିଞ୍ଚି ସଂଜୀବନୀ

ଋତୁ ଶିରୋମଣି

ପ୍ରବେଶ କଲେ ମହୀରେ ।

X X X

ଛାଡ଼ି ଛାଡ଼ି ଶୀତ

ହେଲାଣି ଅତୀତ

ଗ୍ରୀଷ୍ମ ମାଡ଼ି ଆସି ନାହିଁ,

ଶ୍ରାବଣେ ଦୁର୍ଗମ

ବରଷା କର୍ଦ୍ଦମ

ବହୁ ଦୂରେ ଅଛି କାହିଁ । (ବସନ୍ତ)

 

(ଘ)

 

ନିଶାରେ,

ଅଜସ୍ର ତୁସାର ବର୍ଷିଲା;

ଧଳା ଭଷ୍ମ ବୋଳା

ତପସ୍ୱୀ ମହିଳା

ପରାଏ ଯାମିନୀ ଦିଶିଲା । (ଶିଶିର)

 

‘ଚନ୍ଦ୍ର’ ଶୀର୍ଷକ କବିତାରେ ଜ୍ୟୋତ୍ସ୍ନାସ୍ନାତ ଧରିତ୍ରୀ ବର୍ଣ୍ଣନା ଅତି ଚିତ୍ତାକର୍ଷକ ହୋଇ ପଡ଼ିଛି । ଉଦାହରଣସ୍ୱରୂପ:-

 

“ଧରଣୀ ସୁହୃଦେ ନିହି ସମଗ୍ର ଦର୍ପଣ

ସହସ୍ର ନୟନେ ହେଲେ ତୋ ବିଶ୍ୱମୋହନ ।”

 

ଖଣ୍ଡଗିରି ଦର୍ଶନରେ ଅଭିଭୂତ କବି ଚନ୍ଦ୍ରମୋହନ ତାଙ୍କର ‘ଖଣ୍ଡଗିରି’ କବିତାରେ କବିବର ରାଧାନାଥଙ୍କ ସହିତ କଣ୍ଠ ମିଳାଇ ଗାଇଛନ୍ତି:–

 

“ମନରେ ପ୍ରବଳ ହେଲା ଏହି ଅଭିଳାଷ

କରିବି କୋଳରେ ତୋର ମୁହିଁ ସଦା ବାସ

ପାବନ, ମୋହନ କୋଳ ତୋର ନ ତେଜିବି;

ଜଗତର କୋଳାହଳେ ଆଉ ନ ପଶିବି ।”

 

‘ପ୍ରତିଧ୍ୱନି’, ‘ପୁଷ୍ପ’ ଓ ‘ମହିମା’ କବିତାରେ କବିଙ୍କର ସ୍ୱଚ୍ଛ ଅନୁଭୂତି ନିଜସ୍ୱରୂପେ ପ୍ରକଟିତ ହୋଇଛି । ୧୮୮୪ ମସିହାରେ ବାଲେଶ୍ୱରର କୌଣସି ରମଣୀର ପ୍ରଥମ ପ୍ରସୂତ ଶିଶୁ ଷୋଡ଼ଶ ଦିବସରେ ପ୍ରାଣତ୍ୟାଗ କରିଥିବା ଘଟଣାକୁ ଲକ୍ଷ୍ୟ କରି ସମ୍ବେଦନଶୀଳ ଚନ୍ଦ୍ରମୋହନଙ୍କ କବିପ୍ରାଣ ଯେପରି ବିଳପି ଉଠିଥିଲା ତା’ର ପରିଚୟ:–

 

“ଏକେତ ଯୌବନ ରତନେ ରତନ

 

ତହିଁ ଶିଶୁ ମଣିଯୋଗ ।

ଈର୍ଷାନଳେ ପଡ଼ି ଦେବତାଏ ପୋଡ଼ି

 

ଘଟାଇଲେ ବିପ୍ରଯୋଗ ।”ରୁ ଜଣାଯାଏ ।

 

ସଂସ୍କୃତ କଥା ସାହିତ୍ୟରୁ ଆହୃତ ବିଭିନ୍ନ ଆଖ୍ୟାୟିକା, ଇଂରେଜୀ ଗଳ୍ପର ଅନୁବାଦ ଓ ପୁରାଣ ବର୍ଣ୍ଣିତ ଘଟଣାବଳୀର ସମବାୟରେ ଗ୍ରଥିତ ‘କଥାବଳି’ର କଥା ସମୂହ ମଧ୍ୟ ଚନ୍ଦ୍ରମୋହନଙ୍କର ଚୟନପଟୁତା, ଭାଷା ପ୍ରୟୋଗ କୁଶଳତା ଓ ବର୍ଣ୍ଣନାପାଟବର ଅକୃତ୍ରିମ ପରିଚୟ ବରଣ କରିପାରିଛନ୍ତି । ସମଗର ‘କଥାବଳି’ରେ ଶୋଭନ, ସଂଯତ ଓ ସଂହତ ଭାଷା ତଥା ଭାବର ଅଭିବ୍ୟକ୍ତି ଏପରି ଏକ ପରିଚ୍ଛନ୍ନତା ଆଣି ଦେଇଛି, ଯେଉଁଥିପାଇଁ ପୁସ୍ତକଟି ଛାତ୍ର ଓ ଶିକ୍ଷକ ମହଲରେ ଯଥେଷ୍ଟ ଆଦୃତ ହୋଇପାରିଥିଲା । କାରଣ କେବଳ ଓଡ଼ିଆ ଭାଷାରେ ନୁହେଁ ମ୍ୟାକ୍‌ମିଲାନ୍ କମ୍ପାନୀଦ୍ୱାରା ପ୍ରକାଶିତ ଏହି ପୁସ୍ତକଟି ତେଲଗୁ ଓ ହିନ୍ଦୀ ଭାଷାରେ ମଧ୍ୟ ଅନୂଦିତ ହୋଇ ସେଠାକାର ବିଦ୍ୟାଳୟମାନଙ୍କରେ ଚଳିଥିଲା । ଚନ୍ଦ୍ରମୋହନଙ୍କର ଯେଉଁ କେତେକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ସମୟକ୍ରମେ ପ୍ରକାଶିତ ହୋଇଥିଲା ସେଗୁଡ଼ିକ ଏକତ୍ରୀକୃତ ହୋଇ ପୁସ୍ତକାକାରରେ ପ୍ରକାଶିତ ହୋଇଥିଲେ ତାହା ଏକ ପ୍ରାମାଣିକ ଓ ଉପାଦେୟ ଗ୍ରନ୍ଥ ହୋଇପାରିଥାନ୍ତା । ଏବେ ଇତସ୍ତତଃ ବିକ୍ଷିପ୍ତ ଯେଉଁ କେତେକ ପ୍ରବନ୍ଧ, ଅଭିଭାଷଣ ଦୃଷ୍ଟିପଥକୁ ଆସେ । ସେଗୁଡ଼ିକରେ ଚନ୍ଦ୍ରମୋହନଙ୍କ ସ୍ୱକୀୟ ଗଦ୍ୟଭଙ୍ଗୀ, ବିଚାରନିଷ୍ଠତା, ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ଭୂୟୋଦର୍ଶିତାର ପ୍ରତିଫଳନ ପାଠକକୁ ପ୍ରଭାବିତ କରିଥାଏ । ସେ ସବୁ ପରିମାଣରେ ସ୍ୱଳ୍ପ ଓ ସେ ଦିଗରେ ଚନ୍ଦ୍ରମୋହନଙ୍କ ଉଦ୍ୟମ ଓ ସାଧନା ସୀମାବଦ୍ଧ ଥିବାରୁ ବୋଧହୁଏ ୧୯୨୯ ମସିହା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ଉତ୍କଳ ସାହିତ୍ୟ ସମାଜର ଚତୁର୍ବିଂଶ ବାର୍ଷିକ ଅଧିବେଶନରେ ସଭାପତିତ୍ୱ କରି ଗୋପାଳଚନ୍ଦ୍ର ପ୍ରହରାଜ ଓଡ଼ିଆ ଗଦ୍ୟ ସାହିତ୍ୟ ପ୍ରସଙ୍ଗରେ କହିଥିଲେ, “ଚନ୍ଦ୍ରମୋହନ ଗଦ୍ୟ ରଚନାଦ୍ୱାରା ଓଡ଼ିଆ ଭାଷାର ଯେଉଁ ଭବିଷ୍ୟତ ସୂଚନା କରିଥିଲେ, ତାହା ବଣର ମାଳତୀ ପରି ବନରେ ଫୁଟି ଝଡ଼ିଲା ।”

 

ସେ ଯାହାହେଉ ଯେଉଁ କେତୋଟି ଗଦ୍ୟ ଚନ୍ଦ୍ରମୋହନଙ୍କର ଆମେ ପାଉ ତନ୍ମଧ୍ୟରୁ ଉତ୍କଳ ସାହିତ୍ୟ ୧ମ ଭାଗ ୯ମ ସଂଖ୍ୟା ଅର୍ଥାତ୍ ୧୮୯୭ ସେପ୍ଟେମ୍ବରରେ ପ୍ରକାଶିତ “ଭୂଗୋଳ ବିଦ୍ୟା”, ୬ଷ୍ଠ ଭାଗ ୪ର୍ଥ ସଂଖ୍ୟା ଅର୍ଥାତ୍ ୧୯୦୨ ଜୁଲାଇରେ ପ୍ରକାଶିତ ‘ଶ୍ରୀଧରସ୍ୱାମୀ’,୧୦ମ ଭାଗ ୧୦ ସଂଖ୍ୟା ଅର୍ଥାତ୍ ୧୯୦୬, ଫେବୃଆରୀରେ ପ୍ରକାଶିତ ‘ଇତିହାସ’ ଓ ୧୧ଶ ଭାଗ ୯ମ ସଂଖ୍ୟା ଅର୍ଥାତ୍ ୧୯୦୭, ଜାନୁୟାରୀରେ ପ୍ରକାଶିତ ‘ସ୍ୱପ୍ନ’ ପ୍ରବନ୍ଧ ସମୂହରେ ତାଙ୍କର ସ୍ୱକୀୟ ମାର୍ଜିତ ଗଦ୍ୟ ଶୈଳୀର ସ୍ପଷ୍ଟ ମୁଦ୍ରାଙ୍କ ରହିଛି । ‘ଇତିହାସ’ ପ୍ରବନ୍ଧଟି ଅଧୂନା ପ୍ରାକ୍ ବିଶ୍ୱବିଦ୍ୟାଳୟ ଶ୍ରେଣୀରେ ପାଠ୍ୟରୂପେ ଗୃହୀତ ହୋଇଅଛି । ଏଥିରେ ଅଧିକାଂଶ ବାକ୍ୟ ଗଭୀର ଅନୁଶୀଳନର ପରିଚୟ ଦିଏ । ଇତିହାସର ସଂଜ୍ଞା, ବ୍ୟାପ୍ତି ଓ ଉପାଦେୟତା ସମ୍ପର୍କରେ ପ୍ରବନ୍ଧଟିରେ ମୌଳିକ ଆଲୋଚନା ସନ୍ନିବେଶିତ ହୋଇଥିବାର ଜଣାଯାଏ । ‘ସ୍ୱପ୍ନ’ ଶୀର୍ଷକ ପ୍ରବନ୍ଧରେ ସ୍ୱପ୍ନର ପର୍ଯ୍ୟାୟ ଓ ସ୍ୱରୂପ ସମ୍ବନ୍ଧରେ କହିବାକୁ ଯାଇ ଚନ୍ଦ୍ରମୋହନ ଲେଖିଛନ୍ତି, ସ୍ୱପ୍ନର କାଳ ଯେପରି ଅଳ୍ପୀୟାନ୍‌, ଦେଶ ସେହିପରି ଭୂୟାନ୍ । ବର୍ତ୍ତମାନ ଘଟଣା ଓ ତାହାର ସମାବେଶ ଅତୀତ ଘଟଣାଦ୍ୱାରା ମନ ସଂକୀର୍ଣ୍ଣ ଓ କଲ୍ଲୋଳିତ ହେବାରୁ ସ୍ୱପ୍ନରେ ସେହିମାନଙ୍କର ପ୍ରତିବିମ୍ବ ସାଧାରଣତଃ ଦେଖାଯାଏ । ଜାଗରଣରେ ପ୍ରତ୍ୟକ୍ଷ ବର୍ତ୍ତମାନ ଯେପରି ଦବୀୟାନ୍ ଭବିଷ୍ୟତର ଅନ୍ତରାଳ ହୁଏ, ସ୍ୱପ୍ନରେ ମଧ୍ୟ ପ୍ରାୟ ସେହିପରି ।” ବ୍ୟକ୍ତିଗତ କେତେକ ଅନୁଭୂତିର ବ୍ୟଖ୍ୟାନ କରି ଚନ୍ଦ୍ରମୋହନ ସୁଚିନ୍ତିତ ଓ ବୈଜ୍ଞାନିକ ରୀତିରେ ‘ସ୍ୱପ୍ନ’ରସ୍ୱରୂପ ଉଦ୍‌ଘାଟନ କରିବାରେ ସଫଳତା ଅର୍ଜନ କରିପାରିଛନ୍ତି ।

 

କବିବର ରାଧାନାଥଙ୍କ ବିୟୋଗ ଉପଲକ୍ଷେ ଉତ୍କଳ ସାହିତ୍ୟ ୧୧ଶ ଭାଗ ୧୨ଶ ସଂଖ୍ୟାରେ ପ୍ରକାଶିତ “ପରଲୋକଗତ ରାଧାନାଥ ରାୟ” ଶର୍ଷକ ପ୍ରବନ୍ଧରେ ଚନ୍ଦ୍ରମୋହନ ଲେଖିଥିଲେ “ଆଧୁନିକ ଉତ୍କଳ କବିମାନଙ୍କ ମଧ୍ୟରେ ସେ (ରାଧାନାଥ) ସମ୍ରାଟ ଥିଲେ । ବିଦ୍ୟମାନ କବି ଓ କବି କଳ୍ପମାନଙ୍କ ମଧ୍ୟରୁ ଅନେକ ତାଙ୍କର ଶିଷ୍ୟ ବା ଅନୁଶିଷ୍ୟ ଥିଲେ । X X X ତାହାଙ୍କ କଥାରେ ଯେଉଁ ଭଙ୍ଗୀ, ପେଞ୍ଚ ଓ ପୂର ଥିଲା, ତାହା ଅନନ୍ୟ ସାଧାରଣ ଏବଂ କବିବରଙ୍କର ଯୋଗ୍ୟ ।”

 

‘ଉତ୍କଳ ସାହିତ୍ୟ ସମାଜ’ର ଏକବିଂଶ ବାର୍ଷିକ ଅଧିବେଶନରେ (ତା୫-୧୦-୨୬) ସଭାପତିରୂପେ ସେ ଯେଉଁ ଦୀର୍ଘ ଅଭିଭାଷଣ ପ୍ରଦାନ କରିଥିଲେ, ସେଥିରୁ ତାଙ୍କର ସାହିତ୍ୟିକ ଦୃଷ୍ଟିକୋଣ ସ୍ୱଷ୍ଟତଃ ବିବୃତ ହୋଇଛି । ସେ କହିଛନ୍ତି, “କାଳ ପରିବର୍ତ୍ତନଶୀଳ; X X X । ଏହି କାଳ ମାନବର, ମାନବ ଜାତିର ରୁଚିରେ ପରିବର୍ତ୍ତନ ଘଟାଇ ଆସୁଅଛି । X X X ଶକ୍ତିଶାଳୀ ଲେଖକ ବ୍ୟକ୍ତି ବିଶେଷର ରୁଚିରେ ଯେପରି ପରିବର୍ତ୍ତନ ସମ୍ପାଦନ କରନ୍ତି, ଜାତି ବିଶେଷରେ ରୁଚିରେ ସେହିପରି ନବଯୁଗର ପ୍ରବର୍ତ୍ତନ କରନ୍ତି । X X ଉତ୍କଳ ସାହିତ୍ୟରେ ଆଜି ଯାଏ ତା’ଦୃଶ ଦିବସର ପ୍ରଭାତ ଦୃଷ୍ଟି ପଥାରୂଢ଼ ହୋଇନାହିଁ । ମାତ୍ର ମଙ୍ଗଳମୟ ବିଧାତାଙ୍କର କୃପା ହେଲେ ଉତ୍ତର ପୁରୁଷ ପ୍ରଭାତୀ ତାରାର ସୁମଧୁର ଜ୍ୟୋତି ଅବଲମ୍ବନ କରିବେ ।”

 

ବ୍ୟକ୍ତିଗତ ଜୀବନରେ ଚନ୍ଦ୍ରମୋହନ ଥିଲେ ସଂସ୍କାରବାଦୀ । ସମାଜ ସଂସ୍କାର ଦିଗରେ ତାଙ୍କର ଉଦ୍ୟମ ଓ ଉତ୍ସାହ ଉଲ୍ଲେଖଯୋଗ୍ୟ । ମୁସଲମାନ ଓ ଖ୍ରୀଷ୍ଟିୟାନମାନଙ୍କ ସହ ମିଶି ସେ ପଂକ୍ତି ଭୋଜନ କରୁଥିଲେ । ତାଙ୍କର ଦର୍ଶନ ଓ ଶ୍ରବଣ ଶକ୍ତି ତୀବ୍ର ଥିଲା । ସେ କେବେ ଚଷମା ବ୍ୟବହାର କରୁନଥିଲେ । କାବ୍ୟ ଆଲୋଚନା, ସଂସ୍କୃତ ପାଠ ଓ ଉଦ୍ୟାନ କର୍ମ ତାଙ୍କର ପ୍ରିୟ କାର୍ଯ୍ୟ ଥିଲା । ଅଭ୍ୟାସ କରି ସେ ରୀତିମତ ଆସନ ଓ ପ୍ରାଣାୟମ କରୁଥିଲେ । ପ୍ରାଣାୟମ ଯୋଗୁଁ ତାଙ୍କର ବାୟୁରୋଗ ବୃଦ୍ଧିପ୍ରାପ୍ତ ହୋଇଥିଲା । ଆମାଶୟ ରୋଗରେ ପୀଡ଼ିତ ହୋଇ ସେ ୧୯୨୯ ମସିହାରେ ଦେହତ୍ୟାଗ କରିଥିଲେ ।

 

ଚନ୍ଦ୍ରମୋହନଙ୍କର ସମଗ୍ର ସାହିତ୍ୟକୃତି ଏକ ଉଜ୍ଜ୍ୱଳ ସମ୍ଭାବନାର ଯେ ପ୍ରତିଶ୍ରୁତି ଦେଇଥିଲା ଏଥିରେ ସନ୍ଦେହର ଅବକାଶ ନାହିଁ । ୧୯୧୨ ମସିହାରେ ତାଙ୍କର ଗୃହ ଅଗ୍ନିରେ ଭସ୍ମୀଭୂତ ହେବା ସଙ୍ଗେ ସଙ୍ଗେ ତାଙ୍କର ବହୁ ଆୟାସ ପ୍ରସୂତ ଅନ୍ୟୂନ ୪୦ଟି ପାଣ୍ଡୁଲିପି ସଂପୂର୍ଣ୍ଣ ଲୁପ୍ତ ହୋଇଯାଇଛି । ସେଗୁଡ଼ିକ ଲୋକଲୋଚନକୁ ଆସିଥିଲେ ହୁଏତ ତାଙ୍କର ପ୍ରତିଭା ସମଧିକ ସ୍ପଷ୍ଟ ଓ ବିକୀର୍ଣ୍ଣ ହୋଇ ଉଠିଥାନ୍ତା । କୃତୀ ଶିକ୍ଷକ, ଉନ୍ନତ ମାନବିକ ଚରିତ୍ର ସମ୍ପନ୍ନ ବ୍ୟକ୍ତିତ୍ୱ ଓ ନିଷ୍ଠାପର ସାହିତ୍ୟ ସେବକ ଭାବରେ ଚନ୍ଦ୍ରମୋହନ ପ୍ରତ୍ୟେକ ଛାତ୍ର, ଶିକ୍ଷକ ବିଶେଷତଃ ଗୁରୁଛାତ୍ର ନିକଟରେ ଉଦାର ଉନ୍ନତ ପ୍ରେରଣାର ଯେ ଏକ ଜୀବନ୍ତ ଉତ୍ସ ହୋଇ ରହିବେ ଏହା ନିଃସନ୍ଦେହ ।

 

(ଉକ୍ତ ପ୍ରବନ୍ଧଟି କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁର ଶତବାଷିକୀ ସ୍ମରଣିକାରୁ ସଂଗୃହୀତ ।)

-୦-

 

ଚନ୍ଦ୍ରମୋହନ ମହାରଣା

ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶ

 

ଜନ୍ମ -୬ ତାରିଖ ଅପ୍ରେଲ ୧୮୭୦ ମସିହା

ମୃତ୍ୟୁ - ୯ ତାରିଖ ଅପ୍ରେଲ ୧୯୨୯ ମସିହା

 

କେତେ ତ ଶିକ୍ଷକ ଗଲେ

କେହିତ ନଭୁଲେ ତୁମ ନାମ

ନାମ ଧରୁ ନ ଧରୁ ବା

ହାତ ଉଠି ହୁଅଇ ପ୍ରଣାମ ।

–କୁଞ୍ଜବିହାରୀ

 

ଫକୀରମୋହନ ସାହିତ୍ୟ ପରିଷଦର ରଜତଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ଯାଇ ମନେପଡ଼ିଲା ରେମୁଣାର କ୍ଷୀରୋଚୋରା ଗୋପୀନାଥ ଓ ସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ କଥା । ପ୍ରକୃତରେ ରେମୁଣା ଯେପରି ଭକ୍ତ, ସେହିପରି କବିତୀର୍ଥ ଭୂମି, ଚନ୍ଦ୍ରମୋହନ ସ୍ମୃତିରେ ଭରପୂର ।

 

ଧୂଳିଭରା ଗ୍ରାମ୍ୟପଥ, ଦୁଇ ଦିଗରେ ବଂଶକୁଞ୍ଜ, କୂଜନ-ଗୁଞ୍ଜନ ଭରା ଫଳ ପୁଷ୍ପୋଦ୍ୟାନ ଗୃହ ସଂଲଗ୍ନ । ଗୋପୀନାଥ ଦର୍ଶନ ଓ କ୍ଷୀରି ଆସ୍ୱାଦନ ପରେ ପହଞ୍ଚିଲୁ ଚନ୍ଦ୍ରମୋହନଙ୍କ ଗୃହରେ; ଧୂଳି ଟିକିଏ କପାଳରେ ଲଗାଇଲା ମାତ୍ରେ ଶରୀର ରୋମାଞ୍ଚିତ ହୋଇଉଠିଲା । ବୈଠକ ଗୃହରେ ତୈଳଚିତ୍ରଟିଏ, ଧୂଳି ଧୂସରିତ; ସମକ୍ଷରେ ସଦ୍ୟ ସାହିତ୍ୟ ଆସରଟିଏ ବସିଗଲା ।

 

୧୯୨୯ରେ କବିଙ୍କର ତିରୋଧାନ । ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଅତୀତ; ଏପର୍ଯ୍ୟନ୍ତ ‘ଉତ୍କଳ ସାହିତା ସମାଜ’ରେ ଚନ୍ଦ୍ରମୋହନଙ୍କ ପ୍ରତିକୃତିଟିଏ ରଖାଯାଇପାରି ନ ଥିଲା । ଏ ପୂଜ୍ୟପୂଜା ବ୍ୟତିକ୍ରମ ଏକାନ୍ତ ପୀଡ଼ାଦାୟକ । ଚନ୍ଦ୍ରମୋହନ ନବାଗତଙ୍କ ସମକ୍ଷରେ ବିସ୍ମୃତପ୍ରାୟ ।

 

କୌଣସି କୌଣସି ବୃଦ୍ଧଛାତ୍ର ତାଙ୍କ ନାମୋଚ୍ଚାରଣ ମାତ୍ରେ ଗମ୍ଭୀର ହୋଇ ବସିଯାନ୍ତି । ତାଙ୍କ ପରି ଛାତ୍ରପ୍ରାଣ ଶିକ୍ଷକ ଓଡ଼ିଶାରେ ବିରଳ । ଶିକ୍ଷାନୁଷ୍ଠାନରେ ଯେପରି ଶୃଙ୍ଖଳାରକ୍ଷା, ସେହିପରି ଛାତ୍ରମାନଙ୍କ ଚରିତ୍ର ଗଠନ ସେ କରିପାରୁଥିଲେ । ତାଙ୍କ ନାମରେ ଯେତିକି ଆତଙ୍କ, ସେତିକି ଭକ୍ତିଭାବ ଜାଗ୍ରତ ହେଉଥିଲା ।

 

ଅଧ୍ୟାପକ ଶ୍ରୀଧର ଦାସ ୧୯୧୯ ଖ୍ରୀଷ୍ଟାବ୍ଦରେ ପୁରୀ ଜିଲ୍ଲା ସ୍କୁଲରେ ଚନ୍ଦ୍ରମୋହନଙ୍କ ଛାତ୍ର ଥିଲେ । ସେ ମୋ ନିକଟକୁ ଗୋଟିଏ ପତ୍ରରେ ଲେଖିଛନ୍ତି– “ଦେଖିଲୁ, ସେ ପ୍ରାୟ ୫୦ ବର୍ଷର ଜଣେ ବୃଦ୍ଧ, ଶୃଙ୍ଖଳା ରଖିବାର କଠୋରତାର ଜୀବନ୍ତ ପ୍ରତିମୂର୍ତ୍ତି । ବାସ୍ତବରେ ସେ ଗମ୍ଭୀର ସ୍ୱରରେ କାହାକୁ ଡାକିଲେ ହୃତ୍‌କମ୍ପ ହେବାର କଥା ।”

 

ସ୍କୁଲରୁ ଆସିଲା ପରେ ତାଙ୍କର ଗେରୁଆ ପରିଧାନ, ସେ ବି ସାଧାରଣତଃ ମୁକ୍ତ; ବେଳେବେଳେ ସେହି ଗେରୁଆ ଲୁଗାର ଗୋଟିଏ ଅଂଶ ଉପର ଭାଗରେ ପଡ଼ିଥାଏ । ବାଟରେ ଚାଲିଲାବେଳେ ବରାବର ଗୋଟିଏ ପ୍ରାନ୍ତରେ ଯାଉଥିବେ, ସେ ଚାଲିରେ ଗୋଟିଏ ବିଶେଷତ୍ୱ ଥିଲା ।

 

ସେ ଅଧୀନରେ ନ କହି ‘ଆଧୀନ୍ୟ’ରେ କହୁଥିଲେ । Prize ପାଇଁ recitationରେ ସେ ‘Murder’ ଓ ‘Is’’ ଉଚ୍ଚାରଣ ଠିକ୍ କରାଇବାରେ ଅନ୍ତତଃ ଦଶ ମିନିଟ୍ ସମୟ ନେଉଥିଲେ ।

 

ଫକୀରମୋହନଙ୍କ ସମ୍ବନ୍ଧରେ ସେ କହୁଥିଲେ- “ତାଙ୍କ ହୃଦୟ ରସଗୋଲା ପରି ଥିଲା । କିନ୍ତୁ ମୋର ମନେହୁଏ, ଚନ୍ଦ୍ରମୋହନ ବାବୁ ଥିଲେ ନାରୀକେଳ । ତାଙ୍କର ବାହାର ଯେତିକି ରୁକ୍ଷ, ଅନ୍ତର ସେତିକି ସରସ ଥିଲା ।”

 

ସେ ସବୁ ବିଦ୍ୟାରେ ପଣ୍ଡିତ ଥିଲେ । ଇଂରାଜୀ, ଭୂଗୋଳ, ଇତିହାସ ସବୁଥିରେ ତାଙ୍କର ପ୍ରବେଶ ଥିଲା । ଥରେ ରାତି ଅଧରେ ବୋର୍ଡିଂ ପିଲାମାନଙ୍କୁ ଡାକି ତାରାମାନଙ୍କୁ ଚିହ୍ନାଇଲେ । ତାଙ୍କ ପାଣ୍ଡିତ୍ୟ ପିଲାମାନଙ୍କୁ ଗୋଟିଏ ଅସୁବିଧାରେ ପକାଉଥିଲା । ନିର୍ଦ୍ଦିଷ୍ଟ ପାଠ୍ୟପୁସ୍ତକ ସେ ଶେଷ କରିପାରୁନଥିଲେ । ଗୋଟିଏ ପିରିଅଡ଼ରେ ଗୋଟିଏ ଇଂରାଜୀ ‘Lesson’ରୁ ହୁଏତ ଧାଡ଼ିଏ ଦୁଇଧାଡ଼ି ହୋଇପାରେ ନାହିଁ । ଦିନେ ଦିନେ ଗୋଟିଏ ଗୋଟିଏ ଶବ୍ଦ ଉପରେ ହୁଏତ ପିରିଅଡ଼ ଶେଷ । କିନ୍ତୁ ବର୍ଷ ଭିତରେ ସେ ଯଦି ପୃଷ୍ଠାଏ ଦୁଇ ପୃଷ୍ଠା ପଢ଼ାନ୍ତି, ତେବେ ମଧ୍ୟ କ୍ଷତି ନ ଥାନ୍ତା, କାରଣ ଯେ ତାଙ୍କ ପଢ଼ାକୁ ନୟମିତି ଶୁଣିଥିବ, ସେ ଅକ୍ଳେଶରେ ଅନ୍ୟ ଅଂଶ ସବୁ ନିଜେ ନିଜେ ପଢ଼ି ବୁଝିପାରିବ । ସେ ଶକ୍ତି ଦେଉଥିଲେ, ସାହାଯ୍ୟ ଦେଉ ନ ଥିଲେ ।

 

ସେ ଯେଉଁଦିନ ସ୍କୁଲରୁ ବିଦାୟ ନେଲେ, ସେଦିନ ସଭା ସମିତି କିଛି ହୋଇନଥିଲା । ରାତିରେ ଆମେ ବୋର୍ଡିଂରେ ଗୋଟିଏ ବିଦାୟ ସଭା କଲୁ । ଚୌକୀ ଟେବୁଲ ପଡ଼ିଲା । ଚନ୍ଦ୍ରମୋହନ ବାବୁଙ୍କୁ ଡାକିଲୁ । ଗେରୁଆ ଲୁଗା ପିନ୍ଧି ଗୋଟିଏ କାନି ବେକରେ ଗୁଡ଼ାଇ ହୋଇ ସେ ଆସି ପହଞ୍ଚିଲେ, ପଚାରିଲେ –ପିଲାଏ କାହିଁକି ଡାକିଛ ? ଆମେ କହିଲୁ– ଆପଣ ଯାଉଛନ୍ତି, ଆମକୁ କିଛି ଉପଦେଶ ଦିଅନ୍ତୁ ।

 

ସେ ଚୌକୀରେ ନ ବସି ତଳେ ବାଲିରେ ବସିଲେ । ଆମେ ମଧ୍ୟ ତାଙ୍କୁ ବେଢ଼ି ତଳେ ବସିଲୁ । ସେ କହିଲେ– ଆଚ୍ଛା, ମୁଁ ଗୋଟିଏ କଥା କହିଯିବି । ତୁମ୍ଭମାନଙ୍କ ଚରତ୍ର ଏପରି ହେଉ, ଯେପରି କି ଶତ୍ରୁ ସୁଦ୍ଧା ସେଥିରେ ଦୋଷ ଦେଖି ନ ପାରୁ ।

 

ତାଙ୍କର ଅନ୍ତରର ସରସତା, ଛାତ୍ରବତ୍ସଳତା ଅନୁଭବର ବିଷୟ । ବର୍ଷେ ଦୁଇବର୍ଷ ପରେ ସେ ପୁରୀକୁ ଆସିଥିଲେ । ମୋତେ ଡାକିନେଇ ସେ ଦିନଟି ପାଖରେ ରଖିଲେ । ମୌନ ସମୟରେ ମୋ’ଦ୍ୱାରା ଖବରକାଗଜ ପଢ଼ାଇ ଶୁଣିଲେ । ଦକ୍ଷିଣୀ ଆମ୍ବ ଓ ମହାପ୍ରସାଦ ଖୁଆଇ ଛାଡ଼ିଲେ । ବାସ୍ତବରେ ସେ ଆମର ହେଡ଼୍‍ମାଷ୍ଟର ଥିବାବେଳେ ଆମେ ତାଙ୍କୁ ଚିହ୍ନି ନ ଥିଲୁ, ପରେ ଚିହ୍ନିଲୁ ।

 

ତାଙ୍କ ‘ବ୍ୟାକରଣ ସୋପାନ’ ବହିର ପ୍ରାୟ ଚାଳିଶଟି ସଂସ୍କରଣ ହୋଇଥିଲା । ଋତୁବର୍ଣ୍ଣନାରେ ମଧୁସୂଦନ ଓ ଚନ୍ଦ୍ରମୋହନଙ୍କ ପାର୍ଥକ୍ୟ ଉପଲବ୍‌ଧି କରିହୁଏ । ଚନ୍ଦ୍ରମୋହନ ଶୀତଋତୁ ବର୍ଣ୍ଣନାରେ ଲେଖିଛନ୍ତି–

 

ନିଶାରେ, ଅଜସ୍ର ତୁଷାର ବର୍ଷିଲା

ଧଳା ଭସ୍ମ ବୋଳା

ତପସ୍ୱୀ ମହିଳା

ପରାଏ ଯାମିନୀ ଦିଶିଲା ।

 

ସନ୍ତାନହରା ଜନନୀର ଲୋତକ ଧାର ତାଙ୍କ ନୟନରେ ଦେଖା ଦେଇଛି:–

 

ତା ହୃଦ ସଙ୍ଗରେ

ସେ ଶିଶୁକୁମରେ

ଯେ କୋମଳ ସୂତ୍ରେ ଭଲେ

ବାନ୍ଧିଥିଲା ବିହି

ଛିଡ଼ିଯାନ୍ତେ ତାହା

ଲମ୍ବିଛି ଲୋତକ ଛଳେ ।

 

ବେଶୀ ଲେଖି ନ ଥାନ୍ତୁ ପଛକେ ସେ ଥିଲେ ଯଥାର୍ଥ କବି । ଖାଲି ସମୁଦ୍ର ସୁନ୍ଦର ନୁହେଁ, ତୁଷାର ବିନ୍ଦୁ ମଧ୍ୟ ସୁନ୍ଦର ।

 

ଆତ୍ମ ଜୀବନୀରେ ପଣ୍ଡିତ ନୀଳକଣ୍ଠ ଏହି ମହାନ୍‍ ଶିକ୍ଷକଙ୍କର ଏକ ଜୀବନ୍ତ ଆଲେଖ୍ୟ ଅଙ୍କନ କରିଛନ୍ତି– ‘ସ୍କୁଲ ଶିକ୍ଷକମାନଙ୍କ ମଧ୍ୟରେ ବଡ଼ ଯୋଗ୍ୟ ଲୋକ ବୋଲି ତାଙ୍କର ସୁଖ୍ୟାତି ଥିଲା । ମୋ ମନେଅଛି, ଆମ ଗାଁ ସ୍କୁଲ ପରିଦର୍ଶନ କରିବାକୁ ଗଲାବେଳେ ସେ ଗୋଟିଏ କୋଇଲି ବୋବେଇବାର ଶୁଣି ପଚାରି ଦେଇଥିଲେ–ପଣ୍ଡିତ ମହାଶୟ, କୁହନ୍ତୁତ ଏ ମାଈ କି ଅଣ୍ଡିରା କୋଇଲି ?’

 

ପଣ୍ଡିତ ମହାଶୟ ଟିକିଏ ଇତସ୍ତତଃ ହୋଇ କହି ପକାଇଲେ– ମାଈ ହୋଇଥିବ । ଅଣ୍ଡିରାର ଏ ସୁନ୍ଦର ସ୍ୱର ହେବ କୁଆଡ଼ୁ? ଚନ୍ଦ୍ରମୋହନ ବାବୁ କହିଲେ– ନା-ନା ମାଈ କୋଇଲିର ଏପରି ସ୍ୱର ନାଇଁ । କାଳିଦାସ ଲେଖିଛନ୍ତି – “ପୁଂ ସ୍କୋକିଳୋ ଯନ୍ ମଧୁରଂ ଚୁକୁଜ ।”

 

ଚନ୍ଦ୍ରମୋହନ ବାବୁ ସ୍କୁଲ ପରୀକ୍ଷା କରିବା ଛଡ଼ା କଥା ଛଳରେ ଏହିପରି ବହୁତ ଆଲୋଚନା କରୁଥିଲେ । ଓଡ଼ିଆ ଶିକ୍ଷିତ ଶ୍ରେଣୀରେ ତାଙ୍କର ଖୁବ୍ ଆଦର ଓ ସୁଖ୍ୟାତି ଥିଲା ।

 

“ଯଥାର୍ଥରେ ତାଙ୍କ ପରି ଉଦାରଚେତା, ଶିଶୁପ୍ରାଣ ଶିକ୍ଷକ ମୁଁ ବଡ଼ କମ୍ ଦେଖିଛି ।”

 

“ତାଙ୍କଦ୍ୱାର ମୋ ପାଇଁ ସଦା ଅବାରିତ ଥିଲା । ସେ ଶୋଇବାଠାରୁ ଉଠି ଆସି ମୋ ଅଙ୍କଟି ମୋତେ ବୁଝାଇ ଦେଇ ପୁଣି ଯାଇ ଶୁଅନ୍ତି ।”

 

“ସେ ମୋତେ ବୁଝାଇଥିଲେ– ବ୍ୟବହାରରେ ମିତବ୍ୟୟିତା ଅକ୍ଷରରେ ମଧ୍ୟ ସେଇଆ । ଲାଞ୍ଜ ମୁଣ୍ଡ ମୋଡ଼ା ଗାର ସବୁ ଦରକାର ନାହିଁ । ଅକ୍ଷର ସ୍ପଷ୍ଟ କରିବା ପାଇଁ ଗାରର ଯେତିକି ପ୍ରକାର, ପରିମାଣ ଲୋଡ଼ା ସେତିକି ହେଲେ ହେଲା । ଏହାହିଁ ଅକ୍ଷର ଭଲ କରିବାର ସୂତ୍ର । ଏକ ସପ୍ତାହ ମଧ୍ୟରେ ମୋ ଅକ୍ଷର ବଦଳି ଗଲା । ପରେ ସତ୍ୟବାଦୀ ସ୍କୁଲରେ ପିଲାଙ୍କୁ ଅକ୍ଷର ଲେଖା ଶିଖାଇଲାବେଳେ ଚନ୍ଦ୍ରମୋହନ ବାବୁଙ୍କ ତତ୍ତ୍ୱ କଥାଗୁଡ଼ିକ ମଧ୍ୟ ମୋର ବରାବର ମନେପଡ଼ିଥିଲା ।”

 

“ଚନ୍ଦ୍ରମୋହନ ବାବୁ ପ୍ରାୟ ଆକାଶ ନିର୍ମଳ ଥିବାବେଳେ ମୋତେ ସଙ୍ଗେ ଘେନି ସ୍କୁଲ ହତା ଭିତରେ ବୁଲି ବୁଲି ବାଲିରେ ଆଳାପ କରୁଥାନ୍ତି । ସେତିକିବେଳେ ଆକାଶକୁ ଚାହିଁ ଗ୍ରହର ଗତି, ମଙ୍ଗଳର ଅତିଚାର, ଚନ୍ଦ୍ରପଥରେ ନିର୍ଦ୍ଦିଷ୍ଟ ଅଶ୍ୱନୀ, ଆଦ୍ରା, ପୁନର୍ବସୁ, ଚିତ୍ରା, ସ୍ୱାତି, ଜ୍ୟେଷ୍ଠା, ଭାଦ୍ରପଦ ପ୍ରଭୃତି ଉଜ୍ଜ୍ୱଳ ଯୋଗ ତାରାଗୁଡ଼ିକଠାରୁ ଆରମ୍ଭ କରି କ୍ରମେ ଅନ୍ୟାନ୍ୟ କ୍ଷେତ୍ରସବୁ ମୋତେ ଦେଖାଇ ବୁଝାଇ ଦେଉଥିଲେ । ପରେ ସତ୍ୟବାଦୀ ସ୍କୁଲରେ ଥିଲାବେଳେ ମୁଁ ରାତି ରାତି ଆରାମ ଚୌକୀରେ ସ୍କୁଲ ଅଗଣାରେ ବସି ଗ୍ରହ ତାହା ସବୁକୁ ଚିହ୍ନି ରାତି ଲକ୍ଷ୍ୟ କରି ପିଲାଙ୍କୁ ଧରି ବିଲକୁ ଯାଇ ତାଙ୍କୁ ତାରା ଦେଖାଇ ବୁଝାଇଲାବେଳେ ମୋର ଚନ୍ଦ୍ରମୋହନ ବାବୁହିଁ ମନେପଡ଼ୁଥିଲେ ।”

 

ପ୍ରଧାନ ଶିକ୍ଷକଭାବେ ଚନ୍ଦ୍ରମୋହନ କଠୋରଭାବେ କର୍ତ୍ତବ୍ୟନିଷ୍ଠ ଥିଲେ; ସ୍କୁଲରେ ସଂଯମ ଓ ଶୃଙ୍ଖଳାର ରାଜତ୍ୱ ଚାଲିଥିଲା, ବିଦ୍ୟାର ବାତାବରଣ ବିରାଜିତ ଥିଲା । ଛାତ୍ରମାନଙ୍କ ମନୋଭାବ ତିଳ ତିଳ କରି ବୁଝିବା ଲାଗି ତାଙ୍କର ଧୈର୍ଯ୍ୟ ଥିଲା । ଛାତ୍ରର ବ୍ୟକ୍ତିତ୍ୱ ଗଢ଼ିବାରେ ଦାୟିତ୍ୱ ସେ ମର୍ମେ ମର୍ମେ ବହନ କରୁଥିଲେ । ଆଦର୍ଶର ମଶାଲ ଧରି ଆଗେ ଆଗେ ଚାଲିଥିଲେ ସେ । ତାଙ୍କୁ ଅନୁସରଣ କରି ଚାଲିଥିଲେ ଶିକ୍ଷକ, ଛାତ୍ର । ଅପରାଧୀ ଛାତ୍ରକୁ ଶାସ୍ତି ଦେଲାବେଳେ ସେ ଅଭିଭାବକର ଉଚ୍ଚାସନ ବା ପଦମର୍ଯ୍ୟଦା ଦେଖି ଶଙ୍କି ଯାଉନଥିଲେ । ନୀଳକଣ୍ଠଙ୍କ କଳନାରେ ସେ ଏକାନ୍ତ ସତ୍ୟନିଷ୍ଠ ଓ ନିର୍ଭୀକ ଥିଲେ ।

 

ସେ ବଡ଼ ବୟାକରଣ ଥିଲେ; ସାହିତ୍ୟି କୃଷ୍ଣଚନ୍ଦ୍ର କରଙ୍କ ଭାଷାରେ ସେ ଥିଲେ- “ବ୍ୟାକରଣ ମନୀଷାର ଜ୍ୱଳନ୍ତ ପ୍ରତୀକ ।” କିମ୍ବଦନ୍ତୀ ଅଛି ଯେ ଜଣେ ବୁଲାବିକାଳୀ ‘ଚୂଡ଼ାଭଜା, ଚୂଡ଼ାଭଜା’ ଡାକି ଯାଉଥିଲା । ସେ ତାକୁ ପାଖକୁ ଡାକି ପଚାରିଲେ–ବାବୁ, ଭଜାଚୂଡ଼ା ନ କହି ତୁ କାହିଁକି ଚୂଡ଼ାଭଜା କହୁଛୁ ? ଆଗେ ବିଶେଷଣ, ପରେ ବିଶେଷ୍ୟ ବସେ, ଏକଥା କ’ଣ ତୁ ଜାଣିନାହୁଁ ? “ଭୋ କୈବର୍ତ୍ତ ପତ୍ନୀ, ଏ ମତ୍ସ୍ୟର ମୂଲ୍ୟ ନିରୂପଣ କର”; ମାଛ ମୁଲାଇଲାବେଳେ ପଣ୍ଡିତଙ୍କ ସାଧୁ ଭାଷା ପ୍ରୟୋଗରେ ଅସଙ୍ଗତ ପରି ସାଧାରଣ ଲୋକ ନିକଟରେ ବ୍ୟାକରଣ ସମ୍ପର୍କୀୟ ପ୍ରଶ୍ନ ଅସଙ୍ଗତ ଓ ଆମୋଦଦାୟକ । ବ୍ୟକ୍ତିତ୍ୱରେ ସ୍ୱାତନ୍ତ୍ର‌୍ୟ ଥିବା ଲୋକ ସମ୍ବନ୍ଧରେ ନାନା କିମ୍ବଦନ୍ତୀ ଚଳେ; ସେସବୁ ସତ୍ୟ ବୋଲି ଗ୍ରହଣ କରିନେବା ବା ଅମୂଳକ ବୋଲି ଉଡ଼ାଇ ଦେବା ଯଥାର୍ଥ ନୁହେଁ । ଚନ୍ଦ୍ରମୋହନ ଅତ୍ୟାଧିକ ବ୍ୟାକରଣ ସଚେତନତା ଯୋଗୁଁ ସଂଶୟୀ ହୋଇ ଉଠିଥିଲେ, ଏ କଥା ସତ୍ୟ । ହୁଏତ ମନରେ ଦୃଢ଼ ଆତ୍ମପ୍ରତ୍ୟୟ ଆସି ନ ଥିଲା । କେତେକ ପୁସ୍ତକ ରଚନା କଲେ ବି ପ୍ରକାଶନ ବିଷୟରେ ସେ ବୀତସ୍ପୃହ ହୋଇ ଉଠିଥିଲେ । ଶୁଣାଯାଏ, ୧୯୧୨ରେ ଗୃହଦାହ ଫଳରେ ତାଙ୍କର ୪୦ଖଣ୍ଡ ପାଣ୍ଡୁଲିପି ଭସ୍ମୀଭୂତ ହୋଇଥିଲା । ଏସବୁ ସାହିତ୍ୟିକ ରଚନା ନା ପାଠ୍ୟପୁସ୍ତକ ? କୌଣସି ସୂତ୍ରରୁ ତାର ସୂଚନା ମିଳେ ନାହିଁ । ତେବେ ଏସବୁ ପ୍ରଳୟାଗ୍ନିରେ ସର୍ବସ୍ୱର ପୂର୍ଣ୍ଣାହୁତି ।

 

୧୮୬୭ ନଅଙ୍କ ଦୁର୍ଭିକ୍ଷ କାଳ; ଚତୁର୍ଦ୍ଦିଗରେ ହା-ଅନ୍ନ ଚିତ୍କାର । ମୃତ୍ୟୁର କରାଳ ଲୀଳା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରେମୁଣା ଗ୍ରାମରେ ଅପ୍ରେଲ ୬ ତାରିଖରେ ଚନ୍ଦ୍ରମୋହନଙ୍କ ଜନ୍ମ । ଶତ ଶତ ଶବସତ୍କାର ନ ହୋଇ ପଡ଼ିରହିଥିଲାବେଳେ ତାଙ୍କର ପଞ୍ଚୁଆତୀ, ଷଠୀ, ଏକୋଇଶା ନାମକୁ ମାତ୍ର ପାଳିତ ହୋଇଥିଲା ।

 

ଜନ୍ମ ଅଳ୍ପକାଳ ପରେ ରେମୁଣାରେ ଗୋଟିଏ ଭର୍ଣ୍ଣାକୁଲାର ସ୍କୁଲର ଶୁଭ ଦେଇଥିଲେ ବାଲେଶ୍ୱରର ସଂସ୍କୃତି ପ୍ରେମୀ ରାଜା ବୈକୁଣ୍ଠ ନାଥ ଦେ, ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ଥିଲେ କବିବର ରାଧାନାଥ ରାୟ ଓ ବ୍ୟାସକବି ଫକୀରମୋହନ ସେନାପତି ।

 

ଚନ୍ଦ୍ରମୋହନଙ୍କୁ ୧୧ବର୍ଷ ହୋଇଥିବା ସମୟରେ ପିତା ଅନାଦି ଚରଣ ମହାରଣାଙ୍କର ମୃତ୍ୟୁ ହେଲା ଓ ଘରର ଆର୍ଥିକ ଅବସ୍ଥା ଦିନୁଁ ଦିନ ଶୋଚନୀୟତର ହେବାକୁ ଲାଗିଲା । କିନ୍ତୁ ଚନ୍ଦ୍ରମୋହନଙ୍କ ଅଧିକ ଅଧ୍ୟୟନର ବଳବତୀ ଇଚ୍ଛା ସମକ୍ଷରେ ଦାରିଦ୍ର‌୍ୟ ଅନ୍ତରାୟ ହୋଇ ପାରିଲା ନାହିଁ । ଜଙ୍ଗଲ, ଗହୀର ଗୋହିରୀବାଟେ; ରେମୁଣାରୁ ଆଠ ମାଇଲ ଚାଲି ଚାଲି ଯାଇ ଚନ୍ଦ୍ରମୋହନ ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିଥିଲେ । ରାତିରୁ ଗଣ୍ଡିଏ ପଖାଳ ଖାଇ ଯାଇ ଫେର୍ ରାତିରେ ଆସି ଖାଉଥିଲେ । ଜଙ୍ଗଲ ବାଟରେ ଭାଲୁ, ଗଧିଆ, ଚିତାବାଘ । ସାଆନ୍ତ ମା ତାଙ୍କୁ ପ୍ରତିଦିନ ଅଧା ବାଟରେ ଛାଡ଼ିଦେଇ ରାତି ପାହି ଫରଚା ହେଲେ ଫେରୁଥିଲେ । ପ୍ରତିଦିନ ୧୬ ମାଇଲ ଯିବା ଆସିବା ଫଳରେ ଚନ୍ଦ୍ରମୋହନଙ୍କ ବପୁ ସୁଗଠିତ ହୋଇଥିଲା; ସେ କଷ୍ଟସହିଷ୍ଣୁ, ନିଃଶଙ୍କ ଓ ନିର୍ଭୀକ ହୋଇ ଉଠିଥିଲେ ।

 

କିନ୍ତୁ ଯିବା ଆସିବାରେ ତାଙ୍କର ସମୟ ଯାଉଥିଲା । ସେ କିଛି ପଢ଼ିପାରୁ ନ ଥିଲେ । ବାଲେଶ୍ୱରରେ ଜଣେ ଆତ୍ମୀୟଙ୍କ ଘରେ ତାଙ୍କ ରହିବାର ବ୍ୟବସ୍ଥା କରାଗଲା । ଆଲୋକ ଅଭାବରୁ ରାସ୍ତାଧାରରେ ବସି ମ୍ୟୁନ୍‍ସପାଲଟି ଆଲୁଅରେ ତାଙ୍କୁ ପଢ଼ିବାକୁ ହୋଇଥିଲା ।

 

ଗଭୀର ଆନ୍ତରିକତା, ଅଧ୍ୟବସାୟ ସ୍ୱାଭାବିକ ମେଧା ସହିତ ମିଶି ତାଙ୍କୁ ଜୟଯୁକ୍ତ କଲା । ଏନ୍‌ଟ୍ରାନ୍‌ସ ପରୀକ୍ଷାରେ କଲିକତା ବିଶ୍ୱବିଦ୍ୟାଳୟରୁ ସେ ଚତୁର୍ଥ ସ୍ଥାନ ଅଧିକାର କରିବାକୁ ସମର୍ଥ ହୋଇଥିଲେ । ଏଇ ଅପୂର୍ବ ସାଫଲ୍ୟ ଉଚ୍ଚଶିକ୍ଷାରଦ୍ୱାର ଉଦ୍‌ଘାଟନ କରିଦେଲା ।

 

୧୮୮୪-୮୫ ଖ୍ରୀଷ୍ଟାବ୍ଦ, ସେତେବେଳକୁ ଓଡ଼ିଶାରେ ରେଳଗାଡ଼ି ଚାଲିନାହିଁ, ଯାତାୟାତର କୌଣସି ସୁବିଧାଜନକ ବ୍ୟବସ୍ଥା ହୋଇନାହିଁ । ବାଲେଶ୍ୱରରୁ ଷ୍ଟିମାରରେ ଚାନ୍ଦବାଲି ଯାଇ ସେଠୁ ଆଳି, ପଟ୍ଟାମୁଣ୍ଡାଇ ବାଟେ ଚାଲି ଚାଲି ଚନ୍ଦ୍ରମୋହନ ଆସି କଟକରେ ପହଞ୍ଚିଲେ, କାନ୍ଧରେ ଗୋଟିଏ ବୋକ୍‌ଚା, ପିନ୍ଧିବା ଲୁଗାଠାରୁ କଞ୍ଚାଚୂଡ଼ା, ଲଗାଇବା ତେଲ, ଦାନ୍ତକାଠି ପର୍ଯ୍ୟନ୍ତ ସବୁ ସେଥିରେ ବନ୍ଧା ।

 

କଟକ ରେଭେନ୍ସା କଲେଜରେ ସେ ଏଫ୍‌.ଏ ଶ୍ରେଣୀରେ ନାମ ଲେଖାଇଲେ, ଘୋର ଦୁଃଖ କଷ୍ଟ ମଧ୍ୟରେ ରହି ବି ପ୍ରଥମ ବାର୍ଷିକ ପରୀକ୍ଷାରେ ପ୍ରଥମସ୍ଥାନ ଅଧିକାର କରିବାକୁ ସମର୍ଥ ହୋଇଥିଲେ । ଏ ଘଟଣା କଟକରେ ଚହଳ ପକାଇ ଦେଇଥିଲା । ସେତେବେଳେ ଓଡ଼ିଆ ଛାତ୍ରଙ୍କ ସଂଖ୍ୟା ନଗଣ୍ୟ । ବଙ୍ଗାଳୀ ଛାତ୍ରମାନେ ଉଚ୍ଚସ୍ଥାନମାନ ମାରି ନେବାର ଦୀର୍ଘ ପରମ୍ପରା ଚଳି ଆସିଥିଲା । ଚନ୍ଦ୍ରମୋହନ ଗୋଟିଏ ଘାଟି ଦଖଲ କରି ନେବାରେ କ୍ରୋଧ ଓ ଅଭିମାନରେ ଜଣେ ବଙ୍ଗାଳୀ ଛାତ୍ର ରେଭେନ୍ସା କଲେଜ ଛାଡ଼ି ଚାଲିଯାଇଥିଲା । ୧୮୮୬ରେ କୃତିତ୍ୱ ସହିତ ଚନ୍ଦ୍ରମୋହନ ଏଫ୍‌.ଏ ପାସ୍‍ କଲେ । କଲିକତାରେ ଇଂଜିନିଅରିଂ ପଢ଼ିବା ଲାଗି ଚେଷ୍ଟିତ ହୋଇ ବ୍ୟର୍ଥ ହେଲା ପରେ ସେ ରେଭେନ୍ସା କଲେଜରେ ବି.ଏ. ଶ୍ରେଣୀରେ ନାମ ଲେଖାଇଲେ । ସରକାରୀ ବୃତ୍ତିହିଁ ତାଙ୍କର ମୁଖ୍ୟ ଅବଲମ୍ବନ ଥିଲା । ୧୮୮୮ ଖ୍ରୀଷ୍ଟାବ୍ଦରେ ସେ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । କିଛି ଭୂସମ୍ପତ୍ତି ନ ଥିଲା, ଘରେ ଅନ୍ୟ କାହାର କିଛି ରୋଜଗାର ନ ଥିଲା । ତଥପି କିଛି କିଛି ପଇସା ପ୍ରତି ମାସରେ ତାଙ୍କ ଲାଗି ମାଆ ପଠାଉଥିଲେ । ଫଳରେ ୩୦୦ଟଙ୍କା କରଜ ହୋଇଗଲା । ଅଦ୍ୟମ ଉଚ୍ଚାକାଂକ୍ଷା, ଘୋର ଅନାଟନ ମଧ୍ୟରେ ଚନ୍ଦ୍ରମୋହନ ଆଇ.ସି.ଏସ୍ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲେ । ସେ ଘୋଡ଼ାଚଢ଼ା ଆୟତ୍ତ କରିଥିଲେ; ଅମଣିଆ, ଅସାଧ୍ୟ ଘୋଡ଼ାକୁ ମଣ ବା ସାଧ୍ୟ କରିବା କୌଶଳ ସେ ଶିକ୍ଷା କରିଥିଲେ । ନିୟମିତ କୁସ୍ତିକସରତ ଯୋଗୁଁ ସେ ହୃଷ୍ଟପୃଷ୍ଟ ଓ ବଳିଷ୍ଠ ହୋଇଥିଲେ । ଜଳଖିଆରେ ସେ ବାଲେଶ୍ୱରୀ ସେରେ କଞ୍ଚା ଚୂଡ଼ା, ଦୁଇ ସେର ବସାଦହି ଓ ସେରେ ଗୁଡ଼ ଖାଇ ପାର୍ କରି ଦେଇପାରୁଥିଲେ । କୋଦାଳ ଧରିଲେ ସେ ଏକାଦିକ୍ରମେ ଗୁଣ୍ଠେ ଜମି ହାଣି ଦେଇ ଯାଉଥିଲେ । କ୍ଳାନ୍ତି ବୋଧ ହେଉନଥିଲା ।

 

କର୍ମ ଜୀବନ

 

ବି.ଏ ପାସ୍‍ ପରେ ତାଳଚେର ଗଡ଼ଜାତର ଯୁବରାଜଙ୍କ ଅଭିଭାବକ ଗୃହ ଶିକ୍ଷକଭାବେ ଚନ୍ଦ୍ରମୋହନ କିଛି କାଳ କାର୍ଯ୍ୟ କରିଥିଲେ । ତାଙ୍କ ରଚନା ପ୍ରତି ଆକୃଷ୍ଟ ହୋଇ ଇନ୍‌ସପେକ୍ଟର ଗୁଣଗ୍ରାହୀ କବିବର ରାଧାନାଥ ତାଙ୍କୁ ବାଲେଶ୍ୱର ଜିଲ୍ଲା ସ୍କୁଲର ସହକାରୀ ଶିକ୍ଷକଭାବେ ନିଯୁକ୍ତ କଲେ । ମାସିକ ବେତନ ପଚାଶ ଟଙ୍କା ମାତ୍ର । ସାତ ଆଠ ବର୍ଷ କାଳ ଶିକ୍ଷା ବିଭାଗରେ କାର୍ଯ୍ୟ କଲାପରେ ପଦୋନ୍ନତି ନ ହେବାରୁ ଚନ୍ଦ୍ରମୋହନ ଚାକିରୀ ଛାଡ଼ି ଦେବାଲାଗି କୃତ ସଂକଳ୍ପ ହୋଇଥିଲେ । ମଧୁବାବୁ (ପରେ ମହାନ୍‍ ଜାତୟ ନେତା ମଧୁସୂଦନ ଦାସ) ତାଙ୍କୁ ସେଥିରୁ ନିବୃତ୍ତ କଲେ ।

 

ତା’ପରେ କଟକ ଟ୍ରେନିଂ ସ୍କୁଲକୁ ସହକାରୀ ଶିକ୍ଷକଭାବେ ତାଙ୍କର ବଦଳି ହେଲା । ସେତେବେଳେ କବି ମଧୁସୂଦନ ରାଓ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । କାଞ୍ଚନ ସହିତ ମଣି ସଂଯୁକ୍ତ । ଚନ୍ଦ୍ରମୋହନଙ୍କ ସହଯୋଗରେ ସେ ଟ୍ରେନିଂ ସ୍କୁଲରେ ‘ଆଲୋଚନା ସଭା’ ପ୍ରତିଷ୍ଠା କଲେ । ମଧୁସୂଦନ ସଭାପତି, ଚନ୍ଦ୍ରମୋହନ ଏହାର ପ୍ରଥମ ସମ୍ପାଦକ ହେଲେ । ଏହି ସଭା କଟକରେ ଏକ ଚମତ୍କାର ସାହିତ୍ୟିକ ବାତାବରଣ ସୃଷ୍ଟି କରିବାକୁ ସମର୍ଥ ହୋଇଥିଲା । ଏଥିରେ ଯୋଗ ଦେଉଥିବା ବହିରାଗତ ସାହିତ୍ୟିକମାନଙ୍କ ମଧ୍ୟରେ ବିଶ୍ୱନାଥ କର, ନନ୍ଦକିଶୋର ବଳ, କୃଷ୍ଣପ୍ରସାଦ ଚୌଧୁରୀ ମୁଖ୍ୟ ଥିଲେ । ଟ୍ରେନିଂ ଛାତ୍ରମାନଙ୍କ ମଧ୍ୟରେ ସାହିତ୍ୟିକ ହେବା ଉଚ୍ଚାକାଂକ୍ଷା ଏହି ସଭା ଜାଗ୍ରତ କରିଥିଲା । ଏହି ଅନୁଷ୍ଠାନରୁ ଆଲୋକପ୍ରାପ୍ତ ପଣ୍ଡିତମାନେ ଉଚ୍ଚ ବିଦ୍ୟାଳୟମାନଙ୍କରେ ସାହିତ୍ୟିକ ବାତାବରଣ ସୃଷ୍ଟି କରିବାକୁ ସମର୍ଥ ହେଉଥିଲେ । ଏବେ ଏହି ସ୍କୁଲରୁ ପଣ୍ଡିତ ବାହାରୁଛନ୍ତି, ସାହିତ୍ୟିକ ବିରଳ ।

 

୧୮୯୭ ଆଲୋଚନା ସଭାର ତୃତୀୟ ଅଧିବେଶନରେ ‘ଉତ୍କଳ ସାହିତ୍ୟ’ର ସମ୍ପାଦକ ବିଶ୍ୱନାଥ କର ଏହି ସଭାର ମହତ୍ ଉଦ୍ଦେଶ୍ୟ ଏହିପରିଭାବେ ପ୍ରକାଶ କରିଥିଲେ– “ଏହି ଆଲୋଚନା ସଭା ଉପଯୁକ୍ତ କ୍ଷେତ୍ରରେ ସଂସ୍ଥାପିତ । ନର୍ମାଲ ସ୍କୁଲ ଓଡ଼ିଆ ଭାଷାର ସର୍ବୋଚ୍ଚ ବିଦ୍ୟାଳୟ । ଏହାର ଛାତ୍ରମାନେ ଉତ୍କଳଭୂମିର ନାନା ସ୍ଥାନରେ କାର୍ଯ୍ୟ କରିବାକୁ ଯିବେ । ସେମାନେ ଯେବେ ସାହିତ୍ୟ ସେବାର ଉନ୍ନତଭାବ ଓ ଆକାଂକ୍ଷା ପ୍ରାଣରେ ପୋଷଣ କରି କର୍ତ୍ତବ୍ୟ ସାଧନରେ ତତ୍ପର ହୁଅନ୍ତି, ତା’ହେଲେ ସେମାନଙ୍କଦ୍ୱାରା ଦେଶର ଅଶେଷ କଲ୍ୟାଣ ସାଧିତ ହୋଇପାରିବ । ସେମାନେ ନିଜେ ସାହିତ୍ୟ-ସେବା କରି ଜୀବନ କୃତାର୍ଥ କରିପାରିବେ ଏବଂ ଶତଶତ ପ୍ରାଣରେ ସାହିତ୍ୟ ସେବା ଭାବ ଜାଗ୍ରତ କରିବାକୁ ସମର୍ଥ ହେବେ ।”

 

ମଧୁସୂଦନଙ୍କ ପରେ ଚନ୍ଦ୍ରମୋହନ ପଣ୍ଡିତମାନଙ୍କ ମନରେ ସାହିତ୍ୟ-ନିଶା ଲଗାଇ ରଖିଥିଲେ । ସେମାନେ ‘ଉତ୍କଳ ସାହିତ୍ୟ ସମାଜ’ର ସାହିତ୍ୟ ସଭାମାନଙ୍କରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ଏବେ ଟ୍ରେନିଂ ସ୍କୁଲ ସେହି ଉଜ୍ଜ୍ୱଳ ପରମ୍ପରା ଚ୍ୟୁତ ।

 

୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ସହିତ ଏକ ବୃହତ୍ତର ପରିବେଶରେ ‘ଉତ୍କଳ ସାହିତ୍ୟ ସମାଜ’ ଜନ୍ମଲାଭ କଲା । ‘ଆଲୋଚନା ସଭା’ହିଁ ଏହି ମହାନ୍‍ ସାହିତ୍ୟିକ ଅନୁଷ୍ଠାନର ଆଦିମାତା । ଚନ୍ଦ୍ରମୋହନ ୧୯୦୭ରୁ ୧୯୧୯ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରିଥିଲେ ଓ ଏହି ସ୍କୁଲରେ ବିଦଗ୍‌ଧ ବାତାବରଣ ସଜୀବ କରି ରଖିଥିଲେ ।

 

ସେ କିପରି ଉଚ୍ଚକୋଟୀର ଶିକ୍ଷାବିତ୍ ଥିଲେ ଶିକ୍ଷକମାନଙ୍କ ପ୍ରତି ତାଙ୍କ ପରାମର୍ଶରୁ ସୁସ୍ପଷ୍ଟ ହୁଏ ।

 

(କ) ଶିକ୍ଷକ କର୍ତ୍ତବ୍ୟ ପରାୟଣ ହୋଇ ପ୍ରତ୍ୟେହ ଛାତ୍ରମାନଙ୍କର ଉନ୍ନତି ଚିନ୍ତା କରିବେ ।

 

(ଖ) ଛାତ୍ରମାନଙ୍କର ରୋଗ ବ୍ୟାଧି, ଅଭାବ ଅସୁବିଧା ବିଷୟରେ ଯଥେଷ୍ଟ ପ୍ରତିକାର କରିବେ ।

 

(ଗ) ଛାତ୍ରକୁ କୌଣସି ଶାରୀରିକ ବା ଆର୍ଥିକ ଦଣ୍ଡ ନ ଦେଇ ମାନସିକ ପ୍ରାୟଶ୍ଚିତ ବଳରେ ସଂଶୋଧନ କରିବେ ।

 

(ଘ) ପରୀକ୍ଷା ଖାତା ଦେଖିଲାବେଳେ ଶିକ୍ଷକ ନାମ ବା ରୋଲ ନମ୍ବରରେ ଭୁଲି ନ ଯାଇ ଜଜ୍ ଯେପରି ଆସାମୀକୁ ଉଦ୍ଧାର କରିବାକୁ ଚେଷ୍ଟା କରନ୍ତି, ପରୀକ୍ଷାର୍ଥୀ ଉଦ୍ଧାର ପାଇଁ ପରୀକ୍ଷକ ସେହିପରି ଚେଷ୍ଟା କରିବେ ।

 

ଛାତ୍ରମାନଙ୍କ କଲ୍ୟାଣ କାମନା ଚନ୍ଦ୍ରମୋହନଙ୍କର ଏକ ସ୍ୱାଭାବିକ ପ୍ରବୃତ୍ତି ପରି ହୋଇଥିଲା । ପ୍ରତି ଛାତ୍ର ପଛେ ପଛେ ତାଙ୍କ ମନ ସତେ ଯେପରି ଘୂରି ବୁଲୁଥିଲା । କପରି ତା’ ମନରେ ଅଧ୍ୟୟନ ଲିପ୍‌ସା ଜାଗ୍ରତ କରିବେ, କିପରି ଅବାଟରେ ଯାଉଥିବା ଛାତ୍ରକୁ ବାଟକୁ ଆଣିବେ, ଏହା ତାଙ୍କର ଅବସରର ଧ୍ୟାନ ଥିଲା । ସ୍କୁଲରେ ପ୍ରବେଶମାତ୍ରେ ଛାତ୍ର ଯେପରି ତାଙ୍କ ପରିବାରଭୁକ୍ତ ହୋଇଯାଉଥିଲା । ପୁତ୍ର ଓ ଛାତ୍ର ମଧ୍ୟରେ ସେ କୌଣସି ତାରତମ୍ୟ ଦେଖୁ ନ ଥିଲେ ।

 

ହେଡ଼୍‍ମାଷ୍ଟର ଭାବରେ ସେ ହୋଇ ଉଠିଥିଲେ ଏକାନ୍ତ ଅନୁକରଣୀୟ, ଅପରିହାର୍ଯ୍ୟ । ବ୍ୟକ୍ତି ପରିଣତ ହୋଇଥିଲା ଏକ ମହାନ୍‍ ଅନୁଷ୍ଠାନରେ । ତେଣୁ ତାଙ୍କ ଅବସରପ୍ରାପ୍ତି ଦୁଃଖର ଏକ ବାତାବରଣ ଖେଳାଇ ଦେଇଥିଲା ।

 

ମଣିଷ ଭଲ ମନ୍ଦର ଏକ ସମ୍ମିଶ୍ରଣ; ସେ ନିପାତନ ନ ହେବା ଲାଗି ଚେଷ୍ଟାର ବିରାମ ନ ଥିଲା । ସେ ରୀତିମତ ପ୍ରାଣାୟମ କରୁଥିଲେ । ଶୀତଦିନେ ଘୋଡ଼ି ନ ହୋଇ ଶୋଉଥିଲେ, ଜ୍ୟେଷ୍ଠ ମାସ ଖରାରେ ଛତା ଧରୁ ନ ଥିଲେ । ଉକ୍ତ ପ୍ରାଣାୟମ ଶେଷରେ ତାଙ୍କର କାଳ ହେଲା । ବାୟୁବୃଦ୍ଧି ଓ ଅର୍ଶରୋଗ ଫଳରେ ତାଙ୍କର ସ୍ୱାସ୍ଥ୍ୟହାନୀ ଘଟିଥିଲା ।

 

କର୍ମ ଜୀବନରେ ଉଦ୍ୟାନ ନିର୍ମାଣ ତାଙ୍କର ମୁଖ୍ୟ ବିନୋଦନ ଥିଲା । ନିଜେ ହାଣିମାରି ଜମି କାମାସତ୍ କରି ସେ ନାନା ଜାତିର ଫୁଲ ଫଳ ଗଛ ଲଗାଉଥିଲେ । ତାଙ୍କ ବଗିଚାରେ ନାନାବିଧ ଗୋଲାପ ଛଡ଼ା ଅଲାଇଚ, ଲବଙ୍ଗ, ଗୁଜୁରାତି, ଡାଳଚିନି ଆଦି ବହୁ ମୂଲ୍ୟବାନ ଗଛ ଥିଲା । ତାଙ୍କ ଗ୍ରାମର ଜଣେ ଶତ୍ରୁ ରାତିରେ ଏଇସବୁ ଗଛ ମୂଳରେ ଗରମ ପାଣି ଢାଳୁଥିଲା । ଗଛସବୁ ସକାଳୁ ଝାଉଁଳି ଯିବାର ଦେଖି ଚନ୍ଦ୍ରମୋହନଙ୍କ ଛାତି ଫାଟିଗଲା ପରି ଲାଗୁଥିଲା ।

 

ସେ ସ୍ୱଭାବତଃ କ୍ରୋଧୀ ଥିଲେ । ନୀତିବିବର୍ଜିତ ସରସାଳାପକୁ ସେ ଘୃଣା କରୁଥିଲେ । ମିଥ୍ୟାଚାର ଓ ଶାଠ୍ୟ ସହିତ ତାଙ୍କର ସାଲିସ ହୋଇପାରୁ ନ ଥିଲା । ନିଜେ ଭକ୍ତକବି ମଧୁସୂଦନଙ୍କ ପରି ନୀତିବାଦୀ, ସେହିପରି କଠୋରଭାବେ ସଂଯତ ଓ ଶୃଙ୍ଖଳିତ, କିନ୍ତୁ ଠିକ୍ ତାଙ୍କ ପରି କ୍ରୋଧୀ । ଲଲାଟରେ ଥରେ ଅଗ୍ନି ପ୍ରଜ୍ୱଳିତ ହେଲେ ସହଜରେ ପ୍ରଶମିତ ହେଉନଥିଲା । ତାଙ୍କୁ ଉତ୍ତେଜିତ ନ କରିବା ବିଷୟରେ ସହକର୍ମୀ, ଶିକ୍ଷକ ଓ ଛାତ୍ରମାନେ ସର୍ବଦା ସଚେତନ ଥିଲେ । ଶୃଙ୍ଖଳା ରକ୍ଷାରେ ପରୋକ୍ଷରେ ହୁଏତ ଏହା ସହାୟକ ହୋଇଥିଲା । ମୌନ ଆଗ୍ନେୟଗିରି ପରି ଏହା ଭୀତି ଉତ୍ପାଦନ କରୁଥିଲା ।

 

କିନ୍ତୁ ସେ ଅଗ୍ନି, ନଗରରେ ତାଙ୍କ କର୍ମକ୍ଷେତ୍ରରେ ଜଳିବାର ସୁଯୋଗ ନ ପାଇ ନିଜ ଗ୍ରାମରେ ଦିନେ ଜଳି ଉଠିଥିଲା । ଜଣେ ବ୍ୟକ୍ତି ସହିତ ଜମିଜମା ସମ୍ପର୍କରେ ବାରବର୍ଷକାଳ ତାଙ୍କର ମକଦ୍ଦମା ଲାଗିଲା । ସେ ଜୟଲାଭ କରିଥିଲେ; କିନ୍ତୁ ଜେତାଜିତ ଉଭୟ ସେହି ଅଗ୍ନିର ପତଙ୍ଗ ହୋଇଥିଲେ । ଅବସ୍ଥାପନ୍ନ ଶତ୍ରୁ ଧ୍ୱଂସ ପାଇଥିଲା, କିନ୍ତୁ ଚନ୍ଦ୍ରମୋହନଙ୍କୁ ଧ୍ୱଂସ ନ କରି ଛାଡ଼ି ନ ଥିଲା । ଅର୍ଥନାଶ, ମନସ୍ତାପ ଫଳରେ ଚନ୍ଦ୍ରମୋହନଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଥିଲା । ଏହି ସମୟରେ ପ୍ରତିହଂସାପରାୟଣ ଶତ୍ରୁ ତାଙ୍କର ଗୃହ ଦଗ୍‌ଧ କରିଥିଲା । ସାରା ଜୀବନର ସାରସ୍ୱତ କୀର୍ତ୍ତି ତା’ ମଧ୍ୟରେ ଧ୍ୱଂସ ହୋଇଗଲା । ବିପଦକୁ ସର୍ବଗ୍ରାସୀ ରୂପ ଦେବାଲାଗି ଏହି ସମୟରେ (୧୯୧୫) ପ୍ରାଣପ୍ରିୟା ପତ୍ନୀଙ୍କର ମାତ୍ର ୩୮ ବର୍ଷ ବୟସରେ ହଠାତ୍ ହଇଜା ରୋଗରେ ବିୟୋଗ ଘଟିଲା । ଧନ ମାନ ଯଶ ହରାଇ ଚନ୍ଦ୍ରମୋହନ ତଳିତଳାନ୍ତ ହୋଇଗଲେ ।

 

ଆଜୀବନ ତପସ୍ୟା ଏଇ ଶୁଖୁଆପୋଡ଼ାରେ ଜାଣ ନିଃଶେଷ ହୋଇଗଲା । ତାଙ୍କ ଧନ ମନରେ ଇର୍ଷା ପ୍ରଣୋଦିତ ବହୁ ବହିଃଶତ୍ରୁ ଥିଲେ ହେଁ ତାଙ୍କ ଅନ୍ତର ଭିତରେ ଅସଲ ଶତ୍ରୁ ଲୁଚି ରହିଥିଲା, ବେଳକାଳ ଦେଖି ତାଙ୍କର ସର୍ବନାଶ ଘଟାଇଲା; ପ୍ରଜ୍ଜ୍ୱଳିତ ହୁତାଶନରେ ଅନ୍ୟକୁ ଆହୁତି ଦେବାକୁ ଯାଇ ଯେ ଆତ୍ମାହୁତିହିଁ ଦେଇଥିଲେ । ଶିକ୍ଷକ ଭାବରେ ବହୁ ଛାତ୍ରଙ୍କୁ ଶିଖେଇଛନ୍ତି, ଭଲ ମଣିଷ କରି ଗଢ଼ିଛନ୍ତି । କିନ୍ତୁ ନିଜ ବେଳକୁ ସେ ସବୁ ପୋଥି ବାଇଗଣରେ ପରିଣତ ହୋଇଗଲା । ପୂର୍ଣ୍ଣାବର୍ତ୍ତ ଭିତରୁ ନିଜକୁ ସେ ଖସାଇ ଆଣିପାରିଲେ ନାହିଁ । ଗୋଟିଏ ମାତ୍ର ଦୋଷ ସଦ୍‌ଗୁଣମାନଙ୍କ କବଳିତ କଲା, ଜୀବନକୁ ବିପର୍ଯ୍ୟସ୍ତ କରିଦେଲା । ନାନା ଅଶାନ୍ତିରେ ଉତ୍‌ପୀଡ଼ିତ ହୋଇ ସେ ସୃଷ୍ଟିଶକ୍ତି ହରାଇ ବସିଲେ ।

 

ରାତି ଚାରିଟାରୁ ଉଠି ନିତ୍ୟକର୍ମ ପରେ ସେ ପ୍ରାର୍ଥନା କରୁଥିଲେ, ଗୃହୀ ସନ୍ନ୍ୟାସୀ ପରି ଥିଲେ । ଘରେ ଗେରୁଆ ପିନ୍ଧୁଥିଲେ, ନିରାମିଷ ଆହାର କରୁଥିଲେ; ବାହାର ରୁକ୍ଷ, କର୍କଶ ଦିଶିଲେ ବି ତାଙ୍କ ପ୍ରାଣ ସ୍ନେହ ଓ କରୁଣାର୍ଦ ଥିଲା । ସେ ପ୍ରକୃତି ପୂଜାରୀ, ସୌନ୍ଦର୍ଯ୍ୟପ୍ରେମୀ ଓ ଦୃଢ଼ ଭଗବତ୍ ବିଶ୍ୱାସୀ ଥିଲେ । କିନ୍ତୁ କ୍ରୋଧ ଉପୁଜିଲେ ଦୁର୍ବାସା ବା ଶଙ୍କରଙ୍କର ସେ ଋଷିରୂପ କୁଆଡ଼େ ଉଭାଇ ଯାଉଥିଲା ।

 

ଅତ୍ୟଧିକ ଶୌଚ ତାଙ୍କ ପକ୍ଷରେ ଏକ ବ୍ୟାଧିରେ ପରିଣତ ହୋଇଥିଲା । ଅନ୍ତଃଶୌଚ ଫଳରେ ବହୁ ମଳିନତା ଧୋଇଧାଇ ହୋଇଗଲା । କିନ୍ତୁ କ୍ରୋଧ ତାଙ୍କ ଆତ୍ମା ମୂଲ୍ୟକୁ ହିଁ ଆବୋରି ରହିଥିଲା ।

 

ଶୌଚ ଶେଷରେ ଏକ ଶୁଚିବାୟୁ ରୋଗରେ ପରିଣତ ହେଲା । ତାଙ୍କ କଲମରେ ଦୈବାତ୍ କେହି ଟିକିଏ ଲେଖି ପକାଇଲେ ସେ ରାଗି ନିଆଁ ହୋଇଯାନ୍ତି । ପ୍ରତିଦିନ ତାଙ୍କ ଚଟିଜୋତା ଧୂଆ ହେଉଥିଲା, ସେ ସବୁ ନରମ ରଖିବା ଲାଗି ଘୋଳଦହି ଢଳା ହେଉଥିଲା । ଘରେ ସନ୍ନ୍ୟାସୀ କିନ୍ତୁ ସୁଟ୍ ପିନ୍ଧି ବାହାରକୁ ସେ ସାହେବ ହୋଇ ବାହାରୁ ଥିଲେ ।
 

ରାଜପଥ ଉପରେ ସେ ଚାଲୁ ନ ଥିଲେ, କେତେ ସାଧୁସନ୍ଥଙ୍କର ପଦଧୂଳି ତା’ ଉପରେ ପଡ଼ିଛି । ତାକୁ ମାଡ଼ି ଚକଟି ଚାଲିବେ କିପରି ? ତେଣୁ ସେ ରାସ୍ତା ଧାରେ ଧାରେ ବା ବେରାସ୍ତାରେ ଚାଲୁଥିଲେ ।

 

ସାହିତ୍ୟିକ କୃତି

 

ଚନ୍ଦ୍ରମୋହନଙ୍କ ବିବିଧ ସାହିତ୍ୟିକ ପ୍ରଚେଷ୍ଟାର ପୂର୍ଣ୍ଣାଙ୍ଗ ରୂପ ଦର୍ଶାଇବା ବର୍ତ୍ତମାନ ଅସମ୍ଭବ । ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ଭୂଗୋଳ ବିଦ୍ୟା (୧୮୯୭, ସେପ୍ଟେମ୍ବର), ଶ୍ରୀଧର ସ୍ୱାମୀ (୧୯୦୨, ଷଷ୍ଠଭାଗ, ୪ର୍ଥ ସଂଖ୍ୟା), ଇତିହାସ (୧୯୦୬, ୧୦ମଭାଗ, ଦଶମ ସଂଖ୍ୟା), ସ୍ୱପ୍ନ (୧୧ଶ, ଦ୍ୱାଦଶ ସଂଖ୍ୟା) ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ‘ପରଲୋକଗତ ରାଧାନାଥ ରାୟ’ ଶୀର୍ଷକ ପ୍ରବନ୍ଧରେ (ଉତ୍କଳ-ସାହିତ୍ୟ, ୧୧ଶ ଭାଗ, ଦ୍ୱାଦଶ ସଂଖ୍ୟା) ଚନ୍ଦ୍ରମୋହନ ଲେଖିଥିଲେ– “ଆଧୁନିକ ଉତ୍କଳ କବିମାନଙ୍କ ମଧ୍ୟରେ ସେ ସମ୍ରାଟ ଥିଲେ । ବିଦ୍ୟମାନ କବି ଓ କବିକଳ୍ପମାନଙ୍କ ମଧ୍ୟରୁ ଅନେକ ତାଙ୍କର ଶିଷ୍ୟ ବା ଅନୁଶିଷ୍ୟ ଥିଲେ । ତାଙ୍କ କଥାରେ ଯେଉଁ ଭଙ୍ଗୀ, ପେଞ୍ଚ ବା ପୂର ଥିଲା, ତାହା ଅନନ୍ୟ ସାଦାରଣ ଓ କବିବରଙ୍କ ଯୋଗ୍ୟ ।”

 

ରାଧାନାଥ ଓ ଚନ୍ଦ୍ରମୋହନଙ୍କ ସମ୍ପର୍କ ନିବିଡ଼ ଥିଲା । ସପ୍ତାହକେ ଦୁଇ ତିନିଥର ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ୍ ହେଉଥିଲା । ରାଧାନାଥଙ୍କ ପୁତ୍ର ଶଶିଭୂଷଣ ଓ ଚନ୍ଦ୍ରମୋହନଙ୍କ ପୁତ୍ର ଶରତ ମହାରଣା ଦୁହେଁ ଅନ୍ତରଙ୍ଗ ବନ୍ଧୁ ଥିଲେ । ରାଧାନାଥଙ୍କ ସହିତ ଚନ୍ଦ୍ରମୋହନଙ୍କର କେବେ ମନୋମାଳିନ୍ୟ ହୋଇନାହିଁ । ‘ମହାଯାତ୍ରା’ ମହାକାବ୍ୟ ସମ୍ପର୍କରେ ଇଂରେଜ ସରକାରଙ୍କୁ ଚନ୍ଦ୍ରମୋହନ ଏକ ଗୁପ୍ତ ରିପୋର୍ଟ ଦେଇଥିବା କଥା ଯାହା ଶୁଣାଯାଏ, ତାହା ଅମୂଳକ, ଶରତ ମହାରଣା କହିଥାନ୍ତି ।

 

ଚନ୍ଦ୍ରମୋହନଙ୍କ ଗଦ୍ୟ ରଚନା ଶୈଳୀ ସ୍ୱଚ୍ଛ, ସ୍ୱଚ୍ଛନ୍ଦ, ସରଳ ଓ ଚିତ୍ତାକର୍ଷକ । ଅନାୟସରେ ସ୍ୱାଭାବିକ ରୀତିରେ ସେ ଭାବ ପ୍ରକାଶ କରିଛନ୍ତି । ତଳେ ତାଙ୍କ ‘ଇତିହାସ’ ପ୍ରବନ୍ଧରୁ ଦୁଇଟି ପଂକ୍ତି ଉଦ୍ଧାର କରାଗଲା ।

 

ସ୍ୱଦେଶ, ସ୍ୱଜାତି ଓ ସ୍ୱୀୟ ବଂଶୀୟ ଇତିହାସରେ ଅଭିଜ୍ଞ ହେଲେ ମାନବ ଆପଣାର ଦାୟିତ୍ୱ, ସତ୍ୱ ଓ ଦାବୀ ଉତ୍ତମରୂପେ ହୃଦୟଙ୍ଗମ କରିପାରେ । ଏହି ଅଭିଜ୍ଞତା ବ୍ୟକ୍ତି ବିଶେଷକୁ ସମୟ ସମୟରେ ବିପଥ ଗମନକୁ ନିବର୍ତ୍ତାଇ ଅଛି । ଏହି ଅଭିଜ୍ଞତା ଇଂଲଣ୍ଡର ଶାସନ ତନ୍ତ୍ରକୁ ସୁଦୃଢ଼ ଭିତ୍ତି ପ୍ରଦାନ କରିଅଛି । ଏହି ଅଭିଜ୍ଞତା ଅନେକ ମହାତ୍ମାଙ୍କୁ ଆତ୍ମୋତ୍ସର୍ଗ ବ୍ରତରେ ଦୀକ୍ଷିତ କରିଅଛି । ସୁକୌଶଳରେ ଲିଖିତ ଇତିହାସକୁ ଭୂଚିତ୍ର ଅଥବା ନାଟ୍ୟାଭିନୟ ସହିତ ତୁଳନା କରାଯାଇପାରେ ।

 

ଭୂଚିତ୍ର ଓ ନାଟ୍ୟାଭିନୟ ଦର୍ଶନ କଲେ ତଦ୍‌ବିଷୟ ସମ୍ବନ୍ଧରେ ଯେପରି ଜ୍ଞାନ ଓ ଆନନ୍ଦ ଜନ୍ମେ, ଇତିହାସ ପାଠରେ ସେହିପରି ଜ୍ଞାନ ଓ ଆନନ୍ଦ ଜନ୍ମେ ।

 

ଯେଉଁ ଜାତି ହୀନାବସ୍ଥ୍ୟ, ଉନ୍ନତ ଜାତିର ଇତିହାସ ସେ ଜାତି ମନରେ ନବୀନ ଉତ୍ସାହ ସଞ୍ଚାର କରେ ଓ ତାହାର ପଥପ୍ରଦର୍ଶକ ହୁଏ । ପୁଣି ଯେଉଁ ବର୍ତ୍ତମାନ ଅଧଃପତିତ ଜାତିର ପୂର୍ବପୁରୁଷମାନେ ପ୍ରାଚୀନ କାଳରେ ଗରୀୟାନ ଥିଲେ, ସେ ଜାତି ଭୂତ ଓ ବର୍ତ୍ତମାନ ତୁଳନା କରି ଭବିଷ୍ୟତରେ ଲୁପ୍ତ ଗୌରବର ଉଦ୍ଧାର ନିମନ୍ତେ ପ୍ରୋତ୍ସାହିତ ହୋଇଥାଏ ।

 

ଉଚ୍ଚକୋଟୀର ପାଣ୍ଡିତ୍ୟ ଓ ସାହିତ୍ୟିକ ପ୍ରତିଷ୍ଠା ଯୋଗୁଁ ଚନ୍ଦ୍ରମୋହନ ବିଦ୍‌ଗଧ ମହଲରେ ଏକ ମହନୀୟ ସ୍ଥାନର ଅଧିକାରୀ ହୋଇଥିଲେ । ସେ ଉତ୍କଳ ସାହିତ୍ୟ ସମାଜର ଏକବିଂଶ ବାର୍ଷିକ ଅଧିବେଶନରେ (୫.୧୦.୧୯୨୬) ସଭାପତି ଆସନ ଅଧିକାର କରିବାର ଗୌରବ ଅର୍ଜନ କରିଥିଲେ ଓ ସ୍ୱଭାଷଣରେ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାରେ ପ୍ରଥମ ଶ୍ରେଣୀର ଶକ୍ତିଶାଳୀ ଲେଖକର ଆବିର୍ଭାବ ହୋଇନାହିଁ । ଶକ୍ତିଶାଳୀ ଲେଖକ ବ୍ୟକ୍ତିବିଶେଷର ରୁଚିର ଯେପରି ପରିବର୍ତ୍ତନ ସମ୍ପାଦନ କରାନ୍ତି, ଜାତିବିଶେଷର ରୁଚିରେ ସେହିପରି ନବଯୁଗର ପ୍ରବର୍ତ୍ତନ କରାନ୍ତି । ଉତ୍କଳ ସାହିତ୍ୟରେ ଆଜିଯାଏ ଏତାଦୃଶ ଦିବସର ପ୍ରଭାତ ଦୃଷ୍ଟିପଥାରୂଢ଼ ହୋଇନାହିଁ ।

 

ଯେଉଁ ଯେଉଁ ବସ୍ତୁର ଉତ୍ପତ୍ତି, ସ୍ଥିତି ବିଲୟ ଅଛି, ତତ୍ତାବତ୍ ଇତିହାସର ବିଷୟୀଭୂତ । ରାଜା, ରାଜବଂଶ, ରାଜ୍ୟ, ମାନବଜାତି ତାହାର ଏକ ଅଙ୍ଗ । ସମରମାନଙ୍କର ଯେପରି ଇତିହାସ ଲେଖାଯାଏ, ସେହିପରି ମାନବୀୟ ବିଭିନ୍ନ ଧର୍ମ ସମ୍ପ୍ରଦାୟର ଇତିହାସ ଲେଖାଯାଏ । ସେହିପରି ବାଷ୍ପୀୟ ଯନ୍ତ୍ରର, ତଡ଼ିତ୍ ବାର୍ତ୍ତାବହ, ଚିତ୍ରବିଦ୍ୟା, ସଙ୍ଗୀତ ଶାସ୍ତ୍ରର ଇତିହାସ ଲେଖାଯାଏ । ସେହିପରି ସୂକ୍ଷ୍ମ ବଟବୀଜ, ଧୂଳିକଣାର ଏବଂ ସୃଷ୍ଟିତତ୍ତ୍ୱର ଇତିହାସ ମଧ୍ୟ ଲେଖାଯାଇପାରେ । ବିଧାତାଙ୍କ କୃପାରେ ଏହି ସାହିତ୍ୟ ସମାଜ ଶତାୟୁ ହେଲେ ସେତେବେଳେ କେହି ଯଦି ଏହାର ଇତିହାସ ଲିପିବଦ୍ଧ କରନ୍ତି, ତେବେ ତାହା ଉତ୍କଳସାହିତ୍ୟ ସେବକମାନଙ୍କର କେଡ଼େ କୌତୁକମ୍‍ୟ ଓ ଶିକ୍ଷାପ୍ରଦ ନ ହେବ ।

 

ଚନ୍ଦ୍ରମୋହନଙ୍କ ପାଣ୍ଡିତ୍ୟ ବହୁମୁଖୀ; ଏକ ବିଦ୍ୟାର ବିଶେଷଜ୍ଞ ସେ ନ ଥିଲେ, ନାନା ବିଷୟରେ ତାଙ୍କର ଅଭିନିବେଶ ଥିଲା; ତାଙ୍କ ଲିଖିତ ପ୍ରବନ୍ଧ ତାଲିକାରୁ ଏହା ସ୍ପଷ୍ଟ ହୁଏ । ଭୂଗୋଳ, ଇତିହାସ, ବାଣିଜ୍ୟ, ସାହିତ୍ୟ ଆଦି ବିବିଧ ବିଷୟରେ ପରିପକ୍ୱତାର ପ୍ରମାଣ ସେ ଦେଇଛନ୍ତି । ତାଙ୍କ ମତରେ ‘ମନୁଷ୍ୟ ଯେତିକି ପରିମାଣରେ ଉଦଯୋଗୀ, ଅଧ୍ୟବସାୟୀ, ସହିଷ୍ଣୁ, ଚରିତ୍ରବାନ ହୁଏ, ତାହା ହସ୍ତରେ ବାଣିଜ୍ୟ ସେହି ପରିମାଣରେ ଶ୍ରୀବୃଦ୍ଧି ସମ୍ପନ୍ନ ହୁଏ । ପକ୍ଷାନ୍ତରେ ମନୁଷ୍ୟ ସେତିକି ପରିମାଣରେ ବିକୃତିଗ୍ରସ୍ତ, ଅଳସ ଓ ଚରିତ୍ରହୀନ ହୁଏ, ତାହା ହସ୍ତରେ ବାଣିଜ୍ୟ ସେହି ପରିମାଣରେ ଶ୍ରୀହୀନ ହୋଇ ଅବଶେଷରେ ଅତି ହୀନଦଶା ପ୍ରାପ୍ତ ହୁଏ । ପୃଥିବୀର ପ୍ରାଚୀନ ଓ ଆଧୁନିକ ବାଣିଜ୍ୟେତିବୃତ୍ତ ଆଲୋଚନା କଲେ ଏହା ସ୍ପଷ୍ଟଭାବେ ପ୍ରତୀୟମାନ ହେବ ।’ (ଉତ୍କଳ-ସାହିତ୍ୟ, ଦ୍ୱିତୀୟ ଭାଗ)

 

‘ଉତ୍କଳ ସାହିତ୍ୟ’ ପତ୍ରିକା ପ୍ରକାଶରେ ସେ ବିଶ୍ୱନାଥ କରଙ୍କର ଜଣେ ମୁଖ୍ୟ ସହଯାଗୀ ଥିଲେ । ଏହାର ପ୍ରଥମ ସଂଖ୍ୟା (୧୮୯୭)ରେ ତାଙ୍କର ଗୋଟିଏ ପଦ୍ୟ ଓ ଗୋଟିଏ ଗଦ୍ୟ ପ୍ରକାଶିତ ହୋଇଥିଲା । ତାଙ୍କ ପ୍ରବନ୍ଧର ଶୀର୍ଷକ ଥିଲା- ‘ସାହିତ୍ୟ ପତ୍ରିକାର ଉପଯୋଗିତା’ । ସେ ଲେଖିଥିଲେ– “ଖଣ୍ଡିଏ ପତ୍ରିକାପାଠରୁ ନାନା ପୁସ୍ତକପାଠର ଫଳ ନ୍ୟୂନାଧିକ ମିଳିଥାଏ । ପୁଣି ପାଞ୍ଚଖଣ୍ଡ ପୁସ୍ତକ କିଣିବା ଅସମ୍ପନ୍ନ ଲୋକ ପକ୍ଷରେ କଠିଣ ହୋଇପାରେ । ଅଥଚ ପତ୍ରିକା ଖଣ୍ଡିଏ କିଣିବା ସେତେଦୂର କଠିଣ ନ ହୋଇପାରେ । ପତ୍ରିକା ଖଣ୍ଡିକରେ ନାନା ବିଷୟକ ପ୍ରବନ୍ଧର ସମାବେଶ ଥିବାରୁ ବିଷୟ ପରିବର୍ତ୍ତନ କିଞ୍ଚିତ୍ ପରିମାଣରେ ମାନସିକ କ୍ଳାନ୍ତି ନିବାରଣ ଓ ଆଗ୍ରହ ସଞ୍ଚାର କରେ । ଭୋଜନ, ଦର୍ଶନ, ଶ୍ରବଣ ପ୍ରଭୃତି ବିଷୟରେ ନବୀନତା ଓ ପରିବର୍ତ୍ତନର ଫଳ କିପରି ରୁଚିକର ଅନେକେ ଅନୁଭବ କରିଥିବେ । ପ୍ରବନ୍ଧ ପାଠ ସମ୍ବନ୍ଧରେ ମଧ୍ୟ ତଦ୍ରୂପ । ଏକାଧିକ ବ୍ୟକ୍ତି ମିଳିତ ହୋଇ ଖଣ୍ଡିଏ ପୁସ୍ତକ କ୍ରୟ କରି ପଢ଼ିବାର ଉଦାହରଣ ବିରଳ । ପୁସ୍ତକ ପାଠରେ କୌଣସି ପାଠକ ଯେଉଁ ଆୟାସ ଅନୁଭବ କରନ୍ତି, ପତ୍ରିକା ପାଠରେ ତାହା ସେପରିମାଣରେ ଅନୁଭୂତ ହୁଏନାହିଁ ।”

 

ପାଠକମାନଙ୍କ ମଧ୍ୟରୁ କାହାରି ମନରେ ରଚନାଶକ୍ତିର ବୀଜ ପ୍ରୋତ୍‌ଥିତ ଥିଲେ ପତ୍ରିକା ପାଠରେ ତାହା ଯେଡ଼େ ସହଜରେ ଅଙ୍କୁରିତ ହୁଏ, ପୁସ୍ତକ ପାଠରେ ତାହା ସେପରି ହେବାର ଦେଖାଯାଏ ନାହିଁ । ଏପରି ପାଠକ, ତନ୍ମଧ୍ୟରେ ବିଶେଷତଃ ତରୁଣବୟସ୍କ ପାଠକ ପ୍ରବନ୍ଧ ସହିତ ଲେଖକର ନାମ ଲିପିବଦ୍ଧ ଦେଖି ଆପଣାର ନାମ ସେହିପରି ଲିପିବଦ୍ଧ ଦେଖିବାକୁ ଅଭିଳାଷୀ ହୋଇ ରଚନାର ‘ସିଦ୍ଧିରସ୍ତୁ’ ଆରମ୍ଭ କରିଥାନ୍ତି । ଏପରି ଅଭିଳାଷ ସାହିତ୍ୟ ବିକାଶର ଅନୁକୂଳ । ଏଣୁ ସମ୍ବୋଧନୀୟ ।

 

ମାସିକ ପତ୍ରିକା ବିଜ୍ଞାନ, ଇତିହାସ ଓ ସାହିତ୍ୟର ଅନ୍ତର୍ଗତ ଅନ୍ୟାନ୍ୟ ବିଷୟରେ ଲୋକମାନଙ୍କୁ ଅଳ୍ପଶଃ ଶିକ୍ଷାଦିଏ ଓ ଶିକ୍ଷିତ ମଣ୍ଡଳୀର ସାହିତ୍ୟ-ଲାଳସା କିୟତ୍ ପରିମାଣରେ ତୃପ୍ତ କରେ । ମାନସିକ ପତ୍ର ସାହିତ୍ୟ ବିକାଶର ନାୟକ ଓ ଏହାର ସମାଜର ସାହିତ୍ୟ ସମୃଦ୍ଧିର ପରିଚାୟକ ।

 

‘ଉତ୍କଳ ସାହିତ୍ୟ’ର ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ମାଧୁରୀ’ କବିତାରେ ଚନ୍ଦ୍ରମୋହନ ମାଧୁରୀକୁ ଏକ ରମଣୀରୂପେ କଳ୍ପନା କରିଛନ୍ତି । ଏହି ରମଣୀକୁ ସେ କେଉଁଠି ରଖିବେ ? ପାଷାଣ ସୌଧରେ ? କାନ୍ଥ ଭାଙ୍ଗି ଡକାଇତ ହରଣ କରିନେବାର ଶଙ୍କା । ମଲ୍ଲୀ, ମାଳତୀ ଗହଳରେ ଉଦ୍ୟାନରେ ରଖିବେ ? କୌଣସି ଉପବନସେବୀ ହରଣଚାଳ କରିବାର ଶଙ୍କା । ବସନ ଭୂଷଣପରି ଦେହେ ରଖିବେ ! ତାହା ମଧ୍ୟ ନିରାପଦ ନୁହେଁ । ଶେଷରେ ସେ ସ୍ଥିର କଲେ ଯେ ମାଧୁରୀକୁ ଅନ୍ତରର ଅନ୍ତରତମ ମନ୍ଦିରରେ ସ୍ଥାନଦେବେ ।

 

ଚିହ୍ନିଲି ପୁଲକେ ହେରି

ବିଶ୍ୱ ରାଜଜେମା ମାଧୁରୀ ତା ନାମ

ଦେହେ ଶାନ୍ତି ଶାଢ଼ୀ ଶିରେ ଭକ୍ତ ଚୂଡ଼ା

ଗଳେ ପ୍ରୀତି ପୁଷ୍ପ ଦାମ ।

 

ଚନ୍ଦ୍ରମୋହନ ‘ନିର୍ବାସିତା ସୀତାର ସ୍ୱଗତ’ ଶୀର୍ଷକ ସଙ୍ଗୀତ ମଧ୍ୟ ରଚନା କରିଥିଲେ । ପତ୍ର ପତ୍ରିକାରେ ପ୍ରକାଶିତ ତାଙ୍କ ଲେଖା ସବୁ ବିକ୍ଷିପ୍ତଭାବେ ପଡ଼ି ରହିଛି ।

 

ନବୋଦ୍ୟମ

 

‘ନବୋଦ୍ୟମ’ ନାମ ସାର୍ଥକ । ପ୍ରକୃତରେ ଏହା ଏକ ନବ ଉଦ୍ୟମ । ଏହା ଚନ୍ଦ୍ରମୋହନ ମହାରଣାଙ୍କର ଆଦ୍ୟ ଯୌବନରେ ରଚିତ ପ୍ରଥମ କବିତା ପୁସ୍ତକ । ଏହାର ପ୍ରଚ୍ଛଦପଟ ଏହିପରି ଭାବରେ ପ୍ରକାଶିତ ହୋଇଅଛି-

 

କଟକ କଲେଜ ଛାତ୍ର ଚନ୍ଦ୍ରମୋହନ ମହାରଣା କର୍ତ୍ତୃକ ପ୍ରଣୀତ ।

 

Cuttack, Printed at Cuttack Vicoria Press, Orissa Printing Corporation, 1888, ମୂଲ୍ୟ ପାଞ୍ଚଅଣା ।

 

ଉତ୍ସର୍ଗ ପତ୍ର

 

ଅଧୁନା କେବଳ ସ୍ମରଣ ପଥବର୍ତ୍ତୀ, ମାତା ପିତା ଓ ପିତାମହୀଙ୍କର ମଧୁମୟ ନାମରେ ମୋର ଏହି ‘ନବୋଦ୍ୟମ’କୁ ଉତ୍ସର୍ଗ କଲି ।

– ପ୍ରଣେତା

 

ଏ ପୁସ୍ତକ ସମ୍ପର୍କରେ ଡକ୍ଟର ନଟବର ସାମନ୍ତରାୟ ଲେଖିଛନ୍ତି – ଏଫ୍‌.ଏ. କ୍ଳାସରେ ପଢ଼ିଲାବେଳେ ସେ ଯେଉଁ କେତୋଟି କବିତା ‘ସଂସ୍କାରକ’ ପତ୍ରିକାରେ ଲୋକଲୋଚନକୁ ଆଣିଥିଲେ ତାହାର ଏକତ୍ର ସଂକଳନ ହେଉଛି ୧୮୮୮ ସାଲର ‘ନବୋଦ୍ୟମ’ ପୁସ୍ତକ । ବସନ୍ତ ଋତୁର ଫୁଲ, ଫଳ, ମଧୁପର ଗୁଞ୍ଜନ, ଗନ୍ଧବହ ଇତ୍ୟାଦି ଗତାନୁଗତିକ ଉପକରଣ, ପ୍ରାଚୀନ ଉପକରଣ ଓ ଅଳଙ୍କାର ଅବଲମ୍ବନରେ ବସନ୍ତ (୨୩-୩-୮୭) କବିତା ରଚିତ, ମଲ୍ଲିକା (୨୩-୬-୮୭), ଶରତ (୧୩-୧-୮୭), ମଳୟାନିଳ ପତି (୨-୨-୮୮) କବିତାରେ ପୂର୍ବୋକ୍ତ କାବ୍ୟରୀତି ପରିଦୃଷ୍ଟ ହୁଏ । ଅପୂର୍ବ କାରାରୁଦ୍ଧ ପୁରୁଷର ପତ୍ର (୭-୭-୮୭), ଶଯ୍ୟାସ୍ଥ ଆଶାମୁଗ୍‌ଧ ବ୍ୟକ୍ତି (୧୫-୯-୮୭), ମାତୃହୀନ ବାଳକର ଜନନୀ ପ୍ରତି, ନିରାଶ ବ୍ୟକ୍ତିର ନିଭୃତ ଚିନ୍ତା, ବିଦେଶରୁ ସ୍ୱଗୃହାଭିମୁଖରେ ବାଲେଶ୍ୱର ପ୍ରତ୍ୟାଗମନ କାଳରେ କୌଣସି ସମୁଦ୍ର ପୋତରେ ଦୁଇ ସହୋଦରର ବିନାଶ, ମାତୃବିୟୋଗ ପ୍ରଭୃତି କବିତା ଅତ୍ୟନ୍ତ କରୁଣ ରସାତ୍ମକ ଓ ଏଥିରେ କବି ପ୍ରତିଭାର ସମ୍ୟକ୍ ପରିଚୟ ସୁସ୍ପଷ୍ଟ । ଏହାର ସମୁଦାୟ ୧୫ଟି କବିତା ମଧ୍ୟରୁ ଅଧିକାଂଶ ଚଉଦ ଅକ୍ଷର ଧାଡ଼ିର କବିତା ଓ ସୌନ୍ଦର୍ଯ୍ୟ ସୃଷ୍ଟି ପାଇଁ ପାଦ ମଧ୍ୟରେ ମଧ୍ୟ ବିରାମ ଅଛି । ବର୍ଣ୍ଣନାର ସ୍ୱାଭାବିକତା ଓ ବିଷୟବସ୍ତୁର ବୈଚିତ୍ର‌୍ୟହିଁ ଏ କବିତାମାନଙ୍କର ବିଶେଷତ୍ୱ । ପରବର୍ତ୍ତୀ ସମୟରେ କେତେକ କବିତା ଓ ପ୍ରବନ୍ଧ ସହିତ ଓଡ଼ିଆ ବ୍ୟାକରଣ (୧୯୧୦), କଥାବଳୀ (୧୯୧୭)ରେ ରଚନା କରିଥିଲେ ।

 

‘ନବୋଦ୍ୟମ’ ନବୀନ ବୟସର ଉଦ୍ୟମ ହେଲେହେଁ ଏକ ଉଚ୍ଚକୋଟୀର କାବ୍ୟଚେଷ୍ଟା । ଭାବ ପ୍ରକାଶ ସଂଯତ, ସୌନ୍ଦର୍ଯ୍ୟବୋଧ ନବିଡ଼ତ ବ୍ୟଥିତ ପ୍ରତି ସମବେଦନା ଗଭୀର, ଭାଷା ସାଧୁ ଓ ଶାଳୀନ । ଦୃଷ୍ଟିକୋଣ ନୂତନ, ‘ଆସ, ଆସ’ ସ୍ଥାନରେ ଫକୀରମୋହନଙ୍କ ପରି ବାଲେଶ୍ୱରୀ ଭାଷା ପ୍ରଭାବରେ ସେ ‘ଆୟ, ଆୟ’ ପ୍ରୟୋଗ କରିଛନ୍ତି । ରଚନା ବ୍ୟାକରଣ ଦୋଷ ବିବର୍ଜିତ । କୌଣସି କୌଣସି କବିତାର ଶୀର୍ଷକ ଅତି ଦୀର୍ଘ ଓ ଅକବି ଜନୋଚିକତ, ଯଥା- ‘ବିଦେଶରୁ ସ୍ୱଗୃହାଭିମୁଖରେ ବାଲେଶ୍ୱର ପ୍ରତ୍ୟାଗମନ କାଳରେ କୌଣସି ସମୁଦ୍ର ପୋତରେ ଦୁଇ ସହୋଦରର ବିନାଶ ।’ ଶରଦୁଷା (ଶରତ୍ ଉଷା) ସନ୍ଧି ଓଡ଼ିଆ ଭାଷାର ସ୍ୱଭାବ ବିରୋଧୀ । କବିତାର ବୈଜ୍ଞାନିକ ଉପମା ପ୍ରୟୋଗରେ ଚନ୍ଦ୍ରମୋହନ ଅଗ୍ରଣୀ–

 

ନଦୀମୁଖ ସନ୍ନିଧିରୁ ଗୃହ ସନ୍ନିହିତ

ହୋଇଲା, ବଢ଼ିଲା ତାଙ୍କ ମନରେ ଆବେଗ

ଧରାକେନ୍ଦ୍ର ସନ୍ନିହିତ ହେଲେ ଯଥା ବେଗେ

ବଢ଼ଇ ବସ୍ତୁର କ୍ରମେ ପତନ କାଳରେ ।

 

ନବୋଦ୍ୟମର ଅର୍ଦ୍ଧେକ କବିତା ପ୍ରକୃତି କବିତା- ବସନ୍ତ, ଝିଟିକା, ପର୍ବତ, ଶରତ, ମଳୟାନିଳ ପ୍ରତି, ସମୁଦର ପ୍ରତି, ଶରଦୁଷା ପ୍ରାକ୍‌କାଳ ଇତ୍ୟାଦି । ଏସବୁ ସମସାମୟିକ କବିମାନଙ୍କର ଅନୁସରଣ ବା ଅନୁକରଣ ନୁହେଁ । ବର୍ଣ୍ଣନା ରୀତି ପାରମ୍ପରିକ ନୁହେଁ । ଚାହାଣୀରେ ସ୍ୱାତନ୍ତ୍ର‌୍ୟ ସ୍ପଷ୍ଟ । ଚନ୍ଦ୍ରମୋହନଙ୍କ କବିତା ରୋମାଣ୍ଟିକ ଯୁଗର ସଙ୍କେତ ବହନ କରେ । ପୁଷ୍ପରାଜି ମଧ୍ୟରେ ଶେଫାଳୀ ଓ ମଲ୍ଲିକା ପ୍ରତି କବିଙ୍କର ଆକର୍ଷଣ ଅଧିକ । ସୌନ୍ଦର୍ଯ୍ୟର ଚିତ୍ତାକର୍ଷକତା ଓ କ୍ଷଣିକତା ତାଙ୍କୁ ବିମୁଗ୍‌ଧ କରିଛି –

 

ସୁମନ ଖଣିରେ ଆତୁଳ ରତନ

ଶୃଙ୍ଗାର ହାରର ମାଧୁରୀ ମୋହନ

ପ୍ରବାଳ ଖଚିତ ସ୍ପଟିକ ଯେସନ

ଶୋଭା ପରକାଶେ ତାହା କି ଛାର,

ପ୍ରବାଳ ସ୍ଫଟିକ କାଠିନ୍ୟ ଦୂଷିତ

କୋମଳତା ଗୁଣେ କୁସୁମ ଭୂଷିତ

ତେଣୁ ପରା ଦେବେ ରୁଚି ପ୍ରଶଂସିତ

ଆଦରେ ପିନ୍ଧନ୍ତି ଶୃଙ୍ଗାର ହାର,

ପ୍ରବାଳ, ସ୍ପଟିକ ପୁଣି ଚିରସ୍ଥାୟୀ

ଫୁଲ ଏହି ଅଛି, ପୁଣି ଏହି ନାହିଁ

ବଳି ମନୋଲୋଭା ଶୋଭା କ୍ଷଣସ୍ଥାୟୀ

ସତେ ଦୃଷ୍ଟାନ୍ତ ଦେଖୁ ଏହାର

ଦରଫୁଟା କଥା ଶିଶୁର ମୁଖରେ

ଲାବଣ୍ୟ ମାଧୁରୀ ଯୌବନ କାଳରେ

ସୌଦାମିନୀ ଛଟା ଜଳଦ ପଟରେ

ନ କରେ ମୋହିତ ମନ କାହାର ?

 

ଶରତ୍ ବର୍ଣ୍ଣନାରେ ଶେଫାଳୀର ବ୍ୟାଖ୍ୟାମୂଳକ ଦୀର୍ଘବର୍ଣ୍ଣନା କବିତାର ଆନୁପାତିକ ସୌଷ୍ଠବ ହାନି ଘଟାଇଛି । କବି ଏହି ଭାବକୁ ପରବର୍ତ୍ତୀ କାଳରେ ସଂକ୍ଷିପ୍ତ ଓ ଅଧିକ କଳାତ୍ମକ ଭାବରେ ପ୍ରକାଶ କରିଛନ୍ତି–

 

ପ୍ରବାଳ ବୃନ୍ତରେ ଖଚିତ ସଜ ସ୍ଫଟିକ ଦଳ

ଲଭନ୍ତା ତୁଳନା ହୋଇଲେ ସୁବାସିତ, କୋମଳ ।

 

ପରବର୍ତ୍ତୀ କାଳରେ କୁନ୍ତଳା କୁମାରୀଙ୍କ ‘ଶେଫାଳୀ ପ୍ରତି’ କବିତା ତଦ୍‍ଜାତୀୟ ଓଡ଼ିଆ କବିତା ରାଜ୍ୟରେ ଉଚ୍ଚ ଦାର୍ଶନିକତା ଓ କୋମଳ କବିତ୍ୱ ଯୋଗୁଁ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି । ଚନ୍ଦ୍ରମୋହନଙ୍କ ‘ମଲ୍ଲିକା’ କବିତା ରୋମାଣ୍ଟିକ ଦୁଃଖବାଦର ଏକ ଚମତ୍କାର ଦୃଷ୍ଟାନ୍ତ । ରୋମାଣ୍ଟିକ କବିର ଏଇ ଏକ ବିଶେଷତ୍ୱ ଯେ ସେ ଦୁଃଖର ହେତୁ ବିଦ୍ୟମାନ ନ ଥିଲେ ବି ଟାଣି ଓଟାରି କବିତାକୁ ଦୁଃଖାତ୍ମକ କରେ–

 

କିନ୍ତୁ ନ ଛୁଉଁଣୁ ତନୁ, କୋମାଳାଙ୍ଗି, ତୋର

ବିଷାଦ ଗମ୍ଭୀର ଭାବ ଉଦଇ ମନର

ମନେପଡ଼େ ମନୁ ଉକ୍ତି ତରୁଲତାମାନ

ଅନ୍ତରଙ୍ଗ, ଅନୁଭବ କରନ୍ତି ଏମାନ

ସୁଖ ଦୁଃଖ” ବୋଲେ ମନ ଅଟେ ଯଥାଯଥ ।

X X X

 

ମାତୃ-କୁଳ-ଗତ

 

ହସୁଚୁ ଗରବେ ତୁହି, ହେଲେ ଶାଖାଛଡ଼ା

ମଉଳିବ ତୋ ବଦନ, ଥିବ ନାହିଁ ପରା

ସେ ଚାରୁ ନବୀନ ସ୍ମିତ ତଥା, ଯଥା ଶିଶୁ

ସୁହାସିନୀ ବାଳିକାଟି କୋମଳ ଶରୀଷୁଁ

ମାତୃ କୋଳୁଁ ଛଡ଼ାଇଲେ ମଳିନ ବଦନା

ବାଳା ପରି ଅନୁଭବୁ ତୁ ମନୋବେଦନା ।

 

ତପସ୍ୟାରତ ଶରତ୍ ଉଷା; ପୃଥିବୀ ଆଶ୍ରମ ପରି ନିର୍ଜନ ଓ ପବିତ୍ର । ସେ କବି ଭାବରେ ଆଶ୍ରମ ଶାନ୍ତିର ପରିପୂରକ ହେବାକୁ ଚାହାନ୍ତି । ପଦକ୍ଷେପର ସାମାନ୍ୟତମ କୋଳାହଳରେ ସେହି ଶୃଙ୍ଖଳା ଓ ଶାନ୍ତିରେ ବ୍ୟାଘାତ ଆଣିବାକୁ ଚାହାନ୍ତି ନାହିଁ ।

 

ଶରତ ରାତିର ତାରା ରଜନୀ ରାଣୀର ହୀରା ଅଳଙ୍କାର । ରଜନୀକୁ ଏକ ଅଳଙ୍କାର ପ୍ରିୟା ଲୋଭାସକ୍ତା ସୁନ୍ଦରୀ ରମଣୀ ସହିତ କବି ତୁଳନା କରିଛନ୍ତି । ସୂର୍ଯ୍ୟ କର ବଢ଼ାଇବା ଦେଖି କାଳେ ଅଳଙ୍କାର ହରଣ କରିନେବ, ସେଥିଲାଗି ରଜନୀ ତନୁରେ ଯେପରିକି ଉତ୍ତରୀୟ ଢାଙ୍କି ଦେଇଛି ।

 

ପର୍ବତ ନଦୀର ଜନନୀ । ପର୍ବତର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ମହତ୍ୱ ଯେପରିକି କନ୍ୟା ନିର୍ଝରଣୀ ଚରିତ୍ରରେ ପ୍ରତିଫଳିତ ।

 

ମାତୃ-କଳା

 

ରାଜଇ ବିଶେଷ ଭାବେ ପ୍ରଥମ ସନ୍ତତି

ନିର୍ଝରିଣୀ-ଅବୟବେ ମହତ ଜନର

ବେଭାର ମହତ ସହ; ତେଣୁ ନିର୍ଝରିଣୀ

ମହତ ସିନ୍ଧୁର ଜାୟା, ଦୌହିତ୍ରେୟ ଘନ

ଚପଳା-ସୁନ୍ଦରୀ-ପତି କ୍ରେଧା ମୂର୍ତ୍ତି ଧରି,

ନିବସଇ ନଭଃ ପୁରେ ଇନ୍ଦ୍ରାୟୁଧ-କର ।

 

ସଂସାର ସୁଖଦୁଃଖମୟ । ଏଠି ମଳୟ ଯେପରି ଶିହରଣ ଆଣେ, ଝଟିକା ସେହିପରି ସର୍ବନାଶ ଘଟାଇଥାଏ । ସମାଜକୁ କବିଙ୍କ ଶିକ୍ଷା ଦେବା ପ୍ରବୃତ୍ତି ଏହି କବିତାରେ ସ୍ପଷ୍ଟ । କବିତାରେ ଧାବମାନ ଛନ୍ଦ ପ୍ରୟୋଗରେ ଚନ୍ଦ୍ରମୋହନ ଅଗ୍ରଣୀ–

 

ଯେ ଇଚ୍ଛେ ସମ୍ପଦ ଭୋଗ, ସହିବ ଆପଦ

ତେବେ ହେ ଧରଣୀବାସୀ, ଭଜ ତାଙ୍ଗ ପଦ ।

ଅସ୍ଥିର ନିୟତି ଚକ୍ର ଯାହା ଆଦେଶରେ

ଅବିରତ ଘୂରୁ ଅଛି, ବିଶୁଦ୍ଧ ସୁଖରେ

ଯଦି ଥାଏ ଅଭିଳାଷ, ଅଚିରାଂଶୁପ୍ରଭ

ଜନ-ମନୋ ମୋହ କର ବିପୁଳ ବିଭବ

ଅଚିରାଂଶୁ ଅନୁଗାମୀ ସାନ୍ଦ୍ରତମେ ନଭ

ସୁଖ ଅଭିଳାଷୀ ଦୁଃଖ ।

 

କରୁଣ ରସ ପ୍ରୟୋଗରେ ଚନ୍ଦ୍ରମୋହନ ତରୁଣ ବୟସରୁ ହିଁ ସିଦ୍ଧହସ୍ତତାର ପରିଚୟ ଦେଇଛନ୍ତି । ୧୮୦୬ ଶକାବ୍ଦରେ ବାଲେଶ୍ୱର ନଗରର କୌଣସି ରମଣୀର ପ୍ରଥମ ପ୍ରସୂତ ଶିଶୁ ଷୋଡ଼ଶ ଦିବସରେ ପ୍ରାଣତ୍ୟାଗ କଲା । ଏହାହିଁ କବିତାର ବିଷୟବସ୍ତୁ । ଉଦ୍ଧୃତିର ଲୋଭ ସମ୍ବରଣ କରିପାରିଲିନାହିଁ –

 

ନାହିଁ ତାର ତୁଳା

ଲବଣୀ ପିତୁଳା

ବାଳା କଷ୍ଟେ ଲଭିଥିଲା

ଷୋହଳ ଦିନକୁ

ପାଇ କୁମରକୁ

କୋମଳାଙ୍ଗୀ ହରାଇଲା ।

ଏହା କି ଅବିଧି

ନିଧି ଦେଇ ବିଧି

କ୍ଷଣକରେ ନେଲା ହରି

ପ୍ରଭୁ ବିଶ୍ୱକର୍ତ୍ତା

ଦାତା ହୋଇ ହର୍ତ୍ତା

କେଉଁ ପାପ ଏହା ସରି ?

ତରୁଣୀ ରତନ

କରି ଥନ ଥନ

ସୁଖ ସରୋରୁହ କାଳେ

ହରିଣୀ ଯେସନ

ଭୟେ ଛନ ଛନ

ଶିଶୁ ଦେଖି ବ୍ୟାଧ ଫାନ୍ଦେ ।

କମ୍ପେ ଥର ଥର

ନବୀନା ଅଧର

ଅଶୋକ ପ୍ରବାଳ ତୁଳ ।

(କାନ୍ତିହୀନ) ଜ୍ୟୋତିର୍ହୀନ ତଥା

କିସଳୟ ଯଥା

ହେଲେ ତରୁ ଚ୍ଛିନ୍ନମୂଳ ।

X X X

ଶୁଣ ସୁକୁମାରୀ

ବିହି ତ ଭଗାରି

କା ଆଗେ କହିବି ଆଉ ?

ନ ହୁଅ କାତର

ଧଇରିଯ ଧର

ଗଲା କଥା ଏବେ ଯାଉ ।

 

‘ଅପୂର୍ବ କାରାରୁଦ୍ଧ ପୁରୁଷର ପତ୍ର’ର ବିଷୟ ବସ୍ତୁ ଅଭିନବ । ପରିବେଷଣ ରୀତି ଅପୂର୍ବ । ଏହି ପୁରୁଷ ଜଣେ ଦାଦନ ଶ୍ରମିକ । ଦାଦନ ଶ୍ରମିକ ଉପରେ ରକ୍ତଶୋଷୀ କାନ୍‌ତାରାଟିର ଅତ୍ୟାଚାର ଯୁଗ ଯୁଗ ବ୍ୟାପୀ । ଅଭାବଗ୍ରସ୍ତ, ସରଳ ବିଶ୍ୱାସୀ ପଲ୍ଲୀବାସୀଙ୍କୁ ଅଗ୍ରୀମ ଅର୍ଥ ଦେଇ ମଧୁର ବାକ୍ୟରେ କାନ୍‌ତରାଟିର ଦଲାଲ ଭୁଲାଇ ନିଏ । ତାକୁ ନିର୍ମମ ପ୍ରହାରବାଲାଙ୍କ ମଧ୍ୟରେ କାରାଗାରରେ ରଖିଲା ପରି ରଖି ତା’ଠାରୁ ଶ୍ରମ ଦୋହନ କରେ । ପ୍ରହାର ଭୟରେ, ମୁମୂର୍ଷୁ ଅବସ୍ଥାରେ ଶ୍ରମିକକୁ ଖଟିବାକୁ ହୁଏ । ତା ଯନ୍ତା ମଧ୍ୟରୁ ଖସିଯିବାର କୌଣସି ଉପାୟ ନଥାଏ । ପୃଥିବୀସାରା ଅନୁନ୍ନତ ଦେଶମାନଙ୍କରେ ଏହି ଅତ୍ୟାଚାର ଚାଲିଛି, ଭାରତ ସ୍ୱାଧୀନ ହେବାର ତିରିଶ ବର୍ଷପରେ ବି ଏହା ବନ୍ଦ ହୋଇନାହିଁ । ଚନ୍ଦ୍ରମୋହନ ଏପରି ଏକ କବିତା ଲେଖି ଶ୍ରମିକର ଦୁଃଖ ବେଦନା ପ୍ରତି ଜନସାଧାରଣଙ୍କୁ ସଚେତନ କରିଛନ୍ତି ଓ ମାନବବାଦୀ କବି ଭାବରେ ପ୍ରତିଷ୍ଠିତ ହୋଇଛନ୍ତି ।

 

ଚନ୍ଦ୍ରମୋହନଙ୍କ ଭାଷାରେ ବାଲେଶ୍ୱର ଅନ୍ତର୍ଗତ ରେମୁଣା ନିବାସୀ କୌଣସି ବ୍ୟକ୍ତି କାରଣ ବିଶେଷ ବଶତଃ ଗୃହତ୍ୟାଗ କରି ଭ୍ରମଣ କରୁ କରୁ କୁଲି ପ୍ରେରକ ହସ୍ତରେ ପଡ଼ି ଆସାମକୁ ନୀତ ହୋଇ କୁଲି କର୍ମ କରୁଥିଲା । ସେ ତାହାର କନିଷ୍ଠ ସହୋଦରକୁ ଯେଉଁ ହୃଦୟ ବିଦାରକ ପତ୍ର ଲେଖିଥିଲା, ତାହା ଅବଲମ୍ବନ କରି ନିମ୍ନଲିଖିତ ପଦ୍ୟ ରଚିତ ହୋଇଅଛି ।

 

ଏହି ନିପୀଡ଼ିତ ଶ୍ରମିକ ଏହି ଭୟଙ୍କର କାରାଗାରରୁ ଉଦ୍ଧାର କରିବା ପାଇଁ ଧନୀମାନଙ୍କୁ କେତୋଟି ପଦରେ ପ୍ରାର୍ଥନା କରିଛି । ତା’ପରେ ସେ ଭାବିଛି–

 

ଆଶ୍ଚର୍ଯ୍ୟ ପ୍ରଳାପେଁ ମୁହିଁ ଏସନ କିପାଇଁ ?

ଦାନ ପାଇଁ ଧନୀ କେବେ ଭାବିଛନ୍ତି କାହିଁ ?

 

ତା’ପରେ ଦୁଃଖିନୀ ଜନନୀ କଥା, ବିରହିଣୀ ସ୍ତ୍ରୀ ସୁଲୋଚନା କଥା ଭାବି ସେ ମ୍ରିୟମାଣ ହୋଇଅଛି । ସାନ ଭାଇକି ବିକଳଭାବେ କହିଛି- ‘ଭାଇରେ, ଆମେ ଦୁହେଁ ଏକା ବୃକ୍ଷର ଫଳ, ତୁ ପରିବାରର ସୁଖମୟ ବାତାବରଣରେ, ମୁଁ ଯନ୍ତ୍ରଣା-ନିଳୟରେ, ଘୋର ନରକରେ ଅଶ୍ରୁସଜଳ ଜୀବନଯାପନ କରୁଅଛି । ମୁଁ ଏକ ପିଞ୍ଜରାବଦ୍ଧ ପକ୍ଷୀ । କିନ୍ତୁ ପକ୍ଷୀର ସ୍ଥାନ ମୋ ଅପେକ୍ଷା ମହତ୍ତର । ପକ୍ଷୀ ଦାସ, କିନ୍ତୁ ପ୍ରଭୁ ତାର ସେବା କରେ । ମୋ ହାହାକାରରେ ଆହା କରିବାକୁ କେହି ନାହିଁ ।’

 

“ବିହଗ ଯେସନ

ରଖିଲେ ପିଞ୍ଜରେ, ତହିଁ ନ ଲାଗଇ ମନ

ହେଲେ ମଧ୍ୟ ପିଞ୍ଜରୀଟି ମଣିମୁକ୍ତାମୟ

ନର ନେତ୍ର ଆକର୍ଷଇ ମଣିମୁକ୍ତାଚୟ

ତହିଁରେ ପକ୍ଷୀର କିସ ? ରତ୍ନରାଜି ବଳି

ବିହଗ ମଣଇ ବଡ଼ ବନ ଫଳାବଳୀ ।

X X X

ପଦ୍ମରାଗ ଅପଦାର୍ଥ, ବଟଫଳ ବର;

ବଟଫଳ ମରକତୁଁ ବଳି ପ୍ରୀତିକର ।”

 

‘ନବୋଦ୍ୟମ’ ଉଚ୍ଚତର କବିତ୍ୱର ବହୁ ସମ୍ଭାବନା ମନରେ ଜାଗ୍ରତ କରିଥିଲା । କବିତା ରଚନାରେ ପ୍ରଥମ ଉଦ୍ୟମ ଏ ଜଗତରେ କ୍ୱଚିତ୍ କବିଙ୍କର ସଫଳ ବା ସାର୍ଥକ ହୋଇଥାଏ । ଚନ୍ଦ୍ରମୋହନ ସେହି କ୍ୱଚିତ୍ କେତେ ଜଣଙ୍କ ମଧ୍ୟରେ ଅନ୍ତର୍ଭୁକ୍ତିର ଗୌରବ ଲାଭ କରିଥିଲେ । ତେଣୁ ଛାତ୍ର କୃତି ହୋଇଥିଲେ ବି ଫକୀରମୋହନ ‘ଉତ୍କଳ ଭ୍ରମଣ’ରେ ‘ନବୋଦ୍ୟମ’କୁ ସ୍ୱୀକୃତି ଦେଇଥିଲେ–

 

“ଆହେ ଚନ୍ଦ୍ର ମହାରଣେ ହେଉ ହେଉ ହେଉ

ମେଲି ଦିଅ ଆଉ ଥରେ କବିତାର ଢେଉ

ଛପାଇବେ ରାମଚନ୍ଦ୍ର କିବା ଚିନ୍ତା ଆଉ?

ନେବ ମାରି ଟଙ୍କା ମୁଠେ ଠୁଙ୍କି ଦେଇ ବାହୁ ।”

 

ପାଠ୍ୟପୁସ୍ତକ ରଚନା

 

ସେ କାଳର କୃତୀ ପାଠ୍ୟପୁସ୍ତକ ରଚୟିତାମାନଙ୍କ ମଧ୍ୟରେ ଚନ୍ଦ୍ରମୋହନ ଅନ୍ୟତମ । ୧୯୧୧ ଖ୍ରୀଷ୍ଟାବ୍ଦରେ କଟକ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ ଥିବାବେଳେ ସେ ଓଡ଼ିଆ ବ୍ୟାକରଣ ପୁସ୍ତକ ରଚନା କରିଥିଲେ । ମୂଲ୍ୟ ପାଞ୍ଚ ପଇସା ।

 

୧୯୧୬-୧୭ ଖ୍ରୀଷ୍ଟାବ୍ଦରେ ପ୍ରସିଦ୍ଧ ମାକ୍‌ମିଲାନ୍ କମ୍ପାନୀ କର୍ତ୍ତୃକ ଅନୁରୁଦ୍ଧ ହୋଇ ସେ ଚାରି ଭାଗରେ ‘କଥାବଳୀ’ ପୁସ୍ତକ ରଚନା କରିଥିଲେ । ପରେ ଏହା ପାଠ୍ୟକ୍ରମ ଅନୁସାରେ ଦୁଇଟି ଭାଗରେ ସଂକଳିତ ହୋଇଥିଲା । ଏହାର ପ୍ରଚ୍ଛଦପଟରେ ଏହି ପ୍ରକାର ଲିପିବଦ୍ଧ ହୋଇଥିଲା–

 

କଥାବଳୀ – ତୃତୀୟ ଓ ଚତୁର୍ଥମାନ ନିମନ୍ତେ

ଇ.ମାର୍ସମାନ୍ ଓ ଚନ୍ଦ୍ରମୋହନ ମହାରଣା କୃତ

ମାକ୍‌ମିଲାନ୍ ଆଣ୍ଡ୍ କୋ: ଲିମିଟେଡ୍‌

କଲିକତା, ବମ୍ବାଇ, ମାନ୍ଦ୍ରାଜ, ଲଣ୍ଡନ, ୧୯୧୭ ।

ଗଦ, ପଦ୍ୟ ମିଶି ମୋଟରେ ଏଥିରେ ୫୯ଟି ବିଷୟ ଥିଲା ।

 

ଗଦ୍ୟ

 

ଉକ୍ତ ବିଷୟଗୁଡ଼ିକ ମିତ୍ରଲାଭ, ପଞ୍ଚତନ୍ତ୍ର, ଏସ୍‌ପସ୍ ଫେବଲ ଓ ଅନ୍ୟାନ୍ୟ ସୂତ୍ରରୁ ସଂଗୃହୀତ । ନିଜସ୍ୱତା ସ୍ୱଳ୍ପ । ରଚନା ଶୈଳୀରେ ଯାହାକିଛି ମୌଳିକତା ପରିଲକ୍ଷିତ ହୋଇଥାଏ ମାତ୍ର । ମହନୀୟ ତ୍ୟାଗ, ସହିଷ୍ଣୁତା, ସତ୍ୟବାଦୀତା, ନିର୍ଭୀକତା, ପରାର୍ଥପରତା ପ୍ରଭୃତି ଶିକ୍ଷଣୀୟ ଆଦର୍ଶକୁ ଆଖି ଆଗରେ ରଖି ଏସବୁ ସରଳ ଓ ଚିତ୍ତାକର୍ଷକ ଭାଷାରେ ପରିବେଷିତ ହୋଇଥିଲା । ଏହା ବାଳୁତ ପାଠକମାନଙ୍କ ମନରେ ସ୍ଥାୟୀ ପ୍ରଭାବ ବିସ୍ତାର କରିବାକୁ ସମର୍ଥ ହୋଇଥିଲା । ପାଠ୍ୟପୁସ୍ତକ ଜରିଆରେ ଚନ୍ଦ୍ରମୋହନଙ୍କ ମୋହାଚ୍ଛନ୍ନ ପ୍ରଭାବ ବିସ୍ମୃତ ହେବାର ନୁହେଁ । ତାଙ୍କ ଗଦ୍ୟଶୈଳୀ କିଶୋର ମହଲରେ ସମାଦର ଲାଭ କରିଥିଲା । କିନ୍ତୁ ଗଦ୍ୟ ଅପେକ୍ଷା ପଦ୍ୟ ରଚନାରେ ଚନ୍ଦ୍ରମୋହନ ଅଧିକ ମୌଳିକ ।

 

‘କଥାବଳୀ’ର ଦୁଇଟି ଭାଗରେ ମୋଟରେ ଚଉଦ ଗୋଟି କବିତା ଥିଲା । ସେଥି ମଧ୍ୟରୁ ଛ’ଟି ଗ୍ରୀଷ୍ମ, ବର୍ଷାଦି ଛ’ ଋତୁକୁ ଅବଲମ୍ବନ କରି ରଚିତ । ସେ ସବୁ ବ୍ୟତୀତ ଚନ୍ଦ୍ର, ପୁଷ୍ପ, ବକୁଳ, ଖଣ୍ଡଗିରି ପ୍ରଭୃତି କବିତା ମଧ୍ୟ ପ୍ରକୃତିକୁ ଅବଲମ୍ବନ କରି ରଚିତ । ପ୍ରତିଧ୍ୱନି ଚିନ୍ତା ଉଦ୍ଦୀପକ । ଶିଶୁ ବିୟୋଗ ଦୁଃଖାତ୍ମକ, ‘ହନୁମାନର ସୀତାକୁ ଠାବ’ ବଚିତ୍ର ରାମାୟଣରୁ ସଂକଳିତ । ଚନ୍ଦ୍ରମୋହନ କବିତା ଉପରେ ରାଧାନାଥ ଓ ମଧୁସୂଦନଙ୍କ ପ୍ରଭାବ ବିରଳ ନୁହେଁ ।

 

ଖଣ୍ଡଗିରି

‘ମନରେ ପ୍ରବଳ ହେଲା ଏହି ଅଭିଳାଷ

 

କରିବି କୋଳରେ ତୋର ମୁହିଁ ସଦା ବାସ ।

 

ପାବନ ମୋହନ କୋଳ ତିଳେ ନ ତେଜିବି

 

ଜଗତର କୋଳାହଳେ ଆଉ ନ ପଶିବି ।’

 

ଚିଲିକା

“କରିଥିଲି ଆଶା କରିବି ଯାପନ

 

ତୋ ପଶ୍ଚିମ ତୀରେ ପଶ୍ଚିମ ଜୀବନ

 

କୁଟୀର ବିରଚି ଜଟିଆ ଚରଣେ

 

ଭାବିଥିଲି ଦିନ ନେବି ନିକାଞ୍ଚନେ ।”

 

ଚନ୍ଦ୍ରମୋହନ

ମଧୁର ଗୋଧୂଳି ସମୟେ

 

 

ଅସ୍ତରବି କିରଣେ

 

ବାରୁଣୀ ଗଗନ ଝଳଇ

 

 

ତପ୍ତ ସ୍ୱର୍ଣ୍ଣ ବରଣେ ।

 

 

 

ଚନ୍ଦ୍ରଭାଗା

ମଧୁର ଗୋଧୂଳି ସମୟ

 

 

ସ୍ୱର୍ଣ୍ଣ କିରଣ ବୋଳା

 

କାଦମ୍ବିନୀ ଖେଳେ ଗଗନେ

 

 

ଧୀର ସମୀର ଲୋଳା ।

 

ରାତ୍ରିକୁ ବ୍ୟାଧ ସହିତ ଓ ଦିବାକୁ ବ୍ୟାଘ୍ରୀ ସହିତ ତୁଳନା ମୌଳିକ, କିନ୍ତୁ ଦୂରବର୍ତ୍ତୀ ଓ ବିଚିତ୍ର ବୋଧହୁଏ ।

 

ନିରାଶ୍ରୟ ବ୍ୟାଘ୍ର ଶିଶୁ ଅପହାରୀ ବ୍ୟାଧ

ଦୂରୁଁ ଶୁଣି ଶିଶୁ ପ୍ରାଣ ବ୍ୟାଘ୍ରୀର ନିନାଦ

ତେଜି ବ୍ୟାଘ୍ର ଶିଶୁ ଯଥା ପଳାଏ ସତ୍ୱର

ପଳାଇଲା ନିଶା ତଥା ହୋଇ ଖରତର ।

 

ଏହି କବିତାରେ ‘ଅବଳା’ ମାଆ ନୁହେଁ, ସୁନ୍ଦରୀ ତରୁଣୀ । ତା’ର ହସର ମାଧୁରୀ ବାଳକ ବା କିଶୋର ହୃଦୟଙ୍ଗମ କରିପାରେ କିପରି ? ପାଠ୍ୟପୁସ୍ତକରେ ଏହି ହସର ପ୍ରୟୋଗ ଅନୁଚିତ, ଅସୁନ୍ଦର ।

 

କବି ଲେଖିଛନ୍ତି:-

“ଅତିଦୂରେ ପ୍ରାଚୀମୂଳେ ଦିଶୁଅଛି ଧଳା

 

ଶୋଭୁଛି ଶୋଭଇ ଯଥା ହସିଲେ ଅବଳା ।”

 

ପାଠ୍ୟପୁସ୍ତକ ରଚନାରେ ମଧୁସୂଦନଙ୍କ ଛାଞ୍ଚ ଚନ୍ଦ୍ରମୋହନ ଗ୍ରହଣ କରିଛନ୍ତି । ଚନ୍ଦ୍ରମୋହନଙ୍କ ଋତୁ କବିତା ସେହି ଯୋଜନା ଅନୁକ୍ରମେ ରଚିତ–ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନା ଓ ବିଭୁପଦେ ନତ । ଋତୁ କବିତା ସଂଯୁକ୍ତ ନ ହେଲେ ଯେପରିକି କିଶୋରୋପଯୋଗୀ ପାଠ୍ୟପୁସ୍ତକ ରଚିତ ହୋଇ ନ ପାରେ । ଚନ୍ଦ୍ରମୋହନଙ୍କ ‘ବସନ୍ତ’ କବିତାର ଆରମ୍ଭ–

 

ଦକ୍ଷିଣ ଦୁଆରେ

ଫେଡ଼ି ଧାତିକାରେ

ବିଜେ କଲେ ଋତୁରାଣ

ଧରଣୀ ବଦନ

ମଣ୍ଡଳ ବହନ

ଦିଶିଲାକ ଆନ ଆନ ।

ଶେଷ–‘ଯେ ଧାତା ରଚିଲେ

ଏ କୁସୁମ କାଳ

ନମ ତାଙ୍କ ଶ୍ରୀପୟରେ ।’

‘ଧାତିକା’ ଶବ୍ଦଟି କିଶୋରୋପଯୋଗୀ ହୋଇନାହିଁ । ‘ଗ୍ରୀଷ୍ମ’ କବିତାରେ ‘ଉଡ଼ାଇଣ ଆତପତ୍ରେ ପଥିକେ ଚଳିଲେ’ ପଥିକ ଛତା ଟାଣିଯାଏ, ଉଡ଼ାଏ ନାହିଁ । ହୁଏତ ପବନ ଛତାକୁ ଉଡ଼ାଇ ଓଲଟାଇ ଦିଏ । ଏହି କବିତାର ଶେଷ ମଧୁବାବୁଙ୍କ ନମୁନାରେ ସଂଗଠିତ, ଉପଦେଶାତ୍ମକ ।

 

ଏ ଜଗତେ ସୁଖ ଦୁଃଖ ଅଛି ସବୁଠାଇଁ

ଉଭୟେ ଅଛନ୍ତି ରଚି ଜଗତର ସାଇଁ

ଆପାତରେ ଯହିଁ ଦୁଃଖ ପରିଣାମେ ସୁଖ

ବାଳକେ ନୋହିବ କେବେ ଦୁଃଖରେ ବିମୁଖ ।

‘ଆପାତ’ ଶବ୍ଦ ପ୍ରୟୋଗ ଅନୁପଯୋଗୀ ।

ମହୀରୁହ କୁଳେ ତୁହି ଅଟୁରେ ବକୁଳ

ପର୍ଣ୍ଣେ ଫଳ ବର୍ଣ୍ଣେ ପୁଣି କୁସୁମେ ମଞ୍ଜୁଳ ।

 

‘ଅଟୁ’ ଶବ୍ଦଟି ଗଦ୍ୟର, ପଦ୍ୟରେ ଝୁଣ୍ଟିଲା ପରି ଲାଗେ । କବିତ୍ୱର ଲାବଣ୍ୟହାନି ଘଟାଏ । କିଛି ପଣ୍ଡିତିଆ ଭାବ, ବ୍ୟାକରଣ ପ୍ରତି ପକ୍ଷପାତି, ଗଦ୍ୟ ଓ ପଦ୍ୟର ଧ୍ୱନିଗତ ତାରତମ୍ୟ ଜ୍ଞାନର ଅଭାବ ଯୋଗୁଁ ସ୍ଥାନେ ସ୍ଥାନେ ଅସ୍ୱାଭାବିକ ବୋଧ ହେଲେ ହେଁ ଚନ୍ଦ୍ରମୋହନଙ୍କ ଋତୁ କବିତା ଏକ ସ୍ୱତନ୍ତ୍ର ପଦକ୍ଷେପ । ଏକ ଭିନ୍ନ ସ୍ୱାଦର କବିତା । ଏହା ଋତୁଶ୍ରୀ ଅନୁଭବରେ ନବ ନବ ପ୍ରସ୍ଥ ଉଦ୍‌ଘାଟନ କରେ । ଗତାନୁଗତିକ ରୀତିରେ ଭାସି ନ ଯାଇ ନୂତନ ବାଟ ଫିଟାଇଥିବାରୁ ଚନ୍ଦ୍ରମୋହନ ଚିର ବନ୍ଦନୀୟ । ତରୁଣ ବୟସରେ ସଂକଳ୍ପବଦ୍ଧ ଲେଖକ ପୌଢ଼ ବା ବାର୍ଦ୍ଧକ୍ୟରେ ଲେଖି ନ ପାରେ କାହିଁକି ? କେଉଁ ଦୂରବସ୍ଥା ତାକୁ ଲେଖନୀ ଛାଡ଼ିବାକୁ ବାଧ୍ୟ କରେ ? ବହୁ ପ୍ରତିଭା ଏ ଦେଶରେ ନଷ୍ଟଭ୍ରଷ୍ଟ ହୋଇଯାଇଛି । ତା’ର ହିସାବ ସମୀକ୍ଷା ଲାଗି କ’ଣ ବେଳ ହୋଇନାହିଁ ? ସାହିତ୍ୟ ଫସଲ ଯେପରି ଏଠି ଭଲ ଭାବରେ ଉଧେଇବ, ପ୍ରତିଭା ସମସ୍ତ ଅନୁକୂଳତା ଓ ଉତ୍ସାହ ଲାଭ କରିପାରିବ, ସେଥିଲାଗି ଏବେ ଏହି ସମୀକ୍ଷା ଏକାନ୍ତ ଆବଶ୍ୟକ ।

 

ଚନ୍ଦ୍ରମୋହନ ‘କୈଫୟିତ୍‌’ ନାମକ ପତ୍ରରେ ସାହିତ୍ୟ ରଚନା ପ୍ରତିକୂଳ ସାମାଜିକ କାରଣମାନ ଉଲ୍ଲେଖ କରିଛନ୍ତି । ବ୍ୟକ୍ତିଗତ କାରଣ ଉଲ୍ଲେଖକୁ ସେ ଅପ୍ରାସଙ୍ଗିକ ମନେ କରିଛନ୍ତି । ତଥାପି ମାଲିମକଦ୍ଦମା ବା ସେହିପରି ଦୁର୍ଘଟଣାଜନିତ ଦୁଃଶ୍ଚିନ୍ତା, ଜୀବନର ଗତାନୁଗତିକତା ଯୋଗୁଁ ଉଦ୍ଦୀପନାର ଅଭାବ ପ୍ରଭୃତି ସୃଷ୍ଟିହୀନତାର ବ୍ୟକ୍ତିଗତ କାରଣଭାବେ ଉଲ୍ଲେଖ କରାଯାଇପାରେ । କିନ୍ତୁ ସାହିତ୍ୟ ଜରିଆରେ ଦେଶ ମାତୃକାର ସେବାର ନୈତିକ ଦାୟିତ୍ୱରୁ ସେ ନିଜକୁ ମୁକୁଳେଇ ପାରିନାହାନ୍ତି । ସେଥିଲାଗି ଭୋଗିଛନ୍ତି ମନସ୍ତାପ ଓ ଉତ୍କଳ ସାହିତ୍ୟର ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ଦେଇଛନ୍ତି ‘କୈଫିୟତ୍‌’ ।

 

ତାଙ୍କ ରଚିତ ଗ୍ରନ୍ଥ ପ୍ରକାଶିତ ନ ହେବାରୁ ଚନ୍ଦ୍ରମୋହନଙ୍କ ଲେଖିବାର ଉତ୍ସାହ ଭଟ୍ଟା ପଡ଼ିଯାଇଥିବ । ‘ନବୋଦ୍ୟମ’ ଛପାଇ ତାଙ୍କ ମନ ମାନି ଯାଇଥିଲା । ଘରୁ ଖାଇ ଘୋଡ଼ା ଆଗରେ ଡେଇଁବାର ସାହସ ଆସି ନ ଥିବ । ପ୍ରକାଶ ଲାଗି ରାଜା ମହାରାଜାମାନଙ୍କର ଦ୍ୱାରସ୍ଥ ହେବାକୁ ସେ ମର୍ଯ୍ୟଦା ହାନିକର ମନେ କରୁଥିବେ । ପ୍ରକାଶନ ଲାଗି ତତ୍ପରତାର ‌ଅଭାବରୁ ତାଙ୍କର ସମସ୍ତ ପରବର୍ତ୍ତୀ ଲେଖା ପାଣ୍ଡୁଲିପି ଲେଖ୍ୟ ଅବସ୍ଥାରେ ରହିଯାଇଥିବ । ସେସବୁ ବିନିଷ୍ଟ ନ ହୋଇଥିଲେ ଉତ୍କଳ ଭାରତୀଙ୍କ ପ୍ରାଙ୍ଗଣ ଉଦ୍ୟାନରେ ଏକ ପୂର୍ଣ୍ଣାଙ୍ଗ କାରୁକାର୍ଯ୍ୟ ଖଚିତ ମନ୍ଦିର ପରି ଦିଶୁଥାନ୍ତା ।

 

ଏବେ ତାହା କ୍ଷୀଣାଙ୍ଗ ଏକ ଉପକ୍ରମ ପରି ଦିଶେ । ସତେ ଯେପରି କେଉଁ ଯୁଗରେ ନିର୍ମିତ ଭିତ୍ତି ମାତ୍ର, ଅବଶିଷ୍ଟ ଏକ ଭଗ୍ନ ମନ୍ଦିର । ଅତୀତର ସାନ୍ଦ୍ରନିର୍ଜନତା ଭିତରୁ କୋମଳ କାକଳି ପରି ଶୁଣାଯାଏ ତାର କାରୁଣ୍ୟ–

 

‘ଭଲମନ୍ଦ ଆଦି ସୃଷ୍ଟି ବେନି ସୀମା

 

ଯଦି ଦେଖନ୍ତି ସଂସାରେ

ଏ ସୀମା ସୃଷ୍ଟିର ଦେଖିଲି ହେ ହରି

 

ସେ ସୀମାଟି କେଉଁଠାରେ ।’

 

 

(ପାପୀର ଆଶା, ସଙ୍ଗୀତ-ଚନ୍ଦ୍ରମୋହନ ଉ.ସା.ଷଷ୍ଠଭାଗ/ ୩ୟ ସଂଖ୍ୟା)

 

ଚନ୍ଦ୍ରମୋହନଙ୍କ ବ୍ୟକ୍ତିତ୍ୱ ଓ କବିତ୍ୱ ପରସ୍ପରର ପରିପୂରକ । କଳାପର୍ଦାର ଅନ୍ତରାଳରେ ଉଭୟର ମହିମା କୀର୍ତ୍ତିତ । ପ୍ରଥମଟି ଦୃଢ଼ ଆତ୍ମପ୍ରତ୍ୟୟ ଓ ବିଜୟ ଗୌରବଭରା ଦ୍ୱିତୀୟଟିକୁ ଆଚ୍ଛନ୍ନ କରି ଦେଲା ପରି ବୋଧହୁଏ । ସେ ଚିରନ୍ତନ ଶିକ୍ଷକ, ମୁଖ୍ୟମାନଙ୍କ ମଧ୍ୟରେ ମହାମୁଖ୍ୟ, ପଦ୍ୟ ବା ଗଦ୍ୟ ରଚନା କଲାବେଳେ ସେ ଶିକ୍ଷକତା ପ୍ରତି ଆନ୍ତରିକ ତ୍ୟାଗ କରିପାରି ନାହାନ୍ତି ।

 

(ବି.ଦ୍ର: ‘ଜୀବନାୟନ’ ପୁସ୍ତକରୁ ସଂଗୃହୀତ ।)

-୦-

 

Unknown

ଅଭିମତ

ସୁରେନ୍ଦ୍ର ମହାନ୍ତି

 

ରାଧାନାଥ ଯୁଗର ସୁସାହିତ୍ୟିକ ଚନ୍ଦ୍ରମୋହନ ମହାରଣା, ସ୍ୱେଚ୍ଛାକୃତ ଭାବରେ ସାହିତ୍ୟ କ୍ଷେତ୍ରରୁ ବିଦାୟ ନେବାର କୈଫିୟତ୍ ଦେଇ ‘ଉତ୍କଳ ସାହିତ୍ୟ’ (୧୩୦୯-୧୩୧୦ସାଲ) ୬ଷ୍ଠ ଭାଗ, ୩ୟ ସଂଖ୍ୟାରେ ‘କୈଫିୟତ’ଶୀର୍ଷକ ଏକ ପତ୍ରରେ ଲେଖିଥିଲେ–

 

‘ଆପଣ ମୋତେ ଉତ୍କଳ-ସାହିତ୍ୟ ପତ୍ରିକାରେ ଲେଖିବା ପାଇଁ ପତ୍ରଦ୍ୱାରା ଓ ମୌଖିକ ଅନେକଥର ଅନୁରୋଧ କରିଛନ୍ତି ଏବଂ ମୁଁ ନ ଲେଖିବାରୁ ବ୍ୟଥିତ ହୋଇଛନ୍ତି । X X X ଯେଉଁ କାରଣରୁ ମୁଁ ଲେଖିବାର ଅଭ୍ୟାସ ପରିତ୍ୟାଗ କରିଅଛି, ତାହା ମୁଁ ବର୍ତ୍ତମାନ ଆପଣଙ୍କଠାରେ ବ୍ୟକ୍ତ କରିବାକୁ ଅସମର୍ଥ । X X ଉତ୍କଳର ଆଧୁନିକ ଅବସ୍ଥା ସାହିତ୍ୟ ବିକାଶର ଅନୁକୂଳ ନୁହେଁ ସମ୍ପୂର୍ଣ୍ଣ ରୂପରେ ନ ହେଲେ, ବହୁ ପରିମାଣରେ X X ସୁତରାଂ ଉଦ୍ଦୀପନାର ଅଭାବରେ, ଭାବର ଅଭାବରେ ପ୍ରକୃତ କାବ୍ୟ କବିତା ପ୍ରଭୃତି ଅସମ୍ଭବ । ଏ ପ୍ରଦେଶର ଲୋକେ ପ୍ରଗାଢ଼ ଅଧ୍ୟବସାୟ ସହକାରେ ନାନା ଶାସ୍ତ୍ରାଲୋଚନା, ଉଚ୍ଚ ବିଷୟ ଚିନ୍ତନ ଏବଂ ବିଦ୍ୟା ବାଣିଜ୍ୟ ପ୍ରଭୃତି ଉଦ୍ଦେଶ୍ୟରେ ବିଦେଶ ଗମନ କରି ‘ଦ୍ୱିଜତ୍ୱ’ ଲାଭ ନ କଲେ, ସାହିତ୍ୟ ବିକାଶ ପକ୍ଷରେ ଅନୁକୂଳ ପବନର ଆଶା ଦୂରପରାହତ । ଆଳସ୍ୟ ବ୍ୟସନରେ ଉତ୍କଳ ବର୍ତ୍ତମାନ ଜଡ଼ୀଭୂତ । ଯେଉଁ ଉତ୍କଳୀୟମାନେ କୃତୀ ବା କୃତକଳ୍ପ ବୋଲି ଗଣ୍ୟ, ସେମାନେ ଏ ଦିଓଟି ଶିକୁଳିରୁ ଆପଣାକୁ ବିମୁକ୍ତି ନ କଲେ, ଉତ୍କଳର ଜଡ଼ତ୍ୱ ଘୁଞ୍ଚିବ ନାହିଁ । ଏ ପ୍ରଦେଶ ବିଦ୍ୟା ଗୌରବରେ ମହୀୟାନ୍ ଓ ଧନ ବଳରେ ବଳୀୟାନ୍ ହୋଇପାରିବ ନାହିଁ ।’

 

ଆଜକୁ ସାର୍ଦ୍ଧ ସାତଦଶନ୍ଧି ପୂର୍ବେ ଚନ୍ଦ୍ରମୋହନ, ଓଡ଼ିଆ ସାହିତ୍ୟର ଗତି ଓ ପ୍ରକୃତି ସମ୍ପର୍କରେ ଯେଉଁ ଅଭିମତ ପୋଷଣ କରିଥିଲେ, ତାହା ଆଜି ସପ୍ତ ଦଶକରେ ସୁଦ୍ଧା ଅତି ମର୍ମନ୍ତୁଦ, କଠୋର ଭାବରେ ସତ୍ୟ, ଏଥିରେ ସନ୍ଦେହ ନାହିଁ । ସୃଷ୍ଟି ପ୍ରାଚୁର୍ଯ୍ୟ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟ, ଅନ୍ୟ ଭାରତୀୟ ଭାଷା ସାହିତ୍ୟ ତୁଳନାରେ ଅବଶ୍ୟ ନ୍ୟୁନ ନୁହେଁ । କିନ୍ତୁ ଭାବ ସମ୍ପଦ ଦୃଷ୍ଟିରୁ ଏହା କେଉଁ ପରିମାଣରେ ସତ୍ୟ, ତାହା ବିଚାର ବିଷୟ । ‘ଭାବର ଅଭାବ’ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଗୁଣାତ୍ମକ ବିକାଶକୁ ବାଧାଗ୍ରସ୍ତ କରି ରଖିଛି ଅସ୍ୱୀକାର କରିବାର ଉପାୟ ନାହିଁ । କୂପ ମଣ୍ଡୂକତା ମଧ୍ୟରେ ଜାତୀୟ ବୌଦ୍ଧିକ ଚେତନା ନିମଜ୍ଜିତ ଥିବା ପର୍ଯ୍ୟନ୍ତ, ଏ ପ୍ରତିବନ୍ଧକକୁ ଅତିକ୍ରମ କରି ‘ଦ୍ୱିଜତ୍ୱ’ ଲାଭର ଉପାୟ ନାହିଁ ।

 

ପାରିପାର୍ଶ୍ୱିକ ସମାଜ ଓ ବାତାବରଣରୁ ସାହିତ୍ୟ ପ୍ରାଣଶକ୍ତି ଆହରଣ କରିଥାଏ । ଆମ୍ଭମାନଙ୍କର ଜାତୀୟ ଜୀବନରେ ସ୍ପନ୍ଦନ ଘୂର୍ଣ୍ଣନ ଓ ମନ୍ଥନର ଅଭାବ ଯେଉଁ ଜଡ଼ତା ସୃଷ୍ଟି କରିଛି ସାହିତ୍ୟରେ ତାହାହିଁ, କେବଳ ପ୍ରତିଭାତ ହୋଇଛି । ସାମ୍ପ୍ରତିକ ସାହିତ୍ୟ କୌଣସି ନୂତନ ଭାବଧାରା ଓ ଚେତନାର ବାହନ ହୋଇପାରିନାହିଁ । ବକ୍ତବ୍ୟ ଅଭାବରେ ଶୈଳୀ ଓ ଆଙ୍ଗିକ ହିଁ କେବଳ ହୋଇଛି ସାହିତ୍ୟର ପୁଞ୍ଜି । ସେଥିପାଇଁ ସାହିତ୍ୟ ଯେ ସମାଜଠାରୁ ସମ୍ପର୍କଚ୍ୟୁତ ହୋଇପଡ଼ିଛି, ସେଥିରେ ବିସ୍ମିତ ହେବାର କିଛି ନାହିଁ । କିନ୍ତୁ ଆଙ୍ଗିକର ସବୁ ଚମତ୍‌କାରିତା ସତ୍ତ୍ୱେ, ବକ୍ତବ୍ୟହିଁ କାଳାତିଶାୟୀ ସାହିତ୍ୟର ପ୍ରାଣ । ସାହିତ୍ୟରେ ଶବ୍ଦ ସବୁ କେବଳ ଶବ୍ଦ ନୁହନ୍ତି– ସେମାନେ ଗୋଟିଏ ଗୋଟିଏ ଭାବ ସ୍ପନ୍ଦନ ବା ଆଇଡିଆର ପ୍ରତିରୂପ । ସାହିତ୍ୟରେ ତେଣୁ ଯଦି ବକ୍ତବ୍ୟ ବା ଭାବ ସ୍ପନ୍ଦନ ନ ରହିଲା, ତା’ ହେଲେ ସେ ସବୁ ମନୋରଞ୍ଜନ ଧର୍ମୀ ରଚନା ବା ଅନ୍ୟକିଛି ହୋଇପାରେ; କିନ୍ତୁ ସାହିତ୍ୟ ପଦବାଚ୍ୟ ହୋଇପାରିବ ନାହିଁ କିମ୍ବା ପାଠକର ଚେତନାରେ ରେଖାପାତ କରି ପାରିବ ନାହିଁ । ଜାଁ ପାଲ୍ ସାର୍ତ ଯଥାର୍ଥରେ ଲେଖିଛନ୍ତି.... “Are we not in the habit of putting this basic question to young people who are thinking of writing.” “Do you have anything to say?” Which means, something which is worth the trouble of being communicated (୧) ବକ୍ତବ୍ୟ ଅଭାବ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଗୁଣାତ୍ମକ ବିକାଶକୁ ବହୁ ପରିମାଣରେ ବାଧାଗ୍ରସ୍ତ କରି ଦେଇଛି । ଦୁର୍ବୋଧ୍ୟତାର ଆବରଣକୁ ସାମ୍ପ୍ରତିକ ସାହିତ୍ୟ ପରିଣତ କରିଛି ତେଣୁ ଏକ ଆଭରଣରେ । ଏହାର ଫଳଶ୍ରୁତିସ୍ୱରୂପ, ସାହିତ୍ୟ କ୍ରମେ ଅବାନ୍ତର ହୋଇଉଠିଛି । ଅନ୍ୟ ଭାରତୀୟ ଭାଷା ଓ ସାହିତ୍ୟ, ଏ ଦୁର୍ଗତି ଓ ବିକୃତିରୁ ଯେ ମୁକ୍ତ ତାହା ମଧ୍ୟ କହି ହେବନାହିଁ । ତେବେ ଭାବର ଅଭାବ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ଅତ୍ୟନ୍ତ ଉତ୍କଟ ।

 

(୧) What is Literature-Jean Faul Sartre –ପୃଷ୍ଠା୧୩

 

(ସୁରେନ୍ଦ୍ର ମହାନ୍ତିଙ୍କ ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’ରୁ ସଂଗୃହୀତ)

-୦-

 

 

ଗୁରୁଦେବ ଚନ୍ଦ୍ରମୋହନ

ଶ୍ରୀଧର ଦାସ

 

ଖୁବ୍ ସମ୍ଭବ ୧୯୧୯ ମସିହା, ମୁଁ ନିକଟରେ ଅଷ୍ଟମରୁ ନବମ ଶ୍ରେଣୀକୁ ଉଠିଥାଏଁ । ଶୁଣିଲୁ ଚନ୍ଦ୍ରମୋହନ ମହାରଣା ଆମର ହେଡ଼୍‍ମାଷ୍ଟର ହୋଇ ଆସୁଛନ୍ତି । ମନରେ ଭୟ ହେଲା । ଥରେ ‘ଉତ୍କଳ ସାହିତ୍ୟ’ରେ ତାଙ୍କର ଯୌବନକାଳୀନ ଛବି ବାହାରି ଥିଲା; କି ନିଶ ! ମୁହଁ କେଡ଼େ ତେଜୀୟାନ୍‌; ପୁଣି ପୁରୀ ଜିଲ୍ଲାସ୍କୁଲରେ ସେ ତାହା ପୂର୍ବରୁ ଶିକ୍ଷକତା କରିଥିଲେ । ତାଙ୍କର ତତ୍କାଳୀନ ଛାତ୍ରମାନଙ୍କଠାରୁ ଶୁଣିଥିଲୁ ଯେ ଚନ୍ଦ୍ରମୋହନ ବାବୁ ଭୀଷଣ ରାଗୀ, ପିଲାମାନଙ୍କୁ କଠୋର ଦଣ୍ଡ ଦିଅନ୍ତି ।

 

କିନ୍ତୁ ଯେତେବେଳେ ଚନ୍ଦ୍ରମୋହନ ବାବୁଙ୍କୁ ସ୍ୱଚକ୍ଷୁରେ ଦେଖିଲୁ, ସେତେବେଳକୁ ତାଙ୍କର ରୂପ ସହିତ ଉତ୍କଳ ସାହିତ୍ୟରେ ପ୍ରକାଶିତ ଛବିର କିଛି ସାଦୃଶ୍ୟ ନ ଥିଲା । ସେତେବେଳକୁ ବୟସ ପ୍ରାୟ ପଚାଶ ବର୍ଷ, ମଥାରେ ପ୍ରାୟ ସମସ୍ତ କେଶ ଧଳା, ନିଶ ମଧ୍ୟ ଧଳା । ମୁଁ ହଷ୍ଟେଲରେ ଥାଏଁ, ବୋଡ଼ିଂ ହତା ଭିତରେ ହେଡ଼୍‍ମାଷ୍ଟରଙ୍କର ବସା । ତେଣୁ ତାଙ୍କୁ ନିକଟରୁ ଦେଖିବାର ସୁଯୋଗ ପାଉଥିଲୁ । ସ୍କୁଲକୁ ଗଲାବେଳେ ସେ ଧଳା ରଙ୍ଗର ପ୍ୟାଣ୍ଟ ଓ କୋଟ୍ ପିନ୍ଧୁଥିଲେ; କିନ୍ତୁ ଘରକୁ ଆସିଲାକ୍ଷଣି ତାକୁ ବଦଳି ଗେରୁଆ ଲୁଗା ପିନ୍ଧୁଥିଲେ । ସନ୍ଧ୍ୟା ସମୟରେ ଗେରୁଆ ଲୁଗା ପିନ୍ଧି, ସେହି ଲୁଗାର ଗୋଟିଏ କାନି କାନ୍ଧରେ ପକାଇ ଅନେକ ଥର ସେ ସଡ଼କରେ ଟହଲୁ ଥିବାର ମନେପଡ଼ୁଛି । ତାଙ୍କର ଦେହ ସିନା ମଉଳି ଯାଇଥିଲା; ମନଟା ବୋଧହୁଏ ମଉଳି ନ ଥିଲା । ସ୍କୁଲ ଛାତ୍ରମାନେ ତ ତାଙ୍କୁ ଡରୁଥିଲେ, କେତେକ ଶିକ୍ଷକ ମଧ୍ୟ ଭୟରେ ତାଙ୍କଠାରୁ ନିଜକୁ ଦୂରରେ ରଖୁଥିଲେ ।

 

ସେ ସ୍କୁଲରେ ହେଡ଼୍‍ମାଷ୍ଟର ଦାୟିତ୍ୱ ନେବାର ଅଳ୍ପଦିନ ପରେ ଦିନେ ଆମ କ୍ଳାସ ପରିଦର୍ଶନ କରିବାକୁ ପଶିଗଲେ । ପଣ୍ଡିତ ଜଗନ୍ନାଥ ରଥ ସଂସ୍କୃତ ପଢ଼ାଉଥିଲେ । ଚନ୍ଦ୍ରମୋହନ କଟକ ଟ୍ରେନିଂ ସ୍କୁଲର ହେଡ଼୍‍ମାଷ୍ଟର ଥିଲାବେଳେ ଏହି ଜଗନ୍ନାଥ ରଥେ କେଉଁଠି ତାଙ୍କର ଛାତ୍ର ଥିଲେ । କ୍ଳାସରେ ସଂସ୍କୃତ ପାଠ୍ୟପୁସ୍ତକର କେତୋଟି ବାକ୍ୟର ଅର୍ଥ ପଚାରିଲେ । ଛାତ୍ରଙ୍କଠାରୁ ଉତ୍ତର ପାଇଲେ । ସେହି ବାକ୍ୟ ମଧ୍ୟରେ ଏକ ବଚନ ଅର୍ଥରେ ବହୁ ବଚନର ବ୍ୟବହାର ଥିଲା । ଚନ୍ଦ୍ରମୋହନ ପ୍ରଶ୍ନ କଲେ । “ଏଠାରେ ବହୁ ବଚନ ହେବାର କାରଣ କଅଣ ?” କେହି ଉତ୍ତର ଦେଲେନାହିଁ । ପଛ ବେଞ୍ଚରୁ ମୁଁ ଉତ୍ତର ଦେଲି, “ସାର୍ ମାନ୍ୟାର୍ଥେ ବହୁବଚନ ।” ତାହାପରେ ଆଦେଶ ହେଲା, “You come here.” ସେ ଗମ୍ଭୀର ନିର୍ଘୋଷରେ ମୋର ହୃତ୍‍କମ୍ପ । ଥରି ଥରି ଟେବୁଲ ପାଖକୁ ଆସିଲି । ଏଣିକି ତାଙ୍କର ପ୍ରଶ୍ନର ଗତି ବଦଳିଗଲା । ଘର କେଉଁଠି, ଘରେ କିଏ କିଏ ଅଛନ୍ତି, ଆର୍ଥିକ ଅବସ୍ଥା କିପରି, ପୂର୍ବରୁ କେଉଁଠାରେ ପଢ଼ିଥିଲ ଇତ୍ୟାଦି । ମୁଁ ଭୀତ ଚକିତ ଭାବରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେଲି । ତାହାପରେ ମୂଳ ପ୍ରଶ୍ନକୁ ଫେରି ଆସି ପଚାରିଲି, “ତୁମେ ମାନ୍ୟାର୍ଥ କହିଲ; ଆଚ୍ଛା କି ପଦ ?” ମୁଁ ଉତ୍ତର ଦେଲି, “ବିଶେଷଣ ।” ପୁଣି ପ୍ରଶ୍ନ ହେଲା, “ମାନ୍ୟର ଅର୍ଥ କଅଣ ?” ମୋର ଉତ୍ତର, “ମାନ ଅର୍ଥାତ୍ ସମ୍ମାନର ଯୋଗ୍ୟ ।” ପ୍ରଶ୍ନ, ତେବେ ଅର୍ଥଟା ହେଉଛି ସମ୍ମାନର ଯୋଗ୍ୟ ? ଏତେବେଳକୁ ମୋର ଭୁଲ ବୁଝିପାରିଲି । ମୁଁ କହିଲି, “ସାର୍‌, ମାନ୍ୟାର୍ଥେ ହେବ ନାହିଁ, ସମ୍ମାନାର୍ଥେ ହେବ ।” “ହଁ, ସମ୍ମାନାର୍ଥେ କହିବ, ଗୌରବାର୍ଥେ ମଧ୍ୟ କହିପାର ।” ନିଜ ସ୍ଥାନକୁ ଯିବାର ଆଦେଶ ପାଇଲି, ମନେକଲି ଗୋଟିଏ ଭୟଙ୍କର ବିପଦରୁ ତ୍ରାହି ମିଳିଲା ।

 

ବୋର୍ଡ଼ିଂର ମନିଟର ହୋଇଥିବାରୁ ମୋତେ ସମୟେ ସମୟେ ତାଙ୍କ ପାଖକୁ ଯିବାକୁ ହେଉଥିଲା, କାରଣ ସେ ଥିଲେ ବୋଡ଼ିଂର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ । ସେ ବର୍ଷ ସ୍କୁଲର ପୁରସ୍କାର ବିତରଣ ସଭା ପୂର୍ବରୁ ଅଷ୍ଟମଠାରୁ ଏକାଦଶ ଶ୍ରେଣୀର ଛାତ୍ରମାନଙ୍କ ମଧ୍ୟରେ ଇଂରେଜିରେ ଗୋଟିଏ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ହେଲା । ସେହିପରି ପ୍ରତିବର୍ଷ ହୋଇଥାଏ । ଅବଶ୍ୟ ଏଥିରେ ଯୋଗଦେବା ବାଧ୍ୟତାମୂଳକ ନ ଥିଲା । ମୋଟରେ ପ୍ରାୟ ତିରିଶ ଜଣ ପ୍ରତିଯୋଗୀ ଥିଲେ । ଯିଏ ପ୍ରଥମ ସ୍ଥାନ ଅଧିକାର କରୁଥିଲା ତାକୁ ନାମ ଲିଖିତ ଗୋଟିଏ ରୌପ୍ୟ ପଦକ ଦିଆଯାଉଥିଲା ଓ ଦ୍ୱିତୀୟ ସ୍ଥାନ ଅଧିକାରୀକୁ ପନ୍ଦର ଟଙ୍କା ମୂଲ୍ୟର ପୁସ୍ତକ ପୁରସ୍କାର ମିଳୁଥିଲା । ପଦକଟିର ନାମ Harischandra Ghosh Memorial Medal ଥିଲା । ସେ ବର୍ଷ ମୁଁ ପ୍ରଥମ ହୋଇ ପଦକ ପାଇଥିଲି । ସ୍କୁଲର ଅନ୍ୟତମ ଶିକ୍ଷକ ଶ୍ରୀ ହରେକୃଷ୍ଣ ମହାପାତ୍ରଙ୍କଠାରୁ ଶୁଣିଥିଲି ଯେ ମୁଁ ସେହି ପ୍ରବନ୍ଧ ଲିଖନରେ ଶତକଡ଼ା ପଚାଶରୁ କମ୍ ନମ୍ବର ପାଇଥିଲି, ତେଣୁ ପଦକର ସ୍ଥାପୟିତା ପଦକ ଦେବାକୁ କୁଣ୍ଠା ପ୍ରକାଶ କରିଥିଲେ, କିନ୍ତୁ ଚନ୍ଦ୍ରମୋହ ବାବୁ ଯୁକ୍ତି କରିଥିଲେ– ଯେଉଁ ନବମ ଶ୍ରେଣୀର ପିଲା ଏକାଦଶ ଶ୍ରେଣୀର ପିଲାଙ୍କଠାରୁ ମଧ୍ୟ ଭଲ ଫଳ ଦେଖାଇଛି ତାକୁ ପଦକ ଦେବା ଉଚିତ । ଫଳରେ ମୁଁ ପଦକ ପାଇଥିଲି । ଏହାର ପରବର୍ତ୍ତୀ ଦୁଇବର୍ଷ ମଧ୍ୟ ମୁଁ ସେହି ପଦକ ପାଇଥିଲି । ଏବେ ମଧ୍ୟ ପଦକଗୁଡ଼ିକ ମୋ ପାଖରେ ଅଛି । ଆହୁରି ଆଶ୍ଚର୍ଯ୍ୟର କଥା ସେ ବର୍ଷ ମୁଁ ଯେଉଁ ବହିଗୁଡ଼ିକ ପୁରସ୍କାରସ୍ୱରୂପ ପାଇଥିଲି, ସେଗୁଡ଼ିକ ନିଜେ ଚନ୍ଦ୍ରମୋହନ ବାବୁ ବାଛି ଦେଇଥିଲେ ବୋଲି ହରେକୃଷ୍ଟ ବାବୁ କହିଥିଲେ । ସେଥି ମଧ୍ୟରେ Complete works of Shakespeare, Plain Living and High Thinking, Student’s Manual Smiles Character ପ୍ରଭୃତି ଅନ୍ତର୍ଗତ ଥିଲା ।

 

ଚନ୍ଦ୍ରମୋହନଙ୍କର ଗୋଟିଏ ମହାନ୍‍ ଦୋଷ ବା ଗୁଣ ଥିଲା, ପଢ଼ାଇବାବେଳେ ପାଠର ଦୁଇଚାରି ଧାଡ଼ି ପଢ଼ାଉ ପଢ଼ାଉ ପିରିଅଡ଼୍ ସରି ଯାଉଥିଲା । ଗୋଟିଏ ଗୋଟିଏ ଶବ୍ଦ ବା ବାକ୍ୟ ଉପରେ ସେ ସବୁ ଦିଗରୁ ଆଲୋଚନା କରୁଥିଲେ । ଖାଲି ଶବ୍ଦର ଅର୍ଥ କହିଦେବାରେ ସେ ସନ୍ତୁଷ୍ଟ ନ ଥିଲେ । ତା’ର ଅର୍ଥ, ବ୍ୟବହାର, ତା’ଦୃଶ ଶବ୍ଦ, ଶବ୍ଦ ବା ବାକ୍ୟର ଐତିହାସିକ ସମ୍ପର୍କ, ଭୌଗୋଳିକ ତଥ୍ୟ ଇତ୍ୟାଦି କିଛି ବାକି ରହୁ ନ ଥିଲା । ଥରେ ଆମମାନଙ୍କ ଅନୁରୋଧରେ ସେ ‘ଚିଲିକା’ କାବ୍ୟ ପଢ଼ାଇବାକୁ ରାଜି ହୋଇଥିଲେ । ଘଣ୍ଟାକରେ ଚାରିଧାଡ଼ି ସରି ପାରିନଥିଲା । ତାଙ୍କର ଏ ପ୍ରକାର ଅଧ୍ୟାପନାରେ ପାଠ୍ୟ ପୁସ୍ତକ ସରିବାର ସମ୍ଭାବନା ନ ଥିଲା । କିନ୍ତୁ କିଛିଦିନ ଧରି ତାଙ୍କ ପାଠଦାନକୁ ମନୋଯୋଗ ଦେଇ ଶୁଣିଲେ ଯେ କୌଣସି ଛାତ୍ର ନିଜେ ନିଜେ ବହି ଶେଷ କରିପାରିବ । ସେ ଛାତ୍ରକୁ ପାଠ ପଢ଼ିବାର ଶକ୍ତି ଦେଉଥିଲେ, ନିଜେ ଆମୂଳ ଚୂଳ ପଢ଼ାଇବା ଦରକାର ମନେ କରୁନଥିଲେ ।

 

ସେ ଅଳ୍ପ କେତେମାସ ଆମର ହେଡ଼୍‍ମାଷ୍ଟର ହୋଇଥିଲେ । ତାଙ୍କର ମଧ୍ୟମପୁତ୍ର ଲୋକନାଥ ମୋର ସହପାଠୀ ଥିଲେ । ହାୟ, ସେ ଏବେ ନାହାନ୍ତି । ଆମ ଦୁହିଁଙ୍କ ଭିତରେ ପ୍ରଗାଢ଼ ବନ୍ଧୁତା ଥିଲା । ଲୋକନାଥଙ୍କର ସାନ ଭାଇ ଶରତ ସେତେବେଳେ ଆମଠାରୁ ୨-୩ଟି ଶ୍ରେଣୀ ତଳେ ଥିଲେ । ଚନ୍ଦ୍ରମୋହନ ବାବୁ ପୁରୀ ଜିଲ୍ଲା ସ୍କୁଲରୁ ବାଲେଶ୍ୱର ଜିଲ୍ଲା ସ୍କୁଲକୁ ବଦଳି ହେବାପରେ କେତେକ ଦିନଯାଏ ଲୋକନାଥଙ୍କ ସଙ୍ଗେ ମୋର ପତ୍ରାଳାପ ଥିଲା । ଚନ୍ଦ୍ରମୋହନଙ୍କର ପୁରୀରୁ ବିଦାୟ ଆକସ୍ମିକ ଥିଲା । ଏପରିକି ସେ ସ୍କୁଲର ଦାୟିତ୍ୱ ହସ୍ତାନ୍ତର କରିବା ପରେ ଆମେ ସେ କଥା ଶୁଣିଲୁ । ସେହିଦିନ ରାତିରେ ଆମେ ହଷ୍ଟେଲ ଛାତ୍ରମାନେ ଗୋଟିଏ ବିଦାୟ ସଭା କଲୁ । କୁଣ୍ଠିତ ଭାବରେ ସେ ସଭାରେ ଯୋଗ ଦେବାକୁ ସ୍ୱୀକୃତ ହେଲେ । ହଷ୍ଟେଲ ସମାନାରେ ଥିବା ଖୋଲା ବାଲି ପଡ଼ିଆରେ ସଭା ହେଲା । କେତେଜଣ ଛାତ୍ର ତାଙ୍କର ଗୁଣ କୀର୍ତ୍ତନ କଲେ । ପରିଶେଷରେ କିଛି ଉପଦେଶ ଦେବାପାଇଁ ତାଙ୍କୁ ଅନୁରୋଧ କରାଗଲା । ସେ ଏତିକି ମାତ୍ର କହିଲେ– “ମୁଁ ଆଶା କରୁଛି, ତୁମ୍ଭମାନଙ୍କର ଚରିତ୍ର ଏପରି ହେବ, ଯେପରି ତୁମର ଶତ୍ରୁ ସୁଦ୍ଧା ସେଥିରେ ଦୋଷ ଖୋଜି ନ ପାଉ ।” ବୋଧହୁଏ ଅନ୍ୟ କେହି ଏତେ ସଂକ୍ଷିପ୍ତ ଓ ଏତେ ସାରଗର୍ଭକ ବିଦାୟ ଭାଷଣ ଦେଇନଥିବେ । ସେ ବାଲେଶ୍ୱରରେ ହେଡ଼୍‍ମାଷ୍ଟର ଥିବା ସମୟରେ ଥରେ ଗୋଟିଏ ସଭାରେ (ବୋଧହୁଏ Sanskrit Convocation) ଯୋଗ ଦେବାକୁ ପୁରୀ ଆସିଥିଲେ । ସେ ରହିଥିଲେ ପୁରୀ ସଂସ୍କୃତ କଲେଜ ହତାରେ ଥିବା ଚାଳଘରେ । ଏକ ସମୟରେ ସେହି ଘର ସପ୍ତମ (ଏ) ଶ୍ରେଣୀ ନିମନ୍ତେ ବ୍ୟବହୃତ ହେଉଥିଲା ଓ ମୁଁ ସେହି ଘରେ ପ୍ରଥମେ ପଢ଼ିଥିଲି । ଚନ୍ଦ୍ରମୋହନ ବାବୁ ମୋତେ ହଷ୍ଟେଲରୁ ଡକାଇ ଆଣି ଦିନଟିଯାକ ତାଙ୍କ ପାଖରେ ରଖାଇଥିଲେ । ସେହିଠାରେ ମୋର ଖାଇବା ବ୍ୟବସ୍ଥା କରିଥିଲେ । ହରେକୃଷ୍ଣ ବାବୁ ଓ ମୁଁ ତାଙ୍କ ସଙ୍ଗେ ଜଗନ୍ନାଥଙ୍କ ମନ୍ଦିରକୁ ଯାଇ ଦେବଦେବୀ ଦର୍ଶନ କରିଥିଲୁ । ସେଦିନ ସକାଳବେଳା ସେ କିଛି ସମୟ ମୌନ ରହିଥିଲେ । କିନ୍ତୁ ଅନ୍ୟସୟରେ ସେ ବାବଦୂକ ଥିଲେ । ମୋର ଦୃଢ଼ ବିଶ୍ୱାସ, ତାଙ୍କର ବାହାର ଯେପରି କଠୋର ଅନ୍ତର ସେହିପରି କୋମଳ, ଯାହ କହନ୍ତି, ‘ବଜ୍ରାଦପି କଠୋରାଣି, ମୃଦୂନି କୁସୁମାଦପି ।’ ତାଙ୍କର ‘ନବୋଦ୍ୟମ’ ପଢ଼ିବାର ସୌଭାଗ୍ୟ ମୋର ଘଟିନାହିଁ । କିନ୍ତୁ ପାଠ୍ୟପୁସ୍ତକରେ ଥିବା ତାଙ୍କ କବିତାଗୁଡ଼ିକ ପଢ଼ି ମୁଁ ମୁଗ୍‌ଧ ହୋଇଯାଇଅଛି- ‘ଶୀତ’ ଋତୁ ବର୍ଣ୍ଣନାରେ ସେ ଲେଖି ଅଛନ୍ତି–

 

“ନିଶାରେ, ଅଜସ୍ର ତୁଷାର ବର୍ଷିଲା

ଧଳା ଭସ୍ମ ବୋଳା ତପସ୍ୱୀ ମହିଳା,ପରାଏ ଯାମିନୀ ଦିଶିଲା ।”

 

ଏଠାରେ ସେ ପ୍ରକୃତିକୁ କି ଗଭୀର ଭକ୍ତି ସହକାରେ ଦେଖି ଅଛନ୍ତି, ତାହା ଲକ୍ଷ୍ୟ କରିବାର କଥା । ପୁଣି ‘ଶେଫାଳି’ର ରୂପଗୁଣ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି–

 

“ପ୍ରବାଳ ବୃନ୍ତରେ ଖଚିତ ସଜ ସ୍ପଟିକ ଜଳ

ଲଭନ୍ତା ତୁଳନା ହୋଇଲେ ସୁବାସିତ କୋମଳ ।”

 

ଏଠାରେ କବିଙ୍କର ଭକ୍ତି କେଡ଼େ ହୃଦୟଗ୍ରାହୀ । ଗୋଟିଏ ଯୁବତୀ ସନ୍ତାନ ପ୍ରସବ କରିବାରେ ଅଳ୍ପଦିନ ପରେ ତାକୁ ହରାଇ ଅଶ୍ରୁ ବିସର୍ଜନ କରୁଅଛି । କବିଙ୍କର ହୃଦୟ ତା’ର ଦୁଃଖରେ ତରଳି ଯାଉଛି । ସେ ସହାନୁଭୂତିରେ ତା’ର ଅବସ୍ଥା ଚିତ୍ରଣ କରି ଲେଖିଛନ୍ତି–

 

“ତା ହୃଦ ସଙ୍ଗରେ ସେ ଶିଶୁକୁମରେ

 

ଯେ କୋମଳ ସୂତ୍ରେ ଭଲେ

ବାନ୍ଧିଥିଲା ବିହି ହରନ୍ତେ କୁମର

 

ଲମ୍ବିଛି ଲୋତକ ଛଳେ ।”

କି କରୁଣ କଳ୍ପନା । କଥା ଅଛି, କେତେକେ ଜନ୍ମରୁ କବି, ଅନ୍ୟ କେତେକ ପରିଶ୍ରମ କରି ଲେଖି ଲେଖି କବି ହୁଅନ୍ତି । ଚନ୍ଦ୍ରମୋହନ ଥିଲେ ଆଜନ୍ମ କବି । ଅବଶ୍ୟ ସେ ବେଶୀ କବିତା ଲେଖିଯାଇ ନାହାନ୍ତି କିନ୍ତୁ ଯେତିକି ଲେଖିଯାଇ ଅଛନ୍ତି ସେଗୁଡ଼ିକ ଗୋଟିଏ ଗୋଟିଏ ଉଜ୍ଜ୍ୱଳ ରତ୍ନ- ଉଜ୍ଜ୍ୱଳ ଭାରତୀଙ୍କ ଭଣ୍ଡାରରେ ଚିରଦିନ ପାଇଁ ସାଇତି ରଖିବାର ଯୋଗ୍ୟ ।

 

ଆମେ ତାଙ୍କ ରଚିତ ଦୁଇଖଣ୍ଡି ବ୍ୟାକରଣ ବହି ପଢ଼ିଥିଲୁ–ବ୍ୟାକରଣ ସୋପାନ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ । ପ୍ରଥମ ଭାଗଟି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଏବଂ ଦ୍ୱିତୀୟ ଭାଗଟି ଷଷ୍ଠ ଓ ସପ୍ତମ ଶ୍ରେଣୀର ପାଠ୍ୟ ଥିଲା । ପରେ ଆହୁରି ଅନେକ ବ୍ୟାକରଣ ବହି ଲେଖା ଯାଇଥିଲା । ମୁଁ ନିଜେ ମଧ୍ୟ କେତେ ଖଣ୍ଡି ବ୍ୟାକରଣ ବହି ଲେଖିଥିଲି । କିନ୍ତୁ ଚନ୍ଦ୍ରମୋହନଙ୍କର ସେହି କ୍ଷୁଦ୍ର ବହି ଦୁଇଖଣ୍ଡି ମୋ ଭଳି ଲକ୍ଷ ଲକ୍ଷ ଛାତ୍ରଙ୍କଠାରେ ବ୍ୟାକରଣ ଶିକ୍ଷାର ମୂଳ ପତ୍ତନ କରିଥିଲା, ଏଥିରେ ସନ୍ଦେହ ନାହିଁ । ଏ ବହି ଦୁଇଖଣ୍ଡି ସରକାରଙ୍କ ପାଠ୍ୟ ତାଲିକାରୁ ଉଠିଯିବା ପରେ ମଧ୍ୟ ଅନେକ ବର୍ଷ ଯାଏ ସହସ୍ର ସହସ୍ର ସଂଖ୍ୟାରେ ବିକ୍ରି ହୋଇଥିବାର ମୁଁ ଜାଣେ । ଟ୍ରେନିଂ ସ୍କୁଲର ହେଡ଼୍‍ମାଷ୍ଟର ଥିବା ସମୟରେ ସେ ‘ଉତ୍କଳ ସାହିତ୍ୟ ସମାଜ’ର ବୀଜରୋପଣ କରିଥିଲେ । ତାହା ଏବେ ମହୀରୂହ ଆକାର ଧାରଣ କରି ତାଙ୍କର ସ୍ମୃତି ବହନ କରୁଅଛି ।

 

ରାଧାନାଥ ବାବୁଙ୍କ ପ୍ରତି ତାଙ୍କର ଗଭୀର ଭକ୍ତି ଥିବାର ଜଣାଯାଏ । ‘ଚିଲିକା’ କାବ୍ୟର କେତୋଟି ଧାଡ଼ି ଆବୃତ୍ତି କଲାବେଳେ ସେ ଗଦ୍‌ଗଦ୍ ହୋଇଯାଉଥିଲେ । ଥରେ ହଷ୍ଟେଲର ସେ କେତେକ ପିଲାଙ୍କୁ ‘ଗୁଡ଼କଙ୍କ’ ଓ ‘କଇଁ ସାରିଲତା’ ଦେଖିଛ କି ବୋଲି ପଚାରି ଥିଲେ । ଏ ଦିଓଟି ଜିନିଷ କୋଣାର୍କ ପାଖ ବାଲି ପନ୍ତାରରେ ଦେଖିବାକୁ ମିଳେ । ରାଧାନାଥଙ୍କ ‘ଗୁଡ଼କଙ୍କ’ ଓ ‘କଇଁସାରି’ ଲତାର ବର୍ଣ୍ଣନାରୁ ସେ କବିଙ୍କ ପ୍ରକୃତି ପର୍ଯ୍ୟବେକ୍ଷଣର ବୈଶିଷ୍ଟ୍ୟ ବୁଝାଇଥିଲେ । ତଥାପି କେହି କେହି ଦୋଷାରୋପ କରଥାନ୍ତି ଯେ ରାଧାନାଥଙ୍କ ‘ମହାଯାତ୍ରା’ର ଯେଉଁ ଅଂଶ ଇଂରେଜ ସରକାର ବିରୋଧୀ ବୋଲି ପରେ ବର୍ଜିତ ଓ ଅଗ୍ନିସାତ୍ ହୋଇଥିଲା, ତାହା ଚନ୍ଦ୍ରମୋହନଙ୍କଦ୍ୱାରା ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥିଲା, କିନ୍ତୁ ଯେଉଁମାନେ ଚନ୍ଦ୍ରମୋହନଙ୍କର ରାଧାନଥଙ୍କ ପ୍ରତି ଭକ୍ତିର ପରିଚୟ ପାଇଥିବେ ସେମାନେ ଏହି ଅପବାଦକୁ ବିକୃତ ମସ୍ତିଷ୍କର କଳ୍ପନା ବୋଲି କହିବେ ।

 

ଚନ୍ଦ୍ରମୋହନଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ମସ୍ତକ ସ୍ୱତଃ ଅବନତ ହୋଇ ପଡ଼ୁଅଛି ।

ଦେଉଳ ସାହି, କଟକ

-୦-

 

ମେଘାଚ୍ଛାଦିତ ଚନ୍ଦ୍ର

ଶ୍ରୀ ବ୍ରଜନାଥ ରଥ

 

ସାହିତ୍ୟିକ ଚନ୍ଦ୍ରମୋହନ ମହାରଣା ଏକ ଅନାଲୋଚିତ ସାହିତ୍ୟିକ ପ୍ରତିଭା । କେବଳ ଚନ୍ଦ୍ରମୋହନ କାହିଁକି ଓଡ଼ିଆ ସାହିତ୍ୟର ବହୁ ପ୍ରତିଭାଧର ସାହିତ୍ୟିକ ଆଜି ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନାର ପରିସର ମଧ୍ୟକୁ ଆସିପାରି ନାହାନ୍ତି ଏବଂ ସେମାନଙ୍କ ପ୍ରତିଭା ଓ ଅବଦାନରେ ପ୍ରକୃତ ମୂଲ୍ୟାୟନ ମଧ୍ୟ ହୋଇପାରି ନାହିଁ । ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣେତାମାନେ ମଧ୍ୟ ସେମାନଙ୍କୁ ଯଥାଯୋଗ୍ୟ ସ୍ୱୀକୃତି ଦେଇନଥିବା ଅତ୍ୟନ୍ତ ପରିତାପର ବିଷୟ । ସାହିତ୍ୟର ବିକାଶ ଓ ଜୟଯାତ୍ରା ପଥରେ ଏଭଳି ଜଣେ ଜଣେ ସ୍ରଷ୍ଟା ଆବିର୍ଭୂତ ହୁଅନ୍ତି ଯାହାଙ୍କ ଶକ୍ତିଶାଳୀ ଲେଖନୀ ସାହିତ୍ୟକୁ ନୂଆମୋଡ଼ ଦିଏ ଏବଂ ଏକ କ୍ରାନ୍ତିକାରୀ ଯୁଗଚେତନାକୁ ରୂପାୟିତ କରି ସେମାନଙ୍କୁ ଯୁଗସ୍ରଷ୍ଟାର ସମ୍ମାନରେ ସମ୍ମାନିତ କରେ, କିନ୍ତୁ ସେହି ଅବସରରେ ଆଉ କେତେକ ଗୌଣ କବି, ଲେଖକଙ୍କର ମଧ୍ୟ ଆବିର୍ଭାବ ଘଟେ ଯେଉଁମାନେ ସେହି ଉଜ୍ଜ୍ୱଳ ପ୍ରତିଭା-ପ୍ରଦୀପର ଚତୁଃପାର୍ଶ୍ୱରେ କ୍ଷୁଦ୍ର ପ୍ରଦୀପ ଭଳି ପ୍ରଜ୍ୱଳିତ ହୋଇ ତାହାକୁ ଅଧିକ ଭାସ୍ୱର କରିବା ସଙ୍ଗେ ସଙ୍ଗେ ନିଜର ସର୍ଜନାଲୋକରେ ନିଜେ ମଧ୍ୟ ପ୍ରତିଭାତ ହୁଅନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟର ତିନିଜଣ ଶକ୍ତିଶାଳୀ ଯୁଗସ୍ରଷ୍ଟା, ଫକୀରମୋହନ, ରାଧାନାଥ ଓ ମଧୁସୂଦନଙ୍କୁ କେନ୍ଦ୍ର କରି ଊନବିଂଶ ଶତାବ୍ଦୀର ଶେଷପାଦରେ ଯେଉଁ ସାହିତ୍ୟିକ ପରିମଣ୍ଡଳ ସୃଷ୍ଟି ହୋଇଥିଲା ଏବଂ ସେଥିରେ ଯେଉଁ ସାହିତ୍ୟ ସ୍ରଷ୍ଟାମାନେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ଚନ୍ଦ୍ରମୋହନ ମହାରଣା ନିଜେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାରୀ । ସେହି ସମୟରେ ସାହିତ୍ୟିକମାନଙ୍କ ମଧ୍ୟରୁ କେତେକେଙ୍କ ସମ୍ପର୍କରେ କିଛି କିଛି ଆଲୋଚନାର ସୂତ୍ରପାତ ହୋଇଥିଲେ ମଧ୍ୟ ଚନ୍ଦ୍ରମୋହନଙ୍କ ସମ୍ପର୍କରେ ସମାଲୋଚକମାନେ ଅଦ୍ୟାବଧି ଏକ ପ୍ରକାର ନୀରବ ଥିଲେ, କିନ୍ତୁ ଆଜି ସେହି ଉଦାସୀନତାର ତୁଷାର ଖଣ୍ଡ ତରଳିବାକୁ ଆରମ୍ଭ କରିଛି ଏବଂ ଚନ୍ଦ୍ରମୋହନଙ୍କ ଜୀବନ ଓ ସାହିତ୍ୟିକ ଅବଦାନ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି । ଏହା ଅତ୍ୟନ୍ତ ଆଶା ଓ ଆଶ୍ୱାସନାର ବିଷୟ । ଏଥିପାଇଁ “ଚନ୍ଦ୍ରମୋହନ ସାହିତ୍ୟ ପରିଷଦ”ର ଭୂମିକା ଏକାନ୍ତ ସ୍ମରଣ ଯୋଗ୍ୟ ।

 

ଭାଷା ଓ ସାହିତ୍ୟର ଏକ ସନ୍ଧିକ୍ଷଣରେ ଓଡ଼ିଆ ଜାତିର ଏକ ଚରମ ଦୁର୍ବିପାକ ସମୟ ‘ନଅଙ୍କ ଦୁର୍ଭିକ୍ଷ’ର ପରବର୍ତ୍ତୀ ୧୮୭୦ମସିହାରେ ଚନ୍ଦ୍ରମୋହନଙ୍କ ଜନ୍ମ । ବୟସରେ ସେ ଥିଲେ ଫକୀରମୋହନଙ୍କଠାରୁ ୨୭ ବର୍ଷ, ରାଧାନାଥଙ୍କଠାରୁ ୨୨ବର୍ଷ ଓ ମଧୁସୂଦନଙ୍କଠାରୁ ୧୭ ବର୍ଷ କନିଷ୍ଠ । ଏହି ତିନିଜଣ ପୂର୍ବସୂରୀଙ୍କର ପ୍ରତ୍ୟକ୍ଷ ପ୍ରଭାବ ତାଙ୍କ ଜୀବନ ଓ ସାହିତ୍ୟକୁ ବହୁ ପରିମାଣରେ ପ୍ରଭାବିତ କରିଥିବାର ଅନୁମିତ ହୁଏ । ବିଶେଷ କରି ରାଧାନାଥ ଓ ମଧୁସୂଦନଙ୍କ ପ୍ରଭାବ ତାଙ୍କ ସାହିତ୍ୟରେ ସୁସ୍ପଷ୍ଟ । କବିବର ରାଧାନାଥ ତାଙ୍କ ଜୀବନର ଗତିପଥକୁ ପୁଷ୍କଳ ଓ ପୁଷ୍ପିଳ କରି ଜଣେ ସଫଳ ଶିକ୍ଷାବିତ୍ ହେବାରେ ପ୍ରଥମରୁ ତାଙ୍କୁ ଯଥେଷ୍ଟ ପ୍ରେରଣା ଯୋଗାଇଛନ୍ତି ଏବଂ ଭକ୍ତକବି ମଧୁସୂଦନ ନିଜର ଚରିତ୍ରବତ୍ତା, ସାଧୁତା ଓ ଆଦର୍ଶବାଦୀ ବ୍ୟକ୍ତିତ୍ୱଦ୍ୱାରା ତାଙ୍କ ସୃଷ୍ଟି-ପ୍ରତିଭାର ଉନ୍ମେଷ ଓ ବିକାଶ ସାଧନରେ ସହାୟକ ହୋଇଛନ୍ତି ।

 

ଉଭୟ ରାଧାନାଥ ଓ ମଧୁସୂଦନ ଥିଲେ ସେତେବେଳର ଓଡ଼ିଶାର ଦୁଇଜଣ ପ୍ରବୀଣ ଶିକ୍ଷାବିତ୍ ଓ ସେମାନଙ୍କର ସଫଳ ଉତ୍ତର ଦୟାଦ ଭାବରେ ସେମାନେ ଚନ୍ଦ୍ରମୋହନଙ୍କୁ ପ୍ରତିଷ୍ଠିତ କରାଇ ପାରିଥିଲେ । ତା’ର ଫଳଶ୍ରୁତିସ୍ୱରୂପ ଚନ୍ଦ୍ରମୋହନଙ୍କ ସାହିତ୍ୟ ହୋଇଥିଲା ମୁଖ୍ୟତଃ ଛାତ୍ରମାନଙ୍କର ପାଠ୍ୟୋପଯୋଗୀ ଓ ପଠନାଭିପ୍ରେତ । ଏହି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ପାଇଁ ନିଜର ସୃଷ୍ଟି କର୍ମକୁ ବିନିଯୋଗ କରିଥିବା ହେତୁ ତାଙ୍କ ରଚନାରେ ସାହିତ୍ୟର କୂଳପ୍ଳାବିନୀ ଉଚ୍ଛଳତା, ବିପୁଳ ବର୍ଣ୍ଣ ବୈଚିତ୍ର‌୍ୟ ଓ ବହୁଳ ରସମାଧୁର୍ଯ୍ୟ ଅନେକାଂଶରେ ବିଘ୍ନିତ ଓ ବିଡ଼ମ୍ବିତ ହୋଇଥିବା ଅନୁମିତ ହୁଏ । ସାହିତ୍ୟର ଦିଗନ୍ତ ପ୍ରସାରୀ ସାମ୍ରାଜ୍ୟରେ ଆଦର୍ଶବାଦର ସ୍ଥାନ ଯେତିକି, ବାସ୍ତବବାଦର ସ୍ଥାନ ସେତିକି, ପ୍ରକୃତି ବା ଈଶ୍ୱରଙ୍କ ସ୍ଥାନ ଯେତିକି, ସାଧାରଣ ମଣିଷର ସ୍ଥାନ ମଧ୍ୟ ସେତିକି, ଏବଂ ନୀତବୋଧର ସ୍ଥାନ ଯେତିକି, ନୀତିହୀନତାର ସ୍ଥାନ ତା’ଠାରୁ କମ୍ ନୁହେଁ । କେବଳ ସ୍ରଷ୍ଟାର ଉଦାର ଦୃଷ୍ଟିକୋଣ, ମାନବିକତାବୋଧ, ରୁଚି ଓ ରସଚେତନା ଏବଂ ପ୍ରକାଶକ୍ଷମତା ସୃଷ୍ଟିକୁ ମହିମାନ୍ୱିତ କରି କଳୋତ୍ତୀର୍ଣ୍ଣ କରିଥାଏ । ପୃଥିବୀର ମହାନ୍‍ ସାହିତ୍ୟ ସ୍ରଷ୍ଟାଗଣଙ୍କର ସୃଷ୍ଟି-ଦିଗନ୍ତ ସେହି ଦୃଷ୍ଟିରୁ ଇନ୍ଦ୍ରଧନୁର ସପ୍ତରଙ୍ଗରେ ରଞ୍ଜିତ ଓ ସୁଦୂର ପ୍ରସାରିତ । ଏହି ପରିପ୍ରେକ୍ଷୀରେ ବିଚାର କଲେ ଶିକ୍ଷାବିତ୍ ଚନ୍ଦ୍ରମୋହନଙ୍କ ସର୍ଜନ ପ୍ରତିଭା ହୁଏତ କିଞ୍ଚିତ୍ ସୀମିତ ଓ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇପାରେ କିନ୍ତୁ ଏକ ଐତିହାସିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ତାଙ୍କର ଅଦ୍ଭୁତ ଅବଦାନକୁ ଅସ୍ୱୀକାର କରିବା ଅର୍ଥ ଇତିହାସକୁ ନିର୍ମମଭାବେ ଚପେଟାଘାତ କରିବା ।

 

ଚନ୍ଦ୍ରମୋହନ ଥିଲେ ଜଣେ ନୀତିବାଦୀ ଓ ସଂସାରବାଦୀ । ବୃତ୍ତି ହିସାବରେ ଶିକ୍ଷକତାକୁହିଁ ନିଜର ବ୍ରତ ଭାବରେ ଗ୍ରହଣ କରିଥିଲେ ଏବଂ ବୃତ୍ତି ସହିତ ପ୍ରବୃତ୍ତିର ସଫଳ ସଂଯୋଗ ଘଟାଇ ନିଜର ସାହିତ୍ୟ କୃତିକୁ ସେହି ଉଦ୍ଦେଶ୍ୟରେହିଁ ନିୟୋଜିତ କରିଥିଲେ । ଛାତ୍ରମାନଙ୍କର ଚରିତ୍ର ଗଠନ ଦିଗରେ ପାଠ୍ୟପୁସ୍ତକ ମାଧ୍ୟମରେ ନୀତିବୋଧର ପ୍ରଚାର ଓ ପ୍ରସାର ହିଁ ଥିଲା ତାଙ୍କର ପ୍ରଧାନ ଆଭିମୁଖ୍ୟ । ସେଥିପାଇଁ ତାଙ୍କ ପ୍ରଣୀତ ‘କଥାବଳି’ର ପ୍ରତ୍ୟେକ ରଚନାରେ ତଥା ଅନ୍ୟାନ୍ୟ ବହୁ ଲେଖାରେ ନୀତିଶିକ୍ଷା ହିଁ ହେଉଛି ମୂଳକଥା । କିନ୍ତୁ ଆଜିର ପାଠ୍ୟପୁସ୍ତକର ପ୍ରାଣକେନ୍ଦ୍ର ସହିତ ତାଙ୍କ ପ୍ରଣୀତ ପାଠ୍ୟପୁସ୍ତକର ପ୍ରାଣକେନ୍ଦ୍ରକୁ ତୁଳନା କଲେ ଏକ ବିରାଟ ପ୍ରଭେଦ ଲକ୍ଷ୍ୟ କରାଯିବ । ଆଜି ନୀତିବୋଧ ଉପରେ ଏତେ ବେଶୀ ଗୁରୁତ୍ୱ ଦେବାର ଆବଶ୍ୟକତା କେହି ବିଶେଷ ଉପଲବ୍‍ଧି କରୁନାହାନ୍ତି । ନୀତି ଓ ଆଦର୍ଶ ଅପେକ୍ଷା, କର୍ମ ଓ ଜ୍ଞାନ ସଚେତନତା ଉପରେ ସମଧିକ ଗୁରୁତ୍ୱ ଆରୋପ କରାହେଉଛି । ପାଠ୍ୟପୁସ୍ତକମାନଙ୍କରେ ବିଶେଷତଃ ସାହିତ୍ୟ ପୁସ୍ତକରେ ଆଜି ନୀତି ବା ଆଦର୍ଶବାଦର ପ୍ରଚାର ନାହିଁ କହିଲେ ଚଳେ । ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦିଆହେବା ପରେ ଛାତ୍ରର ନୈତିକବୋଧ ଅପେକ୍ଷା ତା’ର ବୈଷୟିକ ଜ୍ଞାନର ବିକାଶ ଓ ସାଧାରଣ ତଥା ସାମାଜିକ ଜ୍ଞାନ-ବିଜ୍ଞାନର ଦିଗନ୍ତକୁ ପ୍ରସାରିତ କରିବା ପାଇଁ ଆଜିର ପାଠ୍ୟପୁସ୍ତକ ରଚୟିତାମାନଙ୍କର ଲେଖନୀ ପରିଚାଳିତ । ତେଣୁ ସାହିତ୍ୟିକ-ଶିକ୍ଷାବିତ୍ ଚନ୍ଦ୍ରମୋହନଙ୍କ ସାହିତ୍ୟ ସୃଷ୍ଟିର ମୂଳଉତ୍ସକୁ ଆବିଷ୍କାର କରିବାକୁ ଗଲାବେଳେ ନୀତିବାଦୀ ମଧୁସୂଦନଙ୍କ ଜୀବନ ଓ ସାହିତ୍ୟର ଅନ୍ତର୍ଲୀନ ପ୍ରଭାବ ତାଙ୍କ ସାହିତ୍ୟରେ ଦେଖିବାକୁ ମିଳେ, ଯାହାକି ଆଜିର ପରିବର୍ତ୍ତିତ ମୂଲ୍ୟବୋଧର ପରିପ୍ରେକ୍ଷୀରେ ଏକ ବିରାଟ ବ୍ୟବଧାନ ହୋଇ ଛିଡ଼ା ହୁଏ ।

 

ଭକ୍ତକବି ମଧୁସୂଦନ ଇଂରାଜୀ ସାହିତ୍ୟର ପ୍ରଭାବରେ ଓଡ଼ିଆ ସାହିତ୍ୟରେ ଯେଉଁ ଲିରିକ୍‌ ଧର୍ମୀ ଗୀତିକବିତା ଓ ଚତୁର୍ଦ୍ଦଶପଦୀ କବିତାର ବ୍ୟାପକ ପ୍ରଚାର ଓ ପ୍ରସାର ଘଟାଇ ବିପୁଳାୟତନ କାବ୍ୟ-ସୃଷ୍ଟିର ପଥରୁଦ୍ଧ କଲେ ଏବଂ ‘ଖଣ୍ଡ କବିତା ଯୁଗ’ର ସୂତ୍ରପାତ କଲେ ତାହା ସେତେବେଳେ ସମସାମୟିକ ବହୁ କବିଙ୍କୁ ପ୍ରଲୁବ୍ଧ ଓ ପ୍ରଚୋଦିତ କରିଥିଲା । ଏପରିକି କଥା ସାହିତ୍ୟ ସମ୍ରାଟ ଫକୀରମୋହନ ମଧ୍ୟ ରାଧାନାଥ, ଗଙ୍ଗାଧର ଇତ୍ୟାଦିଙ୍କ ପରି କାବ୍ୟ-ସୃଷ୍ଟି ପ୍ରତି ସବିଶେଷ ମନୋନିବେଶ ନ କରି ନିଜର ଭାବାବେଗର ପରିପ୍ରକାଶ ପାଇଁ ଏହି ଖଣ୍ଡ କବିତାର ଆଶ୍ରୟ ନେଇଥିଲେ, ଯଦିଚ “ବୌଦ୍ଧାବତାର କାବ୍ୟ” ଥିଲା ଏକ ବ୍ୟତିକ୍ରମ । ଏହି ପରିପ୍ରେକ୍ଷୀରେ ଚନ୍ଦ୍ରମୋହନ ମଧ୍ୟ ଖଣ୍ଡ କବିତାକୁ ନିଜ ଭାବପ୍ରକାଶର ଏକ ମୁଖ୍ୟ ମାଧ୍ୟମ ଭାବରେ ଗ୍ରହଣ କରିଥିଲେ । ତାଙ୍କର ଅଧିକାଂଶ କବିତା ମୁଖ୍ୟତଃ ବର୍ଣ୍ଣନାଧର୍ମୀ । ସେଥିରେ କାବ୍ୟିକ ଚମତ୍‌କାରିତା ବା ବୌଦ୍ଧିକ ଅନୁଚିନ୍ତା ଅପେକ୍ଷା ବରଂ ସ୍ୱଚ୍ଛ-ସ୍ୱାଭାବିକ ପ୍ରକାଶଭଙ୍ଗୀ ଲକ୍ଷଣୀୟ ।

 

୧୮୮୮ ମସିହାରେ ତାଙ୍କର ପ୍ରଥମ କବିତା ସଙ୍କଳନ “ନବୋଦ୍ୟମ” ପ୍ରକାଶ ପାଇଥିଲା ଏବଂ ଏଥିରେ ସନ୍ନିବେଶିତ ପନ୍ଦରଗୋଟି କ୍ଷୁଦ୍ର କବିତା ବା ଖଣ୍ଡ କବିତାକୁ ପୂର୍ବରୁ ସେ ଏଫ୍‌:ଏ: କ୍ଳାସରେ ପଢ଼ିବାବେଳେ ରଚନା କରି ‘ସଂସ୍କାରକ’ ପତ୍ରିକା ମାଧ୍ୟମରେ ଲୋକ ଚକ୍ଷୁକୁ ଆଣିଥିଲେ । ପରେ ଆଉ କିଛି କବିତା ଲେଖି ‘କଥାବଳି’ର ପ୍ରଥମ ଓ ଦ୍ୱିତୀୟ ଭାଗରେ ପତ୍ରସ୍ଥ କରିଥିଲେ । ଏ ସମସ୍ତ କବିତାବଳି ମଧ୍ୟରୁ କେତୋଟି ଋତୁ ପର୍ଯ୍ୟାୟର କବିତା (ଗ୍ରୀଷ୍ମ, ବର୍ଷା, ଶିଶିର, ବସନ୍ତ, ଶରତ, ହେମନ୍ତ) କେତୋଟି ପ୍ରାଣୀ ପର୍ଯ୍ୟାୟର କବିତା (କୁଆ କୋଇଲି, ହଳଦୀ ବସନ୍ତ, ଡାମରା କାଉ, ବେଙ୍ଗ ରାଜା, ମହୁମାଛି ଇତ୍ୟାଦି) ଓ ମେଘ, ସନ୍ଧ୍ୟା,ପ୍ରଭାତ, ବଟବୃକ୍ଷ, ଦୂର୍ବାଦଳ, ଚନ୍ଦ୍ର, ଖଣ୍ଡଗିରି ଇତ୍ୟାଦି ଅନ୍ୟାନ୍ୟ କେତେକ କବିତାରେ କବି ଚନ୍ଦ୍ରମୋହନଙ୍କର ଏହି ବର୍ଣ୍ଣନାଧର୍ମୀତାହିଁ ବେଶୀ ପ୍ରକଟିତ ହୁଏ । ଅବଶ୍ୟ ପ୍ରତ୍ୟେକଟିରେ ସେ କିଛି ନା କିଛି ନୀତିଶିକ୍ଷା ଦେବାକୁ ଭୁଲି ନାହାନ୍ତି, କିନ୍ତୁ ଆଉ କେତୋଟି କବିତା ଯଥା:– ମାତୃବିୟୋଗ, ମାତୃହୀନ ବାଳକର ଜନନୀ ପ୍ରତି, ନିରାଶ ବ୍ୟକ୍ତିର ନିଶୀଥ, ନିଭୃତ ଚିନ୍ତା, ଅପୂର୍ବ କାରାରୁଦ୍ଧ ପୁରୁଷର ପତ୍ର, ‘ବିଦେଶରୁ ସ୍ୱଗୃହାଭିମୁଖରେ ବାଲେଶ୍ୱର ପ୍ରତ୍ୟାଗମନ କାଳରେ କୌଣସି ସମୁଦ୍ରପୋତରେ ଦୁଇ ସହୋଦରର ବିନାଶ’ ପ୍ରଭୃତିରେ କାବ୍ୟିକ ଅନୁଭୂତିର ସକୁରଣ ପରିପ୍ରକାଶ ଘଟିଛି । ଏହି କବିତାଗୁଡ଼ିକରୁ କବି ଚନ୍ଦ୍ରମୋହନଙ୍କ ଆବେଗ-ସ୍ପନ୍ଦିତ, ରସଘନ ହୃଦୟର ସଠିକ ସନ୍ଧାନ ମିଳିଥାଏ ଏବଂ ଏମାନେ ଇଙ୍ଗିତ ଦେଇଥାନ୍ତି ଯେ ବୟାକରଣିକ ଚନ୍ଦ୍ରମୋହନ ଯଦି ବ୍ୟାକରଣର କଠିନ ସୂତ୍ର ଓ ନିୟମାବଳୀ ଭିତରେ ଛନ୍ଦିହୋଇ ଏତେ ବେଶୀ ନୀତି ଓ ବ୍ୟାକରଣ ସଚେତନ ହୋଇନଥାନ୍ତେ ତା’ହେଲେ ହୁଏତ ତାଙ୍କର ସର୍ଜନଶୀଳ କାବ୍ୟ-ପୁରୁଷଟି ଅଧିକ ଶ୍ରୀ ଓ ସୁଷମା ମଣ୍ଡିତ ହୋଇପାରିଥାନ୍ତା । ସୃଷ୍ଟିଶୀଳ କବି, ଲେଖକଙ୍କ ପକ୍ଷରେ ନୀତି ଓ ବ୍ୟାକରଣ ସଚେତନତା ଅପେକ୍ଷା ଜୀବନ ଓ କଳା ସଚେତନତାହିଁ ଅଧିକ ପ୍ରୟୋଜନ । ଜୀବନାନୁଭୂତିର ସଫଳ ରୂପାୟନ ଓ ଶିଳ୍ପଗୁଣ ହିଁ ସୃଷ୍ଟିକୁ ଲାବଣ୍ୟମୟ ଓ ମର୍ଯ୍ୟାଦାବନ୍ତ କରି କଳୋତ୍ତୀର୍ଣ୍ଣ ଓ ମହିମାନ୍ୱିତ କରିଥାଏ । ଏହା ବ୍ୟତିରେକେ ସୃଷ୍ଟି ନୀରସ, ରୁକ୍ଷ ଓ ହତଶ୍ରୀ ହେବାକୁ ବାଧ୍ୟ । ଚନ୍ଦ୍ରମୋହନ ଅନେକାଂଶରେ ନୀତି ଓ ବ୍ୟାକରଣ ସଚେତନ ଥିଲେ ବି ନିଜର ସୀମିତ ସୃଷ୍ଟିକୁ (ଗଦ୍ୟ ଓ ପଦ୍ୟ ଉଭୟ) ତଥାପି ବହୁ ପରିମାଣରେ ଶିଳ୍ପଗୁଣ ସମ୍ପନ୍ନ କରିପାରିଛନ୍ତି । କବିତା ରଚନାରେ ବେଳେବେଳେ ମଧୁସୂଦନ, ରାଧାନାଥ ଓ ପଲ୍ଲୀକବି ନନ୍ଦକିଶୋରଙ୍କ ପ୍ରଚ୍ଛନ୍ନ ପ୍ରଭାବ ତାକୁ ପ୍ରଭାବିତ କରିଥିବାର ଯେ କେହି ସଚେତନ ପାଠକ ଲକ୍ଷ୍ୟ କରିପାରିବ ।

 

ତାଙ୍କର ଗଦ୍ୟ ଶୈଳୀ କିନ୍ତୁ ଅଧିକ ସ୍ୱକୀୟ, ପ୍ରାଣ ପ୍ରାଚୂର୍ଯ୍ୟପୂର୍ଣ୍ଣ ଓ ପରିଶୀଳିତ । ପାଠ୍ୟପୁସ୍ତକ ପାଇଁ ରଚିତ ପ୍ରବନ୍ଧ, ଗଳ୍ପ ଓ ଅନୁବାଦ ରଚନା ବ୍ୟତୀତ ତାଙ୍କର ବହୁ ମନନଶୀଳ ନିବନ୍ଧ ଓ ତାତ୍ତ୍ୱିକ ଆଲୋଚନା ସେ ସମୟରେ ‘ଉତ୍କଳ ସାହିତ୍ୟ’, ‘ଶିକ୍ଷାବନ୍ଧୁ’ ଓ ଅନ୍ୟାନ୍ୟ ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । କିନ୍ତୁ ସେହି ପ୍ରବନ୍ଧ ଓ ଆଲୋଚନାଗୁଡ଼ିକ ଆଜି ପର୍ଯ୍ୟନ୍ତ ସମ୍ପାଦିତ ଓ ସଂକଳିତ ହୋଇ ଗ୍ରନ୍ଥାକାରରେ ପ୍ରକାଶ ପାଇ ପାରିନଥିବାରୁ ଉଭୟ ଇଂରାଜୀ ଓ ସଂସ୍କୃତ ସାହିତ୍ୟବିଦ୍ ଚନ୍ଦ୍ରମୋହନଙ୍କ ପାଣ୍ଡିତ୍ୟ ଓ ମନନଶୀଳତାର ସାମଗ୍ରିକ ରୂପ ଆମ ଆଗରେ ପ୍ରକଟିତ ହୋଇପାରିନାହିଁ । ଏ ଦିଗରେ ଆଶୁ ଉଦ୍ୟମ ଆବଶ୍ୟକ । ତାହେଲେ ତାଙ୍କର ସୃଜନଧର୍ମୀ ରଚନା ଓ ମନନ ଧର୍ମୀ ରଚନା ମଧ୍ୟରେ ତୁଳନାତ୍ମକ ଆଲୋଚନା ପାଇଁ ବାଟ ଫିଟିଯିବ ।

 

୧୮୯୪ ମସିହାରେ କଟକ ନର୍ମାଲ ସ୍କୁଲକୁ କେନ୍ଦ୍ର କରି ଗଢ଼ି ଉଠିଥିବା ସାହିତ୍ୟାଲୋଚନା ସଭା, ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ‘ଉତ୍କଳ ସାହିତ୍ୟ ସମାଜ’ ନାମରେ ନାମିତ ହେଲା, ତା’ର ଆଦ୍ୟ ଅଧିବେଶନରେ ପୌରୋହିତ୍ୟ କରି ଚନ୍ଦ୍ରମୋହନ ‘ସାହିତ୍ୟ’ ଶୀର୍ଷକ ଯେଉଁ ନିବନ୍ଧଟି ପାଠ କରିଥିଲେ ସେଥିରୁ ତାଙ୍କର ବିଦ୍‌ବତ୍ତା, ଜ୍ଞାନ ଓ ଉନ୍ନତ ମାନସିକତାର ପ୍ରକୃଷ୍ଟ ପରିଚୟ ମିଳେ । ମାତ୍ର ୨୪ବର୍ଷ ବୟସରେ ତାଙ୍କଠାରୁ ପ୍ରବୀଣ ଓ ବୟୋଜ୍ୟେଷ୍ଠ ସାହିତ୍ୟିକମାନଙ୍କ ପ୍ରସ୍ତାବ ଓ ସମର୍ଥନ କ୍ରମେ ସେ ଏହି ଆଲୋଚନା ସଭାର ଆଦ୍ୟ ଅଧିବେଶନରେ ସଭାପତିତ୍ୱ କରିବାଦ୍ୱାରା ହିଁ ତାଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱ ପ୍ରତି ଅନ୍ୟମାନଙ୍କ ଆସ୍ଥା ଓ ଶ୍ରଦ୍ଧା ସୂଚିତ ହୁଏ ।

 

ମାତୃଭାଷା ଓ ଓଡ଼ିଆ ସାହିତ୍ୟ ପ୍ରତି ଚନ୍ଦ୍ରମୋହନଙ୍କ ଏତେ ପ୍ରଗାଢ଼ ଅନୁରକ୍ତି ଓ ମମତ୍ୱବୋଧ ସତ୍ତ୍ୱେ ତାଙ୍କ ସାହିତ୍ୟ ସାଧାନାର ସମୟ ସୀମା ଖୁବ୍ ବେଶୀ ହେଲେ ଅଠରରୁ କୋଡ଼ିଏ ବର୍ଷ ମଧ୍ୟରେ ସୀମିତ ବୋଲି ଅନୁମିତ ହୁଏ । କାରଣ ୧୩୧୦ ସାଲବେଳକୁ ସେ ସାହିତ୍ୟ ସୃଷ୍ଟି କ୍ଷେତ୍ରରୁ ଏକ ପ୍ରକାର ବିଦାୟ ନେଇସାରିଥିଲେ ବୋଲି ‘ଉତ୍କଳ ସାହିତ୍ୟ’ରେ (୧୩୦୯-୧୩୧୦ ସାଲ, ଷଷ୍ଠ ଭାଗ, ୩ୟ ସଂଖ୍ୟା) ପ୍ରକାଶିତ ତାଙ୍କର ‘କୈଫିୟତ୍‌’ ଶୀର୍ଷକ ଏକ ପତ୍ରରୁ ସୂଚନା ମିଳେ । “ଉତ୍କଳ ସାହିତ୍ୟ”ର ସୁଯୋଗ୍ୟ ସମ୍ପାଦକ ବିଶ୍ୱନାଥ କରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ଏହି ପତ୍ରିକା ପାଇଁ ଲେଖା ନ ପଠାଇ ଶେଷରେ ଏକ “କୈଫିୟତ୍‌” ଦ୍ୱାରା କେଉଁ କାରଣରୁ ଲେଖିବାର ଅଭ୍ୟାସ ପରିତ୍ୟାଗ କରିଥିଲେ ତାହା ସଂପୂର୍ଣ୍ଣ ବ୍ୟକ୍ତ ନ କରିଥିଲେ ମଧ୍ୟ କେତେକ କାରଣର ସୂଚନା ଦେଇଥିଲେ । ସେଥିରେ ସେ ‘ଉଦ୍ଦୀପନାପ ଅଭାବ’ ଓ ‘ଭାବର ଅଭାବ’ରୁ କାବ୍ୟ-କବିତା ସୃଷ୍ଟି ଅସମ୍ଭବ ବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ “ପ୍ରଗାଢ଼ ଅଧ୍ୟବସାୟ ସହକାରେ ନାନା ଶାସ୍ତ୍ରାଲୋଚନା, ଉଚ୍ଚ ବିଷୟ ଚିନ୍ତନ, ଏବଂ ବିଦ୍ୟା ବାଣିଜ୍ୟ ପ୍ରଭୃତି ଉଦ୍ଦେଶ୍ୟରେ ବିଦେଶ ଗମନ କରି ‘ଦ୍ୱିଜତ୍ୱ’ ଲାଭ ନ କଲେ ସାହିତ୍ୟ ବିକାଶ ପଥରେ ଅନୁକୂଳ ପବନର ଆଶା ସୁଦୂର ପରାହତ” ବୋଲି ସତର୍କବାଣୀ ଶୁଣାଇ ଥିଲେ । ଏତଦ୍‌ବ୍ୟତୀତ ‘କୃତୀ’ ଓ ‘କୃତକଳ୍ପ’ ଉତ୍କଳୀୟମାନେ ‘ଆଳସ୍ୟ’ ଓ ‘ବ୍ୟସନ’ର ଶିକୁଳିରୁ ଆପଣାକୁ ବିମୁକ୍ତ ନ କଲେ ଉତ୍କଳର ଜଡ଼ତ୍ୱ ଘୁଞ୍ଚିବ ନାହିଁ ବୋଲି ସେ ଯେଉଁ କଟୁ-ତିକ୍ତ ଭବିଷ୍ୟତବାଣୀ ଶୁଣାଇ ଥିଲେ ତାହା ଆଜିବି ଏକ ଅଭ୍ରାନ୍ତ ସତ୍ୟରେ ପରିଣତ ହୋଇଛି । ପ୍ରକୃତରେ କ’ଣ ସେ ‘ଉଦ୍ଦୀପନାର ଅଭାବ’ ଓ ‘ଭାବର ଅଭାବ’ ଯୋଗୁଁ ସାହିତ୍ୟ-ସୃଷ୍ଟି କ୍ଷେତ୍ରରୁ ଅପସରି ଯାଇଥିଲେ ନା ତା’ର ନେପଥ୍ୟରେ ଅନ୍ୟ କୌଣସି କାରଣ ରହିଛି ତାହା ଆଜି ସୁଦ୍ଧା ଏକ ଅମୀମାଂସିତ ପ୍ରଶ୍ନ ।

 

ସେ ଯାହା ହେଉ “ଫକୀରମୋହନ-ରାଧାନାଥ-ମଧୁସୂଦନ” ରୂପୀ ଜ୍ୟୋତିଷ୍କ ମଣ୍ଡଳର ଅନ୍ୟତମ ଉଜ୍ଜ୍ୱଳ ଉପଗ୍ରହରୂପେ ଚନ୍ଦ୍ରମୋହନ ଉତ୍କଳ ସାହିତ୍ୟର କକ୍ଷପଥରେ ପରିକ୍ରମା କରି ଯେଉଁ ଦୀପ୍ତି ଓ ଦ୍ୟୁତି ବିକିରଣ କରି ଯାଇଛନ୍ତି ତାହାକୁ ଆଜି ଅସ୍ୱୀକାର କରିବାର ଉପାୟ ନାହିଁ । କିନ୍ତୁ ଭସ୍ମାଚ୍ଛାଦିତ ଅଗ୍ନି ଭଳି ଅନାଦୃତିର ମେଘାବରଣ ମଧ୍ୟରେ ସେହି ପ୍ରତିଭାଦୀପ୍ତ ‘ଚନ୍ଦ୍ର’ର ଶୁଭ୍ର ଜ୍ୟୋତ୍ସ୍ନା ଯେ ଏତେ କାଳ ଆଚ୍ଛାଦିତ ହୋଇ ରହିପାରିଲା, ତାହାହିଁ ଆମ ‘ଉଦ୍ଦୀପନାର ଅଭାବ’ ଓ ଜାତୀୟ ‘ଜଡ଼ତ୍ୱ’ର ପରିଚାୟକ ।

-୦-

 

ଛ’ଋତୁ କବିତାର କବି ଚନ୍ଦ୍ରମୋହନ

ଅଧ୍ୟାପକ ନୃସିଂହ ପ୍ରସାଦ ରଥ

 

ରାଧାନାଥ ଯୁଗର ସୌରମଣ୍ଡଳରେ ଅନ୍ୟତମ ପ୍ରତିଭାଦୀପ୍ତ ଜ୍ୟୋତିଷ୍କ ହେଉଛନ୍ତି ୰ଚନ୍ଦ୍ରମୋହନ ମହାରଣା । ପ୍ରାବନ୍ଧିକ ଭାବରେ ତାଙ୍କର କୃତିତ୍ୱ ଓ ଗୌରବ ସ୍ୱୀକୃତ ହୋଇଥିଲେ ମଧ୍ୟ କବି ଭାବରେ ତାଙ୍କର ମହତ୍ତ୍ୱ ତଥାପି ନିର୍ଣ୍ଣିତ ହୋଇନାହିଁ । ଚନ୍ଦ୍ରମୋହନ ବାବୁ ମୁଖ୍ୟତଃ ପ୍ରବନ୍ଧ ସୃଷ୍ଟିରେ ନିଜକୁ ନିୟୋଜିତ କରିଥିଲେ । ତେଣୁ କାବ୍ୟ-କବିତା କ୍ଷେତ୍ରରେ ରାଧାନାଥ, ମଧୁସୂଦନ କିମ୍ବା ଗଙ୍ଗାଧରଙ୍କ କବିତ୍ୱର ମାନଦଣ୍ଡରେ ତାଙ୍କର ବିଚାର କରିବା ଅନ୍ୟାୟ ହେବ । ତଥାପି ଚନ୍ଦ୍ରମୋହନ ବାବୁଙ୍କ ସାହିତ୍ୟ ସୃଷ୍ଟିର ବିଶାଳ ଭୂଖଣ୍ଡ ମଧ୍ୟରେ ପ୍ରବନ୍ଧର ସ୍ଥଳଭାଗ ବ୍ୟାପକ ହେଲେ ମଧ୍ୟ ସ୍ଥାନେ ସ୍ଥାନେ କବିତାର ଜଳଭାଗ ମଧ୍ୟ ରହିଛି । ପ୍ରାବନ୍ଧିକ ଚନ୍ଦ୍ରମୋହନ ବାବୁଙ୍କ ଲେଖନୀ କବିତା ସୃଷ୍ଟିରେ ମଧ୍ୟ କୃତିତ୍ୱ ପ୍ରଦର୍ଶନ କରିଥିବା ଫକୀରମୋହନଙ୍କ ଉକ୍ତିରୁ ସୁସ୍ପଷ୍ଟ ହୋଇପଡ଼େ –

 

“ଆହେ ଚନ୍ଦ୍ର ମହାରଣେ ହେଉ ହେଉ ହେଉ

ଆଉଥରେ ଢାଳିଦିଅ କବିତାର ଢେଉ” (ଉତ୍କଳ ଭ୍ରମଣ)

 

ଚନ୍ଦ୍ରମୋହନ ବାବୁଙ୍କ ୧୮ ବର୍ଷ ବୟସରେ ୧୮୮୮ ମସିହାରେ ୧୫ଟି କବିତାର ଏକ ସଂକଳନ ‘ନବୋଦ୍ୟମ’ ଶୀର୍ଷକରେ ପ୍ରଥମତଃ ପ୍ରକାଶ ପାଇଥିଲା । ପ୍ରାବନ୍ଧିକ ଚନ୍ଦ୍ରମୋହନ ବାବୁଙ୍କ କବି ପ୍ରାଣର ଭାବ ଉଦବେଳନରେ ‘ନବୋଦ୍ୟମ’ କବିତା ସଂକଳନର କବିତାଗୁଡ଼ିକ ରସୋଚ୍ଛଳ ହୋଇପାରିଛି କି ନାହିଁ ତାହା ଆଲୋଚନାର ଭିନ୍ନ ଏକ ସ୍ତର । କିନ୍ତୁ ମନେରଖିବା ଦରକାର ପ୍ରାବନ୍ଧିକ ଚନ୍ଦ୍ରମୋହନ ବାବୁଙ୍କ ପ୍ରଥମ ପ୍ରକାଶ କୌଣସି ପ୍ରବନ୍ଧ ସଂକଳନ ନ ହୋଇ ଗୋଟିଏ କବିତା ସଙ୍କଳନ ହେବାହିଁ ତାଙ୍କ କବିତା ପ୍ରୀତିର ନିଦର୍ଶନ । ଏହା ମଧ୍ୟ ହୋଇପାରେ ଯେ ‘ନବୋଦ୍ୟମ’ କବିତା ସଂକଳନର କବି ଚନ୍ଦ୍ରମୋହନ ବାବୁ ରାଧାନାଥ, ମଧୁସୂଦନଙ୍କ ବିଚାରରେ ନିଜର କବି ପ୍ରତିଭାକୁ ନିଷ୍ପ୍ରଭ ମନେକରି ପ୍ରବନ୍ଧ ସୃଷ୍ଟିରେ ହାତଦେଇ ସାଫଲ୍ୟ ଅର୍ଜନ ପରେ ପ୍ରାବନ୍ଧିକ ହୋଇ ପଡ଼ିଥିବେ, କିମ୍ବା ହୁଏତ ତରୁଣ ମନର ସ୍ୱାଭାବିକ ଭାବ ପ୍ରବଣତା ପ୍ରଥମତଃ ତାଙ୍କ ଲେଖନୀକୁ କବିତା ସୃଷ୍ଟି ପାଇଁ ପ୍ରଲୁବ୍‌ଧ କରିଥିବ ମାତ୍ର ବୟସ ବୃଦ୍ଧିରେ ପ୍ରବନ୍ଧ ମଧ୍ୟରେ ନିଜ ପ୍ରତିଭାର ପ୍ରଚଣ୍ଡ ପରିପ୍ରକାଶ ପାଇଁ ଅନୁକୂଳ ସମର୍ଥନ ସେ ପାଇଥିବେ । ୧୮୯୭ ମସିହାରେ ଉତ୍କଳ ସାହିତ୍ୟର ପ୍ରଥମ ବର୍ଷ ପ୍ରଥମ ସଂଖ୍ୟାରେ ଚନ୍ଦ୍ରମୋହନ ବାବୁଙ୍କ ‘ମାଧୁରୀ’ ନାମକ ଏକ କବିତା ମଧ୍ୟ କବି କବିତ୍ୱର ପରିଚାୟକ ।

 

ଆଲୋଚ୍ୟ ପ୍ରବନ୍ଧରେ ଗ୍ରୀଷ୍ମ, ବର୍ଷା, ହେମନ୍ତ ଆଦି ଛ’ଋତୁ ବର୍ଣ୍ଣନା ପାଇଁ ଚନ୍ଦ୍ରମୋହନ ବାବୁଙ୍କ ଛଅଗୋଟି କବିତାହିଁ ବିଚାର ଆଲୋଚନାର ପରିଧିଭୁକ୍ତ ହୋଇଛି । ଚନ୍ଦ୍ରମୋହନ ବାବୁଙ୍କ ଲିଖିତ ‘କଥାବଳୀ’ ୪ ଖଣ୍ଡରେ ବିଭକ୍ତ ହୋଇ ଏହାର ପ୍ରଥମ ସଂସ୍କରଣ ଏବଂ ପରେ ଏହାର ଦ୍ୱିତୀୟ ସଂସ୍କରଣ ଦ୍ୱିତୀୟ ଖଣ୍ଡରେ ୧୯୧୦ ମସିହାରେ ମ୍ୟାକ୍‌ମିଲନ୍ କମ୍ପାନୀ ଆନୁକୂଲ୍ୟରେ କଟକ ମିସନ ପ୍ରେସରୁ ପ୍ରକାଶିତ ହୋଇଥିଲା । ଉତ୍କଳରେ ଇଂରାଜୀ ଶିକ୍ଷା ପ୍ରସାରର ଆଦି କାଳରେ ଏହା ଚତୁର୍ଥ-ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଠ୍ୟପୁସ୍ତକଭାବେ ନିର୍ବାଚିତ ହୋଇ ବହୁଦିନ ଧରି ଚଳି ଆସିଥିଲା । ପାଠ୍ୟପୁସ୍ତକଭାବେ ‘କଥାବଳୀ’ର ଲୋକପ୍ରିୟତା ହେତୁ ଏହା ତେଲଗୁ, ହିନ୍ଦୀ ପ୍ରଭୃତି କେତେକ ପ୍ରାନ୍ତୀୟ ଭାଷାରେ ଅନୁଦିତ ହୋଇ ସେହି ସେହି ଭାଷାଭାଷୀ ଅଞ୍ଚଳରେ ପ୍ରଚଳିତ ହୋଇଥିଲା । ପ୍ରାଚ୍ୟ ପୁରାଣ, ସଂସ୍କୃତ ତଥା ବିଭିନ୍ନ ପାଶ୍ଚାତ୍ୟ ଦେଶୀୟ ସାହିତ୍ୟ ସମୂହରୁ ସଂଗୃହୀତ ଉପାଦେୟ କଥା ସମୂହ ଏବଂ ପିଲାଙ୍କ ପାଠୋପଯୋଗୀ କବିତା କେତୋଟିର ସମନ୍ୱୟରେ ‘କଥାବଳୀ’ ଗଦ୍ୟ ଓ ପଦ୍ୟର ଏକ ମିଶ୍ରିତ ପାଠ୍ୟକ୍ରମ । ‘କଥାବଳୀ’ର କଥାଗୁଡ଼ିକ ମଧ୍ୟରେ ପଦ୍ୟ ଭାବରେ ଛଅଟି ଋତୁ ପାଇଁ ଛଅଟି କବିତା ଗ୍ରୀଷ୍ମ, ବର୍ଷା ଆଦି କ୍ରମାନ୍ୱୟରେ ସଜ୍ଜିତ ହୋଇଛି । ଚନ୍ଦ୍ରମୋହନ ବାବୁଙ୍କ କୃତିତ୍ୱର ମୌଳିକ ସ୍ପର୍ଶ ଏହି କବିତାଗୁଡ଼ିକ ମଧ୍ୟରେ ଉପଲ୍‌ବଧ ହୁଏ ।

 

ଋତୁଚକ୍ରର ପରିବର୍ତ୍ତନ ଅନୁଯାୟୀ ବିଚିତ୍ରବର୍ଣ୍ଣା ପ୍ରକୃତିର ଅନିନ୍ଦ୍ୟ ରୂପ ସୁଷମାର ଗ୍ରାହକ ହୋଇଛି ରୂପାନ୍ୱେଷୀ କବିର ଲେଖନୀ । ରୂପଗ୍ରାହୀ କବିର କାବ୍ୟ ଚେତନାର ସ୍ୱୀକୃତି ଲାଭ କରି ଓଡ଼ିଆ କାବ୍ୟ କବିତା ଅନେକତ୍ର ଋତୁ ବର୍ଣ୍ଣନା ଏକ ବର୍ଣ୍ଣାଢ଼୍ୟ ବୈଭବଭାବେ ସ୍ଥାନ ପାଇଛି । ‘ରସକଲ୍ଲୋଳ’ର “କଲା ନିବିଡ଼ କରି ନିଘୋଷ, ଗିଳିଲା ଗିରିବର ଶିରୀଷ, ମହା ପ୍ରବଳ ଅନ୍ଧାରେ ନ ଦେଖାଇଲା ଦିଶ ସେ” କିମ୍ବା ଉପେନ୍ଦ୍ର ଭଞ୍ଜଙ୍କ “ଦେଖି ନବ କାଳିକା ବକାଳିକା ମାଳିକା ଆଳି କଳିକା କାନ୍ତ ସ୍ମରି” ପ୍ରଭୃତି ବର୍ଣ୍ଣନାରୁ ପ୍ରାବୃଟ କାଳୀନ ଚିତ୍ର ଓ ‘ଲାବଣ୍ୟବତୀ’ର ପଞ୍ଚମ ଛାନ୍ଦରେ “ମଳୟ ଶିଖରି ଶିରୀ ଚୋରି କରି ବହିଲାଣି ମନ୍ଦ ସମୀର । ସୁମନାଙ୍କ ବାମ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର” କିମ୍ବା ଗଙ୍ଗାଧର ମେହେରଙ୍କ “ବସନ୍ତ ବିଜୟ ବାରତା ପ୍ରଚରିଲା ଭୂବନେ, ପାଦପ ଆନୀତ ପତର ପରଭୃତ ପଠନେ” ପ୍ରଭୃତି ବର୍ଣ୍ଣନାରୁ ବସନ୍ତର ବାସନ୍ତୀ ପ୍ରକୃତିର ମଞ୍ଜୁଳ ରୂପମୂର୍ତ୍ତୀ “ହୋଇଲା ପ୍ରବେଶ ଗ୍ରୀଷମ ସମୟ ସୁଷମା ପ୍ରୌଢ଼ା ଯୁବତୀକି, ରଜନୀ ମନୋହର କରି ବହିଲା ପକ୍ୱଚୂତ ଫଳ କାନ୍ତିକି” ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀରେ ନିଦାଘ ପ୍ରକୃତିର ଏ ଚିତ୍ରଣ, ଏଭଳି ଅସଂଖ୍ୟ ଉଦାହରଣ ଅନେକ କବିଙ୍କ କାବ୍ୟ-କବିତାରୁ ମିଳି ପାରିବ ଯେଉଁଠି ନିଦାଘ, ବସନ୍ତ, ପ୍ରାବୃଟ ପ୍ରଭୃତି ବିଭିନ୍ନ ଋତୁ କାବ୍ୟ-କବିତା ବଳୟ ଭୁକ୍ତ ହୋଇପାରିଛି । ସଂସ୍କୃତ ସାହିତ୍ୟରେ କାଳିଦାସଙ୍କ ‘ମେଘଦୂତ’, ଶ୍ରୀହର୍ଷଙ୍କ ‘ନୈଷଧ’, ମାଘଙ୍କ ‘ଶିଶୁପାଳ ବଧ’ ଭବଭୂତିଙ୍କ ‘ଉତ୍ତର ରାମ ଚରିତମ୍‌’ ପ୍ରଭୃତି କାବ୍ୟରେ ବିଭିନ୍ନ ଋତୁ ବର୍ଣ୍ଣନା ଦୃଷ୍ଟାନ୍ତର ଅଭାବ ନାହିଁ । କ୍ରମାନ୍ୱୟରେ ଷଡ଼ଋତୁ ପୁଷ୍ପର ସଯତ୍ନ ଗ୍ରଥିତ ସାର୍ଥକ ମାଳାଟିଏ ହେଉଛି ସଂସ୍କୃତ କବି କାଳିଦାସଙ୍କ ‘ଋତୁସଂହାର’ କାବ୍ୟ । ଓଡ଼ିଆ ସାହିତ୍ୟରେ ଆଦିକବି ସାରଳାଦାସ ତାଙ୍କ ମହାଭାରତରେ ମଧ୍ୟପର୍ବରେ ଚନ୍ଦ୍ରାବତୀଙ୍କ ସର୍ବାଙ୍ଗ ରୂପ ବର୍ଣ୍ଣନା କାଳରେ ଅପୂର୍ବ କଳା ପାଟବତା ଦର୍ଶାଇ ଷଡ଼ଋତୁର ଅବତାରଣା କରିଛନ୍ତି ।

 

ରୀତି ଯୁଗର ଅନ୍ୟତମ ବୈଷ୍ଣବକବି ଦେବ ଦୁର୍ଲଭ ଦାସଙ୍କ ‘ରହସ୍ୟ ମଞ୍ଜରୀ’ କାବ୍ୟର ଦ୍ୱାଦଶ ଛାନ୍ଦରେ ବିରହ ବିଦଗ୍‍ଧ ଶ୍ରୀରାଧାଙ୍କ ମର୍ମଦାହୀ ବିରହ ବେଦନାର ଦୀର୍ଘଶ୍ୱାସରେ ଷଡ଼ଋତୁ ବର୍ଣ୍ଣନା ହୋଇଛି ରସାଣିତ-

 

“ଉତ୍ତରୁ ଆଇଲା ଶୀତ ବିକାନ୍ତ କୁମାରୀ

କାନ୍ତ ଥିଲା କାମିନୀଙ୍କି ଦୂରୁଁ ଅପସରି,

ଫୁଟିଲେ କୈରବ କିଆ, ଚନ୍ଦ୍ରକାନ୍ତି ବଢ଼େ

ଶ୍ରୋଣେହା ରତି ଆରତେ ଶ୍ରୋଣେହୀ କି ଲୋଡ଼େ ।”

 

ରୀତି ଯୁଗ ସାହିତ୍ୟରେ ମୁଖ୍ୟତଃ ଋତୁ ବର୍ଣ୍ଣନା ସ୍ମରତାପ ପୀଡ଼ିତ ନାୟକ ଓ କାମଦଗ୍‌ଧା ନାୟିକାର ଶୃଙ୍ଗାରୀ ଭାବନାକୁ ଭିତ୍ତି କରି ଉଦ୍ଦୀପନ ବିଭାବଭାବେ କାମୋଚ୍ଚାଟ୍ଟନର ପୃଷ୍ଠଭୂମି ହୋଇ ରହିଯାଇଛି ।

 

ଭକ୍ତକବି ମଧୁସୂଦନ ରାଓଙ୍କ ଛଅଋତୁ ପାଇଁ ଛଅଟି ଛୋଟ କବିତା ମଧୁସୂଦନ ଗ୍ରନ୍ଥାବଳୀରେ ‘ଶୀଶୁଗୀତ ଓ ଛନ୍ଦମାଳା’ରେ ସନ୍ନିବେଶିତ ହୋଇଛି । ୰ଚନ୍ଦ୍ରମୋହନ ମହାରଣାଙ୍କ ଛଅ ଋତୁ ପାଇଁ ଛଅଟି କବିତା ମଧ୍ୟ ଚତୁର୍ଥ / ପଞ୍ଚମ ଶ୍ରେଣୀ ପିଲାଙ୍କ ପାଠ୍ୟ ଉଦ୍ଦେଶ୍ୟରେ ‘କଥାବଳୀ’ରେ ସନ୍ନିବେଶିତ ହୋଇଛି । ଚନ୍ଦ୍ରମୋହନ ବାବୁଙ୍କ ସରସ ସରଳ ପରିବେଷଣ ଶୈଳୀ ଏହି କବିତାଗୁଡ଼ିକୁ କେବଳ ସୁଖପାଠ୍ୟ କରିନାହଁ, କବିତ୍ୱର କମନୀୟ ସ୍ପର୍ଶରେ ପ୍ରକୃତି ଚିତ୍ରଣ ହୋଇଛି ଜୀବନ୍ତ । ‘ଗ୍ରୀଷ୍ମ’ ବର୍ଣ୍ଣନା ପାଇଁ ‘ମଙ୍ଗଳ’, ବର୍ଷା ବର୍ଣ୍ଣନା ପାଇଁ ‘ଆଷାଢ଼ ଶୁକ୍ଳ’, ଶରତ ବର୍ଣ୍ଣନା ପାଇଁ ‘ରାମକେରି’, ହେମନ୍ତ ବର୍ଣ୍ଣନା ପାଇଁ ‘କଳହଂସ କେଦାର’, ଶିଶିର ବର୍ଣ୍ଣନା ପାଇଁ ‘କଲ୍ୟାଣ ଆହାରୀ’, ବସନ୍ତ ବର୍ଣ୍ଣନା ପାଇଁ ‘ବଙ୍ଗଳାଶ୍ରୀ’ ପ୍ରଭୃତି ବିଭିନ୍ନ ବୃତ୍ତ ଓ ଛନ୍ଦକୁ ଯଥାର୍ଥଭାବେ ନିର୍ବାଚନ କରିଛନ୍ତି କବି । କବିତାଗୁଡ଼ିକ ମୁଖ୍ୟତଃ ଚପଳମତି କିଶୋର କିଶୋରୀଙ୍କ ପାଠ୍ୟ ହୋଇଥିବା ହେତୁ କୈଶୋରର ମାନସ ଭୂମିରେ ଉପଦେଶର ବୀଜଟି ବପନ କରିବାପାଇଁ କବି ସ୍ଥଳ ବିଶେଷରେ ସଚେତନ ପ୍ରୟାସୀ ହୋଇଛନ୍ତି । ନିମ୍ନରେ ତାହାର କେତୋଟି ଉଦାହରଣ ପ୍ରଦତ୍ତ ହେଲା ।

 

“ଏ ଜଗତେ ସୁଖ ଦୁଃଖ ଅଛି ସବୁ ଠାଇଁ;

ଉଭୟେ ଅଛନ୍ତି ରଚି ଜଗତର ସାଇଁ ।

ଆପାତରେ ଯହିଁ ଦୁଃଖ, ପରିଣାମେ ସୁଖ,

ବାଳକେ! ନୋହିବ କେଭେଁ ଦୁଃଖରେ ବିମୁଖ ।” (ଗ୍ରୀଷ୍ମ)

 

“ଲଗାଣ ମେଘର ଉଦ୍ୟମ ଦେଖି

ବୁଣେ ଧାନ ଆନ କର୍ମ ଉପେକ୍ଷି

ଯତନେ ରତନ

ମିଳଇ ଜଣା ଏ ଧ୍ରୁବ ବଚନ ।” (ବର୍ଷା)

 

“କଣ୍ଟକ ଦୁର୍ଗରେ ଜନମ ଲଭି

ପ୍ରଚ୍ଛନ୍ନେ ଫୁଟଇ କିଆ ସୁରଭି

ସୁବାସ ବିତରି

ଭ୍ରମଇ ସମୀର ପ୍ରଚାର କରି ।” (ବର୍ଷା)

 

“ଏ ରୀତି, ଅକପଟ ବନ୍ଧୁ ଜନର

ସମ୍ପଦ ତୁଟିଲେ

ଦେଖାଦିଏ ଭଲେ

ଆନ ଯେତେବେଳେ ଅନ୍ତର । (ଶିଶିର)

 

“ବାଳକ ବାଳିକା

କୁସୁମ ମାଳିକା

ତୁମ୍ଭେମାନେ ମାନବରେ,

ଯେ ଧାତା ରଚିଲେ

ଏ କୁସୁମକାଳେ

ନମ ତାଙ୍କ ଶ୍ରୀ ପୟରେ ।” (ବସନ୍ତ)

 

ରୁଦ୍ର ସନ୍ନ୍ୟାସୀ ନିଦାଘ ଋତୁର ଆବିର୍ଭାବରେ ବସନ୍ତ କାଳୀନ ମୃଦୁ ମନ୍ଦ ସମୀରଣ କାହିଁ ଅର୍ନ୍ତହିତ ହୋଇଯାଇ ମଧ୍ୟାହ୍ନରେ ତପ୍ତ ଅନିଳ ପ୍ରବାହିତ ହେଲା । ନିଦାଘ ତାପିତ ପ୍ରାଣୀଙ୍କ ତୁଷାର୍ତ୍ତ କଣ୍ଠ ଖୋଜିଲା ଶୀତଳ ସଲିଳ । ନିଦାଘ ପ୍ରକୋପରେ ବିହଙ୍ଗମାନେ ତରୁଣଶାଖାରେ ନିଶ୍ଚଳତା ଭଜିଲେ । ପଶୁମାନେ ଚାହିଁଲେ ପର୍ଣ୍ଣାଚ୍ଛାଦିତ ପାଦପ ତଳେ ଆଶ୍ରୟ । ପଥିକେ ଆତପତ୍ରର ଆଶ୍ରୟ ନେଲେ । କବି ମଧୁସୂଦନ ଓ ଚନ୍ଦ୍ରମୋହନ ବାବୁଙ୍କ ‘ଗ୍ରୀଷ୍ମ’ ବର୍ଣ୍ଣନାରେ କେତେକ ସାମ୍ୟ ପରିଲକ୍ଷିତ ହୁଏ । ମଧୁସୂଦନଙ୍କ “ନୀରବ ନିଶ୍ଚଳ ବିହଙ୍ଗ ନିକର ତପତ ତରୁର ଡାଳେ”, “ପରିଶୁଷ୍କ ଏବେ ସୋରବର ଜଳ ନଦୀ ଦେହ କୃଶ ଅତି, ଭେକ ମୀନ ଆଦି ଜଳଚର ପ୍ରାଣୀ ମରନ୍ତି ଲଭି ଦୁର୍ଗତି”, “ତପ୍ତ ଧୂଳିରାଶି ତପତ ଅନିଳେ ଉଡ଼ି ଘୋଟଇ ଅମ୍ବରେ”, “ବିଚଣା ପବନେ କାହିଁ ବା ଚନ୍ଦନେ ଶୀତଳନ୍ତି ସ୍ୱ ଶରୀର” ପ୍ରଭୁତି ବର୍ଣ୍ଣନାର ସେହି ସେହି ସୁରରେ ଚନ୍ଦ୍ରମୋହନଙ୍କ “ତରୁ ଡାଳେ ବିହଙ୍ଗମେ ନିଶ୍ଚଳ ବସିଲେ”, “ଜଳାଶୟେ କ୍ରମେ କ୍ଷୀଣ ହୁଅଇ ସଲୀଳ; ଯହିଁ ଅତି ଅଳ୍ପ ଦଳ ତହିଁରେ ଆବିଳ; ଖରାତାପେ ଉଡ଼ିଯାଏ ପଲ୍ୱଳ ଜୀବନ, ମୀନ ଆଦି ଜଳଚରେ ଭଜନ୍ତି ନିଧନ” “ନିଦାଘ ଝାଞ୍ଜିରେ ଧୂଳି ଘୋଟଇ ଅମ୍ବରେ”, “ଗୃହ ମଧ୍ୟେ କରେ କେହୁ ବ୍ୟଜନ ଚାଳନ, ଭାଗ୍ୟବନ୍ତ ଜନ ଦେହେ ଲେପଇ ଚନ୍ଦନ,” ବର୍ଣ୍ଣନାରୁ ସମାନ୍ତରାଳ ଅନୁରୂପ ଋତୁ ଚିତ୍ର ଭାବଦୃଷ୍ଟିରେ ଉତ୍‌କୀର୍ଣ୍ଣ ହୋଇଥାଏ ।

 

ନିଦାଘ ତପ୍ତ ଧରୀତ୍ରୀର ଧୂସର ବୁକୁରେ ସବୁଜ ସ୍ୱପ୍ନ ସମ୍ଭାର ନେଇ ଆବିର୍ଭୂତ ହେଲା ବର୍ଷା କାଳ । ମେଘମେଦୁର ଆକାଶରେ ବଜ୍ରର ଗୁରୁ ଗମ୍ଭୀର ନିର୍ଘୋଷ ସହିତ ଦୃପ୍ତ ଜାମିନୀର ଲାସ୍ୟଲୀଳା ପ୍ରକଟିତ ହେଲା । ଅସଂଖ୍ୟ ଶ୍ୟାମ ଦୁର୍ବାର ଉଦ୍‌ଗମରେ ଧରଣୀ ରାଣୀ ହେଲା ସବୁଜ ରୂପଶ୍ରୀ ବିମଣ୍ଡିତା । ଭେକର ଗର୍ଜ୍ଜନରେ ପ୍ରାବୃଟର ବିଜୟ ସ୍ତ୍ରୋତ୍ର ଗୀତି ଉଚ୍ଚାରିତ ହେଲା । ଯୌବନ ମଦମତ୍ତା ତଟିନୀ ଜଳ ପ୍ରାଚୁର୍ଯ୍ୟରେ ଉତ୍‌କୂଳା ହେଲା । ନଦୀର ବୋଇତ ଭେଳା ଚାଲିବା ସହିତ ଘାଟ-ମାନଙ୍କରେ ନଦୀ ପାର ହେବାକୁ ପଝାରିମାନେ ମିଳିତ ହେଲେ । ଲଗାଣ ବର୍ଷାରେ କର୍ଦ୍ଦମ ସୃଷ୍ଟି ହୋଇ ମାର୍ଗକୁ ଦୁର୍ଗମ କଲା । କବିଙ୍କ ଲେଖନୀରେ–

 

“ତଟିନୀ ଯୌବନେ ପଦ ଅର୍ପିଲା

ନଦୀରେ ଚାଲିଲା ବୋଇତ ଭେଳା

ଘାଟେ ଘାଟେ ହେଲା ପଝାରି ମେଳା

ବରଷା କର୍ଦ୍ଦମ

ଜନପଦ ମାର୍ଗ କଲା ଦୁର୍ଗମ ।” (ବର୍ଷା)

 

ଶରତର ବିଦ୍ୟମାନରେ ଆକାଶ ହେଲା ସ୍ୱଚ୍ଛ ଓ ନିର୍ମଳ । ନଭୋମଣ୍ଡଳରେ ଇନ୍ଦ୍ରଧନୁର ବର୍ଣ୍ଣିଳ ଶୋଭା ପ୍ରକଟିତ ହେଲା । ଦକ୍ଷିଣ ଦିଗଙ୍ଗନାର ଲଲାଟ ଶୋଭିତ ମଥାମଣି ସଦୃଶ୍ୟ ବିଭାବରୀ କାଳରେ ଅଗସ୍ତି ନକ୍ଷତ୍ର ଉଦିତ ହେଲା । ‘ପ୍ରବାଳ ବୃନ୍ତରେ ଖଚିତ ସଜ ସ୍ପଟିକ ଦଳ’ ସମ ଅଗଣିତ ବୃନ୍ତଚ୍ୟୁତା ଗଙ୍ଗଶିଉଳୀ ଫୁଲର ସୁବାସ ପ୍ରାତଃ ସମୀରଣରେ ଚତୁର୍ଦ୍ଦିଗରେ ବିତରିତ ହେଲା । ଶରତ୍‌କାଳୀନ ସନ୍ଧ୍ୟା ଓ ନୈଶ ପ୍ରକୃତିର କମନୀୟ ରୂପଶ୍ରୀ ଉଦ୍‌ଘାଟନରେ କବି ଚନ୍ଦ୍ରମୋହନଙ୍କ କଳ୍ପନାବିଳାସ ଅନନ୍ୟ ହୋଇଛି

 

“ମଧୁର ଗୋଧୂଳି ସମୟ ଅସ୍ତରବି କିରଣେ

ବାରୁଣୀ ଗଗନ ଝଳଇ ତପ୍ତ ସ୍ୱର୍ଣ୍ଣ ବରଣେ ।”

“ବିମଳ ଆକାଶେ ରାଜିଲେ ତାରାପତି ଅମଳ

ଚଉପାଶେ ବେଢ଼ି ବସିଲେ ତାଙ୍କୁ ତାରା ପଟଳ ।”

 

କେଦାରେ କେଦାରେ ପରିପୂର୍ଣ୍ଣ ଶସ୍ୟ ସମ୍ଭାରର ହାସ୍ୟ ଉଚ୍ଛଳତାରେ ହେମନ୍ତ ଧରାପୃଷ୍ଠକୁ ଅବତରଣ କଲା । ଯାମିନୀରେ ଶିଶିରପାତ ହେତୁ ପଦ୍ମବନ ବିବର୍ଣ୍ଣ ହେଲା । ସୂର୍ଯ୍ୟଙ୍କ ତେଜ ହ୍ରାସ ହେବା ସହିତ କ୍ରମଶଃ ଦିବସକ୍ଷୀଣ ଓ ରାତ୍ରିର କଳେବର ପରିବର୍ଦ୍ଧିତ ହେଲା । ହେମନ୍ତ ପରେ ତରୁଲତାର ଅଙ୍ଗରୁ ପକ୍ୱପତ୍ରକୁ ଶାଖାଚ୍ୟୁତ କରାଇ ଆବିର୍ଭୂତ ହେଲା ଶିଶିର । ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ହେତୁ ଦିବସ କ୍ରମଶଃ କ୍ଷୟପ୍ରାପ୍ତ ହେଲା । ଚନ୍ଦ୍ରମୋହନ ବାବୁଙ୍କ ଋତୁ ବର୍ଣ୍ଣନାର ବୈଶିଷ୍ଟ୍ୟ ହେଲା ତାହା କେବଳ ପ୍ରକୃତି ଚିତ୍ରଣ ସର୍ବସ୍ୱ ନୁହେଁ, ଏଥିରୁ ଜନଜୀବନର ସମ୍ୟକ ପରିଚୟ ମଧ୍ୟ ମିଳେ । ରୀତିଯୁଗର ପ୍ରକୃତି ବର୍ଣ୍ଣନାରେ ସମାଜ ଜୀବନର ପରିଚୟ କ୍ୱଚିତ୍ ଦେଖିବାକୁ ମିଳିଥାଏ । କିନ୍ତୁ ଚନ୍ଦ୍ରମୋହନ ବାବୁଙ୍କ ‘ଗ୍ରୀଷ୍ମ’ କବିତାରେ ‘ଉଡ଼ାଇଣ ଆତପତ୍ର ପଥିକେ ଚଳିଲେ’, ‘ଭାଗ୍ୟବନ୍ତ ଜନ ଦେହେ ଲେପଇ ଚନ୍ଦନ’, ବର୍ଷା କବିତାରେ ‘କୃଷିକାରୀ ସାରି ଭୂମି କର୍ଷଣ ଚାହିଁ ବସିଥାଏ ସେ ଅନୁକ୍ଷଣ’, ‘ଦରିଦ୍ର କୁଟୀର ଭାଙ୍ଗି ସେ ଦିଏ’, ‘ଆନନ୍ଦେ ପୂରିଲା ଗୋକୁଳ ପ୍ରାଣ’, ‘କୂଲବାସୀ ଜନ, କୂଳ ତେଜିବାକୁ କୁଣ୍ଠିତ ମନ’, ‘ଶରତ’ କବିତାରେ ‘ପାନ୍ଥେ ହୋଇଲେ ସୁଖୀ’, ‘ଉଦର ପୁରାଇ ଆନନ୍ଦେ ଗୋରୁପଲ ମନ୍ଥରେ’, ‘ହେମନ୍ତ’ କବିତାରେ ‘ନଇଁଲା ଧାନଶୀଷା ଶସ୍ୟ ଗୌରବେ, ଭେଟିଲ ସ୍ନେହୀଜନ ଯେହ୍ନେ ବାନ୍ଧବେ’, ‘ଆନନ୍ଦେ ପୂରିଗଲା କୃଷକ ମନ, ସଫଳ ହେଲା ଯେଣୁ ଶ୍ରମ ଯତନ’, ‘କୃଷକ ଶତ ମନୋରଥ ଗଢ଼ଇ’ ପ୍ରଭୃତି ଅସଂଖ୍ୟ ଉଦାହରଣ ମିଳେ ଯେଉଁଠାରେ ସମାଜ ଜୀବନର ଚିତ୍ର ପ୍ରତିଫଳିତ ହୋଇଛି । ‘ଶିଶିର’ କବିତାରେ ଏ ଚିତ୍ର ବ୍ୟାପକ ଭାବରେ ସ୍ଥାନ ପାଇଛି । ଶିଶିରରେ ନରନାରୀମାନେ ବିଭିନ୍ନ ଶୀତବସ୍ତ୍ରରେ ତନୁକୁ ଆଚ୍ଛାଦିତ କରିବା, ଆଖୁଚାଷୀମାନେ ଆଖୁଶାଳାରେ ଆଖୁପେଡ଼ିବା ଉଦ୍ଦେଶ୍ୟରେ ଏକତ୍ରିତ ହେବା ଏବଂ ରସ ଅଭିଳାଷୀ ବାଳକମାନେ ହର୍ଷ ସହକାରେ ଆଖୁରସ ପାନ କରିବା, ରସାବଳୀ, ଗଜା, ଲଡ଼ୁ, ଖୀରି, ଖଜା ପ୍ରଭୃତି ସେଥିରେ ନିର୍ମିତ ହେଲା, ନଦୀଝର କୂଳରେ ରବି ଫସଲ ପରିଶୋଭିତା ହେବା, ‘ବିବିଧ ଅମଳ ଆଲୁଆଦି କନ୍ଦ’ ସୁଲଭ ହେବା ଉଲ୍ଲେଖ କରିଛନ୍ତି କବି । ଭୋଗୀମାନଙ୍କ ପାଇଁ ଏ ଋତୁର ଉପାଦେୟତା ହେତୁ କବି ଟିପ୍ପଣୀ କରିଛନ୍ତି–

 

“ଏ ଋତୁ ଭୋଗୀ ପାଇଁ ଧାତା ଗଢ଼ିଲେ ।”

 

କାବ୍ୟ କବିତାରେ ଋତୁରାଜ ବସନ୍ତର ଉଚ୍ଛ୍ୱସିତ ଗୁଣକୀର୍ତ୍ତନରେ ସତତ ପ୍ରଲୁବ୍‌ଧ ହୋଇଛି ସ୍ରଷ୍ଟାର ଲେଖନୀ । କମନୀୟ ବସନ୍ତ ପ୍ରକୃତିର ରୂପ ସୁଷମାରେ ତନ୍ମୟ କବିପ୍ରାଣ ‘ଋତୁ ସଂହାର’ରେ ଘୋଷଣା କରିଛି- “ସର୍ବଂ ପ୍ରିୟେ ! ଚାରୁତରଂ ବସନ୍ତେ ।” ‘ବସନ୍ତ’ କବିତାର କବି ଚନ୍ଦ୍ରମୋହନ ବାବୁଙ୍କଠାରେ ସେଭଳି ତନ୍ମୟତା ଲକ୍ଷିତ ହୁଏ– ‘ସେ ପରଶମଣି ପରଶିଲା କ୍ଷଣି ନବୀନ ସର୍ବେ ଦିଶିଲେ ।’ ମହାକବି କାଳିଦାସଙ୍କ ‘ସୁଖାଃ ପ୍ରଦୋଷା ଦିବସାଶ୍ଚ ରମ୍ୟାଃ’ର ପ୍ରତିଧ୍ୱନି ଶୁଣିବାକୁ ମିଳେ ‘ପ୍ରଭାତ ପ୍ରଦୋଷ ରଜନୀ ଦିବସ ସର୍ବେ ଏବେ ସୁଖକର’ ବର୍ଣ୍ଣନା ମଧ୍ୟରେ ।

 

ଉପମା ନିର୍ବାଚନରେ କବିର ବାସ୍ତବ ଦୃଷ୍ଟିଭଙ୍ଗୀ ଅତୀବ ହୃଦୟସ୍ପର୍ଶୀ–

 

“ଧଳା ଭସ୍ମବୋଳା ତପସ୍ୱୀ ମହିଳା ପରାଏ ଯାମିନୀ ଦିଶିଲା ।” (ଶିଶିର)

 

“ଦିଶେ ହତଶିରୀ ସରସୀ, ଯେପରି ବିଧବା ଭୂଷଣ ବିହୀନ ।” (ଶିଶିର)

 

ତତ୍‌ସମ ଶବ୍ଦ ସହିତ ଦେଶଜ ଓ ପ୍ରାକୃତ ଶବ୍ଦଗୁଡ଼ିକର ଅପୂର୍ବ ସମନ୍ୱୟ ସଂସାଧନରେ କବି ଚନ୍ଦ୍ରମୋହନଙ୍କ କାବ୍ୟ ବ୍ୟକ୍ତିତ୍ୱ ଅସପତ୍ନ ପ୍ରତିଷ୍ଠା ଅର୍ଜନ କରିପାରିଛି ଏହି କବିତାଗୁଡ଼ିକ ମଧ୍ୟରେ । ଭାବପ୍ରକାଶ ପାଇଁ ତତ୍‌ସମ ଶବ୍ଦର ମହତ୍ତ୍ୱ ଯେତେ ସେତୁଳନାରେ ଦେଶଜ ଓ ପ୍ରାକୃତ ଶବ୍ଦର ମହତ୍ତ୍ୱ ଯେ ଗୌଣ ନୁହେଁ ଏହାକୁ ପ୍ରତିପାଦନ କରିବାହିଁ କବିଙ୍କ ସଚେତନ ଲକ୍ଷ୍ୟ ଥିବା ଭଳି ମନେହୁଏ । କାବ୍ୟରୀତିର ଆଧିପତ୍ୟ କାଳରେ ତତ୍ସମ ଶବ୍ଦ ପ୍ରତି ଏ ଅନୁରକ୍ତି ଚନ୍ଦ୍ରମୋହନ ବାବୁଙ୍କ ଲେଖନୀର ଉଲ୍ଲେଖନୀୟ ବିଶେଷତ୍ୱ ।

 

ରାଧାନାଥ ଯୁଗର କାବ୍ୟ-କବିତା ଛାୟାପଥରେ କୃତବିଦ୍ୟ ଯଶସ୍ୱୀ କେତେକ ନକ୍ଷତ୍ରଙ୍କ ପାଖରେ ଆମ ଦୃଷ୍ଟି ମୁଖ୍ୟତଃ ସୀମାବଦ୍ଧ ହୋଇଯିବାଦ୍ୱାରା ଛାୟାପଥର ଅନ୍ୟତମ ନକ୍ଷତ୍ର ଚନ୍ଦ୍ରମୋହନ ମହାରଣାଙ୍କ କବି କବିତ୍ୱ ଆମ ଦୃଷ୍ଟି ଅନ୍ତରାଳରେ ରହିଯାଇଛି । ମାତ୍ର ଏ ପ୍ରତିଭା ମଧ୍ୟ ନିଜସ୍ୱ ମୌଳିକ ଦୀପ୍ତି ଓ ଦ୍ୟୁତିରେ ଭାସ୍ୱର ।

-୦-

 

Unknown

କଥାବଳୀର ରୂପକାର ଚନ୍ଦ୍ରମୋହନ ମହାରଣା

ପଠାଣି ପଟ୍ଟନାୟକ

 

ଫକୀରମୋହନଙ୍କ ମୃତ୍ୟୁ ଉପଲକ୍ଷେ “ଉତ୍କଳ ସାହିତ୍ୟ” ପତ୍ରିକାରେ ଏକ ସ୍ୱତନ୍ତ୍ର ସଂଖ୍ୟାରେ ବ୍ୟାସକବିଙ୍କୁ ସ୍ମରଣ କରି ଚନ୍ଦ୍ରମୋହନ ମହାରଣା ଲେଖିଥିଲେ– ଯାବତୀୟ ଉନ୍ନତିର ବିଘାତକ ଭେଦବୁଦ୍ଧିକୀଟ ବର୍ତ୍ତମାନ ଓଡ଼ିଶାକୁ କୋରି ପକାଇଛି । ତେତେବେଳେ ଏ କୀଟ ଓଡ଼ିଶାରେ ପ୍ରବେଶ କରିନଥିଲା । ତେତେବେଳେ ମୁଷ୍ଟିମେୟ ଓଡ଼ିଆ ଯୁବକ ଏକ ମନରେ ପୂର୍ଣ୍ଣ ଉତ୍ସାହରେ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରିଥିଲେ । ଫକୀରମୋହନଙ୍କର ଜୀବନର ଶେଷାଂଶରେ ମଧ୍ୟ ଉତ୍ସାହର ଅଭାବ ଦୃଷ୍ଟିଗୋଚର ହୋଇନାହିଁ ।

 

(ଉତ୍କଳ ସାହିତ୍ୟ–୨୨ ଭାଗ-୪ର୍ଥ ସଂଖ୍ୟା, ପୃ୧୯୦-୧୯୧)

 

ଚନ୍ଦ୍ରମୋହନଙ୍କ ରୁଚି ଓ ବ୍ୟକ୍ତିତ୍ୱ ଏହି ସ୍ମୃତି-ତର୍ପଣ ବ୍ୟଞ୍ଜିତ କେତେଗୋଟି ବାକ୍ୟ ମଧ୍ୟରେ ଅଭିବ୍ୟକ୍ତି ଲାଭ କରିଛି । ଚନ୍ଦ୍ରମୋହନ ଥିଲେ ଜଣେ କର୍ମଯୋଗୀ ଏବଂ ସୁପୁରୁଷ । ସେ ଜଣେ ପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ ବୋଲି ତାଙ୍କର ସମ୍ପର୍କରେ ଆସିଥିବା ବହୁ ଶକ୍ତିଶାଳୀ ପ୍ରତିଭା ସ୍ୱୀକାର କରିଯାଇଛନ୍ତି । ତାଙ୍କର ସାହିତ୍ୟସିଦ୍ଧି ଅପେକ୍ଷା ଜୀବନର ସିଦ୍ଧି ଅଧିକ ପ୍ରତିଷ୍ଠା ଅର୍ଜନ କରିଅଛି । ଚନ୍ଦ୍ରମୋହନ ଥିଲେ ସଚ୍ଚା ଦେଶପ୍ରେମୀ ସୁନାଗରିକ । ସମାଜର ହିତପାଇଁ ସେ ଯାହା ଶ୍ରେୟ ବିଚାରୁଥିଲେ, ଅତ୍ୟନ୍ତ ନିଷ୍ଠାର ସହିତ କଠୋର ଭାବରେ ତାକୁ କାର୍ଯ୍ୟକାରୀ କରୁଥିଲେ । ଚନ୍ଦ୍ରମୋହନ ଜନ୍ମଗ୍ରହଣ କରିଥିଲେ ନଅଙ୍କ ଦୁର୍ଭିକ୍ଷର ଘନ ଅନ୍ଧକାର ମଧ୍ୟରେ । ତାଙ୍କର ବାଲ୍ୟ ଜୀବନରେ ବାଲେଶ୍ୱରକୁ ସେକାଳର ଓଡ଼ିଶାର ନବ ଉନ୍ମେଷର କେନ୍ଦ୍ରସ୍ଥଳରୂପେ ସେ ଦେଖିବାକୁ ପାଇଥିଲେ । ଓଡ଼ିଆ ଜାତୀୟତାବାଦର ଆଦି ଉତ୍ସ ବାଲେଶ୍ୱରର ବୈପ୍ଳବିକ ପରିବେଶ ମଧ୍ୟରେ ଜୀବନ୍ୟାସ ପ୍ରାପ୍ତ ହୋଇଥିଲା । ସେହିଠାରେ ଅଧ୍ୟୟନ କାଳରେ କୃତୀ ଛାତ୍ର ଚନ୍ଦ୍ରମୋହନ ଦେଶ ଓ ଦଶର କଲ୍ୟାଣ ପାଇଁ ମନ୍ତ୍ର ଗ୍ରହଣ କରି ଆଜୀବନ ଜଣେ ଆଦର୍ଶ ଶିକ୍ଷକ ଓ ଶିକ୍ଷାବିତ୍ ଭାବରେ ଜୀବନ ବିତାଇ ଦେଇଥିଲେ । ତାଙ୍କର ଲକ୍ଷ ଥିଲା ଉଚ୍ଚକୋଟୀର ମନୁଷ୍ୟ ତିଆରି କରିବା । ଏଥିପାଇଁ ଆଦର୍ଶ ପଠ୍ୟପୁସ୍ତକର ଆବଶ୍ୟକତା ଉପଲବ୍‍ଧି କରି ସେ ଲେଖିଥିଲେ ଓଡ଼ିଆ ବ୍ୟାକରଣ (୧୯୧୦) ଏବଂ କଥାବଳୀ (୧୯୧୭) । ସେ କାଳର ଶିକ୍ଷିତ ଲୋକେ ଓଡ଼ିଆ ଭାଷାର ଶୁଦ୍ଧ ପ୍ରୟୋଗରେ ବ୍ୟର୍ଥ ହେଲେ ଚନ୍ଦ୍ରମୋହନ କଠୋର ସମାଲୋଚନା କରୁଥିଲେ । ଜଣେ ବହୁ ଭାଷାଭିଜ୍ଞ ପଣ୍ଡିତ ହେଲେହେଁ ଓଡ଼ିଆ ଭାଷାର ଉନ୍ନତି ପାଇଁ ସେ ସତତ ଉଦ୍ୟମ କରି ଆସିଥିଲେ । କବିପ୍ରାଣ ଚନ୍ଦ୍ରମୋହନଙ୍କର ବଳିଷ୍ଠ ଗଦ୍ୟ ରଚନା ମଧ୍ୟରେ ଭାଷାଗତ ଶୁଦ୍ଧତା ଏବଂ ଭାବଗତ ଗାମ୍ଭୀର୍ଯ୍ୟ ସର୍ବଦା ଲକ୍ଷ୍ୟ କରାଯାଇଥାଏ । କୈଶୋର ଜୀବନରେ ଲିଖିତ ‘ନବୋଦ୍ୟମ’ (୧୮୮୮) କବିତା ଗୁଚ୍ଛରେ ତାଙ୍କର ଯେଉଁ କବି ପ୍ରତିଭାର ଉନ୍ମେଷ ହୋଇଥିଲା, ‘କଥାବଳୀ’ର ରଚନାକାଳରେ ତାହା ଅଧିକ ପ୍ରାଣବନ୍ତ ଓ ସାର୍ଥକ ରୂପ ପରିଗ୍ରହ କରିଥିଲା । ଚନ୍ଦ୍ରମୋହନ ଜଣେ କୁଶଳୀ ଅନୁବାଦକ ଥିଲେ । ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ପ୍ରବେଶ ଥିଲା । ଚପଳମତି ଶିଶୁମାନଙ୍କୁ ସାହିତ୍ୟ ଶିକ୍ଷା ଦେବାପାଇଁ ସେ ସଂସ୍କୃତ ସାହିତ୍ୟ ଭଣ୍ଡାରର କେତେକ ମୂଲ୍ୟବାନ ରତ୍ନ ଓଡ଼ିଆ ଭାଷାର ଛାତ୍ରମାନଙ୍କ ପାଇଁ ଆହରଣ କରି ଆଣିଥିଲେ । କେବଳ କଥାବଳୀର କେତୋଟି ଅଧ୍ୟାୟ ଆଲୋଚନା କଲେ ଏହା ପ୍ରମାଣ କରାଯାଇ ପାରିବ । ଅବଶ୍ୟ କଥାବଳୀରେ ଲେଖକ କେତେକ ଇଂରେଜୀ କଥାବସ୍ତୁର ସାହାଯ୍ୟ ଗ୍ରହଣ କରିଅଛନ୍ତି । ମାତ୍ର ସେ ଲେଖକ କେତେକ ଇଂରେଜୀ ପ୍ରାଚୀନ ଭାରତର ସାହିତ୍ୟ ସମ୍ପତ୍ତିକୁ ଏ ଦେଶର ଛାତ୍ରମାନଙ୍କୁ ପରିବେଷଣ କରିବା ପାଇଁ । ବିଭିନ୍ନ ଆଖ୍ୟାୟିକା ଜରିଆରେ ସେ କେବଳ ଶିଶୁମାନଙ୍କୁ ଭାଷା ଶିକ୍ଷା ଦେଇ ନାହାଁନ୍ତି, ସେମାନଙ୍କର ମନରେ ଏକ ଉଚ୍ଚତର ଭାବାଦର୍ଶ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଅଛନ୍ତି । ‘ବଧିର ବନ୍ଧୁର’ ଉପାଖ୍ୟାନ ପାଠ କଲେ ପାଠକ ପଦେ ପଦେ ନ ହସି ରହିପାରିବ ନାହିଁ । ତେଣୁ ଲେଖକ ବିଷୟ ପ୍ରବେଶ କାଳରେ ହାସ୍ୟରସ ମାଧ୍ୟମରେ ଛାତ୍ରମାନଙ୍କର ମନକୁ ସାହିତ୍ୟପଠନ ପ୍ରତି ଆକୃଷ୍ଟ କରାଇବାରେ ବ୍ରତୀ ହୋଇଅଛନ୍ତି । ‘ଯୋଗ୍ୟତାର ନିଦର୍ଶନ’ ପ୍ରସଙ୍ଗଟିରେ ଲେଖକ ଦର୍ଶାଇଥିଲେ ଯେ ପ୍ରକୃତ ବ୍ୟକ୍ତିତ୍ୱ ଓ ଯୋଗ୍ୟତାର ମାପକାଠି ହେଉଛି ବ୍ୟକ୍ତିର ଚରିତ୍ରବତ୍ତା, ନିୟମ ନିଷ୍ଠା, ବିନୟ ଏବଂ ସତ୍ୟବାଦିତା । ଏହି ଗୁଣଗୁଡ଼ିକ କାର୍ଯ୍ୟକାରୀ କରିପାରିଲେ ମନୁଷ୍ୟ ଯେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ତାହାର ସମାଧାନ ପାଇଁ କ୍ଷମ ହୋଇପାରିବ । ସତ୍ୟର ଅପଳାପ କଲେ କି ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼େ, ତାହା ‘ସତ୍ୟଲଂଘନ’ ଶୀର୍ଷକ ଏକ ଦୀର୍ଘ ଆଖ୍ୟାୟିକାରେ ଲେଖକ ପ୍ରତିପାଦନ କରିଅଛନ୍ତି । ଗର୍ବ ଓ ଅହଂକାରର ବଶବର୍ତ୍ତୀ ହେଲେ ପ୍ରତ୍ୟେକ ଧ୍ୱଂସର ସମ୍ମୁଖୀନ ହୁଅନ୍ତି । ଆକସ୍ମିକ ବିପଦ ସେମାନଙ୍କୁ ବିପର୍ଯ୍ୟୟଆଡ଼କୁ ଟାଣି ନେଇଯାଏ । “ଦୁଇମୂଢ଼ ଛାଗଳ କଥା” ପ୍ରସଙ୍ଗରେ ଏହି ଭାବଟି ପ୍ରାଧାନ୍ୟ ଲାଭ କରିଛି । ଅଥଚ ଅନ୍ୟପକ୍ଷରେ ସାମାନ୍ୟ ବିନୀତ ଏବଂ ବିବେକୀ ହେଲେ କିପରି ମହାନ୍‍ ବିପଦରୁ ମନୁଷ୍ୟ ଉଦ୍ଧାର ପାଇପାରେ ତା’ର ଉଦାହରଣ ହେଉଛି ‘ବିବେକୀ ଛାଗଳ କଥା’ । ଜୀବନରେ ଯେଉଁମାନେ ଚାଟୁକାରମାନଙ୍କର ଶିକାର ହୁଅନ୍ତି, ସେମାନଙ୍କର ଜୀବନ ଭୟଙ୍କର ଧ୍ୱଂସସ୍ତୂପରେ ପରିଣତ ହୁଏ । ଏହିପରି ହିତାହତ ଜ୍ଞାନଶୂନ୍ୟ ବ୍ୟକ୍ତିଙ୍କର ଧନ, ମାନ, ଯଶଃ, ବିଦ୍ୟା, ଐଶ୍ୱର୍ଯ୍ୟ କିଛିହେଲେ କାର୍ଯ୍ୟରେ ଲାଗେନାହିଁ । “ଶୃଗାଳ ଓ ହସ୍ତୀର କଥା” ପ୍ରସଙ୍ଗ ଛଳରେ ଧୂର୍ତ୍ତ ଶୃଗାଳ ଦ୍ୱାରା ବିଶାଳ ହସ୍ତୀ ପ୍ରତାରିତ ହୋଇ କିପରି ମୃତ୍ୟୁମୁଖରେ ପତିତ ହେଲା ତାହା ଦର୍ଶାଇ ଦିଆଯାଇଛି ।

 

‘କଥାବଳୀ’ର ଲେଖକ ସଂସ୍କୃତ ‘ହିତୋପଦେଶ’ର କେତୋଟି ପ୍ରସଙ୍ଗ ଅତ୍ୟନ୍ତ ମନୋଜ୍ଞ ଭାବରେ ଶିଶୁ ଶିକ୍ଷା ଉଦ୍ଦେଶ୍ୟରେ ପରିବେଷଣ କରିଅଛନ୍ତି । ଏଥିରେ ତାଙ୍କର ବିଷୟ ନିର୍ବାଚନ କୌଶଳ ଏବଂ ଅନୁବାଦକର ଦକ୍ଷତା ଲକ୍ଷ୍ୟ କରାଯାଇ ପାରେ । ଉଦାହରଣ ସ୍ୱରୂପ “ବ୍ୟାଘ୍ର ଓ କଙ୍କଣଲୋଭୀ ପଥିକର ଉପାଖ୍ୟାନ” ବିଷୟଟିରୁ କେତେକ ଅଂଶ ଆଲୋଚ୍ୟ ।

 

ସଂସ୍କୃତ ପ୍ରସଙ୍ଗଟିରେ ବିଷୟଟି ଏହିପରି

 

ଅହମେକଦା ଦକ୍ଷିଣାରଣ୍ୟେ ଚରନ୍ନପଶ୍ୟଂ ଏକୋ ବୃଦ୍ଧୋ ବ୍ୟାଘ୍ରଃ ସ୍ନାତଃ-କୃଶହସ୍ତଃ ସରସ୍ତୀରେ କ୍ରୁତେ “ଭା ଭୋଃ ପାନ୍ଥାଃ । ଇଦଂ ସୁବର୍ଣ୍ଣକଙ୍କଣଂ ଗୃହ୍ୟତମ୍ ।” ତତୋ ଲୋଭାକୃଷ୍ଟେନ କେନଚିତ୍ ପାନ୍ଥେନାଲୋଚିତଂ ଭାଗ୍ୟେନୈତତ୍ ସମ୍ଭବତି କିନ୍ତସ୍ମିନ୍ମାତ୍ମସନ୍ଦେହେ ପ୍ରବୃତ୍ତି ନ ବିଧେୟ ।”

 

‘କଥାବଳୀ’ରେ ଏହି ପରିଚ୍ଛେଦର ଅନୁହାଦ ହେଲା

 

ଦକ୍ଷିଣାରଣ୍ୟରେ ଗୋଟିଏ ସରୋବର କୂଳରେ ଏକଦା ଗୋଟିଏ ବୃଦ୍ଧ ବ୍ୟାଘ୍ର ସ୍ନାନ କରି ଓ ହସ୍ତରେ କୁଶ ଧାରଣ କରି ପଥଚାରୀ ମନୁଷ୍ୟମାନଙ୍କୁ ସମ୍ବୋଧନ କରି କହିଲା ‘ହେ ପଥିକମାନେ ! ଏହି ସୁବର୍ଣ୍ଣକଙ୍କଣ ଗ୍ରହଣ କର ।’ ଲୋଭାକୃଷ୍ଟ ଜଣେ ବୃଦ୍ଧ ପଥିକ ଏହା ଶୁଣି ମନେ ମନେ ଆଲୋଚନା କଲା– ‘ଭାଗ୍ୟରେ ଥିଲେ ଏପରି ଦୁର୍ଲଭବସ୍ତୁ ମିଳେ । କିନ୍ତୁ ସୁବର୍ଣ୍ଣକଙ୍କଣ ପ୍ରାପ୍ତି ନିମନ୍ତେ ହିଂସ୍ରଜନ୍ତୁର ସମୀପସ୍ଥ ହେବା ଅବିଧେୟ ବୋଧ ହେଉଅଛି ।’

 

ଚନ୍ଦ୍ରମୋହନ ସ୍ୱଭାବତଃ ଜଣେ କବି ଥିବାରୁ ସଂସ୍କୃତ ଶ୍ଳୋକଗୁଡ଼ିକ ଅନୁବାଦ କାଳରେ ଓଡ଼ିଆ ପଦ୍ୟରେ ସେଗୁଡ଼ିକ ରୂପାୟିତ କରିଅଛନ୍ତି । ଯେଉଁ ଶ୍ଳୋକଗୁଡ଼ିକ ଶିଶୁ ମନରେ ପ୍ରଭାବ ବିସ୍ତାର କରିବ ଏବଂ ନୀତିବୋଧ ସଂଚାର କରିପାରିବ, ସେ ସେହିପରି ଶ୍ଳୋକଗୁଡ଼ିକ କେବଳ ନିର୍ବାଚନ କରିଥିବା ଜଣାଯାଏ ।

 

ଆଲୋଚ୍ୟ ପ୍ରସଙ୍ଗର ଶ୍ଳୋକାନୁବାଦର ଓଡ଼ିଆ ପଦ୍ୟରୂପ ତୁଳନା କରାଯାଇପାରେ ।

 

“ଦରିଦ୍ରାନ୍ ଭର କୌନ୍ତେୟ ! ମା ପ୍ରଯଚ୍ଛେସ୍ୱରେ ଧନମ୍‌

ବ୍ୟାଧିତଶୌଷଧଂ ପଥ୍ୟଂ ନୀରଜସ୍ୟ କିମୌଷଧୌଃ ।”

“ଧନୀକୁ ନ ଦିଅ ଧନ ଦରିଦ୍ରେ ବିତର

ଔଷଧ ରୋଗୀର ଲୋଡ଼ା ନୁହେଁ ନୀରୋଗର ।”

“ନ ଧର୍ମ୍ମଶାସ୍ତ୍ରଂ ପଠତୀତି କାରଣଂ

ନ ଚାପି ବେଦାଧ୍ୟୟନଂ ଦୁରାତ୍ମନଃ

ସ୍ୱଭାବ ଏବାତ୍ର ତଥାତିରିଚ୍ୟତେ

ଯଥା ପ୍ରବୃତ୍ୟା ମଧୁରଂ ଗବାଂ ପୟଃ ।”

“ଯେତେ ଶାସ୍ତ୍ର ଯେତେ ବେଦ ଅଧ୍ୟୟନ କଲେ

ସ୍ୱଭାବ ପ୍ରାଣୀଙ୍କୁ କେଭେଁ ନ ଛଡ଼ଇ ଭଲେ ।

ସର୍ବଜ୍ଞାନ ଅତିକ୍ରମି ସେହୁ ଊର୍ଦ୍ଧ୍ୱେ ବସେ

ସୁକ୍ଷେତ୍ରଜ ନିମ୍ବଫଳ ତିକ୍ତ ଯଥା ରସେ ।”

 

ମୂଳ ଶ୍ଳୋକଟିକୁ ଅଧିକ ବୋଧ୍ୟ କରିବା ପାଇଁ ଏବଂ ବାଳକମାନଙ୍କ ମନରେ ଭାବଟିର ରେଖାପାତ ପାଇଁ ଲେଖକ ସଚେତନ ହୋଇଛନ୍ତି । ତେଣୁ ତହିଁରେ ଲିମ୍ବଫଳର ତିକ୍ତଭାବ ସମ୍ପର୍କରେ ସୂଚନା ନ ଥିଲେ ମଧ୍ୟ ଏହି ଉପମା ଜରିଆରେ ଉଦ୍ଦିଷ୍ଟ ଭାବଟି ଅଧିକ ପ୍ରାଞ୍ଜଳ ହୋଇପାରିଅଛି ।

 

“ମୃଗ-କାକ-ଶୃଗାଳ କଥା” ନାମକ ଏକ ଉପାଖ୍ୟାନ ଆଲୋଚନା କରାଯାଇପାରେ । ମୂଳ ସଂସ୍କୃତର ଗୋଟିଏ ପରିଚ୍ଛେଦ ହେଲା–

 

ଅସ୍ତି ମଗଧ ଦେଶେ ଚମ୍ପକବତୀ ନାମାରଣ୍ୟାନୀ, ତସ୍ୟାଂ ଚିରନ୍ନହତା ସ୍ନେହେନ ମୃଗକାକୌ ନିବସତଃ; ସ ଚ ମୃଗଃ ସ୍ୱେଚ୍ଛୟା ଭ୍ରାମ୍ୟନ୍ ହୃଷ୍ଟପୃଷ୍ଟାଙ୍ଗଃ କେନଚିତ୍ ଶୃଗାଳେନାବଲୋକିତଃ । ତଂ ଦୃଷ୍ଟ୍ୱା । ଶୃଗୋଳଽଚିନ୍ତୟତ୍‌- “ଆଃ କଥମେତନ୍ମାଂସଂ ସୁଲଳିତଂ ଭକ୍ଷୟାମି ? ଭବତୁ ବିଶ୍ୱାସଂ ତାବଦୁତ୍ ପାଦୟାମି ।” ଇତ୍ୟାଲୋଚ୍ୟ ଉପଶୃତ୍ୟାବ୍ରବୀତ୍‌– ‘ମିତ୍ର! କୁଶଳଂ ତେ? ମୃଗେଣୋକ୍ତଂ ‘କସ୍ତ୍ୱମ୍‌’ ।

 

‘କଥାବଳୀ’ରେ ଓଡ଼ିଆ ଅନୁବାଦ ହେଲା

 

ମଗଧ ଦେଶରେ ଚମ୍ପକାବତୀ ନାମରେ ଅରଣ୍ୟସ୍ଥଳୀ ଥିଲା । ସେହି ଅରଣ୍ୟରେ ପରସ୍ପର ସ୍ନେହରେ ଆବଦ୍ଧ ହୋଇ ଗୋଟିଏ ମୃଗ ଓ ଗୋଟିଏ କାକ ବହୁକାଳରୁ ବାସ କରୁଥିଲେ । ବ୍ୟାଘ୍ର ପ୍ରଭୃତି ଦୁଷ୍ଟ ଜୀବର ଆଗମନ ଦେଖିଲେ କାକ କା କା ରବ କରି ମୃଗକୁ ସାବଧାନ କରି ଦେଉଥିଲା । ମୃଗ ନିଶ୍ଚିନ୍ତ ମନରେ ଭ୍ରମଣ କରି ପୁଷ୍ଟାଙ୍ଗ ହେଲା । ଏକଦା ଗୋଟିଏ ଶୃଗାଳ ତାହାକୁ ଲୋଭାସକ୍ତ ହୋଇ ମନେ ମନେ ଭାବିଲା ‘ଏହାର କୋମଳ ମାଂସ କି ଉପାୟରେ ଭକ୍ଷଣ କରିବି ? ଆଚ୍ଛା, ପ୍ରଥମେ ବିଶ୍ୱାସ ଜନ୍ମାଇ ଦେଖେଁ ।’ ମନେ ମନେ ଏହିପରି ଆଲୋଚନା କରି ସେ ମୃଗକୁ କହିଲା, ‘ମିତ୍ର ତୁମର କୁଶଳତ ? ମୃଗ ପଚାରିଲା ‘ତୁମେ କିଏ ?’

 

ସେହି ବିଷୟର କେତୋଟି ଶ୍ଳୋକାନୁବାଦ ମଧ୍ୟ ଏଠାରେ ଉଲ୍ଲେ‌ଖଯୋଗ୍ୟ ।

 

“ଅଜ୍ଞାତ କୁଶଳୀଳସ୍ୟ ବାସୋ ଦେୟୋନ କଶ୍ୟଚିତ୍‌

ମାର୍ଜାରସ୍ୟ ହି ଦୋଷେଣ ହତୋ ଗୃଧ୍ରୋ ଜରଦ୍‌ଗବଃ ।”

 

ଓଡ଼ିଆ ରୂପାନ୍ତର ହେଲା–

 

“କୁଳଶୀଳ ଯାର ଜଣାନାହିଁ, ତାକୁ

 

ବାସଦେବା ଅବିହିତ,

ମାର୍ଜ୍ଜାର ଦୋଷରେ ଜରଦ୍‌ଗବ ଗୃଧ୍ର

 

ବଧ କି ନୁହ ବିଦିତ ।”

 

“ଉତ୍‌ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ

ରାଜଦ୍ୱାରେ ଶ୍ମଶାନେ ଚ ଯସ୍ତିଷ୍ଠତି ସ ବାନ୍ଧବଃ ।”

 

ଓଡ଼ିଆ ଅନୁବାଦ–

 

“ସମ୍ପଦର ସଙ୍ଗୀ,ପୁଣି ସହାୟତା କରେ

ବିପଦରେ ଯେହୁ,ସେହି ଗଣା ବାନ୍ଧବରେ ।”

 

କଥାବଳୀ ଏକ କ୍ଷୁଦ୍ର ପାଠ୍ୟପୁସ୍ତକ । ଏଥିରେ ଚପଳମତି ବାଳକ ବାଳିକାମାନଙ୍କ ଉଦ୍ଦେଶ୍ୟରେ ଦେଶୀ ଓ ବିଦେଶୀ ଆଖୟିକାଗୁଡ଼ିଏ ସ୍ଥାନ ଲାଭ କରିଥିଲା । ବିଷୟ ନିର୍ବାଚନରେ ଲେଖକ ଶିଶୁମନୋବିଜ୍ଞାନ ପ୍ରତି ଅଧିକ ଦୃଷ୍ଟି ପ୍ରଦାନ କରିଅଛନ୍ତି । ବେଳେ ବେଳେ ତା’ର କୌତୁହଳ ଚରିତାର୍ଥ ହେଲାଭଳି ପ୍ରସଙ୍ଗର ଅବତାରଣା କରାଯାଇଛି । ତେବେ ମଧ୍ୟେ ମଧ୍ୟେ ପାଠ୍ୟ ଉଦ୍ଦେଶ୍ୟରେ ଯେଉଁ କବିତାଗୁଡ଼ିକ ଗ୍ରଥିତ ହୋଇଅଛି, ସେଗୁଡ଼ିକ ଆଲୋଚନା କଲେ ବିସ୍ମିତ ହେବାକୁ ପଡ଼େ । ସେ କାଳରେ ଶିକ୍ଷାୟତନରେ କବିତା ପାଠଗୁଡ଼ିକ ଆବୃତ୍ତି କରିବା ପାଇଁ କିମ୍ବା ସ୍ୱର ଧରି ବୋଲିବା ପାଇଁ ଦିଆଯାଉଥିଲା । ପିଲାଏ କବିତାଟି ମନେରଖି ସାରିଲା ପରେ ତା’ର ଅର୍ଥ ବୁଝି ଉପଭୋଗ କରୁଥିଲେ । ସେଥିପାଇଁ ଚନ୍ଦ୍ରମୋହନ ‘କଥାବଳୀ’ରେ ପ୍ରଦତ୍ତ କବିତାଗୁଡ଼ିକୁ ବିଭିନ୍ନ ରାଗରେ ରଚନା କରି ଅଛନ୍ତି । ଯେପରି ଗ୍ରୀଷ୍ମ କବିତାଟି ମଙ୍ଗଳ ରାଗରେ, ବର୍ଷା ପଦଟି ଆଷଢ଼ ଶୁକ୍ଳ ରାଗରେ ଲିଖିତ ହୋଇଅଛି । ଅନ୍ୟାନ୍ୟର ପରିଚୟ ଏହିପରି: ଶରତ-ରାମକେରି, ହେମନ୍ତ-କଳହଂସ କେଦାର- ଶିଶିର-କଲ୍ୟାଣ ଆହାରୀ, ବସନ୍ତ-ବଙ୍ଗଳା ଶ୍ରୀ, ଇତ୍ୟାଦି ।

 

ଶିଶୁ ପ୍ରାଣରେ ଐଶୀ ଭାବନା ଜାଗରଣ ପାଇଁ ଲେଖକପଦେ ପଦେ ଚେଷ୍ଟିତ ହୋଇଛନ୍ତି । ବିଶ୍ୱର ବିଶାଳତା ଏବଂ ମହାନ୍‍ତା ସଂଦର୍ଶନ କରି କବି ଅନୁଭବ କରିଛନ୍ତି ସତେ ଅବା ତାହାରି ମଧ୍ୟରେ ଅନନ୍ତ ଶକ୍ତି ରାଜପଣ କରୁଅଛି । ସେହି ପରମ ଈଶ୍ୱର ସର୍ବତ୍ର ବିଦ୍ୟମାନ ଅଛନ୍ତି । ତାଙ୍କର ମହିମା ଉପଲବ୍‍ଧି କରି ସେ ପରମ ସନ୍ତୋଷ ଲାଭ କରି ଅଛନ୍ତି । ‘ମହିମା’ ଶୀର୍ଷକ କବିତାରେ କବି ତେଣୁ ଲେଖିଛନ୍ତି–

 

“ଚୌଦିଗେ ବିରାଜେ ବିଶ୍ୱ ରଞ୍ଜିତ ଶୋଭାରେ

ସୁବିଶାଳ କଳେବର ଦୀପ୍ତ ମହିମାରେ ।

ଶୋଭା ମହିମାକୁ ନେତ୍ରେ କଲେ ନିରୀକ୍ଷଣ

ବିସ୍ମୟେ ସ୍ତବଧ ହୁଏ ଏହି ଅକିଞ୍ଚନ ।

ତୋହ କୃତି ଏହି ବିଶ୍ୱ ଏଡ଼େ ମହୀୟାନ

ହେ ବିଶ୍ୱ ବିନ୍ଧାଣି! ନୋହୁ ତୁ କେଡ଼େ ମହାନ୍‍ ।”

 

‘କଥାବଳୀ’ରେ ଶିଶୁ ପାଠ ଉପଯୋଗୀ ଯେଉଁ କବିତା ସ୍ଥାନ ଲାଭ କରିଅଛି ସେଗୁଡ଼ିକ ମଧ୍ୟରେ କେତୋଟି କଥା-କବିତା ହେଲେହେଁ ଅଧିକାଂଶ କବିତାରେ ପ୍ରକୃତିର ଚିତ୍ର ସ୍ଥାନ ଲାଭ କରିଅଛି । ବିଶେଷତଃ ଭକ୍ତିକବି ମଧୁସୂଦନ ରାଓଙ୍କ ପରି ସେ ମଧ୍ୟ ଛଅ ଋତୁର ବର୍ଣ୍ଣନା କରିଅଛନ୍ତି । ମନେହୁଏ, କବି ଚନ୍ଦ୍ରମୋହନ ମଧୁସୂଦନ ରାଓଙ୍କଦ୍ୱାରା ସ୍ଥାନେ ସ୍ଥାନେ ପ୍ରଭାବିତ ହୋଇଅଛନ୍ତି । ହେଲେହେଁ ପ୍ରକୃତି ବର୍ଣ୍ଣନା କରି ସନ୍ତୁଷ୍ଟ ହୋଇଥିଲା ବେଳେ ଚନ୍ଦ୍ରମୋହନ ଉପମା ବିଳାସ ଜରିଆରେ ତାହାକୁ ଅଧିକ ଭାବବ୍ୟଞ୍ଜକ କରିଥିବା ମନେହୁଏ । ବେଳେବେଳ କବି ଦାର୍ଶନିକ ଅନୁଚିନ୍ତାରେ ଅନୁପ୍ରାଣିତ ହୋଇପଡ଼ିଛନ୍ତି । ଏଠାରେ କେତୋଗୋଟି ଋତୁଚିତ୍ରର ତୁଳନାତ୍ମକ ବିଚାର କରାଯାଇପାରେ । ଭକ୍ତକବି ‘ଶିଶିର’ କବିତାରେ ଶେଷଭାଗରେ ପରମପିତାଙ୍କୁ ସ୍ମରଣ କରି କୃତକୃତ୍ୟ ହୋଇଅଛନ୍ତି ।

“ଶୀତ ଅନ୍ତେ ପୁଣି ଆସିବ ମଧୁମୟ ବସନ୍ତ

ଧନ୍ୟ ଧନ୍ୟ ବିଶ୍ୱକାରଣ ତୋର ଦୟା ଅନନ୍ତ ।”

 

ଚନ୍ଦ୍ରମୋହନ ମଧ୍ୟ ସ୍ଥାନେ ସ୍ଥାନେ ଈଶ୍ୱରଙ୍କର ମହିମାଗାନ କରିବା ପାଇଁ ଭୁଲି ନାହାଁନ୍ତି । ସେ ‘ବସନ୍ତ’ ଋତୁର ବର୍ଣ୍ଣନା କରିସାରି କହିଛନ୍ତି–

 

“ବାଳକ ବାଳିକା!

କୁସୁମ ମାଳିକା

ତୁମ୍ଭମାନେ ମାନବରେ

ଯେ ଧାତା ରଚିଲେ

ଏ କୁସୁମ କାଳେ

ନମ ତାଙ୍କ ଶ୍ରୀ ପୟରେ ।”

 

ମଧୁସୂଦନଙ୍କ କବିତାରେ ଋତୁଚିତ୍ରର ବିଚିତ୍ର ବିଭୂତି ରହିଥିଲେହେଁ ଚନ୍ଦ୍ରମୋହନ ତାହାର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଉଦ୍‌ଘାଟନରେ ଅଧିକ ସଫଳକାମ ହୋଇଛନ୍ତି । ଚନ୍ଦ୍ରମୋହନଙ୍କର ବର୍ଣ୍ଣନା ଅଳଙ୍କୃତ ଏବଂ ଉପଭୋଗ୍ୟ । ମଧୁସୂଦନ ‘ଶିଶିର’ ଋତୁର ବର୍ଣ୍ଣନା କାଳରେ ଲେଖିଛନ୍ତି–

 

“ରଜନୀରେ ତାର ଚନ୍ଦ୍ରମା ପାଣ୍ଡୁବର୍ଣ୍ଣ ଦିଶିଲେ,

ଘୋଟିଲା କୁହୁଡ଼ି ଚୌଦିଗେ ଗ୍ରାମ କାନନ ବିଲେ ।”

 

ସେହି ପ୍ରସଙ୍ଗଟିକୁ ଚନ୍ଦ୍ରମୋହନ କିପରି ବର୍ଣ୍ଣିଳ ଏବଂ ଉପମାଗର୍ଭିତ କରିଅଛନ୍ତି, ତାହା ପାଠ କଲେ ଅନୁଭବ କରାଯାଇ ପାରିବ ।

 

‘କଥାବଳୀ’ରେ ଅଛି –

 

“ଶିଶିରେ ଦିବସ ହେଲା ଅତି କୁଶ

ଅତି ବଡ଼ ନିଶା ହୋଇଲା

ଗୋଧୂଳି ନୋହୁଣୁ

କୋଟି ହିମରେଣୁ

ଧରଣୀରୁ ତାପ ହରିଲେ

ନିଶାରେ

ଅଜସ୍ର ତୁଷାର ବର୍ଷିଲା

ଧଳା ଭସ୍ମବୋଳା

ତପସ୍ୱୀ ମହିଳା

ପରାଏ ଯାମିନୀ ଦିଶିଲା ।”

 

ଚନ୍ଦ୍ରମୋହନ ‘ଶିଶିର’ କବିତା ଲେଖିଲାବେଳେ ହୁଏତ ରାଧାନାଥ ରାୟଙ୍କର ଚିଲିକାର ଶରତ କାଳର ବର୍ଣ୍ଣନା ସ୍ମରଣ କରିଥିବେ । ଚନ୍ଦ୍ରମୋହନ ଲେଖିଛନ୍ତି–

 

“ଏ କାଳେ ଚିଲିକା

ଶୋଭା ମଞ୍ଜୁଷିକା

ନାନା ଜାତି ଜଳ ବିହଙ୍ଗ

କାହୁଁ କାହୁଁ ଆସି

ଜୀବିକା ଲାଳସୀ

ମଣ୍ଡନ୍ତି ଚିଲିକା ଶ୍ରୀଅଙ୍ଗ ।

ଧରାରେ

ପଟାନ୍ତର କାହିଁ ତାହାର

ପକ୍ଷୀ ଶତ ଶତ

କରନ୍ତି ନିୟତ

କି ରଙ୍ଗେ ଆହାର ବିହାର ।”

 

‘ହେମନ୍ତ ଋତୁ’ର ବର୍ଣ୍ଣନାରେ ଭକ୍ତି କବି ଉତ୍କଳର କୃଷକ କୁଳର ଆନନ୍ଦ ବିଷୟ ଉତ୍‌ଥାପନ କରିଛନ୍ତି । ଏହି ଋତୁରେ ଏ ଦେଶର କୃଷକ ପୁଅ ଶସ୍ୟ ଅମଳ କରି ଘରକୁ ବୋହିନିଏ । ପ୍ରାଣପ୍ରାଚୁର୍ଯ୍ୟରେ ସେ ଅଭିଭୂତ ହୋଇପଡ଼େ । ତାହାର ବର୍ଷକର ପରିଶ୍ରମର ସାର୍ଥକତା ପାଇଁ ସେ ବିଭୁପଦରେ ପ୍ରଣାମ ଢାଳିଦିଏ । ଭକ୍ତକବି ‘ହେମନ୍ତ’ କବିତାରେ ଲେଖିଛନ୍ତି–

 

“ପକ୍ୱଶାଳି ପୂର୍ଣ୍ଣ କେଦାର ଦେଖି କୃଷକ ଗଣେ

ଗୀତ ଗାଇ ଶସ୍ୟ କାଟନ୍ତି ଅତି ପ୍ରଫୁଲ୍ଲ ମନେ

ଖଳା କରି ଗ୍ରାମ ସୀମାରେ ଧାନ ଅମଳ କରି

ଗୃହକୁ ନିଅନ୍ତି ଆନନ୍ଦେ ବିଭୁ ଦୟା ସୁମରି ।”

 

ଚନ୍ଦ୍ରମୋହନ ‘ହେମନ୍ତ’ ଋତୁର ବର୍ଣ୍ଣନା କଲାବେଳେ କେବଳ କୃଷିକ୍ଷେତ୍ରର ଶୋଭା ବର୍ଣ୍ଣନା କରି ସନ୍ତୁଷ୍ଟ ରହିନାହାଁନ୍ତି, ସେ ଅନୁଭବ କରିଛନ୍ତି ସତେ ଯେପରି ଚତୁର୍ଦ୍ଦିଗରେ ଅମୃତ ବାରି ବର୍ଷିତ ହୋଇଯାଇଅଛି । ଏତେକାଳ ପରେ କୃଷକର ସାଧନା ସାଫଲ୍ୟ ମଣ୍ଡିତ ହୋଇଅଛି । ପାଖରେ ଧନ କିମ୍ବା ଧାନ ଥିଲେ କୃଷକର କଳ୍ପନାରେ ଡେଣା ଲାଗିଥାଏ । ଏହି ଭାବଟି ଅତ୍ୟନ୍ତ ରସୋତ୍ତୀର୍ଣ୍ଣ ଭାବରେ ରୂପାୟିତ ହୋଇଛି ଚନ୍ଦ୍ରମୋହନଙ୍କ କବିତାରେ–

 

“ନେତ୍ରକୁ କୃଷିକ୍ଷେତ୍ର ମୋହନକାରା

ସ୍ରବିଛି ସ୍ୱର୍ଗୁଁ ଅବା ପୀୟୁଷ ଧାରା ।

କୃଷକ ଶତ ମନୋରଥ ଗଢ଼ଇ

ଧାନ୍ୟ ବା ଧନ ଥିଲେ କି ନ ମିଳଇ ।”

 

ଋତୁଶ୍ରେଷ୍ଠ ବସନ୍ତ ଆସି ଧରାରେ ଉପଗତ ହୋଇଅଛି । ସମସ୍ତ ପୃଥିବୀରେ ସୌନ୍ଦର୍ଯ୍ୟର ଲହଡ଼ି ଖେଳୁଅଛି । ଏପରି ସୌନ୍ଦର୍ଯ୍ୟ ବିଳାସ ମଧ୍ୟରେ କିଏ ଅବା ଆନନ୍ଦିତ ନ ହେବ ! ମଧୁସୂଦନ ରାଓ ‘ବସନ୍ତ’ କବିତାରେ ଲେଖିଛନ୍ତି–

 

“ଆସଇ ବସନ୍ତ ଶିଶିର ଅନ୍ତେ

ଦିଶଇ ଧରଣୀ ଚାରୁ କେମନ୍ତେ

ସୌନ୍ଦର୍ଯ୍ୟ-ତରଙ୍ଗେ ଭାସଇ ମହୀ

ଭୁବନ ଆନନ୍ଦ ନୁହଇ କହି ।”

 

କିନ୍ତୁ ଚନ୍ଦ୍ରମୋହନଙ୍କ କଳ୍ପନା ସୁଦୂର ପ୍ରସାରୀ । ତାଙ୍କର ବସନ୍ତ ଋତୁ କେବଳ ନିଜେ ସୁନ୍ଦର ନୁହେଁ, ସେ ସାରାଜଗତକୁ ନୂତନ ଯୌବନ ଦାନ କରି ଚାଲିଛି । ଯେତେବେଳେ ଶିଶିର ଋତୁ ଧରାକୁ ବାର୍ଦ୍ଧକ୍ୟ ଅର୍ପଣ କଲା ସେତେବେଳେ ପୃଥିବୀର ସର୍ବାଞ୍ଚଳରେ ଅବସାଦର ଢେଉ ଖେଳିଗଲା । ଏତିକିବେଳେ ବସନ୍ତ ଋତୁ ଅମୃତର ଭାଣ୍ଡ ଧରି ଧରା ବକ୍ଷରେ ପ୍ରବେଶ କଲା । ପ୍ରକୃତି ସଂସାର ଯେପରି ନୂତନ ଜୀବନର ପ୍ରାଣସ୍ପନ୍ଦନ ଲାଭ କରି ପୁଲକିତ ହେଲା । ସବୁଠାରେ ଦେଖିବାକୁ ମିଳିଲା ବସନ୍ତର ଶୋଭାହାଟ ଅପୂର୍ବ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ହୋଇଅଛି । ଚନ୍ଦ୍ରମୋହନଙ୍କ ଦୃଷ୍ଟିରେ ସେହି ରୂପବିଭବ ଏହିପରି–

 

‘ପ୍ରଭାତ ପ୍ରଦୋଷ

ରଜନୀ ଦିବସ

ସର୍ବେ ଏବେ ସୁଖକର

ଲାବଣ୍ୟରେ ଝଳି

ପ୍ରକୃତିର ଶିରୀ

ଦିଶେ ଆହା କି ସୁନ୍ଦର ।

 

‘କଥାବଳୀ’ର ‘ଶରତ’ ବର୍ଣ୍ଣନା ଗୀତଟି ଆହୁରି ଚମତ୍କାର । କବି ପ୍ରକୃତିର ବର୍ଣ୍ଣାଢ଼୍ୟ ରୂପଶୋଭାର ଚିତ୍ରଣ କଲାବେଳେ ରାଧାନାଥ ଓ ମଧୁସୂଦନଙ୍କୁ ଆଦୌ ବିସ୍ମୃତ ହୋଇପାରିନାହାଁନ୍ତି । ଶରତକାଳରେ ରଜନୀରେ ଆକାଶରେ ତାରକାରାଜିର ଶୋଭା ଅତ୍ୟନ୍ତ ମନୋହର ବୋଲି ମଧୁସୂଦନ ଲେଖିଛନ୍ତି । ଯେପରି–

 

“ଉଜ୍ଜ୍ୱଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ

ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ ।’

 

ମାତ୍ର ରାଧାନାଥ ସେହି ଅସଂଖ୍ୟ ତାରକାରାଜିର ମଧ୍ୟରେ ଅଗସ୍ତି ତାରା ପ୍ରତି ପାଠକର ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ମତରେ–

 

“ଦକ୍ଷିଣାଶା-ବଧୂ-ଅବତଂସ-ମୋତି

ମହେଜ୍ଜ୍ୱଳ କୁମ୍ଭ-ସମୁଦ୍ଭବ ଜ୍ୟୋତି ।”

 

ଚନ୍ଦ୍ରମୋହନ ସେହି ଭାବନାର ପ୍ରତିଧ୍ୱନିସ୍ୱରୂପ ଲେଖିଛନ୍ତି–

 

“ଦକ୍ଷିଣ ଦିଗର ଲଲାଟେ

 

ମଥାମଣି ପରାଏ

ବିଭାବରୀ କାଳେ ଅଗସ୍ତି

 

ଆହା କି ଶୋଭାପାଏ!”

 

ସେହି ଶରତ କାଳର ଧରଣୀ ସୁନ୍ଦରୀ କାଶତଣ୍ଡୀ ଫୁଲରେ ଧବଳିତ ହୋଇଥାଏ । ରାଧାନାଥଙ୍କ ଭାଷାରେ ‘କାଶ ହାସମୟୀ ସ୍ୱଚ୍ଛ ସ୍ରୋତସ୍ୱତୀ ।’ ମଧୁସୂଦନ ଅଧିକ ପରିଚୟ ପ୍ରଦାନ କରି ବର୍ଣ୍ଣନା କଲେ–

 

“କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ

ସରୋବରେ ଫୁଟିଛନ୍ତି କୁମୁଦ କମଳ ।”

 

ଚନ୍ଦ୍ରମୋହନ ଏକ ଉତପ୍ରେକ୍ଷା ଅଳଙ୍କାର ଜରିଆରେ ସେହି ଦୃଶ୍ୟକୁ ଅଧିକ ରସାଳ ଭାବରେ ଚିତ୍ରଣ କରିପାରିଛନ୍ତି । ସେ ବ୍ୟକ୍ତିତ୍ୱମୟୀ ପ୍ରକୃତି ସୁନ୍ଦରୀର ହର୍ଷ ଓ ବିଷାଦର ଅଭିବ୍ୟକ୍ତି ଦେଇ ପାରିଛନ୍ତି । ଯେପରି–

 

“ନଦୀକୂଳ ପଠା ପାଟରେ

 

କାଶ କୁସୁମ ଶୋଭା

ନିରେଖି ମଣଇ ଧରଣୀ

 

ହସେ ଆହ୍ଲାଦେ ଅବା ।”

 

କବି ରାଧାନାଥଙ୍କର ଚନ୍ଦ୍ରାଲୋକିତ ଶରତକାଳୀନ ରାତ୍ରୀ ହେଉଛି “ଶଶାଙ୍କ ଧବଳା ନିଶା ଜ୍ୟୋତିଷ୍ମତୀ” ଚନ୍ଦ୍ରମୋହନଙ୍କ ଭାଷାରେ–

 

“ପର୍ବତ କାନନ ନଗର

 

ଜନପଦ ପ୍ରାନ୍ତରେ

କଉମୁଦୀ ସୁଧା ଧଉତ

 

ଜନନୟନ ହରେ ।”

 

ମଧୁସୂଦନ ରାଓଙ୍କର ‘ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ଜ୍ୱଳ, ବିରାଜଇ ଦଶଦିଶ କିରଣ ଧବଳ’ ପଦ ସହିତ ସାମ୍ୟ ଥିଲେ ହେଁ ଚନ୍ଦ୍ରମୋହନଙ୍କର ବର୍ଣ୍ଣନା ଅଧିକ ବ୍ୟାପକ । ମଧୁସୂଦନ କହିଅଛନ୍ତି ଯେ ଏହି ଶରତ ସଂଧ୍ୟାରେ ପ୍ରଚୁର ଜହ୍ନିଫୁଲ ଫୁଟେ ଏବଂ ବାଳକମାନେ ତାହା ଚୟନ କରି କ୍ରୀଡ଼ା ରଚନା କରନ୍ତି । କିନ୍ତୁ ଚନ୍ଦ୍ରମୋହନ ଜହ୍ନିଲତାରେ ଜହ୍ନିଫୁଲର ଶୋଭାକୁ ଏକ ଚମତ୍କାର ଉପମା ଜରିଆରେ ପ୍ରକାଶ କରିଅଛନ୍ତି । “ଶ୍ୟାମ ଛାୟାପଥେ କି ଅବା ସ୍ୱର୍ଣ୍ଣ ତାରକା କୋଟି ।” ଏ ବର୍ଣ୍ଣନା ପାଠକଲେ ହୃଦୟ ପ୍ରସାରିତ ଓ ପୁଲକିତ ହୋଇଉଠେ । ମଧୁସୂଦନ କେବଳ ଭୌଗଳିକ ବିବରଣୀ ପ୍ରଦାନ କରି ସନ୍ତୁଷ୍ଟ ଥିଲାବେଳେ ଚନ୍ଦ୍ରମୋହନ କଳ୍ପନା ବିଳାସରେ ପାଠକକୁ ଭାବ ପାଗଳ ହେବା ପାଇଁ ସାହାଯ୍ୟ କରିଅଛନ୍ତି ।

 

ସେହିପରି ‘କଥାବଳୀ’ର ବର୍ଷା ବର୍ଣ୍ଣନା ଅତ୍ୟନ୍ତ ମନଲୋଭା ହୋଇଅଛି । ବର୍ଷାକାଳରେ ନଦୀ ଦୁଇକୂଳ ଲଂଘନ କରି ପ୍ରବଳ ବନ୍ୟା ସୃଷ୍ଟିକରେ, କେତେ ଗାଁ, ବଣବିଲ ଭସାଇ ନିଏ । ମହାଦ୍ରୁମମାନ ଜଳସ୍ରୋତରେ ଟଳିପଡ଼ନ୍ତି । ମାତ୍ର ନଦୀକୁ ବ୍ୟକ୍ତିତ୍ୱମୟୀ ମନେକରି ଚନ୍ଦ୍ରମୋହନ ପ୍ରଶ୍ନ କରିଛନ୍ତି–

 

“କହଲୋ ତଟିନି!

କି ଯଶ ଦୁର୍ବଳେ ପୀଡ଼ୀବା ଜିଣି?”

 

ବର୍ଷାକାଳରେ ଗିରିମାନଙ୍କର ଶୋଭା ଅତ୍ୟନ୍ତ ଆହ୍ଲାଦଦାୟକ । ଶୈଳମାନଙ୍କରୁ ଶୁଭ୍ର ନିର୍ଝର ଝରି ଆସି ଧରଣୀ ବକ୍ଷରେ ନୃତ୍ୟ ରଚନା କରନ୍ତି । ସେହି ଚିତ୍ର ଦେଖି ମଧୁସୂଦନ ଲେଖିଲେ “ମଣ୍ଡିତ ଶୈଳ ଦେହ ଶୁଭ୍ର ନିର୍ଝର ।” ମାତ୍ର ଚନ୍ଦ୍ରମୋହନ ଆହୁରି ପଦେ ଅଗ୍ରସର ହୋଇ କହିଲେ ସତେ ଯେପରି ତଟିନୀ ସୁନ୍ଦରୀ ନୂତନ ଯୌବନ ଅବସ୍ଥାରେ ପଦାର୍ପଣ କରିଅଛି । କାରଣ ସେହି କାଳର ଛନ ଛନ କଳରୋଳ ସ୍ୱଭାବର ଅଧିକାରୀ ହୋଇ ଝରଣାମାନେ ପ୍ରବାହିତ ହେବାକୁ ଲାଗିଲେ ।

 

“ଗିରିଟଙ୍କେ କୋଟି ଝର ଫୁଟିଲା

ତଟିନୀ ଯୌବନେ ପଦ ଅର୍ପିଲା ।”

 

ମଧୁସୂଦନ ଓ ଚନ୍ଦ୍ରମୋହନ ଉଭୟ କବି ‘ଗ୍ରୀଷ୍ମ’ କବିତାରେ ନିଦାଘ କାଳର ଦାରୁଣ ଅବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିଅଛନ୍ତି । ଗ୍ରୀଷ୍ମକାଳରେ ପ୍ରକୃତି ବିପର୍ଯ୍ୟସ୍ତ ହୋଇପଡ଼େ । ପ୍ରଚଣ୍ଡ ରବି କିରଣରେ ପ୍ରାଣୀ ସଂସାର ହନ୍ତସନ୍ତ ହୋଇପଡ଼ନ୍ତି । ଜଳ, ସ୍ଥଳ, ଆକାଶ ଚତୁର୍ଦ୍ଦିଗରେ ତ୍ରାହି ତ୍ରାହି ରବ ଶୁଣିବାକୁ ମିଳେ । ଭକ୍ତକବି ଏହି ଦୁଃଖାନୁଭୂତିର ଚିତ୍ର ପ୍ରଦାନ କରି ସାନ୍ତ୍ୱନାବାଣୀ ଶୁଣାଇଛନ୍ତି–

 

“ନିଦାଘ ସମୟ

ହେଲେ ହେଁ ଦାରୁଣ

ଅଟେ ଜଗତର ମିତ୍ର,

ଜନମାଇ ମେଘ

ସାଧେ ପ୍ରାଣି-ହିତ

ବିଧି ବିଧାନ ବିଚିତ୍ର ।”

 

ଚନ୍ଦ୍ରମୋହନ ମଧ୍ୟ ମଧୁସୂଦନଙ୍କୁ ଅନୁସରଣ କଲାପରି ଶିଶୁମାନଙ୍କୁ ଶିକ୍ଷାଦେବା ଛଳରେ କହିଅଛନ୍ତି–

 

“ଏ ଜଗତେ ସୁଖ, ଦୁଃଖ ଅଛି ସବୁଠାଇଁ

ଉଭୟେ ଅଛନ୍ତି ରଚି ଜଗତର ସାଇଁ ।

ଆପାତରେ ଯହିଁ ଦୁଃଖ, ପରିଣାମେ ସୁଖ

ବାଳକେ! ନୋହିବ କେଭେଁ ଦୁଃଖରେ ବିମୁଖ ।”

ଶୁଣାଯାଏ, ଚନ୍ଦ୍ରମୋହନଙ୍କର ବହୁ ପାଣ୍ଡୁଲିପି ଅଗ୍ନିଗର୍ଭରେ ଲୀନ ହୋଇଗଲା । ତେଣୁ ତାଙ୍କର ସାହିତ୍ୟ ସୃଷ୍ଟିର ସମ୍ୟକ ପରିଚୟ ଲାଭ କରିବାର ସୌଭାଗ୍ୟ ଦେଶବାସୀ ପାଇଲେ ନାହିଁ । ତଥାପି ସେହି ସ୍ୱଳ୍ପ ସୃଷ୍ଟି ସଂସାର ମଧ୍ୟରେ କି ଗଦ୍ୟ, କି ପଦ୍ୟ, କି ଅନୁବାଦ ପ୍ରତ୍ୟେକଟି କ୍ଷେତ୍ରରେ ତାଙ୍କର ଭାବନାର ରସାଳ ଅଭିବ୍ୟକ୍ତି ଅତ୍ୟନ୍ତ ଚମତ୍କାର । ବିଶେଷତଃ ଚନ୍ଦ୍ରମୋହନ ମୁଖ୍ୟତଃ ଜଣେ କବି । ତାଙ୍କର ‘କଥାବଳୀ’ର କବିତାଗୁଡ଼ିକ ପାଠ୍ୟପୁସ୍ତକ ଉଦ୍ଦେଶ୍ୟରେ ରଚିତ ହୋଇଥିଲେହେଁ ପ୍ରତ୍ୟେକଟି କବିତା ରସୋତ୍ତୀର୍ଣ୍ଣ ଏବଂ ଭାବବ୍ୟଞ୍ଜକ । ପ୍ରକୃତିପ୍ରାଣ ଚନ୍ଦ୍ରମୋହନ ରାଧାନାଥ ଯୁଗର ଯେ କୌଣସି କବିଙ୍କ ସହିତ ତୁଳିତ ହୋଇପାରନ୍ତି । ତାଙ୍କର ପ୍ରକୃତି ବର୍ଣ୍ଣନା କେବଳ ଭୂଗୋଳର ଟୀକାଟିପ୍ପଣୀ ନୁହେଁ । ସେଠାରେ ପ୍ରକୃତି ସୁନ୍ଦରୀ ବ୍ୟକ୍ତିତ୍ୱମୟୀ ଏବଂ ଚଳନଶୀଳା । ସେ ବେଳେବେଳେ ବାବଦୁକ ଓ ମୁଖରା । ପୁନଶ୍ଚ ସେହି ପ୍ରକୃତି କେତେବେଳେ ସୁଶୀଳା, କଲ୍ୟାଣମୟୀ ଏବଂ ନିସର୍ଗ ସୁନ୍ଦରୀ ।

 

ପରିତାପର ବିଷୟ ଯେ ଆଲୋଚନା ଅଭାବରେ ଚନ୍ଦ୍ରମୋହନ ମହାରଣା ଆଧୁନିକ କାଳର ପାଠକ ସଂସାରରେ ଏକ ପ୍ରକାର ବିସ୍ମୃତପ୍ରାୟ । ତାଙ୍କର ରଚନାବଳୀ ସଂଗ୍ରହ ଓ ସଂକଳିତ ହୋଇ ପ୍ରଚାରିତ ହେଲେ କବିଙ୍କର କଳାକୃତିର ଉପଯୁକ୍ତ ମୂଲ୍ୟାୟନ ହୋଇପାରିବ ।

-୦-

 

କଥାବଳି କଥା

ବସନ୍ତ କୁମାର ଶତପଥୀ

 

‘ଚିଲିକା ଦର୍ଶନେ’, ‘ବାରବାଟୀ ଦର୍ଶନେ’ ବା ‘ଚେପମେନ୍‌ଙ୍କ ହୋମାର ଦର୍ଶନେ’ ଆଦି କବିତାମାନଙ୍କର କବିବର୍ଗ ଯିମିତି ପ୍ରାକୃତିକ ବିଭବ ବା ଐତିହ୍ୟ ବା ଜ୍ଞାନଭଣ୍ଡାରର ସନ୍ଧାନ ପାଇ ବିହ୍ୱଳିତ ହୋଇଛନ୍ତି କଥାବଳି ଦର୍ଶନେ ମୋର ରୋମାଣ୍ଟିକ୍ ଚେତନା ଉଦବେଳିତ ହୋଇ ମୋତେ ଏକ ୱାଣ୍ଡରଲେଣ୍ଡ ବା ଆନନ୍ଦ ବିସ୍ମୟଭରା ଦୁନିଆଁକୁ ଟାଣି ନେଇଯାଏ । ସେ ଦୁନିଆଁ ମୋର ପିଲାଦିନର ଦୁନିଆଁ, ଯେତେବେଳେ ଆମ ମୁଷ୍ଟିମେୟ ପିଲା ଗାଁର ଅପର ପ୍ରାଇମେରୀ ସ୍କୁଲରେ କେତେ ଖଣ୍ଡି ବେଞ୍ଚରେ ଛୋଟ ଛୋଟ ଗୋଡ଼ ହଲାଇ ହଲାଇ ପାଟିକରି କବିତା ବା ପ୍ରବନ୍ଧ ସମସ୍ୱରରେ ପାଠ କରୁଥିଲୁଁ, ଛାଇ କନିଅର ଗଛ ପର୍ଯ୍ୟନ୍ତ ଆସିବା ପାଇଁ ବା ଜହ୍ନିଫୁଲ ଫୁଟିବା ପର୍ଯ୍ୟନ୍ତ ଅପେକ୍ଷା କରି । ଚନ୍ଦ୍ରମୋହନ ମହାରଣାଙ୍କ କୃତ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ କଥାବଳି ଦୁଇଖଣ୍ଡ ହଠାତ ପାଇ ମୋତେ ଜଣାଗଲା ଦରିଦ୍ର ଯେମିତି ବହୁଦିନର ହଜିଲା ରତ୍ମ ପାଇଲା, ହୃଦୟ ଆନନ୍ଦରେ ଯୁଗପତ୍ ଅଧୀର ଉଦବେଳ ହେଲା ଏବଂ ବାଲ୍ୟସ୍ମୃତି ସବୁ ଜାଗରୁକ ହୋଇ ଉଠିଲେ ।

 

ଏ ଦୁଇଖଣ୍ଡ ବହି ସହିତ ପ୍ରାୟ ଷାଠିଏ ବର୍ଷ ତଳ ମୋର ପରିଚୟ ହୋଇଥିଲା ଏବଂ ଦୁହେଁ ଏତେ ନିଗୂଢ଼ ସ୍ମୃତିଗତ ହୋଇ ଯାଇଥିଲେ ଯେ ମୋତେ ପ୍ରାୟ ଦୁଇଦିନ ଲାଗିଲା ଠିକଣା କରିବା ପାଇଁ ଏମାନଙ୍କ ସହିତ ମୋର ସମ୍ପର୍କ ପ୍ରତ୍ୟକ୍ଷ ନା ପରୋକ୍ଷ ହୋଇଥିଲା । କେତେବେଳେ ଭାବିଲି ମୁଁ ପାଠ୍ୟ ଆକାରରେ ପଢ଼ିଛି ଆଉ କେତେବେଳେ ଜଣାଗଲା ମୁଁ ଅନ୍ୟମାନଙ୍କଠାରୁ ଶୁଣି ଶୁଣି ପଢ଼ିଛି । ଏକା କଠୋରୀରେ ଏକାବେଳକେ କଥାବଳି ଓ ସାହିତ୍ୟ କୁସୁମ ପଢ଼ାଯାଉଥାଏ; କାରଣ ଗୋଟାଏ ବହି ଯିବା ଓ ଆଉ ଗୋଟିଏ ବହି ଆସିବାର ସନ୍ଧିକାଳ ତାହା ଅର୍ଥାତ୍ ଉପର କ୍ଳାସ ପିଲା କଥାବଳି ପଡ଼ୁଥାନ୍ତି ଆମେ ମଧୁବାବୁଙ୍କ ସାହିତ୍ୟ କୁସୁମ ପଢ଼ୁଥାଉଁ । ଏବେ ମୋର ସ୍ପଷ୍ଟ ମନେପଡ଼ିଲା ମୁଁ ସାହିତ୍ୟ କୁସୁମ ଓ ସାହିତ୍ୟ ପ୍ରସଙ୍ଗର ଛାତ୍ର; କଥାବଳିର ନୁହେଁ । କିନ୍ତୁ ଆଶ୍ଚର୍ଯ୍ୟର କଥା, କଥାବଳିର କଥା ଓ କବିତା ମୋ ଛାତି ପ୍ରଭାବିତ କଲେ ? ଲେଖାଗୁଡ଼ିକର ଆଙ୍ଗିକ ଓ ଆତ୍ମିକର କଣ ସ୍ୱାତନ୍ତ୍ର‌୍ୟ ଥିଲା ଯାହା ଫଳରେ ବେଦ ପରି ଶ୍ରୁତିମୂଳକ ହୋଇପାରିଲେ ? ଆଜିଯାଏଁ ରାଶି ରାଶି ପଂକ୍ତି ଓ ପଦ ମୋର ମନେରହିଛି କେମିତି ? ପୂର୍ବକାଳର ପାଠ ପ୍ରତି ଶ୍ରଦ୍ଧା ଓ ଆଗ୍ରହ, ନା ସ୍କୁଲ ପରିବେଶ ଓ ବାୟୁମଣ୍ଡଳ, ନା ଶିକ୍ଷକମାନଙ୍କର ନିଷ୍ଠା ଓ ପାରଗତା ଓ ପଢ଼ାଇବାର ଯାଦୁକରୀ ଶକ୍ତି, ନା ମୋର ସ୍ୱକୀୟ ଜନ୍ମଗତ ସାହିତ୍ୟ ପ୍ରୀତି, ନା ମୋର ଅସାମାନ୍ୟ ସ୍ମରଣ ଶକ୍ତି ? ତୁଳନା ନ କରିବା ଭଲ କିନ୍ତୁ ସାହିତ୍ୟ କୁସୁମ ଓ ସାହିତ୍ୟ ପ୍ରସଙ୍ଗରୁ ଯେତେ ମନେ ନ ପଡ଼ୁଛି ତା’ଠୁ ବେଶୀ ମନେପଡ଼ୁଛି ମହାରଣାଙ୍କ କଥାବଳିରୁ; ଅଥଚ ଏ ଦୁଇଟି ବହି ମୁଁ ପାଠ୍ୟ ଆକାରରେ କେବେ ଧରିନି, କେବଳ ଉପରକ୍ଳାସ ପିଲାଙ୍କ ମୁହଁରୁ ଶୁଣି ଶୁଣି ମନେରଖିଛି । ମଧୁସୂଦନ ଚନ୍ଦ୍ରମୋହନଙ୍କ ପରେ ଶିଶୁ ପାଠ୍ୟ କ୍ଷେତ୍ରକୁ ଆସିଲେ କାଳିନ୍ଦିଚରଣ ଓ ରାମକୃଷ୍ଣ, ଯେଉଁ ଦୁଇଜଣଙ୍କୁ ମୁଁ ଜାଣିଲି ପୁତ୍ର କନ୍ୟାଙ୍କ ପାଠ୍ୟ ଜରିଆରେ । ମୋର ବଦ୍ଧମୂଳ ଧାରଣା ଯେ ସ୍ୱାଧୀନୋତ୍ତର ଯୁଗର ଶିଶୁ ସାହିତ୍ୟ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୃଷ୍ଟି ଭିତରେ ଗୋଟିଏ ବିରାଟ ବ୍ୟବଧାନ ରହିଯାଇଛି ଯାହା ଫଳରେ ବିଂଶ ଶତାବ୍ଦୀର ଦ୍ୱୀତୟ ଭାଗରେ ଆମେ ‘ବଡ଼ଲୋକ’ ପାଇପାରୁନୁ ।

 

ମୋ ଆଗରେ ଦୁଇଖଣ୍ଡ ବହି ଥୁଆ ହୋଇଛି । ଉଭୟ ବହି ପ୍ରଚ୍ଛଦ ପଟରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି, (କି ଛବି !) । ଆଠପେଜି ସାଇଜ୍ । ପ୍ରଥମ ଭାଗଟି ‘ପ୍ରଥମ ଓ ଦ୍ୱିତୀୟ ମାନ ନିମନ୍ତେ’ ଓ ଦ୍ୱିତୀୟ ଭାଗଟି ‘ତୃତୀୟ ଓ ଚତୁର୍ଥମାନ ନିମନ୍ତେ’ । ମଧୁବାବୁଙ୍କ ଦୁଇବର୍ଷର ପାଠ ବର୍ଣ୍ଣବୋଧ ଓ ଶିଶୁବୋଧ ପରେ କ୍ରମାନ୍ୱୟରେ ଏ ଦିଖଣ୍ଡ ବହି ମାଇନର କ୍ଳାସ ପର୍ଯ୍ୟନ୍ତ ପଢ଼ା ଯାଉଥିଲା । ମୋର ଧାରଣା ଥିଲା ବହି ଦୁଇଟି ଚନ୍ଦ୍ରମୋହନ ମହାରଣାଙ୍କ କୃତ । ଆଜି କିନ୍ତୁ ଦେଖୁଛି “ଇ ମାର୍ସଡେନ୍ ଏବଂ ଶ୍ରୀ ଚନ୍ଦ୍ରମୋହନ ମହାରାଣାଙ୍କ କୃତ” ଅର୍ଥାତ୍ ଯୁଗ୍ମ ଲେଖକ ରଚିତ ଏବଂ “ମ୍ୟାକ୍‌ମିଲାନ୍ ଆଣ୍ଡ କୋ ଲିମିଟେଡ୍ ମୁଦ୍ରିତ” “ବିହାର ଓ ଓଡ଼ିଶା ସ୍କୁଲମାନଙ୍କ ବ୍ୟବହାର ନିମନ୍ତେ ।” ୧୯୨୨ ଓ ୧୯୨୩ ସାଲର ମୁଦ୍ରଣ । ମୁଦ୍ରାକର S.P. Robinson ଏବଂ Rev. R.J.ଓଡ଼ିଶା ମିସନ ପ୍ରେସ । ମୂଲ୍ୟ ସାତଅଣା ଓ ଆଠଅଣା । ନିର୍ଭୁଲ ମୁଦ୍ରଣ, କାହିଁ ଭୁଲ ନାହିଁ, ପ୍ରଥମଚ୍ଛେଦ, ଦ୍ୱିତୀୟଚ୍ଛେଦ ଓ ପୂର୍ଣ୍ଣଚ୍ଛେଦ ଠିକ ଉଠିଛି । କାହିଁ ଅକ୍ଷର ଭଙ୍ଗା ନାହିଁ । ବର୍ତ୍ତମାନ ଅବସ୍ଥାରେ ବହିଟି ଏମିତି ଜରାଜୀର୍ଣ୍ଣ ଯେ ଯଥେଷ୍ଟ ସତର୍କତା ସତ୍ତ୍ୱେ ଅଙ୍ଗପ୍ରତ୍ୟଙ୍ଗ ଟୁକୁରା ଟୁକୁରା ହୋଇ ଛିଣ୍ଡି ପଡ଼ୁଛି ।

 

ବର୍ତ୍ତମାନ ମୋ ଆଗରେ ପ୍ରଶ୍ନ “ଇ ମାର୍ସଡେନ୍‌ଟି କିଏ ? ଏ ସାହାବ କିମିତି ମହାରଣାଙ୍କ ସହିତ ଯୋଡ଼ି ହେଲେ? ତାଙ୍କର ବା କି ଭୂମିକା ଥିଲା କଥାବଳି ଲେଖିବାରେ, ସେ କ’ଣ ଓଡ଼ିଆ ଜାଣିଥିଲେ ବୀମ୍‌ସ ସାହାବଙ୍କ ପରି?” ପୁଣି ଆଉ ଏକ ପ୍ରଶ୍ନ ହେଲା ସୂଚୀପତ୍ରରେ ପ୍ରତ୍ୟେକ ବିଷୟକୁ ଉଭୟ ଓଡ଼ିଆ ଓ ଇଂରାଜୀରେ ଦିଆଯାଇଛି ଯଥା :– ଅଳସୁଆ ବାଳକ The Idel Boy; ବଣିକ ଓ ମର୍କଟମାନଙ୍କର କଥା: The Trader and The Monkeys ପିଲାଏ ବା ଶିକ୍ଷକଙ୍କୁ ତ ଇଂରାଜୀ ଜଣାନଥିଲା ଅଥଚ ସୂଚୀପତ୍ରର ଇଂରାଜୀ ତର୍ଜମା କାହା ପାଇଁ ? (ଡକ୍ଟର ନଟବର ସାମନ୍ତରାୟ ଏହାର ଉତ୍ତର ଦେଇପାରନ୍ତେ । ଏ ପ୍ରସଙ୍ଗରେ ତାଙ୍କୁ ମନେପଡ଼ୁଛି ତାଙ୍କର ମଧୁବାବୁଙ୍କ ବର୍ଣ୍ଣବୋଧ ଉପରେ ଅନବଦ୍ୟ ଓ ଅନିନ୍ଦ୍ୟ ନିବନ୍ଧ ପାଇଁ ।) ମୁଁ ଭାବୁଛି ମାର୍ସଡେନ ସାହେବ ଉପରିସ୍ଥ କର୍ମଚାରୀ ଥିଲେ, ସେ ହୁଏତ କେତୁଟା ବିଦେଶୀ ଗଳ୍ପର ସୂଚନା ଚନ୍ଦ୍ରମୋହନଙ୍କୁ ଦେଇଥିବେ ଏବଂ ତାଙ୍କ ଅବଗତି ପାଇଁ ସୂଚୀପତ୍ରରେ ଇଂରାଜୀ ବ୍ୟବହାର; ଯେହେତୁ ତାଙ୍କୁ ଓଡ଼ିଆ ଆଦୌ ଜଣାନଥିଲା ।
 

ପ୍ରଥମ ବହିଟିରେ ୧୧୪ ପୃଷ୍ଠା; ଦ୍ୱିତୀୟରେ ୧୪୭ ପୃଷ୍ଠା । ପ୍ରତ୍ୟେକଟି ଦୁଇବର୍ଷ ପାଇଁ ଅଭିପ୍ରେତ । ପ୍ରଥମ ମାନ ପାଇଁ ୨୧ଟି (୫ଟି ପଦ୍ୟ; ଦ୍ୱିତୀୟମାନ ପାଇଁ ୩୪ଟି (୯ଟି ପଦ୍ୟ) ବିଷୟ ଏବଂ ଉଭୟ ତୃତୀୟ ଓ ଚତୁର୍ଥ ମାନ ପାଇଁ ୫୯ ବିଷୟ (କେଉଁ ଶ୍ରେଣୀ ପାଇଁ କେତେ ଜାଣିପାରିଲି ନାହିଁ), ତନ୍ମଧ୍ୟରୁ ୧୪ଟି କବିତା । ପ୍ରଥମ ବହିରୁ ପ୍ରାରମ୍ଭରେ ‘ଈଶ୍ୱର’ କବିତା ଏବଂ ଶେଷରେ ‘ପ୍ରାର୍ଥନା’; ଦ୍ୱିତୀୟ ବହିର ଶେଷ ଆଡ଼କୁ ‘ମହିମା’ (Glory of God) । ମଧୁବାବୁଙ୍କ ପ୍ରାୟ ପ୍ରତ୍ୟେକଟି ପାଠ ଯେମିତି ‘ଧନ୍ୟ ଧନ୍ୟ ବିଶ୍ୱକାରଣ’, ‘ବିଭୁଦୟା ସୁମରି’, ‘ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ’ରେ ଶେଷହୁଏ ଚନ୍ଦ୍ରମୋହନଙ୍କ ତାହା ହୁଏ ନାହିଁ । ଚନ୍ଦ୍ରମୋହନଙ୍କ ସମସ୍ତ ପାଠ ଧର୍ମନିରପେକ୍ଷ ହେଲେ ମଧ୍ୟ ନୀତିନିରକ୍ଷେପ ନୁହେଁ ବରଂ ନୀତିସର୍ବସ୍ୱ । ପ୍ରଥମ ଦ୍ୱିତୀୟ ମାନ ପାଇଁ ଉଦ୍ଦିଷ୍ଟ ବହି ୪୫ଟା ଛବି ଏବଂ ତୃତୀୟ ଚତୁର୍ଥମାନର ବହିରେ ୩୭ଟା ଛବି ଅର୍ଥାତ୍ ପ୍ରତିଥର ଯେଉଁଠି ବହି ମେଲାଇଲେ ଗୋଟାଏ ଛବି ମିଳିଯିବ । ପ୍ରତ୍ୟେକଟି ଛବି ସ୍ପଷ୍ଟ, ଫଟୋଗ୍ରାଫ୍ ପରି ତାଜା ଓ ଉଜ୍ଜ୍ୱଳ, ବିଷୟବସ୍ତୁ ସୂଚକ, ଭାବଦ୍ୟୋତକ ଏବଂ ଆକର୍ଷଣୀୟ । ଯେଉଁମାନେ ସେ ବହି ପଢ଼ିଛନ୍ତି ସେମାନେ ଆଖିବୁଜି ମନେପକାନ୍ତୁ, ଦିଶିଯିବେ ଅଳସୁଆ ରଙ୍ଗ ପିମ୍ପୁଡ଼ି ମହୁମାଛିଙ୍କି ଖେଳିବା ପାଇଁ ଡାକୁଛି, ନିର୍ବୋଧ ମୂଷା ଯନ୍ତାକୁ ପଶୁଛି, କୁକୁର ତା’ ଛାଇକୁ କାମୁଡ଼ୁଛି, ପାଗଳ ହାତୀ ଥୋଡ଼ ପାହାରରେ ଛୁଆକୁ ଧରି ମାଆ ହାତୀକୁ ଟେକି ଦେଉଛି, କୋକୀ କୁଆକୁ ଗୀତ ଗାଇବାକୁ କହୁଛି, ମୂଷାମାନେ ଚାଲିଛନ୍ତି ସାରଙ୍ଗୀ ବାଦକ ପଛରେ, ଦୁଇ ବଧୀରବନ୍ଧୁ କଥାବାର୍ତ୍ତା ହେଉଛନ୍ତି, କାସାବିଏଙ୍କା ଜାହଜରେ ନିଆଁ ଭିତରେ ଛିଡ଼ା ହୋଇଛି ପିତୃଆଜ୍ଞା ଅପେକ୍ଷାରେ, ବ୍ୟାଘ୍ର ଓ କଙ୍କଣଲୋଭୀ ପଥିକଙ୍କ ମୁହାମୁହିଁ ଭେଟ, ହଂସ ଦୁହେଁ କୂର୍ମକୁ ଆକାଶ ମାର୍ଗରେ ନେଇ ଯାଉଛନ୍ତି ତଳେ ମାଂସଲୋଭୀ ଗୋପାଳଗଣ, ପିତାପୁତ୍ର ଗଧକୁ ବହିଯିବାର ଛବି ଆଦି ନାନାବିଧ କଳ୍ପନାଦ୍ୟୋତକ ରମଣୀୟ ଛବି । ଗଳ୍ପ ଯାହା, ଛବି ତାହା । ବିସ୍ମୃତି ଗର୍ଭକୁ ଗଳ୍ପ ଗଲେ ଛବି ଯିବନାହିଁ ।

 

ବହି ନାଆଁକୁ ସାର୍ଥକ କରି ଉଭୟ କଥାବଳିରେ ଅଠେଇଶି ପଦ୍ୟ ବାଦ ଅନ୍ୟସବୁ ପାଠ ଅର୍ଥାତ୍ ଛୟାଅଶୀଟି ଗଳ୍ପ ରହିଛି । ବିଷ୍ଣୁଶର୍ମା ମୂର୍ଖ ବ୍ୟସନା ରାଜପୁତ୍ରମାନଙ୍କୁ ଅତୀତରେ ଯେଉଁ ବୁଦ୍ଧିରେ ‘କାକକୂର୍ମମୃଗାଖୁ’ ଜରିଆରେ ଶିକ୍ଷା ଦେଇଥିଲେ କଥାବଳିରେ ସେଇଆ କରାଯାଇଛି । ପିଲାମାନଙ୍କ ମନକୁ ଛୁଇଁବା ପାଇଁ ପୃଥିବୀ ସାହିତ୍ୟରେ କେଉଁଠି କେଉଁ ଗଳ୍ପ ଅଛି ତାହା ଅନୁସନ୍ଧାନ କରିବା ପାଇଁ ମହାରଣା ଯିମିତି ବ୍ୟଗ୍ର ଉତ୍ସୁକ ହୋଇଛନ୍ତି । ଆମ ଦେଶର ପୁରାଣ ଇତିହାସ ଛଡ଼ା ଅନ୍ୟଦେଶର ସାହିତ୍ୟ ଧର୍ମଗ୍ରନ୍ଥ ଶିଶୁକଥା ଯାହା ଯେଉଁଠି ପାଇଛନ୍ତି ତାକୁ ବହିରେ ସନ୍ନିବିଷ୍ଟ କରିଛନ୍ତି । ରାମାୟଣ, ମହାଭାରତ, ହିତୋପଦେଶ, ଇଂଲଣ୍ଡ ଆମେରିକା ଇତିହାସ, ଇସପ୍‌ଙ୍କ ଗଳ୍ପାବଳି, ବାଇବଲ, ଏପିରିକି ଇଂରାଜୀ କବିତାମାନଙ୍କରୁ ମଧ୍ୟ ଗଳ୍ପ ନେଇ ବ୍ୟବହାର କରାଯାଇଛି । ଚନ୍ଦ୍ରମୋହନଙ୍କ ମୌଳିକତା ଏ ଗଳ୍ପଗୁଡ଼ିକରେ ନାହିଁ । ପ୍ରାୟ ସବୁଗୁଡ଼ିକ କଥା ଆଦୃତ ଆଧାରିତ । ମଝିରେ ମଝିରେ ଧାଡ଼ିଏ ଅଧେ ଅନୁବାଦ ଅଛି କିନ୍ତୁ ତାହା ଅନ୍ୟ ଧାଡ଼ି ସହିତ ଏମିତି ମିଶିଯାଇଛି ଯେ ବାରିହେବ ନାହିଁ । ଅତି ବେଶୀ ହେଲେ ଦୁଇଖଣ୍ଡ ବହିରେ ତିନି ଚାରୋଟି ଗଳ୍ପ (ଯଥା– ବ୍ରାହ୍ମଣ ଓ ସାନ୍ତାଳ କଥା) ଚନ୍ଦ୍ରମୋହନଙ୍କ ନିଜ କୃତି । ସବୁ ପାଠଗୁଡ଼ିକ ଗଳ୍ପଭିତ୍ତିକ, ରଚନା ପ୍ରବନ୍ଧ ଧର୍ମୀ କେହି ନୁହନ୍ତି ।

 

କିନ୍ତୁ କବିତାଗୁଡ଼ିକ ଯେ ଚନ୍ଦ୍ରମୋହନଙ୍କ ସ୍ୱକୀୟ ଏ ବିଷୟରେ ସନ୍ଦେହର ଅବକାଶ ନାହିଁ । କେବଳ “ହନୁମାନର ସୀତାଙ୍କୁ ଠାବ କରିବା” କବିତାଟି ବିଲଙ୍କା ରାମୟଣରୁ ନିଆଯାଇଛି । ‘ପ୍ରତିଧ୍ୱନି’ (Echo) କବିତାର ଅଲମ୍ବନରେ । ଦ୍ୱିତୀୟଭାଗରେ ଛଅଟି ଋତୁ, ବକୁଳ, ପୁଷ୍ପ, ଚନ୍ଦ୍ର, ‘ମହିମା’ ଆଦି କବିତାକୁ ମଧୁ ବାବୁଙ୍କ ସେହି ଧରଣର କବିତା ସହିତ ତୁଳନା କରାଯାଇପାରେ । ଖଣ୍ଡଗିରି କବିତାଟିରେ ଜାତୀୟତାର ସ୍ପର୍ଶ ନାହିଁ, ଅଛି ସୌନ୍ଦର୍ଯ୍ୟ ଚିତ୍ରଣ । ଓଡ଼ିଶାର ସ୍ୱକୀୟ ବିଭବର ସେଇ ଗୋଟିଏ ମାତ୍ର କବିତା । ‘ଶିଶୁ ବିୟୋଗ’ କବିତାଟି ବାଲେଶ୍ୱରର ଗୋଟିଏ ଶିଶୁର ମୃତ୍ୟୁରେ ଲିଖିତ । କବିତାଗୁଡ଼ିକର ନାମ ପଢ଼ିଗଲେ ଆମେ ଆମର ପରିବେଶ ବୁଝିପାରିବା । ଈଶ୍ୱର, କୁଆ କୋଇଲି, ଡାମରା କାଉ, ହଳଦୀ ବସନ୍ତ, ବଟବୃକ୍ଷ, ବେଙ୍ଗରାଜା, ପ୍ରଭାତ, ଭିତର ବାହାର (ନାରିକେଳ, ପଣସ, ରସାଳ ମହାକାଳ ଫଳ) ମହୁମାଛି, ସନ୍ଧ୍ୟା, ଦୂର୍ବାଦଳ, ପୁଷ୍ପ ଆଦି ସହିତ ଛଅ ଋତୁର ବର୍ଣ୍ଣନା ପଢ଼ୁଁ ସେତେବେଳେ ଆମକୁ ଜଣାଯାଏ ଯିମିତି ପଶୁ ପକ୍ଷୀ କୀଟ ପତଙ୍ଗ, ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷତ୍ର, ନଦନଦୀ, ମେଘ ପାଣପାଗ ସହିତ ଶିଶୁ ପିତାମାତା ପରିବାରର ସମସ୍ତେ ତାଳ ଦେଇ ବିଶ୍ୱ ବ୍ରହ୍ମାଣ୍ଡ ସହିତ ଚାଲୁଛୁଁ, ଘୁରୁଛୁଁ । ସମସ୍ତେ ଯେମିତି ଏକ ବିରାଟ ଆନନ୍ଦମୟ ଅସ୍ତିତ୍ୱର ଅଙ୍ଗ ଅଂଶୀଦାର । ସେଭିତରେ ସାଧୁ ମହାଜନ ଚୋର ଅତ୍ୟାଚାରୀ ଲୋଭୀ ଭଣ୍ଡ ସମସ୍ତେ ଅଛନ୍ତି । କିନ୍ତୁ ସର୍ବତ୍ର ଧର୍ମର ଜୟ ପାପର କ୍ଷୟ । ଦୁର୍ନୀତିର ଦୁର୍ଗତି ।

 

ଗଳ୍ପଗୁଡ଼ିକର ଘଟଣାସ୍ଥଳୀ ପୃଥିବୀର ସର୍ବତ୍ର । ଗଳ୍ପ ବର୍ଣ୍ଣିତ ଚରିତ୍ରଗଣ ସବୁ ଦେଶର ସବୁ ସ୍ଥାନର । ସବୁ ଜାତି ଧର୍ମର । ଦେଶ କହିଲେ ଇଉନାଇଟେଡ୍ ଷ୍ଟେଟସ୍‌, ଇଂଲଣ୍ଡ, ଆମେରିକା ମହାଦେଶ, ପଶ୍ଚିମ ଦେଶ, ଦକ୍ଷିଣ ଦେଶ, ଆଫ୍ରିକା ମହାଦେଶ, ଗଜନୀ ନଗରୀ, ବ୍ରହ୍ମଦେଶ, ବଙ୍ଗଦେଶ, କାଶ୍ମୀର, ରାଜପୁତନା, ବିଜୟ ନଗର, ମହୀସୁର, ଅଯୋଧ୍ୟା, ଦକ୍ଷିଣ କଳିଙ୍ଗ, ମଗଧ ଦେଶ, ବିହାର ପ୍ରଦେଶ, ଭାରତବର୍ଷ, ରାମେଶ୍ୱର, ଚାନ୍ଦବାଲି, କନ୍ଦରପୁର, ମାୟାପୁର, ବିଜୟନଗର, କଲିକତା ଶିବସାଗର ଏପିରିକି ବାଲେଶ୍ୱର (କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଗଞ୍ଜାମ, ରାଉରକେଲାର ଉଲ୍ଲେଖ ନାହିଁ) ମୟୁରଭଞ୍ଜର ନାଆଁ ଅଛି । ନଦନଦୀ ପର୍ବତ ଭିତରେ ବିନ୍ଧ୍ୟ, ଚମ୍ପକବତୀ ଅରଣ୍ୟ, ନୀଳନଦୀ, ଗୋଦାବରୀ ନଦୀ ସ୍ଥାନ ପାଇଛନ୍ତି । ମୋହନ ସେଠାରୁ ଆରମ୍ଭ କରି ମାହମୁଦ୍‌, ଅବଦୁଲ୍ଲା, କେନ୍ୟୁଟ୍‌, ୱାସିଂଟନ, ବାବରଯାକେ । ଲକ୍ଷ୍ୟ କରିବାର ଅଛି ଯେ ଦୁଇଟି ବହିରେ ନାରୀଙ୍କ ସ୍ଥାନ ନାହିଁ । କେବଳ ‘ବାଲେଶ୍ୱର ନଗରର କୌଣସି ରମଣୀ’ ଉଲ୍ଲେଖ ଅଛି କିନ୍ତୁ ସେ ସନ୍ତାନହରା ମାତା । ଅଥଚ ୪ର୍ଥମାନର ଇଂରାଜୀ ବହିରେ ଆମେ ପଢ଼ିଥିଲୁ “Where are you going, my pretty maid ?” ଯହିଁରେ ପୁଅ ଝିଅଙ୍କ ବଢ଼ିଆ ରଙ୍ଗୀନ୍ ଛବିଟା ଥିଲା ବା Mary had a little lamb aû Jack and Jill went up the hill. ନୀତିବାଦୀ ଚନ୍ଦ୍ରମୋହନ ପିଲାଝିଲା ସ୍ତ୍ରୀ ପୁରୁଷଙ୍କୁ ଏକତ୍ର ଶିଶୁ ପାଠକ ସମକ୍ଷରେ ରଖିନାହାନ୍ତି ।

 

‘ଦେଶ’ ‘ପାତ୍ର’ ଯିମିତି ସର୍ବଦେଶରେ ସିମିତି ସର୍ବକାଳରେ । ଗଳ୍ପଗୁଡ଼ିକର କାଳ ପ୍ରାୟଶଃ ଅନିର୍ଦ୍ଦିଷ୍ଟ, ଅସ୍ପଷ୍ଟ । ଗଳ୍ପ ଆରମ୍ଭ ହୁଏ ‘ଦିନେ’, ‘ଦିନକରେ’ ‘ଏକଦା’ ‘ଦୁଇସହସ୍ର ବର୍ଷ ପୂର୍ବେ’ ‘ବହୁକାଳ ପୂର୍ବେ’ ଅତି ପୂର୍ବକାଳରେ । ଦେଶ ଓ ପାତ୍ରଙ୍କୁ ମଧ୍ୟ ଅନେକ ସମୟରେ ସେମିତି, ଅନିର୍ଦ୍ଦିଷ୍ଟ ରଖାଯାଇଛି । ଗୋଟିଏ ଭୋକିଲା କୋକୀ, ଗୋଟିଏ ବାଳକ, ଜଣେ ଲୋକର ଶୁକପକ୍ଷୀ, ଜଣେ ରାଜାଙ୍କର, ଜଣେ ମହାଜନ, ଜଣେ ସନ୍ନ୍ୟାସୀ ଇତ୍ୟାଦି । ସିମିତି କୌଣସି ଅରଣ୍ୟରେ, ଗୋଟିଏ ଦେଉଳ, ଖଣ୍ଡିଏ ଗ୍ରାମ, ଗୋଟିଏ ବଟବୃକ୍ଷ, ଗୋଟିଏ କ୍ଷୁଦ୍ର ରାଜ୍ୟରେ, କୌଣସି ଅରଣ୍ୟରେ, ଗୋଟିଏ ନଗରରେ ଆଦି । ମଝିରେ ମଝିରେ ଦେଶକାଳପାତ୍ରଙ୍କୁ ଖୁବ୍ ନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ କରାଯାଇଛି । ଏଇ ନିର୍ଦ୍ଦିଷ୍ଟ ଅନିର୍ଦ୍ଦିଷ୍ଟ, ସ୍ପଷ୍ଟ ଅସ୍ପଷ୍ଟ ଭିତରେ ଶିଶୁର କଳ୍ପନାଶକ୍ତି ଗୋଟିଏ ସ୍ୱପ୍ନ ରାଜ୍ୟକୁ ଅତି ସହଜରେ ଚାଲିଯାଏ, ବାସ୍ତବ ଦୁନିଆଁ ଭିତରେ ଥାଇ ମଧ୍ୟ । ଏହାହିଁ ପାରମ୍ପରିକ ଗଳ୍ପକଥନ ପ୍ରଣାଳୀ ।

 

ଯେହେତୁ ହିତୋପଦେଶ ବା ନୀତି ଶିକ୍ଷା ଦେବା ପାଇଁ ବହି ଦୁଇଟି ଉଦ୍ଦିଷ୍ଟ, ତେଣୁ ଥରେ ଆଖି ପକାଇ ଯିବା ଦୁଇ ବହିରେ ପ୍ରଚାରିତ ନୀତିଗୁଡ଼ିକ ଉପରେ । ପ୍ରଥମ ଭାଗରେ ଯେଉଁ ଗଳ୍ପ ଦିଆଯାଇଛି ସେଥିରୁ ଆମେ ଶିଖିଛୁଁ–ଈଶ୍ୱର ସବୁଠି ଥାନ୍ତି ସବୁ ଜାଣନ୍ତି ସବୁ କରିପାରନ୍ତି । ଆଳସ୍ୟ ଛାଡ଼ କର୍ମ କର, ଗୁଣୀ ଆଦର ପାଏ, କୁଭାଷା କୁହ ନାହିଁ, ପରିଷ୍କାର ପରିଚ୍ଛନ୍ନ ଓ ସମୟାନୁବର୍ତ୍ତୀ ହୁଅ, ରୂପବନ୍ତ ଓ ଗୁଣବନ୍ତ ହୁଅ, ଭବିଷ୍ୟତ ପାଇଁ ସଞ୍ଚୟ କର । ଗୁରୁଜନଙ୍କ କଥା ମାନ, ଲୋଭ କରନାହିଁ, ପ୍ରଶଂସାରେ ଭୁଲ ନାହିଁ, ଦୋଷ ଛାଡ଼ି ଗୁଣ ଶିଖ, ସତ୍ୟ କୁହ, ନିଜେ କଷ୍ଟ କହି ପରହିତ ସାଧ, ଉପକାର କଲେ ଉପକାର ପାଇବ, ଲୋଭୀର ଏ କୁଳ ନାହିଁ ସେ କୁଳ ନାହିଁ, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ, ଯେ ବହୁତ କୁହେ ସେ କମ୍ କାର୍ଯ୍ୟ କରେ, ଯେ ଥଟ୍ଟା ନ ସହେ ସେ ଥଟ୍ଟା କରିବା ଉଚିତ ନୁହେଁ, ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆଁ, ତୁମକୁ ଖେଳ ଆମକୁ କାଳ, ମିଥ୍ୟାବାଦୀକୁ କେହି ବିଶ୍ୱାସ କରନ୍ତି ନାହିଁ, କୌଶଳରେ କାର୍ଯ୍ୟସିଦ୍ଧି ହୁଏ, ଜ୍ଞାନହିଁ ଶକ୍ତି, ଅପର ନିମନ୍ତେ ବୃକ୍ଷ ରୋପଣ କର, ଶ୍ରମିକ ମୁନୀବ ମିଳିମିଶି କାମ କରିବା ଉଚିତ, ସମ୍ପଦରେ ଭାଗୀ ନ କଲେ କେହି ବିପଦରେ ସହାୟ ହେବେ ନାହିଁ, ବୁଢ଼ୀଆଣୀ ପରି କ୍ଷୁଦ୍ର ପ୍ରାଣୀ ମଧ୍ୟ ରାଜପୁତ୍ରର ଜୀବନ ରକ୍ଷା କରିପାରେ, ଶ୍ରମ ମେଳ ସଞ୍ଚୟ ବଳରେ କାର୍ଯ୍ୟସିଦ୍ଧି ହୁଏ, ମନୁଷ୍ୟର ଅଙ୍ଗ ପ୍ରତ୍ୟଙ୍ଗ ବିଶ୍ୱସ୍ତ ଚାକର, ଭକ୍ଷକ ରକ୍ଷକ ହୋଇନପାରେ, ସାଧୁ ସଙ୍ଗରେ ସାଧୁ ଅସାଧୁ ସଙ୍ଗରେ ଅସାଧୁ, ଯତ୍ନ କଲେ ରତ୍ନ ମିଳେ । ସମସ୍ତଙ୍କ ମଙ୍ଗଳ କାମନା କର ।

ପ୍ରଥମ ଭାଗରେ ଉପଦେଶାବଳି ଅପେକ୍ଷା ଦ୍ୱିତୀୟ ଭାଗରେ ହିତୋପଦେଶ ଅପେକ୍ଷାକୃତ ଉଚ୍ଚ ଧରଣର, ଜଟିଳ । ଯଥା-ଈଶ୍ୱରଙ୍କ କୃପା ବଳରେ ତୁଚ୍ଛ ପଦାର୍ଥ ମଧ୍ୟ ଅମୂଲ୍ୟ ବସ୍ତୁରେ ପରିଣତ ହୁଏ; ବୁଦ୍ଧି ଥିଲେ ପକ୍ଷୀଟିଏ ମଧ୍ୟ କୃଷ୍ଣ ସର୍ପକୁ ବିନାଶ କରିପାରେ; ଧୋବାକୁ ମନ୍ତ୍ରୀ କଲେ ଦୁର୍ଦ୍ଦଶା ଭୋଗିବାକୁ ପଡ଼େ; ସଂହତିର ଅପ୍ରମିତ ଶକ୍ତି; ସତ୍ୟ ଲଙ୍ଘନ କଲେ ଅନୁତାପ କରିବାକୁ ପଡ଼େ; ବିନୟ, ଧୈର୍ଯ୍ୟ, ଯତ୍ନ, ସତ୍ୟବାଦିତା, ଆତ୍ମାଶ୍ଳାଘୀହୀନତା ଯୋଗ୍ୟତାର ନିଦର୍ଶନ । ଆଜ୍ଞାନୁବର୍ତ୍ତିତା ମଣିଷକୁ ଅମର କରେ; ବିବେକୀ ବଞ୍ଚେ ମୂଢ଼ ମରେ; ଭକ୍ଷ ଭକ୍ଷକ ହେଲେ ମଧ୍ୟ ଇତର ପ୍ରାଣୀଙ୍କ ଭିତରେ ମିତ୍ରତା ସମ୍ଭବ; ବୁଦ୍ଧି ବଳରେ କ୍ଷୁଦ୍ର ପ୍ରାଣୀ ମଧ୍ୟ ମହାବଳର ପ୍ରାଣ ନାଶ କରିପାରେ; ଭେଦ ବୁଦ୍ଧି ବଳରେ ମଧ୍ୟ କାର୍ଯ୍ୟସିଦ୍ଧି ହୁଏ; ଅଜ୍ଞାତ ଲୋକ ସହିତ ମିତ୍ରତା ଅବିବେକୀର କାର୍ଯ୍ୟ, କ୍ଷଣିକ ଜୟ ପରାଜୟର ସମ୍ଭାବନାରେ ଦୁଇପକ୍ଷର ସମର୍ଥନ କଲେ ବାତୁଳିର ଦଶା ଭୋଗିବାକୁ ପଡ଼େ, ଧ୍ରୁବ ଛାଡ଼ି ଅଧ୍ରୁବକୁ ମନ ବଳାଇବା ଅନୁଚିତ, ଯେ ସମସ୍ତଙ୍କର ସନ୍ତୋଷ ସାଧନରେ ପ୍ରୟାସୀ ହୁଏ ସେ କାହରି ସନ୍ତୋଷ ବିଧାନ କରିପାରେ ନାହିଁ; ଆତ୍ମପକ୍ଷ ଛାଡ଼ି ପରପକ୍ଷ ଅବଲମ୍ବନ ମୃତ୍ୟୁର କାରଣ; ସମସ୍ତେ ସାହସ ଓ ସତ୍‌କାର୍ଯ୍ୟର ପ୍ରଶଂସା କରନ୍ତି; ଉପଦେଶ ଅପେକ୍ଷା କର୍ମ ମୂଲ୍ୟବାନ; ଚାଟୁବାକ୍ୟକୁ କର୍ଣ୍ଣପାତ କରନାହିଁ; ଜୀବମାନଙ୍କ ପ୍ରତି ଦୟାକର ।

 

ଧର୍ମପ୍ରାଣ, ନୀତିମୟ ଆଦର୍ଶ ଜୀବନ ଯାପନ କରିବା ପାଇଁ ଆଉ କେଉଁ ଶାସ୍ତ୍ର ପୁରାଣର ଆବଶ୍ୟକ ? ଅଥଚ ସାରା ବୈଷୟିକ ଜୀବନ ପାଇଁ ଯେତେ ଯେତେ ନୀତି ନିୟମ ଦରକାର ତାହା ଚାରୋଟି ବର୍ଷର ପାଠ ଭିତରେ ରଖି ଦିଆଯାଇଛି । ଏଇ ହିତକଥା ସବୁ ଶିଶୁ ବାଳକଙ୍କ ତଣ୍ଟି ଚିରି ପିଆଇ ଦିଆଯାଇ ନାହିଁ, ସ୍ୱାଭାବିକ ରୀତିରେ ଶିଶୁ ଆନନ୍ଦରେ ସେସବୁ ଗ୍ରହଣ କରିଛି । ଶାମୁକାଟିଏ ଉନ୍ମୁଖ ଉନ୍ମୁକ୍ତ ହୋଇଥିଲା; ବାରିବିନ୍ଦୁ ଆକାଶରୁ ପଡ଼ିବା ମାତ୍ରେ ତାକୁ ଉଦରସ୍ଥ କରି ବିଭୁ (ଗୁରୁ?) କୃପାରେ ମୁକ୍ତାରେ ପରିଣତ କରିଦେଲା ।

 

ଏଥର ପାଠ୍ୟଗୁଡ଼ିକର ଶୈଳୀ କିମିତି କ୍ରମଶଃ ଉନ୍ନତତର ହୋଇଛି ତାହା ନିମ୍ନ ପଂକ୍ତିଗୁଡ଼ିକରୁ ଅବଗତ ହେଉନ୍ତୁ ।

 

(୧) ରଙ୍ଗ ନାମରେ ଗୋଟିଏ ସାନ ପିଲା ଅଛି । ସେ ଅଳସୁଆ ଅଟେ ଏବଂ ଖେଳିବାକୁ ଭଲପାଏ । ତାକୁ ପଢ଼ାଶୁଣା ଭଲ ଲାଗେ ନାହିଁ । (ପୃ-୩)

 

(୨) ଅନୁକରଣ କରିବା ମର୍କଟର ସ୍ୱଭାବ ଅଟେ... ଦ୍ୱିପହର ଉତ୍ତାରେ ଅତିଶୟ ଖରା ହେବାରୁ ବାଟ ପାଖରେ ଗୋଟିଏ ବୃକ୍ଷ ମୂଳରେ ସେ ବିଶ୍ରାମ କଲା...ଯେତେବେଳେ ତାହାର ନିଦ୍ରା ଭଙ୍ଗ ହେଲା.....(ପୃ ୪୩)

 

(୩) ଶଙ୍କର ରାୟ ଏହି ଭୂସମ୍ପତ୍ତି ପାଇ ଗର୍ବୀ ଓ ଅସବଧାନ ହେଲେ । ସେ ଆପଣାର ଚାଷ କାର୍ଯ୍ୟରେ ମଜୁରି ଦେଇ ଲୋକ ଲଗାଇଲେ ମାତ୍ର କାର୍ଯ୍ୟ ଦେଖିବା ପାଇଁ ସ୍ୱୟଂ ଗଲେନାହିଁ । (ପୃ୬୯)

 

(୪) ମହାଜନ ବାଳକଟିକୁ ଡକାଇ ନେଇ ଆପଣା ସିରସ୍ତାରେ ଖଣ୍ଡିଏ କିରାନି କାର୍ଯ୍ୟଦେଲେ । ବାଳକଟି ଆପଣାର କାର୍ଯ୍ୟ ଦକ୍ଷତା ଓ ଭଲ ଆଚରଣରୁ ସେହି ସିରସ୍ତାରେ କ୍ରମେ ସର୍ବାପେକ୍ଷା ବଡ଼ କାର୍ଯ୍ୟ ପାଇଲା । (ପୃ ୧୧୩)

 

ଦ୍ୱିତୀୟ ଭାଗ

 

(୧) ଦିନେ ଆକାଶ ମେଘରେ ଆଚ୍ଛନ୍ନ ଥିଲା । ବୃଷ୍ଟି ବିନ୍ଦୁଟିଏ...(ପୃ୧)

 

(୨) ମୂଷାମାନେ ତାହାର ଅନୁସରଣ କଲେ.... ସଙ୍ଗୀତ ମୁଗ୍‌ଧ ମୂଷିକମାନେ ତାହା ପଛେ ପଛେ ଗୋଟି ଗୋଟି ହୋଇ ଜଳକୁ ଡେଇଁପଡ଼ି ସ୍ରୋତରେ ଭାସିଗଲେ । (ପୃ୧୯)

 

(୩) ମୁଖବ୍ୟାଦାନ କରି ଏହିକଥା କହିଲାମାତ୍ରେ କୂର୍ମଟି କାଷ୍ଠଖଣ୍ଡରୁ ଭୂତଳରେ ପତିତ ଓ ଗୋରକ୍ଷମାନଙ୍କ କର୍ତ୍ତୃକ ଧୃତ ହେଲା । (ପୃ-୯୯)

 

(୪) ଗୃହରେ ଲୋକେ ଅଗ୍ନି ସନ୍ଦୀପନ କରି ରଙ୍ଗକୁ ସେକିବାରେ ଲାଗିଲେ । ପିତା ତପ୍ତ ହସ୍ତରେ ତାହାର ସର୍ବାଙ୍ଗ ମର୍ଦ୍ଦନ କଲେ ଓ କିଞ୍ଚିତ୍ ଉଷ୍ମ ଜଳ ପିଆଇ ଦେଲେ । କିୟତ୍‌କ୍ଷଣ ପରେ ରଙ୍ଗର ଚୈତନ୍ୟ ସମ୍ପାଦିତ ଓ ତାହାର କନୀନିକାଦ୍ୱୟର ଗତି ଲକ୍ଷିତ ହେଲା; କ୍ରମେ ତାହାର ବାକ୍‌ସ୍ଫୁର୍ତ୍ତି ହେଲା । (ପୃ୧୨୨)

 

ପଦ୍ୟ ବା କବିତାରେ ମଧ୍ୟ ସେହିପରି ଉଚ୍ଚରୁ ଉଚ୍ଚତର ସୋପାନକୁ ।

 

 

(୧) କୁଆ କଳା ପୁଣି କୋଇଲି ତ କଳା ରୂପରେ ସମାନ ଦୁହେଁ ।

 

(୨) ପାଣି ବରଷିଲା ଟପର ଟପର ।

 

(୩) ସ୍ତନ୍ୟ ଦେଇ ପାଳେ ଧାତ୍ରୀ ଶିଶୁକୁ ଯେସନ / ପାଳନ କରଇ ଗାଭୀ ମାନବେ ତେସନ / ତୁହି ପାଳୁଅଛୁ ତାକୁ / କେ ଅଟଇ କ୍ଷମ ତୋର ଋଣ ଶୁଝିବାକୁ । (ପୃ ୯୦)

 

(୪) ଜଳଦ ଅଟୁରେ ତୁହି ଗଗନ ବିହାରୀ /ତୋର ଯେ ଜନକ ତୁହି ଜନକ ତାହାରି (୯୯ପୃ)- ସପ୍ତବର୍ଣ୍ଣ ସୁବିଶାଳ ଚାରୁ ଇନ୍ଦ୍ରଧନୁ/ ମଣିମୟ ହାର ପରି ମଣ୍ଡଇ ତୋ ତନୁ (୧୦୧ ପୃ)-

 

 

(୧) ମହୀରୁହ କୁଳେ ତୁହି ଅଟୁରେ ବକୁଳ/ପର୍ଣ୍ଣେ ଫଳ ବର୍ଣ୍ଣେ ପୁଣି କୁସୁମେ ମଞ୍ଜୁଳ । (ପୃ ୭)

 

(୨) ରବି କୁଶମାନ / ଶୋଭାର ନିଧାନ / ନଦୀଝର କୁଳ ମଣ୍ଡଇ /ସୁବିରା ଧରଣୀ/ଲାଲଟେ କି ମଣି/ ରଞ୍ଜିତ ଅଳକା ଶୋଭଇ/ସୁକାନ୍ତି/ସୋରିଷ କୁସୁମ ଫୁଟଇ/ ଗୁଞ୍ଜରି ମଧୁପ / ତହିଁ ମଧୁ ଲବ / ଓଟାରି ଯତନେ ସଞ୍ଜଇ ।

 

ଲକ୍ଷ୍ୟ କରିବାର କଥା, ଯେତେ ଯେତେ ଲୋକପ୍ରିୟ ପାରମ୍ପରିକ ରାଗ ରାଗିଣୀ ସେଇ ସବୁ ପଦ୍ୟରେ ବ୍ୟବହୃତ ଯଥା କଳହଂସ କେଦାର, ରାମକେରୀ, ଶଙ୍କରାଭରଣ, ବଙ୍ଗଳାଶ୍ରୀ, ମଙ୍ଗଳ ଓ କଲ୍ୟାଣ ଆହାରୀ । ପୁଣି ସହଜରେ ଯେଉଁ ସୁର ଗାଇ ହେବ ସେଗୁଡ଼ିକ ପ୍ରଥମେ ଓ ପରେ କଷ୍ଟ ସୁରମାନ ଦିଆଯାଇଛି ।

 

ଅନୁସରଣ, ଆହରଣ ଓ ଅନୁବାଦ କଲାବେଳେ ଚନ୍ଦ୍ରମୋହନ ଆଦର୍ଶ ଶିକ୍ଷକ ଥାଇ ଛାତ୍ରମାନଙ୍କ ପ୍ରତି ସେସବୁର ଉପାଦେୟତାର ପରୀକ୍ଷା ନିରୀକ୍ଷା ପରେ କଥାବଳିରେ ସ୍ଥାନ ଦେଇଛନ୍ତି । କେଉଁଠି ହିତୋପଦେଶର ପଂକ୍ତିର ଅବିକଳ ଅନୁବାଦ ଅଛି; ଅନ୍ୟତ୍ର ପୋରଶିଆଙ୍କ ଦୟାଗୁଣ ଉପରେ ସୁପ୍ରସିଦ୍ଧ ପଂକ୍ତି “It (mercy) is enthroned in the hearts of kings. It is attribute to God himself.” ଦିଆଯାଇଛି ଏଇ ରୂପରେ “କାରଣ ଇହଲୋକ ପରଲୋକରେ ଦୟାଗୁଣ ନରପତିମାନଙ୍କର ଶ୍ରେଷ୍ଠ ଭୂଷଣ ।” ‘ସାବକ୍ତଗୀନ’ ପାଠରେ ବହିର ଶେଷ ପଂକ୍ତିମାନଙ୍କରେ ଏ କଥାଟି ଅଛି ।

 

କହିବାକୁ ଇଚ୍ଛା ହୁଏ ଆମର ଶିଶୁପାଠ ଶିଶୁସାହିତ୍ୟ କ୍ଷେତ୍ରରେ ଅଧୋଗତି ଓ ବିଭ୍ରାଟ ସୃଷ୍ଟି ହୋଇଛି ସେଇଦିନରୁ ଯେଉଁଦିନ ଆମେ ନିଷ୍ପତ୍ତି ନେଲୁଁ “ଅଖ ରଖ, ଆଈ, ଉଇ”ଠାରୁ “ମା, ରମା, ରବର, ରମାର ରବର, ମାର ରବର” ଭଲ ବିଚାରି ବର୍ଣ୍ଣବୋଧକୁ ସରକାରୀ ଭାବରେ ବିଦାୟ ଦେଲୁଁ । (ପଶ୍ଚିମ ବଙ୍ଗରେ ବହୁ ପୁରୁଣା ପ୍ରତିଷ୍ଠିତ ଶିଶୁପାଠ୍ୟକୁ କମ୍ୟୁନିଷ୍ଟ ସରକାର ଉଠାଇବା ପ୍ରଚେଷ୍ଟାକୁ ସର୍ବସାଧାରଣ କିମିତି ବିରୋଧ କରିଛନ୍ତି ମନେପକାନ୍ତୁ ।) ଆମେ ଧରିନେଲୁଁ ଶିଶୁମାନେ କୋମଳମତି, ଦୁର୍ବଳ ମସ୍ତିଷ୍କ, ସେମାନଙ୍କ ସ୍ମୃତିଶକ୍ତିକୁ ଅଯଥା ଭାରାକ୍ରାନ୍ତ କରିବା ଅନୁଚିତ ଆଦି କଥା । ଅଥଚ ସେଇ ବୟସର ପିଲାପିଲି କନଭେଣ୍ଟ, ସେଣ୍ଟ୍ରାଲ ସ୍କୁଲର ପୁରସ୍କାର ବିତରଣୀ ସଭାରେ ‘To be or not to be’, ‘The quality of mercy is not strained’ ବା ‘Friends, Romans and Countrymen’ ପରିଚ୍ଛେଦ ସ୍ୱଚ୍ଛନ୍ଦରେ ଆବୃତ୍ତି କରୁଛନ୍ତି ।

 

ଜାତିର ଭବିଷ୍ୟତ ଛାତ୍ରମାନଙ୍କ ଉପରେ । ଛାତ୍ରମାନଙ୍କ ଭବିଷ୍ୟତ ପିଲାଦିନର ପାଠ୍ୟପୁସ୍ତକ ଉପରେ । ଆମର ପାଠ୍ୟପୁସ୍ତକ ଏବେ ଜାତୀୟକୃତ । ପାଠ୍ୟପୁସ୍ତକ ଅଭିଜ୍ଞ, ଧର୍ମପ୍ରାଣ, ଚରିତ୍ରବନ୍ତ ଜନୈକ ଶିକ୍ଷକ ବା ଶିକ୍ଷାପ୍ରେମୀଙ୍କ ହାତରେ ନ ଦେଇ ଆମେ ଏକ ବୋର୍ଡ଼ ବା ଅନେକଙ୍କ ହାତରେ ଦେଇଛୁଁ । ସେମାନେ ‘ବ୍ୟକ୍ତି’ ନ ଗଢ଼ି ‘ନାଗରିକ’ ଗଢ଼ୁଛନ୍ତି, ଧନ୍ଦାମୂଳକ (କି ଶବ୍ଦ !) ବା କର୍ମାଭିମୁଖୀ ଶିକ୍ଷାର ପ୍ରଚଳନ ହେଉଛି । ଜାତୀୟତା ଉପରେ ଗୁରୁତ୍ୱ ଦିଆଯାଇଛି । ‘ଧନ୍ୟ ହେ ଈଶ୍ୱର ତୁମ ବୁଦ୍ଧି କଉଶଳ’ ବଦଳରେ ପିଲାଏ ଗାଉଛନ୍ତି ‘ଜନଗଣମନ’ ନ ହେଲେ ଜନ୍ମଭୂମିର ବନ୍ଦନା । ଆମେ ଦେଖୁଛୁଁ ଆଖି ଆଗରେ ଏ ଶିକ୍ଷାର ବିଫଳତା । ସଂହତି ବଦଳରେ ବିଭେଦ, ବିଚ୍ଛିନ୍ନତା, ଜାତୀୟତା ବଦଳରେ ପ୍ରାଦେଶିକତା ଓ ଆଞ୍ଚଳିକତା ସର୍ବତ୍ର ମୁଣ୍ଡ ଟେକୁଛନ୍ତି । ଏପିରିକି ଗ୍ରାମ ଗ୍ରାମ ମଧ୍ୟରେ, ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ସଂଘର୍ଷ । ଆମର ଦୁନିଆଁ ବର୍ତ୍ତମାନ ଈଶ୍ୱରହୀନ, ଈଶ୍ୱର ପରିତ୍ୟକ୍ତ । ଦୂରଦୃଷ୍ଟି ଅଭାବରେ ଶିଶୁଶ୍ରେଣୀ ପାଇଁ ଯେଉଁ ପାଠ୍ୟପୁସ୍ତକ କେତେବର୍ଷ ଧରି ପ୍ରଚଳନ କରିଛୁ ତାହାର କୁଫଳ ସର୍ବତ୍ର ଉପଲବ୍‍ଧି ହେଉଛି ଏବଂ ସେଣ୍ଟ୍ରାଲ ସ୍କୁଲ, କନଭେଣ୍ଟ ଆଦି ଶିକ୍ଷାନୁଷ୍ଠାନ ଯିମିତି ଗୋଟାଏ ଦିଗରୁ ବଢ଼ି ଚାଲିଛି ‘ବର୍ଣ୍ଣବୋଧ’ର ଚୋରାଲୁଚାରେ ଇତସ୍ତତଃ ଗାଁଗଣ୍ଡାମାନଙ୍କର ଏକମାତ୍ର ଉପାଦେୟ ପ୍ରଥମ ପାଠରୂପେ ବିବେଚିତ ହେଉଛି । ବର୍ତ୍ତମାନର ତଥାକଥିତ ଧନ୍ଦାମୁଖୀ ଶିକ୍ଷା ଅପେକ୍ଷା କିରିଣୀ ତିଆରି କରୁଥିବା ସାହେବଙ୍କ ଶିକ୍ଷାନୀତି ବରଂ ଭଲଥିବା କୁହାଯାଇପାରେ ବର୍ତ୍ତମାନର ପରିପ୍ରେକ୍ଷୀରେ । ମଧୁସୂଦନ ଓ ଚନ୍ଦ୍ରମୋହନ ବା କାଳିନ୍ଦୀ ଚରଣ ଓ ରାମକୃଷ୍ଣଙ୍କ ଶିଶୁସାହିତ୍ୟ ତଥା ଶିଶୁପାଠ୍ୟ ପ୍ରତି ଅବଦାନ ଶ୍ରେୟସ୍କର ଓ କାମ୍ୟ ପରି ବୋଧ ହେଉଛି । କଥାବଳିର କଥା ଶିଶୁ ଓ ବୃଦ୍ଧ ସର୍ବଜନପାଠ୍ୟ, ଆନନ୍ଦଦାୟକ ।

-୦-

 

ନୀରବ ସାଧକ ଚନ୍ଦ୍ରମୋହନ

ଶ୍ରୀ ଅପୂର୍ବ ରଂଜନ ରାୟ

 

ସ୍ୱର୍ଗୀୟ ଚନ୍ଦ୍ରମୋହନ ମହାରଣା ହେଉଛନ୍ତି ଜଣେ ନୀରବ ସାଧକ । ତତ୍‌କାଳୀନ ଓଡ଼ିଶାରେ ସେ ଆଦର୍ଶବାଦୀ ଶିକ୍ଷକ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ଶିକ୍ଷକତା କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିସାରିଲା ପରେ ସେ ସାହିତ୍ୟ ସୃଷ୍ଟି କରନ୍ତି । ଏହି ସାହିତ୍ୟ ସାଧନା ତାଙ୍କର ଜୀବିକା ନୁହେଁ । ସାହିତ୍ୟ ସୃଷ୍ଟି କରି ଅର୍ଥ ଉପାର୍ଜନ କରିବାର ଅଭିଳାଷ ସାଧକ ଚନ୍ଦ୍ରମୋହନଙ୍କଠାର ଦେଖାଯାଇ ନ ଥିଲା । ଏପରିକି ପାଠ୍ୟପୁସ୍ତକ ଜରିଆରେ ଛାତ୍ରଛାତ୍ରୀମାନଙ୍କ ଲାଗି ଯେଉଁ ସାହିତ୍ୟ ପରିବେଷଣ କରନ୍ତି, ସେପାଇଁ ମଧ୍ୟ ତାଙ୍କର କୌଣସି ଆଶା ନ ଥାଏ । ‘କଥାବଳୀ’ ପାଠ୍ୟପୁସ୍ତକ ଏକ ବିଦେଶୀ ସଂସ୍ଥାଦ୍ୱାରା ପ୍ରକାଶିତ ହେବାପରେ, ପ୍ରକାଶକ ଏ ପୁସ୍ତକର ରୟାଲଟି ବାବଦରେ ପ୍ରାପ୍ୟ ତାଙ୍କୁ ଯାଚିବାରୁ ଚନ୍ଦ୍ରମୋହନ ତାହା ଗ୍ରହଣ କରିନଥିଲେ । ବରଂ ପ୍ରକାଶକଙ୍କୁ କହିଲେ– “ଟଙ୍କା ପାଇଁ ତ ମୁଁ ବହି ଲେଖିନାହିଁ ।” ଏହି ମନ୍ତବ୍ୟରୁ ତାଙ୍କ ବ୍ୟକ୍ତିତ୍ୱ ଓ ମନୋବୃତ୍ତିର ପରିଚୟ ମିଳେ ।

 

କବି ରାଧାନାଥ ସ୍ୱକୀୟ ପ୍ରତିଭା ଓ ସାଧନା ବଳରେ ଯେଉଁ ନୂତନ ସାହିତ୍ୟ-ସୌଧ ଓଡ଼ିଆ ସାହିତ୍ୟ ରାଜ୍ୟର ପ୍ରଥମେ ପ୍ରତିଷ୍ଠା କଲେ, ସେହି ସାରସ୍ୱତ କୃତି ସାହିତ୍ୟ ପ୍ରେମୀମାନଙ୍କର ଦୃଷ୍ଟି ଆକର୍ଷଣ କଲା । ଭକ୍ତକବି ମଧୁସୂଦନ ରାଓ ସାହିତ୍ୟ ସାଧନା କ୍ଷେତ୍ରରେ ଯେଉଁ ନୂତନ ଦିଗ୍‌ଦର୍ଶନ ଦେଲେ, ତାହା ମଧ୍ୟ ସାହିତ୍ୟ ପ୍ରେମୀଙ୍କଦ୍ୱାରା ଅଭିନନ୍ଦିତ ହେଲା । ଏହି ଶୁଭ ମୁହୂର୍ତ୍ତରେ କେତେଜଣ ଉଚ୍ଚ ଶିକ୍ଷିତ ଲେଖକ ନୀରବ ହୋଇ ରହିପାରିଲେ ନାହିଁ । ସେମାନଙ୍କ ସୃଜନକ୍ଷମ ପରିକଳ୍ପନା ରୂପ ପାଇବା ପାଇଁ ବ୍ୟାକୁଳିତ ହେଲା । ସେମାନେ ନୂତନ ଧାରାରେ ପ୍ରଭାବିତ ହୋଇ ସାହିତ୍ୟ ରଚନା ଆରମ୍ଭ କଲେ । ନୀରବ ସାଧକ ଚନ୍ଦ୍ରମୋହନ ମହାରଣା ହେଉଛନ୍ତି ସେହି ନବୀନ ଗୋଷ୍ଠୀର ଅନ୍ୟତମ ପ୍ରତିଭାବାନ ସ୍ରଷ୍ଟା । ରାଧାନାଥ ରାୟଙ୍କ ସମସାମୟିକ ପରବର୍ତ୍ତୀ ଲେଖକ ଭାବରେ ସେ ପରିଚିତ । ଇଂରାଜୀ ଓ ସଂସ୍କୃତ ସାହିତ୍ୟରେ ତାଙ୍କର ପ୍ରବେଶ ଥିଲା ।

 

ଉଭୟ ଗଦ୍ୟ ଓ ପଦ୍ୟରେ ସାଧକ ଚନ୍ଦ୍ରମୋହନ କବିବର ରାଧାନାଥଙ୍କୁ ଅନୁକରଣ କରିଥିଲେ ମଧ୍ୟ, ଆପଣା ପ୍ରତିଭାର ବୈଶିଷ୍ଟ୍ୟ ପ୍ରତିପାଦନ କରିଛନ୍ତି । ମନେହୁଏ କବିଗୁରୁ ଭାବରେ ରାଧାନାଥଙ୍କୁ ସେ ଗ୍ରହଣ କରି ତାଙ୍କ ଛନ୍ଦରେ କବିତା ରଚନା କରିଛନ୍ତି । ବହୁ କ୍ଷେତ୍ରରେ ମଧ୍ୟ ଭାବର ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ।

 

ରାଧାନାଥ ‘ଚିଲିକା’ରେ ଲେଖିଛନ୍ତି–

 

“କରିଥିଲି ଆଶା କରିବି ଯାପନ

ତୋ ପଶ୍ଚିମ ତୀରେ ପଶ୍ଚିମ ଜୀବନ ।”

 

‘ଖଣ୍ଡଗିରି’ରେ କବି ଚନ୍ଦ୍ରମୋହନ ଲେଖିଲେ–

 

“ମନରେ ପ୍ରବଳ ହେଲା ଏହି ଅଭିଳାଷ

କରିବି କୋଳରେ ତୋର ମୁହିଁ ସଦା ବାସ ।”

 

ଗଦ୍ୟକାର ଭାବରେ ଚନ୍ଦ୍ରମୋହନ ତତ୍‌କାଳୀନ ଲେଖକ ଗୋଷ୍ଠୀରେ ଖୁବ ସମ୍ମାନର ଅଧିକାରୀ ଥିଲେ । ସ୍ୱଚ୍ଛତା ଓ ନୂତନତାହିଁ ତାଙ୍କ ଗଦ୍ୟ ରଚନାର ଅନ୍ୟ ଏକ ବିଶେଷତ୍ୱ । ପାଠକର ପ୍ରାଣକୁ ସ୍ପର୍ଶ କଲା ଭଳି ଭାବନାକୁ ଆଧାର କରି ସାହିତ୍ୟ ସୃଷ୍ଟି ହେଲେ, ପାଠକ ଓ ସ୍ରଷ୍ଟା ଭିତରେ ଦୂରତା ହ୍ରାସ ପାଏବୋଲି ତାଙ୍କର ଧାରଣା ଥିଲା । ସେପାଇଁ ତାଙ୍କର ପ୍ରତ୍ୟେକ ରଚନାରେ ସରଳ, ପ୍ରାଞ୍ଜଳ ଅଥଚ ଗମ୍ଭୀର ଭାଷା ସଂଯୋଜନା ଦୃଷ୍ଟିଗୋଚର ହୁଏ । ଜଟିଳ ତତ୍ତ୍ୱକୁ ସୁଖପାଠ୍ୟ କରିବାଲାଗି ସେ ଯତ୍ନବାନ ଥିଲେ । ତେଣୁ ତାଙ୍କର ସକଳ ସୃଷ୍ଟି ପାଠକର ପ୍ରାଣକୁ ଛୁଇଁ ଛୁଇଁ ଯାଏ । ଭାଷା ପ୍ରୟୋଗରେ ସେ ସଂଯମତା ଆଚରଣ କରନ୍ତି । ପ୍ରଗଳ୍‌ଭତାର ପରିଚୟ ତାଙ୍କ ସୃଷ୍ଟିରୁ ମିଳେନା । ଭାବୋଚ୍ଛ୍ୱାସ ଭିତରେ ଲେଖକ ଭାସିଯାଇ ନାହାନ୍ତି । ଉଚ୍ଛ୍ୱାସ ଗାମ୍ଭୀର୍ଯ୍ୟମୟ ତଥା ଭାବବ୍ୟଞ୍ଜକ ପରିବେଶ ମଧ୍ୟରେ ଆତ୍ମପ୍ରକାଶ କରିଛି । ଏଠାରେ ଗଦ୍ୟକାର ମହାରଣାଙ୍କ ଗଦ୍ୟ ଶୈଳୀର ଗୋଟିଏ ଉଦାହରଣ ଦିଆଯାଉ– “ସ୍ୱଦେଶ, ସ୍ୱଜାତି ଓ ସ୍ୱୀୟ ବଂଶୀୟ ଇତିହାସରେ ଅଭିଜ୍ଞ ହେଲେ ମାନବ ଆପଣାର ଦାୟିତ୍ୱ, ସତ୍ୱ ଓ ଦାବୀ ଉତ୍ତମରୂପେ ହୃଦୟଙ୍ଗମ କରିପାରେ । ଏହି ଅଭିଜ୍ଞତା ଇଂଲଣ୍ଡର ଶାସନତନ୍ତ୍ରକୁ ସୁଦୃଢ଼ ଭିତ୍ତି ପ୍ରଦାନ କରିଅଛି । ଏହି ଅଭିଜ୍ଞତା ଅନେକ ମହାତ୍ମାଙ୍କୁ ଆତ୍ମୋତ୍ସର୍ଗ ବ୍ରତରେ ଦୀକ୍ଷିତ କରିଅଛି । ସୁକୌଶଳରେ ଲିଖିତ ଇତିହାସକୁ ଭୂଚିତ୍ର ଅଥବା ନାଟ୍ୟାଭିନୟ ସହିତ ତୁଳନା କରାଯାଇପାରେ ।” (ଇତିହାସ)

 

ସାଧକ ଚନ୍ଦ୍ରମୋହନ ବିବରଣାତ୍ମକ, ବର୍ଣ୍ଣନାତ୍ମକ, ଚିନ୍ତାତ୍ମକ, ତଥ୍ୟମୂଳକ, ତାତ୍ତ୍ୱିକ, ସମ୍ବାଦଧର୍ମୀ ଓ ସମୀକ୍ଷାତ୍ମକ ଗଦ୍ୟ ରଚନାରେ ମନୋନିବେଶ କରିଥିଲେହେଁ, ମନେହୁଏ ଯେପରି ଚିନ୍ତାତ୍ମକ ଗଦ୍ୟ ରଚନା ସେ ଥିଲେ ସିଦ୍ଧହସ୍ତ । ଏହି ଶ୍ରେଣୀୟ ଗଦ୍ୟ ରଚନାରେ ତାଙ୍କର ମୌଳିକତା ଲକ୍ଷ୍ୟ କରାଯାଇଥାଏ । ବସ୍ତୁନିଷ୍ଠ ପ୍ରବନ୍ଧରେ ଚନ୍ଦ୍ରମୋହନଙ୍କୁ ତଥ୍ୟାନୁସନ୍ଧିତ୍ସୁ ଭାବରେ ଦେଖିବାକୁ ମିଳେ । ପ୍ରଜ୍ଞାର ସୁଦୂରପ୍ରସାରୀ ଭୂମିକା ମଧ୍ୟ ଏପ୍ରକାର ପ୍ରବନ୍ଧକୁ ଆହୁରି ଉଚ୍ଚକୋଟୀର କରିଥାଏ । ଗଦ୍ୟକାର ମହାରଣା ବ୍ୟକ୍ତିନିଷ୍ଠ ପ୍ରବନ୍ଧ ରଚନା କରିଛନ୍ତି । ତାହା ସ୍ୱଳ୍ପ ହେଲେ ମଧ୍ୟ, ସେଥିରେ ତାଙ୍କର ବାସ୍ତବ ଅଭିଜ୍ଞତା ଓ ଅନୁଭୂତି ଜୀବନ୍ତ ଭାବରେ ରୂପାୟିତ ହୋଇଛି ।

 

୧୯୨୧-୧୯୪୭, ଅର୍ଥାତ୍ ଗଦ୍ୟ ସାହିତ୍ୟର ଦ୍ୱିତୀୟ ଯୁଗ (ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟୟଠାରୁ) ଓଡ଼ିଆ ସାହିତ୍ୟର ଗଦ୍ୟ ରଚନାର ଅଭିବୃଦ୍ଧିରେ ଯଥେଷ୍ଟ ସାହାଯ୍ୟ କରିଛି । ଏହି ସମୟରେ କେତେଜଣ ସୁଯୋଗ୍ୟ ସମ୍ପାଦକଙ୍କ ବଳିଷ୍ଠ ସମ୍ପାଦନାରେ କେତୋଟି ଉଚ୍ଚକୋଟୀର ପତ୍ରିକା ଯଥା ‘ଉତ୍କଳ ସାହିତ୍ୟ’, ‘ମୁକୁର’, ‘ସତ୍ୟବାଦୀ’, ‘ସହକାର’, ‘ଯୁଗବୀଣା’, ‘ବାରୁଣୀ’, ‘ନବଭାରତ’ ଓ ‘ଡଗର’ ପ୍ରମୁଖ ପ୍ରକାଶ ପାଇ ଗଦ୍ୟ ସାହିତ୍ୟର ବିକାଶ ଦିଗରେ ପଦକ୍ଷେପ ନେଇଛି । ସେତେବେଳେ ବହୁ ପ୍ରାବନ୍ଧିକ ଏହି ସବୁ ପତ୍ରିକା ମାଧ୍ୟମରେ ନିଜ ପ୍ରତିଭା ଓ ନିଷ୍ଠାର ପରିଚୟ ଦେଇଛନ୍ତି । ଏସବୁ ପତ୍ରିକାର ପୁରତନ ସଂଖ୍ୟାଗୁଡ଼ିକ ଆଲୋଚନାକୁ ଆଣିଲେ, ଏ ଦିଗରେ ବହୁ ତଥ୍ୟ ଓ ତତ୍ତ୍ୱରୁ ସନ୍ଧାନ ମଳିଥାଏ । ତତ୍‌କାଳୀନ ପତ୍ରପତ୍ରିକାରୁ ଚନ୍ଦ୍ରମୋହନ ପ୍ରମୁଖ ଆହୁରି ବହୁ ଲେଖକ ସାହିତ୍ୟ ସାଧନା କରୁଥିବାର ପ୍ରମାଣ ମିଳୁଛି । ମାତ୍ର ସମସ୍ତେ ଆଲୋକକୁ ଆସିପାରି ନାହାନ୍ତି । ଏହା ପୂର୍ବରୁ ‘ସମ୍ବଲପୁର ହିତୈଷିଣୀ’ ଓ ‘ଉତ୍କଳପ୍ରଭା’ ପ୍ରକାଶ ପାଇ ଗଦ୍ୟକାରମାନଙ୍କୁ ରଚନା ଲାଗି ଯଥେଷ୍ଟ ସୁଯୋଗ ଦେଇଥିଲା । ଏ ପର୍ଯ୍ୟନ୍ତ ଚନ୍ଦ୍ରମୋହନଙ୍କ ପରି ଅନେକ ସାହିତ୍ୟିକ ତତ୍କାଳୀନ ପତ୍ରିକା ପୃଷ୍ଠାରେ ରହିଛନ୍ତି । ସେମାନେ ଅନାଲୋଚିତ ହେଲେ ସୁଦ୍ଧା, ସ୍ମରଣୀୟ ସାଧନା ଓ ପ୍ରତିଭାର ଅଧିକାରୀ । ଇତିହାସ ପୃଷ୍ଠା ସେମାନେ ମଣ୍ଡନ କରନ୍ତି । ଅବଦାନକୁ ଇତିହାସ ସ୍ୱୀକାର କରେ ।

 

ସେତେବେଳେ ଓଡ଼ିଆ ଭାଷାର ପାଠ୍ୟପୁସ୍ତକ ରଚନା କରିବା ଗୌରବାବହ ଘଟଣା । ପାଠ୍ୟପୁସ୍ତକର ରଚୟିତାଙ୍କ ପ୍ରତି ତତ୍‌କାଳୀନ ବୁଦ୍ଧିଜୀବୀମାନଙ୍କର ଦୃଷ୍ଟି ଆକର୍ଷିତ ହେଉଥିଲା । ଚନ୍ଦ୍ରମୋହନ ଏକଦା ଜଣେ ସୁପରିଚିତ ପାଠ୍ୟପୁସ୍ତକ ପ୍ରଣେତା ଭାବରେ ଖ୍ୟାତି ଲାଭ କରିଥିଲେ । ସେ ଓଡ଼ିଆ ଭାଷାର ମହତ୍ୱ ବଜାୟ ରଖିବା ଲାଗି ଜିଦରେ ପାଠ୍ୟପୁସ୍ତକ ରଚନା କ୍ଷେତ୍ରରେ ମନୋନିବେଶ କରିଥିଲେ । ବ୍ୟାସକବି ଫକୀରମୋହନ ମଧ୍ୟ ସର୍ବପ୍ରଥମେ ପାଠ୍ୟପୁସ୍ତକ ରଚନା କରି ଜଣେ ଲେଖକ ଭାବରେ ପରିଚିତ ହୋଇଥିବାର ଦୃଷ୍ଟାନ୍ତ ରହିଛି । ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଲେଖାଯାଇ ପାରିବ ନାହିଁ । ଓଡ଼ିଆ ଭାଷା ସ୍ୱତନ୍ତ୍ର ଭାଷାର ଗୌରବ ଲାଭ କରିବା ଲାଗି ସାମର୍ଥ୍ୟ ଅର୍ଜନ କରିନାହିଁ । ଏହି ଚିନ୍ତାଧାରାର ପ୍ରତିବାଦସ୍ୱରୂପ ଚନ୍ଦ୍ରମୋହନଙ୍କ ସମେତ ଆହୁରି କେତେଜଣ ଜାତି ଓ ଭାଷାପ୍ରେମୀ ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ସମ୍ମାନ ଦେବା ଆଶାରେ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଲେଖିବା ଲାଗି ଆଗଭର ହୋଇଥିଲେ ।

 

ଶିକ୍ଷକତା ଜୀବନରେ ଉପଦେଶ ଓ ନୀତିଗତ ଆଦର୍ଶ ପଥରୁ ଚନ୍ଦ୍ରମୋହନ ବିଚ୍ୟୁତ ହୋଇନାହାନ୍ତି । ସଂସ୍କାରବାଦୀ ଭାବରେ ସାହିତ୍ୟ ମାଧ୍ୟମରେ ଲୋକ ଚରିତ୍ରର ସଂସ୍କାର ଲାଗି ସେ ଉଦ୍ୟମ କରିଛନ୍ତି । ସାହିତ୍ୟ ରଚନାରେ ନୀତି ଆଦର୍ଶକୁ ଉଚ୍ଚ ସ୍ଥାନ ଦେଇ ଆଦର୍ଶଭିମୁଖୀ ସାହିତ୍ୟ ସୃଷ୍ଟି କରିଥିଲେ । ସେ ଜଣେ ଉଚ୍ଚକୋଟୀର ବୈୟାକରଣିକ ଥିବାରୁ ତାଙ୍କ ରଚନାରେ ବ୍ୟାକରଣଗତ ତ୍ରୁଟି ପ୍ରତି ଖୁବ୍ ସଚେତନ ରହିଥିଲେ । ଚନ୍ଦ୍ରମୋହନ ଉଚ୍ଚ ଶିକ୍ଷିତ ଥିବାରୁ ପାଶ୍ଚାତ୍ୟ ସାହିତ୍ୟ ଅଧ୍ୟୟନ ଓ ବିଶ୍ଳେଷଣର ସୁଯୋଗ ପାଇଥିଲେ । ସେଥିଲାଗି ମାତୃଭାଷାରେ ପ୍ରବନ୍ଧ ରଚନା ସମୟରେ ସେ ତୁଳନାତ୍ମକ ଦୃଷ୍ଟିରୁ ସୁଚିନ୍ତିତ ମତାମତ ଉପସ୍ଥାପନ କରିପାରନ୍ତି । ହଠାତ୍ କୌଣସି ସୃଷ୍ଟିକୁ ସେ ମୁଦ୍ରଣ କରିବା ଲାଗି ଚାହୁଁ ନ ଥିଲେ । ବାରମ୍ବାର ଗୋଟିଏ ସୃଷ୍ଟିକୁ ପରିମାର୍ଜିତ କରିସାରିଲା ପରେ, ସୃଷ୍ଟିଟି ପୂର୍ଣ୍ଣାଙ୍ଗ ହେଲା ବୋଲି ଭାବନ୍ତି । ଏପାଇଁ ଦୀର୍ଘ ସମୟ ଲାଗିଲେ ସୁଦ୍ଧା, ସେ ଆଦୌ ବ୍ୟଗ୍ର ହୁଅନ୍ତି ନାହିଁ ।

 

ଚନ୍ଦ୍ରମୋହନ ରାଧାନାଥ ସାହିତ୍ୟର ଜଣେ ଏକନିଷ୍ଠ ପାଠକ ଥିଲେ । ମାତ୍ର ଅନ୍ଧ ସ୍ତାବକତାଠାରୁ ଦୂରରେ ଥାଆନ୍ତି । ଯୁକ୍ତିବାଦୀ ଭାବରେ ପ୍ରତ୍ୟେକ କଥାକୁ ବଳିଷ୍ଠ ଯୁକ୍ତି ମାଧ୍ୟମରେ ପ୍ରକାଶ କରନ୍ତି । ଏପିରିକି ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ର କଳହ ସମୟରେ ରାଧାନାଥଙ୍କୁ ସେ ବ୍ୟକ୍ତିଗତ ବଳିଷ୍ଠ ଯୁକ୍ତିର ସହ ସମର୍ଥନ କରିଥିଲେ । ବହୁ ବିପକ୍ଷ ସାହିତ୍ୟପ୍ରେମୀମାନେ ଚେଷ୍ଟା କରି ମଧ୍ୟ, ତାଙ୍କୁ ପ୍ରଭାବିତ କରିପାରିଲେ ନାହିଁ । ସମସ୍ତ ବିରୋଧ ମତକୁ ଚନ୍ଦ୍ରମୋହନ ଯୁକ୍ତି ଦର୍ଶାଇ ଖଣ୍ଡନ କରି ପାରିଥିଲେ । କବି ରାଧାନାଥଙ୍କର ସେ ଜଣେ ଦୃଢ଼ ସମର୍ଥକ ଭାବରେ ସେତେବେଳେ ସ୍ୱୀକୃତି ପାଇଥିଲେ ।

 

ସାଧକ ଚନ୍ଦ୍ରମୋହନ ଉଚ୍ଚକୋଟୀର କବି ହୋଇ ନ ପାରନ୍ତି । ତେବେ ତାଙ୍କର ଯେ କବି ପ୍ରତିଭା ନ ଥିଲା ତାହା କେବେ କୁହାଯାଇପାରିବ ନାହିଁ । ଗ୍ରାମ୍ୟ ପରିବେଶ ଓ ତା’ର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ଯେଉଁ କବିତା ରଚନା କରିଛନ୍ତି, ସେଗୁଡ଼ିକ ଜୀବନ୍ତ ହୋଇଉଠିଛି । ପାଠକର ପ୍ରାଣକୁ ଏହି କବିତା ସ୍ପର୍ଶ କରେ । ବର୍ଣ୍ଣନାର ଗୋଟିଏ ଉଦାହରଣ–

 

“ଆକାଶ ବିମଳ ଚନ୍ଦ୍ରମା ବିମଳ

 

ବିମଳ ତାରକା ପୁଞ୍ଜ,

ସ୍ୱଚ୍ଛ ସରୋବର ନଦୀ ଝର ନୀର

 

ସୁରଭି ସୁଚିତ୍ର କୁଞ୍ଜ ।”

 

ଅନ୍ୟତ୍ର କବି ଚନ୍ଦ୍ରମୋହନ ପ୍ରକୃତି ବର୍ଣ୍ଣନା ପ୍ରସଙ୍ଗରେ ଲେଖିଛନ୍ତି–

 

“ନିଶାରେ ଅଜସ୍ର ତୁଷାର ବର୍ଷିଲା

ଧଳା ଭସ୍ମ ବୋଳା ତପସ୍ୱୀ ମହିଳା

ପରାଟଏ ଯାମିନୀ ଦିଶିଲା ।” ଇତ୍ୟାଦି

 

ତାଙ୍କର କାବ୍ୟ ସାଧନା ଥିଲା ଅଦ୍‌ଭୁତ । ଅଳ୍ପ ବୟସରୁ ତାଙ୍କର ପ୍ରତିଭା ବିକଶିତ ହୋଇଥିଲା । ତରୁଣ ଚନ୍ଦ୍ରମୋହନ କରୁଣ ରସ ପରିବେଷଣରେ ଆପଣା କୃତିତ୍ୱ ପ୍ରଦର୍ଶନ କରିଛନ୍ତି । ସେତେବେଳକୁ ସାହିତ୍ୟ ସାଧନାର ପରିଣତ ବୟସରେ ଚନ୍ଦ୍ରମୋହନ ଉପନୀତ ହୋଇନଥାନ୍ତି । ମାତ୍ର ଗୋଟିଏ ୧୬ ଦିନର ସନ୍ତାନର ବିୟୋଗରେ ସେ ଯାହା ଲେଖିଛନ୍ତି, ବାସ୍ତବିକ ଉଲ୍ଳେଖନୀୟ–

 

“ଏହା କି ଅବିଧି

ନିଧି ଦେଇ ବିଧି

କ୍ଷଣକରେ ନେଲା ହରି,

ପ୍ରଭୁ ବିଶ୍ୱକର୍ତ୍ତା

ଦାତା ହୋଇ ହର୍ତ୍ତା

କେଉଁ ପାପ ଏହା ସରି?”

X X X

 

“କଂପେ ଥର ଥର

ନବୀନା ଅଧର

ଅଶୋକ ପ୍ରବାଳ ତୁଳ,

ଜ୍ୟୋତିର୍ହୀନ ତଥା

କିଶଳୟ ଯଥା

ହେଲେ ତରୁ ଛିନ୍ନମୂଳ ।”

 

କବିତା ରଚନାରେ ସେ ବିଶେଷ ମନୋନିବେଶ କରିନାହାନ୍ତି । ମାତ୍ର ଗୋଟିଏ ଗୋଟିଏ କବିତା ତାଙ୍କ ସାଧକ ଜୀବନର ପ୍ରତିଛବି ବହନ କରିଛି । କବି ଚନ୍ଦ୍ରମୋହନଙ୍କ କାବ୍ୟ ସାଧନାରେ ମୁଗ୍‌ଧ ହୋଇ ତାଙ୍କର ଗୋଟିଏ କବିତା ପାଠ କଲାପରେ, ଫକୀରମୋହନ ଲେଖିଥିଲେ–

 

“ଆହେ ଚନ୍ଦ୍ର ମହାରଣେ ହେଉ ହେଉ ହେଉ

ଆଉ ଥରେ ଢାଳିଦିଅ କବିତାର ଢେଉ ।

ଛପାଇବେ ରାମଚନ୍ଦ୍ର ଚିନ୍ତା କିଏ ଆଉ

ମାରିନେବ ଟଙ୍କା ମୁଠେ ଠୁଙ୍କି ଦେଇ ବାହୁ ।”

 

ସାଧକ ଚନ୍ଦ୍ରମୋହନ ଅନାଲୋଚିତ ପ୍ରତିଭା । ସେ ପାଠ୍ୟପୁସ୍ତକ ଭିତରେ ରହିଗଲା ପରି ବୋଧହୁଏ । ପାଠ୍ୟପୁସ୍ତକ ରଚନା ଉପରେ ସାଧନାକୁ କେନ୍ଦ୍ରୀଭୂତ କରିଥିବାରୁ ସାଧାରଣ ସାହିତ୍ୟ ସୃଷ୍ଟି ଲାଗି ହୁଏତ ଚନ୍ଦ୍ରମୋହନ ଅବସର ପାଇ ନ ଥିଲେ । କିନ୍ତୁ ଗୋଟିଏ ଯୁଗର ସାହିତ୍ୟ ଧାରାକୁ ଉଜ୍‌ଜୀବିତ କରି ରଖିବା ଲାଗି ତାଙ୍କର ଲେଖନୀ ଯେପରି ଭୂମିକା ଗ୍ରହଣ କରିଥିଲା ତାହା ବିଚାରକୁ ନେବା ସମାଲୋଚକର କର୍ତ୍ତବ୍ୟ । ଓଡ଼ିଆ ସାହିତ୍ୟର ଘଡ଼ିସନ୍ଧି ମୁହୂର୍ତ୍ତରେ, ଭାଷା-ସଂଗ୍ରାମର ଭୂମି ଉପରେ ଚନ୍ଦ୍ରମୋହନ ଜଣେ ଜାତୀୟବାଦୀ ସାହିତ୍ୟିକଭାବେ ଯେଉଁ ବଳିଷ୍ଠ ଅବଦାନ ଦେଇଯାଇଛନ୍ତି, ତାହା ଆଲୋଚିତ ହେବା ଆବଶ୍ୟକ ।

ଭଦ୍ରକ

-୦-

 

ରେମୁଣାର ବରପୁତ୍ର ଚନ୍ଦ୍ରମୋହନ

ବାଞ୍ଛାନିଧି ଦାସ

 

ପରାଧୀନତାର ନିଗଡ଼ ମଧ୍ୟରେ ଦୁଇଶହ ବର୍ଷ ଭାରତ ଜନନୀ ନାନା ପ୍ରକାର ନିର୍ଯ୍ୟାତନା ଭୋଗିଥିଲେ । ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳ ବ୍ରିଟିଶ ଶାସନାଧୀନ ହେବାରୁ ଓଡ଼ିଶାର ଶାସନ ବିପର୍ଯ୍ୟସ୍ତ ହୋଇଥିଲା । ଏହାର କିୟଦଂଶ ମାନ୍ଦ୍ରାଜ, କିୟଦଂଶ ମଧ୍ୟପ୍ରଦେଶ ଓ ପ୍ରଧାନ ତଥା ବୃହଦଂଶ ବଙ୍ଗଳାର ରାଜନୈତିକ ଶାସନର ଅନ୍ତର୍ଭୁକ୍ତ ହୋଇଥିଲା । ଏହି ଦୁର୍ଯ୍ୟୋଗରେ ଓଡ଼ିଶାର ପ୍ରଭୂତ କ୍ଷତି ହୋଇଥିଲା । ସମସ୍ତ କ୍ଷତି ମଧ୍ୟରେ ପ୍ରଧାନ କ୍ଷତି ହୋଇଥିଲା ଆମ ଭାଷାର । ଓଡ଼ିଆ ଭାଷାର ଲୋପ ପାଇଁ କେତେକ ଅଣଓଡ଼ିଆ ରୀତିମତ ଚକ୍ରାନ୍ତ କରିଥିଲେ । ମାତ୍ର ଭଗବାନଙ୍କର ଅପାର କରୁଣାରୁ କେତେଜଣ ଜାତି ଓ ଭାଷାପ୍ରେମୀ ଓଡ଼ିଆ ଭାଷାର ସ୍ୱାତନ୍ତ୍ର‌୍ୟ ପ୍ରମାଣ ଓ ରକ୍ଷା ଲାଗି ପ୍ରାଣପଣେ ଉଦ୍ୟମ କରି ଯଶସ୍ୱୀ ହୋଇଥିଲେ । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଶାର ସାହିତ୍ୟ କ୍ଷେତ୍ରରେ ଯେଉଁ ସଙ୍କଟ ଦେଖା ଦେଇଥିଲା, ତାହାର ନିରାକରଣ ପାଇଁ ଯେଉଁ କେତେଜଣ ସାହିତ୍ୟ ରଥୀ ନିଜ ନିଜର ବଳିଷ୍ଠ ଲେଖନୀ ଚାଳନ କରି ଏହାକୁ ପୁନର୍ଜୀବନ ପ୍ରଦାନ କରିଥିଲେ, ସେମାନଙ୍କ ମଧ୍ୟରେ ସୁନାମଧନ୍ୟ ଚନ୍ଦ୍ରମୋହନ ମହାରଣା ଅନ୍ୟତମ ।

 

ଚନ୍ଦ୍ରମୋହନ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ଏକ କୁଳୀନ ସ୍ୱର୍ଣ୍ଣକାର ପରିବାରରେ ୧୮୭୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କର ନାମ ଅନାଦି ଓ ମାତାଙ୍କର ନାମ ଦେବକୀ । ପିତାଙ୍କର ଆର୍ଥିକ ଅବସ୍ଥା ମନ୍ଦ ଥିବାରୁ ଓ ବାଲ୍ୟାବସ୍ଥାରୁ ପିତୃହୀନ ହୋଇ ପଡ଼ିଥିବାରୁ ଚନ୍ଦ୍ରମୋହନ ବହୁ କଷ୍ଟରେ ଭାଇ ଓ ଭଉଣୀମାନଙ୍କୁ ପାଳନ କରିବା ସଙ୍ଗେ ସଙ୍ଗେ ଛାତ୍ର ବୃତ୍ତି ଓ ଋଣଦ୍ୱାରା ଅଧ୍ୟୟନ କରିଥିଲେ । ତୀକ୍ଷ୍‌ଣ ମେଧା ଓ ପ୍ରତିଭାର ଅଧିକାରୀ ହୋଇଥିଲେହେଁ ଅଧ୍ୟବସାୟ ତାଙ୍କ ସାଧନାର ବିଶେଷତ୍ୱ ଥିଲା । ରେଭେନ୍ସା କଲେଜରେ ପଢ଼ିବାବେଳେ ତାଙ୍କର କେତେକ କବିତା ଓ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା । ତାହା ପାଠକରି କେତେଜଣ ବିଶିଷ୍ଟ ଓଡ଼ିଆ ଚନ୍ଦ୍ରମୋହନଙ୍କର ସାହିତ୍ୟ ସୃଷ୍ଟିର ଆଭାସ ପାଇଥିଲେ । ତନ୍ମଧ୍ୟରୁ ଓଡ଼ିଆ ଭଷାର ଅନ୍ୟତମ ରକ୍ଷାକର୍ତ୍ତା ଓ ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ଜନ୍ମଦାତା କବିବର ରାଧାନାଥ ପ୍ରଧାନ । ସେ ଚନ୍ଦ୍ରମୋହନଙ୍କୁ ଡାକି ଆଣି ବାଲେଶ୍ୱର ଜିଲ୍ଲାସ୍କୁଲରେ ସହକାରୀ ଶିକ୍ଷକ ପଦରେ ନିଯୁକ୍ତି ଦେଲେ । ସେତେବେଳକୁ ରାଧାନାଥ ଓଡ଼ିଶାର ବିଦ୍ୟାଳୟ ସମୁହର ଇନ୍‍ସପେକ୍ଟର ଥାଆନ୍ତି । ପରେ ଚନ୍ଦ୍ରମୋହନ ପୁରୀ ଜିଲ୍ଲା ସ୍କୁଲକୁ ବଦଳି ହୋଇଥିଲେ । ସମୟକ୍ରମେ ପୁରୀ ଓ ବାଲେଶ୍ୱରରେ ଡେପୁଟି ଇନ୍‌ସପେକ୍ଟର ହୋଇଥିଲେ । ପୁରୀ ଜିଲ୍ଲା ସ୍କୁଲରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ । ଜଣେ ଓଡ଼ିଆର ଏତାଦୃଶ ନିଯୁକ୍ତିରେ ଈର୍ଷାନ୍ୱିତ ହୋଇ ଅନେକ ଅଣଓଡ଼ିଆ ତାଙ୍କୁ ନାନା ସମାଲୋଚନା କରିଥିଲେ । ସେତେବେଳେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ସ୍ଥିତି ରାଜନୈତିକ ପରିବର୍ତ୍ତନ ସହ ଜଡ଼ିତ ଥିଲା । ଓଡ଼ିଆମାନଙ୍କର ସ୍ଥିତି ଓ ଉନ୍ନତି ଅଣଓଡ଼ିଆ ସରକାରୀ କର୍ମଚାରୀମାନଙ୍କର ମର୍ଜି ଉପରେ ନିର୍ଭର କରୁଥିଲା ଏବଂ ବହୁକ୍ଷେତ୍ରରେ ଅପେକ୍ଷାକୃତ ଅଧିକ ଯୋଗ୍ୟତା, ଶିକ୍ଷା ଓ ଦକ୍ଷତା ଥିଲେ ସୁଦ୍ଧା ଓଡ଼ିଆମାନେ ଉପେକ୍ଷିତ ହେଉଥିଲେ । ସେହି ପରିବେଶରେ କଠୋର ଶୃଙ୍ଖଳା, ଅଧ୍ୟବସାୟ ଓ ଅନ୍ୟାନ୍ୟ ସାଧାରଣ ନିଷ୍ଠାବଳରେ ଚନ୍ଦ୍ରମୋହନ ସମସ୍ତଙ୍କର ସମ୍ମାନ ପାଇପାରିଥିଲେ ।

 

ସେ ପୁରୀ ଜିଲ୍ଲା ସ୍କୁଲରେ ହେଡ଼୍‍ମାଷ୍ଟର ଥିଲାବେଳେ ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର ଓ ଗୋଦାବରୀଶ ମିଶ୍ର ତାଙ୍କର ଛାତ୍ର ଥିଲେ । ସତ୍ୟବାଦୀ ବକୁଳ ଛୁରୀଅନା ବିଦ୍ୟାଳୟରେ ଏହି କୃତୀ, ଆଦର୍ଶ ଦେଶପ୍ରେମୀ ଶିକ୍ଷକମାନେ ନିଜ ନିଜର ଆତ୍ମଜୀବନୀ ପୁସ୍ତକରେ ସ୍ୱୀୟ ପ୍ରଧାନ ଶିକ୍ଷକଙ୍କରର ଯଥାର୍ଥ ଗୁଣଗାନ କରିଛନ୍ତି । ଗୋଦାବରୀଶ କହିଛନ୍ତି, “ହେଡ଼୍‍ମାଷ୍ଟର ଚନ୍ଦ୍ରମୋହନ ନିଷ୍ଠାପର, ଆଦର୍ଶ, ନୀତିବାନ ଓ ଛାତ୍ରବତ୍ସଳ ଗୁରୁ ଥିଲେ ।” ନୀଳକଣ୍ଠ କହନ୍ତି, ହେଡ଼୍‍ମାଷ୍ଟର ଖୁବ୍ ବିଚାରବନ୍ତ ଓ କଠୋର ଶୃଙ୍ଖଳାବାନ ବ୍ୟକ୍ତି । ଜଣେ କୃତୀ ଛାତ୍ର ସୁସାହିତ୍ୟିକ ହରିଶ୍ଚନ୍ଦ୍ର ବଡ଼ାଲ ‘ଆମ ନୂଆ ହେଡ଼୍‍ମାଷ୍ଟର’ ଶୀର୍ଷକ ପ୍ରବନ୍ଧରେ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନଙ୍କର ନିର୍ଭୀକତା, ପାଣ୍ଡିତ୍ୟ, ଛାତ୍ର ବତ୍ସଳତା, ସୌଜନ୍ୟ ପ୍ରଭୃତି ବିଶିଷ୍ଟ ଗୁଣାବଳୀ ବର୍ଣ୍ଣନା କରିଛନ୍ତି । ପଣ୍ଡିତ ନୀଳକଣ୍ଠ, ଚନ୍ଦ୍ରମୋହନଙ୍କର ଚରିତ୍ରବତ୍ତାର ଏକ ସୁନ୍ଦର ଉଦାହରଣ ଦେଇ କହିଛନ୍ତି ଯେ, ପିଲାମାନଙ୍କର ଚରିତ୍ର ଗଠନ ବିଷୟରେ ହେଡ଼୍‍ମାଷ୍ଟର କିପରି ତାଙ୍କର (ନୀଳକଣ୍ଠ) କଥାକୁ ସତ୍ୟ ବୋଲି ଜାଣି good manners prize ପାଇବାକୁ ଯୋଗ୍ୟ ବୋଲି ବିବେଚିତ ପିଲାର ନାମ ପରିବର୍ତ୍ତନ କରିଥିଲେ । ନର୍ମାଲ ସ୍କୁଲରେ ଏହିପରି ଏକ ଘଟଣାରେ ଜଣେ ଛାତ୍ରର ଚାରିତ୍ରିକ ତ୍ରୁଟିର ପ୍ରମାଣ ତାଙ୍କୁ ସ୍କୁଲରୁ ବହିଷ୍କାର କରି ଦେଇଥିଲେ । ଏହି ଘଟଣା ଯୋଗୁଁ କେତେକ ଯୁବକଙ୍କର ଅସାମାଜିକ ବିଦ୍ୱେଶମୂଳକ ଆଚରଣର ପ୍ରତିବିଧାନସ୍ୱରୂପ ଅନ୍ୟ କେତେଜଣ ଅଣଓଡ଼ିଆ ପ୍ରଭାବଶାଳୀ ସରକାରୀ କର୍ମଚାରୀ ଚନ୍ଦ୍ରମୋହନ ମହାରଣାଙ୍କୁ କୋର୍ଟରେ ଅଭିଯୁକ୍ତ କରିଥିଲେ । ଉତ୍କଳ ଗୌରବ ମଧୁସୂଦନ ଓ ବିଶିଷ୍ଟ ଆଇନଜୀବୀ ଗୋକୁଳାନନ୍ଦ ଚୌଧୁରୀଙ୍କ ସାହାଯ୍ୟରେ ସେ ଦଣ୍ଡରୁ ନିଷ୍କୃତି ପାଇଥିଲେ । ସେ ଗୋଦାବରୀଶୀଙ୍କର ଇଂରାଜୀ ଉଚ୍ଚାରଣରେ ଏପରି ଶୁଦ୍ଧତା ଓ ସାବଲୀଳତା ଆଣି ଦେଇପାରିଥିଲେ ଯେ, ପରେ ରେଭେନ୍ସା କଲେଜର ଏକ ଇଂରାଜୀ ନାଟକ ଅଭିନୟରେ ଗୋଦାବରୀଶ ଇଂରେଜ ସାହେବମାନଙ୍କୁ ସୁଦ୍ଧା ମୁଗ୍‌ଧ କରିଦେଇଥିଲେ । ପଣ୍ଡିତ ଗୋଦାବରୀଶ ତାଙ୍କର ଆତ୍ମଜୀବନୀରେ ଲେଖିଛନ୍ତି “ଉଚ୍ଚାରଣ ହେଉ ବା ଭାଷାଜ୍ଞାନ ହେଉ, ଇଂରାଜୀରେ ଉତ୍ପତ୍ତି ନିମନ୍ତେ ମୁଁ ଚନ୍ଦ୍ରମୋହନ ବାବୁଙ୍କଠାରେ ଋଣୀ ।” ବାସ୍ତବିକ ସେ ସମୟରେ ସମଗ୍ର ଓଡ଼ିଶାରେ ଶିକ୍ଷକମାନେ ମଧ୍ୟରେ ଇଂରାଜୀ ଲେଖିବା ଓ କହିବାରେ ଗୋଦାବରୀଶ ଅସାଧାରଣ ଓ ଅଗ୍ରଗଣ୍ୟ ଥିଲେ ।

 

ଚନ୍ଦ୍ରମୋହନଙ୍କର ଗଣିତ ଜ୍ଞାନ ଅସାଧାରଣ ଥିଲା । ପଣ୍ଡିତ ନୀଳକଣ୍ଠ କହନ୍ତି ଯେ, algebraର କଠିନ ଅଙ୍କ ଓ ସୂତ୍ରଗୁଡ଼ିକ ସୁନ୍ଦରଭାବେ ଅବଲୀଳା କ୍ରମେ ସେ ଛାତ୍ରମାନଙ୍କୁ ବୁଝାଇ ଦେଉଥିଲେ । ଅଙ୍କ ବୁଝେଇବା ପାଇଁ ତାଙ୍କର ସମୟ ଅସମୟ ନ ଥିଲା । ଏପରିକି ରାତି ୧୧ଟାବେଳେ ସୁଦ୍ଧା ଅଙ୍କ ବୁଝାଇବା ପାଇଁ କୌଣସି ଛାତ୍ର ଆସିଲେ ସେ ନିଦରୁ ଉଠି ଧୈର୍ଯ୍ୟର ସହିତ ଅଙ୍କ ଆଦି ବୁଝାଇ ଦେଉଥିଲେ । ସେ ଓଡ଼ିଆ, ସଂସ୍କୃତ ଓ ଇଂରାଜୀରେ ବିଶେଷ ଧୂରନ୍ଧର ଥିଲେ । ବିଶେଷତଃ ବ୍ୟାକରଣ ଶିକ୍ଷା ପ୍ରତି ତାଙ୍କର ଅନୁରାଗ ଥିଲା । ଗଣିତ ପଢ଼ାଉଥିବା ସମୟରେ ମଧ୍ୟ ବ୍ୟାକରଣଗତ ତ୍ରୁଟି ସେ ସହ୍ୟ କରୁନଥିଲେ । ସାଧାରଣ କଥାବାର୍ତ୍ତାବେଳେ ସେ ବ୍ୟାକରଣଗତ ଅଶୁଦ୍ଧି ସଂଶୋଧନ କରାଉଥିଲେ ।

 

ଚନ୍ଦ୍ରମୋହନଙ୍କର ନିଷ୍ଠା ବଳରେ କଟକ ନର୍ମାଲ ସ୍କୁଲରେ ଯେଉଁ ସାହିତ୍ୟ ଆଲୋଚନା ସଭା ଜନ୍ମଲାଭ କରିଥିଲା, ପରବର୍ତ୍ତୀ କାଳରେ ତାହ ‘ଉତ୍କଳ ସାହିତ୍ୟ ସମାଜ’ ନାମରେ ପରିଚିତ ହୋଇ ଓଡ଼ିଆ ଭାଷା ଓ ସାହିତ୍ୟର ସାମ୍ୟକ ଉନ୍ନତି ସାଧନ କରିଅଛି । ୧୮୯୪ ମସିହାରେ କଟକ ନର୍ମାଲ ସ୍କୁଲରେ ଅନୁଷ୍ଠିତ ଏହାର ଗୋଟିଏ ଅଧିବେଶନରେ ଚନ୍ଦ୍ରମୋହନ ‘ସାହିତ୍ୟ’ ନାମକ ଏକ ପ୍ରବନ୍ଧ ପାଠ କରିଥିଲେ ଏବଂ ଏହି ପ୍ରବନ୍ଧ ‘ଶିକ୍ଷା ବନ୍ଧୁ’ ସାହିତ୍ୟ ପତ୍ରିକାରେ ପ୍ରଥମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ୧୯୧୦ ଖ୍ରୀଷ୍ଟାବ୍ଦରେ ତାଙ୍କର ପ୍ରଣୀତ ‘ଓଡ଼ିଆ ବ୍ୟାକରଣ’ ପ୍ରକାଶିତ ହୋଇଥିଲା ।୧୯୦୭ରୁ ୧୯୧୯ ପର୍ଯ୍ୟନ୍ତ କଟକ ନର୍ମାଲ ସ୍କୁଲରେ ପ୍ରଧାନ ଶିକ୍ଷକ ଥିବା ସମୟରେ ନାନା ପତ୍ର ପତ୍ରିକାରେ ତାଙ୍କର ପ୍ରବନ୍ଧମାନ ପ୍ରକାଶିତ ହେଉଥିଲା । ସେହି ସମୟରେ ସେ ଏକ ରଚନା ପୁସ୍ତକ ପ୍ରଣୟନ କରିଥିଲେ । ତାଙ୍କ ପ୍ରଣୀତ ‘କଥାବଳୀ’ ତତ୍କାଳୀନ ପାଠ୍ୟ ପୁସ୍ତକରୂପେ ଚଳୁଥିଲା । ତାଙ୍କର କବିତାଗୁଡ଼ିକ ମଧ୍ୟରୁ ବକୁଳ, ଖଣ୍ଡଗିରି, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ଋତୁର ବର୍ଣ୍ଣନା ଅତି ମନୋମୁଗ୍‌ଧକର । ଚନ୍ଦ୍ରମୋହନଙ୍କର କଥାବଳୀର ଗଦ୍ୟ ରଚନାଗୁଡ଼ିକ ମଧ୍ୟ ସୁଖପାଠ୍ୟ ହେବା ସଙ୍ଗେ ସଙ୍ଗେ ଗଳ୍ପ ମାଧ୍ୟମରେ ଛାତ୍ରମାନଙ୍କୁ ନୀତି ଓ ଆଦର୍ଶ ଶିକ୍ଷା ଦିଏ । F.A ବା ବର୍ତ୍ତମାନର I.A ଶ୍ରେଣୀରେ ପଢ଼ୁଥିବାବେଳେ ଯେଉଁ କେତୋଟି କବିତା ସେ ରଚନା କରିଥିଲେ ସେଗୁଡ଼ିକୁ ଏକତ୍ର କରି ସେ ‘ନବୋଦ୍ୟମ’ ପ୍ରକାଶ କରିଥିଲେ । ଏହା ୧୮୮୮ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା ଓ ଏଥିରେ ୧୫ଟି କବିତା ସ୍ଥାନ ପାଇଥିଲା । ଏଥିମଧ୍ୟରୁ ଅଧିକାଂଶ ଚତୁର୍ଦ୍ଦଶପାଦୀ କବିତା । ଇଂରେଜ ସନେଟ୍ ଶୈଳୀରେ ଲିଖିତ । ସମସାମୟିତ ସାହିତ୍ୟଦ୍ୱାରା କବି ଓ ଲେଖକମାନେ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ଚନ୍ଦ୍ରମୋହନଙ୍କର ରଚିତ ‘ନିର୍ବାସିତା ସୀତାର ସ୍ୱାଗତ’ କବିତାରୁ ତପସ୍ୱିନୀ କାବ୍ୟର ପ୍ରଣୟନ ପାଇଁ ସ୍ୱଭାବକବି ଗଙ୍ଗାଧର ପ୍ରେରଣା ପାଇଥିବେ ବୋଲି ଅନୁମାନ କରିବା ଅସମୀଚୀନ ହେବନାହିଁ ।

 

କୌଣସି ଏକ ପୁତ୍ର-ବିଧୁରା ତରୁଣୀ ଜନନୀର ଶୋକ କବିପ୍ରାଣକୁ ସମ୍ବେଦନଶୀଳ କରିଛି ଏବଂ ସେ ସେଥିପାଇଁ ଲେଖିଛନ୍ତି-

 

“ନାହିଁ ଯାର ତୁଳା ଲବଣୀ ପିତୁଳା

 

ବାଳା କଷ୍ଟେ ଲଭିଥିଲା,

ଷୋହଳ ଦିନରୁ ପାଇ କୁମାରକୁ

 

କୋମଳାଙ୍ଗୀ ହରାଇଲା ।

X X X

ଏକେତ ଯୌବନ ରତନେ ରତନ

 

ତହିଁ ଶିଶୁମଣି ଯୋଗ,

ଈର୍ଷାନଳେ ପଡ଼ି ଦେବତାଏ ପୋଡ଼ି

 

ଘଟାଇଲେ ବିପ୍ରଯୋଗ ।”

(କଥାବଳୀ-୨)

 

ଚନ୍ଦ୍ରମୋହନ ମହାରଣାଙ୍କ ବିବିଧ ପ୍ରକୃତି ବର୍ଣ୍ଣନା କିପରି କବିତ୍ୱପୂର୍ଣ୍ଣ ଓ ରସାଳତା ପୂର୍ଣ୍ଣ ତା’ର କେତେକ ଉଦାହରଣ ନ ଦେଲେ ଆଲୋଚନା ଅପୂର୍ଣ୍ଣ ହେବ ।

 

ବର୍ଷା କବିତାରେ –

 

“ଘଞ୍ଚ ଗୁଳ୍ମରାଜି କରେ ମଣ୍ଡନ

ଘନ-ପୀତକାନ୍ତ ଶଣ ସୁମନ;

ପଥିକ ନେତ୍ରେ ଏ ନବ ଅତିଥି

ନ ମାଗୁ ଅଜାଡ଼ି ଦିଏ ସୁପ୍ରୀତି;

ଅପୂର୍ବ ଭିଆଣ

ଧରଣୀ ଶିରେ କି ହେମ ବିତାନ?”

(କଥାବଳୀ-୨)

 

‘ବସନ୍ତ’ ବର୍ଣ୍ଣନା –

 

“ଧରା ଜରା କରି ଗଲା ଅପସରି

 

ଶିଶିର ସମୟ ଧୀରେ;

ସିଞ୍ଚି ସଂଜୀବନୀ ଋତୁ ଶିରୋମଣି

 

ପ୍ରବେଶ କଲେ ମହୀରେ

X X X

ଛାଡ଼ି ଛାଡ଼ି ଶୀତ ହେଲାଣି ଅତୀତ

 

ଗ୍ରୀଷ୍ମ ମାଡ଼ି ଆସି ନାହିଁ

ଶ୍ରାବଣେ ଦୁର୍ଗମ ବରଷା କର୍ଦ୍ଦମ

 

ବହୁ ଦୂରେ ଅଛି କାହିଁ ।”

(କଥାବଳି-୨)

 

ଚନ୍ଦ୍ରମୋହନଙ୍କର ଶିଶିର ବର୍ଣ୍ଣନା–

 

“ନିଶାରେ, ଅଜସ୍ର ତୁଷାର ବର୍ଷିଲା

ଧଳା ଭସ୍ମ ବୋଳା ତପସ୍ୱୀ ମହିଳା

ପରାଏ ଯାମିନୀ ଦିଶିଲା ।”

(କଥାବଳୀ-୨)

 

ଚନ୍ଦ୍ରମୋହନଙ୍କର ସଂସ୍କୃତ ପ୍ରୀତି ସମ୍ବନ୍ଧରେ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଆତ୍ମଜୀବନୀରେ ଏକ ସୁନ୍ଦର ବର୍ଣ୍ଣନା କରିଛନ୍ତି । ଡେପୁଟି ଇନ୍‌ସପେକ୍ଟର ଥିବା ସମୟରେ କୌଣସି ଏକ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ରହିଥିବାବେଳେ କୋଇଲିଟିଏ ବୋବାଉଥିବାର ଶୁଣି ହେଡ଼୍‍ପଣ୍ଡିତଙ୍କୁ ପଚାରିଲେ, କହନ୍ତୁତ ପଣ୍ଡିତ ମହାଶୟ, ଏ କୋଇଲିଟି ମାଈ କି ଅଣ୍ଡିରା ? ପଣ୍ଡିତ ମହାଶୟ ସାଧାରଣ ବିଚାରରେ ସ୍ୱରର ମଧୁରତା ନାରୀର ମନେ କରି ମାଈ କୋଇଲି ବୋଲି ଉତ୍ତର ଦେଲେ । ଅସମ୍ମତି ପ୍ରକାଶ କରି ଚନ୍ଦ୍ରମୋହନ କହିଲେ, ଆପଣ କାଳିଦାସଙ୍କ କାବ୍ୟ ପଢ଼ି ନାହାନ୍ତି କି ? ସେ ଲେଖିଛନ୍ତି ପରା “ପୁଂସ୍କୋକିଳ ଯନ୍ ମଧୁରଂ ଚୁକୁଜ” ଅର୍ଥାତ୍ ଅଣ୍ଡିରା କୋକିଳ କୂଜନ ମଧୁର । ଚନ୍ଦ୍ରମୋହନଙ୍କର ଗଦ୍ୟ ରଚନାବଳୀ ଉଚ୍ଚକୋଟୀର ଥିଲା । ଇଂରାଜୀ କବିତା ଓ ଗଦ୍ୟର ଅନୁବାଦରୁ ତାଙ୍କର ଗଦ୍ୟ ରଚନାର ଆରମ୍ଭ ହୋଇଥିଲା । ‘ଭୂଗୋଳ ବିଦ୍ୟା’, ‘ଶ୍ରୀଧର ସ୍ୱାମୀ’, ‘ଇତିହାସ’ ଓ ‘ସ୍ୱପ୍ନ’ ପ୍ରଭୃତି ପ୍ରବନ୍ଧ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ବିଭିନ୍ନ ସମୟରେ ପ୍ରକାଶିତ ହୋଇଥିଲା । ଏତଦ୍‌ବ୍ୟତୀତ କଥାବଳୀରେ ଛାତ୍ରମାନଙ୍କର ପାଠ୍ୟ ନାନା ଗଳ୍ପ ଓ ପ୍ରବନ୍ଧ ସେ ରଚନା କରିଥିଲେ । ୧୯୧୨ ମସିହାରେ ତାଙ୍କର ଗୃହଦାହ ଯୋଗୁଁ ବହୁ ଶ୍ରମ ପ୍ରସ୍ତୁତ ପ୍ରାୟ ୪୦ଟି ପାଣ୍ଡୁଲିପି ନଷ୍ଟ ହୋଇଯାଇଥିଲା । ସେ ସବୁ ପ୍ରକାଶିତ ହୋଇଥିଲେ ଚନ୍ଦ୍ରମୋହନଙ୍କର ସାହିତ୍ୟ ପ୍ରତିଭା ଅଧିକ ସ୍ପଷ୍ଟ ହୋଇଥାନ୍ତା । ୧୯୨୯ ମସିହା ସେପ୍ଟେମ୍ବରରେ ଅନୁଷ୍ଠିତ ‘ଉତ୍କଳ ସାହିତ୍ୟ ସମାଜ’ର ଚତୁର୍ବିଂଶ ଅଧିବେଶନରେ ଗୋପାଳ ଚନ୍ଦ୍ର ପ୍ରହରାଜ ତାଙ୍କର ସଭାପତି ଅଭିଭାଷଣରେ କହିଥିଲେ, “ଚନ୍ଦ୍ରମୋହନ ଗଦ୍ୟ ରଚନାଦ୍ୱାରା ଓଡ଼ିଆ ଭାଷାର ଯେଉଁ ଭବିଷ୍ୟତ ସୂଚନା କରିଥିଲେ ତାହା ବଣ ମାଳତୀ ପରି ବଣରେ ଫୁଟି ଝଡ଼ି ପଡ଼ିଲା ।”

 

ବ୍ୟକ୍ତିଗତ ଜୀବନରେ ଚନ୍ଦ୍ରମୋହନ ମହାରଣା ସଂସ୍କାରବାଦୀ ଥିଲେ । ତାଙ୍କର ଜାତିଭେଦ ନ ଥିଲା । ମୁସଲମାନ ଓ ଖ୍ରୀଷ୍ଟିୟାନମାନଙ୍କ ସହ ବସି ଏକ ଟେବୁଲରେ ଖାଇବାକୁ ସେ ଖରାପ ମନେ କରୁନଥିଲେ । ମାତ୍ର ବ୍ୟକ୍ତିଗତ ସାଧାରଣ ସ୍ୱାସ୍ଥ୍ୟରକ୍ଷା ନିୟମର ବ୍ୟତିକ୍ରମ ସେ ସହିପାରୁନଥିଲେ । ସେ ନିୟମିତ ବ୍ୟାୟାମ ଓ ଉଦ୍ୟାନ କର୍ମ କରୁଥିଲେ । ତାଙ୍କର ଦର୍ଶନ ଓ ଶ୍ରବଣ ଶକ୍ତି ତୀବ୍ର ଥିଲା । ସେ ଚଷମା ବ୍ୟବହାର କରୁନଥିଲେ । ପ୍ରାଣାୟମ ଅଭ୍ୟାସ ଯୋଗୁଁ ସେ ବାୟୁରୋଗ ଗ୍ରସ୍ତ ହୋଇଥିଲେ । କୋଷ୍ଠ କାଠିନ୍ୟ ଓ ଆମାଶୟ ରୋଗରେ ପୀଡ଼ିତ ହୋଇ ୧୯୨୯ ମସିହାରେ ସ୍ୱର୍ଗାରୋହଣ କରିଥିଲେ । ମୃତ୍ୟୁର ମାତ୍ର ଦୁଇଦିନ ପୂର୍ବର ନିମ୍ନ ଏକ ଘଟଣା ତାଙ୍କର ବିରାଟ ସଂସ୍କାରବାଦୀ ବ୍ୟକ୍ତିତ୍ୱର ପରିଚୟ ଦିଏ । ତାଙ୍କର ସେବାରେ ଜଣେ କମ୍ପାଉଣ୍ଡର ତାଙ୍କୁ Relax କରିବାପାଇଁ douche ଦେବାର ବ୍ୟବସ୍ଥା କରିବାରୁ ଚନ୍ଦ୍ରମୋହନ ତାଙ୍କୁ douche ଶବ୍ଦର ବନାନ ପଚାରିଥିଲେ । ମାତ୍ର ସେ ଠିକ୍ ବନାନ ନ କରି ପାରିବାରୁ ସେ ତାଙ୍କଦ୍ୱାରା ଚିକିତ୍ସିତ ହେବାକୁ ମନା କରିଦେଲେ । ଚନ୍ଦ୍ରମୋହନଙ୍କର ତିନିପୁତ୍ର ଓ ପାଞ୍ଚକନ୍ୟା ଥିଲେ । ତାଙ୍କର ପ୍ରଥମ ପତ୍ନୀଙ୍କର ଅକାଳ ମୃତ୍ୟୁ ହେବାରୁ ସେ ଦ୍ୱତୀୟ ଥର ପାଇଁ ବିବାହ କରିଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର ରଜନୀ ରଞ୍ଜନ ମହାରଣା ରେମୁଣା ମଧ୍ୟ ଇଂରାଜୀ ସ୍କୁଲରେ ବହୁବର୍ଷ ଧରି ପ୍ରଧାନ ଶିକ୍ଷକରୂପେ ଥିଲେ । ମଧ୍ୟମ ପୁତ୍ର ଲୋକନାଥ ମହାରଣା ବିଭିନ୍ନ ହା.ଇ. ସ୍କୁଲରେ ପ୍ରଧାନ ଶିକ୍ଷକ ହୋଇଥିଲେ । କନିଷ୍ଠ ପୁତ୍ର ଶ୍ରୀ ଶରତଚନ୍ଦ୍ର ମହାରଣା ଏକ ବିଶିଷ୍ଟ ସମାଜସେବୀ ଭାବରେ ବିଦିତ । ବର୍ତ୍ତମାନ ସେ ଓ ତାଙ୍କର ପତ୍ନୀ (ଉତ୍କଳର ବିଶିଷ୍ଟ ଗାନ୍ଧିବାଦୀ, ତ୍ୟାଗୀ ପୁରୁଷ ଗୋପବନ୍ଧୁ ଚୌଧୁରୀ ମହାଶୟଙ୍କର କନ୍ୟା) ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଦୁହେଁଯାକ ଅସୀମ ତ୍ୟାଗ ବରଣ କରି ଜନସେବା ଓ ସମାଜ ସଂସ୍କାର କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଅଛନ୍ତି ।

 

ଉପସଂହାରରେ ଏତିକି କୁହାଯାଇପାରେ ସେ ସେହି ବିଶିଷ୍ଟ ସାହିତ୍ୟିକ ବରପୁତ୍ର ଚନ୍ଦ୍ରମୋହନ ମହାରଣା ଆଜି ପର୍ଯ୍ୟନ୍ତ ଲୋକଲୋଚନର ଅନ୍ତରାଳରେ ରହିଯିବା ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ । କେବଳ ସେ ନୁହନ୍ତି ସ୍ୱର୍ଗତଃ ଶ୍ରୀଧର ସ୍ୱାମୀ ଏବଂ ବଳଦେବ ବିଦ୍ୟାଭୂଷଣ ପ୍ରଭୃତି ବିଦ୍ୱାନ ବ୍ୟକ୍ତିମାନଙ୍କର ପୂର୍ଣ୍ଣାଙ୍ଗ ଜୀବନ ଓ ସାହିତ୍ୟ କୃତି ଲୋକ ଦୃଷ୍ଟିକୁ ଆସିପାରିନାହିଁ । କବିବର ରାଧାନାଥଙ୍କ ଭାଷାରେ–

 

“ଦେବୀ ବୀଣାପାଣି ! କେଉଁ ପାପ ଫଳେ

କରୁଣା ତୋହର ଊଣା ଏ ଉତ୍କଳେ ?

X X X

ତୋର କୃପା ବଳେ କ୍ଷୁଦ୍ର ମହୀୟାନ୍‌,

ତୋ କୃପା ବିହୁନେ ବଡ଼ହୁଏ ସାନ ।

X X X

ତୋ କୃପା ବିହୁନେ ଉତ୍କଳ ମାତାର,

ନାମେ ଖ୍ୟାତି-ଗ୍ରନ୍ଥେ ପଡ଼ିନାହିଁ ଗାର ।”

 

(ଚିଲିକା -ରାଧାନାଥ ଗ୍ରନ୍ଥାବଳୀ, ପୃ୧୬)

 

ସ୍ୱର୍ଗତଃ ଚନ୍ଦ୍ରମୋହନ ମହାରଣାଙ୍କର ଅନେକ କଥା ମଧ୍ୟରୁ ଗୋଟିଏ କଥା ଆଜି ଅହରହ ଆମ ମନରେ ପ୍ରଶ୍ନ ଆଣେ । ଦେଶ ବିଭିନ୍ନ ଦିଗରୁ ଆଗକୁ ଆଗେଇଲା ମାତ୍ର ଲୋକ ଚରିତ୍ରଗତ ପରିବର୍ତ୍ତନ ଏ ପର୍ଯ୍ୟନ୍ତ ଏ ସମାଜରେ ଘଟି ପାଇଲା ନାହିଁ । ଯେଉଁ କଥା କବି ମହାରଣା ତାଙ୍କ ସୃଷ୍ଟି ସମ୍ଭାରର ସାର୍ଥକ ସୃଷ୍ଟି ସମ୍ପଦ ଉଭୟ ‘କଥାବଳୀ’ର ପ୍ରତି ପୃଷ୍ଠା ଛତ୍ରେ ଛତ୍ରେ କହିଯାଇଛନ୍ତି । ଏଥିପାଇଁ ତାଙ୍କର ପ୍ରଥମ ଦୃଷ୍ଟି ଥିଲା ଏହି ସ୍କୁଲ ସମୂହର ଛୋଟ ଛୋଟ ଛାତ୍ର ସମାଜ ଉପରେ ।

-୦-

 

Unknown

‘ମହାଯାତ୍ରା’ର ଜନରବ

ଅଧ୍ୟାପକ ଅରବିନ୍ଦ ଗିରି

 

“କବିବର ରାଧାନାଥ ରାୟଙ୍କ ‘ମହାଯାତ୍ରା’ କାବ୍ୟର ସମାଲୋଚକ ଚନ୍ଦ୍ରମୋହନ ବାବୁ, ଯେଉଁ ସମାଲୋଚନା ଫଳରେ ସେ କାବ୍ୟଟି ଅଂସପୂର୍ଣ୍ଣ ରହିଗଲା ବୋଲି ଶୁଣାଯାଏ । ପିଲାମାନଙ୍କ ସାମ୍‌ନାରେ ଭୟ ଓ ସମ୍ଭ୍ରମର ପ୍ରତିମୂର୍ତ୍ତି ସେଇ ଚନ୍ଦ୍ରମୋହନ ଯେ ଛାତ୍ରମାନଙ୍କୁ ଏମିତି ଖୁସିରେ ପଢ଼ାଇ ପାରନ୍ତି ପରେ ସେ କଥା ଆଲୋଚିତ ହୁଏ ଆମ ଭିତରେ ।” (୧)

 

ଦିନେ ଏଭଳି ଏକ ଜନରବ ତତ୍‌କାଳୀନ ଓଡ଼ିଶାରେ ଘଟିଥିଲା । ଆଜିର ବିଶିଷ୍ଟ ଔପନ୍ୟାସିକ ଓ ସୁସାହିତ୍ୟିକ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ ତାଙ୍କର ପୁରୀ ଜିଲ୍ଲା ସ୍କୁଲ ଛାତ୍ର ଜୀବନରେ ଏ କଥା ଶୁଣିଥିବେ, ଆଶ୍ଚର୍ଯ୍ୟ କିଛି ନୁହେଁ । କିନ୍ତୁ ଏବେବି ତାଙ୍କର ଅନେକ ଛାତ୍ର ଏହି ଗୁଜବ ସଂପୂର୍ଣ୍ଣ ମିଥ୍ୟା ବୋଲି ମତ ଦିଅନ୍ତି ଯାହା କି କବି ଚନ୍ଦ୍ରମୋହନ ନିଜେ ‘ମହାଯାତ୍ରା’ କାବ୍ୟର ସମାଲୋଚକ ନୁହନ୍ତି ବୋଲି ସ୍ୱୀକାର କରି ଯାଇଛନ୍ତି ।

 

ସାଧାରଣ ମଣିଷ ଜୀବନରେ ଅପବାଦ ଅଙ୍ଗଭୂଷଣ କହିଲେ ଚଳେ । ମାତ୍ର ସାମାଜିକ ଅପବାଦଠାରୁ କବିତା ସ୍ରଷ୍ଟାଙ୍କ ଜୀବନର ଅପବାଦ ଭିନ୍ନ କଥା । କବିତା ସ୍ରଷ୍ଟା ତା’ର ସୃଷ୍ଟି ସମ୍ଭାରର ଦୋଷ ଦୁର୍ବଳତା ପାଇଁ ସମାଲୋଚକମାନଙ୍କ ଦୃଷ୍ଟିର ଶରବ୍ୟ ହୋଇଥାନ୍ତି । କେତେକଙ୍କୁ ଏହି ଅପବାଦ ତାଙ୍କ ମୃତ୍ୟୁ ପରେ ମଧ୍ୟ ନେବାକୁ ପଡ଼ିଥାଏ । ବିଚାର କରି ବସିଲେ ଦେଶର ଅନେକ ସୁସାହିତ୍ୟିକ ଦୃଷ୍ଟିକୁ ଆସିବେ । ତା’ ବୋଲି ରାଧାନାଥଙ୍କ ସାହିତ୍ୟର ଗୁଣଗାନ କରି ତାଙ୍କର ଆହରଣ ସୃଷ୍ଟିକୁ ବିଜାତୀୟ ବୋଲି କହି କଳଙ୍କ ଓ ଅପବାଦର ବୋଝ ଲଦି ଦେବଟା ଠିକ୍ ହେବ କି ?

 

ରାଧାନାଥ ‘ମହଯାତ୍ରା’ କାବ୍ୟରେ ଇଂରେଜ ଶାସନ ବିରୋଧୀ ବର୍ଣ୍ଣନା କରିଥିଲେ ଏବଂ ତତ୍‌କାଳୀନ ବିଦ୍ୱାନ ସୁସାହିତ୍ୟିକ ଚନ୍ଦ୍ରମୋହନ ମହାରଣା ତାହା ଇଂରେଜମାନଙ୍କ ଦୃଷ୍ଟିକୁ ଆଣିଥିଲେ । ଫଳରେ ରାଧାନାଥ ମହାଯାତ୍ରା କାବ୍ୟକୁ ଅସଂପୂର୍ଣ୍ଣ ରଖି ଅନ୍ୟାନ୍ୟ ସମସ୍ତ ସର୍ଗ ନିଜ ସମ୍ମୁଖରେ ପୁତ୍ର ଶଶିଭୂଷଣ ରାୟଙ୍କୁ ପୋଡ଼ି ଦେବାକୁ ଆଦେଶ ଦେବା, କେତେଦୂର ଯୁକ୍ତିଯୁକ୍ତ ତାହା ବିଚାରଯୋଗ୍ୟ ।

 

ମହାଯାତ୍ରା କାବ୍ୟର ଇଂରେଜ ବିରୋଧୀ ବର୍ଣ୍ଣନା ଶାସକମାନଙ୍କ ଦୃଷ୍ଟିକୁ ଆସିଥିଲା ସତ୍ୟ । ରାଧାନାଥ ଘୋର ମାନସିକ ଅଶାନ୍ତିର ବଶବର୍ତ୍ତୀ ହୋଇ ମହାଯାତ୍ରାର ଅନ୍ୟାନ୍ୟ ସର୍ଗ ନ ଲେଖିବାକୁ ସଂକଳ୍ପବଦ୍ଧ ହେଲେ । ପ୍ରକାଶିତ ସପ୍ତମ ସର୍ଗର ପରବର୍ତ୍ତୀ ୨୩ଟି ସର୍ଗର ସମସ୍ତ ପାଣ୍ଡୁଲିପିକୁ ନିଜ ସମ୍ମୁଖରେ ଶିଶିଭୂଷଣକୁ ଅଗ୍ନି ସଂଯୋଗ କରିବା ପଛରେ ଯେ ତତ୍‌କାଳୀନ ଉଚ୍ଚ ଶିକ୍ଷାବିତ୍ ତଥା ସାହିତ୍ୟିକ ଚନ୍ଦ୍ରମୋହନ ମହାରଣା ମୁଖ୍ୟ କାରଣ ଥିଲେ ଏହା ଏକ ଭିତ୍ତିହୀନ ଗୁଜବ ବ୍ୟତୀତ ଅନ୍ୟକିଛି ନୁହେଁ । ତା’ ହୋଇଥିଲେ ଚନ୍ଦ୍ରମୋହନ ଓ ରାଧାନାଥଙ୍କ ବ୍ୟକ୍ତିଗତ ତଥା ପାରିବାରିକ ଜୀବନର ମଧୁର ସମ୍ପର୍କ ଆଜୀବନ କାଳ ରହିନଥାନ୍ତା, ଯାହା ଉଭୟ ପରିବାରରେ ଆଜିବି ଦେଖିବାକୁ ମିଳେ । ନିମ୍ନ ଆଲୋଚନାରୁ ତାହା ସ୍ପଷ୍ଟ ପ୍ରତୀୟମାନ ହୁଏ ।

 

ଶିଶୁ ଚନ୍ଦ୍ରମୋହନ ପ୍ରଥମେ କବିବର ରାଧାନାଥ, ବ୍ୟାସକବି ଫକୀରମୋହନ ଓ ରାଜା ବୈକୁଣ୍ଠନାଥ ଦେଙ୍କ ପ୍ରତିଷ୍ଠିତ ରେମୁଣା ମିଡିଲ୍ ଭର୍ଣ୍ଣାକୁଲାର ସ୍କୁଲରୁ ବୃତ୍ତି ସହ ପାସ୍‍ କରି ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିଲେ । ୧୮୮୫ ମସିହା ଏଣ୍ଟ୍ରାନ୍‌ସ ପରୀକ୍ଷାରେ କଲିକତା ବିଶ୍ୱବିଦ୍ୟାଳୟରୁ ପଞ୍ଚମ ସ୍ଥାନ ଲାଭ କରି ଉଚ୍ଚବୃତ୍ତି ପାଇ ରାଧାନାଥଙ୍କ ପ୍ରୀତିଭାଜନ ହୋଇଥିଲେ । ଚନ୍ଦ୍ରମୋହନଙ୍କ ଛାତ୍ର ଜୀବନ ବିଷୟରେ ପ୍ରାବନ୍ଧିକ ଗୋଲକ ମହାପାତ୍ର ଲେଖିଛନ୍ତି- “ଜଣେ ଦୁସ୍ଥ ଛାତ୍ର ୧୬ବର୍ଷ ବୟସରେ ପାସ୍‍ କରିବା ପୂର୍ବରୁ ବାର ତେର ବର୍ଷରୁ ଜିଲ୍ଲା ସ୍କୁଲର ଚତୁର୍ଥ ଶ୍ରେଣୀରେ ପାଠପଢ଼ିବାକୁ ଦୈନିକ ଗୋଡ଼ରେ ଚାଲିଚାଲି ରେମୁଣାରୁ ବାଲେଶ୍ୱର ୧୦ ମାଇଲ ଯିବା ଆସିବା କରି ନାନା ପ୍ରତିବନ୍ଧକ ଭିତରେ ଆଗେଇଯିବା ଏକ ଅସାଧରଣ କଥା ଥିଲା । ତଦ୍ୱାରା ସେ ଶିକ୍ଷା ବିଭାଗର ଉଚ୍ଚପଦରେ ଅଧିଷ୍ଠିତ ରାଧାନାଥ ରାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।” (୨) ପରେ ରେଭେନ୍ସା କଲେଜରୁ ଫାଷ୍ଟ ଗ୍ରେଡ଼ରେ ବି.ଏ ପାଶ କରି ଚନ୍ଦ୍ରମୋହନ କଟକ ତାଳଚେର କୋଠିରେ ତାଲଚେଲ ଯୁବରାଜଙ୍କ (୧୮୮୯-୧୮୯୧ ପର୍ଯ୍ୟନ୍ତ) ଗାର୍ଡ଼ିଆନ-ଟିଉଟର ଥିଲେ । ଏଥି ସଙ୍ଗେ ସଙ୍ଗେ ବଙ୍ଗଳା ପ୍ରଦେଶର ଏକ୍‌ଜିକ୍ୟୁଟିଭ (ଡେପୁଟି ମାଜିଷ୍ଟ୍ରେଟ୍‌) ଚାକିରି ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । “ସେହି ସମୟରେ କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ ଆଦିଙ୍କ ସମ୍ପର୍କରେ ଆସିଥିଲେ । ରାଧାନାଥ ରାୟ ଚନ୍ଦ୍ରମୋହନଙ୍କୁ ଡେପୁଟି କାମକୁ ମନ ନବଳାଇ, ଶିକ୍ଷା ବିଭାଗରେ ଚାକିରି କରି ସାହିତ୍ୟ ଚର୍ଚ୍ଚା ପାଇଁ ପ୍ରବର୍ତ୍ତାଇଲେ ଏବଂ ପଚାଶ ଟଙ୍କା ମାସିକ ଦରମାରେ ପ୍ରଥମେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ସେକେଣ୍ଡ ମାଷ୍ଟର କାମରେ (ତୃତୀୟ ଶିକ୍ଷକ ଭାବରେ) ନିଯୁକ୍ତି କରିଦେଲେ ।” (୩) ରାଧାନାଥ ନିଜେ ଚନ୍ଦ୍ରମୋହନଙ୍କୁ ଡାକିନେଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକରୂପେ ନିଯୁକ୍ତି ଦେବାର ସୁବିଧା ଏତିକି ଥିଲା ଯେ ରାଧାନାଥ ତତ୍‌କାଳୀନ ଓଡ଼ିଶା ଶିକ୍ଷା ବିଭାଗର ସର୍ବୋଚ୍ଚ ସ୍ଥାନ ଇନ୍‌ସପେକ୍ଟର ଅଫ୍ ସ୍କୁଲ୍‍ସ ପଦରେ ଥିଲେ । ତେଣୁ ସ୍କୁଲର ମାଷ୍ଟର ଚାକିରିଟା ସେତେବେଳେ ତାଙ୍କ ହାତର କଥା ଥିଲା ।

 

ଅବଶ୍ୟ ଚନ୍ଦ୍ରମୋହନ ଛାତ୍ର ଜୀବନରୁ କବିତାଦି ରଚନା କରୁଥିଲେ । ରେଭେନ୍ସା କଲେଜ ଜୀବନରେ ତାଙ୍କର ଅନେକ କବିତା ତତ୍‌କାଳୀନ ‘ସଂସ୍କାରକ’, ‘ଶିକ୍ଷାବନ୍ଧୁ’, ‘ଉତ୍କଳ ପ୍ରଭା’, ‘ଉତ୍କଳ ସାହିତ୍ୟ’ ପ୍ରଭୃତି ପତ୍ରପତ୍ରିକାଦିରେ ପ୍ରକାଶ ପାଇ ରାଧାନାଥ, ମଧୁସୂଦନ ଓ ଫକୀରମୋହନଙ୍କ ଦୃଷ୍ଟିକୁ ଆସି ପ୍ରଶଂସିତ ହୋଇଥିଲା । ସ୍କୁଲ ଓ କଲେଜ ଜୀବନରୁହିଁ ଚନ୍ଦ୍ରମୋହନଙ୍କର କବି ଜୀବନର ବିକାଶ ଘଟିଥିଲା । ଶିକ୍ଷକ ଜୀବନରେ ଜଣେ ଦକ୍ଷତାସମ୍ପନ୍ନ ନିଷ୍ଠାପର ଶୃଙ୍ଖଳାପ୍ରିୟ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସମଗ୍ର ଛାତ୍ରମଣ୍ଡଳୀରେ ସୁନାମ ଅର୍ଜନ କରିଥିଲେ । କେବଳ ସେତିକି ନୁହେଁ– “ତାଙ୍କର ଅଧ୍ୟୟନ ପ୍ରବଣତା ତଥା ଅଧ୍ୟାପନାର ନିଷ୍ଠା ସର୍ବୋପରି ତାଙ୍କ କବି ବ୍ୟକ୍ତିତ୍ୱ ରାଧାନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।” (୪) “ପରକ୍ଷଣରେ କବି ରାଧାନାଥଙ୍କୁ ତାଙ୍କ ସାହିତ୍ୟ ସାଧନାର ନିଷ୍ଠା ଯେତିକି ପ୍ରଲୁବ୍‌ଧ କରିଥିଲା ତା’ଠାରୁ ବଳି ଆକର୍ଷଣ ଥିଲା ସ୍ୱର୍ଗତ ମହାରଣାଙ୍କ ଅସାଧାରଣ ଶିକ୍ଷକତା ।” (୫)

 

କଟକ ଟ୍ରେନିଂ ସ୍କୁଲରେ ସହକାରୀ ଓ ପ୍ରଧାନ ଶିକ୍ଷକ ଭାବରେ ଚନ୍ଦ୍ରମୋହନ ଦୀର୍ଘ ୧୯ବର୍ଷ କଟାଇଥିଲେ । ଏହି ଜୀବନକାଳ ମଧ୍ୟରେ ସେ ମଧ୍ୟ କବିବର ରାଧାନାଥ ଓ ମଧୁସୂଦନଙ୍କ ସାହିତ୍ୟିକ ଜୀବନର ସହକର୍ମୀ ଭାବରେ ଓଡ଼ିଆ ସାହିତ୍ୟର ଉନ୍ନତି କଳ୍ପେ ସର୍ବଦା ଚେଷ୍ଟାରତ ଥିଲେ । ତତ୍‌କାଳୀନ ଟ୍ରେନିଂ ସ୍କୁଲର ‘ଆଲୋଚନା ସଭା’ ଆଜିର ‘ଉତ୍କଳ ସାହିତ୍ୟ ସମାଜ’ର ପ୍ରଥମ ସମ୍ପାଦକ ହେଲେ ଚନ୍ଦ୍ରମୋହନ ମହାରଣା । ବିଶ୍ୱନାଥ କରଙ୍କ ସମ୍ପାଦନାରେ ପ୍ରକାଶିତ ‘ଉତ୍କଳ-ସାହିତ୍ୟ’ ପତ୍ରିକାରେ ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ କର, ରାମଶଙ୍କରମାନଙ୍କ ପରି କବି ଚନ୍ଦ୍ରମୋହନ ଜଣେ ନିୟମିତ ପ୍ରବନ୍ଧ ଲେଖକ ଭାବରେ ବେଶ୍ ପରିଚିତ ଥିଲେ । ‘ଉତ୍କଳ-ସାହିତ୍ୟ’ରେ ପ୍ରକାଶିତ ତାଙ୍କର ବିଭିନ୍ନ ପ୍ରବନ୍ଧ ସବୁ ଏହାର ସ୍ପଷ୍ଟ ନମୁନା ।

 

କଟକ, ପୁରୀ, ବାଲେଶ୍ୱର ପ୍ରଭୃତି ସ୍କୁଲର ଅଧ୍ୟାପନା ଜୀବନରେ କବିଙ୍କର ଅନେକ ସ୍ମୃତି ରହିଛି । ଏବେବି ତାଙ୍କର ଅନେକ ଛାତ୍ରଙ୍କ ମୁଖରୁ ରାଧାନାଥଙ୍କ ‘ଚିଲିକା’ କାବ୍ୟର ପାଣ୍ଡିତ୍ୟପୂର୍ଣ୍ଣ ଅଧ୍ୟୟନର ପ୍ରଶଂସା ଶୁଣିବାକୁ ମିଳେ । ଏ ବିଷୟରେ ତାଙ୍କର ପୁରାତନ ଛାତ୍ର ପଣ୍ଡିତ ଜଗନ୍ନାଥ ରଥ କାବ୍ୟତୀର୍ଥ ଯଜ୍ଞଭୂଷଣ ଲେଖିଛନ୍ତି– ‘ଚିଲିକା କାବ୍ୟ ତାଙ୍କର ଅତି ଆଦରଣୀୟ । ତାହା ପଢ଼ାଇବାବେଳେ ସେ ଏଥିରେ ଅଭିଭୂତ ହୋଇଯାଆନ୍ତି ଏବଂ ବାହାର ଜ୍ଞାନ କିଛି ରହେ ନାହିଁ । ଦିନେ ଦିନେ ତାଙ୍କ ପିରିଅଡ୍ ପରେ ଅନ୍ୟର ପରିଅଡ୍ ଅତୀତ ହୋଇଯାଇଛି । ତାହା ସେ ଜାଣିପାରି ନାହାନ୍ତି ।’ (୬) କେବଳ ‘ଚିଲିକା’ କାହିଁକି ? ରାଧାନାଥଙ୍କ ମହାଯାତ୍ରା, ଦରବାର, ନନ୍ଦିକେଶରୀ, ଉଷା, ପାର୍ବତୀ, ପ୍ରଭୃତି କାବ୍ୟର ଉପାଦେୟ ଅନେକ ଅଂଶ ତାଙ୍କର କଣ୍ଠସ୍ଥ ଥିଲା । ଏପରିକି ରାଧନାଥଙ୍କର ବିଭିନ୍ନ ପ୍ରାକୃତିକ ଓ ଭୌଗଳିକ ସ୍ଥାନର ବର୍ଣ୍ଣନାଗୁଡ଼ିକୁ ସେ କେଉଁ କେଉଁ ସ୍ଥାନକୁ ମୁଖ୍ୟ ଉପାଦନ ରୂପେ ଗ୍ରହଣ କରିଛନ୍ତି ତାହା ମଧ୍ୟ ସେ କହି ଦେଉଥିଲେ । ତତ୍ ସଙ୍ଗେ ସଙ୍ଗେ ସେହିଭଳି ଅନୁରୂପ ସ୍ଥାନ ବା ପରିବେଶର ପାର୍ଶ୍ୱବର୍ତ୍ତୀ ଉଦାହରଣ ମଧ୍ୟ ଦେଇ ପାରୁଥିଲେ । ଏପରି ଅନେକ କଥା କବି ଚନ୍ଦ୍ରମୋହନ ରାଧାନାଥଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିଥିଲେ । ତେଣୁ କରି ସେ ରାଧାନାଥଙ୍କ ସାହିତ୍ୟର ଜଣେ ମୁଗ୍‌ଧ ପାଠକ କେବଳ ନ ଥିଲେ, ତାଙ୍କ ପରି ଉଚ୍ଚ କବି ପ୍ରତିଭାର ଥିଲେ ସୁପ୍ରଶଂସକ । ଯଦ୍ୱାରା ତାଙ୍କ କାବ୍ୟକବିତାରେ ବିଶେଷ କରି ରାଧାନାଥଙ୍କ ସାହିତ୍ୟର ପ୍ରତ୍ୟକ୍ଷ ପ୍ରଭାବ ଦେଖିବାକୁ ମିଳେ ।

 

ପ୍ରତ୍ୟେକ କବି ଜୀବନରେ ତାଙ୍କ ପୂର୍ବବର୍ତ୍ତୀ କବିମାନଙ୍କ ରଚନାଦିର ପ୍ରତିଫଳନ ଘଟିଲା ପରି କବି ଚନ୍ଦ୍ରମୋହନଙ୍କ ସାହିତ୍ୟରେ ପୂର୍ବବର୍ତ୍ତୀ କବି ରାଧାନାଥ, ମଧୁସୂଦନ, ଫକୀରମୋହନ, ଗଙ୍ଗାଧର ପ୍ରଭୃତି ସାହିତ୍ୟାନୁରାଗୀଙ୍କ ସାହିତ୍ୟର ପ୍ରଭାବ ଥିବା ସୁନିଶ୍ଚିତ । ଶବ୍ଦ ଗୁମ୍ଫନ ତଥା ପ୍ରକୃତି ଚିତ୍ରଣ କ୍ଷେତ୍ରରେ ରାଧାନାଥଙ୍କ ପ୍ରଭାବ ଚନ୍ଦ୍ରମୋହନଙ୍କ କବିତାରେ ସ୍ଥାନେ ସ୍ଥାନେ ପ୍ରତିଫଳିତ ହୋଇଥାଏ ।

 

ଯେପରି–

 

ରାଧାନାଥଙ୍କ–

 

“ଅତି ମନୋହର କାଳ ଶୀତଋତୁ

 

ଧରା ଛାଡ଼ି ଛାଡ଼ି ନାହିଁ,

ପଲ୍ଲବ ପାଟଳ ମଧୁ ଋତୁ ରାଟ

 

ଧରା ମାଡ଼ି ମାଡ଼ି ନାହିଁ ।” (ବସନ୍ତ)

 

ଚନ୍ଦ୍ରମୋହନଙ୍କ ବର୍ଣ୍ଣନା–

 

“ଛାଡ଼ି ଛାଡ଼ି ଶୀତ

ହେଲାଣି ଅତୀତ

ଗ୍ରୀଷ୍ମ ମାଡ଼ି ଆସି ନାହିଁ,

ଶ୍ରାବଣେ ଦୁର୍ଗମ

ବରଷା କର୍ଦ୍ଦମ

ବହୁ ଦୂରେ ଅଛି କାହିଁ ।”

(ବସନ୍ତ-କଥାବଳି-୨)

 

ଅନ୍ୟ ଏକ ଦୃଷ୍ଟାନ୍ତ ହେଉଛି ଉଭୟଙ୍କର ‘ସନ୍ଧ୍ୟା’ ବର୍ଣ୍ଣନାର ସାଦୃଶ୍ୟ–

 

ରାଧାନାଥ–

 

“ମଧୁର ପ୍ରଦୋଷ ସମୟ

 

ସ୍ୱର୍ଣ୍ଣ କିରଣ ବୋଳା,

କାଦମ୍ବିନୀ ଖେଳେ ଗଗନେ

 

ଧୀର ସମୀର ଲୋଳା ।”

(ଚନ୍ଦ୍ରଭାଗା)

 

ଚନ୍ଦ୍ରମୋହନଙ୍କ ବର୍ଣ୍ଣନା–

 

“ମଧୁର ଗୋଧୂଳି ସମୟ

 

ଅସ୍ତ ରବି କିରଣେ,

ବାରୁଣୀ ଗଗନ ଝଳଇ

 

ତପ୍ତ ସ୍ୱର୍ଣ୍ଣ ବରଣେ ।”

(ଶରତ-କଥାବଳି-୨)

 

ଅତଏବ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ ରାଧାନାଥଙ୍କ ସାହିତ୍ୟ ଚନ୍ଦ୍ରମୋହନଙ୍କ ସାହିତ୍ୟର ବିଭିନ୍ନ ବିଭାବରେ ପ୍ରତିବିମ୍ବିତ ଏଥିରେ ସନ୍ଦେହ ନାହିଁ ।

 

ଅନେକ ଘଟଣାରୁ ରାଧାନାଥଙ୍କ ସହତି ଚନ୍ଦ୍ରମୋହନଙ୍କ ସାହିତ୍ୟିକ ଜୀବନର ସମ୍ପର୍କ ବଢ଼ିଥିଲା । କବି ଆଧୁନିକ ସାହିତ୍ୟର ପରିପନ୍ଥୀ ଥିଲେ । କାରଣ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ର ବିବାଦବେଳେ କବି ଚନ୍ଦ୍ରମୋହନ ରାଧାନାଥଙ୍କ ପକ୍ଷ ସମର୍ଥନ କରି ତାଙ୍କ ସାହିତ୍ୟ ସପକ୍ଷରେ ନିଜ ମତାମତ ‘ବିଜୁଳି’ରେ ପ୍ରକାଶ କରୁଥିଲେ । “୧୯୯୩-୯୪ରେ ସମଗ୍ର ଓଡ଼ିଶାରେ ଇନ୍ଦ୍ରଧନୁ ଓ ବିଜୁଳିର ସାହିତ୍ୟିକ ବିବାଦ ଏକ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲା । ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ରାଧାନାଥ ରାୟ, ମଧୁସୂଦନ ରାଓ, ଗଙ୍ଗାଧର ମେହେର ଓ ଚନ୍ଦ୍ରମୋହନ ମହାରଣା ପ୍ରଭୃତି ‘ବିଜୁଳି’ ପତ୍ରିକାରେ ସୌଷ୍ଠବ ରକ୍ଷା କରି ‘ବିଜୁଳି’ ଦଳର ଗୌରବ ସମ୍ପାଦନା କରିଥିଲେ ।”(୭)

 

ଅଧ୍ୟାପକ ଆଦିକନ୍ଦ ବାବୁ ଲେଖିଛନ୍ତି – “ରାଧାନାଥୀ ସାହିତ୍ୟର ସେ ଥିଲେ ପୁଣି ଜଣେ ମୁଗ୍‌ଧ ପାଠକ ଓ ପୃଷ୍ଠପୋଷକ । ‘ବିଜୁଳି’, ‘ଇନ୍ଦ୍ରଧନୁ’ ବିବାଦ କାଳରେ ସେ ରାଧାନାଥଙ୍କ ପକ୍ଷ ସମର୍ଥନ କରି ‘ବିଜୁଳି’କୁ ନିୟମିତ ଲେଖା ଯୋଗାଉଥିଲେ ।”(୮)

 

ମହାରାଜା ବାସୁଦେବ ସୁଢ଼ଳଦେବଙ୍କ ପୃଷ୍ଠପୋଷକତାରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ବାମଣ୍ଡାର ଜଗନ୍ନାଥ ବଲ୍ଲଭ ପ୍ରେସ୍‌ରୁ ପ୍ରକାଶିତ ତତ୍‌କାଳୀନ ପତ୍ରିକା ‘ସମ୍ବଲପୁର ହିତୈଷିଣୀ’ ଦିନେ ଉକ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ବଳିଷ୍ଠତା ପ୍ରତିପାଦନ କରିଥିଲା । ଉକ୍ତ ପତ୍ରିକା ମଧ୍ୟ ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତିକୁ ସୁଦୃଢ଼ କରି ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ବିବାଦ କାଳରେ ରାଧାନାଥଙ୍କ ପକ୍ଷ ସମର୍ଥନ କରିଥିଲା । “ଏଥିରେ ରାଧାନାଥ ରାୟ, ମଧୁସୂଦନ ରାଓ, ରାମ ନାରାୟଣ ଲାଲା, ବିଶ୍ୱନାଥ କର, ଫକୀରମୋହନ, ଭୋଳାନାଥ ସାମନ୍ତରାୟ, ଗୋବିନ୍ଦ ମହାପାତ୍ର, ଦାମୋଦର କବିରତ୍ନ, ଚିନ୍ତାମଣି ମହାନ୍ତି, ଗଙ୍ଗାଧର ମେହେର, ଚନ୍ଦ୍ରମୋହନ ମହାରଣା X X X ପ୍ରଭୃତି ଲେଖକଙ୍କ ସାମୟିକ ଆଲୋଚନା ପ୍ରକାଶ ହେଉଥିଲା ।”(୯)

 

ଆହୁରି ବିଭିନ୍ନ ଦିଗରୁ ରାଧାନାଥଙ୍କ ସହିତ ଚନ୍ଦ୍ରମୋହନଙ୍କର ସମ୍ପର୍କ ସୁଦୃଢ଼ ହୋଇଥିଲା । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷ କରି କଟକ, ସମ୍ବଲପୁର, ବାଲେଶ୍ୱର, ବାରିପଦା ଆଦି ରାଜା ମହାରାଜାମାନଙ୍କ ଦରବାରରେ ସାହିତ୍ୟ ଆସର ସୃଷ୍ଟି ହେଉଥିଲା । ଏଥିରେ ପଣ୍ଡିତ ଗୁଣି ସାହିତ୍ୟିକ ମଣ୍ଡଳୀ ଯୋଗ ଦେଉଥିଲେ । ଏଭଳି ଅନେକ ରାଜ ରାଜୁଡ଼ା ସାହିତ୍ୟ ସମ୍ମିଳନୀରେ କବିବାର ରାଧାନାଥ, ଫକୀରମୋହନ, ଗଙ୍ଗାଧର, ରାଜା ବୈକୁଣ୍ଠନାଥ ଦେ, ମୟୁରଭଞ୍ଜ ରାଜା ରାମଚନ୍ଦ୍ର ଭଞ୍ଜଦେଓ, ବାମଣ୍ଡା ରାଜା ବାସୁଦେବ ସୁଢଳଦେବଙ୍କ ସହିତ କବି ଚନ୍ଦ୍ରମୋହନ ମଧ୍ୟ ଯୋଗ ଦେଉଥିଲେ । ଯାହାଦ୍ୱାରା ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଆଲୋଚନା ଓ ଏହାର ଉନ୍ନତି ବିଧାନର ପନ୍ଥା ନିରୂପିତ ହେବା ସଙ୍ଗେ ସଙ୍ଗେ ପରସ୍ପର ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ସମ୍ପର୍କ ଅତି ମଧୁର ହୋଇଉଠୁଥିଲା । କବିବର ରାଧାନାଥଙ୍କ ଅକାଳ ବିୟୋଗରେ ଚନ୍ଦ୍ରମୋହନ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଥିଲେ । ରାଧାନାଙ୍କ ବିଚ୍ଛେଦ ତାଙ୍କୁ ବ୍ୟଥିତ ଶୋକସନ୍ତପ୍ତ ପ୍ରାଣକୁ ବେଦନା ବିକ୍ଷତ କରିଥିଲା, ଫଳରେ ‘ପରଲୋକଗତ ରାଧାନାଥ ରାୟ’ ଶୀର୍ଷକ ପ୍ରବନ୍ଧରେ ଚନ୍ଦ୍ରମୋହନ ଲେଖିଛନ୍ତି- “ଆଧୁନିକ ଉତ୍କଳ କବିମାନଙ୍କ ମଧ୍ୟରେ ରାଧାନାଥ ସମ୍ରାଟ ଥିଲେ । ବିଦ୍ୟମାନ କବି ଓ କବିକଳ୍ପମାନଙ୍କ ମଧ୍ୟରୁ ଅନେକ ତାଙ୍କର ଶିକ୍ଷ୍ୟ ବା ଅନୁଶିଷ୍ୟ ଥିଲେ । ତାହାଙ୍କ କଥାରେ ଯେଉଁ ଭଙ୍ଗି, ପେଞ୍ଚ ଓ ପୂର ଥିଲା, ତାହା ଅନନ୍ୟ ସାଧାରଣ ଏବଂ କବିବରଙ୍କର ଯୋଗ୍ୟ ।” (୧୦)

 

ରାଧାନାଥଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ପୁତ୍ର ଶଶିଭୂଷଣ ରାୟଙ୍କ ସହିତ ଚନ୍ଦ୍ରମୋହନଙ୍କର ଖୁବ୍ ଭଲ ସମ୍ପର୍କ ରହିଥିଲା । ଚନ୍ଦ୍ରମୋହନ ମଝିରେ ମଝିରେ ଶଶିଭୂଷଣ ରାୟଙ୍କ କଟକ ବାସ ଭବନକୁ ଯାଇ ତାଙ୍କ ପରିବାର ସହିତ ଦେଖା କରି ଆସୁଥିଲେ । ଶଶିଭୂଷଣ ମଧ୍ୟ ବାଲେଶ୍ୱର ଆସିଲେ ରେମୁଣାରେ ଚନ୍ଦ୍ରମୋହନ ମହାରଣାଙ୍କ ସ୍ୱଗୃହରେ ତାଙ୍କୁ ସାକ୍ଷାତ୍‍ ନ କରି ଫେରୁ ନ ଥିଲେ । ଏଭଳି ସମ୍ପର୍କରେ ଆଦିକନ୍ଦ ବାବୁ କହନ୍ତି– “ରାଧାନାଥଙ୍କ ସହିତ ବନ୍ଧୁତା ଥିବାରୁ ଶଶିଭୂଷଣ ରାୟ ମଧ୍ୟ ଚନ୍ଦ୍ରମୋହନ ବାବୁଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରୁଥିଲେ । ତାଙ୍କ ଧବଳେଶ୍ୱର ବାସଭବନରେ ଚନ୍ଦ୍ରମୋହନ ବାବୁଙ୍କ ଚିଠି ସବୁ ସେ ସାଇତି ରଖୁଥିଲେ ।” (୧୧)

 

ଅନ୍ୟତ୍ର ତାଙ୍କର ପ୍ରିୟ ଛାତ୍ର ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବଡ଼ାଲ ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି- (ଜ) କେତେକ ଅଜଣା ଲୋକଙ୍କ ରଟନା ଯେ କବିବର ରାଧାନାଥ ରାୟଙ୍କର ମହାଯାତ୍ରା ଅମିତ୍ରାକ୍ଷର କାବ୍ୟରେ ବ୍ରିଟିଶ ଶାସନ ବିରୋଧୀ ଅର୍ଥ ଥିବା କଥା ଚନ୍ଦ୍ରମୋହନ ସରକାରଙ୍କୁ ଜଣାଇଥିଲେ । ଏହା ଆଦୌ ସତ ନୁହେଁ । ପ୍ରମାଣ– ଚନ୍ଦ୍ରମୋହନ କଟକରେ ଥିବା ପର୍ଯ୍ୟନ୍ତ (୧୯୧୯ସାଲ) କବିବରଙ୍କ ଘରକୁ ସପ୍ତାହରେ ଥରେ ଦୁଇଥର ପାରିବାରିକ ଯା ଆସ ଥିଲା; ଏବଂ କବିଙ୍କ ପୁତ୍ର ଶଶିଭୂଷଣ ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରତିବର୍ଷ ଦୁର୍ଗାପୂଜା ଉପଲକ୍ଷରେ ବାଲେଶ୍ୱର ରାଜବାଟୀର ନିମନ୍ତ୍ରଣ-ରକ୍ଷାର୍ଥେ ଆସି, ରେମୁଣାର ଚନ୍ଦ୍ରମୋହନଙ୍କ ସଙ୍ଗେ ନିଶ୍ଚୟ ଦେଖା କରିବାକୁ ଯାଉଥିଲେ । (ମଧ୍ୟ, ରେମୁଣାର ବଙ୍ଗାଳି ସାହିରେ ଶଶିଭୂଷଣଙ୍କର ମାମୁଘର ଥିବା, ଅନ୍ୟ ଏକ କାରଣ) । (୧୨)

 

ଉପରୋକ୍ତ ବିଷୟରେ ଅଧ୍ୟାପକ ଶ୍ରୀଧର ଦାସ ଏକ ପତ୍ରାଳାପରେ ତାଙ୍କ ଛାତ୍ର ଜୀବନ ବିଷୟରେ ନିଜ ବାଲ୍ୟସ୍ମୃତିକରୁ ଉଦ୍ଧାର କରି ଜଣାଇଥିଲେ– “ରାଧାନାଥ ବାବୁଙ୍କ ମହାଯାତ୍ରାର କେତେକ ଅଂଶ ଇଂରେଜ ସରକାରଙ୍କ ବିରୋଧୀ ବୋଲି କେହି ସରକାରଙ୍କୁ ଜଣାଇବାରୁ ସେ (ରାଧାନାଥ ରାୟ) ତାକୁ ନଷ୍ଟ କରିଦେଇଥିଲେ । ଆମେ ଶୁଣିଥିଲୁ ଯେ ଚନ୍ଦ୍ରମୋହନ ବାବୁହିଁ ସରକାରଙ୍କ ଦୃଷ୍ଟିକୁ ଏହା ଆଣିଥିଲେ । କିନ୍ତୁ ସେ ତାହା ମନା କରିଥିଲେ ବୋଲି ଆମକୁ କହିଥିଲେ ।” (୧୩)

 

ଏହି ସବୁ ଦୃଷ୍ଟିରୁ ଜଣାଯାଏ ଯେ ରାଧାନାଥଙ୍କ ‘ମହାଯାତ୍ରା’ କାବ୍ୟର ଇଂରେଜ ବିରୋଧୀ ବର୍ଣ୍ଣନା ସେମାନଙ୍କ ଦୃଷ୍ଟି ସମ୍ମୁଖକୁ ଆଣିଥିବା ବ୍ୟକ୍ତି କବି ଚନ୍ଦ୍ରମୋହନ ନ ହୋଇ ଅନ୍ୟ କେହି ହୋଇଥିବେ । ଯଦିଓ ଏହା ସେ ସମୟରେ ଏକ ଗୁଜବ ହୋଇଥିଲା, ମାତ୍ର ଚନ୍ଦ୍ରମୋହନ ଜାଣିଶୁଣି ଏହାର ପ୍ରତିବାଦ କରିନଥିଲେ କି ଏଭଳି ପ୍ରତିବାଦ କରିବାକୁ ଆବଶ୍ୟକ ମଧ୍ୟ ନ ଥିଲା । କାରଣ ଉଭୟ ରାଧାନାଥ ଓ ଚନ୍ଦ୍ରମୋହନଙ୍କ ପରସ୍ପର ପ୍ରତି ବିଶ୍ୱାସ, ହୃଦୟର ବୁଝାମଣା ତଥା ବ୍ୟକ୍ତିଗତ ସମ୍ପର୍କ ପୂର୍ବପରି ଅତୁଟ ଅବ୍ୟାହତ ଥିଲା । ତେଣୁ ରାଧାନାଥଙ୍କ ପରି ଗୁରୁଙ୍କର ଅଭିଶାପ ଫଳରେ ଚନ୍ଦ୍ରମୋହନ ମହାରଣା ଆଉ ଲେଖନୀ ଧରିପାରିଲେ ନାହିଁ ବୋଲି ଯେଉଁ ଜନରବ ଉଠିଥିଲା, ତାହା ଏକ ଭ୍ରାନ୍ତ ଧାରଣା ମାତ୍ର ।

 

ଯେଉଁ ଚନ୍ଦ୍ରମୋହନ ରାଧାନାଥଙ୍କର ଏତେ ପ୍ରିୟପାତ୍ର ଥିଲେ ଏବଂ ଯାହାଙ୍କୁ ଡାକିଆଣି ସେ ବାଲେଶ୍ୱର ସ୍କୁଲରେ ତୃତୀୟ ଶିକ୍ଷକ ପଦରେ ନିଯୁକ୍ତ ଦେଇଥିଲେ ସେହି ଚନ୍ଦ୍ରମୋହନ ଯେ ଶେଷରେ ରାଧାନାଥଙ୍କୁ ଇଂରେଜ ବିରୋଧୀ କରାଇ ତାଙ୍କୁ ଅଶେଷ ମାନସିକ ଅଶାନ୍ତ ଦେବା ସଙ୍ଗେ ସଙ୍ଗେ ଏକ ଜାତୀୟ ମହାକାବ୍ୟର ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରିବାର ଆଶା ପୋଷଣ କରିଥିଲେ, ଏହା ଏକ ଭିତ୍ତିହୀନ କଳ୍ପନା କେବଳ । ପୁଣି ଯେଉଁ ଚନ୍ଦ୍ରମୋହନ ଦିନେ ଜାତୀୟତାବାଦୀ ସତ୍ୟବାଦୀ ଗୋଷ୍ଠୀଙ୍କୁ ନିଜ ହାତରେ ଗଢ଼ିଥିଲେ ଏବଂ ଦେଶ ସ୍ୱାଧୀନତାର କେତେ ଇନ୍ଧନ ଦେଇଥିବେ, ସେ ଯେ ଇଂରେଜ କୁଶାସନର ବର୍ଣ୍ଣନା ସେମାନଙ୍କୁ ଦର୍ଶାଇଥିଲେ, ବିଶେଷ କରି ଜଣେ ଉଦାରଚେତା, ସ୍ୱଦେଶପ୍ରେମୀ ଉତ୍କଳ ଦାୟାଦ ଚନ୍ଦ୍ରମୋହନ ପକ୍ଷରେ କେବେ ବିଶ୍ୱାସଜନକ ନୁହେଁ । ବିଶ୍ୱାସଯୋଗ୍ୟ ହୋଇଥାନ୍ତା, ଯଦି ଚନ୍ଦ୍ରମୋହନଙ୍କ ସହିତ ରାଧାନାଥ କି ତାଙ୍କ ପୁତ୍ର ଶଶିଭୂଷଣ ରାୟଙ୍କ ସହିତ କୌଣସି ବ୍ୟକ୍ତିଗତ ମାନମନାନ୍ତର ବା ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଥାନ୍ତା । ଏଭଳି କୌଣସି ଘଟଣା ଏପର୍ଯ୍ୟନ୍ତ ଚନ୍ଦ୍ରମୋହନଙ୍କ ଛାତ୍ର ମହଲରୁ କି ଉଭୟ ପରିବାରରୁ ଶୁଣାଯାଏ ନାହିଁ ।

 

ଚନ୍ଦ୍ର ଦେହରେ କଳଙ୍କ ପରି କବି ଚନ୍ଦ୍ରମୋହନଙ୍କୁ ଏହି କଳଙ୍କ ଓ ଅପବାଦର ବୋଝ ମୁଣ୍ଡେଇବାକୁ ପଡ଼ିଥିଲା; ଉକ୍ତ ପ୍ରତିବାଦର ପ୍ରତିଧ୍ୱନି ସେତେବେଳେ କେତେଜଣଙ୍କ କର୍ଣ୍ଣକୁ ସ୍ପର୍ଶ କରିଥିବ କେଜାଣେ ମାତ୍ର କବି ଚନ୍ଦ୍ରମୋହନ ଏହାର ମୌନ ପ୍ରତିବାଦ କରିଯାଇଛନ୍ତି ତାଙ୍କର ସାହିତ୍ୟ ସାଧନା ଓ ରାଧାନାଥଙ୍କ ସହିତ ନିଜର ବ୍ୟକ୍ତିଗତ ଓ ପାରିବାରିକ ଜୀବନର ସୁସମ୍ପର୍କ ମଧ୍ୟରେ ।

 

(୧) ‘ଅଙ୍ଗେ ଯାହା ନିଭେଇଛି’ -ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ, ପୃଷ୍ଠା-୨୮୮

(୨) ‘ଚନ୍ଦ୍ରମୋହନ’ (ପ୍ରବନ୍ଧ)-ପ୍ରାବନ୍ଧିକ ଗୋଲକ ମହାପାତ୍ର

(୩) ଶ୍ରୀଯୁକ୍ତ ହରିଶ ବଡ଼ାଲଙ୍କଠାରୁ ମିଳିଥିବା ଚିଠିରୁ ତା୩୦-୧୨-୧୯୭୯

(୪) ଆସନ୍ତାକାଲି - ଜାନୁୟାରୀ, ୧୯୭୭-ପୃ.୪୯

(୫) ଆସନ୍ତାକାଲି - ଜାନୁୟାରୀ, ୧୯୭୭-ପୃ.୫୪

(୬) ‘ସେ ମଧୁର ସ୍ମୃତି’–ଶତାବ୍ଦୀ ସ୍ମରଣିକା, ସେକେଣ୍ଡାରୀ ଟ୍ରେନିଂ ସ୍କୁଲ, କଟକ /୧୯୩୦–ପୃ ୧୧ ।

(୭) ‘ଡଗର’/୩୬ବର୍ଷ, ୧୧ଶ ସଂଖ୍ୟା, ମେ-୧୯୭୩

(୮) ‘ଆସନ୍ତାକାଲି’- ଜାନୁୟାରୀ/ ୧୯୭୭- ପୃ ୫୦-୫୧

(୯) ‘ରାଧାନାଥ ଜୀବନୀ’-ଦୁର୍ଗାଚରଣ ରାୟ-ପୃ୧୭୩

(୧୦) ‘ଉତ୍କଳ ସାହିତ୍ୟ’/୧୧ଶ ଭାଗ-୧୨ଶ ସଂଖ୍ୟା

(୧୧) ‘ଆସନ୍ତାକାଲି’-ଜାନୁୟାରୀ, ୧୯୭୭- ପୃ୫୩

(୧୨) ‘ତସ୍ମୈ ଶ୍ରୀ ଗୁରୁବେ’– ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବଡ଼ାଲ (ତା୨୦-୩-୮୦)

(୧୩) ଅଧ୍ୟାପକ ଶ୍ରୀଧର ଦାସଙ୍କ ଚିଠି - ଦେଉଳସାହି (ତା୨୬-୨-୮୦)

-୦-

 

ମା’ ମୁହଁରୁ ଯାହା ଶୁଣିଛି

ଜୟଦେବ କମିଳା

 

ମୋର ମା’ ମୁହଁରୁ ଯାହା ଶୁଣିଛି ସେଇଥିରୁ ଦି’ପଦ ଲେଖିଲି । ମୁଁ ମାତ୍ର ପାଞ୍ଚ ମାସର ହୋଇଥାଏଁ ମୋର ଅଜା ଚନ୍ଦ୍ରମୋହନ ମହାରଣା ଇହଧାମ ଛାଡ଼ି ଚାଲିଗଲେ ।

 

ବାଲେଶ୍ୱର ଜିଲ୍ଲାର ରେମୁଣାସ୍ଥ ପୁରୁଷୋତ୍ତମପୁର ଗ୍ରାମରେ ୧୮୭୦ ମସିହା ଏପ୍ରିଲ ମାସ ଛଅ ତାରିଖରେ ସେ ଏକ ଗରିବ ପରିବରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଶିଶୁ ଅବସ୍ଥାରୁ ମା’ ‘ଦେବୀ’ଙ୍କର ତିରୋଧାନ ହୋଇଥିଲା । ପିତା ଅନାଦି ଦ୍ୱିତୀୟ ସ୍ତ୍ରୀ ବିବାହ କରିଥିଲେ । ବାଲ୍ୟାବସ୍ଥାରେ ମଧ୍ୟ ତାଙ୍କର ପିତୃ ବିୟୋଗ ଘଟିଥିଲା । ବିମାତା ହୀରା ତାଙ୍କୁ ବଡ଼ ଯତ୍ନରେ ଲାଳନପାଳନ କରିଥିଲେ । ପିଲାବେଳରୁ ତାଙ୍କର ପଢ଼ିବାକୁ ପ୍ରବଳ ଆକାଙ୍‌କ୍ଷା ଥିବାରୁ ବିମାତା କଠିନ ପରିଶ୍ରମ କରି ବଡ଼ କଷ୍ଟରେ ତାଙ୍କୁ ପାଠ ପଢ଼ାଇଥିଲେ । ସେ ରେମୁଣାରୁ ବାଲ୍ୟଶିକ୍ଷା ଶେଷ କରି ପାଦରେ ଚାଲିଚାଲି ଯାଇ ବାଲେଶ୍ୱର ଜିଲା ସ୍କୁଲରେ ପଢ଼ି ୧୮୮୫ ମସିହାରେ ଏନ୍‌ଟ୍ରାନ୍ସ ପାସ କରିଥିଲେ । ସେ ବାଲେଶ୍ୱରରେ ପଢ଼ିଲାବେଳେ ଶେଷ ବର୍ଷଟି ତାଙ୍କ ଭଉଣୀ ଘରେ ରହି ପଡ଼ୁଥିଲେ । ସେତେବେଳେ ଇଲେକ୍‌ଟ୍ରିକ୍ ଆଲୁଅ ନ ଥାଏ । ସହରର ପ୍ରଧାନ ଛକ ଜାଗାମାନଙ୍କରେ ରାତିରେ ଉଚ୍ଚ ଖୁଣ୍ଟ ଉପରେ ଲଣ୍ଠନରେ ଆଲୁଅବତୀ ଜଳୁଥାଏ । ତାଙ୍କର ଅର୍ଥାଭାବ ହେତୁ ଆଲୁଅ ଜଳାଇବା ପାଇଁ ତେଲ କିଣି ନ ପାରି ଅଧିକାଂଶ ସମୟରେ ରାତିରେ ସେ ବତୀଖୁଣ୍ଟ ତଳ ଆଲୁଅରେ ପଢ଼ୁଥିଲେ । ସେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ କଟକ ଗଲେ । ସେତେବେଳେ ଉଚ୍ଚଶିକ୍ଷା ପାଇଁ ଓଡ଼ିଶାର କଟକରେ ଥାଏ ଏକମାତ୍ର ରେଭେନ୍ସା କଲେଜ । ରେଳ ମଟର ଗାଡ଼ି ସେତେବେଳେ ନ ଥାଏ । ନଦୀ ଓ ସମୁଦ୍ରରେ ବୋଇତଦ୍ୱାରା ଲୋକେ ଦେଶ ବିଦେଶକୁ ଯାତାୟତ କରି ବାଣିଜ୍ୟ ବ୍ୟବସାୟ କରୁଥିଲେ । ବଳଙ୍ଗ ନଦୀ କୂଳରେ ବାଲେଶ୍ୱର ସହରସ୍ଥ ପରମିଟ ଘାଟରୁ ଅନୁକୂଳ ପାଗରେ ଚାଲୁଥିବା ନୌକାଦ୍ୱାରା ସମୁଦ୍ର ବାଟେ ଧାମରା ମୁହାଣ ଦେଇ ଚାନ୍ଦବାଲି ଏବଂ ଚାନ୍ଦବାଲିରୁ ଆଳି, ପଟ୍ଟାମୁଣ୍ଡେଇରୁ, ଜଗତସିଂହପୁର ପ୍ରାୟ ପଚାଶ ମାଇଲ ବାଟ ଚାଲି କରି ସେ କଟକ ସହରରେ ପହଞ୍ଚୁଥିଲେ । ଅସୁବିଧା ବଶତଃ ସମୟ ସମୟରେ ରେମୁଣାରୁ ବାଲେଶ୍ୱର ଯାଇ ଜଗନ୍ନାଥ ସଡ଼କରେ କଟକକୁ ପାଦରେ ଯିବାକୁ ତାଙ୍କୁ ପ୍ରାୟ ତିନି ଚାରିଦିନ ଲାଗୁଥଲା । ରେମୁଣାରୁ କଟକ ଚାଲିକରି ଯିବା କଥା ମା’ ପାଖରୁ ଶୁଣି ଆମ୍ଭେମାନେ ଆଶ୍ଚର୍ଯ୍ୟ ହୋଇଯାଉଁ । ୧୮୮୯ ମସିହାରେ ସେ ବି.ଏ. ପାସ୍‍ କରିଥିଲେ କଲିକତା ବିଶ୍ୱବିଦ୍ୟାଳୟରୁ । ଅଜାଙ୍କର ସଂସ୍କୃତରେ ମଧ୍ୟ ପାଣ୍ଡିତ୍ୟ ଥିଲା । ସେ କୁମାରସଂଭବ ଓ ରଘୁବଂଶରୁ ଶ୍ଳୋକମାନ ବୋଲିବାକୁ ଆନନ୍ଦ ପାଉଥିଲେ । ତାହାଙ୍କ ସଂଗୃହୀତ ବହିମାନଙ୍କ ମଧ୍ୟରେ ମୂଲ୍ୟବାନ ଏବଂ ଦୁଷ୍ପ୍ରାପ୍ୟ ଏକ ସେଟ୍ ବିଶ୍ୱକୋଶ (ବଙ୍ଗଳା ଭାଷାର) କୁମାର ସଂଭବ ଓ ରଘୁବଂଶ ଆଦି ବହିମାନ ଅଦ୍ୟାବଧି ତାହାଙ୍କ ଘର ଆଲମିରାରେ ଅଛି ।

 

ସେ ବି.ଏ ପାସ୍‍ ପରେ କିଛିଦିନ ପାଇଁ ତାଲଚେର ଯୁବରାଜାଙ୍କର ଘରୋଇ ଶିକ୍ଷକ ଥିଲେ ।

 

ଅଜା କବିବର ରାଧାନାଥ ରାୟଙ୍କୁ ବଡ଼ ଭକ୍ତି ଓ ସମ୍ମାନ କରୁଥିଲେ । ଏଇ ସମୟରେ ରାଧାନାଥ ରାୟ ଜଏଣ୍ଟ ଇନ୍‌ସପେକ୍ଟର ଥାନ୍ତି । ସେ ଚିଠି ଲେଖି ତାହାଙ୍କୁ ପରାମର୍ଶ ଦେଲେ ଯେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଖାଲି ଥିବା ସହକାରୀ ଶିକ୍ଷକ ପଦରେ ଯୋଗଦେବା ପାଇଁ । ଅଜା ଉକ୍ତ ପଦରେ ଯୋଗ ଦେବାକୁ ବିଚାର କରି ଦରଖାସ୍ତ କଲେ ଏବଂ ନିଯୁକ୍ତି ପାଇଁ ଅନୁମତି ଆସିଗଲା । ସେଠୁ ଅଜା ସେହି ଖବର ତାଳଚେର ମହାରାଜାଙ୍କୁ ଜଣାଇ କହିଲେ, “ଆଉ ଆପଣଙ୍କ ପୁଅକୁ ପଢ଼ାଇବା ସୁବିଧା ହେବ ନାହିଁ ।” କିନ୍ତୁ ତାଙ୍କର ପଠନ ପ୍ରଣାଳୀରେ ରାଜା ବଡ଼ ସନ୍ତୁଷ୍ଟ ହୋଇଥିବାରୁ ସେଥିପାଇଁ ତାହାଙ୍କୁ ତାଙ୍କ ପୁତ୍ରଙ୍କର ଘରୋଇ ଶିକ୍ଷକ ପଦରୁ ଛାଡ଼ିଦେବାକୁ ଅସମ୍ମତି ପ୍ରକାଶ କରି ସରକାରୀ ବେତନ ହାର ଅପେକ୍ଷା ଅଧିକ ବେତନ ଦେବାକୁ ରାଜା ସ୍ୱୀକୃତି ଜଣାଇଥିଲେ । ମାତ୍ର “ମୋ ଜୀବନରେ ଏଇଟି ସରକାରୀ କାର୍ଯ୍ୟ କରିବାକୁ ପ୍ରଥମ ସୁଯୋଗ ମିଳୁଛି, ମୋର ଏହା ଛାଡ଼ିବା ଅନୁଚିତ ।” କହି ଅଜା ସେଠାରୁ ଚାଲି ଆସିଥିଲେ । ଶିକ୍ଷା ବିଭାଗରେ ପ୍ରଥମ କରି ସେ ସରକାରୀ କାର୍ଯ୍ୟର ଯୋଗ ଦେଲେ ୧୮୯୧ ମସିହାରେ ସହକାରୀ ଶିକ୍ଷକ ପଦରେ । କିଛିଦିନ ପରେ କଟକ ନର୍ମାଲ ଟ୍ରେନିଂ ସ୍କୁଲକୁ ବଦଳି ହେଲେ । ତା’ପରେ ତାହାଙ୍କର ପଦୋନ୍ନତି ଘଟିଲା ଡେପୁଟି ଇନ୍‌ସପେକ୍ଟରଭାବେ । କିଛିଦିନ ଉକ୍ତ ପଦବୀରେ ରହି ୧୯୦୪ ମସିହାରେ ପୁରୀ ଜିଲ୍ଲା ସ୍କୁଲକୁ ପ୍ରଧାନ ଶିକ୍ଷକ ହୋଇଗଲେ । ତା’ପରେ ସେ ୧୯୦୭ରୁ ୧୯୧୯ ମସିହା ପର୍ଯ୍ୟନ୍ତ କଟକ ଗୁରୁଟ୍ରେନିଂ ସ୍କୁଲରେ ରହି ଦ୍ୱିତୀୟ ଥର ପାଇଁ ପୁରୀ ଜି‌ଲ୍ଲା ସ୍କୁଲକୁ ବଦଳି ହେଲେ । ପୁରୀର ଜଳବାୟୁ ଅଜାଙ୍କ ଦେହରେ ଚଳୁ ନ ଥିଲା । ସେ ତାହା ଇନ୍‍ସପେକ୍ଟରଙ୍କୁ ଜଣାଇଲେ ଯେ ତାଙ୍କୁ ଅନ୍ୟତ୍ର ବଦଳି କରିଦେବାକୁ । ସେତେବେଳେ ମିଷ୍ଟର ଡ୍ୟୁକ୍ ସାହେବ ଥିଲେ ଇନ୍‌ସପେକ୍ଟର । ସେ ଅଜାଙ୍କୁ ଅତି ଭଲ ପାଉଥିଲେ । ସାହେବ ମହୋଦୟ ତାଙ୍କର ଏହି ଆପତ୍ତିକୁ ଶୀଘ୍ର ବିଚାର କରି ବାଲେଶ୍ୱର ଜିଲ୍ଲା ସ୍କୁଲକୁ ବଦଳି କରିଥିଲେ । ଅଜା ବାଲେଶ୍ୱର ଜିଲ୍ଲା ସ୍କୁଲରେ ୧୯୧୯ରୁ ୧୯୨୪ ମସିହା ପର୍ଯ୍ୟନ୍ତ ରହି ସରକାରୀ କାର୍ଯ୍ୟରୁ ଅବସର ନେଲେ । ଅଜା ପ୍ରାୟ ଅଠର ବର୍ଷ ହାଇସ୍କୁଲ ଓ ଟ୍ରେନିଂ ସ୍କୁଲମାନଙ୍କରେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରିଥିଲେ । ତାଙ୍କୁ ଶିକ୍ଷା ବିଭାଗରେ କାର୍ଯ୍ୟ କରିବାକୁ ସନ୍ତୋଷ ମିଳୁଥିବାରୁ ସେଇଥିରେ ହିଁ ତାଙ୍କର ଜୀବନ ଅତିବାହିତ ହୋଇଗଲା ।

 

ଛାତ୍ରାବସ୍ଥାରୁ ଅଜାଙ୍କର ଲେଖାଲେଖି କରିବାର ଅଭ୍ୟାସ ଥିଲା । ଚନ୍ଦ୍ରମୋହନ ମହାରଣାଙ୍କର ରଚିତ କବିତାଗୁଡ଼ିକ ରୁଚିକର ଓ ମାଧୁର୍ଯ୍ୟ ପୂର୍ଣ୍ଣ ହେଉଥାଏ ବୋଲି ଉଚ୍ଚଶିକ୍ଷିତ ମହଲରେ ସେତେବେଳେ ଧାରଣା ଥିଲା । ସେଇଥିପାଇଁ ପୁରସ୍କାର ବିତରଣୀ ସଭା, ଦରବାର ଆଦି ଆନନ୍ଦ ଉତ୍ସବଗୁଡ଼ିକୁ ସ୍ୱାଗତ ସଙ୍ଗୀତ ଲେଖି ପଠାଇବାକୁ କର୍ତ୍ତୃପକ୍ଷମାନେ ତାହାଙ୍କୁ ଅନୁରୋଧ କରୁଥିଲେ । ୧୯୧୧ କିମ୍ବା ୧୯୧୨ ମସିହାରେ ମୋର ମା’ ସେତେବେଳେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ଭବତଃ ସପ୍ତମ ଶ୍ରେଣୀରେ ପଢ଼ୁଥିଲା । ସେତେବେଳେ ସେ ବିଦ୍ୟାଳୟରେ ଲଣ୍ଡନର ଅଧିବାସୀ ମିସେସ୍ ବ୍ୟାଙ୍କ ପ୍ରଧାନ ଶିକ୍ଷୟିତ୍ରୀ ଥିଲେ । ତାଙ୍କର ତଥା ତାଙ୍କ ସହକର୍ମୀମାନଙ୍କର ଅଜାଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଥିଲା । ଉକ୍ତ ଅନୁଷ୍ଠାନର ପୁରସ୍କାର ବିତରଣୀ ଉତ୍ସବ ପାଇଁ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ମିସ୍ ନିର୍ମଳା ନାୟକ (ବାଲେଶ୍ୱର ନିବାସୀ ଯେ କି ଓଡ଼ିଶାର ମହିଳାମାନଙ୍କ ମଧ୍ୟରେ ପ୍ରଥମେ ବିଲାତରୁ ଉଚ୍ଚଶିକ୍ଷା ଲାଭ କରିଥିଲେ) ସ୍ୱାଗତ ସଙ୍ଗୀତଟିଏ ଲେଖିଦେବା ପାଇଁ ମା’ଙ୍କଦ୍ୱାରା ଅଜାଙ୍କୁ ନିବେଦନ ଜଣାଇଥିଲେ । ତାହାଙ୍କ ନିବେଦନ ରକ୍ଷା କରି ଅଜା ନିମ୍ନଲିଖିତ ସଙ୍ଗୀତଟି ଲେଖି ମା’ ହାତରେ ପଠାଇଥିଲେ ।

 

“ଆଜ ଶୁଭ ଦିନେ

ଆନନ୍ଦ ଭବନେ

ଆହା କି ମଧୁର ମେଳନ

ଅନ୍ତରେ ଅନ୍ତରେ ବାଜଇ ମଧୁର ନିକ୍ୱଣ ।

ବାଣୀ ବୀଣାପାଣି

ଶ୍ୱେତ ସରୋଜେ

ସ୍ୱରୂପ ସମ୍ଭାରେ ଦେଖ କିବା ବିଜେ”

ହରଷେ ଆବେଶେ

ଲସେ କିବା ସଭା ଭବନେ ।

ଉଦାର ହୃଦୟ

ପ୍ରଶାନ୍ତ ମୂରତି

ଦେଖ ଉଚ୍ଚାସନେ ବିଜେ ସଭାପତି

ଶ୍ରୀକରୁଁ, ଅନ୍ତରୁ

ହେବ ପୁରସ୍କାର ବଣ୍ଟନ ।

ଆସ ଭାଇ ଆସ

ଫିଟାଇ ଅନ୍ତର

ଗାଇବା ବାଣୀଙ୍କ

ମହିମା ନିକର

ଭକ୍ତିରେ, ପୂଜରେ

ବରଦା ଅଭୟ ଚରଣ ।”

 

ବିଶେଷ କରି କଟକ ଗୁରୁ ଟ୍ରେନିଂ ସ୍କୁଲରେ ଥିବା ସମୟ ମଧ୍ୟରେ ତାଙ୍କର ସ୍ୱରଚିତ ମାତ୍ର ଅଳ୍ପ କେତୋଟି ପାଠ୍ୟପୁସ୍ତକ ‘କଥାବଳୀ’ (୧ମ ମାନ, ୨ୟ ମାନ ଓ ୩ୟ ମାନ, ୪ର୍ଥ ମାନ) ଦୁଇଖଣ୍ଡ, ‘ଓଡ଼ିଆ ବ୍ୟାକରଣ’ (ପ୍ରଥମ ସୋପାନ ଓ ଦ୍ୱିତୀୟ ସୋପାନ) ଦୁଇଖଣ୍ଡ ଏବଂ ‘ରଚନା ଶିକ୍ଷା’ ପ୍ରକାଶ ପାଇଥିଲା । ତା’ଛଡ଼ା କେତେଖଣ୍ଡ ବହି ପାଇଁ ପାଣ୍ଡୁଲିପିମାନ ଲେଖା ସରିଥିଲା । ସେଗୁଡ଼ିକ ଛପା ହୋଇନପାରି ରେମୁଣାସ୍ଥ ତାହାଙ୍କ ବାସଗୃହର ଆଲମିରାରେ ଥିଲା ।

 

ସେତେବେଳେ ରେମୁଣାରେ ଅଜାଙ୍କ ବ୍ୟତୀତ ଉଚ୍ଚଶିକ୍ଷିତ ବ୍ୟକ୍ତି ଆଉ କେହି ନ ଥିଲେ । ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଅସାଧୁ ବ୍ୟକ୍ତିମାନେ ତାହାଙ୍କ ପ୍ରତି ଆକ୍ରୋଶ ରଖି ନାନା ମାଲିମୋକଦ୍ଦମା କରାଇବା ସଙ୍ଗେ ସଙ୍ଗେ ତାହାଙ୍କର ବାସଗୃହକୁ ତିନିଥର ନିଆଁ ଲଗାଇ ଦେଇଥିଲେ । ଗୋପୀନାଥ ସଡ଼କ ପାର୍ଶ୍ୱରେ ଅଜାଙ୍କର ଏକ ବୈଠକଖାନା ଥିଲା । ଛୁଟିମାନଙ୍କରେ ସେ ଆସିଲେ ସେଇଠି ବସାଉଠା କରୁଥିଲେ ଏବଂ ସେତେବେଳେ ସେଇଠି ଚାଟଶାଳୀ ହେଉଥିଲା । ସେ ଘରଟିକୁ ମଧ୍ୟ ସେମାନେ ପୋଡ଼ି ଦେଇଥିଲେ । ୧୯୧୨ ମସିହା ପୌଷ ମାସ ସନ୍ଧ୍ୟାବେଳେ ତାଙ୍କର ଯେଉଁ ଗୃହଦାହ ହୋଇଥିଲା, ସେଇଥିରେ ବହୁତ ଆସବାବପତ୍ର ସହ ଆଲମାରୀଟିରେ ଥିବା ଦୀର୍ଘଦିନ ଧରି ରଚନା କରିଥିବା ସମସ୍ତ ପାଣ୍ଡୁଲିପି ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା । ତା’ ପଛକୁ ୧୯୧୫ ମସିହା ବୈଶାଖ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ କଲେରା ରୋଗରେ ମୋର ଆଈଙ୍କର ମୃତ୍ୟୁ ଘଟିଥିଲା । ଯେତେବେଳେ ବିପଦ ଆସେ ଗୋଟିକ ପରେ ଗୋଟିକ ତାର ସାଙ୍ଗସାଥୀ ନେଇ ଆସେ, ଯାହାକି ଅନୁଭବୀହିଁ ଅନୁଭବ କରିପାରନ୍ତି । ମା’ଠାରୁ ଯେପରି ଶୁଣିଛି ତାହା ବାସ୍ତବିକ ଯେ କେତେ ହୃଦୟବିଦାରକ ଓ ମର୍ମନ୍ତୁଦ ତାହା ପ୍ରକାଶ କରିବା ଦୁରୂହ । ବିଶେଷ କରି ତାହାଙ୍କ ଜୀବନର ମୂଲ୍ୟବାନ ସମ୍ପତ୍ତି ପାଣ୍ଡୁଲିପିଗୁଡ଼ିକ ପୋଡ଼ି ନଷ୍ଟ ହୋଇଗଲା, ସେଇଟାହିଁ ତାଙ୍କ ମନରେ ଅନୁତାପ ସୃଷ୍ଟି କରୁଥିଲା । ତାଙ୍କ ଜୀବନର ଚତୁର୍ଥାଂଶଟି ପୂରା ଅଶାନ୍ତି ଭିତରେ କଟିଗଲା । ଯାହା ଫଳରେ କି ତାଙ୍କ ମନର ବଳ ଦୁର୍ବଳ ହୋଇପଡ଼ିଲା । ତାଙ୍କର ସାହିତ୍ୟ ରଚନା ଶିଥିଳ ହୋଇଗଲା । ସେହି ସମୟରେ ‘ସଂସ୍କାରକ’, ‘ଇନ୍ଦ୍ରଧନୁ’ ଆଦି କେତୋଟି ପତ୍ରପତ୍ରିକା ପ୍ରକଶ ପାଉଥାଏ । ସମୟ ସମୟରେ ସେ ବିଭିନ୍ନ ପ୍ରକାର ରଚନା ପ୍ରକାଶନ ପାଇଁ ପଠଉଥିଲେ । ଏତେ ବିପଦ ସତ୍ତ୍ୱେ ଜ୍ଞାତି କୁଟୁମ୍ବ ତଥା ଜନ୍ମସ୍ଥାନ ପ୍ରତି ମମତା ଥିବାରୁ, ଗ୍ରାମ୍ୟ ସଂସ୍କୃତି ଓ ପ୍ରକୃତିର ଶୋଭା ତାହାଙ୍କୁ ରୁଚିକର ହେଉଥିବାରୁ ସେ ରେମୁଣା ଛାଡ଼ି ଅନ୍ୟତ୍ର ଯାଇ ନ ଥିଲେ ।

 

ଅଜା ବଡ଼ କର୍ତ୍ତବ୍ୟନିଷ୍ଠ ଥିଲେ । ସେତେବେଳେ ଇଂରେଜ ଶାସନ ଚାଲିଥିଲା । ଗୋରା କର୍ମଚାରୀମାନେ ଉଚ୍ଚ ପଦବୀରେ ରହୁଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଥିବା ସମୟରେ ନ ଜଣାଇ ଦିନେ ଶିକ୍ଷା ବିଭାଗର ପରିଦର୍ଶକ ମହୋଦୟ ହଠାତ୍ ସ୍କୁଲକୁ ଆସି ଅଫିସ ରୁମ୍‌ର ଆଗ ବାରଣ୍ଡାରେ ପହଞ୍ଚିଲେ । ଅଜା ସେତେବେଳେ ଅଫିସ କାର୍ଯ୍ୟରେ ଲିପ୍ତ ରହିଥିଲେ । ଅଳ୍ପ କିଛିକ୍ଷଣ ପରେ ପରିଦର୍ଶକଙ୍କ ଆଡ଼କୁ ଦୃଷ୍ଟି ପକାଇ ଅଫିସ ଭିତରେ ଆସନରେ ବସିବାକୁ ସ୍ୱାଗତ ଜଣାଇଲେ । ଆଗରୁ ନ ଜଣାଇ ହଠାତ୍ ପରିଦର୍ଶନରେ ଆସି ପହଞ୍ଚିଥିବାରୁ ସାହେବ ନିଜକୁ ଅପ୍ରସ୍ତୁତ ବୋଧ କରି ସଙ୍ଗେସଙ୍ଗେ ପ୍ରସ୍ତୁତ ହୋଇଥିବା ସ୍କୁଲର ଯାବତୀୟ ରେକର୍ଡ଼ ତଦନ୍ତ କରି ସନ୍ତୁଷ୍ଟ ଚିତ୍ତରେ ଫେରିଥିଲେ ଏବଂ ଅଜାଙ୍କ ପ୍ରତି ଇନ୍‍ସପେକ୍ଟର ମହୋଦୟଙ୍କର ଉତ୍ତମ ଧାରଣା ଜନ୍ମିଥିଲା ।

 

ପୁରୀରୁ ୧୯୦୬ ମସିହାରେ ଅଜା କଟକ ଗୁରୁଟ୍ରେନିଂ ସ୍କୁଲକୁ ବଦଳି ହୋଇ ଆସିଲେ, ଆଗରୁ ମୁଁ କହିଛି । ପ୍ରତି ଅନୁଷ୍ଠାନମାନଙ୍କରେ ସେ ଥିଲାବେଳେ ବରାବର ଛାତ୍ରାବାସର ପରିସର ଭିତରେ ରହୁଥିଲେ । ଛାତ୍ରାବାସ ଓ ବିଦ୍ୟାଳୟର ଛାତ୍ରମାନଙ୍କର ଚରିତ୍ର ଗଠନ ଏବଂ ଅସୁବିଧା ପ୍ରତି ତାଙ୍କର ନଜର ରହୁଥିଲା । ସେତେବେଳେ ଓଡ଼ିଶାର ଏଇ ଗୋଟିଏ ମାତ୍ର ଗୁରୁଟ୍ରେନିଂ ସ୍କୁଲ ଥାଏ ଏବଂ ରେଭେନ୍ସା କଲେଜ ବ୍ୟତୀତ ଉଚ୍ଚ ଶିକ୍ଷାନୁଷ୍ଠାନ ଆଉ ନ ଥାଏ । ଏହି ଦୁଇ ଅନୁଷ୍ଠାନରେ ପଢ଼ିବାକୁ ବି ଦୂରଦୂରାନ୍ତରୁ ଛାତ୍ରମାନେ ଆସୁଥିଲେ । ସେମାନଙ୍କ ମଧ୍ୟରେ ଅନେକ ଗରିବ ଛାତ୍ର ଥା’ନ୍ତି । ଅଜା ସତ୍ ଚରିତ୍ରବାନ ଗରିବ ଓ ମେଧାବୀ ଛାତ୍ରମାନଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କ ବସାରେ ଜଣେ ଦୁଇଜଣ ଛାତ୍ର ବରାବର ରହି ପଢ଼ୁଥିଲେ । ବିଶେଷ କରି ସେ କଟକ ଗୁରୁଟ୍ରେନିଂ ସ୍କୁଲରେ ଥିଲାବେଳେ ତାଙ୍କ ପାଖରେ ଦୁଇ ଚାରି ଜଣ ଛାତ୍ର ବରାବର ରହୁଥିଲେ । ଏହା ବ୍ୟତୀତ ରେଭେନ୍ସା କଲେଜ ଆଦିରେ ଉଚ୍ଚଶିକ୍ଷା ଲାଭ କରୁଥିବା ସମୟରେ କେତେକ ଅଭାବୀ ଛାତ୍ର ତାହାଙ୍କ ବସାରେ ରହୁଥିଲେ । ଅଜା କଟକ ଗୁରୁଟ୍ରେନିଂ ସ୍କୁଲକୁ ଚାଲି ଆସିବାରୁ ମୋର ପୂଜନୀୟ ବଡ଼ ମାମୁ ରଜନୀ ବାବୁ, ମା’ ଉମା ଦେବୀ, ମଝିଆଁ ମାମୁ ଲୋକନାଥ ବାବୁଙ୍କର ପଢ଼ାପଢ଼ିର ସୁବିଧା ଦୃଷ୍ଟିରୁ ସେମାନଙ୍କୁ ପାଖରେ ଆଣି ରଖିଲେ । ବଡ଼ମାମୁ ସେତେବେଳେ ମ୍ୟାଟ୍ରିକ୍ ପଡ଼ୁଥିଲେ । ପଣ୍ଡିତ ଗୋଦାବରୀଶ ମିଶ୍ର ଉଚ୍ଚଶିକ୍ଷା ଲାଭ ସମୟରେ ସମ୍ଭବତଃ ଦୁଇ ଚାରି ବର୍ଷ ଅଜାଙ୍କ ବସାରେ ରହିଥିଲେ । ସେ ବଡ଼ମାମୁଙ୍କୁ ଘରେ ପଢ଼ାଉଥିଲେ । ପୁରୀ ଅଞ୍ଚଳର ପଣ୍ଡିତ ବାସୁଦେବ ମିଶ୍ର ଓ ଯଜ୍ଞଭୂଷଣ ପଣ୍ଡିତ ଜଗନ୍ନାଥ ରଥ (କାବ୍ୟତୀର୍ଥ ବିଦ୍ୟାଭୂଷଣ) ଉଭୟେ ଅଜାଙ୍କର ଟ୍ରେନିଂ ସ୍କୁଲର ଛାତ୍ର ଥିଲେ । ସେ ଦୁହେଁ ଅଜାଙ୍କ ବସାରେ ରହୁଥିଲେ । ମା’ ଏବଂ ମଝିଆ ମାମୁଙ୍କୁ ଘରେ ପଢ଼ାଉଥିଲେ । ପଣ୍ଡିତ ନୀଳକଣ୍ଠ ଦାଶ କଟକରେ ରହୁଥିବାବେଳେ ଅଧିକାଂଶ ସମୟରେ ଅଜାଙ୍କ ପାଖକୁ ଆସୁଥିଲେ । ସେ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ଉଭୟେ ପୁରୀ ଜିଲ୍ଲା ସ୍କୁଲରେ ଅଜାଙ୍କର ଛାତ୍ର ଥିଲେ । ବାଲେଶ୍ୱର ଟାଉନସ୍ଥ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଉଚ୍ଚଶିକ୍ଷା ଲାଭ କରୁଥିବା ସମୟରେ କିଛିଦିନ ପାଇଁ ଅଜାଙ୍କ ବସାରେ ରହିଥିଲେ । ମୋର ପ୍ରାୟ ଦଶ ବାର ବର୍ଷ ହେବ । ଦିନକର ଘଟଣା ମନେପଡ଼େ, ଦିନେ ମାନନୀୟ ଲକ୍ଷ୍ମୀନାରାୟଣ ସାହୁ ମହାଶୟ ରେମୁଣା ସ୍କୁଲକୁ ଆସିଥାନ୍ତି । ମଝିଆ ମାମୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଥାନ୍ତି । ତାହାଙ୍କ ସହିତ ସାକ୍ଷାତ୍‍ ହେଲା । ସେ ଖୁସିରେ ଅଜାଙ୍କ ଘରକୁ ବୁଲି ଆସିଥିଲେ । ସେ ମା’କୁ ଖୋଜିଲେ । ମା’ ସେଠାରେ ପହଞ୍ଚି ସେମାନଙ୍କ ସହ କଥାବାର୍ତ୍ତା ହେଲେ । ମୁଁ ସେଇଠି ବୁଲୁଥିଲି । ମା’ ମୋତେ ତାଙ୍କୁ ଚିହ୍ନାଇ ଦେଇ ପ୍ରଣାମ କରିବାକୁ କହିଲେ । ଆଉ ମଧ୍ୟ କଟକ ଟ୍ରେନିଂ ସ୍କୁଲରେ ଥିବାବେଳେ ଉଚ୍ଚଶିକ୍ଷା ଲାଭ ସମୟରେ ବାଲେଶ୍ୱର ଓ ରେମୁଣା ଅଞ୍ଚଳରୁ ଓକିଲ ଶ୍ରୀଯୁକ୍ତ ରାଧାମୋହନ ରଣା, ଅବସରପ୍ରାପ୍ତ ସବରେଜିଷ୍ଟ୍ରାର ଉଦୟ ମିଶ୍ର, ଅବସରପ୍ରାପ୍ତ ଡାକ୍ତର ଗୋବିନ୍ଦମୋହନ କମିଳା, ଶିକ୍ଷକ ଲକ୍ଷ୍ମୀଧର ପତି, ଶିକ୍ଷକ କଣ୍ଡୁରୀଚରଣ ରଣା, ବାଳକୃଷ୍ଣ ପଣ୍ଡା ଆଦି ଅଜାଙ୍କ ବସାରେ ରହି ପଢ଼ୁଥିଲେ । ଏମାନେ ଆଉ ଇହଧାମରେ ନାହାନ୍ତି । ତା’ ଛଡ଼ା ମୋ ଜାଣିବାରେ ଅଦ୍ୟାବଧି ବାଲେଶ୍ୱର ଟାଉନରେ ଘରକରି ରହିଥିବା ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଭୈରବଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ଆଇ.ଆର୍‌.ଏସ୍ ହରିଶ୍ଚନ୍ଦ୍ର ବଡ଼ାଲ, ଅବସରପ୍ରାପ୍ତ ଜଏଣ୍ଟ ଡିରେକ୍ଟର ଅଫ୍ ପବ୍ଳିକ୍ ହେଲ୍‌ଥ ଡା. ବୃନ୍ଦାବନ ଚନ୍ଦ୍ର ବିଶ୍ୱାଳ, ଅବସରପ୍ରାପ୍ତ ଚିଫ୍ ଜିଓଲଜିଷ୍ଟ ନିର୍ମଳଚନ୍ଦ୍ର ନନ୍ଦୀ, ଅବସରପ୍ରାପ୍ତ ଡାକ୍ତର ମାର୍କଣ୍ଡ ପ୍ରସାଦ ପାତ୍ର, ଅବସରପ୍ରାପ୍ତ ଅବକାରୀ ଇନ୍‍ସପେକ୍ଟର ନିର୍ମଳ ଚନ୍ଦ୍ର ବର୍ଦ୍ଧନ, ଅବସରପ୍ରାପ୍ତ ଡେପୁଟି କୋପରେଟିଭ ସମବାୟ ରେଜିଷ୍ଟ୍ରାର ବିପିନ ବିହାରୀ ଦତ୍ତ, ସାଂବାଦିକ ଜୟନ୍ତ କୁମାର ଘୋଷ ଆଦି କେତେଜଣ ସ୍ୱନାମଧନ୍ୟ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ସ୍କୁଲର ତାହାଙ୍କର ଛାତ୍ର ଅଟନ୍ତି । ଅଜାଙ୍କର ଛାତ୍ରମାନଙ୍କ ମଧ୍ୟରେ ଓଡ଼ିଶାର ସ୍ୱନାମଧନ୍ୟ କୃତୀ ସନ୍ତାନ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଦାଶଙ୍କର ନାମ ଉଲ୍ଲେଖଯୋଗ୍ୟ ଅଟେ । ଅଜାଙ୍କର ଛାତ୍ରବତ୍ସଳତା ଓ ସ୍ନେହଭାବ ଯୋଗୁଁ ଛାତ୍ରମାନେ ତାହାଙ୍କୁ ଭୁଲିପାରିନଥିଲେ । ମୋର ପୂଜନୀୟ ସାନମାମୁ ଶରତବାବୁ ଓଡ଼ିଶାର ମୌଳିକ ଶିକ୍ଷାର ସଂଗଠକ ଥା’ନ୍ତି । ତାହଙ୍କ ଗସ୍ତ ସମୟରେ ଅଜାଙ୍କର ଛାତ୍ରମାନଙ୍କ ସଙ୍ଗେ ସାକ୍ଷାତ ହେଲେ ତାହାଙ୍କ ପରିବାର ଖବର ପଚାରି ବୁଝନ୍ତି ।

 

ମା’ କହେ ଯେ ତାଙ୍କର ଘରୋଇ ଶିକ୍ଷକ ବାସୁଦେବ ବାବୁ ଓ ଜଗନ୍ନାଥ ବାବୁ ତାଙ୍କୁ ପଢ଼ାଉଥିଲାବେଳେ ଅଜା ସମୟ ସମୟରେ ମା’ ଓ ମଝିଆ ମାମୁଙ୍କୁ ପଢ଼ାଉଥିଲେ । ସେ ନାନା ଉଦାହରଣ ଦେଇ ତନ୍ନତନ୍ନ କରି ବୁଝାଇ ଦେଉଥିଲେ, ଯାହାକି ସେମାନଙ୍କର ଭଲଭାବରେ ମନେ ରହି ଯାଉଥିଲା । ତାହାଙ୍କର ପ୍ରଖର ବ୍ୟାକରଣ ଜ୍ଞାନ ଥିଲା । ପିଲାମାନଙ୍କର ଶୁଦ୍ଧ ଉଚ୍ଚାରଣ ପ୍ରତି ସେ ତୀକ୍ଷ୍‌ଣ ଦୃଷ୍ଟି ଦେଉଥିଲେ । ନିଜେ ମଧ୍ୟ ଘରୋଇ କଥାଭାଷାରେ ସଂଯତ ରହୁଥିଲେ । ଆମେ ସାଧାରଣତଃ କହିଥାଉଁ ‘ଚୂଡ଼ାଭଜା’ । ମାତ୍ର ସେ କହୁଥିଲେ ‘ଭଜାଚୂଡ଼ା’ । ତା’ ଛଡ଼ା ତାଙ୍କର ଶୁଦ୍ଧ ଭାଷା କହିବାର ଏପରି ଅଭ୍ୟାସ ହୋଇଯାଇଥିଲା ଯେ ‘ଆ’, ‘ଈ’ କାର ଆଦି ଘରୋଇ କଥାବାର୍ତ୍ତା କହିବାରେ ବି ଦୀର୍ଘସ୍ୱର ଉଚ୍ଚାରିତ ହୋଇ ଯାଉଥିଲା । ପିଲାମାନଙ୍କର ଉତ୍ତମ ଆଚରଣ ଓ ଚରିତ୍ର ଗଠନ ପ୍ରତି ତାଙ୍କର ତୀକ୍ଷ୍‌ଣ ଦୃଷ୍ଟି ଥିଲା । ଖେଳିବା, ଶୋଇବା, ପିନ୍ଧିବା, ଖାଇବା ଆଦି ସାମଗ୍ରୀ ଆଣିଦେବା ପାଇଁ ପିଲାଏ ତାଙ୍କ ପାଖରେ ମନ ଖୋଲାରେ ପ୍ରକାଶ କରୁଥିଲେ । ପିଲାମାନଙ୍କର ମନଲାଖି ସମ୍ଭାବ୍ୟ ଦ୍ରବ୍ୟ ଯୋଗାଇ ଦେଉଥିଲେ ଏବଂ ମନଖୋଲା ସତକଥା ପ୍ରକାଶ କରିବାରେ ପିଲାମାନଙ୍କ ଉପରେ ସେ ଅଧିକ ସନ୍ତୁଷ୍ଟ ହେଉଥିଲେ ।

 

ଅଜା ପ୍ରକୃତିର ଶୋଭା ନିରୀକ୍ଷଣ କରିବାରେ ବଡ଼ ଆନନ୍ଦ ଲାଭ କରୁଥିଲେ । ମହାନ୍‍ଦୀ, କାଠଯୋଡ଼ି, ଧବଳେଶ୍ୱର, ଖଣ୍ଡଗିରି, ଭୁବନେଶ୍ୱର, ସାକ୍ଷୀଗୋପାଳ, ପୁରୀ, କୋଣାର୍କ, ଚିଲିକା ଆଦି ଦର୍ଶନୀୟ ସ୍ଥାନମାନଙ୍କୁ ଅବସର ଦିନଗୁଡ଼ିକରେ ସେ ପିଲାମାନଙ୍କୁ ସଙ୍ଗରେ ନେଇ ବୁଲିବାକୁ ଯାଉଥିଲେ । ଦର୍ଶନୀୟ ସ୍ଥାନମାନଙ୍କର ଭୌଗୋଳିକ, ଐତିହାସିକ ତଥ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ପିଲାମାନଙ୍କୁ ବୁଝାଇ ଦେଉଥିଲେ । ତାହାଛଡ଼ା ବିଭିନ୍ନ ଋତୁର ଆକାଶରେ ଗ୍ରହନକ୍ଷତ୍ରମାନଙ୍କର (ଛାୟାପଥ, ଅଗସ୍ତି, ସପ୍ତର୍ଷି, ଧ୍ରୁବ, ମଙ୍ଗଳ ପ୍ରଭୃତିଙ୍କ) ଗତିବିଧି ସମ୍ବନ୍ଧରେ ନିଜେ ନୀରିକ୍ଷଣ କରିବା ସଙ୍ଗେ ସଙ୍ଗେ ପିଲାଙ୍କୁ ଡାକି ଦେଖାଇ ଦେଉଥିଲେ । ସ୍ୱରଚିତ କଥାବଳୀ ବହିର ‘ଶରତ୍‌’ ଋତୁ ବର୍ଣ୍ଣନା କରି ଲେଖିଥିଲେ–

 

“ଦକ୍ଷିଣ ଦିଗର ଲଲାଟେ

 

ମଥାମଣି ପରାଏ

ବିଭାବରୀ କାଳେ ଅଗସ୍ତି

 

ଆହା କି ଶୋଭା ପାଏ!

X X X

ଜହ୍ନିଫୁଲ ଜହ୍ନି ଲତିକା–

 

ଶେଯେ ଆସିଲା ଫୁଟି;

ଶ୍ୟାମ ଛାୟାପଥେ କି ଅବା

 

ସ୍ୱର୍ଣ୍ଣ ତାରକା କୋଟି ।”

(କଥାବଳି- ୨ୟ ଖଣ୍ଡ)

 

ଏତଦ୍‌ବ୍ୟତୀତ ଅଧିକାଂଶ ସମୟରେ ବାସଗୃହ ନିକଟରେ ବା ଗାଁଗଣ୍ଡାରେ ଥିବା ବୃକ୍ଷଲତା, ଫଳପୁଷ୍ପ, ପଶୁପକ୍ଷୀ ଯାହାଙ୍କଠାରେ ସୁଗୁଣ ଅଛି ତାହାକୁ ପିଲାଙ୍କ ଦୃଷ୍ଟିଗୋଚରକୁ ଆଣି ଚରିତ୍ର ଗଠନ ଓ ସତ୍ ଆଚରଣ ସାଧନ କରିବା ପାଇଁ ବୁଝାଇ ନୀତିଶିକ୍ଷା ଦେଉଥିଲେ । ତାଙ୍କ ରଚିତ ‘କଥାବଳି’ରେ ଏହି କଥା ମଧ୍ୟ ଉଲ୍ଲେଖ କରିଛନ୍ତି–

 

“ନିଜେ ସହି ଖରାବର୍ଷା ଶୀତର କଷଣ

ଜୀବମାନଙ୍କର ହିତ କରଇ ସାଧନ

ଏହି ରୂପେ ଯେଉଁ ଜନ ନିଜେ କଷ୍ଟ ସହି

ପର ହିତ ସାଧେ ତାକୁ ମହାଜନ କହି ।”

(ବଟବୃକ୍ଷ-କଥାବଳି-୧)

 

‘ମହୁମାଛି’ ପଦ୍ୟ–

 

“ଶ୍ରମ ଅଟେ ବଡ଼ ଗୁଣ, ଆଳସ୍ୟର ଅରି

ପ୍ରାଣୀର ମନକୁ ଏହା ମହତ ପ୍ରହରୀ;

ମେଳେ ମହାକାର୍ଯ୍ୟ ସିଦ୍ଧି; ଯେ କରେ ସଞ୍ଚୟ

ନଥାଏ ତା ମନେ ଅନାହାର ମୃତ୍ୟୁ ଭୟ,

ଗୁଣମାନଙ୍କରେ ଏହି ତିନି ମଣି ପରି

ଶିଖ ମହୁମାଛିଠାରୁ ତାକୁ ଗୁରୁ କରି ।”

(ମଧୁମାଛି– କଥାବଳି-୧)

 

ଋତୁ ଅନୁଯାୟୀ ନାନାପ୍ରକାର ଫଳ ଖାଇବାରେ ତାଙ୍କର ଆନନ୍ଦ ଥିଲା । ଏପିରିକି କଂସାଏ ମଣ୍ଡ ବାହାରି ପାରିବା ପରି ଗୋଟିଏ ପଣସ ଥରକେ ସେ ଖୁସିରେ ଖାଇପାରୁଥିଲେ । ଆଉ କଟକୀ ସେରେ ଚୂଡ଼ା (କଞ୍ଚା) ଖାଇ ପାରୁଥିଲେ । ଫଳ ଖାଇବା ସଙ୍ଗେ ମଧ୍ୟ ଫଳ ଗଛ ଲଗାଇବାରେ ତାଙ୍କର ବଡ଼ ସଉକ ଥିଲା । ଏପିରିକି ବାହାରେ ଥିଲାବେଳେ ଯେଉଁସବୁ ଫଳ ଖାଉଥିଲେ ତାହାର ମଞ୍ଜିରୁ ଗଛ ଉତ୍ତାରି ନିଜେ ଜମିରେ ଓ ବାସଗୃହ ନିକଟରେ ଲଗାଇ ବଗିଚା ସୃଷ୍ଟି କରିଯାଇଛନ୍ତି । ବିଶେଷ କରି ନାନା ଜାତିର ଆମ୍ବ ଓ ନଡ଼ିଆ ଗଛ ଆଦି ତାଙ୍କ ବଗିଚାରେ ତାହାର ଦୃଷ୍ଟାନ୍ତ । ସେହି ଗଛର ଫଳ ଆମ୍ଭେମାନେ ଏବେ ମଧ୍ୟ ଖାଉଛୁଁ । ଏତଦ୍‌ଭିନ୍ନ କୃଷି ଓ ଗୋପାଳନ ପ୍ରତି ତାଙ୍କର ଆଗ୍ରହ ଥିଲା ।

 

ସେ ନିରାମିଷ ଆହାରି ଓ ଏକନିଷ୍ଠ ଧର୍ମପ୍ରାଣ ବ୍ୟକ୍ତି ଥିଲେ । ଅଜା ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ ଏବଂ ଗୋପାଳ ମୂର୍ତ୍ତି ଆଣି ପୁରୋହିତଙ୍କ ଗୃହରେ ରଖି ପୂଜା ଅର୍ଚ୍ଚନାର ବ୍ୟବସ୍ଥା କରିଥିଲେ । ଅଦ୍ୟାବଧି ତାହାଙ୍କ ମୂଳ-ଦେବତା ସେହି ପୁରୋହିତଙ୍କ ଗୃହରେ ପୂଜା ପାଉଛନ୍ତି । ସେ ପ୍ରତ୍ୟହ ସକାଳେ ସନ୍ଧ୍ୟାରେ ଅଧଘଣ୍ଟାଏ ବସି ପ୍ରାର୍ଥନା କରୁଥିଲେ । ପ୍ରାର୍ଥନା ପରେ ପ୍ରଣାମ କରିବା ସମୟରେ ଅଜା ବୋଲୁଥିବା ନିମ୍ନୋକ୍ତ ଦୁଇପଦ ଶ୍ଳୋକ ‘ମା’ ମୁହଁରୁ ମୁଁ ଅନେକଥର ଶୁଣିଛି –

 

“ନମାମି ନିତ୍ୟଂ ତବ ପାଦ ଯୁଗ୍ମଂ

ଧ୍ୟାୟାମି ନିତ୍ୟଂ ତବ ପୂର୍ଣ୍ଣ ରୂପମ୍ ।

କରୋମି ନିତ୍ୟଂ କମଳେ ହି ପୂଜାଂ

ନାଥ! ତ୍ୱଦ୍ୱୀୟ ଚରଣଂ ସ୍ମରାମି ।-”

 

ସେ ଯୋଗ ଓ ପ୍ରଣାୟମ ଶିଖୁଥିଲେ । କୌଣସି ବ୍ୟତିକ୍ରମ ହେବାରୁ ସେ ଆଜୀବନ ଶୂଳ ଭୋଗ ଭୋଗିଥିଲେ । ପୂଜ୍ୟପାଦ ଦୟାଲ ଚାନ୍ଦ ବ୍ରହ୍ମଚାରୀ ବନାରସ ନିବାସୀଙ୍କ ସହ ତାଙ୍କର ସମ୍ପର୍କ ଥିଲା । ସେ ବର୍ଷକୁ ଥରେ ଦୁଇଥର ଅଜାଙ୍କ ପାଖକୁ ଆସୁଥିଲେ । ସେ ଘରେ ରହୁଥିଲାବେଳେ ଗୈରିକ ବସ୍ତ୍ର ପରିଧାନ କରୁଥିଲେ । ଅଧିକାଂଶ ସମୟ ମୌନ ରହି ବାକ୍‌ସଂଯମ କରୁଥିଲେ । ଆବଶ୍ୟକତା ପଡ଼ିଲେ ହାତ ଆଙ୍ଗୁଳିର ସଙ୍କେତଦ୍ୱାରା ମନର ଭାବ ପ୍ରକାଶ କରୁଥିଲେ । ରାସ୍ତାରେ ସେ ଯାଉଥିଲାବେଳେ ଲୋକେ ତାଙ୍କୁ ଦେଖି ବାଟ ଛାଡ଼ିଦେବା ପୂର୍ବରୁ ସେ ନିଜେ ସତର୍କ ହୋଇ ରାସ୍ତାର ଧାରେ ଧାରେ ଚାଲୁଥିଲେ । ଏହି ସ୍ୱଭାବ ତାଙ୍କର ଚିରଦିନ ରହି ଆସିଥିଲା । ସେ ଭୀଷଣ ରାଗୀ ଥିଲେ । ଘରେ, ବାହାରେ ତାହାଙ୍କର କଥାରେ କେହି ଅବମାନନା କରୁଥିଲେ ବା କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କଲେ ସେ ଏତେ ଚିଡ଼ିଯାଇ ପାଟି କରୁଥିଲେ ଯେ ସତେ ଯେମିତି ମେଘ ଗର୍ଜନ ଦେଉଛି । ସେ ଏପରି ପାଟିକଲା ଫଳରେ ଲୋକେ ବଡ଼ ଭୀତତ୍ରସ୍ତ ହେଉଥିଲେ । ଏପରିକି କିଛି ସମୟ ପ୍ରିୟ ଲୋକଙ୍କୁ ମଧ୍ୟ କଥାବାର୍ତ୍ତା କରୁନଥିଲେ । ମାତ୍ର ସେ ରାଗିଗଲେ ଅକ୍ରୋଶରେ କାହାରି ପ୍ରତି କ୍ଷତି ଘଟାଉ ନ ଥିଲେ ।

 

ଅଜାଙ୍କର ଗୋଟିଏ ବଡ଼ ଗୁଣ ଥିଲା । ଯାହାକି ଆମକୁ ଆଶ୍ଚର୍ଯ୍ୟ କରିଦେଇ ଥିଲା । ତାହା ହେଉଛି ଶତ୍ରୁଙ୍କୁ ସୁଦ୍ଧା ସେ ବିପଦରେ ସାହାଯ୍ୟ କରୁଥିଲେ । ଅଜାଙ୍କ ସହ ତାଙ୍କର ପଡ଼ିଶା ଠକି ସାହୁଙ୍କର ଦୀର୍ଘଦିନ ଧରି ବାଲେଶ୍ୱର କୋର୍ଟରେ ମୋକଦ୍ଦମା ଚାଲି ତାହା କଟକ ଜଜ୍‍ କୋର୍ଟକୁ ଉଠିଗଲା । ଅଜା ସେତେବେଳେ ଥିଲେ କଟକ ଗୁରୁଟ୍ରେନିଂ ସ୍କୁଲରେ । ଠକି ସାହୁଙ୍କର କଟକରେ କାହାରି ସହିତ ପରିଚୟ ନ ଥାଏ । ମାତ୍ର ତାହାଙ୍କର ମୋକଦ୍ଦମା ସଂକ୍ରାନ୍ତୀୟ କାଗଜ ପତ୍ର ଓ ଟଙ୍କା ପଇସା ନିରାପଦରେ ରହିବ ଭାବି ସେ ଅଜାଙ୍କ ପ୍ରତି ବିଶ୍ୱାସ ରଖି ତାହାଙ୍କ ବସାରେ ମୋକଦ୍ଦମା ତାରିଖର ଆଗଦିନ ପହଞ୍ଚି ରାତ୍ରିରେ ସେଇଠି ଆଶ୍ରୟ ନେଉଥିଲେ । ରାତି ପାହିଲେ ଅଜାଙ୍କ ବିରୁଦ୍ଧରେ କୋର୍ଟରେ ଛିଡ଼ା ହୋଇ ମୋକଦ୍ଦମାରେ ଲଢ଼ୁଥିଲେ । ଏହିପରି ଥରେ ନୁହେଁ ମୋକଦ୍ଦମା ରାୟ ପର୍ଯ୍ୟନ୍ତ ଚାରି ପାଞ୍ଚଥର ସେ ତାଙ୍କ ବସାରେ ଆଶ୍ରୟ ନେଇଛନ୍ତି । “ଅଜା ବିଚାରୁଥିଲେ ମୋକଦ୍ଦମା ଓ ବିଚାରରେ ଯାହା ହବାର ହେବ । ମାତ୍ର ତାଙ୍କର ଯଦି ମୋ ପ୍ରତି ବିଶ୍ୱାସ ରହିଛି ଯେ ସେ ନିରାପଦରେ ରହିପାରିବେ, ତେବେ ମୋର ଉଚିତ ତାଙ୍କୁ ଆଶ୍ରୟ ଦେବା ।” ଏପରିକି କଟକରୁ ବାଲେଶ୍ୱରକୁ ଫେରିବା ବାଟ ଖରଚ ଅଭାବ ପଡ଼ୁଥିଲାବେଳେ ସେ ଅଜାଙ୍କଠାରୁ ଧାର ସୂତ୍ରରେ ମଧ୍ୟ ଆଣୁଥିଲେ । ମୋକଦ୍ଦମାରେ ଅବଶ୍ୟ ଅଜାଙ୍କର ରାଏ ମିଳିଥିଲା ।

 

ଅଜାଙ୍କର ଏକକାଳୀନ ରହଣୀ ପ୍ରାୟ ବାରବର୍ଷ କଟକ ଗୁରୁଟ୍ରେନିଂ ସ୍କୁଲରେ କଟିଗଲା । ତାହା ବ୍ୟତୀତ ଆଗରୁ କଛିଦିନ କଟକରେ ବି ରହିଥିଲେ । ତେଣୁ ସେତେବେଳେ ସାହିତ୍ୟିକ ଏବଂ ଖ୍ୟାତନାମା ବ୍ୟକ୍ତି କବିବର ରାଧନାଥ ରାୟ, ତାହାଙ୍କର ପୁଅ କବି ଶଶିଭୂଷଣ ରାୟ, ବ୍ୟାସକବି ଫକୀରମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, ମଧୁସୂଦନ ଦାସ, ଉତ୍କଳ ସାହିତ୍ୟ ପ୍ରେସ୍‍ ସମ୍ପାଦକ ବିଶ୍ୱନାଥ କର, ମୁକୁର ସମ୍ପାଦକ ବ୍ରଜସୁନ୍ଦର ଦାସ, ପଲ୍ଲୀକବି ନନ୍ଦକିଶୋର ବଳ, ବିହାରର ପୂର୍ବତନ ରାଜ୍ୟପାଳ ମାନ୍ୟବର ନିତ୍ୟାନନ୍ଦ କାନୁନଗୋଙ୍କ ପିତା ବାଳମୁକୁନ୍ଦ କାନୁନଗୋ, ପୁରୀ ମନ୍ଦିରର ତତ୍‌କାଳୀନ ମେନେଜର ସ୍ୱର୍ଗତ ଗୋପବନ୍ଧୁ ଚୌଧୁରୀଙ୍କ ପିତା ଗୋକୁଳାନନ୍ଦ ଚୌଧୁରୀ ଆଦିଙ୍କ ସହ ଅଜାଙ୍କର ସମ୍ପର୍କ ଥିଲା । ଏମାନଙ୍କ ମଧ୍ୟରୁ ଶଶୀବାବୁ ଅଧିକାଂଶ ସମୟରେ ଅଜାଙ୍କ ପାଖକୁ ଆସୁଥିଲେ । ମା’ କହେ “ସେମାନେ ଅଧିକାଂଶ ସମୟରେ ସାହିତ୍ୟ ଚର୍ଚ୍ଚାରେ ରତ ରହୁଥିଲେ ।” (୧୯୧୨ ମସିହା) କଟକ ବାରବାଟୀ କିଲା ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଦରବାର ଉତ୍ସବକୁ ଅଜା ନିମନ୍ତ୍ରିତ ହୋଇ ଯାଇଥିଲେ । ସେ, ମା ଓ ମାମୁମାନଙ୍କୁ ଉକ୍ତ ଉତ୍ସବଟିକୁ ଦେଖିବାକୁ ସଙ୍ଗରେ ନେଇ ଯାଇଥିଲେ ।

 

ଥରକର କଥା, ତାରିଖ ମା’ର ମନେ ନ ଥାଏ । କଟକ ଟାଉନ ହଲରେ ମିଟିଂ ହୋଇଥାଏ । ମାନ୍ୟଗନ୍ୟ ଲୋକମାନଙ୍କ ଗହଣରେ ଫକୀରମୋହନ ସେନାପତି ଓ ଅଜା ନିମନ୍ତ୍ରିତ ହୋଇଯାଇଥାନ୍ତି । ମା’ ଅଜାଙ୍କ ସହ ଖୁସିରେ ସେଠାକୁ ଯାଇଥାନ୍ତି ଏବଂ ତାଙ୍କ ପାଖରେ ବସିଥାନ୍ତି । ସମ୍ଭବତଃ ଏହା ଉତ୍କଳ ସାହିତ୍ୟ ସଭା ହେଉଥାଏ । ଫକୀରମୋହନ ବାବୁଙ୍କର ତାଙ୍କ ଭାଷଣର ମଝିରେ ମଝିରେ ହାସ୍ୟରସ ସୃଷ୍ଟି କରିବାର ଅଭ୍ୟାସ ଥାଏ । ସେ ଅଜାଙ୍କ ଆଡ଼କୁ ହାତ ଦେଖାଇ କହିଲେ “ଚନ୍ଦ୍ରମୋହନ ବାବୁ ଓ ମୁଁ ବାଲେଶ୍ୱରିଆ ଅଟୁଁ । ଆମ ମଧ୍ୟରେ ବେଶ୍‍ ସୁସମ୍ପର୍କ ଅଛି । ମାତ୍ର ସେ ବହି ଲେଖି ଲେଖି କବିହେଲେ । ମୁଁ କିନ୍ତୁ କୋବି ପାଲଟି ଗଲି ।” ଫକୀରମୋହନଙ୍କ ମୁହଁରୁ ଏପରି ଥଟ୍ଟାଳିଆ କଥା ପଦକ ଶୁଣି ବସିଥିବା ସଭାସଦ୍‌ ବୃନ୍ଦ ଠୋ ଠୋ କରି ହସି ଉଠିଲେ । ଏହା ବ୍ୟତୀତ ଅଜାଙ୍କର ମୟୂରଭଞ୍ଜ, ତାଳଚେର, ବଣାଇ, ବାମଣ୍ଡା ଆଦି କେତେକ ରାଜା, ମହାରାଜାମାନଙ୍କ ସହ ସମ୍ପର୍କ ଥିଲା । ବାଲେଶ୍ୱରର ମହାରାଜା ରାୟବାହାଦୂର ବୈକୁଣ୍ଠ ନାଥ ଦେ ଓ ତାଙ୍କ ପୁତୁରା ମନ୍ମଥ ନାଥ ଦେ ଅଜାଙ୍କୁ ବଡ଼ ସମ୍ମାନ ଦେଖାଉଥିଲେ । ସେ ଅଧିକାଂଶ ସମୟ ଅଜାଙ୍କ ପାଖକୁ ଆସୁଥିଲେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଥିଲାବେଳେ ଏବଂ ଦୁର୍ଗାପୂଜା ଉତ୍ସବରେ ଅଜାଙ୍କୁ ବରାବର ନିମନ୍ତ୍ରଣ କରୁଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ତାହାଙ୍କର ପୁଅ ଅଜାଙ୍କର ଛାତ୍ର ଥିଲେ ।

 

ମା’ ମୁହଁରୁ ଏହିପରି ନାନା କଥା ଶୁଣିଥିବା ଅଜାଙ୍କ ଜୀବନର କାହାଣୀ ମଧ୍ୟରୁ ଦିନକର ଘଟଣାଟି ମୋ ମନରେ ଲିପିବଦ୍ଧ ହୋଇ ରହିଯାଇଛି । ଅଜା କାର୍ଯ୍ୟରୁ ଅବସର ନେବାର ଠିକ୍ ଦୁଇବର୍ଷ ପରେ ତାଙ୍କର ସେତେବେଳକୁ ପ୍ରାୟ ବାଷଠୀ ବର୍ଷ ହୋଇଥାଏ । ୧୯୨୯ ମସିହା ବସନ୍ତ ଋତୁରେ ଗ୍ରହଣୀ ଅତିସାର ରୋଗରେ ସେ ଆକ୍ରାନ୍ତ ହେଲେ । ବର୍ତ୍ତମାନ ପରି ବ୍ୟାପକ ଓ ଉନ୍ନତ ପ୍ରଣାଳୀର ଚିକିତ୍ସାର ବ୍ୟବସ୍ଥା ସେତେବେଳେ ନ ଥିଲା । ରୋଗ ଦିନକୁ ଦିନ ବଢ଼ୁଥାଏ । ଚାରି ଛ’ଦିନ ସାଧାରଣ ଚିକିତ୍ସା କରିବା ପରେ ସେତେବେଳର ବାଲେଶ୍ୱରର ପ୍ରଧାନ ଚିକିତ୍ସାଳୟର ସୁବିଖ୍ୟାତ ଚିକିତ୍ସକ ଡାକ୍ତର ବିଜୟ ସେନଗୁପ୍ତଙ୍କ ଚିକିତ୍ସାରେ ତାଙ୍କୁ ରଖାଗଲା । ସେତେବେଳକୁ ମୋର ବଡ଼ମାମୁ ରେମୁଣା ଏମ.ଇ ସ୍କୁଲରେ ପ୍ରଧାନ ଶିକ୍ଷକ ଥାନ୍ତି । ତେଣୁ ସେ ଘରେ ରହୁଥିଲେ । ମଝିଆ ମାମୁ ଓକିଲାତି ପରୀକ୍ଷା ଦେଇଥାନ୍ତେ ଓ ସାନମାମୁଙ୍କର ଡାକ୍ତରୀ ପଢ଼ିବାକୁ ଯିବାର ଥାଏ । ଅଜାଙ୍କର ରୋଗ ଉପଶମ ନ ହୋଇ କ୍ରମେ ବଢ଼ି ବଢ଼ି ଚାଲୁଥିଲା । ତେଣୁ ମୋର ତିନି ମାମୁମାନେ ନିଜ ନିଜର କାର୍ଯ୍ୟକ୍ରମ ବନ୍ଦ ରଖି ସେମାନଙ୍କର ପିତୃଦେବଙ୍କ ଉପଯୁକ୍ତ ସେବା ଓ ଚିକିତ୍ସାରେ ନିୟୋଜିତ ହେଲେ । ଅଜାଙ୍କର ପାଞ୍ଚଟି କନ୍ୟା– ମୋର ମା’ ଶ୍ରୀମତୀ ଉମା, ମାଉସୀ ଶ୍ରୀମତୀ ସାବିତ୍ରୀ, ଶ୍ରୀମତୀ ଜୟନ୍ତୀ, ପଦ୍ମାବତୀ । ଶେଷ ଦୁଇ ମାଉସୀ ସାନ ଥିବାରୁ ମା’ ଓ ବଡ଼ ମାଉସୀ ସାନ ଆଈ ଅଜାଙ୍କ ପାଖରେ ରହି ସେବା ଶୁଶ୍ରୂଷାରେ ଭାଗ ନେଉଥିଲେ । ଡାକ୍ତର ବିଜୟ ବାବୁଙ୍କୁ ମାମୁମାନେ ପ୍ରତ୍ୟହ ରୋଗର ବିବରଣୀ ଜଣାଇ ଚିକିତ୍ସା ଓ ଔଷଧର ବ୍ୟବସ୍ଥା କରାଉଥିଲେ । ବିଜୟ ବାବୁ ମଧ୍ୟ ବରାବର ଅଜାଙ୍କୁ ଦେଖିବାକୁ ଆସୁଥିଲେ । ମାତ୍ର ତାଙ୍କର ରୋଗ କ୍ରମେ ପ୍ରବଳ ହେଲାରୁ ସେ ଚଲାବୁଲା କରି ନ ପାରି ଶଯ୍ୟାଶାୟୀ ହୋଇଗଲେ । ସେ ସବୁବେଳେ ଶୋଇ ରହିବା ଫଳରେ ତାଙ୍କର ମନରେ ଅଶାନ୍ତି ସୃଷ୍ଟି ହୋଇଗଲା । ବେଳେବେଳେ ଦିନ ଓ ରାତ୍ରିର ସମୟ ପଚାରି ବୁଝୁଥିଲେ । ସେ ଦିନର ତାରିଖ ମା’ର ମନେ ନ ଥିଲା । ତାଙ୍କ ପାଖରେ ମା’ ଓ ମଝିଆ ମାମୁ ଥିଲେ । ସୂର୍ଯ୍ୟାସ୍ତ ହେବାକୁ ଯାଉଛି, ତାହା ପଚାରି ବୁଝି ଅଜା କହି ଉଠିଲେ, “ଲୋକନାଥ, ମୋର ଗୋଡ଼ ତଳ ଝରକାର କବାଟ ଦୁଇଟି ଖୋଲି ଦେ । ମୁଁ ଟିକିଏ ବସନ୍ତ ଋତୁର ସାୟଂକାଳୀନ ଶୋଭା ଦେଖିବି ।” ଅଜା ଯେଉଁ କଠୋରୀର ଖଟ ଉପରେ ଶୋଇଥାନ୍ତି ତାଙ୍କର ମୁଣ୍ଡ ଉପରର ଦକ୍ଷିଣ ଦିଗକୁ ଏକ ଝରକା ଓ ସାମନାରେ ଉତ୍ତର ଦିଗକୁ ଗୋଡ଼ ତଳ କାନ୍ଥରେ ଆଉ ଏକ ଝରକା ଥାଏ । ଉକ୍ତ ଘରର ଉତ୍ତର ଦିଗକୁ ତାଙ୍କର ଖଳାବାଡ଼ିରେ ଏବଂ ଗୋହିରି ଉପରକୁ ଅନ୍ୟ ଲୋକଙ୍କର ଖୋଲାବାଡ଼ିରେ ବଉଳ, ଆମ୍ବ, ଅଶ୍ୱତ୍ଥ, ବାଉଁଶ ଆଦି ନାନା ପ୍ରକାର ବୃକ୍ଷଲତା ହୋଇଛି । ମଣିଷ ସୁସ୍ଥ ଅବସ୍ଥାରେ ଚଲାବୁଲା କରିପାରୁଥିବା ସମୟରେ ଚାରିଆଡ଼ର ଈଶ୍ୱରଙ୍କ ସୃଷ୍ଟିର ନାନା ପ୍ରାକୃତିକ ଦୃଶ୍ୟ ତାହାର ଦୃଷ୍ଟିଗୋଚରକୁ ଆସି ମନରେ ଆନନ୍ଦ ଦେଇଥାଏ । କିନ୍ତୁ ଅଜା ରୋଗର ଯନ୍ତ୍ରଣା ଭୋଗି ଏଣେ ଶଯ୍ୟାଶାୟୀ ହୋଇ ରହିଥିବା ଯୋଗୁଁ ତାହାଙ୍କୁ ଘୋର ଅଶାନ୍ତି ଲାଗୁଥାଏ । ମୁଁ ତ ଆଗରୁ କହିଛି ଯେ ସେ ନାନା ପ୍ରକାର ପ୍ରକୃତିର ଶୋଭା ଉପଭୋଗ କରି ସନ୍ତୋଷ ପାଉଥିଲେ । ତେଣୁ ତାଙ୍କର ବସନ୍ତ ଋତୁର ପ୍ରାକୃତିକ ଶୋଭା ନିରୀକ୍ଷଣ କରିବାକୁ ମନ ବଡ଼ ବ୍ୟାକୁଳ ହେଲା ।

 

ମାମୁ ତହୁଁ କହିଲେ “ବାବା! ଝରକା ଖୋଲିଦେଲେ ଘର ଭିତରକୁ ଥଣ୍ଡା ପବନ ଆସିବ ।” ଅଜା କହିଲେ, “ଆରେ! ଆଉ କ’ଣ ମୁଁ ଦେଖିପାରିବି ?” ତହୁଁ ମଝିଆଁ ମାମୁ ଝରକା ଦୁଇଟିର କବାଟ ପୂରା ଖୋଲିଦେଲେ । ସୂର୍ଯ୍ୟଙ୍କର ଅସ୍ତମିତ କିରଣ ବୃକ୍ଷଲତା ଉପରେ ଠାଏ ଠାଏ ପ୍ରତିଫଳିତ ହୋଇଥାଏ । ଅଜା ଚିତ୍ ଅବସ୍ଥାରେ ଶୋଇଥାନ୍ତି । ଗୋଡ଼ ତଳ ଝରକା ବାଟେ ତାଙ୍କର ଦୃଷ୍ଟି ପଡ଼ିଲା ଅସ୍ତମିତ ଜ୍ୟୋତିର ପ୍ରତିଫଳିତ ବୃକ୍ଷଲତା ଉପରକୁ । ସେହି ସମୟରେ ଶୋଭାକୁ ବର୍ଣ୍ଣନା କରି ସେ କହିଲେ “ଆହା, କି ମନମୁଗ୍ଧକର ଦୃଶ୍ୟ! ଶୁଣାଯାଉଛି ପକ୍ଷୀର କାକଳି । ଶାନ୍ତି ଲାଗୁଛି ଦେହକୁ ଏ ଶୀତଳ ପବନ ।” ତାଙ୍କର ସ୍ୱାସ୍ଥ୍ୟ ଦିନକୁ ଦିନ କ୍ଷୀଣ ହେଉଥାଏ । ଅଜା କହି ଉଠିଲେ–

 

“ଆହା ଶୀର୍ଣ୍ଣ ଦୀପ ଦିଶେ କଡ଼େ ମ୍ଳାନ

ପ୍ରାତଃ ଦୀପ ଯଥା ଲଭଇ ନିର୍ବାଣ ।”

 

ବିଶ୍ୱ ବିନ୍ଧାଣୀ ରଚିତ ପ୍ରକୃତିର ଶୋଭା ଜୀବନସାରା ନୀରିକ୍ଷଣ କରି କରି ତାହାଙ୍କ ସ୍ୱରଚିତ କଥାବଳୀ ଦୁଇଖଣ୍ଡ ଆଦି ବ୍ୟାକରଣ ପୁସ୍ତକମାନଙ୍କରେ ତାହାର ଭାବ ବର୍ଣ୍ଣନା କରିସାରି ମୃତ୍ୟୁଶଯ୍ୟାରେ ବୋଧହୁଏ ଆଉ ଥରେ ଅତୃପ୍ତ ବାସନା ‌ମେଣ୍ଟାଇବା ପାଇଁ ବସନ୍ତ ଋତୁର ସାୟଂକାଳୀନ ଶୋଭା ନିରୀକ୍ଷଣ କରି ସାରିବାର ‌ଅଳ୍ପ ଦିନ ପରେ ୧୯୨୯ ମସିହା ଏପ୍ରିଲ ତାରିଖ ଚୈତ୍ର ମାସ ଅମାବାସ୍ୟା ତିଥିରେ ସୂର୍ଯ୍ୟ ମା’ କୋଳକୁ ଯାଉଥିବା ସମୟରେ ସେ ଚିରଦିନ ପାଇଁ ଆମ୍ଭମାନଙ୍କୁ ଛାଡ଼ି ଏ ସଂସାରରୁ ବିଦାୟ ନେଲେ ।

 

“ଅଜା ! ଆପଣ ସୁଯୋଗ୍ୟ ବିନ୍ଧାଣୀରୂପେ ଗଢ଼ିଗଲେ ଉତ୍କଳ ଭୂମିରେ କେତେ କେତେ କର୍ମବୀର, ଜ୍ଞାନବୀର ମହାରଥୀଙ୍କୁ । ଉତ୍କଳରେ ଜ୍ଞାନଦୀପ ଜାଳିଛନ୍ତି ଆଜି ଆପଣଙ୍କ ପଟ୍ଟଶିଷ୍ୟମାନେ । ହେ ମାତାମହ ! ଅଜ୍ଞାନାବସ୍ଥାରୁ ଏ ହତଭାଗା ଆପଣଙ୍କୁ ହରାଇ ଆପଣଙ୍କ ଶ୍ରୀମୁଖରୁ ସ୍ନେହଭରା ହିତବାଣୀ ଦିପଦ ଶୁଣିବାରୁ ବଞ୍ଚିତ ହୋଇଛି । ଭାଗ୍ୟହୀନର ଅଳି ଏତିକି ଯେ ତବ କୃପାବିନ୍ଦୁ ନିରନ୍ତର ମିଳୁଥାଉ, ଆପଣଙ୍କ ମହାନ୍‍ ଆତ୍ମାର ସଦ୍‌ଗତି ହେଉ, ଈଶ୍ୱରଙ୍କଠାରେ ପ୍ରାର୍ଥନା ।”

-୦-

 

ପ୍ରଧାନ ଶିକ୍ଷକ ସେ ଯୁଗର

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

ସେ ଯୁଗର ବିଶିଷ୍ଟ ସାହିତ୍ୟିକ, ଅତ୍ୟନ୍ତ ଛାତ୍ରବତ୍ସଳ, ଆଦର୍ଶ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ମହାରଣାଙ୍କୁ ଦେଖିବାର ସୌଭାଗ୍ୟ କେବେ ମୋର ଘଟିନାହିଁ । ମାତ୍ର ତାଙ୍କର ମହତ୍ୱ, ଶିକ୍ଷାଦାନ ପଦ୍ଧତି, ଛାତ୍ରମାନଙ୍କ ପ୍ରତି ଅକୃତ୍ରିମ ସ୍ନେହ, ମମତା ସମ୍ପର୍କରେ ପଢ଼ିଛି ଯେତିକି, ଲୋକମୁଖରୁ ଶୁଣିଛି ତା’ଠାରୁ ଢେର ଅଧିକ ।

 

ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ପାଠ୍ୟପୁସ୍ତକ ଥିଲା ଭକ୍ତିକବି ମଧୁସୂଦନ ରାଓଙ୍କ ‘ସାହିତ୍ୟ କୁସୁମ’ ଏବଂ ଅତିରିକ୍ତ ପାଠ୍ୟ ଥିଲା ଶ୍ରୀ ଚନ୍ଦ୍ରମୋହନ ମହାରଣାଙ୍କ ଲିଖିତ ‘କଥାବଳୀ’ । ଆମର ଯେ ସାହିତ୍ୟ ଶିକ୍ଷକ ଥିଲେ ସେ ଟ୍ରେନିଂ ସ୍କୁଲରେ ଚନ୍ଦ୍ରମୋହନ ବାବୁଙ୍କ ଛାତ୍ର । ଗୁରୁଙ୍କ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ବୁଝାଇବାକୁ ଯାଇ ସେ ଥରେ କହିଥିଲେ, ଆମ ହେଡ଼୍‍ମାଷ୍ଟର ଚନ୍ଦ୍ରମୋହନ ବାବୁ ଶ୍ରେଣୀରେ ଗାଈ ବିଷୟରେ ପ୍ରବନ୍ଧ ଲେଖିବାକୁ ନିର୍ଦ୍ଦେଶ ଦେଲେ । ଛାତ୍ରମାନଙ୍କ ଲିଖିତ ପ୍ରବନ୍ଧ ଦେଖିସାରିଲା ପରେ କହିଲେ, “ଗାଈ ପାଟିର ଦାନ୍ତ କଥା ତ କେହି ଲେଖିନାହଁ । ସେ ସମ୍ପର୍କରେ କିଛି ଜାଣି ନାହିଁ ବୋଧହୁଏ ।”

 

ଚପରାଶିକୁ ପଠାଇ ହତାରେ ଚରୁଥିବା ଗୋଟିଏ ବାଛୁରୀକୁ ଧରି ଆଣିଲେ ଏବଂ ଶ୍ରେଣୀ କୋଠରୀରେ ତା’ର ପାଟି ମେଲା କରାଇ ଦେଖାଇଦେଲେ ଯେ, ପାଟିରେ ଗୋଟିଏ ପାଖରେ ଦାନ୍ତ ଓ ଅନ୍ୟ ପାଖଟିରେ ଟାଣୁଆ ମାଢ଼ି ରହିଛି ।

 

ଅନ୍ୟ ଛାତ୍ରଙ୍କଠାରୁ ଆଉ ଗୋଟିଏ ଶୁଣିବା କଥା ।

 

ସତ୍ୟବାଦୀ ବିହାରର ପ୍ରଧାନ ଶିକ୍ଷକ ବିଶିଷ୍ଟ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ପୁରୀ ଜିଲା ସ୍କୁଲର ଛାତ୍ର । ସେତେବେଳେ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ବାବୁ, କୌଣସି କାରଣରୁ ଦଣ୍ଡସ୍ୱରୂପ ତାଙ୍କୁ ସାତଦିନ ପର୍ଯ୍ୟନ୍ତ ବେଞ୍ଚ ଉପରେ ଠିଆ ହେବା ପାଇଁ ଆଦେଶ ଦେଇଥିଲେ । ଦୁଇଦିନ ପରେ ଦେଖାଗଲା, ଛାତ୍ରଙ୍କ ପାଦ ଦୁଇଟି ଅସମ୍ଭବ ରକମ୍‍ର ଫୁଲିଗଲାଣି -ସେ ବାତଜ୍ୱରେ ଆକ୍ରାନ୍ତ । ପ୍ରଧାନ ଶିକ୍ଷକଙ୍କର ସେଥିପ୍ରତି ଦୃଷ୍ଟି ଯାଇ ନାହିଁ କି ଛାତ୍ର ଭୟରେ ସେ ସମ୍ପର୍କରେ କୌଣସି ଆପତ୍ତି କରିନାହାନ୍ତି । ତୃତୀୟ ଦିନ ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟିକୁ ଏହା ଆଣିବାରୁ ଛାତ୍ରଙ୍କୁ ଦଣ୍ଡରୁ ତ ସଙ୍ଗେ ସଙ୍ଗେ ଅବ୍ୟାହତି ମିଳିଲା । ପ୍ରଧାନ ଶିକ୍ଷକଙ୍କ ମନରେ ଅତ୍ୟନ୍ତ ଆଘାତ ମଧ୍ୟ ଲାଗିଲା । ତା’ପରଠାରୁ ସେ ଯେତେ କ୍ରୁଦ୍ଧ ହେଲେ ମଧ୍ୟ କୌଣସି ପିଲାକୁ ଆଉ ଠିଆ କରାଇ ରଖିବା ଦଣ୍ଡ ଦେଇନାହାନ୍ତି । ପରେ ଯେତେବେଳେ କୃପାସିନ୍ଧୁ ବାବୁଙ୍କ ସହିତ ତାଙ୍କର ଦେଖାମିଳେ, ସେ ସଙ୍ଗେ ସଙ୍ଗେ ନଈପଡ଼ି ଛାତ୍ରଙ୍କ ପାଦ ଦୁଇଟି ଆଉଁସି ଦିଅନ୍ତି ଓ ବଡ଼ ଅନୁତପ୍ତ ସ୍ୱରରେ ଦୁଃଖ ପ୍ରକାଶ କରିଥାନ୍ତି, ‘ମୋରି ଲାଗି ସିନା ତୁମର ଏ ଦଶା ହେଲା ।’

 

୧୯୨୯ରେ ଏହି ଛାତ୍ରବତ୍ସଳ ପ୍ରଧାନ ଶିକ୍ଷକଙ୍କର ତିରୋଧାନ ଘଟିଲା । ସେ ସମୟରେ ସୁସାହିତ୍ୟିକ ପୂଜ୍ୟ ଶ୍ରୀଯୁକ୍ତ ହରିଶଚନ୍ଦ୍ର ବଡ଼ାଳ ତାଙ୍କ ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସ୍ମୃତି ତର୍ପଣ କରି ‘ଉତ୍କଳ ସାହିତ୍ୟ’ରେ ଯେଉଁ ପ୍ରବନ୍ଧଟି ଲେଖିଥିଲେ. ତାହା ଯେପରି ମର୍ମସ୍ପର୍ଶୀ ହୋଇଥିଲା, ସେହିପରି ତାଙ୍କ ମହନୀୟତା ତଥା ଛାତ୍ରବତ୍ସଳତାର ଉତ୍କୃଷ୍ଟ ପରିଚୟ ଦେଇଥିଲା ।

 

କଲିକତା ବିଶ୍ୱ ବିଦ୍ୟାଳୟର ପରୀକ୍ଷା ଆଉ ଅଳ୍ପଦିନ ବାକି ଅଛି । ଟିଉସନ କରି ନିଜର ଖର୍ଚ୍ଚ ତୁଲାଉଥିବା ବାଲେଶ୍ୱର ଜିଲା ସ୍କୁଲର ସୁଯୋଗ୍ୟ ପରୀକ୍ଷାର୍ଥୀ ଶ୍ରୀ ବଡ଼ାଳ ନିଜ ପରୀକ୍ଷା କଥା ଚିନ୍ତା ନ କରି ଟିଉସନରେ ପଢ଼ାଉଥିବା ଛାତ୍ରକୁ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇବା ପାଇଁ ବ୍ୟସ୍ତ ରହୁଥାନ୍ତି । ପିଲାଟିକୁ ପଢ଼ାଇସାରି ଦିନେ ରାତି ନଅଟାରେ ନିଜ ବସାକୁ ଫେରୁଥିଲେ । ଘୋର ଅନ୍ଧାର ରାତି । ମନରୁ ଭୂତପ୍ରେତ ଭୟ ଦୂର କରିବା ପାଇଁ କୁମାର ସମ୍ଭବରୁ ଶ୍ଳୋକ ଉଚ୍ଚକଣ୍ଠରେ ଆବୃତ୍ତି କରି ଆସୁଥାନ୍ତି । ବାଟରେ ପ୍ରଧାନ ଶିକ୍ଷକଙ୍କ ବାସଗୃହ । ପ୍ରଧାନ ଶିକ୍ଷକ ଚପରାଶିକୁ ପଠାଇ ସଙ୍ଗେ ସଙ୍ଗେ ତାଙ୍କୁ ଗୃହକୁ ଡାକିନେଲେ । ଛାତ୍ର ଅତିଶୟ ଭୀତତ୍ରସ୍ତ ହୋଇ ପଡ଼ିବାରୁ ଶୀତ ରାତ୍ରିରେ ମଧ୍ୟ ତାଙ୍କ ଦେହରୁ ଝାଳ ବୋହିଲା । ଯମ ସଦୃଶ ଧାରଣା କରିଥିବା ହେଡ଼୍‍ମାଷ୍ଟରଙ୍କ ସମ୍ମୁଖରେ ଠିଆ ହୋଇ ସେ ଯେଉଁ ମମତାପୂର୍ଣ୍ଣ ବ୍ୟବହାର ପାଇଲେ ତାହା ସୁନ୍ଦର ଭାବରେ ଏହି ପ୍ରବନ୍ଧରେ ବର୍ଣ୍ଣନା କରିଅଛନ୍ତି । ପଚାଶ ବର୍ଷ ତଳେ ପଢ଼ିଥିଲି । ଯେତେଦୂର ମନେପଡ଼ୁଛି, ସେହି ଦିନଠାରୁ ଛାତ୍ରଙ୍କର ସବୁ ଅସୁବିଧା ଦୂର ହୋଇଥିଲା ଓ ଚନ୍ଦ୍ରମୋହନ ବାବୁଙ୍କ ସାହାଯ୍ୟ ସହଯୋଗରେ ସେ ଆଉ ଟିଉସନ ଅର୍ଥ ଉପରେ ନିର୍ଭର ନ କରି ମେଟ୍ରିକ୍ ଏଣ୍ଟ୍ରାନ୍‌ସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ।

 

ଏହି ହେଉଛନ୍ତି ସେ ଯୁଗର ଛାତ୍ରମାନଙ୍କର ପରମ ପୂଜନୀୟ ହେଡ଼୍‍ମାଷ୍ଟର ଚନ୍ଦ୍ରମୋହନ ମହାରଣା । ଆଜିକାଲିର ଶିକ୍ଷକ ଓ ଛାତ୍ରସମାଜ ପକ୍ଷରେ ଏକାବେଳେକେ ଅବିଶ୍ୱାସର ବିଷୟ ।

-୦-

 

Unknown

ଚନ୍ଦ୍ରମୋହନ ଓ ତାଙ୍କ ରଚିତ ବ୍ୟାକରଣ

ସୁଧାଂଶୁ ଶେଖର ରାୟ

 

ରବୀନ୍ଦ୍ରନାଥ ପାଠ୍ୟପୁସ୍ତକ ଲେଖିଛନ୍ତି । ପାଠ୍ୟପୁସ୍ତକ ଲେଖିଛନ୍ତି ରାଧାନାଥ, ମଧୁସୂଦନ, ଫକୀରମୋହନ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର । ଏମାନେ ସମସ୍ତେ ଥିଲେ ଅସାଧାରଣ ପ୍ରତିଭାର ଅଧିକାରୀ । ଏମାନଙ୍କର ଲେଖନୀ ସାହିତ୍ୟର ଅଜସ୍ର ଫୁଲ ଫୁଟେଇଛି । ଏମାନେ ପୁଣି ଥିଲେ ହୁଏତ ଶିକ୍ଷକ କିମ୍ବା ଶିକ୍ଷାଦାନ ସହିତ ଓତଃପ୍ରୋତ ଭାବରେ ସଂପୃକ୍ତ । ଛାତ୍ରଛାତ୍ରୀଙ୍କର କଞ୍ଚା ଜୀବନର ସଜ ସୁରଭି ଏମାନଙ୍କୁ ଆମୋଦିତ କରିଛି । ସେଇ ଜୀବନକୁ ଗଢ଼ିବା ସକାଶେ, ସେଥିରେ ଚେତନାର ସଳିତା ଜାଳିଦେବା ସକାଶେ, ତାକୁ ସୁଷ୍ଠୁ, ସୁନ୍ଦର ଓ ସମୃଦ୍ଧ କରିବା ସକାଶେ ଏମାନେ ଜୀବନ ସମର୍ପଣ କରିଛନ୍ତି । ତେଣୁ ଏମାନଙ୍କ ରଚିତ ପାଠ୍ୟପୁସ୍ତକରେ ରହିଛି ନୂତନ ଦିଗନ୍ତର ଆଭା, ମାନବ ଜୀବନର ନୂତନ ଅଧ୍ୟାୟର ଆସ୍ୱାଦ । ବରାତ୍ ମୁତାବକ ନୁହେଁ ପ୍ରାଣର ପ୍ରେରଣା ନେଇ ଏମାନେ ପାଠ୍ୟ ପୁସ୍ତକ ରଚନା କରିଛନ୍ତି ।

 

ଚନ୍ଦ୍ରମୋହନ ମହାରଣା ଥିଲେ ଜଣେ ଅସାଧାରଣ ଶିକ୍ଷକ । ସେ ତାଙ୍କ ଛାତ୍ରଙ୍କୁ କେବଳ ଜୀବିକାର ସନ୍ଧାନ ଦେଉନଥିଲେ, ସେ ସେମାନଙ୍କୁ ମଧ୍ୟ ଦେଉଥିଲେ ବିଚିତ୍ର, ବିପୁଳ ଜୀବନର ନାନା ମହତ୍ତ୍ୱ ଓ ରହସ୍ୟର ସନ୍ଧାନ । ଶିକ୍ଷାଦାନରେ ତାଙ୍କର ଥିଲା ଅତୁଳନୀୟ, ଅନୁପମ, ବିରଳ ନିଷ୍ଠା । ତାଙ୍କ ଆଚରଣ, ଚାଲି,ଚଳଣି, ରଙ୍ଗ, ଢଙ୍ଗରେ ଆଦର୍ଶରେ ଆଭା ଉକୁଟି ଉଠୁଥିଲା । ତାଙ୍କ ଦେହ ଖଣ୍ଡିକରେ ଚାରିତ୍ରିକ ମହିମା ରୂପ ଲାଭ କରିଥିଲା । ସତ କୁହ ‘କ୍ଷମାଶୀଳ ହୁଅ’, ‘ବିନୟୀ ହୁଅ’, ‘ନ୍ୟାୟନିଷ୍ଠ ହୁଅ’, ‘କର୍ତ୍ତବ୍ୟ ପରାୟଣ ହୁଅ’, ‘ଜ୍ଞାନ ପିପାସୁ ହୁଅ’– ଏଇପରି ଯେଉଁ କଥାଗୁଡ଼ିକ ଆମେ କିତାବରେ ପଢ଼ୁ ଏବଂ ପ୍ରବନ୍ଧମାନଙ୍କରେ ଲେଖୁ ସେଗୁଡ଼ିକ ତାଙ୍କ ଜୀବନରେ ହିଁ ସ୍ଥାନ ପାଇଥିଲା । ଏପରି ଶିକ୍ଷକ ସାରାଓଡ଼ିଶାରେ ଅତି ଅଳ୍ପ କେତେଜଣ ଜନ୍ମିଛନ୍ତି । ସେମାନଙ୍କୁ ଗଣିବା ଲାଗି ହାତ ଆଙ୍ଗୁଠି ହିଁ ଯଥେଷ୍ଟ ।

 

ସେ ପୁଣି ଥିଲେ ବିପୁଳ ପ୍ରତିଭାର ଅଧିକାରୀ ଏବଂ ସ୍ୱତଃ ପ୍ରବୃତ୍ତ ହୋଇ ସେ ଗ୍ରହଣ କଲେ ଶିଶୁ ପାଠ୍ୟପୁସ୍ତକ ରଚନା କରିବାର ଦାୟିତ୍ୱ । ଅତି କଠିନ ସେ ଦାୟିତ୍ୱ– ଅତ୍ୟନ୍ତ ଗୁରୁତର ।

 

ଅନେକ ହିଁ ସେ ଦାୟିତ୍ୱ ନେଇଛନ୍ତି । କିନ୍ତୁ ସାଫଲ୍ୟ ସହିତ, ନିଷ୍ଠା ଓ ଯୋଗ୍ୟତା ସହିତ ତୁଲାଉଛନ୍ତି କେତେଜଣ ? ପାଠ୍ୟପୁସ୍ତକ ରଚୟିତାରୂପେ ପାଗ ବନ୍ଧା ହେଉଛି ଏମାନଙ୍କ ମୁଣ୍ଡର ଶିକ୍ଷା ବିଭାଗ ତରଫରୁ କିମ୍ବା ପ୍ରକାଶକମାନଙ୍କଦ୍ୱାରା । ଅନେକ କ୍ଷେତ୍ରରେ ହିଁ ଦିଅଁ ଗଢୁ ଗଢୁ ମାଙ୍କଡ଼ ଗଢ଼ା ହେଉଛି ।

 

ଶିଶୁମାନଙ୍କର ଭାଷା ଓ ସାହିତ୍ୟ ଶିକ୍ଷା ସକାଶେ ଯେଉଁ ପୁସ୍ତକ ସବୁ ରଚନା କରିଗଲେ ମଧୁସୂଦନ ସେଗୁଡ଼ିକ ଏ ଯାଏ ବି ଅଦ୍ୱିତୀୟ ହୋଇ ରହିଛି । ସାହିତ୍ୟ ଜରିଆରେ ପ୍ରକୃତିକୁ ଚିହ୍ନିବାର, ନୀତି ପ୍ରତି ଆକୃଷ୍ଟ ହେବାର, ଠାକୁରଙ୍କୁ ମୁଣ୍ଡିଆଟିଏ ମାରିବାର ସୂକ୍ଷ୍ମ କଳା ଏପରି ସୁଚାରୁ ଭାବରେ ଅନ୍ୟ କୌଣସି ପୁସ୍ତକ ଶିଖାଇ ପାରିଲା ନାହିଁ ।

 

ଚନ୍ଦ୍ରମୋହନଙ୍କର ‘କଥାବଳୀ’ ସେଇ ପ୍ରକାରର ସାହିତ୍ୟ ପୁସ୍ତକ ।

 

ଶିଶୁ ମନରେ ଭାଷାର ଚମକ ସହିତ ସୌନ୍ଦର୍ଯ୍ୟ ପ୍ରେମ, ନୀତି ପ୍ରେମ ଓ ବିଭୁ ପ୍ରେମକୁ ଗୁନ୍ଥି ଦେବାର କାରିଗରୀ ଜାଣିଥିଲେ ଏଇମାନେ । ଶିକ୍ଷାପ୍ରତି, ଛାତ୍ର ବାତ୍ସଲ୍ୟ ଓ ପ୍ରତିଭା ଏମାନଙ୍କୁ ଦେଇଥିଲା ପାଠ୍ୟପୁସ୍ତକ ରଚନାର ଅସାଧାରଣ ଯୋଗ୍ୟତା ।

 

ଚନ୍ଦ୍ରମୋହନ ମଧ୍ୟ ରଚନା କରିଥିଲେ ଯୋଡ଼ିଏ ବ୍ୟାକରଣ ପୁସ୍ତକ । କ୍ଷୁଦ୍ରକାୟ ସେଇ ପୁସ୍ତକ ଯୋଡ଼ିକ । ବିଦ୍ୟାଳୟର ପ୍ରଥମ ସ୍ତର ସକାଶେ ରଚିତ ଏଇ ପୁସ୍ତକ ଯୋଡ଼ିକ । ନାମ ମଧ୍ୟ ଦିଆଯାଇଛି- ‘ବ୍ୟାକରଣ’ ପ୍ରଥମ ସୋପାନ ଓ ବ୍ୟାକରଣ ୨ୟ ସୋପାନ ।

 

ଭାଷା ଗଠନର କଳା କୌଶଳ ଜଣାପଡ଼େ ବ୍ୟାକରଣ ଗ୍ରନ୍ଥରୁ । ଭାଷାର ଆକାରକୁ ବିଶେଷ ଭାବରେ ଏହା ଅଧ୍ୟୟନ କରେ । ତେଣୁ ଏହାର ନାମ ବ୍ୟାକରଣ ।

 

ପାଣିନୀ ବ୍ୟାକରଣ ସୃଷ୍ଟି କରିବାକୁ ଯାଇ ଅଦ୍ୱିତୀୟ ଗ୍ରନ୍ଥ ରଚନା କଲେ ତା’ର ନାମ ହେଲା– ‘ଶବ୍ଦାନୁଶାସନ’ । ଚାରି ହଜାର ଶ୍ଳୋକର ସମଷ୍ଟି ଏଇ ମହାନ୍‍ ଗ୍ରନ୍ଥ । ବୈଦିକ ଭାଷାର ଠାଣି ଓ ଚଳଣିଠାରୁ ପୃଥକ ହେବାକୁ ଲାଗିଲା ମହାକାବ୍ୟ ଓ କାବ୍ୟଯୁଗର ସଂସ୍କୃତ ଭାଷା । କ୍ରିୟାର ରୂପରେ, ବିଭକ୍ତିରେ ଏବଂ ଅନ୍ୟ କେତେକ କଥାରେ ଆସିଲା ପାର୍ଥକ୍ୟ, ଆସିଲା ବିଭେଦ । ଭାଷାର ଏଇ ନୂତନ ଗତି-ପ୍ରକୃତିକୁ ଚିହ୍ନେଇ ଦେବାଲାଗି–ଏବଂ ତାକୁ ଏକ ସୁଷ୍ଠୁ ପ୍ରଣାଳୀର ଦୃଢ଼ତର ଭିତ୍ତିରେ ପ୍ରତିଷ୍ଠିତ କରିଦେବା ଲାଗି ଜନ୍ମଲାଭ କଲା ପାଣିନୀଙ୍କ ଏଇ ବିସ୍ମୟକର ସୃଷ୍ଟି । ମହାକାବ୍ୟ ଓ କାବ୍ୟ ଯୁଗର ଯେଉଁ ସଭ୍ୟତାର ଜୁଆର ମାଡ଼ୁଥିଲା ସମାଜ ଜୀବନରେ ତାହାରି ସାକ୍ଷୀ ହୋଇ ରହିଗଲା ଏଇ ଗ୍ରନ୍ଥ ଖଣ୍ଡିକ ।

 

Renaissanceର ଜୁଆର ମାଡ଼ୁଥିଲା ସାରା ଉଇରୋପରେ । ଜ୍ଞାନ-ବିଜ୍ଞାନର ନୂଆ ନୂଆ ସମ୍ପଦ ମଣିଷର ଚିନ୍ତା ଓ ଚେତନା ଭିତରକୁ ମାଡ଼ି ଆସୁଥିଲା । ସେ ସବୁର ଶିକ୍ଷା ସକାଶେ ବିଦ୍ୟାଳୟମାନ ପ୍ରତିଷ୍ଠିତ ହେଲା ଏବଂ ଇଂଲଣ୍ଡର ସ୍ଥାପିତ ଏଇ ବିଦ୍ୟାଳୟମାନଙ୍କର ନାମ ହେଲା grammar school । କାରଣ ସେଇ ବିଦ୍ୟାଳୟମାନଙ୍କରେ Latin grammar ହିଁ ପ୍ରଧାନତଃ ଅଧୀତ ହେଉଥିଲା ।

 

ନିଜେ ନୀରସ ହୋଇବି ବ୍ୟାକରଣ ସାହିତ୍ୟର ସରସତାର ଚୌହଦି ଠିକ୍ କରିଦିଏ । ଶବ୍ଦର ଗଠନରେ କି ଚମକ ଅଛି-ଭାଷାର ଚଳଣିରେ କି ମହୁ ଅଛି ତାକୁ ଚଖାଏ ସେ ।

 

ଛୋଟ ଛୋଟ ପିଲାଙ୍କୁ ସେଇ ମହୁ ଚଖାଇବାକୁ ଚନ୍ଦ୍ରମୋହନ ରଚନା କଲେ– ‘ବ୍ୟାକରଣ ପ୍ରଥମ ସୋପାନ’ ଓ ‘ବ୍ୟାକରଣ ଦ୍ୱିତୀୟ ସୋପାନ’ ।

 

ଅଧିକ ବ୍ୟାଖ୍ୟା ଓ ବିଶ୍ଳେଷଣ ନ କରି ଅଳ୍ପ କେତୋଟି କଥାର ପିଲାଏ ହେଜି ପାରିଲା ଭଳି ଠାଣିରେ ପ୍ରତ୍ୟେକଟି ବିଷୟ ଥୁଆ ହୋଇଛି ବହି ଯୋଡ଼ିକରେ । ପ୍ରଥମ ସୋପାନର ଆରମ୍ଭ ହୋଇଛି ବର୍ଣ୍ଣମାଳାର ଆଲୋଚନାରେ ଏବଂ ସମାସ ଆଲୋଚନା ପରେ ଏହାର ସମାପ୍ତି ଘଟିଛି । ମୋଟରେ ଏକୋଇଶଟି ପାଠର ପୁଷ୍ଟ ହୋଇଛି ଏଇ କ୍ଷୁଦ୍ର ପୁସ୍ତକର ଶୀର୍ଣ୍ଣ ଦେହ ଖଣ୍ଡିକ । ୨ୟ ସୋପାନରେ ପରବର୍ତ୍ତୀ ବିଷୟଗୁଡ଼ିକ ଉପସ୍ଥାପିତ ହୋଇଛି । ଅଧିକ ଗୁରୁତ୍ୱପୂର୍ଣ୍ଣ ଓ କଠିନ ବିଷୟଗୁଡ଼ିକ ଏଥିରେ ସ୍ଥାନ ପାଇନାହିଁ । ବାଳକ-ବାଳିକାମାନଙ୍କ ସକାଶେ ଏଇ କଠିନ ବିଷୟଗୁଡ଼ିକ ପଠିତବ୍ୟ ମଧ୍ୟ ନୁହେଁ ।

 

ଚନ୍ଦ୍ରମୋହନଙ୍କ ବ୍ୟାକରଣ ପୁସ୍ତକର ପ୍ରତ୍ୟେକ ପାଠରେ ପ୍ରଥମେ କେତୋଟି ଲେଖାଏ ଉଦାହରଣ ଦିଆଯାଇଛି ଏବଂ ସେଇ ଉଦାହରଣଗୁଡ଼ିକରୁ ସ୍ୱାଭାବିକ ଭାବରେ ଓହରି ଆସିଛି ସିଦ୍ଧାନ୍ତ ବା ସୂତ୍ର । ଏଇ Inductive Method ପୂରାପୁରି ମନସ୍ତତ୍ତ୍ୱ ସମ୍ମତ । ତେଣୁ ଏହାଦ୍ୱାରା ଜ୍ଞାନଲାଭର ପନ୍ଥା ସୁଗମ ହୋଇପାରିଛି ।

 

ଅନୁଶୀଳନ ବା ପରୀକ୍ଷା ସୋପାନଗୁଡ଼ିକରେ ଯେଉଁ ସବୁ ବାକ୍ୟ ଦିଆହୋଇଛି ସେଥିରେ କେବଳ ବ୍ୟାକରଣଗତ ଅଧୀତ ବିଦ୍ୟା ମାପିବାର ଚେଷ୍ଟା କରାଯାଇନାହିଁ, ଛାତ୍ରଛାତ୍ରୀଙ୍କ ମନକୁ ସାହିତ୍ୟଗତ ସୌନ୍ଦର୍ଯ୍ୟ ପ୍ରତି ମଧ୍ୟ ଆକୃଷ୍ଟ କରାଯାଇଛି ସେଥିରେ । ବିଶେଷ୍ୟ ପଦ ଚିହ୍ନେଇ ଦେବା ଲାଗି ଯେଉଁ ସବୁ ବାକ୍ୟ ଦିଆଯାଇଛି, ସେଥିରେ ଅଛି–

 

୧) ସାଳନ୍ଦୀର ଜଳ ଅତି ନିର୍ମଳ ।

୨) କହିବା ସହଜ ମାତ୍ର, ସହିବା କଠିନ ଅଟେ ।

୩) ଦୂର ପର୍ବତ ସୁନ୍ଦର ।

୪) କଳା ମୁଣ୍ଡ ଜଳେ ଛଟକେ ଦେଖାଇ,

ବୁଲଇ ମଗର ଏଣେ ତେଣେ ଧାଇଁ ।

 

ବିଭକ୍ତି ବିଷୟରେ ପ୍ରଶ୍ନ ପଚାରିବା ଲାଗି ଯେଉଁ ବାକ୍ୟଗୁଡ଼ିକ ଦିଆଯାଇଛି, ସେଥିରେ ଅଛି–

 

୧) ଗୁଣ୍ଡୁଚି ମୂଷାଟିଏ ଯାଉଅଛି । ଏହାର ଦେହ ଅତି କୋମଳ । ଏହାକୁ ମିସ୍ରି ଦେଲେ କୁଟୁରୁ କୁଟୁର କରି ଖାଏ ।

୨) ସର୍ବେ ଚଳିବେ କାଳ ବଳେ,

ଯଶ ରହିବ ମହୀତଳେ ।

୩) ଦେବୀ! ବୀଣାପାଣି! କେଉଁ ପାପ ଫଳେ,

କରୁଣା ତୋହର ଊଣା ଏ ଉତ୍କଳେ ?

 

ପୁସ୍ତକର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାଷା ଅତି ସରଳ ଏବଂ ସବୁ ପ୍ରକାର ଆଧିକ୍ୟ ବର୍ଜିତ । ଅଥଚ ଗୋଟାଏ ପ୍ରକାର ସ୍ୱଚ୍ଛ ସାବଲୀଳତା ସର୍ବତ୍ର ବିଦ୍ୟମାନ । ସମସ୍ତ ବିଷୟ ଶିଶୁମାନଙ୍କର ବୋଧଗମ୍ୟ ହେଲା ଭଳି ରଚିତ । ତେଣୁ ପାଠ୍ୟପୁସ୍ତକରୂପେ ଏହା ଉପାଦେୟ ହୋଇଛି ।

ଏହି ବ୍ୟାକରଣ ପୁସ୍ତକ ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୧୦ରେ । ୧୯୭୨ ସୁଦ୍ଧା ଏହାର ଆଠଟି ସଂସ୍କରଣ ମୁଦ୍ରିତ ହୋଇଥିଲା । ତା’ପରେ ଏହା ଆଉ ପ୍ରକାଶିତ ହୋଇଥିଲା କି ନାହିଁ କହିହେବ ନାହିଁ । ଏଇ ଆଠଟି ସଂସ୍କରଣରେ ପୁସ୍ତକଟିର ଯେତେ ସଂଖ୍ୟା ପୁସ୍ତକ ମୁଦ୍ରିତ ହୋଇଥିଲା ସେସମୟରେ ବିଦ୍ୟାଳୟମାନଙ୍କର ସଂଖ୍ୟା ଦୃଷ୍ଟିରୁ ଏହାର ଉପାଦେୟତା ଓ ଆବଶ୍ୟକତା ଯେ ଉତ୍ତମରୂପେ ଉପଲବ୍ଧି କରାଯାଇ ପାରିଥିଲା: ଏଇ ସଂଖ୍ୟାହିଁ ତା’ର ପ୍ରକୃଷ୍ଟ ପ୍ରମାଣ ।

ଚନ୍ଦ୍ରମୋହନଙ୍କ ରଚିତ ବ୍ୟାକରଣ ସମାଲୋଚନା କଲାବେଳେ ହଠାତ୍ ମନେହୁଏ ଯେପରି କି ତାଙ୍କରି ସ୍ମୃତିଚାରଣ କରାହେଉଛି । କାରଣ ସେ ଥିଲେ ଶୁଦ୍ଧଜ୍ଞନ ଓ ଶୁଦ୍ଧ ଭାଷାର ଜୀବନ୍ତ ବିଗ୍ରହ । ତାଙ୍କର ଭାଷାଗତ ଶୁଦ୍ଧତା ଏକପ୍ରକାର କିମ୍ବଦନ୍ତୀ ପାଲଟି ଯାଇଥିଲା । ପୁଣି ନୀତିନିଷ୍ଠ ତାଙ୍କର ଜୀବନ ବ୍ୟାକରଣର ସୂତ୍ର ପରି ସର୍ବଦା ନିୟମ ରକ୍ଷା କରି ଚଳୁଥିଲା ।

ତାଙ୍କର ଜ୍ଞାନ ସମ୍ପର୍କରେ ଗୋଟିଏ କଥା ମୋର ମନେପଡ଼ୁଛି । ମୋର ପରମ ଭକ୍ତିଭାଜନ ଶିକ୍ଷକ ଶ୍ରୀଯୁକ୍ତ ଲଳିତ ମୋହନ ଘୋଷ ଥରେ ଗଳ୍ପ କରୁ କରୁ ମୋତେ କହିଥିଲେ– “ଓଡ଼ିଶା ମାତ୍ର ଦୁଇଜଣ ଖାଣ୍ଟି ହେଡ଼୍‍ମାଷ୍ଟରଙ୍କୁ ଜନ୍ମ ଦେଇଛି । ଜଣେ ହେଉଛନ୍ତି ସ୍ୱର୍ଗତ ଉପେନ୍ଦ୍ର ନାରାୟଣ ଦତ୍ତଗୁପ୍ତ । ଅନ୍ୟଜଣକ ସ୍ୱର୍ଗୀୟ ଚନ୍ଦ୍ରମୋହନ ମହାରଣା ।” ପରେ ହେଡ଼୍‍ମାଷ୍ଟରଙ୍କ ସଂଜ୍ଞା ନିର୍ଣ୍ଣୟ କରିବାକୁ ଯାଇ ପୂଜନୀୟ ଶ୍ରୀଯୁକ୍ତ ଘୋଷ କହିଥିଲେ, “ସେଇ ହେଉଛନ୍ତି ପ୍ରକୃତ ହେଡ଼୍‍ମାଷ୍ଟର ଯେ ବିଦ୍ୟାଳୟର ନିମ୍ନତମଠାରୁ ଉଚ୍ଚତମ ପର୍ଯ୍ୟନ୍ତ ଯେ କୌଣସି ଶ୍ରେଣୀରେ ଯେକୌଣସି ବିଷୟ ଭଲ ଭାବରେ ପଢ଼ାଇ ପାରନ୍ତି ।”

ଚନ୍ଦ୍ରମୋହନ ଜୀବିକା ବ୍ୟପଦେଶରେ ପ୍ରଧାନତଃ ସହରରେ ରହୁଥିଲେ ଏବଂ ପ୍ରଧାନତଃ ସେ ଥିଲେ ତରୁଣ ବା ଯୁବକମାନଙ୍କର ଶିକ୍ଷକ । ତାଙ୍କ ପ୍ରାଣ କିନ୍ତୁ ପ୍ରସାରିତ ହୋଇ ରହିଥିଲା ପଲ୍ଲୀର ଶ୍ୟାମ ସ୍ନିଗ୍‌ଧ କୋଳରେ । ପୁଣି କ୍ରୀଡା ଚପଳ, କଳିକୋମଳ ଶିଶୁମାନଙ୍କର ସାନ୍ନିଧ୍ୟ ଲାଭ ଲାଗି ତାଙ୍କ ହୃଦୟରେ ଥିଲା ଏକ ନିବିଡ଼, ନିଭୃତ ବାସନା । ସେଇମାନଙ୍କୁ ଗଢ଼ି ତୋଳିବା ଆଦିର ବାସନା ତାଙ୍କୁ ହୁଏତ ଯେତେବେଳେ ସେତେବେଳେ ବ୍ୟାକୁଳ କରୁଥିଲା । ସେଇଥି ସକାଶେ ତାଙ୍କ ‘କଥାବଳୀ’ର ନାନା କବିତାରେ ଏବଂ ଅନ୍ୟ ଅନେକ କବିତାରେ ପରିବେଷିତ ହୋଇଛି ପଲ୍ଲୀର ନାନା ସାବଲୀଳ ଚିତ୍ର । ସେଇଥି ସକାଶେ ସେ ରଚନା କରିଛନ୍ତି ଶିଶୁମାନଙ୍କର ପାଠ୍ୟପୁସ୍ତକ ‘କଥାବଳୀ’, ‘ବ୍ୟାକରଣ ପ୍ରଥମ ସୋପାନ’ ଇତ୍ୟାଦି ।

ମଠସାହି, ଭଦ୍ରକ

-୦-

 

‘ବସନ୍ତ’ର ଅନନ୍ୟ ସ୍ୱାଦ ‘ନବୋଦ୍ୟମ’

ଶ୍ରୀ ବିଳାସ

 

‘ନବୋଦ୍ୟମ’ କବି ଚନ୍ଦ୍ରମୋହନ ମହାରଣାଙ୍କର ଏକ ଅନବଦ୍ୟ ସୃଷ୍ଟି ସମ୍ଭାର । ୧୮୮୬ ସାଲ ଏଫ୍‌.ଏ, କ୍ଳାସରେ ପଢ଼ିଲାବେଳେ ଯେଉଁ କେତୋଟି କବିତା ତତ୍କାଳୀନ ‘ସଂସ୍କାରକ’ ପତ୍ରିକାରେ ପ୍ରକାଶ ପାଇ ପାଠକ ଦୃଷ୍ଟିକୁ ଆସି ଉଚ୍ଚ ପ୍ରଶଂସିତ ହୋଇଥିଲା, ତାହାର ଏକତ୍ର ସଙ୍କଳନ କବିଙ୍କର ଅଭିନନ୍ଦନୀୟ ଉଦ୍ୟମର ସ୍ମାରକୀ ‘ନବୋଦ୍ୟମ’ ପୁସ୍ତକ । ସଙ୍କଳନସ୍ଥ ‘ବସନ୍ତ’ କବିତା ତା୨୪.୩.୮୭ ସାଲରେ ରଚିତ ହୋଇଥିଲା ।

 

ଏହି ହସନ୍ତ ବସନ୍ତର ବର୍ଣ୍ଣନା ବିଶ୍ୱ ସାହିତ୍ୟରେ ସର୍ବାଧିକ କହିଲେ ଯଥେଷ୍ଟ ହେବ । ସାଧାରଣତଃ ସବୁ ଦେଶର ଋତୁ ସାହିତ୍ୟରେ ବସନ୍ତ ପ୍ରକୃତିର ମାଧୁରିମାପୂର୍ଣ୍ଣ ବର୍ଣ୍ଣନା ପ୍ରତ୍ୟେକ ପାଠକର ହୃଦୟ ମନକୁ ରସାଣିତ ଓ ଉତ୍‌ଫୁଲ୍ଲିତ କରିଥାଏ । ଆମ ଦେଶର ପ୍ରାଚୀନ ସଂସ୍କୃତ ସାହିତ୍ୟ ଲୋକ ସାହିତ୍ୟରେ ବସନ୍ତ ବର୍ଣ୍ଣନା ଏକ ପ୍ରଭାବଶାଳୀ ଆସନ ମେଲିଥାଏ । ପରବର୍ତ୍ତୀ ରୀତି, ଗୀତି ଓ ପଞ୍ଚସଖା ଯୁଗୀୟ କବିମାନେ କେତେବେଳେ ନାୟକ ନାୟିକାଙ୍କ ବିରହ ମିଳନ ଜନିତ ବସନ୍ତ ଋତୁର ଉପଭୋଗ୍ୟ ବର୍ଣ୍ଣନା କରିଛନ୍ତି ପୁଣି କେତେବେଳେ ରୂପରାଣୀ ବସନ୍ତର ମନ ମୁଗ୍ଧ ରୂପାନ୍ୱେଷଣରେ ଆତ୍ମ ବିଭୋର ହୋଇଉଠୁଛନ୍ତି । କବି ଭିନ୍ନରେ ଏହି ବର୍ଣ୍ଣନା ଋଚିରୁ ଋଚିରତର, ଆନନ୍ଦରୁ ଆନନ୍ଦତର ଓ ସୁନ୍ଦରରୁ ସୁନ୍ଦରତର ହୋଇ ଉଠିଛି । ଆଧୁନିକ ସାହିତ୍ୟରେ ଅତୁଳନୀୟ ବସନ୍ତ ବର୍ଣ୍ଣନାର ଅଭାବ ନାହିଁ କହିଲେ ଚଳେ । ରାଧାନାଥ, ମଧୁସୂଦନ, ଗଙ୍ଗାଧର, ନନ୍ଦକିଶୋର ପ୍ରଭୃତିଙ୍କ କାବ୍ୟ କବିତାରେ ବସନ୍ତର ପ୍ରାଣସ୍ପର୍ଶୀ ବର୍ଣ୍ଣନା ସମୟ ସମୟରେ ମନୁଷ୍ୟକୁ ଭାବନା ରାଜ୍ୟକୁ ଟାଣିନିଏ ଏବଂ ପ୍ରତ୍ୟେକ ଯେପରି କ୍ଷଣିକ ପାଇଁ ଅନ୍ୟମନସ୍କତାରେ ଆତ୍ମବିଲୀନ ହୋଇ ସୌନ୍ଦର୍ଯ୍ୟାମୃତପାନରେ ଜାଗତିକ ଚେତନା ହରାଇ ବସାଏ ।

 

ଏହି ପରିପ୍ରେକ୍ଷୀରେ କବି ଚନ୍ଦ୍ରମହୋନଙ୍କ ବସନ୍ତ ବର୍ଣ୍ଣନା ବିଚାରଯୋଗ୍ୟ । ଅବଶ୍ୟ ଏଥିପାଇଁ ତାଙ୍କର ପୂର୍ବବର୍ତ୍ତୀ ପ୍ରାଚୀନ, ମଧ୍ୟ ଯୁଗୀୟ ତଥା ଆଧୁନିକ ଅଗ୍ରଜ କବିମାନଙ୍କ ପ୍ରଭାବ ଅନେକ । ତଥାପି ଗତାନୁଗତିକ ବର୍ଣ୍ଣନା ଅପେକ୍ଷା କବି ଚନ୍ଦ୍ରମୋହନଙ୍କ ବର୍ଣ୍ଣନାରେ ଆଧୁନିକତାର ସ୍ପର୍ଶ ସହିତ ନିଜସ୍ୱ ସ୍ୱାତନ୍ତ୍ର‌୍ୟ ଯଥେଷ୍ଟ ରହିଛି, ଅସ୍ୱୀକାର କରି ହେବ ନାହିଁ ।

 

ଷଢ଼ଋତୁର ପର୍ଯ୍ୟାୟକ୍ରମେ ପ୍ରଭାବଶାଳୀ ଋତୁରାଜ ବସନ୍ତର ଧାରା ଧରାପୃଷ୍ଠକୁ ଆଗମନ ହୁଏ । ଏହି ଶୁଭାଗମନ ବାର୍ତ୍ତା ସମଗ୍ର ପୃଥିବୀ ବକ୍ଷରେ ଏକ ଚହଳ ସୃଷ୍ଟି କରେ । ପ୍ରକୃତି ଓ ପ୍ରାଣୀ ଜଗତର ସର୍ବତ୍ର ନବଜୀବନ ସ୍ପନ୍ଦିତ ହୁଏ । କବି ବର୍ଣ୍ଣନାରେ ଯେପରି–

 

“ତରୁ, ଲତା, ଗୁଳ୍ମ, ପଶୁ, ପକ୍ଷୀ, ଜନ–

ଯେଉଁଦିଗେ ଦୃଷ୍ଟି ପକାଅ, ଜୀବନ

ବିରାଜ କରଇ ସର୍ବତ୍ର ଯେସନ;

ଯଥାର୍ଥ ବସନ୍ତ ପ୍ରିୟ ଲୋକରେ ।”

 

ଧରଣୀ ରାଣୀ ସବୁଜ ଶ୍ୟାମଳ ଷୋଡ଼ଶୀ ରୂପସୀ ସାଜି ମୃଦୁହାସ୍ୟ ବିତରଣ କରନ୍ତି । ସମସ୍ତଙ୍କ ଦୃଷ୍ଟିରେ ସେ ହୁଅନ୍ତି ଚଳଚଞ୍ଚଳା, ଛନ୍ଦଚପଳା । ସୌନ୍ଦର୍ଯ୍ୟରାଣୀ ବସନ୍ତ ପ୍ରକୃତିର ଅନିନ୍ଦନୀୟ ମନଲୋଭା ରୂପସଜ୍ଜାରେ ମୁଗ୍‌ଧ ହୋଇ ସମସ୍ତେ ସମ କଣ୍ଠରେ ତା’ର ଗୁଣଗାନ କରନ୍ତି । ତେଣୁ ବସନ୍ତ ଋତୁର ପ୍ରତିଟି ଦୃଶ୍ୟ କବି ବର୍ଣ୍ଣନାରେ ଯେପରି ସର୍ବାଧିକ ହୋଇଛି ସେପରି ବସନ୍ତ ଋତୁର ପ୍ରତ୍ୟେକଟି ଅବସର କବି କଳ୍ପନାରେ ବିଳସିତ ରୂପ ନେଇଛି । ମୃତ୍ୟୁସଞ୍ଜିବନୀ ମାଦକଭରା ବସନ୍ତ ସମୀର ସ୍ପର୍ଶରେ ସମସ୍ତେ ଚେତନାପୂର୍ଣ୍ଣ ଦିବ୍ୟଜୀବନ ଲାଭ କରିଛନ୍ତି । କବି ବର୍ଣ୍ଣନାର ନିଜସ୍ୱ ରୂପ ହେଉଛି–

 

“ପ୍ରକୃତିର ଶୋଭା କିବା ମନୋହର!

ଦେଖ ଚଉଦିଗେ ସର୍ବ ତରୁବର

X X X

ଦୟାଳୁ ମାରୁତ! ଆସହେ ବହନ

ଦିଅ ସର୍ବ ଅଙ୍ଗେ ନୂତନ ଜୀବନ ।”

 

ସାଧାରଣ ବୃକ୍ଷମାନଙ୍କ ପରି ଲତାଗୁଡ଼ିକ ନାନାବର୍ଣ୍ଣ ପତ୍ରାଦିରେ ଆଚ୍ଛାଦିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଏ । ବାଡ଼ି ବଗିଚା, ସରୋବର, ଉଦ୍ୟାନ ସର୍ବତ୍ର ସବୁଜାତୀୟ ପୁଷ୍ପର ବିକାଶ ଘଟେ । ସମଗ୍ର ବସୁନ୍ଧରା ଫୁଲରେ ଭରପୁର ହୋଇଯାଏ । ଯେଉଁଠି ଦୃଷ୍ଟି ପଡ଼େ ସେଠାରେ ଫୁଲର ପସରା ମେଲିଥାଏ । ବାସ୍ତବିକ ଏଭଳି ଦୃଶ୍ୟରେ କବି ଏତେ ଆତ୍ମହରା ହୋଇପଡ଼ିଛନ୍ତି ଯାହାଫଳରେ ନିଜ ହୃଦୟ ତନ୍ତ୍ରୀରେ ଝଂକୃତ ଭାବନାରାଜିକୁ ସ୍ୱୀୟ କବିତାରେ ପ୍ରତିଫଳିତ କରିବାରେ ଖୁବ୍ ସଫଳକାମୀ ହୋଇପାରିଛନ୍ତି ।

 

“ମଧୁର ବସନ୍ତ କୁସୁମ-ସମୟ;

ବସନ୍ତ ଆଗମେ ଧରାଫୁଲମୟ;

ଯହିଁ ଚକ୍ଷୁ ପଡ଼େ, ସୁମନ ନିଚୟ;

ଫୁଲ ଦେଖି କ୍ଳାନ୍ତି ନୟନ ।”

 

ଏହି ବର୍ଣ୍ଣନା ଯେତିକି ସରଳ ସେତିକି ସାବଲୀଳ ଓ ଲାଳିତ୍ୟପୂର୍ଣ୍ଣ । ଫଳରେ ଏହା ଖୁବ୍‍ ପ୍ରାଣସ୍ପର୍ଶୀ ହୋଇପାରିଛି । ନବୀନ ଶ୍ୟାମଳ ଦୁର୍ବାରେ ଧରାପୃଷ୍ଠ ମଣ୍ଡିତ ହୁଏ । ପୁଷ୍କରଣୀ ଭରା କମଳିନୀର ବିକାଶ ଘଟେ । ପ୍ରଷ୍ଫୁଟିତ କମଳ ପାଖୁଡ଼ାରେ ମଧୁକର ଦଳ ସଙ୍ଗୀତର ପ୍ରାଣମୂର୍ଚ୍ଛା ରାସଲୀଳା ରଚନା କରେ । ଏହି ଅପରୂପ ସୁଷମା ଜନମାନସରେ ବେଶ୍ ଉପଭୋଗ୍ୟ ହୋଇଉଠେ । ଚମ୍ପା, ନାଗେଶ୍ୱର, ମଲ୍ଲୀ, ଯୂଇ, ନିଆଳି, ଅଶୋକ, ବକୁଳ ପ୍ରଭୃତି ବାସଭରା ପୁଷ୍ପରାଜି ସୁବାସ ବିତରଣରେ ଜଗତକୁ ମୋହିତ କରେ । ମହୁମାଛି ସବୁ ମଧୁ ସଂଗ୍ରହରେ ଦିବସ ରଜନୀ ବ୍ୟସ୍ତ ରହେ । ସହକାର ଶାଖା ଅନ୍ତରାଳୁ କୋଇଲି ଅମୃତଭରା କୁହୁତାନ ଢାଳିଦିଏ ।

 

ବସନ୍ତ ଋତୁର ବର୍ଣ୍ଣନା ପ୍ରସଙ୍ଗରେ କବି ମହାରଣା ବସନ୍ତ ପବନ ବା ମଳୟ ପବନଠାରେ ବ୍ୟକ୍ତିତ୍ୱ ଆରୋପ କରିଛନ୍ତି । ସତେ ଯେପରି ମଳୟ ପବନ ବସନ୍ତ ଋତୁର ଚିର ସାଥୀ ହୋଇ ମନୁଷ୍ୟର ସୁଖ, ଆନନ୍ଦ ଓ ବିଳାସକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ଏ ପ୍ରକାର ପ୍ରକୃତି ଦେହରେ ଜୀବନ ଶକ୍ତି ଆରୋପ କରିବା ସ୍ୱଭାବ କବି ଗଙ୍ଗାଧରଙ୍କ ଲେଖନୀରେ କେବଳ ସମ୍ଭବ ହୋଇଥାଏ । ଅତଏବ୍ କବି ଗଙ୍ଗାଧରଙ୍କ ପ୍ରଭାବ କହି ଚନ୍ଦ୍ରମୋହନଙ୍କ ସାହିତ୍ୟରେ ପ୍ରତିଫଳିତ ହେବା ସ୍ୱାଭାବିକ । ଗଙ୍ଗାଧରଙ୍କ ପରି କବି ଚନ୍ଦ୍ରମୋହନଙ୍କ ବର୍ଣ୍ଣନା ହେଉଛି–

 

“ଦୟାଳୁ ମାରୁତ! ଆସ ହେ ବହନ,

ଦିଅ ସର୍ବ ଅଙ୍ଗେ ନବୀନ ଜୀବନ,

ଧନ୍ୟ ହେ ମାରୁତ ତବ ପିତା ଧନ୍ୟ !”

 

ମୁନି ଆଶ୍ରମସ୍ଥ ଉଷାକାଳ ପତିପରାୟଣା ସତୀ ଶିରୋମଣି ସୀତାଙ୍କ ପଦଯୁଗଳ ବନ୍ଦନାର ଦୀର୍ଘ ପ୍ରତୀକ୍ଷା ପରି ବସନ୍ତ ଋତୁର ହରିତ, ପୀତ, ଲୋହିତ ବସନ ପରିହିତା ଲତିକାପୁଞ୍ଜ ଅତିଥି ମଳୟ ସମୀରକୁ ଅଭିନନ୍ଦନ ଦେବାପାଇଁ ଆଗେଇ ଆସିଛି । ଫଳରେ ନାୟକ ବସନ୍ତ ସମୀର ନାୟୀକା ଲତିକାପୁଞ୍ଜର ଗଣ୍ଡ ଦେଶରେ ଦେଇଛି ପ୍ରେମଭରା ମୃଦୁ ଚୁମ୍ବନ । ଏଭଳି ବର୍ଣ୍ଣନା କବି ଲେଖନୀରେ ଖୁବ୍ ନାଟକୀୟ ଓ ହୃଦୟସ୍ପର୍ଶ ହୋଇ ଉଠିଛି–

 

“ବଲ୍ଲରୀ ସୁନ୍ଦରୀ ଯେତେ ମହୀ ତଳେ,

ଅଭିନନ୍ଦିବାକୁ ମଳୟ ଅନିଳେ

X X X

ସ୍ୱଭାବେ ପ୍ରଗଳ୍‌ଭ ମଳୟ ପବନ

ଅପରୂପ ଶୋଭା କରି ନିରୀକ୍ଷଣ

ପ୍ରେମ ମତ୍ତରେ ଦିଏ ବଦନେ ଚୁମ୍ବନ;

ତହିଁରେ ଲତିକା ଲଜ୍ଜାରେ ଥରେ ।”

 

କବି ମହାରଣା ଅନେକ ସ୍ଥଳରେ ନାନା ଉପମା ଆଦିର ପ୍ରୟୋଗ କରି ରୀତି ଯୁଗୀୟ ଆଦର୍ଶ କାବ୍ୟ ପରମ୍ପରାକୁ ଅନୁସରଣ କରିଛନ୍ତି । ଏହି ବର୍ଣ୍ଣନା କବି ଲେଖନୀକୁ ଅମର କରିଛି ।

 

“କେତକୀର ଗନ୍ଧ ଗନ୍ଧ ମଧ୍ୟେ ବର;

ସେ ଗନ୍ଧ ଆଘ୍ରଣେ ଧାବଇ ସତ୍ୱର

ମଧୁ ଲାଭ-ଆଶେ ମଧୁକର-ବର

କିନ୍ତୁ କଣ୍ଟକରେ ପଶିନପାରେ ।

ଯଥା ସ୍ୱାଧୀ-ନାରୀ-ନବ-ଯଉବନ

ଦେଖି କାମ-ଅନ୍ଧ-ହରାଏ ଚେତନ,

କିନ୍ତୁ ପାପମୟ-ବାସନା-ପୂରଣ

ସର୍ବଥା ବିଫଳ ହୁଏ ତା ଠାରେ ।”

 

ଅନ୍ୟ ଏକ ଉଦାହରଣ ହେଉଛି–

 

ବକୁଳ କୁସୁମ ବକୁଳ-ମୂଳରେ

ତାରା ରାଜି ଯେହ୍ନେ ଗଗନ ପଥରେ

କେତେ ପଡ଼ିଥାଏ ଗଣନା କେ କରେ;

ବହୁ ଦୂର ଯାଏ ଆମୋଦ କରେ ।

 

ବସନ୍ତ ସକାଳ, ସନ୍ଧ୍ୟା ଓ ରାତ୍ରୀ କାଳର ଶ୍ରୀ ଶୋଭା କବିଙ୍କୁ ଯେଉଁ ପରିମାଣରେ ମୁଗ୍‌ଧ କରିଛି ତା’ଠାରୁ ଅଧିକ କବି ଲେଖନୀକୁ ବ୍ୟଗ୍ର କରି ତୋଳିଛି–

 

ଉଷା-ବିକଶିତ- ଅଶେଷ-ସୁମନ-

ଶୋଭିତ ଶାଖାରେ କଲେ ପରଶନ

 

ନିଶାଗମେ ଜ୍ୟୋତ୍ସ୍ନା ଘୋଟିଯାଏ ମହୀ;

ସରବ ଅଙ୍ଗରେ ସେ ଜ୍ୟୋତ୍ସ୍ନା ପଡ଼ଇ;

X X X

ବସନ୍ତ -ପ୍ରଦୋଷ ସମପ୍ରୀତିକର;

ଶ୍ରମରୁ ବିରତ ବିଶ୍ରାମଇ ନର;

ଶ୍ରମ-ଝାଳେ ଆର୍ଦ୍ର ବସନ ଅଙ୍ଗର

ମଳୟ ପବନ ହରଇ ଶ୍ରମ ।

 

ପରକ୍ଷଣରେ କବି ମହାରଣା ବସନ୍ତ ସନ୍ଧ୍ୟାର ଏକ ବାସ୍ତବ ସମାଜ ଚିତ୍ର ଦେଇଛନ୍ତି ।

 

ସର୍ବଶେଷରେ ଏତିକି କୁହାଯାଇପାରେ ଯେ ଜୀବନ ବସନ୍ତରେ ବସନ୍ତ ଋତୁର ଏକ ପରୋକ୍ଷ ପ୍ରଭାବ ସବୁବେଳେ ରହିଛି ଓ ରହିବ । ଏଥିରୁ କେହି ଦୂରେଇ ରହିବା ଅସମ୍ଭବ । ଅନ୍ୟ ଅର୍ଥରେ ସୃଷ୍ଟିକର୍ତ୍ତାଙ୍କର ଏହା ସମଗ୍ର ଜୀବ, ଉଦ୍ଭିଦ ଓ ମାନବଜାତିକୁ ଶ୍ରେଷ୍ଠଦାନ କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ମଧୁସୂଦନ ରାଓଙ୍କ ପରି କବି ମହାରଣା ସେହି ସୁଧାମୟ ମଧୁମୟ ବସନ୍ତ ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ଗାଇଛନ୍ତି–

 

ସକଳ ପ୍ରଫୁଲ୍ଲ, ସର୍ବସୁଖକର;

ନିଖିଳ ଭୂବନ ଆନନ୍ଦମୟ ।

X X X

ସେ ଆନନ୍ଦ ଗୀତ ବର୍ଣ୍ଣି ନପାରଇ;

ଅନ୍ୟଠାରେ ବ୍ୟକ୍ତ କରିତ ନୁହଇ;

X X X

ତୋହ ରାଜ ପଣେ ସ୍ୱରଗ ଏ ମହୀ–

ସ୍ୱରଗ ପରାୟେ ସଦା ଶାନ୍ତିମୟୀ ।

-୦-

 

କବିଗୀତି

ଉତ୍କଳ –ଭ୍ରମଣ

 

“ଆହେ ଚନ୍ଦ୍ର ମହାରଣେ ହେଉ ହେଉ ହେଉ

ଆଉ ଥରେ ଢାଳିଦିଅ କବିତାର ଢେଉ ।

 

ଛପାଇବ ରାମଚନ୍ଦ୍ର ଚିନ୍ତା କିହେ ଆଉ,

ମାରିନେବ ଟଙ୍କା ମୁଠେ ଠୁଙ୍କିଦେଇ ବାହୁ ।”

 

–ବ୍ୟାସକବି ଫକୀରମୋହନ ସେନାପତି

-୦-

 

 

ହେ ଚନ୍ଦ୍ରମୋହନ

କବି ରାଧାମୋହନ ଗଡ଼ନାୟକ

 

ତୁମ ନାଆଁ ଭାରି ସ୍ନିଗ୍‌ଧ,

ଭାରି ମନୋହର,

ହେ ଚନ୍ଦ୍ରମୋହନ,

ମାତ୍ର, ତୁମେ ଚନ୍ଦ୍ର ନୁହ

ମୋହନ ବି ନୁହ ।

 

ତୁମେ ଥିଲ ପ୍ରଚଣ୍ଡ ତପନ,

ସିନ୍ଧୁ ହ୍ରଦ ସରିତର ଜଳ

ଉଷ୍ଣତାରେ ଯେଉଁପରି

ତପ୍ତ କରି

ବାଷ୍ପକରି

ଊର୍ଦ୍ଧ୍ୱେ ନେଇ

ସୃଷ୍ଟିକରେ ବାଦଲର ଏକ ଚନ୍ଦ୍ରାତପ,

ଆଉ ଏକ ସୃଷ୍ଟି ।

 

ତୁମେ ଠିକ ସେହିପରି

କବିଙ୍କର କାବ୍ୟ ସୃଜନୀକୁ

ଜୀର୍ଣ୍ଣ କରି

ଭିନ୍ନ କରି

ବିଶ୍ଳେଷଣ କରି

ବାଢ଼ି ଦେଉଥିଲ ତାର ଆତ୍ମାର

ଆଉ ଏକ ସୃଷ୍ଟି ।

ବହୁତ କବିତା ତୁମେ

ଲେଖିଥିଲ

ସେଥିପାଇଁ

ପୁରସ୍କାର ପାଇଥିଲ ପରା ?

ମାତ୍ର ହୋଇ ପାରିଲନି କବି

ତୁମେ ସ୍ରଷ୍ଟା ।

 

ତୁମେ ହେଲ ଦିବ୍ୟ ଏକ ଦ୍ରଷ୍ଟା ।

ସୃଷ୍ଟିରେ ତୁମ ଖୋଜୁଚି ସୃଷ୍ଟି,

ଦୃଷ୍ଟିରେ ତୁମର ସୃଷ୍ଟି,

ହେ ଚନ୍ଦ୍ରମୋହନ

ରାଧାମୋହନ ମୁଁ ଆଜି

କରୁଅଛି ତୁମର ବନ୍ଦନ ।

ଅନୁଗୋଳ, ଢେଙ୍କାନାଳ

-୦-

 

ହେ ପ୍ରକୃତି କବି ମହାରଣା

ଉପେନ୍ଦ୍ର ପ୍ରସାଦ ପଣ୍ଡା

 

(୧)

 

ଉତ୍କଳ ସାହିତ୍ୟ ମହାପୀଠ ସ୍ଥଳେ

ଯେତେ କବି ଶକ୍ତି ଅଛି ଜଣା

ପ୍ରକୃତି କବି ଅଟ ତାହା ମଧ୍ୟେ;

“ହେ ସାହିତ୍ୟ ରଥୀ ମହାରଣା !”

 

(୨)

 

ପ୍ରକୃତି ରାଇଜେ ନିତି ନିତି ଯାହା

ଦେଖଇ ମାନବ ଚକ୍ଷୁ ଆଗେ

ଗୋଟି ଗୋଟି ସବୁ କରିଛ ବର୍ଣ୍ଣନା

କବିତାକୁ ରଚି ନାନାଭାବେ ।

 

(୩)

 

ଦୁର୍ବାଦଳଠାରୁ ବୃକ୍ଷଲତା ଯାଏ

ପୁଷ୍ପ, ଫଳ, ପତ୍ର କିଶଳୟ

ମହୁମାଛିଙ୍କର ମଧୁର ଗୁଞ୍ଜନ

କୋକିଳର ସ୍ୱର ମଧୁମୟ ।

 

(୪)

 

ସୂର୍ଯ୍ୟ ଚନ୍ଦ୍ର ତାରା ନଦ ନଦୀ ସର

ସ୍ନିଗ୍‌ଧ ମଳୟର ମୃଦୁ ସ୍ପର୍ଶ

ଆକାଶର ମେଘ ବଣ ପରବତ

ବଜ୍ର ଗର୍ଜନର ଲୋମହର୍ଷ ।

 

(୫)

 

ବ୍ୟାଘ୍ର ଭଲ୍ଲୁକ ବନ୍ୟ ପଶୁ ଆଦି

ଚତୁର ବିଲୁଆ ହସ୍ତୀ ଶ୍ୱାନ

ଗୁଣ୍ଡୁଚି ମୂଷାର ଚେଇଁ ଚେଇଁ ବୁଲା

ସିଂହ ମୂଷିକର ଉପାଖ୍ୟାନ ।

 

(୬)

 

ତୁମ୍ଭରି ତିଆରି ପୁସ୍ତକ ପୃଷ୍ଠାରେ

ଲେଖିଗଲ ଯେଉଁ ‘କଥାବଳି’

ସାରସ୍ୱତ ଧାମେ ସେ ପାଠ୍ୟ ପୁସ୍ତକ

ନାମ ତାର ଦେଲ ‘କଥାବଳି’ ।

 

(୭)

 

ବାଲ୍ୟ କିଶୋର ଚରିତ୍ର ଗଢ଼ଇ

ତୁମ୍ଭରି ତିଆରି ଏ ପୁସ୍ତକ

ଆଜିଯାଏ ଯେତେ ହୋଇଅଛି ଲେଖା

ତା ମଧ୍ୟେ ତୋଳିଛି ସେ ମସ୍ତକ ।

 

(୮)

 

ଲେଖନୀ ତୁମ୍ଭର ନୁହଇ ଦୁର୍ବଳ

ଶିକ୍ଷା କ୍ଷେତ୍ରେ ଦେଲ ନବପ୍ରାଣ ।

ରଚନା ଚାତୁରୀ କେତେ ମନୋହର

ସାହିତ୍ୟର ଶିଳ୍ପ ତୁମ୍ଭେ ଜାଣ ।

 

(୯)

 

ନିର୍ଦ୍ଦେଶକ ଭାବେ ଶିକ୍ଷା କ୍ଷେତ୍ରେ ଶ୍ରେଷ୍ଠ

ଶିକ୍ଷାଲୋକ କଲେ ବିକରଣ

ବିଗତ ଯୁଗରୁ ଆଜିଯାଏ ଧରି

ଉଜ୍ଜ୍ୱଳି ଉଠୁଛି ତା କିରଣ ।

 

(୧୦)

 

ଉତ୍କଳ ମାତାଙ୍କ ସୁଯୋଗ୍ୟ ଦାୟାଦ

ବିସ୍ମୃତିର କବି ମହାରଣା ।

ଏ ଜାତି ସର୍ବଦା ଲାଭ କରୁଅଛି

ତୁମ୍ଭ ସାହିତ୍ୟର ସୁପ୍ରେରଣା ।

 

(୧୧)

 

ଯାହା ଅବଦାନ ଦେଇ ଯାଇ ଅଛ

ଭୁଲି ଯିବ ନାହିଁ ଏ ଉତ୍କଳ

ଓଡ଼ିଆ ଭାଷାର ବ୍ୟାକରଣ ବୀର

ଜଣାଇଛ ତୁମ୍ଭ ଜ୍ଞାନ ବଳ ।

 

(୧୨)

 

ଜାତିର ଦର୍ପଣ ସାହିତ୍ୟ ଅଟଇ

ଆମ୍ଭ କରେ ଅର୍ପିଗଲ ଯାହା

ଯୁଗ ଯୁଗ ଧରି ବିତିଗଲେ ସୁଦ୍ଧା

ସୁନ୍ଦର ଉଜ୍ଜ୍ୱଳ ଥିବ ତାହା ।

 

(୧୩)

 

ଛଅ ଋତୁ ଯାହା କରିଛ ବର୍ଣ୍ଣନା

ନାହିଁ ସାହିତ୍ୟର ପଟାନ୍ତର

ଉତ୍କଳ ଜନନୀ କଣ୍ଠେ ଲମ୍ବିଅଛି

ସେ କବିତା ହାର ମନୋହର ।

 

(୧୪)

 

ଓଡ଼ିଆ-ସାହିତ୍ୟ ଗର୍ବ କରୁଅଛି

ତୁମ୍ଭର ଲେଖନୀ ମୁନ ବଳେ

ସୁପାଠ୍ୟ ଅଟଇ ତୁମ୍ଭ ଲେଖାଶୈଳୀ

କବି ଜୀବନର କଳା ଛଳେ ।

 

(୧୫)

 

ଜନ୍ମଭୂମି ତବ ରେମୁଣାର ମାଟି

କ୍ଷୀରଚୋରା ‘ଗୋପୀନାଥ’ ଧାମ

ଶୁଭକ୍ଷଣେ ଜନ୍ମି ଦେଇଛ ବଢ଼ାଇ

ଦେବଭୂମି ରେମୁଣାର ନାମ ।

 

(୧୬)

 

ସାହିତ୍ୟରେ କୁମ୍ଭ ମେଳା ବିକାଶୁଛି

‘କଥାବଳି’ ପୋଥି ମଧ୍ୟେ ଯେଉଁ

ପ୍ରକୃତିର କବି ତୁମ୍ଭେ ହିଁ କେବଳ

କବିତାର ବୁହାଇଛ ଢେଉ ।

 

(୧୭)

 

ଉତ୍କଳ-ଭ୍ରମଣେ ବ୍ୟାସ କବିଙ୍କର

ଅଛି ଉଦବୋଧନ ଚମତ୍କାର

“ହେଉ ମହାରଣେ ହେଉ ହେଉ ହେଉ

ଢେଉ ଖେଳୁ ତୁମ୍ଭ କବିତାର ।”

 

(୧୮)

 

ସୁକବି ଆସନେ ତୁମ୍ଭେ ବସିଅଛ

ଆହେ କବି ଶ୍ରେଷ୍ଠ ଉଚ୍ଚମନା

ଘେନା ହେଉ ଆମ୍ଭ ଭକ୍ତିର ସମ୍ଭାର

“ହେ ପ୍ରକୃତି କବି ମହାରଣା ।”

-୦-

 

ପରିଶିଷ୍ଟ

ବିୟୋଗ ବାର୍ତ୍ତା

ଶ୍ରୀ ବିଶ୍ୱନାଥ କର

 

ଉତ୍କଳ ସାହିତ୍ୟ କ୍ଷେତ୍ରରୁ ଗୋଟିଏ ଗୋଟିଏ ହୋଇ ପ୍ରବୀଣ ସାହିତ୍ୟିକମାନେ ପ୍ରାୟ ସମସ୍ତେ ଚାଲିଗଲେ । ଏହି ପଲ୍ଲବଗ୍ରାହୀତାର ଦିନରେ ସେମାନଙ୍କ ସ୍ଥାନ ପୂରଣ କରିବା ଭଳି ସାଧକ ଆଉ ବାହାରିବା ପରି ଦିଶୁନାହିଁ । ଆଜିକାଲି ଯେପରି ‘ସାହିତ୍ୟିକ’ ‘ସାହିତ୍ୟ ସେବୀ’ ଇତ୍ୟାଦି କଥାଗୁଡ଼ିକ ଶସ୍ତା ହୋଇଅଛି, ୩୦/୪୦ ବର୍ଷ ପୂର୍ବେ ସେପରି ନ ଥିଲା । କଠୋର ପରିଶ୍ରମ, ପ୍ରଗାଢ଼ ଅଧ୍ୟୟନ, ଗଭୀର ଚିନ୍ତା ଓ ଆଲୋଚନା ସେତେବେଳେ ସାହିତ୍ୟିକ ଜୀବନର ପ୍ରଧାନ ଲକ୍ଷଣ ଥିଲା । ଆଜି ଏଗୁଡ଼ିକ ବିରଳ ହୋଇଅଛି । ତେଣୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଆବର୍ଜନାର ପରିମାଣ ହିଁ ଅଧିକ । ସାରାସାର ବିଚାର କରିବା ଭଳି ଲୋକେ ଆଉ କେହି ପ୍ରାୟ ରହିଲେ ନାହିଁ । ସେହି କାରଣରୁ ପୁରାତନ ଦଳର ଜଣେ ଜଣେ ସାଧକଙ୍କ ତିରୋଧାନରେ ପ୍ରାଣ ବଡ଼ ବେଶି ବ୍ୟାକୁଳ ହୋଇଉଠେ । ଆଜି ଉତ୍କଳର ସୁପରିଚିତ ପ୍ରବୀଣ ସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ ବିୟୋଗ ବାର୍ତ୍ତା ଶୁଣି ଆମ୍ଭେମାନେ ପ୍ରାଣ ମଧ୍ୟରେ ଗୋଟିଏ ଗଭୀର ଶୂନ୍ୟତା ଅନୁଭବ କରୁଅଛୁଁ । ଚନ୍ଦ୍ରମୋହନଙ୍କ ପରି ସୁପଣ୍ଡିତ, ସୁକବି, ସୁନିପୁଣ ସମାଲୋଚକ, ସୁଗଭୀର ଚିନ୍ତାଶୀଳ ବ୍ୟକ୍ତି ସମଗ୍ର ଉତ୍କଳ ଖଣ୍ଡରେ ବିରଳ । ତାଙ୍କ ପରି ସୁଶିକ୍ଷକ ଓ ସୁଦକ୍ଷ ପରିଦର୍ଶନ କର୍ମଚାରୀ ମଧ୍ୟ ଅଳ୍ପ ଦେଖାଯାଇଅଛନ୍ତି । ବଡ଼ କ୍ଷୋଭର କଥା ଯେ, ଦେଶର ଜଳବାୟୁ ପ୍ରଭାବରୁ ଏବଂ ଦୂରନ୍ତ ରୋଗର ଅତ୍ୟାଚାରରୁ ସେ ଉତ୍କଳ ସାହିତ୍ୟକୁ ଆଶାନୁରୂପ ସମ୍ପଦ ଦେଇଯାଇ ପାରି ନାହାନ୍ତି । ତଥାପି ତାଙ୍କ ଜୀବନର ପ୍ରଭାବ ବହୁ ବ୍ୟକ୍ତିଙ୍କ ଜୀବନର ଗତି ଫେରାଇ ଦେଇଅଛି– ଅନେକ ସ୍ଥଳରେ କିଞ୍ଚିତ୍ ପରିମାଣରେ ହେଲେ ସାହିତ୍ୟିକ ଦୃଷ୍ଟି ଖୋଲି ଦେଇଅଛି । ସେ ଆପଣଙ୍କୁ ବଡ଼ ସଙ୍କୁଚିତ କରି ରଖୁଥିଲେ ବୋଲି ଏ ବିଷୟରେ ମଧ୍ୟ ଉତ୍କଳଭୂମି ତାଙ୍କଠାରୁ ଯଥେଷ୍ଟ ପାଇପାରି ନାହିଁ ।

 

ବାଲେଶ୍ୱର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚନ୍ଦ୍ରମୋହନ ଯେତେବେଳେ ରେଭେନ୍ସା କଲେଜରେ ଭର୍ତ୍ତି ହେଲେ, ସେହି ସମୟରୁ ତାଙ୍କ ସହିତ ଆମ୍ଭମାନଙ୍କର ପରିଚୟ ଓ ବନ୍ଧୁତା । ସେ ସମୟରେ କେତେ ନିଭୃତ ସନ୍ଧ୍ୟା ତାଙ୍କ ସହିତ ନାନା ବିଷୟକ ଆଲୋଚନା ଓ ଭାବର ଆଦାନ ପ୍ରଦାନରେ ଅତିବାହିତ ହୋଇଅଛି ଏବଂ ତଦ୍ଦ୍ୱାରା ପରସ୍ପର କିପରି ନିକଟରୁ ନିକଟତର ହୋଇଅଛୁଁ, ସେ ସବୁ ଆଜି ସ୍ମୃତିପଥରେ ଉଦିତ ହେଉଅଛି । ପରବର୍ତ୍ତୀ ଜୀବନରେ ସେ ବନ୍ଧୁତା ଅଧିକରୁ ଅଧିକ ଘନିଷ୍ଠ ହୋଇଅଛି-କଦାପି କ୍ଷୂର୍ଣ୍ଣ ହୋଇନାହିଁ । ସେତିକିବେଳେ ଉତ୍କଳ ବରେଣ୍ୟ କବିବର ରାଧାନାଥ ଓ ଭକ୍ତକବି ମଧୁସୂଦନ ଚନ୍ଦ୍ରମୋହନଙ୍କ ଜୀବନର ଭବିଷ୍ୟତ ସମ୍ଭାବନା ଦର୍ଶନରେ ତାଙ୍କ ପ୍ରତି ଯଥେଷ୍ଟ ଆଦର ଓ ଆନୁକୂଲ୍ୟ ପ୍ରଦର୍ଶନ କରିଥିଲେ । ସେଭଳି ଚିହ୍ନରା ଗ୍ରାହକ ବା ଆଉ କାହୁଁ ମିଳିବେ ! ବୟସରେ ତରୁଣ ହେଲେ ମଧ୍ୟ-ସାହିତ୍ୟ କ୍ଷେତ୍ରରେ ଶିଷ୍ୟସ୍ଥାନୀୟ ହେଲେ ମଧ୍ୟ ଚନ୍ଦ୍ରମୋହନଙ୍କ ମତ ପ୍ରତି ଏମାନଙ୍କର କି ଗଭୀର ଆସ୍ଥା ଦେଖାଯାଇଅଛି ! ସେ ଦୃଷ୍ଟାନ୍ତ ଆଜି ସାହିତ୍ୟ କ୍ଷେତ୍ରରେ କାହିଁ ?
 

ପ୍ରାୟ ସମସ୍ତେ ଜାଣନ୍ତି, କଟକ ଟ୍ରେନିଂ ସ୍କୁଲରେ ପ୍ରତିଷ୍ଠିତ ‘ଆଲୋଚନା ସଭା’ ଆଧୁନିକ ‘ଉତ୍କଳ ସାହିତ୍ୟ ସମାଜ’ର ଆଦି । ଅନେକ ଦିନ ପର୍ଯ୍ୟନ୍ତ ଚନ୍ଦ୍ରମୋହନ ଏହି ଆଲୋଚନା ସଭା ସହିତ ସଂଶ୍ଳିଷ୍ଟ ଥିଲେ । ସେ ସ୍ୱଭାବତଃ ସ୍ୱଳ୍ପଭାଷୀ; ସ୍ୱଳ୍ପଭାଷୀ ବୋଲି ଅଳ୍ପ କଥାରେ ସମଗ୍ର ପ୍ରାଣଟି ଢାଳି ଦେଇପାରୁଥିଲେ ଏବଂ ସେଥିପାଇଁ ତାଙ୍କ କଥାଗୁଡ଼ିକ ଗଭୀର ଅର୍ଥପୂର୍ଣ୍ଣ ଥିଲା । ତାଙ୍କ ରଚନାଗୁଡ଼ିକର ପ୍ରକୃତି ପର୍ଯ୍ୟାଲୋଚନା କଲେ ଏହି ଲକ୍ଷଣ ସହଜରେ ଧରାପଡ଼ିବ । ଆଲୋଚନା ସଭାର ଆଲୋଚନାରେ ସେ ଅନେକ ସମୟରେ ଦୁଇଚାରୋଟି କଥାରେ ପ୍ରଚୁର ପ୍ରାଣ ଓ ଆଲୋକ ସଞ୍ଚାର କରି ଦେଇପାରୁଥିଲେ । ସାଧାରଣ ସଭା-ସମିତିରେ ଯୋଗଦେବା ତାଙ୍କ ପକ୍ଷରେ ବିରଳ ଥିଲା । ମାତ୍ର ସାହିତ୍ୟ-ସମାଜ ପ୍ରତି ଅନୁରାଗ ଚିରଦିନ ଅକ୍ଷୁର୍ଣ୍ଣ ଥିଲା । ସେଥିପାଇଁ ରୁଗ୍‌ଣ ଭଗ୍ନ ଶରୀରରେ ଦୁଇବର୍ଷ ପୂର୍ବେ କଟକ ଆସି ସମାଜର ବାର୍ଷିକ ଅଧିକବେଶନରେ ସଭାପତି କାର୍ଯ୍ୟ ନିର୍ବାହ କରିଯାଇଥିଲେ ।

 

ଇନ୍ଦ୍ରଧନୁ-ବିଜୁଳି ଆନ୍ଦୋଳନ କଥା ଆଜି ଅନେକ ଭୁଲିଯାଇ ଅଛନ୍ତି– ପୁଣି ଅନେକଙ୍କୁ ସେ ବିଷୟ ଆଦୌ ଜଣାନାହିଁ କହିଲେ ଚଳେ । କିନ୍ତୁ ଉତ୍କଳର ସାହିତ୍ୟ କ୍ଷେତ୍ରରେ ଏହା ଗୋଟିଏ ସ୍ମରଣୀୟ ଘଟଣା । ଚନ୍ଦ୍ରମୋହନ ଏ ଆନ୍ଦୋଳନ ସହିତ ସାକ୍ଷାତ୍‍ ଭାବରେ ସଂଶ୍ଳିଷ୍ଟ ନ ଥିଲେ ମଧ୍ୟ ପଶ୍ଚାତରେ ଥାଇ ପୁନରାବର୍ତ୍ତୀ ବିଜୁଳି ଦଳକୁ ଯଥେଷ୍ଟ ପ୍ରେରଣା ଦାନ କରିଥିଲେ ଏବଂ ତାଙ୍କର ପ୍ରବର୍ତ୍ତନାରେ ଅନେକେ ନିଜ ନିଜ ଲେଖନୀକୁ କିୟତ୍ ପରିମାଣରେ ହେଲେ ସଂଯତ କରିବାକୁ ବାଧ୍ୟ ହୋଇଥିଲେ ।

 

ଯେଉଁ ୭ଜଣଙ୍କୁ ଘେନି ‘ଉତ୍କଳ ସାହିତ୍ୟ’ ପତ୍ରିକାର ସୂତ୍ରପାତ ହୋଇଥିଲା, ତନ୍ମଧ୍ୟରୁ ଚନ୍ଦ୍ରମୋହନ ଥିଲେ ଅନ୍ୟତମ । ଅଳ୍ପକାଳ ମଧ୍ୟରେ କର୍ମସୂତ୍ରରେ ବା ଅନ୍ୟକୌଣସି କାରଣରୁ ସମସ୍ତେ କ୍ରମେ କ୍ରମେ ଅନ୍ତର ହୋଇଗଲେ । ଶେଷକୁ ସବୁ ଜଞ୍ଜାଳ ସହିବାର-ବୋଝ ବୋହିବାର ଭାର ଏହି ଦୁର୍ବଳ ମସ୍ତକରେ ଆସି ପଡ଼ିଲା । କିନ୍ତୁ ଚନ୍ଦ୍ରମୋହନ ଚିରଦିନ ପତ୍ରିକା ପ୍ରତି ସ୍ନେହ ଦୃଷ୍ଟି ସ୍ଥିର ରଖିଥିଲେ ।

 

ଚନ୍ଦ୍ରମୋହନ ସ୍ୱଭାବତଃ ଗମ୍ଭୀର ପ୍ରକୃତିର । କିନ୍ତୁ ତାଙ୍କ ହୃଦୟ ଯେପରି ପୂର୍ଣ୍ଣରସର ଆଧାର ଥିଲା, ତାଙ୍କର ଅନ୍ତରଙ୍ଗ ବନ୍ଧୁମାନେ ତାହା ଉତ୍ତମରୂପେ ଅନୁଭବ କରିପାରୁଥିଲେ । ସାମୟିକ ଆଳାପ, ଆଲୋଚନାରେ ସେହି ରସଧାରା ସେ ଅକାତରରେ ଢାଳି ଦେଉଥିଲେ ।

 

ସର୍ବୋପରି ତାଙ୍କର ପ୍ରବଳ ବ୍ୟକ୍ତିତ୍ୱଟି ଆଜି ଆମ୍ଭମାନଙ୍କ ଚକ୍ଷୁରେ ଅଧିକ ପ୍ରତିଭାତ ହୋଇ ଉଠୁଅଛି । ଅଧ୍ୟୟନଠାରୁ ଆରମ୍ଭ କରି ଅଧ୍ୟାପନା, ପରିଦର୍ଶନ, ରଚନା ପଦ୍ଧତି, ଭାଷା ପ୍ରୟୋଗ ସର୍ବତ୍ର ସେ ନିଜର ବ୍ୟକ୍ତିତ୍ୱଟି ଅକ୍ଷୂର୍ଣ୍ଣ ରଖି ଜୀବନପଥରେ ଚାଲିଥିଲେ ।

ସେଥିପାଇଁ ତାଙ୍କୁ କେତେବେଳେ କାହରିଠାରେ ମୁଣ୍ଡ ନଇଁବାକୁ ହୋଇନାହିଁ । ଆଜିକାଲି ଶିକ୍ଷିତ ମହଲରେ ଏହି ବସ୍ତୁଟିର କି ଶୋଚନୀୟ ଅଭାବ ଘଟିଅଛି ।

ଜାତୀୟ ମମତା ଚନ୍ଦ୍ରମୋହନଙ୍କ ରକ୍ତମାଂସରେ ମିଶି ରହିଥିଲା, ମାତ୍ର ଯୁଗୋଚିତ ଅସ୍ଫାଳନ ବା ପ୍ରଦର୍ଶନ-ସ୍ପୃହା ସେ ସୀମା ସ୍ପର୍ଶ କରିନଥିଲା । ତହିଁ ଉପରେ ପୁଣି ସେ ଥିଲେ ଜଣେ ନିରୀହ ଶିକ୍ଷକ ଓ ଦୀନ ସାହିତ୍ୟିକ । ସୁତରାଂ ଜାତିର ଶ୍ରଦ୍ଧାଞ୍ଜଳିଟି ପାଇବା ତାଙ୍କ ପକ୍ଷରେ ଦୁର୍ଲଭ ସିନା ! ଆମ୍ଭେମାନ ବ୍ୟକ୍ତିଗତ ଭାବରେ- ବନ୍ଧୁ ଭାବରେ ତାଙ୍କର ପରଲୋକଗତ ଆତ୍ମା ଉଦ୍ଦେଶ୍ୟରେ ଅନ୍ତରର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁଁ ।

 

ସମ୍ପାଦକ

ଉତ୍କଳ ସାହିତ୍ୟ / ୩୩ ଭାଗ/ ୧ମ ସଂଖ୍ୟା

-୦-

 

ଚନ୍ଦ୍ରମୋହନ ମହାରଣାଙ୍କ ଜୀବନର କେତୋଟି ସ୍ମରଣୀୟ ଘଟଣା

ସଂଗ୍ରାହକ : ଅକ୍ଷୟ କୁମାର ବେଜ

 

୧୮୭୦

ଏପ୍ରିଲ ୬ ତାରିଖରେ କବିଙ୍କର ଜନ୍ମ ।

୧୮୮୫

ବାଲେଶ୍ୱର ଜିଲ୍ଲା ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍‍ ।

୧୮୮୬

ରେଭେନ୍ସା କଲେଜରୁ ଏଫ୍‌.ଏ. ପାସ୍‍ ।

୧୮୮୮

‘ନବୋଦ୍ୟମ’ ପୁସ୍ତକ ପ୍ରକାଶ ।

୧୮୮୯

ରେଭେନ୍ସା କଲେଜରୁ ବି.ଏ. ପାସ୍‍ ।

୧୮୯୦-

୧୮୯୧

କଟକ ତାଳଚେର ଯୁବରାଜଙ୍କ ପ୍ରାଇଭେଟ୍ ଗାଡ଼ିଆନ୍ ଟିଉଟର ।

୧୮୯୧

ବାଲେଶ୍ୱର ଜିଲ୍ଲା ସ୍କୁଲର ସହକାରୀ ତୃତୀୟ ଶିକ୍ଷକ ପଦରେ ଯୋଗଦାନ ।

୧୮୯୩, ୧୮୯୯, ୧୯୦୬-୧୯୦୭

ପର୍ଯ୍ୟନ୍ତ

କଟକ ନର୍ମାଲ ଟ୍ରେନିଂ ସ୍କୁଲର ସହକାରୀ ଶିକ୍ଷକଭାବେ କାର୍ଯ୍ୟରତ ।

୧୮୯୪

କଟକ ନର୍ମାଲ ଟ୍ରେନି ସ୍କୁଲ ‘ଆଲୋଚନା ସଭା’ର ପ୍ରଥମ ସମ୍ପାଦକ ।

୧୯୦୦

କିଛିଦିନ ପାଇଁ ରେଭେନ୍ସା କଲେଜିଏଟ୍ ସ୍କୁଲ ପ୍ରଧାନ ଶିକ୍ଷକ ହୋଇଥିଲେ ।

୧୯୦୧-

୧୯୦୨

ଡେପୁଟି ଇନ୍‌ସପେକ୍ଟର ଅଫ୍ ସ୍କୁଲ୍‌ସ, ପୁରୀ ।

୧୯୦୩

ଡେପୁଟି ଇନ୍‌ସପେକ୍ଟର ଅଫ୍ ସ୍କୁଲ, ବାଲେଶ୍ୱର ।

୧୯୦୪-

୧୯୦୬

ପୁରୀ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ।

୧୯୦୭-

୧୯୧୯

କଟକ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ ।

୧୯୧୦

କବିଙ୍କ ରଚିତ ‘କଥାବଳି’ (୧ମ/୨ୟ ଖଣ୍ଡ) ‘ରଚନା ଶିକ୍ଷା’, ‘ଓଡ଼ିଆ ବ୍ୟାକରଣ’ (୧ମ /୨ୟ ଖଣ୍ଡ) ପ୍ରକାଶ

୧୯୧୨

ଘରପୋଡ଼ି ଏବଂ କବିଙ୍କ ସ୍ୱହସ୍ତ ଲିଖିତ ୪୦ଟି ପାଣ୍ଡୁଲିପିର ଅଗ୍ନି ସଂଯୋଗ ।

୧୯୧୫

କବିପତ୍ନୀ ରାହାସମଣିଙ୍କ ବିୟୋଗ ।

୧୯୧୯

ଅଳ୍ପଦିନ ପାଇଁ (ଦ୍ୱିତୀୟ ଥର) ପୁରୀ ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ ରୂପେ ଯୋଗଦାନ ।

୧୯୧୯–୧୯୨୪

ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକ ଏବଂ କର୍ମମୟ ଜୀବନରୁ ଅବସର ଗ୍ରହଣ ।

୧୯୨୬

ଅକ୍ଟୋବର ୫ ତାରିଖ ‘ଉତ୍କଳ ସାହିତ୍ୟ ସମାଜ’ର ଏକବିଂଶତି ବାର୍ଷିକୀ ଅଧିବେଶନରେ ପ୍ରଦତ୍ତ ସଭାପତି ଭାଷଣ ।

୧୯୨୯

ଏପ୍ରିଲ ୯ ତାରିଖରେ କବିଙ୍କର ମୃତ୍ୟୁ ।

 

ଫକୀରମୋହନ

ଶ୍ର ଚନ୍ଦ୍ରମୋହନ ମହାରଣା, ବି.ଏ.

 

ଉତ୍କଳ ସାହିତ୍ୟସେବୀ ତଥା ଓଡ଼ିଶାର ଜନସାଧାରଣ ଜାଣୁଛନ୍ତି ଯେ, ଫକୀରମୋହନ ଆଉ ଇହଜଗତରେ ନାହାନ୍ତି, ମର୍ତ୍ତ୍ୟଲୀଳା ସାଙ୍ଗ କରି ଲୋକାନ୍ତରଗାମୀ ହୋଇଅଛନ୍ତି ।

 

ଫକୀରମୋହନଙ୍କ ସହିତ ଓଡ଼ିଆ ସାହିତ୍ୟ ପାଠକଙ୍କର ଯେ ଗୋଟିଏ ସମ୍ବନ୍ଧ ଥିଲା, ଏହା ସମସ୍ତେ ଜାଣନ୍ତି । ଅକିଞ୍ଚନ ଲେଖକଙ୍କର ତାଙ୍କ ସହିତ ଏକାଧିକ ସମ୍ପର୍କ ଥିଲା । ଫକୀରମୋହନଙ୍କ ଜନ୍ମ ଉତ୍କଳର ଯେଉଁ ଖଣ୍ଡରେ, ଲେଖକର ଜନ୍ମ ମଧ୍ୟ ସେହି ଖଣ୍ଡରେ, ଏହା ଗୋଟିଏ ସମ୍ପର୍କ ଓ ଦୈବ ସମ୍ପର୍କ । ଫକୀରମୋହନ ସର୍ବଦା, ଅନ୍ତତଃ ଜୀବନର ଶେଷଭାଗରେ ଯେଉଁ ଚର୍ଚ୍ଚା କରୁଥିଲେ, ଏହି ଅକିଞ୍ଚନ କିୟତ୍ ପରିମାଣରେ ସେହି ଚର୍ଚ୍ଚା କରିଅଛି । ଆମ୍ଭେମାନେ ବାଲ୍ୟକାଳରେ ତତ୍‌ପ୍ରାଣୀତ ଭାରତ ବର୍ଷର ଇତିହାସ ବିଦ୍ୟାଳୟରେ ପଢ଼ିଥିଲୁଁ । ଏ ତିନୋଟି ସମ୍ପର୍କ ଅନନ୍ୟ ସାଧାରଣ ନୁହେଁ ।

 

ମାତ୍ର ଆଉ ଗୋଟିଏ ସମ୍ବନ୍ଧ ଅଛି, ଯାହାକୁ ମୁଁ ଅନନ୍ୟ ସାଧାରଣ କହିଲେ ତାହା ଅତଥ୍ୟ ହେବନାହିଁ । ମୁଁ ବାଲ୍ୟକାଳରେ ଯେଉଁ ବିଦ୍ୟାଳୟରେ ପଢ଼ିଥିଲି, ତାହା ଆଜିକାଲି ବିଦ୍ୟମାନ । ତାହାର ବୟଃକ୍ରମ ପ୍ରାୟ ପଚାଶ ବର୍ଷ ହେଲା । ଦିନେ ରାଧାନାଥ, ବୈକୁଣ୍ଠନାଥ ଓ ଫକୀରମୋହନ ଯାଇ ରେମୁଣା ମଧ୍ୟୋତ୍କଳ ବିଦ୍ୟାଳୟଟି ସ୍ଥାପନ କରିଥିଲେ । ବିଦ୍ୟାଳୟଟି ଅଦ୍ୟାପି ବିଦ୍ୟମାନ । ଏଥିରେ ଶିକ୍ଷାଲାଭ କରି କେତେଗୁଡ଼ିଏ ଲୋକ ଓଡ଼ିଶାରେ, କେତେଗୁଡ଼ିଏ ବ୍ରହ୍ମଦେଶରେ, କେହି ବା ମଧ୍ୟପ୍ରଦେଶରେ ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଅଛନ୍ତି । ସେହି ବିଦ୍ୟାଳୟର ତିନି ପ୍ରତିଷ୍ଠାପକଙ୍କ ମଧ୍ୟରେ ଫକୀରମୋହନ ଜଣେ । ରାଧାନାଥ ପ୍ରଥମେ ସ୍ୱର୍ଗ ପ୍ରୟାଣ କଲେ । ତଦନନ୍ତର ବୈକୁଣ୍ଠନାଥ ଇହଲୋକ ପରିତ୍ୟାଗ କଲେ । ଅବଶିଷ୍ଟ ଥିଲେ ଫକୀରମୋହନ । ସେ ମଧ୍ୟ ଯାଇ ରାଧାନାଥଙ୍କ ପାର୍ଶ୍ୱରେ ଆସନ ଗ୍ରହଣ କଲେଣି ।

 

ଯେଉଁ ସମୟରେ ଏହି ତିନୋଟି ଯୁବା ଯାଇ ରେମୁଣା ବିଦ୍ୟାଳୟ ସ୍ଥାପନ କଲେ, ସେ ସମୟ ଓ ଏ ସମୟରେ ନାନା ବିଷୟରେ ପ୍ରଭେଦ ଲକ୍ଷିତ ହୁଏ । ତେତେବେଳେ ଏହି ତିନିଜଣଙ୍କର ଜୀବନରେ ଆଦ୍ୟ ଯୌବନର ଉତ୍ସାହର ପୂର୍ଣ୍ଣିମା ଜୁଆର । ସେହି ଉତ୍ସାହ ନାନା ଉଦ୍ୟମର ଜନକ । ସେହି ଉତ୍ସାହ ପ୍ରଥମୋକ୍ତ ଓ ଶେଷୋକ୍ତ ବ୍ୟକ୍ତିଦ୍ୱୟଙ୍କୁ ତ୍ରିଦିଗ ପଥର ପଥିକ କରି ପରିଶେଷରେ ଅମରତ୍ୱ ପ୍ରଦାନ କଲା ।

 

ସେ ଦିନ ଆଉ ଓଡ଼ିଶାରେ ନାହିଁ । ଥିଲେ ଓଡ଼ିଶା ଭିନ୍ନ ଆକାର ଧାରଣ କରିଥାନ୍ତା । ତେତେବେଳେ କୌଣସି ଓଡ଼ିଆ ବ୍ୟବସ୍ଥାପକ ସଭାରେ ବଡ଼ଲାଟ୍‍ ବା ସାନଲାଟ୍‍ଙ୍କର ସଦସ୍ୟ ହୋଇନଥିଲେ; କୌଣସି ଓଡ଼ିଆ ଜାପାନ ବା ଇଉରୋପ ଯାଇନଥିଲେ । ମାତ୍ର ତେତେବେଳେ ମୁଷ୍ଟିମେୟ ଓଡ଼ିଆ ଯୁବକଙ୍କ ମନରେ ଉତ୍ସାହର ଯେଉଁ ପୂର୍ଣ୍ଣିମାର ଜୁଆର ଲକ୍ଷିତ ହେଉଥିଲା, ତାହା ଆଉ ଆଜି ଦେଖାଯାଉନାହିଁ । ଉତ୍ସାହ ଆଧୁନିକ ଓଡ଼ିଆ ଯୁବକର ମନରେ ଥିଲେ, ଓଡ଼ିଶାର ବର୍ତ୍ତମାନ ‌ଅବସ୍ଥା ଆଉ ଏକ ପ୍ରକାର ହୋଇଥାନ୍ତା । ଆଉ ଗୋଟିଏ ଶୋଚନୀୟ ପ୍ରଭେଦ ସେ ଓଡ଼ିଶା ଏ ଓଡ଼ିଶାକୁ କୋରି ପକାଇ ଅଛି । ତେତେବେଳେ ଏ କୀଟ ଓଡ଼ିଶାରେ ପ୍ରବେଶ କରିନଥିଲା । ତେତେବେଳେ ମୁଷ୍ଟିମେୟ ଓଡ଼ିଆ ଯୁବକ ଏକ ମନରେ ପୂର୍ଣ୍ଣ ଉତ୍ସାହରେ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରିଥିଲେ । ଫକୀରମୋହନଙ୍କର ଜୀବନର ଶେଷାଂଶରେ ମଧ୍ୟ ଉତ୍ସାହର ଅଭାବ ଦୃଷ୍ଟିଗୋଚର ହୋଇନାହିଁ ।

 

ଫକୀରମୋହନ କୌଣସି କଲେଜରେ ପଢ଼ି ନ ଥିଲେ, କାରଣ ସେତେବେଳେ ଏ ଦେଶରେ କଲେଜ ନ ଥିଲା । କୌଣସି ସ୍କୁଲରେ ପଢ଼ିଥିଲେ କି ନାହିଁ, ତାଙ୍କର ଆତ୍ମଜୀବନୀ ଦେଖିଲେ ଜଣାଯିବ । ଶୁଣିଅଛି, ସେ ବାଲେଶ୍ୱର ମିସନ ସ୍କୁଲର ପ୍ରଧାନ ଶିକ୍ଷକ ବା ହେଡ଼୍‍ପଣ୍ଡିତ ଥିଲେ । ତେତେବେଳେ ସେ ସ୍କୁଲଟି ମଧ୍ୟୋତ୍କଳ ବିଦ୍ୟାଳୟ । ତେତେବେଳେ ମଧ୍ୟ ଇଂରାଜୀ ବିଦ୍ୟାଳୟ ସବ୍‌ଡିଭିଜନର ସଦର ସ୍ଥାନ ଭିନ୍ନ ଅନ୍ୟତ୍ର ନ ଥିଲା ।

 

ଏହା ଉତ୍ତାରୁ ଫକୀରମୋହନଙ୍କ ଜୀବନରେ ଆଉ ଗୋଟିଏ ପରିଚ୍ଛେଦର ଆରମ୍ଭ ହେଲା । ସ୍ଥାନୀୟ ରାଜାମାନଙ୍କ ରାଜ୍ୟରେ ତାଙ୍କର ଦେବାନି ପଦ ଗ୍ରହଣର ଆରମ୍ଭ ହେଲା । ଢେଙ୍କାନାଳ, କେଉଁଝର, ଦଶପଲ୍ଲା, ଡୋମପଡ଼ା ପ୍ରଭୃତି ରାଜ୍ୟରେ ଦେବାନି କାର୍ଯ୍ୟରେ ତାଙ୍କର ବହୁ ସମୟ ଅତିବାହିତ ହୋଇଯାଇଅଛି । ୧୮୮୩ ମସିହାରେ ମୁଁ ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ୁଥିଲି । ତେତେବେଳେ ତାଙ୍କର ଗୋଟିଏ ରାଜ୍ୟର ଦେବାନି ଶେଷ ହୋଇଥାଏ, ଅନ୍ୟ କୌଣସି ରାଜ୍ୟରେ ଦେବାନି ମିଳି ନ ଥାଏ । ଦିନେ ପ୍ରାତଃକାଳରେ ବାଲେଶ୍ୱର ସହରରେ ଭ୍ରମଣ କରିବାକୁ ବାହାରିଥିଲେ । ସହର ମଧ୍ୟରେ ଭ୍ରମଣ କରୁଁ କରୁଁ ସୁନହଟ କରଣ ସାହିରେ ପହଞ୍ଚିଲେ । ଅନେକ ଦିନ ପରେ ସୁହୃଦ୍‍ବର୍ଗଙ୍କ ସହିତ ସାକ୍ଷାତ୍‍ ହେଲା । ଯଥାବିଧି ସ୍ୱାଗତ ସମ୍ଭାଷଣ ପରେ ଜଣେ ସୁହୃତ୍ ତାଙ୍କୁ ପ୍ରଶ୍ନ କଲେ, “ଆଜିକାଲି କଅଣ କରୁଅଛନ୍ତି ?” (ଅଭିପ୍ରାୟ-କି ଚାକିରି କରୁଅଛନ୍ତି ?) ଫକୀରମୋହନ କହିଲେ– “ଆଜିକାଲି କୌଣସିଠାରେ କାର୍ଯ୍ୟ ମିଳିନାହିଁ । ମାତ୍ର ସେଥିପାଇଁ ମୁଁ ଉଦ୍‌ବିଗ୍ନ ନୁହେଁ । ଏ ବି ଗୁଜର୍ ଜାଏଗା ।” ତାଙ୍କ ଜୀବନରେ “ଏ ବି ଗୁଜର୍ ଜାଏଗା” ଅନେକ ଥର ଲକ୍ଷିତ ହୋଇଅଛି ଏବଂ ଯେ ତାଙ୍କର ଜୀବନର ସମ୍ୟକ ଆଲୋଚନା କରିବେ, ସେ ସେଥିରୁ ଏହି ଅମୂଲ୍ୟ ଶିକ୍ଷା ଲାଭ କରିବେ । ହତାଶ ବା ଗମ୍‌ ଖୋର ହେବା ତାଙ୍କର ସ୍ୱଭାବ ବିରୋଧୀ ଭାବ । ସମ୍ପଦ ବିପଦରେ ଅଧୀର ନ ହେବା ତାଙ୍କର ସ୍ୱଭାବର ବିଶେଷତ୍ୱ ।

 

କଟକ ନଗରରେ ତାଙ୍କର ଗୋଟିଏ ପକ୍କା ଘର ଅଛି । ସେହି ଘରର ଆଦ୍ୟ ଅବସ୍ଥାରେ ଫକୀରମୋହନ କଟକରେ ଅବସ୍ଥାନ କରୁଥିଲେ । ସଦର ଦ୍ୱାର ନିକଟରେ କାନ୍ଥରେ ଗୋଟିଏ ସୁପର୍ଣ୍ଣ ଲତା ସେ ମଡ଼ାଇଥିଲେ । ମୁଁ ତେତେବେଳେ ପୁରୀରେ । ରାଜକାର୍ଯ୍ୟୋପଲକ୍ଷରେ କଟକକୁ ଆସିଲି । ତାଙ୍କ ସହିତ ସାକ୍ଷାତ୍‍ କରିବାକୁ ଗଲି । ତାଙ୍କର ପୁତ୍ର ମୋହିନୀମୋହନ ଓ କନ୍ୟା ସରୋଜିନୀର ବୟସ ସେତେବେଳେ ଅଳ୍ପ । ଫକୀରମୋହନଙ୍କ ସହିତ କଥୋପକଥନ ହେଉଅଛି, ଏହି ସମୟରେ ଲତାଟିକୁ ଦେଖି ମୁଁ କହିଲି, “ଆପଣ ଏ ଲତାଟି କାହିଁକି କାନ୍ଥରେ ମଡ଼ାଇଲେ ? ପାନ ଗଛଟିଏ ମଡ଼ାଇଥିଲେ ଭଲ ହୋଇଥାନ୍ତା ।” ଫକୀରମୋହନ ହସି ହସି କହିଲେ, “ଠିକ କହିଅଛ ।” ପାଠକମାନଙ୍କ ମଧ୍ୟରୁ ଅନେକେ ଜାଣିଥିବେ, ଫକୀରମୋହନ ବହୁତ ପାନ ଖାଉଥିଲେ ।

 

ଭାରତ ବର୍ଷର ଇତିହାସ ଓ ଉତ୍କଳ ଭ୍ରମଣ ପହିଲା ଗସ୍ତ ଏ ଦିଓଟି ମଧ୍ୟରେ ଓଡ଼ିଆ ପାଠକ ସାଧାରଣ ଫକୀରମୋହନଙ୍କର ସାକ୍ଷାତ୍ ପ୍ରାୟ ପାଇ ନାହାନ୍ତି । ଏହି ପହିଲା ଗସ୍ତଠାରୁ ସାହିତ୍ୟ ରାଜ୍ୟରେ ତାଙ୍କର ଯେଉଁ ଗସ୍ତ ଆରବ୍‌ଧ ହେଲା, ଅନ୍ତିମ କାଳ ପର୍ଯ୍ୟନ୍ତ ତାହାର ବିରାମ ହୋଇନାହିଁ । ଖଣ୍ଡ କବିତା, କାବ୍ୟ, ଉପନ୍ୟାସ, ପୁରାଣ ଏ ସବୁରେ ତାଙ୍କର ଲେଖନୀ ଅହରହ ଗସ୍ତ କରି ବୁଲୁଥିଲା । ତାଙ୍କର ଉପନ୍ୟାସ ଲେଖା ଆରମ୍ଭ ଉତ୍ତାରେ ମୁଁ ଦିନେ ତାଙ୍କୁ କହିଲି, “ଓଡ଼ିଆ ଭାଷାରୁ କେତେଗୁଡ଼ିଏ ଶବ୍ଦ ଲୁପ୍ତ ହୋଇଯାଉଅଛି । ଆପଣଙ୍କର ଉପନ୍ୟାସ ମଧ୍ୟରେ ସେଗୁଡ଼ିକୁ ସ୍ଥାନ ଦେଇ ବଞ୍ଚାଇ ରଖନ୍ତୁ । ଭାବି ବାଲେଶ୍ୱରବାସୀ ମଧ୍ୟ ଗୋଧି, କାଚାର ପ୍ରଭୃତି ଶବ୍ଦର ଅସ୍ତିତ୍ୱରେ ‌ଅନଭିଜ୍ଞ ହେବେ ।” ମୋର ଉକ୍ତିର ଯଥାର୍ଥ ସେ ସ୍ୱୀକାର କଲେ । ମାତ୍ର ଶବ୍ଦଗୁଡ଼ିକ ତାଙ୍କର କୌଣସି ଲେଖାରେ ସ୍ଥାନ ପାଇଅଛି ବୋଲି ଜଣାନାହିଁ । ତାଙ୍କର ବୀଚରଗଞ୍ଜ ପ୍ରବନ୍ଧ ଯେଉଁ ବାଲେଶ୍ୱରବାସୀ ବା ଉତ୍କଳବାସୀ ପଢ଼ିନାହିଁ, ସେ ବୀଚରଗଞ୍ଜର ଅର୍ଥ ବୁଝିପାରିବ ନାହିଁ, ଏବଂ ଜଗନ୍ନାଥ ସଡ଼କର ସର୍ବାବସ୍ଥା ଓ ପୂର୍ବକାଳର ଯାତ୍ରୀମାନଙ୍କର କଷ୍ଟ ହୃଦୟଙ୍ଗମ କରିପାରିବ ନାହିଁ ।

 

ଫକୀରମୋହନଙ୍କର ହୃଦୟ ରସଗୋଲା ପରି ଥିଲା । ତନ୍ମଧ୍ୟରୁ ସ୍ନେହ ଓ ଦୟା ଏହି ଦୁଇ ସୁରସ ପ୍ରଚୁର ପରିମାଣରେ ଥିଲା । କ୍ରୋଧ ତାଙ୍କ ମନରେ ସ୍ଥାନ ପାଉଥିଲା କି ନାହିଁ, ମୋତେ ଜଣାନାହିଁ । ଏହା ତାଙ୍କ ମନକୁ ଅଭିଭୂତ କରିବାକୁ ଅକ୍ଷମ ଥିଲା । ଆଶ୍ରିତ ବାତ୍ସଲ୍ୟ ତାଙ୍କ ଜୀବନର ଗୋଟିଏ ପ୍ରଧାନ ଲକ୍ଷଣ ଥିଲା ।

 

ତାଙ୍କର ଜୀବନର ଗୋଟିଏ ଗୋଟିଏ ବିଶେଷ ଘଟନାରୁ ଗୋଟିଏ ଗୋଟିଏ ଅମୂଲ୍ୟ ଶିକ୍ଷା ମିଳେ । ସେଗୁଡ଼ିକ ସମସ୍ତ ଲିପିବଦ୍ଧ କରିବାର ସମୟ ଓ ସ୍ଥାନ ବର୍ତ୍ତମାନ ନାହିଁ । ସୁବିଧା ହେଲେ ସମୟାନ୍ତରରେ ଏ ବିଷୟରେ ପୁନରାଲୋଚନା କରାଯାଇ ପାରିବ ।

 

ଉତ୍କଳ ସାହିତ୍ୟ/ ୨୨ଭାଗ/ ୪ର୍ଥ ସଂଖ୍ୟା

-୦-

 

ପତ୍ରାବଳୀ

କବି ଚନ୍ଦ୍ରମୋହନ ମହାରଣାଙ୍କ ପତ୍ରାବଳୀ

‘ନିଭୃତ-ନିଳୟ’ ଉଦ୍ଦେଶ୍ୟରେ ତାଙ୍କର ଲିଖିତ ପତ୍ର–

 

ମୁଁ ଓଡ଼ିଶାର କୂପମଣ୍ଡୁକ ବିଶେଷ । ଏ ଦେଶର କୌଣସି ପଦାର୍ଥ ସହିତ ଅନ୍ୟପ୍ରଦେଶର ସମଶ୍ରେଣୀ ପଦାର୍ଥ ତୁଳନା କରିବାର ଅଧିକାର ମୋହ ନାହିଁ । ଏହି ପ୍ରଦେଶ ମଧ୍ୟରେ ଧବଳେଶ୍ୱରର ଶୋଭା ଅତୁଳନୀୟ । ଏହି ନିସର୍ଗ ଶୋଭା ମଧ୍ୟରେ ‘ନିଭୃତ ନିଳୟ’ ସୁନ୍ଦର ପ୍ରଶସ୍ତ ଲଲାଟରେ ଚନ୍ଦନ ବିନ୍ଦୁ ପରି । କବି ବ୍ୟତୀତ ଅପର ବ୍ୟକ୍ତି ପକ୍ଷରେ ଏହି ମାଧୁରୀମା ସମ୍ୟକ ଅନୁଭବ ବା ବର୍ଣ୍ଣନ ସମ୍ଭବପର ନୁହେଁ । ମାତ୍ର ହୃଦୟ ମଧ୍ୟରେ କବିତାର ବୀଜ ନିହିତ ଥିଲେ, ତାହା ଏଠାରେ ଅଙ୍କୁରିତ ହେବ ଓ ବିଶିଷ୍ଟ ଭାବବିହୀନ ଲୋକର ମନରେ ପ୍ରସାଦ ଓ ଶାନ୍ତି ଜନ୍ମିବ । ତ୍ରିତାପ ତପ୍ତ ବ୍ୟକ୍ତିର ଏଠାରେ ଆରାମ ଅବଶ୍ୟମ୍ଭାବୀ ।

 

ଭୂତ ଓ ବର୍ତ୍ତମାନ ଧବଳେଶ୍ୱର ମଧ୍ୟରେ ମହତ୍ ପ୍ରଭେଦ ଜନ୍ମିଅଛି । ପୂର୍ବେ ଅହୋରାତ୍ର ଅତିବାହିତ କରି ଏଠାରେ ପ୍ରକୃତିର ପଟପରିବର୍ତ୍ତନ ନିରୀକ୍ଷଣ କରିବାର ସମ୍ଭାବନା ନ ଥିଲା । ‘ନିଭୃତ-ନିଳୟ’ ଏହି ଅଭାବ ପୂରଣ କରି ଆଗନ୍ତୁକମାନଙ୍କୁ ଋଣୀ କରିଅଛି-। ଯୁଗେ ଯୁଗେ ଏହି ନିଳୟ ବିରାଜୁଥାଉ ଏବଂ ଶ୍ରଦ୍ଧାସ୍ପଦ ଏହାର ଅଧିବାସୀଙ୍କର ଏହି ସୁରୁଚି ଉତ୍ତରୋତ୍ତର ବର୍ଦ୍ଧିତ ହେଉ-

 

ଶ୍ରୀ ଚନ୍ଦ୍ରମୋହନ ମହାରଣା

ତା୨୭-୭-୧୯୦୩

-୦-

 

ସ୍ୱାମୀ ଦୟାଲଚାନ୍ଦ ମୁଖାର୍ଜିଙ୍କଠାରୁ ପାଇଥିବା ପତ୍ର

 

Kamrup Matha

Banaras

3.11. 1902

 

My Dear Chandra Mohan Babu;

 

How are you and your wife and children ? I have written you 3 letters but all failed to bring back a reply. Mahaprasad parcel received at Darjeeling. How Sudarsan Babu’s case ended ? Hope this will find all of you in cheer. Wish all of you well.

 

Yours good wisher

Dayal Chand

 

To

Babu

Chandra Mohan Maharana

Dy. Inspector of Schools,

Puri.

-୦-

 

ଚନ୍ଦ୍ରମୋହନ ମହାରଣାଙ୍କ ରାଜା ବୈକୁଣ୍ଠନାଥ ଦେଙ୍କ ପାଖକୁ ଲିଖିତ ପତ୍ର

 

From

Babu Chandra Mohan Maharana, B.A

Deputy Inspector of Schools, Balasore.

 

To

Raja Baikunthanath De Bahadur.

Dated Balasore the 14th December, 1903.

 

Sir,

I have the honor to inform you with pleasure that the Silver atardan of Cuttack filigree work, which you have offered as a Prize to the best girl student of the Barabati Model Girl’s School in memory of Lady Frazer’s first visit to this town, has been accepted by His Honor, and I am directed to convey thanks for your generosity. I request the favour of your returning the accompanying paper per bearer after your perusal.

 

I have & C

 

Sd. Chandra Mohan Maharana

Deputy Inspector of Schools,

Balasore

-୦-

 

ସଂକ୍ଷେପୋକ୍ତି

ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ସାଧକ, ଶିକ୍ଷକ, ସମାଲୋଚକ ଓ ସାହିତ୍ୟ ସ୍ରଷ୍ଟା ଚନ୍ଦ୍ରମୋହନ ମହାରଣାଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା ଆଜବୋଧି ହୋଇନଥିବା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ବିରାଟ ତ୍ରୁଟି । ଏହି ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି ‘ଚନ୍ଦ୍ରମୋହନ ପରିକ୍ରମା’ର ସଂକଳକ ଅଧ୍ୟାପକ ଅରବିନ୍ଦ ଗିରି । ସେ ଯଦିଓ ଚନ୍ଦ୍ରମୋହନଙ୍କ ଛାତ୍ର ହେବାର ସୌଭାଗ୍ୟରୁ ବଞ୍ଚିତ, ତଥାପି ମୋ ଦୃଷ୍ଟିରେ ସେ ତାଙ୍କର ଉପଯୁକ୍ତ ଛାତ୍ର ହେବାର ଗୌରବ ଅର୍ଜନ କରିଛନ୍ତି ।

 

ସୁଦୂର ଅତୀତରେ ଗୁରୁଶିଷ୍ୟର ସମ୍ପର୍କ ଯେପରି ମହୀୟାନ୍ ଥିଲା, ତାହାର ପ୍ରମାଣ ଅଦ୍ୟାବଧି ବେଦ ଉପନିଷେଦରେ ପ୍ରତିଫଳିତ । ଚନ୍ଦ୍ରମୋହନ ଥିଲେ ସେହି ମହାନ୍‍ ଗୁରୁଶିଷ୍ୟ ପରମ୍ପରାର ବାହକ । ବର୍ତ୍ତମାନ ଯୁଗରେ ଓଡ଼ିଆ ଭାଷା ପ୍ରତି ତାଙ୍କର ସର୍ବପ୍ରଥମ ଦୃଷ୍ଟି ଆକୃଷ୍ଟ ହୁଏ । ବିଶୁଦ୍ଧ ଓଡ଼ିଆ ଗଦ୍ୟ ପଦ୍ୟରେ ଯେଉଁ ସ୍ଥାନ ଅଧିକାର କରିଅଛି, ସେଥିଲାଗି ଚନ୍ଦ୍ରମୋହନଙ୍କର ଦାନ ଉଲ୍ଲେଖଯୋଗ୍ୟ ।

 

ସୁତରାଂ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଚନ୍ଦ୍ରମୋହନଙ୍କ ଭଳି ତୁଙ୍ଗ ପ୍ରତିଭା ପ୍ରତି କିଞ୍ଚିତ୍ ସମ୍ମାନ ପ୍ରଦର୍ଶନ କରି ଏକ ଅବହେଳିତ ଜାତୀୟ କର୍ତ୍ତବ୍ୟ ପୂରଣ କରିଛନ୍ତି ପୁସ୍ତକର ସଂକଳକ । ଏହାଛଡ଼ା ଆଧୁନିକ ଓଡ଼ିଆ ସାହିତ୍ୟର ବିଶିଷ୍ଟ ନିର୍ମାତାମାନଙ୍କ ଚନ୍ଦ୍ରମୋହନ-ପ୍ରତିଭା ସମ୍ପର୍କରେ ଆଲୋଚନା ସମୂହ ପରିକ୍ରମାର ଖୁବ୍ ଉପାଦେୟ ଅଙ୍ଗ ହୋଇଛି । ‘ଶୁଆ ମୂଲ ଶୁଆ’ କହିବା ନ୍ୟାୟରେ ଏହି ପରିକ୍ରମାର ସାଫଲ୍ୟ ସମ୍ପର୍କରେ ଅଧିକ ବିଶ୍ଳେଷଣ ନିଷ୍ପ୍ରୋୟଜନ । ଏହି ଅଭିନନ୍ଦନୀୟ ଉଦ୍ୟମ ଅବ୍ୟାହତ ରହୁ, ଏହାହିଁ ଏକାନ୍ତ କାମନା ।

-୦-

 

Unknown

ପରିଷଦ ସମ୍ପର୍କରେ ପଦେ କଥା

 

ଚନ୍ଦ୍ରମୋହନଙ୍କ ଜନ୍ମଭୂମି ରେମୁଣାରେ କୌଣସି ସାହିତ୍ୟ ପରିଷଦ ଗଠନ ହେବା ପୂର୍ବରୁ କେତେକ ସ୍ଥାନୀୟ ଉତ୍ସାହୀ ଯୁବକ ଅନିୟମିତ ଭାବରେ ଚନ୍ଦ୍ରମୋହନଙ୍କ ଜୟନ୍ତୀ ପାଳନ କରୁଥିଲେ ଏବଂ ପରିଷଦ ଗଠନ କରିବା ପାଇଁ ଏକାଧିକବାର ଚେଷ୍ଟା କରିଥିଲେ । କିନ୍ତୁ ନିଷ୍ଠା ଓ ସଂହତି ଅଭାବରୁ କୌଣସିଟି କାର୍ଯ୍ୟକାରୀ ହୋଇପାରି ନଥିଲା । ପରେ ରେମୁଣା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ତଥା ସ୍ଥାନୀୟ ଯୁବକମାନଙ୍କ ସହଯୋଗରେ ଏହା ଏକତ୍ର ପାଳନ କରାଗଲା । ୧୯୭୯ ମସିହା ଏପ୍ରିଲ ୬ ତାରିଖରେ ଉକ୍ତ ଜୟନ୍ତୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରସାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଶିକ୍ଷକ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ନେଇ ରେମୁଣା ହାଇସ୍କୁଲରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଚନ୍ଦ୍ରମୋହନ ସାହିତ୍ୟ ଉପରେ ଗବେଷଣାରତ ଅଧ୍ୟାପକ ଅରବିନ୍ଦ ଗିରି । ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଶ୍ରୀ ବଟବିହାରୀ ଦାସ । ଚନ୍ଦ୍ରମୋହନଙ୍କ ସାହିତ୍ୟ ଓ ଜୀବନୀ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ହୋଇଥିଲା । ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସ୍ଥାନୀୟ ସ୍କୁଲର ଶିକ୍ଷକ ଓ ବିଶିଷ୍ଟ ବ୍ୟକ୍ତିମାନେ ଉତ୍ସବରେ ଉପସ୍ଥିତ ଥିଲେ । ଚନ୍ଦ୍ରମୋହନଙ୍କ ଜୀବନୀ ଓ ସାହିତ୍ୟ ଉପରେ ଆଧାରିତ ଗବେଷକ ଗିରିଙ୍କର ସଂକ୍ଷିପ୍ତ ପ୍ରବନ୍ଧ ଦୈନିକ ‘ସମାଜ’, ‘ପ୍ରଜାତନ୍ତ୍ର’ ପତ୍ରିକାର ସାହିତ୍ୟ ବିଭାଗରେ ମହାରଣାଙ୍କ ଫଟୋ ସହ ପ୍ରକାଶ ପାଇଥିଲା ।

 

ତା ୧୬.୮.୧୯୮୦ ମସିହା ପ୍ରଥମ ଅଧିବେଶନରେ ‘ଚନ୍ଦ୍ରମୋହନ ସାହିତ୍ୟ ସମିତି’ ବିଧିବଦ୍ଧ ଭାବରେ ଗଠନ କରାଯିବାର ନିଷ୍ପତ୍ତି ନିଆଗଲା । ଏହି ଅସ୍ଥାୟୀ କାର୍ଯ୍ୟକାରୀ ସମିତିର ନିମ୍ନଲିଖିତ ବ୍ୟକ୍ତିମାନେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ । ଉକ୍ତ ସମିତି ଆନୁକୂଲ୍ୟରେ “ଚନ୍ଦ୍ରମୋହନ ପରିକ୍ରମା” ପ୍ରକାଶ ହେବାର ସବୁପ୍ରକାର ଚେଷ୍ଟା ଓ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

 

ସଭାପତି - ଶ୍ରୀଯୁକ୍ତ ରସାନନ୍ଦ ପଣ୍ଡା

ଉପସଭାପତି - ଶ୍ରୀ ଶରତଚନ୍ଦ୍ର ମହାରଣା

ସମ୍ପାଦକ/କୋଷାଧ୍ୟକ୍ଷ- ଶ୍ରୀ ବଟବିହାରୀ ଦାସ

ସହ ସମ୍ପାଦକ - ଶ୍ରୀ ରାମଚନ୍ଦ୍ର ପାକଳ

 

ଚନ୍ଦ୍ରମୋହନ ସମିତିଦ୍ୱାରା ତା୧୨-୨-୧୯୮୦ରେ କବି ଚନ୍ଦ୍ରମୋହନଙ୍କର ଶ୍ମଶାନ ତୀର୍ଥଭୂମିରେ ପଞ୍ଚବଟୀ (ଅଶୋକ, ଅଶ୍ୱତ୍ଥ, ଅଁଳା, ବଟ, ବିଲ୍ୱ) ବୃକ୍ଷ ରୋପଣ କରାଯାଇ ତାର ରକ୍ଷଣା ବେକ୍ଷଣ ଦାୟିତ୍ୱ କବିପୌତ୍ର ଶ୍ରୀ ଭୂଦେବ ମହାରଣାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ପରେ ତା୨୪-୯-୮୦ରେ ଦ୍ୱିତୀୟ ଅଧିବେଶନ ବସିଲା ଏବଂ ‘ଚନ୍ଦ୍ରମୋହନ ସାହିତ୍ୟ ପରିଷଦ’ ରଖାଯାଇ ପରିଷଦ ରେଜିଷ୍ଟ୍ରୀଭୁକ୍ତ କରିବାର ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହେଲା । ଏହି ଅସ୍ଥାୟୀ ସଭ୍ୟମାନେ ତା୩.୧.୮୧ ଅର୍ଥାତ୍ ୬ଷ୍ଠ ଅଧିବେଶନ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଗତ ତା୪.୧.୮୧ ନବବର୍ଷରେ ୭ମ ଅଧିବେଶନ ସ୍ଥାନୀୟ ରେମୁଣା ହାଇସ୍କୁଲରେ ଅନୁଷ୍ଠିତ ହୋଇଥିଲେ । ଏଥିରେ ସର୍ବମୋଟ ୨୦ଜଣ ବ୍ୟକ୍ତି ଉପସ୍ଥିତ ଥିଲେ । ସଭ୍ୟମାନଙ୍କ ସର୍ବସମ୍ମତି କ୍ରମେ ପରିଷଦର ନିମ୍ନଲଖିତ ନୂତନ କର୍ମକର୍ତ୍ତାମାନେ ନିର୍ବାଚିତ ହୋଇଥିଲେ ।

ସଭାପତି - ଶ୍ରୀଯୁକ୍ତ ହରିଶ୍‌ଚନ୍ଦ୍ର ବଡ଼ାଲ

ଉପସଭାପତି - ଶ୍ରୀ ରସାନନ୍ଦ ପଣ୍ଡା

ସମ୍ପାଦକ - ଶ୍ରୀ ବଟବିହାରୀ ଦାସ

ଯୁଗ୍ମ ସମ୍ପାଦକ - ଶ୍ରୀ ବାଞ୍ଛାନିଧି ଦାସ

ଯୁଗ୍ମ ସମ୍ପାଦକ - ଶ୍ରୀ ରାମଚନ୍ଦ୍ର ପାକଳ

କୋଷାଧ୍ୟକ୍ଷ - ଶ୍ରୀ ଅକ୍ଷୟ କୁମାର ବେଜ

 

‘ଚନ୍ଦ୍ରମୋହନ ସାହିତ୍ୟ ପରିଷଦ’ ଦୀର୍ଘାୟୁ ହୋଇ ତାର କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ କବିଭୂମି ଓ ଦେବଭୂମିର ତୀର୍ଥ ଗୌରବ ବର୍ଦ୍ଧନ କରୁ ଏହାହିଁ ଗୋପୀନାଥଙ୍କ ଠାରେ ମୋର ଅନ୍ତିମ କାମନା ।

 

ରସରାଜ ବଟବିହାରୀ ଦାସ

ସମ୍ପାଦକ

ଚନ୍ଦ୍ରମୋହନ ସାହିତ୍ୟ ପରିଷଦ, ରେମୁଣା, ବାଲେଶ୍ୱର

-୦-

 

ଗୁରୁ ଓ ଛାତ୍ର

ଚନ୍ଦ୍ରମୋହନ ଓ କୃପାସିନ୍ଧୁ ପ୍ରସଙ୍ଗ

ଅଧ୍ୟାପକ ଶ୍ରୀ ଚିନ୍ତାମଣି ଦାଶ

 

ନିଜେ ପଣ୍ଡିତ ନୀଳକଣ୍ଠ ଦାସ ଲେଖିଛନ୍ତି, “କୃପାସିନ୍ଧୁ ମୋର ପ୍ରତିବେଶୀ ଦଦେଇ ପୁଅ ଭାଇଙ୍କର ଭଣଜା । ଅତଏବ୍‍ ଆମେ ଦୁହେଁ ବସ୍ତୁତଃ ମାମୁଁ ଭଣଜା ଥିଲୁ । ସେ ଥିଲେ ଏକ ଭଉଣୀର ଜନ୍ମିତ ପୁଅ । X X X । ସେ ପୋଷ୍ୟପୁତ୍ର ହୋଇଥିଲେ ଆଉ ଗୋଟିଏ ଭଉଣୀର । X X X ଅତି ପିଲାଦିନରୁ କୃପାସିନ୍ଧୁ ମାମୁଁଙ୍କ ଘରେ ରହି ବିଦ୍ୟାଶିକ୍ଷା କରୁଥିଲେ । କାରଣ ତାଙ୍କର ପିତା ଧନୀ ନ ଥିଲେ । ତାଙ୍କ ଗ୍ରାମରେ ପଢ଼ିବାର ସେପରି କିଛି ସୁବିଧା ନ ଥିଲା । ପୁଣି ସେକାଳରେ ଅନେକ ସ୍ଥାନରେ ଭଣଜାମାନେ ପିଲାଦିନେ ମାମୁଁଘରେ ରହି ପ୍ରାୟ ମଣିଷ ହେଉଥିଲେ । ମୁଁ ପୁରୀ ଜିଲ୍ଲା ସ୍କୁଲରେ ଉଚ୍ଚ ଶ୍ରେଣୀରେ ପଢ଼ିଲାବେଳେ କୃପାସିନ୍ଧୁ ତଳ ଶ୍ରେଣୀରେ ପଡ଼ୁଥାନ୍ତି । ଦିନେ ହଠାତ୍ କୌଣସି ଦଣ୍ଡ ଦେବାପାଇଁ ଶିକ୍ଷକ ତାଙ୍କୁ ଦିନତମାମ ବେଞ୍ଚ ଉପରେ ଛିଡ଼ା କରିଦେଲେ । ତାଙ୍କ ଗୋଡ଼ ଫୁଲିଗଲା । ଘରେ ଆସି ସେ ପ୍ରଥମ ଥର ପାଇଁ ବାତଜ୍ୱରରେ ପଡ଼ିଲେ । ସେଇ ଦିନଠାରୁ ତାଙ୍କର ଗୋଦର ଗୋଡ଼ ହୋଇଗଲା । ଶେଷ ପର୍ଯ୍ୟନ୍ତ ତାହା ଥିଲା । ମନେଅଛି, ତତ୍‌କାଳୀନ ସୁଦକ୍ଷ ଓ ଶିକ୍ଷାପ୍ରେମୀ ହେଡ଼୍‍ମାଷ୍ଟର ସ୍ୱର୍ଗତ ଚନ୍ଦ୍ରମୋହନ ମହାରଣା କୃପାସିଂଧୁକୁ ଯେତେବେଳେ ଦେଖନ୍ତି, ସେତେବେଳେ ଟିକିଏ ତାଙ୍କ ଗୋଡ଼କୁ ଆଉଁଶି ଦିଅନ୍ତି ।”*

 

*“ସମାଜ”-ଫେବୃଆରୀ ୧୮, ୧୯୫୮, ‘ସ୍ୱର୍ଗତ କୃପାସିଂଧୁ ମିଶ୍ର’- ପଣ୍ଡିତ ନୀଳକଣ୍ଠ ଦାସ

 

ପଣ୍ଡିତ ନୀଳକଣ୍ଠ ଏଠାରେ କୃପାସିନ୍ଧୁଙ୍କ ଛାତ୍ରଜୀବନର ଯେଉଁ ଅପ୍ରୀତିକର ଓ ଦୁଃଖଦାୟକ ଘଟଣାଟି ଉଲ୍ଲେଖ କରିଅଛନ୍ତି, ତାହାହିଁ ପ୍ରଧାନ ଘଟଣା । ବାତଜ୍ୱର ଥିଲା କୃପାସିନ୍ଧୁଙ୍କର ଜୀବନର ପରମ ଶତ୍ରୁ । ଦୁଇଟିଯାକ ଗୋଡ଼ ଫୁଲିଥାଏ । ବହୁବାର ସେ ଭୟଙ୍କର ବାତଜ୍ୱରରେ ପଡ଼ି ଶଯ୍ୟାଗତ ହୁଅନ୍ତି । ଥରେ ବାତଜ୍ୱରରୁ ଉଠି କାର୍ଯକ୍ଷମ ଅବସ୍ଥାକୁ ଆସିଲାବେଳକୁ ତାଙ୍କୁ ଆଠ ଦଶ ଦିନ ଲାଗିଯାଏ । ପୁରୀ ଜିଲ୍ଲାସ୍କୁଲର ତତ୍‌କାଳୀନ ହେଡ଼୍‍ମାଷ୍ଟର ଚନ୍ଦ୍ରମୋହନ ମହାରଣାଙ୍କ ଯୋଗୁଁ ତାଙ୍କୁ ଜୀବନଯାକ ଏ ବାତଜ୍ୱର ଭୋଗ କରିବାକୁ ପଡ଼ିଥିଲା ବୋଲି ପଣ୍ଡିତ ନୀଳକଣ୍ଠ କହନ୍ତି । ତାଙ୍କର ସମସାମୟିକ ପୁରୀ ଜିଲ୍ଲା ସ୍କୁଲର କେତେକ ଛାତ୍ରମାନଙ୍କଠାରୁ ମଧ୍ୟ ସେହିକଥା ଶୁଣାଯାଏ । କିନ୍ତୁ ଚନ୍ଦ୍ରମୋହନ ବାବୁ କୃପାସିନ୍ଧୁଙ୍କୁ କାହିଁକି ଏ କଠୋର ଦଣ୍ଡ ଦେଇଥିଲେ, ସେ କାରଣଟି ସମ୍ବନ୍ଧରେ ନାନା ଲୋକ ନାନା ମତ ଦିଅନ୍ତି । “ପ୍ରସିଦ୍ଧ ଐତିହାସିକ ପଣ୍ଡିତ କୃପାସିନ୍ଧୁ” ଶୀର୍ଷକ ଦୀର୍ଘ, ଉପାଦେୟ ଓ ତଥ୍ୟବହୁଳ ପ୍ରବନ୍ଧରେ ଏହି ଦଣ୍ଡର କାରଣ ନିର୍ଦ୍ଦେଶ କରିବାକୁ ଯାଇ ପ୍ରବନ୍ଧର ଲେଖକ ଲେଖିଅଛନ୍ତି, “୯ମ ଶ୍ରେଣୀରେ ପଢ଼ିଲାବେଳେ ଦୁଇଭାଇ (କୃପାସିନ୍ଧୁ ଓ ହରିହର) କଟକ ଦେଖିବା ପାଇଁ ଇଚ୍ଛା କଲେ । ଏହି ସମୟରେ ପଣ୍ଡିତ ନୀଳକଣ୍ଠଙ୍କର ବିବାହ ଉତ୍ସବ ହେଉଥିଲା । ସେହି ଉପଲକ୍ଷେ ଦୁଇଭାଇ ଛୁଟିନେଇ ସ୍କୁଲରୁ ଗ୍ରାମକୁ ଆସିଲେ, ସେଠାରୁ କାହାକୁ ନ କହି କଟକ ଚାଲିଗଲେ । କଟକରୁ ଫେରିବାବେଳକୁ ଗୋଟିଏ ଦିନ ବିଳମ୍ବ ଘଟିଲା । ସେ ସମୟରେ ପୁରୀ ଜିଲ୍ଲା ସ୍କୁଲର ହେଡ଼୍‍ମାଷ୍ଟର ଥିଲେ ସ୍ୱର୍ଗତ ଚନ୍ଦ୍ରମୋହନ ମହାରଣା । ସେ ଏ ଦୁଇଭାଇଙ୍କୁ ଯଥେଷ୍ଟ ଆଦର କରୁଥିଲେ । ଏମାନଙ୍କୁ ଶାସନ କରିବା ଉଦ୍ଦେଶ୍ୟରେ ଦୁଇଭାଇଙ୍କୁ ବେଞ୍ଚ ଉପରେ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛିଡ଼ାହେବା ଲାଗି ନିର୍ଦ୍ଦେଶ ଦେଲେ । ବେଞ୍ଚରେ ଛିଡ଼ାହେବାରୁ ଦୁଇଦିନ ଭିତରେ କୃପାସିନ୍ଧୁଙ୍କର ଗୋଡ଼ ଫୁଲି ବାତଜ୍ୱର ଆରମ୍ଭ ହେଲା । ଅବଶ୍ୟ ଏହା ପୂର୍ବରୁ ତାଙ୍କୁ ସାମାନ୍ୟ ବାତଜ୍ୱର ହେଉଥିଲା । କୃପାସିନ୍ଧୁ ଏଥିରେ ଅସନ୍ତୁଷ୍ଟ ହୋଇ ୧୯୦୬ରେ ପୁରୀ ଜିଲ୍ଲା ସ୍କୁଲରୁ ନାମ କଟାଇ କଟକ ରେଭେନ୍ସା କଲେଜିଏଟ୍‍ ସ୍କୁଲକୁ ଚାଲିଗଲେ ।”*

 

*“ସମାଜ” -୧୭-୨-୫୮ “ପ୍ରସିଦ୍ଧ ଐତିହାସିକ ପଣ୍ଡିତ କୃପାସିନ୍ଧୁ” ଶ୍ରୀ ବିଶ୍ୱନାଥ ମହାପାତ୍ର ।

 

କିନ୍ତୁ ସୁଲେଖକ ଓ କବି ନବକିଶୋର ଦାସ ତାଙ୍କର ‘ଅମୃତ ସନ୍ତାନ’ ବହିର “ଐତିହାସିକ କୃପାସିନ୍ଧୁ” ପ୍ରବନ୍ଧରେ ଲେଖିଅଛନ୍ତି - ସାଙ୍ଗପିଲାଙ୍କ କଥାରେ ପଡ଼ି କୃପାସିନ୍ଧୁ ହେଡ଼୍‍ମାଷ୍ଟର ନ ଥିଲାବେଳେ ତାଙ୍କ ଅଫିସ ଭିତରକୁ ଯାଇ ଘଣ୍ଟାଟି ମୋଡ଼ିଦେଲେ । ସ୍କୁଲ କାର୍ଯ୍ୟରେ ତାହା ବିଭ୍ରାଟ ସୃଷ୍ଟି କଲା । ସ୍କୁଲ ଆରମ୍ଭ ହେବା ଘଣ୍ଟା ଠିକ୍ ସାଢ଼େ ଦଶଟାରେ ନ ବାଜି ଏଗାରଟାରେ ଦପ୍ତରି ବଜାଇଲା । ଅଧଘଣ୍ଟେ କାହିଁକି ଡେରି ହେଲା, ଏକଥା ଅନୁସନ୍ଧାନ କରୁକରୁ ଚନ୍ଦ୍ରମୋହନ ଜାଣିପାରିଲେ, କୃପାସିନ୍ଧୁ ହୋଇଛି ଏ ନାଟର ଗୋବର୍ଦ୍ଧନ । ତା’ ଛଡ଼ା ଅନ୍ୟ କେହି ଅଫିସ ଘଣ୍ଟା ମୋଡ଼ି ନାହିଁ । କୃପାସିନ୍ଧୁକୁ ଡାକି ପଚାରିଲେ, “ତୁ ଏ କାମ କିରଛୁ ନା ?” କୃପାସିନ୍ଧୁ ଯେଉଁ ଦୁଷ୍ଟ ପିଲାମାନଙ୍କର ପ୍ରରୋଚନାରେ ପଡ଼ି ଘଣ୍ଟା ମୋଡ଼ିଥିଲେ, ତାଙ୍କ ନାଁ ହେଡ଼୍‍ମାଷ୍ଟରଙ୍କର ଆଗରେ କହି ଦେଇଥିଲେ ଦଣ୍ଡରୁ ହୁଏତ ନିଷ୍କୃତି ଲାଭ କରିଥାନ୍ତେ କିମ୍ବା ଦଣ୍ଡ କୋହଳ କରାଯାଇଥାନ୍ତା । କିନ୍ତୁ କୃପାସିନ୍ଧୁ ଅନ୍ୟ କୌଣସି ସାଥି ପିଲାଙ୍କୁ ଏଥିରେ ଜଡ଼ିତ କରିବାକୁ ଇଚ୍ଛା ନ କରି ସ୍ପଷ୍ଟ ଭାବରେ କହିଲେ, “ମୁଁ କରିଛି ।” ଫଳରେ ତାଙ୍କୁ ଇ କେବଳ ଶାସ୍ତି ଭୋଗ କରିବାକୁ ପଡ଼ିଲା । କ୍ରମାଗତ ସାତଦିନ ଧରି ବେଞ୍ଚ ଉପରେ ଦୈନିକ ଛଅଘଣ୍ଟା ଠିଆହୋଇ ରହିବା ଫଳରେ କୃପାସିନ୍ଧୁଙ୍କୁ ବାତଜ୍ୱର ଆକ୍ରମଣ କଲା ।”* ଛୁଟିନେଇ ଗାଁକୁ ଯିବେ ବୋଲି କହି କଟକ ଚାଲିଗଲେ ବୋଲି ଚନ୍ଦ୍ରମୋହନ ବାବୁ କୃପାସିନ୍ଧୁଙ୍କୁ ବେଞ୍ଚ ଉପରେ ଛିଡ଼ା କରାଇଥିବା କଥାରେ ବିଶ୍ୱାସ ହୁଏ ନାହିଁ । ହାଇସ୍କୁଲର ଛାତ୍ର ବିଶେଷତଃ ତଳଶ୍ରେଣୀର ଛାତ୍ରମାନେ ସ୍କୁଲରୁ ଅନୁପସ୍ଥିତ ହେବା ପୂର୍ବରୁ ଆଗତୁରା ଛୁଟି ନିଅନ୍ତି, ଏପରି ବ୍ୟବସ୍ଥା ଏବେ ସୁଦ୍ଧା କୌଣସି ସ୍କୁଲରେ ନାହିଁ । ଯେଉଁଦିନ ଅନୁପସ୍ଥିତ ହୁଅନ୍ତି, ସେହି ଦିନ ଛୁଟି ଦରଖାସ୍ତ ଦିଅନ୍ତି କିମ୍ବା ଅନୁପସ୍ଥିତ ହେବାର ଦିନେ ବା ଦୁଇଦିନ ପରେ ଦରଖାସ୍ତ ଦିଅନ୍ତି । ଯଦିବା କୃପାସିନ୍ଧୁ ତାଙ୍କ ଭାଇକି ନେଇ ଗାଁକୁ ନ ଯାଇ କଟକ ଗଲେ, ତେବେ ସେକଥା ହେଡ଼୍‍ମାଷ୍ଟ୍ରେ ଏଡ଼େଶୀଘ୍ର ବା ଜାଣିପାରିଲେ କିପରି? ତେଣୁ ‘ଅମୃତ ସନ୍ତାନ’ର ଲେଖକ ଯାହା ଲେଖିଛନ୍ତି ଏବଂ ତାଙ୍କର ସହପାଠୀମାନଙ୍କଠାରୁ ଯାହା ଶୁଣାଯାଏ, ସେ ଅଫିସର ଘଣ୍ଟା କେତେକ ଫାଜିଲ ପିଲାଙ୍କ ପ୍ରରୋଚନାରେ ପଡ଼ି ମୋଡ଼ି ଦେଇଥିବାରୁ ତାଙ୍କୁ ବେଞ୍ଚ ଉପରେ ଛିଡ଼ାହେବାକୁ ପଡ଼ିଲା, ତାହାହିଁ ସତ୍ୟ । ସେଥିରେ ପୁଣି ଚନ୍ଦ୍ରମୋହନ ବାବୁ ଜଣେ ଉଚ୍ଚକୋଟୀର ଶିକ୍ଷାବିତ୍ । ଯଦି କୃପାସିନ୍ଧୁ ଗାଁକୁ ନ ଯାଇ ଓଡ଼ିଶାର ରାଜଧାନୀ କଟକ ଦେଖିବାକୁ ଯାଇଥାନ୍ତେ, ତେବେ ଛାତ୍ରର ସାହସ ଓ ଭ୍ରମଣ ପ୍ରବୃତ୍ତି ଦେଖି ସେ ବରଂ ସନ୍ତୁଷ୍ଟ ହୋଇଥାନ୍ତେ । ଅବଶ୍ୟ ମିଥ୍ୟା କହିଲେ ବୋଲି ମୃଦୁଶାସନ କରିଥାନ୍ତେ, ଏପରି ନିର୍ମମ ଶାସ୍ତିର ବ୍ୟବସ୍ଥା କରି ନ ଥାନ୍ତେ । ସେ ଯାହାହେଉ, ବେଞ୍ଚରେ ଦିନତମାମ ଛିଡ଼ହୋଇ ରହିବାରୁ ତାଙ୍କର ବାତଜ୍ୱରର ଉପକ୍ରମ ହେଲା । କିନ୍ତୁ ଚନ୍ଦ୍ରମୋହନ ବାବୁ ପରେ ଏଥିପାଇଁ ବିଶେଷ ଅନୁତପ୍ତ ହୋଇଥିଲେ । ଏ ବିଷୟ କିଏ ତାଙ୍କ ଆଗେ ଚର୍ଚ୍ଚାକଲେ ତାଙ୍କର ଆଖି ଲୁହରେ ଛଳଛଳ ହୋଇଯାଏ । ସେ କେବଳ ନିର୍ବାକ୍ ନିସ୍ପନ୍ଦ ହୋଇ ଶୂନ୍ୟଦୃଷ୍ଟିରେ ଏକ ଦିଗକୁ ଚାହିଁ ରହନ୍ତି । ପଣ୍ଡିତ ନୀଳକଣ୍ଠ ଲେଖିଛନ୍ତି, “ଚନ୍ଦ୍ରମୋହନ କୃପାସିନ୍ଧୁକୁ ଯେତେବେଳେ ଦେଖନ୍ତି, ସେତେବେଳେ ଟିକିଏ ତାଙ୍କ ଗୋଡ଼ ଆଉଁସି ଦିଅନ୍ତି ।” କୃପାସିନ୍ଧୁଙ୍କର ମୁଣ୍ଡ ଲାଜରେ ତଳକୁ ପୋତି ହୋଇପଡ଼େ । ମହାରଣା ଗୋଡ଼ ଆଉଁସିଦେଲେ ସେ ଅତି ବିନୀତ ଭାବରେ ମୁଣ୍ଡ ନୋଇଁ ତାଙ୍କୁ ପ୍ରଣାମ କରନ୍ତି । ଶିକ୍ଷକ ଓ ଛାତ୍ର ଉଭୟଙ୍କର ଚକ୍ଷୁ ସଜଳ ହୋଇଯାଏ । ଦୁହେଁ ଯେପରି ଦୁହିଁଙ୍କ ନିକଟରେ ଘୋର ଅପରାଧୀ । ତେଣୁ ଶ୍ରୀ ବିଶ୍ୱନାଥ ମହାପାତ୍ର ତାଙ୍କର “ପ୍ରସିଦ୍ଧ ଐତିହାସିକ ପଣ୍ଡିତ କୃପାସିନ୍ଧୁ” ପ୍ରବନ୍ଧରେ ଯାହା ଲେଖିଛନ୍ତି, ଏହି କଠୋର ଦଣ୍ଡରେ ବିରକ୍ତ ଓ ଅସନ୍ତୁଷ୍ଟ ହୋଇ କୃପାସିନ୍ଧୁ ପୁରୀ ଜିଲ୍ଲାସ୍କୁଲ ଛାଡ଼ି କଟକ କଲେଜିଏଟ୍ ସ୍କୁଲକୁ ଚାଲିଗଲେ, ବୋଧହୁଏ ସମୀଚୀନ ନୁହେଁ । ଅବଶ୍ୟ ଏ ପରିସ୍ଥିତିରେ କେତେକ ଅସହିଷ୍ଣୁ ବନ୍ଧୁ ତାଙ୍କୁ ପୁରୀ ଛାଡ଼ି କଟକ ପଳାଇଯିବାକୁ ଉପରେ ପଡ଼ି ଉପଦେଶ ଦେଇଥିବେ । କିନ୍ତୁ ସେଥିପାଇଁ କୃପାସିନ୍ଧୁ ପୁରୀ ଛାଡ଼ି କଟକ ଯାଇନଥିଲେ । ଚନ୍ଦ୍ରମୋହନ ମହାରଣାଙ୍କ ପ୍ରତି ସେ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କର ଭକ୍ତି ଓ ଶ୍ରଦ୍ଧା ଅକ୍ଷୁଣ୍ଣ ଥିଲା ।

 

*ନବକିଶୋର ଦାସ- ‘ଅମୃତ ସନ୍ତାନ’ ଦ୍ରଷ୍ଟବ୍ୟ ।

 

ଚନ୍ଦ୍ରମୋହନ ମହାରଣାଙ୍କର ଏପରି ଦଣ୍ଡବିଧାନ ଓ ପରେ ତାଙ୍କର ଏଥିପାଇଁ ଯେଉଁ ଗଭୀର ପଶ୍ଚାତ୍‌ତାପ ଜନ୍ମିଥିଲା, ସେ ସମ୍ବନ୍ଧରେ ଆହୁରି ଗୋଟିଏ ଦୁଇଟି ଅତି ସୁନ୍ଦର କଥା ଶୁଣାଯାଏ । କୃପାସିନ୍ଧୁଙ୍କୁ ବେଞ୍ଚ ଉପରେ ଠିଆହେବା ଯୋଗୁଁ ବାତଜ୍ୱର ହେବାକଥା ଶୁଣି ମହାରଣା ମହାଶୟ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ । ସେ ପ୍ରତିଦିନ ଦୁଇ ତିନ ବାର କୃପାସିନ୍ଧୁଙ୍କ ବସାକୁ ଆସି ତାଙ୍କୁ ଦେଖି ଯାଉଥାନ୍ତି । କୃପାସିନ୍ଧୁଙ୍କୁ ବାତଜ୍ୱର ଆକ୍ରମଣ କରିବା ଦିନଠାରୁ ସେ ଅନ୍ନଜଳ ପ୍ରାୟ ବିସର୍ଜନ କରି ଦେଇଥିଲେ । କୃପାସିନ୍ଧୁଙ୍କୁ ଜ୍ୱର ଛାଡ଼ିଲା, ସେ ପଥି କଲେ, ତେବେ ଯାଇ ମହାରଣା ଅନ୍ନ ସ୍ପର୍ଶ କଲେ ।

 

ପୁଣି ଶୁଣାଅଛି, ମହାରଣା ପରେ କୃପାସିନ୍ଧୁଙ୍କୁ ତାଙ୍କର ଗୋଟେ ଫଟୋ ଦେଇଥିଲେ । ଫଟୋଟି ଦେଇ ତାଙ୍କୁ କହିଥିଲେ, “କୃପାସିନ୍ଧୁ, ମୋ କଥା ମନେରଖିଥିବ, ମୋର ଏହି ଫଟୋଟି ତୁମର ଶୋଇଲାଘରେ ମୁଣ୍ଡ ଉପରେ ଝୁଲାଇ ରଖି ଯେତେବେଳେ ବାତଜ୍ୱର ହେବ, ମତେ ଖୁବ୍ ଭଲକରି ସେତେବେଳେ ଗାଳିଦେବ, ତେବେ ଯାଇ ମୁଁ ଏ ପାପରୁ ମୁକ୍ତି ଲାଭ କରିବି ।”

 

ଗୁରୁଶିଷ୍ୟର ଏ ମଧୁର ସମ୍ପର୍କ ଆଜି ସ୍ୱପ୍ନ ପରି ମନେହୁଏ । ସେ ସମ୍ପର୍କ ଆଜି ଇତିହାସର ସାମଗ୍ରୀ- ବାସ୍ତବ ଜୀବନରେ ଦୃଶ୍ୟ ନୁହେଁ କି ଲଭ୍ୟ ନୁହେଁ । ଏପରି ଜଣେ ଉଦାରମନା ଶିକ୍ଷକଙ୍କ ସଂସ୍ପର୍ଶରେ ଆସି କୃପାସିନ୍ଧୁ ଯେ ଭବିଷ୍ୟତରେ ତାଙ୍କର ଶିକ୍ଷକ-ଜୀବନରେ ଏହି ସ୍ନେହନିବିଡ଼ ସମ୍ପର୍କକୁ ପୁଣି ଥରେ ଉ୍‌ଜ୍ଜୀବିତ କରିବାକୁ ଯତ୍ନଶୀଳ ହେବେ, ସେଥିରେ ଆଉ ବିଚିତ୍ରତା କଅଣ ? କ୍ଲାସରେ ପାଠ ପଢ଼ାଉଥିଲାବେଳେ ଏବଂ ସତ୍ୟବାଦୀ ବିଦ୍ୟାଳୟର କୁଳସମ୍ମିଳନୀରେ ଛାତ୍ରମାନଙ୍କୁ ଉଦବୋଧନ ଦେଇ ଭାଷଣ ଦେଲାବେଳେ ସେ ଅନେକ ସମୟରେ ଆଦର୍ଶ ଶିକ୍ଷକ ଇଂଲଣ୍ଡର ଆର୍ଣ୍ଣଲଡ଼୍‌ଙ୍କ କଥା କହିବା ସଙ୍ଗେସଙ୍ଗେ ଚନ୍ଦ୍ରମୋହନ ବାବୁଙ୍କ ଛାତ୍ରପ୍ରୀତି ଓ କଠୋର ଶୃଙ୍ଖଳାବୋଧ କଥା କହୁଥିଲେ ।*

 

*‘ଐତିହାସିକ କୃପାସିନ୍ଧୁ’ ପୁସ୍ତକ -ପ୍ରଥମ ସଂସ୍କରଣ (୧୯୬୨)-ଅଧ୍ୟାପକ ଶ୍ରୀ ଚିନ୍ତାମଣି ଦାଶ-ପୃ-୨୯ରୁ ୩୫’

-୦-

 

ଦ୍ୱୀତିୟ ଅଧ୍ୟାୟ

ସାହିତ୍ୟିକ ଚନ୍ଦ୍ରମୋହନ ମହାରଣା

ପ୍ରଫେସର ଆଦିକନ୍ଦ ସାହୁ

 

ସ୍ମରଣୀୟ ସାହିତ୍ୟିକ ତଥା ଶିକ୍ଷାବିତ୍ ସ୍ୱର୍ଗତ ଚନ୍ଦ୍ରମୋହନ ମହାରଣା ଓଡ଼ିଶାର ଉଭୟ ସାହିତ୍ୟିକ ତଥା ସାଂସ୍କୃତିକ ଇତିହାସରେ ଏକ କ୍ରାନ୍ତିକାରୀ ପ୍ରତିଭା । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତି କ୍ଷେତ୍ରରେ ଯେଉଁ ଜାତୀୟ ସଙ୍କଟର ସୂତ୍ରପାତ ହୋଇଥିଲା ତାର ସମ୍ମୁଖୀନ ହେବାପାଇଁ ଯେଉଁ କେତେଜଣ ମନୀଷୀଙ୍କ ଅବଦାନ ସ୍ୱୀକୃତ, ସେମାନଙ୍କ ମଧ୍ୟରେ ବରେଣ୍ୟ ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ରମୋହନ ମହାରଣା ଅନ୍ୟତମ । ପାଠ୍ୟପୁସ୍ତକ ପ୍ରଣୟନ କରି ଗୋଟିଏ ଜାତିର ଭାଷା ସାହିତ୍ୟିକୁ ରକ୍ଷା କରିବାର ଦୃଢ଼ ସଙ୍କଳ୍ପ ଭିତରେ ସ୍ୱର୍ଗତ ମହାରଣାଙ୍କ କୃତିତ୍ୱ ଅସାମାନ୍ୟ । ସାହିତ୍ୟ ସାଧନାର ଆଭିମୁଖ୍ୟ ଦୃଷ୍ଟିରୁ ତାଙ୍କର ବ୍ୟକ୍ତିତ୍ୱ ତଥା ପ୍ରତିଭା ଏକାନ୍ତ ଉଲ୍ଲେଖଯୋଗ୍ୟ । ପରିମାଣ ତଥା ଗୁଣାତ୍ମକ ଦୃଷ୍ଟିରୁ ତାଙ୍କ ରଚନାବଳୀ ସେତେ ଉତ୍କୃଷ୍ଟ ନ ହେଲେ ବି ସାହିତ୍ୟ ସାଧନାର ନିଷ୍ଠା ତାଙ୍କୁ ଯଶସ୍ୱୀ କରିଛି ।

 

ଜନ୍ମ ଓ ବଂଶଲତା

 

ଓଡ଼ିଶା ଇତିହାସର ଏକ ଉଲ୍ଲେଖଯୋଗ୍ୟ ତଥା ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ମସିହା ୧୮୭୦ରେ ସାହିତ୍ୟିକ ଚନ୍ଦ୍ରମୋହନ ମହାରଣା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ରେମୁଣା ଥାନାର ପୁରୁଷୋତ୍ତମପୁର ଗ୍ରାମରେ ଏକ ସ୍ୱର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ନିଜସ୍ୱ ଅଧ୍ୟବସାୟ ତଥା ଗଭୀର ନିଷ୍ଠା ଯୋଗୁଁ ପ୍ରତିବର୍ଷ ସରକାରୀ ବୃତ୍ତି ଲାଭକରି କଲିକତା ବିଶ୍ୱବିଦ୍ୟାଳୟରୁ ଫାଷ୍ଟ ଗ୍ରେଡ଼ରେ ବି.ଏ ପାସ୍‍ କରିଥିଲେ ।

 

କର୍ମମୟ ଜୀବନ

 

କଲିକତାରୁ କୃତିତ୍ୱର ସହିତ ସ୍ନାତକ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଚନ୍ଦ୍ରମୋହନ କିଛି କାଳପାଇଁ ତାଳଚେର ଇଷ୍ଟେଟ୍‍ର ଯୁବରାଜଙ୍କ ଅଭିଭାବକ ତଥା ଗୃହ ଶିକ୍ଷକଭାବେ ନିଯୁକ୍ତ ହୋଇଥିଲେ । ସେ ଅତି ପିଲାଟିବେଳୁ କବିତା ଓ ପ୍ରବନ୍ଧ ରଚନା କରୁଥିଲେ । ତାଙ୍କ ଅଧ୍ୟୟନ ପ୍ରବଣତା ତଥା ଅଧ୍ୟାପନାର ନିଷ୍ଠା ସର୍ବୋପରି ତାଙ୍କ କବି ବ୍ୟକ୍ତିତ୍ୱ ରାଧାନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରାଧାନାଥ ଶିକ୍ଷା ବିଭାଗର ଇନ୍‌ସେପକ୍ଟର ଥିଲାବେଳେ ଚନ୍ଦ୍ରମୋହନ ବାବୁଙ୍କୁ ବାଲେଶ୍ୱର ଜିଲ୍ଲା ସ୍କୁଲର ସହକାରୀ ଶିକ୍ଷକରୂପେ ନିଯୁକ୍ତି ଦେଇଥିଲେ । ତା’ପରେ ପୁରୀ ଜିଲ୍ଲା ସ୍କୁଲରେ ସେ ହେଡ଼୍‍ମାଷ୍ଟରଭାବେ ଯୋଗ ଦେଇଥିଲେ । ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ସେତେବେଳେ ତାଙ୍କର ଅତିପ୍ରିୟ ଛାତ୍ର ଥିଲେ । ଶିକ୍ଷକତାର ବହୁ ବର୍ଷ ପରେ ସେ ପୁରୀ ଓ ବାଲେଶ୍ୱର ଜିଲ୍ଲାର ‘ଡେପୁଟୀ ଇନ୍‌ସେପକ୍ଟର ଅଫ୍ ସ୍କୁଲସ୍‌’ରୂପେ ଯୋଗଦେଲେ, ପରବର୍ତ୍ତୀ ସମୟରେ ସେ ମଧ୍ୟ ପୁରୀ ଜିଲ୍ଲାର ଇନ୍‌ସପେକ୍ଟର ଅଫ୍ ସ୍କୁଲସ୍‍ରୂପେ ଅବସ୍ଥାପିତ ହୋଇଥିଲେ ।

 

କଟକ ନର୍ମାଲ ସ୍କୁଲକୁ କେନ୍ଦ୍ର କରି

 

ଭକ୍ତିକବି ମଧୁସୂଦନ ରାଓ, ବିଶ୍ୱନାଥ କର, ଚନ୍ଦ୍ରମୋହନ ମହାରଣା, ବାଣୀଭୂଷଣ ମୃତ୍ୟୁଞ୍ଜୟ ରଥ, ଜଗନ୍ନାଥ ତ୍ରିପାଠୀ ପ୍ରମୁଖ ସାହିତ୍ୟିକମାନେ ଏକ ଆଲୋଚନା ସଭା ଗଠନ କରିଥିଲେ । ତତ୍‌କାଳୀନ ବହୁ କାବ୍ୟାମୋଦୀ ପ୍ରତିଷ୍ଠିତ ସାହିତ୍ୟିକମାନଙ୍କ ନିୟମିତ ଯୋଗଦାନ ଫଳରେ ଆଲୋଚନା ସଭାଟି ଦୀର୍ଘଦିନ ଧରି ତିଷ୍ଠି ରହି ପାରିଥିଲା । ପ୍ରାଚୀନ ତଥା ମଧ୍ୟ ଯୁଗୀୟ ଓଡ଼ିଆ ସାହିତ୍ୟର ସ୍ୱରୂପ ଓ ବୈଶିଷ୍ଟ୍ୟ ନିର୍ଦ୍ଧାରଣ ଥିଲା ଉକ୍ତ ସଭାର ପ୍ରଥମ ଓ ପ୍ରଧାନ ଉଦ୍ଦେଶ୍ୟ । ନର୍ମାଲ ସ୍କୁଲକୁ କେନ୍ଦ୍ର କରି ଗଢ଼ି ଉଠିଥିବା ଏହି ଆଲୋଚନା ସଭାଟି ପରବର୍ତ୍ତୀ ସମୟରେ ‘ଉତ୍କଳ ସାହିତ୍ୟ ସମାଜ’ ନାମରେ ନାମିତ ହୋଇଛି । (୧) ଏହି ଆଲୋଚନା ସଭାର ପ୍ରଥମ ଅଧିବେଶନରେ ଚନ୍ଦ୍ରମୋହନ ବାବୁ ‘ସାହିତ୍ୟ’ ଶୀର୍ଷକ ଏକ ପ୍ରବନ୍ଧ ପାଠ କରିଥିଲେ । ଏହି ପ୍ରବନ୍ଧ ‘ଶିକ୍ଷାବନ୍ଧୁ’ ପତ୍ରିକାରେ ପ୍ରଥମ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ୧୯୦୭ରୁ ୧୯୧୯ ମସିହା ପର୍ଯ୍ୟନ୍ତ ଚନ୍ଦ୍ରମୋହନ ବାବୁ କଟକ ନର୍ମାଲ ସ୍କୁଲର ପ୍ରଧାନ ଶିକ୍ଷକ ଥିଲାବେଳେ ଓଡ଼ିଆ ସାହିତ୍ୟ ସମ୍ପର୍କୀୟ ଆଲୋଚନାରେ ବିଶେଷ ଭାଗ ନେବା ସଙ୍ଗେ ସଙ୍ଗେ ‘ଉତ୍କଳ ସାହିତ୍ୟ’ ଆଦି ପତ୍ରିକାର ସାହିତ୍ୟିକ ଶ୍ରୀ ସମ୍ପାଦନରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । (୨)

 

ସାହିତ୍ୟ ସାଧନାର ଆଭିମୁଖ୍ୟ

 

ଚନ୍ଦ୍ରମୋହନ ବାବୁ କବି ରାଧାନାଥ ଅବା ଫକୀରମୋହନଙ୍କ ପରି ଜଣେ ନିହାତି ପ୍ରତିଭାବାନ ଲେଖକ ହୋଇନଥିଲେ ବି ଓଡ଼ିଶାର ପାଠ୍ୟପୁସ୍ତକର ଘୋର ଅଭାବ କାଳରେ ତାଙ୍କର ସୁମହିତ ଚେଷ୍ଟା ଏକାନ୍ତ ପ୍ରଣିଧାନଯୋଗ୍ୟ । ଉଚ୍ଚଶିକ୍ଷିତ ବଙ୍ଗାଳିମାନେ ପଦସ୍ଥ ସାହେବମାନଙ୍କୁ ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ଦର୍ଶାଇ ଓଡ଼ିଶାର ଭର୍ଣ୍ଣାକୁଲାର ସ୍କୁଲମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାର ପ୍ରବର୍ତ୍ତନ କରାଇବା ପାଇଁ ପ୍ରବର୍ତ୍ତାଇ ଥିଲେ । ସେତେବେଳେ ଯେଉଁ କେତେଜଣ ଓଡ଼ିଆ ଏହି ଜାତୀୟ ସଙ୍କଟର ସମ୍ମୁଖୀନ ହୋଇ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନରେ ଗଭୀର ମନୋନିବେଶ କରିଥିଲେ, ସେମାନଙ୍କ ମଧ୍ୟରେ ପଣ୍ଡିତ କପିଳେଶ୍ୱର ବିଦ୍ୟାଭୂଷଣ, ପଣ୍ଡିତ ଗୋବିନ୍ଦ ରଥ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ଗୌରୀଶଙ୍କର ରାୟ, ରାମପ୍ରସନ୍ନ ମୁଖୋପାଧ୍ୟାୟ, ବିଚ୍ଛନ୍ଦ ପଟ୍ଟନାୟକ, ଭୁବନେଶ୍ୱର ଦତ୍ତ, ନିମାଇଁ ବଲ୍ଲଭ ବିଦ୍ୟାସାଗର, ପ୍ରଭାକର ବିଦ୍ୟାରତ୍ନ, ଫକୀରମୋହନ ସେନାପତି, ତାରିଣୀ ଚରଣ ମୁଖୋପାଧ୍ୟାୟ, ଶିବନାରାୟଣ ନାୟକ, ଦ୍ୱାରିକାନାଥ ଚକ୍ରବର୍ତ୍ତୀ, ରମେଶ ଚନ୍ଦ୍ର ବସୁ, ନାଟ୍ୟକାର ରାମଶଙ୍କର, ‘ନବୋଦ୍ୟମ’ ଲେଖକ ଚନ୍ଦ୍ରମୋହନ ମହାରଣା, ପ୍ରାବନ୍ଧିକ ଗଣପତି ଦାସ, କାବ୍ୟକାର ମଣିଚରଣ ମହାପାତ୍ର ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ । (୩) । ଏକ ଉଦ୍ଦେଶ୍ୟ ସାଧନ ନିମିତ୍ତ ନିର୍ଦ୍ଦିଷ୍ଟ ଭାବରେ ଚନ୍ଦ୍ରମୋହନ ବାବୁ ପୁସ୍ତକ ସବୁ ରଚନା କରିଛନ୍ତି । ଏତଦ୍‌ଭିନ୍ନ ସେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହିତ୍ୟ ଚେତନା ଜାଗ୍ରତ କରିବା ପାଇଁ ତାଙ୍କ ଲେଖା ମାଧ୍ୟମରେ ଉଦ୍ୟମ କରୁଥିଲେ । ଉତ୍କଳ ସାହିତ୍ୟ ସମାଜର ଏକ ବିଂଶ ବାର୍ଷିକ ଅଧିବେଶନରେ ପ୍ରଦତ୍ତ ସଭାପତି ଭାଷଣ (୫-୧୦-୧୯୨୬)ରେ ଲେଖକ ମାତୃଭାଷାର ଉନ୍ନତି ନିମିତ୍ତ ଆହ୍ୱାନ ଦେଇ କହିଛନ୍ତି- “ଜାଗରଣର ଓ ଅଧ୍ୟବସାୟର ଅଭାବ ଆଉ ଯୋଡ଼ିଏ ଅନ୍ତରାୟ । ଏହି ଅନ୍ତରାୟ ମାତୃଭାଷା ପକ୍ଷରେ ଯେପରି ଅନ୍ୟ ଯାବତୀୟ ବିଷୟର ଉନ୍ନତି ପକ୍ଷରେ ସେହିପରି । ମୋହ, ଆଳସ୍ୟର ସନ୍ତାନ ଅଥବା ଜନକ, ତମୋ ଗୁଣ ସୁତରାଂ ଉନ୍ନତିର ଘୋର ଶତ୍ରୁ । ଏହା ମନୁଷ୍ୟର ମନକୁ ତିମିରାଚ୍ଛନ କରି ରଖେ । କୃପାମୟଙ୍କ କୃପାରୁ ମାତୃଭାଷାର ଉନ୍ନତିରେ ଜାଗରଣର ଲକ୍ଷଣ ବର୍ତ୍ତମାନ ଦେଖା ଯାଉଅଛି । ଏହି ମହାସଭାରେ ଉପସ୍ଥିତ ଉତ୍କଳ ଜନନୀର କୃତୀ ସନ୍ତାନମାନେ ଏହି ଜାଗରଣର ସହାୟ ଅଟନ୍ତି । ସୁତରାଂ ମାତୃଭାଷାର ଉନ୍ନତି ସାଧନ ଥିଲା ତାଙ୍କ ସାହିତ୍ୟ ସାଧନାର ଅନ୍ୟତମ ଆଭିମୁଖ୍ୟ ।”

 

ରାଧାନାଥୀ ସାହିତ୍ୟର ସେ ଥିଲେ ପୁଣି ଜଣେ ମୁଗ୍‌ଧ ପାଠକ ଓ ପୃଷ୍ଠପୋଷକ । ବିଜୁଳି, ଇନ୍ଦ୍ରଧନୁ ବିବାଦ କାଳରେ ସେ ରାଧାନାଥଙ୍କ ପକ୍ଷ ସମର୍ଥନ କରି ବିଜୁଳିକୁ ନିୟମିତ ଲେଖା ଯୋଗାଉଥିଲେ । ‘ଇନ୍ଦ୍ରଧନୁ’ ପକ୍ଷରେ ସ୍ୱର୍ଗୀୟ ଗୌରୀଶଙ୍କର ରାୟ, ଗୋପାଳବଲ୍ଲଭ ଦାସ, ଦାମୋଦର ପଟ୍ଟନାୟକ ଓ ସୁଦାମ ଚରଣ ନାୟକ ପ୍ରଭୃତି ରଥୀବୃନ୍ଦ ଏବଂ ବିଜୁଳି ପକ୍ଷରେ ଲାଲା ରାମନାରାୟଣ ରାୟ, ନୀଳମଣି ବିଦ୍ୟାରତ୍ନ, ରାଜା ସାର୍ ସୁଢଳ ଦେବ, ବିଶ୍ୱନାଥ କର, ଚନ୍ଦ୍ରମୋହନ ମହାରଣା, ଡାକ୍ତର ରାମକୃଷ୍ଣ ସାହୁ ପ୍ରଭୃତି ପୃଷ୍ଠପୋଷକ ଓ ଲେଖକ ରୂପେ ବେଳେବେଳେ ପ୍ରଚ୍ଛନ୍ନ ଭାବରେ କେତେବେଳେ ବା ପ୍ରକାଶ୍ୟ ଭାବରେ ଦେଖା ଦେଉଥିଲେ ।

 

ସାହିତ୍ୟ ଅବଦାନ

 

ରାଧାନାଥଙ୍କ ସମସାମୟିକଭାବେ ଅଥବା ତାଙ୍କ ପରବର୍ତ୍ତୀ ସମୟରେ ଯେଉଁ କେତେଜଣ ସ୍ୱନାମଧନ୍ୟ ବାଣୀ ସାଧକ ଉଭୟ ଗଦ୍ୟ ଓ ପଦ୍ୟ ରଚନାରେ ବିଶେଷ କୃତିତ୍ୱ ପ୍ରଦର୍ଶନ କରିଛନ୍ତି, ତନ୍ମଧ୍ୟରୁ ସ୍ୱର୍ଗତ ଚନ୍ଦ୍ରମୋହନ ମହାରଣା ଅନ୍ୟତମ । ସେ ବିଶେଷତଃ ସେତେବେଳେ ଜଣେ ନିୟମିତ ପାଠ୍ୟପୁସ୍ତକ ଲେଖକ ହିସାବରେ ସୁପରିଚିତ ଥିଲେ । ଉଭୟ ଓଡ଼ିଆ ଏ ଇଂରାଜୀ ବ୍ୟାକରଣରେ ତାଙ୍କର ବିଶେଷ ପ୍ରବେଶ ଥିବାରୁ ତାଙ୍କୁ ମୁଖ୍ୟତଃ ଜଣେ ବୈୟାକରଣିକ ବୋଲି କୁହାଯାଉଥିଲା । ସେ ମଧ୍ୟ ନିମ୍ନ ପ୍ରାଥମିକ ଶ୍ରେଣୀଠାରୁ ଆରମ୍ଭ କରି ଉଚ୍ଚଶ୍ରେଣୀର ଅଧ୍ୟାପନା ନିମିତ୍ତ ଏକାଧିକ ବ୍ୟାକରଣ ପୁସ୍ତକମାନ ରଚନା କରିଛନ୍ତି । (୬)- ୧୯୧୦ ଖ୍ରୀଷ୍ଟାବ୍ଦରେ ତାଙ୍କର ପ୍ରଥମ ‘ଓଡ଼ିଆ ବ୍ୟାକରଣ’ ପ୍ରକାଶିତ ହୋଇଥିଲା ଓ ଶିକ୍ଷାବିଭାଗ ଡିରେକ୍ଟର ମହୋଦୟଙ୍କଦ୍ୱାରା ୧୧-୭-୪୪ ତାରିଖ ଗେଜେଟର ୯ ନମ୍ବର ନୋଟିଫିକେସନରେ ୪ର୍ଥ ଓ ୫ମ ଶ୍ରେଣୀ ପାଇଁ ନିର୍ବାଚିତ ହୋଇଥିଲା । ନିକଟରେ ଏବେ ରାଜ୍ୟ ସରକାରଙ୍କ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ତରଫରୁ ତା’ର ପୁନର୍ମୁଦ୍ରଣ କରାଯାଇ ପ୍ରାଥମିକ ଶ୍ରେଣୀର ପାଠ୍ୟପୁସ୍ତକରୂପେ ଚଳୁଅଛି । ତାଙ୍କର ‘ରଚନା ଶିକ୍ଷା’ ନାମକ ଆଉ ଏକ ପାଠ୍ୟପୁସ୍ତକ ପ୍ରାଥମିକ ଶ୍ରେଣୀର ଚଳୁଥିଲା । ଚିନ୍ତାମୂଳକ, ବର୍ଣ୍ଣନାମୂଳକ ତଥା ତଥ୍ୟମୂଳକ ପ୍ରବନ୍ଧ ସବୁ ଉଲ୍ଲିଖିତ ପ୍ରବନ୍ଧ ପୁସ୍ତକରେ ସନ୍ନବେଶିତ ହୋଇଥିଲା । ଏତଦ୍‌ଭିନ୍ନ ତାଙ୍କର କଥାବଳୀ ୧ମ ଭାଗ ଓ କଥାବଳୀ ୨.ୟ ଭାଗ ଦୁଇଟି ସାହିତ୍ୟ ପୁସ୍ତକ ମଧ୍ୟ ସେ କାଳର ୪ର୍ଥ ଓ ୫ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପାଠ୍ୟ ଥିଲା । ଜଣେ ଉଚ୍ଚକୋଟୀର ଶିକ୍ଷାବିଦ୍ ହିସାବରେ ଅଧ୍ୟାପନା ସଂଜାତ ଅଭିଜ୍ଞାନ ଦେଇ ସେ ଯେଉଁ ଅଭାବ ଓ ଆବଶ୍ୟକତା ଅନୁଭବ କରୁଥିଲେ ତାହକୁ ପୂରଣ କରିବା ନିମିତ୍ତ ସେ ପାଠ୍ୟପୁସ୍ତକ ପ୍ରଣୟନରେ ମନୋନିବେଶ କରିଥିଲେ । (୭)

 

ପ୍ରତିଷ୍ଠିତ ‘ଉତ୍କଳ ସାହିତ୍ୟ’, ‘ସଂସ୍କାରକ’ ଆଦି ପତ୍ର ପତ୍ରିକାରେ ସେ ଜଣେ ନିୟମିତ ପ୍ରବନ୍ଧ ଲେଖକ ଥିଲେ । ତାଙ୍କ ଲିଖିତ ପ୍ରବନ୍ଧମାନଙ୍କ ମଧ୍ୟରୁ- ଭୂଗୋଳ ବିଦ୍ୟା-ଉତ୍କଳ ସାହିତ୍ୟ ୧ମ ଭାଗ ୯ମ ସଂଖ୍ୟା (୧୮୯୭ ସେପ୍‌ଟେମ୍ବର), ଶ୍ରୀଧର ସ୍ୱାମୀ- ଉତ୍କଳ ସାହିତ୍ୟ ୬ଷ୍ଠ ଭାଗ ୪ର୍ଥ ସଂଖ୍ୟା (୧୯୦୨ ଜୁଲାଇ), ଇତିହାସ- ଉତ୍କଳ ସାହିତ୍ୟ ୧୦ମ ଭାଗ ୧୦ମ ସଂଖ୍ୟା (୧୯୦୬ ଫେବୃୟାରୀ), ସ୍ୱପ୍ନ- ଉତ୍କଳ ସାହିତ୍ୟ ୧୧ଶ ଭାଗ ୯ମ ସଂଖ୍ୟା (୧୯୦୭ ଜାନୁୟାରୀ) ଆଦି ଉଲ୍ଲେଖଯୋଗ୍ୟ । ‘ସଂସ୍କାରକ’ ଆଦି ବିଭିନ୍ନ ସାହିତ୍ୟ ପତ୍ର ପତ୍ରିକାରେ ପ୍ରକାଶିତ ତାଙ୍କର କବିତା ସବୁ ପରବର୍ତ୍ତୀ ସମୟରେ ଏକତ୍ର ସଂଗୃହୀତ ହୋଇ ‘ନବୋଦ୍ୟମ’ ନାମକ କବିତା ସଂକଳନରେ ପ୍ରକାଶିତ ହୋଇଛି । (୮)

 

ପାଠ୍ୟପୁସ୍ତକ ଲେଖକ ଚନ୍ଦ୍ରମୋହନ

 

‘କଥାବଳୀ’ (ପ୍ରଥମ ଭାଗ), ‘କଥାବଳୀ’ (ଦ୍ୱିତୀୟ ଭାଗ) ତାଙ୍କ ରଚିତ ଅନ୍ୟ ଦୁଇଟି ଉଲ୍ଲେ‌ଖଯୋଗ୍ୟ ପାଠ୍ୟପୁସ୍ତକ । ଦୁଇଟି ପୁସ୍ତକରେ ଉଭୟ ଗଦ୍ୟ ଓ ପଦ୍ୟରେ ଲିଖିତ ଶତାଧିକ ବିଷୟ ସନ୍ନିବେଶିତ ହୋଇଛି । ତଳ ଶ୍ରେଣୀର ପିଲାମାନଙ୍କ ପାଇଁ ମୁଖ୍ୟତଃ ଚନ୍ଦ୍ରମୋହନ ବାବୁ ଏସବୁ ଗଳ୍ପ, ପ୍ରବନ୍ଧ ଓ କବିତାମାନ ରଚନା କରିଛନ୍ତି । ସେ ପାଇଁ ତାଙ୍କର ଲେଖାଗୁଡ଼ିକ ଅଧିକାଂଶରେ ନୀତି ଉପଦେଶାତ୍ମକ । ତଥାପି ସ୍ଥାନେ ସ୍ଥାନେ କବି ଚିତ୍ତର ସ୍ୱତ ସ୍ଫୂର୍ତ୍ତ ଅଭିବ୍ୟକ୍ତି ଲକ୍ଷ୍ୟ କରାଯାଇପାରେ । ପ୍ରକୃତି ଚିତ୍ରଣରେ ତାଙ୍କର କବି ପ୍ରାଣର ସ୍ୱାକ୍ଷର ଅତ୍ୟନ୍ତ ସ୍ପଷ୍ଟ । ପରେ ଚନ୍ଦ୍ରମୋହନ ବାବୁ ଏ ସବୁ ପାଠ୍ୟପୁସ୍ତକଗୁଡ଼ିକର ମୁଦ୍ରଣ, ପ୍ରଚାର ଓ ପ୍ରସାର ପାଇଁ ମାକ୍‌ମିଲନ୍‍ କମ୍ପାନୀକୁ ସର୍ବସ୍ୱତ୍ୱ ଲେଖି ଦେଇଥିଲେ । ଦୀର୍ଘଦିନ ଧରି ଓଡ଼ିଶାର ପ୍ରାଥମିକ ଶ୍ରେଣୀର ପାଠ୍ୟପୁସ୍ତକରୂପେ ଏହି କଥାବଳୀ (ପ୍ରଥମ ଭାଗ), କଥାବଳୀ (ଦ୍ୱିତୀୟ ଭାଗ) ପ୍ରଚଳିତ ଥିଲା । ତାଙ୍କରି ‘ଓଡ଼ିଆ ବ୍ୟାକରଣ’ ଓ ‘ରଚନା ଶିକ୍ଷା’ ପୁସ୍ତକ ଦ୍ୱୟ ବିଷୟରେ ପୂର୍ବରୁ ଆଲୋଚିତ ହୋଇଛି ।

 

ଜଣେ ଆଦର୍ଶ ଶିକ୍ଷକ, ପାଠ୍ୟପୁସ୍ତକ ଲେଖକ, ତଥା ବୈୟାକରଣିକ ହିସାବରେ ତାଙ୍କର ମର୍ଯ୍ୟାଦା ଓ ବ୍ୟକ୍ତିତ୍ୱ ଏକାନ୍ତ ଅବିସ୍ମରଣୀୟ ।

 

ଶିକ୍ଷକ ଚନ୍ଦ୍ରମୋହନ

 

ଓଡ଼ିଶାର ଯେଇଁ କେତେଜଣ ଶିକ୍ଷାବିତ୍ ସବୁମତେ ଶିକ୍ଷକ ହେବାର ଗୌରବ ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ସ୍ୱର୍ଗତ ଚନ୍ଦ୍ରମୋହନ ମହାରଣା ଅନ୍ୟତମ । ପଣ୍ଡିତ ଗୋଦାବରୀଣ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରି ସତ୍ୟବାଦୀ ଆଦର୍ଶର ସ୍ୱର୍ଗତ ମହାରଣାଙ୍କ ଅନୁପମ ଶିକ୍ଷକତାର ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି । ଶିକ୍ଷକ ଭାବରେ ତାଙ୍କର ନିଷ୍ଠା, ଉତ୍ସାହ ତଥା ନିର୍ଭୀକତା ତାଙ୍କୁ ଏତେବଡ଼ ସମ୍ମାନ ଆଣି ଦେଇଛି । ଏହି ଶିକ୍ଷକତାରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଛି କହିଲେ, ଅତ୍ୟୁକ୍ତି ହେବନାହିଁ । କଟକ ନର୍ମାଲ ସ୍କୁଲକୁ କେନ୍ଦ୍ର କରି ଯେଉଁ ‘ଆଲୋଚନା ସଭା’ ସେଦିନ ଗଢ଼ି ଉଠିଥିଲା ଏବଂ ଯାହା ପରବର୍ତ୍ତୀ କାଳରେ ‘ଉତ୍କଳ ସାହିତ୍ୟ ସମାଜ’କୁ ଉନ୍ନୀତ ହୋଇଥିଲା, ତା’ର ପ୍ରଥମ ଲକ୍ଷ୍ୟ ଥିଲା ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ନବଯୁଗର ବାର୍ତ୍ତା ପ୍ରଚାର କରିବା । ଏହି ଲକ୍ଷ୍ୟ ନେଇ ସ୍ୱର୍ଗତ ମହାରଣା ଅନୁଷ୍ଠାନଟିକୁ ସବୁ ମତେ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ । ବିଭନ୍ନ ପାଠଚକ୍ର ତଥା ଆଲୋଚନା ଚକ୍ର ମାଧ୍ୟମରେ କେବଳ ଜ୍ଞାନ ବିଜ୍ଞାନର ଚର୍ଚ୍ଚା ବା ପ୍ରଚାର ନୁହେଁ ବରଂ ଏକ ଚେତନା ଜାଗ୍ରତ କରିବା ଥିଲା ତାଙ୍କର ଶ୍ରେଷ୍ଠ ଆଭିମୁଖ୍ୟ । ୧୮୯୪ ସାଲରେ ଉଲ୍ଲିଖିତ ଆଲୋଚନା ସଭାର ପ୍ରଥମ ଅଧିବେଶନରେ ସେପାଇଁ ଚନ୍ଦ୍ରମୋହନ ବାବୁ ‘ସାହିତ୍ୟ’ ଶୀର୍ଷକ ପ୍ରବନ୍ଧ ପାଠ କରି ସାହିତ୍ୟ ସାଧନାର ମହତ୍ତ୍ୱ ପ୍ରତିପାଦନ କରିଥିଲେ ।

 

ଶିକ୍ଷକତାର ସୁଦୀର୍ଘ ଜୀବନ ଭିତରେ ଅଧ୍ୟାପନା ସମ୍ପର୍କଗତ ନାନା ଅନୁଭୂତି ଓ ଅଭିଜ୍ଞାନ ତାଙ୍କୁ ପାଠ୍ୟପୁସ୍ତକ ପ୍ରଣୟନ ଦିଗରେ ପ୍ରୋତ୍ସାହିତ କରିଛି । ପ୍ରାଥମିକ ତଥା ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା ମେଣ୍ଟାଇବା ପାଇଁ ସେ ଗଣିତ, ବ୍ୟାକରଣ, ସାହିତ୍ୟ, ରଚନା ଶିକ୍ଷା ବିଷୟକ ପୁସ୍ତକମାନ ରଚନା କରିଛନ୍ତି । ଶିକ୍ଷକ ଜୀବନରେ ସେ ଏକାନ୍ତ ଶୁଦ୍ଧପୂତ ଗୈରିକ ଜୀବନଯାପନ କରୁଥିଲେ । ସେ ନିରମିଶାଷୀ ଥିଲେ । ପ୍ରତ୍ୟହ ପ୍ରାଣାୟମ କରୁଥିଲେ । ଦୈନନ୍ଦିନ ଜୀବନର ଏହି ଗୈରିକ ଜୀବନଚର୍ଯ୍ୟା ତାଙ୍କୁ ଯେପରି ଶୃଙ୍ଖଳିତ କରୁଥିଲା ତାରି ଅନୁରୂପଭାବେ ଶୃଙ୍ଖଳାର କଠୋର ଶାସନ ସେ ମଧ୍ୟ ପ୍ରୟୋଗ କରୁଥିଲେ । ଛାତ୍ରଛାତ୍ରୀମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନାର ବିକାଶକୁ ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ମନେକରୁଥିଲେ । ଛାତ୍ରଛାତ୍ରୀମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନାର ବିକାଶକୁ ଜ୍ଞାନାର୍ଜ୍ଜନର ମାଧ୍ୟମରୂପେ ସେ ବର୍ଣ୍ଣନା କରୁଥିଲେ । ସେ ନିଜେ ଗୋପାଳ ମୂର୍ତ୍ତି ପ୍ରତିଷ୍ଠା କରି ପ୍ରତ୍ୟହ ପୂଜାପାଠ କରୁଥିଲେ ଓ ପରେ ନିଜେ ପୁଣି ଏକ ଶିବମନ୍ଦିର ପ୍ରତିଷ୍ଠା କରି ଯାଇଅଛନ୍ତି । ବୃକ୍ଷରୋପଣ ଥିଲା ତାଙ୍କର ସବୁଠାରୁ ବଡ଼ ପ୍ରିୟ କାର୍ଯ୍ୟକ୍ରମ । ସେ ଏ ଦିଗରେ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ ଓ ପ୍ରଭାବିତ ମଧ୍ୟ କରିଥିଲେ । ଛାତ୍ରମାନଙ୍କୁ ଇଚ୍ଛାଶକ୍ତି (will power)ର ମହତ୍ୱ ସେ ବାରମ୍ବାର ବୁଝାଉଥିଲେ । ଜାତି ଓ ଧର୍ମ ଭୟ ସମାଜରେ ସେକାଳରେ ଭାରି ପ୍ରବଳ ଥିଲା । କେତେକ ଅଭିଭାବକ ସ୍କୁଲ ପଢ଼ାକୁ ସେ ପାଇଁ ପସନ୍ଦ କରିପାରୁନଥିଲେ । ମାତ୍ର ଶିକ୍ଷକ ଚନ୍ଦ୍ରମୋହନ ବାବୁ ସଂସ୍କାରବାଦୀ ଥିଲେ । ଏପରିକି ମୁସଲମାନ ଓ ଖ୍ରୀଷ୍ଟିୟାନମାନଙ୍କ ସହିତ ବସି ପଂକ୍ତି ଭୋଜନ କରୁଥିଲେ । ଏହା କେବଳ ରକ୍ଷଣଶୀଳ ହିନ୍ଦୁ ଛାତ୍ରମାନଙ୍କୁ ପ୍ରଭାବିତ କରିନାହିଁ ଅଧିକନ୍ତୁ ସତ୍ୟବାଦୀ ଆଦର୍ଶର ମୂଳପିଣ୍ଡ ଗଠନରେ ପ୍ରେରଣା ଯୋଗାଇଛି ମଧ୍ୟ ।

 

ସଂସ୍କୃତ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅନୁରାଗ ଥିଲା, କାଳିଦାସଙ୍କ “କୁମାର ସମ୍ଭବମ୍ ଓ ମେଘଦୂତମ୍‌” କାବ୍ୟର ଶ୍ଳୋକ ସବୁ ସେ କଣ୍ଠସ୍ଥ କରିଥିଲେ । କାଳିଦାସୀ କବିତା ପ୍ରତି ତାଙ୍କର ଅଶେଷ ଦୁର୍ବଳତା ଥିଲା ବୋଲି, “ଆମ ନୂଆ ହେଡ଼୍‍ମାଷ୍ଟର” ଶୀର୍ଷକ ପ୍ରବନ୍ଧରେ ତାଙ୍କ ଛାତ୍ର ଗାଳ୍ପିକ ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଲ ଲେଖିଛନ୍ତି । ସେ କେବଳ ଛାତ୍ରମାନଙ୍କୁ ନୁହେଁ ବରଂ ତାଙ୍କର ସହକର୍ମୀ ଶିକ୍ଷକମାନଙ୍କୁ ମଧ୍ୟ ପ୍ରଭାବିତ କରିଥିଲେ । ତାଙ୍କ ସମୟର ଅନ୍ୟତମ ସହକାରୀ ଶିକ୍ଷକ ପଲ୍ଲୀକବି ନନ୍ଦକିଶୋର ବଳ, ଚନ୍ଦ୍ରମୋହନ ବାବୁଙ୍କ ପରାମର୍ଶ କ୍ରମେ ଏକ ବ୍ୟାକରଣ ପୁସ୍ତକ ରଚନା କରିଥିଲେ, ସେ ଏକଥା ନିଜେ ସ୍ୱୀକାର କରିଛନ୍ତି ।

 

ଶିକ୍ଷକ ହିସାବରେ ଚନ୍ଦ୍ରମୋହନ ବାବୁ ଯେପରି ବିଜ୍ଞ ଓ ବହୁ ଶାସ୍ତ୍ରଦର୍ଶୀ ଥିଲେ ସେହିପରି ମଧ୍ୟ ନିର୍ଭୀକ ଥିଲେ । ସେତେବେଳେ ସ୍କୁଲମାନଙ୍କରେ ପ୍ରତିଷ୍ଠିତ ବଙ୍ଗାଳି ପରିବାର ପିଲାମାନଙ୍କ ଉଦ୍ଧତ ଆଚରଣକୁ ଶିକ୍ଷକମାନେ ମଧ୍ୟ ଭୟରେ ସହି ଯାଉଥିଲେ । ମାତ୍ର ସମଦର୍ଶୀ ଶିକ୍ଷକ ଚନ୍ଦ୍ରମୋହନ ମହାରଣା ଛାତ୍ରମାନଙ୍କର ମନ୍ଦ ବ୍ୟବହାର ଦେଖିଲେ ତତ୍‌କ୍ଷଣାତ୍ ସେମାନଙ୍କୁ ଦଣ୍ଡ ଦେଉଥିଲେ । ଏ ବିଷୟରେ ଗୋଦାବରୀଶ ବିସ୍ତାରିତ ଭାବରେ ଲେଖିଛନ୍ତି । ଯୁବତୀ ଝିଅ ସହିତ ସମୁଦ୍ରକୂଳରେ ବୁଲୁଥିବାର କେତେକ ବଙ୍ଗାଳି ପିଲାଙ୍କୁ ସେ ସ୍କୁଲରୁ ବାହାର କରି ଦେଇଥିଲେ । ସେ ପିଲାଟିର ଅଭିଭାବକ ଥିଲେ ଜଣେ ପ୍ରତିଷ୍ଠିତ ଲୋକ । ସେ ଅନ୍ୟାନ୍ୟ ବଙ୍ଗାଳିଙ୍କୁ ମିଳାଇ ଚନ୍ଦ୍ରମୋହନ ବାବୁଙ୍କ ନାମରେ ମୋକଦ୍ଦମା କରିବାକୁ ବାହାରିଲେ, ତଥାପି ଚନ୍ଦ୍ରମୋହନ ବାବୁଙ୍କର ଭ୍ରୂକ୍ଷେପ ନାଇଁ । (୯)

 

ପୁଣି ଆଉଥରେ ସେହି ଦୁର୍ବୃତ୍ତମାନେ ସ୍କୁଲ ଘରପୋଡ଼ି ଚନ୍ଦ୍ରମୋହନ ବାବୁଙ୍କ ବିରୁଦ୍ଧରେ ମୋକଦ୍ଦମା ଆରମ୍ଭ କରିଥିଲେ । ମୋକଦ୍ଦମାରେ ଚନ୍ଦ୍ରମୋହନ ବାବୁଙ୍କ ତରଫରୁ ସ୍ୱର୍ଗତ ଗୋକୁଳାନନ୍ଦ ଚୌଧୁରୀ (ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀଙ୍କ ପିତା) ସ୍ୱର୍ଗତ କୁଳବୃଦ୍ଧ ମଧୁସୂଦନ ପ୍ରମୁଖ ବିଶିଷ୍ଟ ଓକିଲମାନେ ଲଢ଼ୁଥିଲେ । ଏ ବିଷୟରେ ସମାଧାନ ପାଇଁ ବଙ୍ଗଳାର ପ୍ରଖ୍ୟାତ ନେତା ଶିଶିଭୂଷଣ ରାୟ ଚୌଧୁରୀ (ଶଶିଦା) ପୁରୀକୁ ଆସିଥିଲେ । ଗୋଦାବରୀଶ ଲେଖିଛନ୍ତି ସେତେବେଳକୁ ଏକାଦଶ ଶ୍ରେଣୀର ବଙ୍ଗାଳି ଛାତ୍ରକୁ ବେତ୍ରାଘାତ କରିବା ଘଟଣା ଘଟି ଯାଇଥିଲା । ତାଙ୍କର ସେ ସମୟରେ ପୁରୀକୁ ଆସିବା କାରଣ ମୁଁ ତାଙ୍କୁ କେବେ ଭରସି ପଚାରି ନାହିଁ । ସେ ମଧ୍ୟ ମୋତେ ତାଙ୍କ ନିଜ ଆଡ଼ୁ କହି ନାହାନ୍ତି । ମୋର ମନେହୁଏ ସେ ଘଟଣା ସମ୍ପର୍କରେ ଉପୁଜି ଥିବା ପରିସ୍ଥିତି ସୁଧାରିବାରେ ସାହାଯ୍ୟ କରିବା ସକାଶେ ଚନ୍ଦ୍ରମୋହନ ବାବୁ ତାଙ୍କୁ ଅଣାଇଥିବେ । (୧୦)

 

ସେ ପୁଣି ନିର୍ଭୀକ ସମଦର୍ଶୀ ତଥା ଛାତ୍ରବତ୍ସଳ ଶିକ୍ଷକ ନ ଥିଲେ, ସେ ଥିଲେ ସେକାଳରେ ପ୍ରେରଣାର ଏକ ମୂର୍ତ୍ତ ପ୍ରତୀକ । ସତ୍ୟବାଦୀ ଆଦର୍ଶ ଗଠନରେ ତାଙ୍କର ଅବଦାନକୁ ଏ ପାଇଁ ଅନେକ ଭାବରେ ସ୍ୱୀକାର କରାଯାଇପାରେ । ପଣ୍ଡିତ ଗୋଦାବରୀଶଙ୍କ କୃତିତ୍ୱ ଶିକ୍ଷକ ଚନ୍ଦ୍ରମୋହନ ବାବୁଙ୍କୁ ପ୍ରଲୁବ୍‌ଧ କରିଥିଲା । ସେ ତାଙ୍କୁ ଡକାଇନେଇ ଗୋଦାବରୀଶଙ୍କ ପଢ଼ିବାର ବ୍ୟବସ୍ଥା ତାଙ୍କ ଘରେହିଁ କରିଥିଲେ । ଦୈନ୍ୟଗ୍ରସ୍ତ ଗୋଦାବରୀଶ ସେ ପାଇଁ ଅତି ନିଷ୍ଠାର ସହିତ ଚନ୍ଦ୍ରମୋହନ ବାବୁଙ୍କୁ ପରବର୍ତ୍ତୀ କାଳରେ ସ୍ମରଣ କରିଛନ୍ତି । ସେ ଲେଖିଛନ୍ତି– “କଟକରେ ଚନ୍ଦ୍ରମୋହନ ବାବୁଙ୍କ ବାସରେ ମୋର କୃତ୍ୟ ବେଶ୍‍ ଚଳିଯାଏ । ମୋ ବୃତ୍ତି ପାଇବା ସଂବାଦ ଚନ୍ଦ୍ରମୋହନ ବାବୁଙ୍କ ପାଖରୁ ଜାଣିଲି । ସେତେବେଳକୁ ସେ କଟକ ନର୍ମାଲ ସ୍କୁଲକୁ ଦ୍ୱିତୀୟ ଶିକ୍ଷକ ପଦରେ ବଦଳି ହୋଇ ଆସିଥିଲେ । ସେ ଚିଠିରେ ଗୋଟିଏ ପ୍ରସ୍ତାବ ମଧ୍ୟ ଜଣାଇଥିଲେ । ପ୍ରସ୍ତାବଟି ହେଉଛି ମୁଁ ତାଙ୍କ ବସାରେ ଆସି ରହି କଲେଜରେ ପଢ଼ିବି ଓ ମୋ ଖାଇବା ପିଇବା ଖର୍ଚ୍ଚ ବାବଦକୁ ତାଙ୍କ ବଡ଼ପୁଅ ରଜନୀକୁ ପଢ଼ାଇବି ।” (୧୧)

 

ଗୋଦାବରୀଶ ଓ ନୀଳକଣ୍ଠ ଚନ୍ଦ୍ରମୋହନ ବାବୁଙ୍କ ଅତି ପ୍ରିୟ ଛାତ୍ର ଥିଲେ । ଏମାନେ ଚନ୍ଦ୍ରମୋହନ ବାବୁଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବି ଆସିଥିଲେ । ରାଧାନାଥଙ୍କ ସହିତ ବନ୍ଧୁତା ଥିବାରୁ ଶଶୀଭୂଷଣ ରାୟ ମଧ୍ୟ ଚନ୍ଦ୍ରମୋହନ ବାବୁଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରୁଥିଲେ । ତାଙ୍କ ଧବଳେଶ୍ୱର ବାସଭବନରେ ଚନ୍ଦ୍ରମୋହନ ବାବୁଙ୍କ ଚିଠି ସବୁ ସେ ସାଇତି ରଖିଥିଲେ । ରାୟ ସାହେବ ଶଶିଭୂଷଣ ଓ ସ୍ୱର୍ଗତ ମୃତ୍ୟୁଞ୍ଜୟ ରଥ ଚନ୍ଦ୍ରମୋହନ ବାବୁଙ୍କ ଅନ୍ତରଙ୍ଗ ବନ୍ଧୁଥିଲେ । ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଅନେକ ଥର ଚନ୍ଦ୍ରମୋହନ ବାବୁଙ୍କୁ ଆସି ବାଲେଶ୍ୱରରେ ଭେଟୁଥିଲେ । ବ୍ୟକ୍ତିଗତ ଜୀବନରେ ସେ ଯେପରି ବନ୍ଧୁପ୍ରିୟ ଥିଲେ ତା’ର ଅନେକ ଦୃଷ୍ଟାନ୍ତ ଓଡ଼ିଶାର ପ୍ରତିଷ୍ଠିତ ଅନେକ ଲେଖକଙ୍କ ଲେଖାରୁ ନିଆଯାଇପାରେ ।

 

ଚନ୍ଦ୍ରମୋହନ ବାବୁ ଶ୍ରେଣୀରେ ଅଧିକାଂଶରେ ସାହିତ୍ୟ, ବ୍ୟାକରଣ ଅଧ୍ୟାପନା କରୁଥିଲେ । ବ୍ୟାକରଣରେ ତାଙ୍କର ଗଭୀର ପ୍ରବେଶ ଥିଲା । ନୀଳକଣ୍ଠ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ଚନ୍ଦ୍ରମୋହନ ବାବୁ ବ୍ୟାକରଣ ପଚାରିବେ ବୋଲି ଭୟରେ ପିଲାମାନେ ଚନ୍ଦ୍ରମୋହନ ବାବୁଙ୍କୁ ଆସିବାର ଦେଖିଲେ ଲୁଚି ଯାଆନ୍ତି । ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ ତଥା ହରିଶ୍ଚନ୍ଦ୍ର ବଡ଼ାଲଙ୍କ ପରି କୃତବିଦ୍ୟ ବ୍ୟକ୍ତି ମାତ୍ରେହିଁ ଯେଉଁମାନେ ଅତୀତରେ ତାଙ୍କର ଛାତ୍ର ଥିଲେ ଅକୁଣ୍ଠିତ ଚିତ୍ତରେ ଚନ୍ଦ୍ରମୋହନ ମହାରଣାଙ୍କ ଶିକ୍ଷକତା ସମ୍ପର୍କରେ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି । ସ୍ୱର୍ଗତ ଲକ୍ଷ୍ମୀନାରାୟଣ ସାହୁ ଲେଖିଛନ୍ତି– ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣା ଏହିପରି ଚଉଆଖିଆ ଥିଲେ ଏବଂ ତାଙ୍କର ଜ୍ଞାନ ବଡ଼ ଗଭୀର ଥିଲା ।(୧୨)

 

ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ ଚନ୍ଦ୍ରମୋହନ ମହାରଣାଙ୍କ ପାଣ୍ଡିତ୍ୟ, ଆଦର୍ଶ ଶିକ୍ଷକତା ତଥା ଗୈରୀକ ଜୀବନଚର୍ଯ୍ୟା ସମ୍ପର୍କରେ ସମୁଚିତ ମନ୍ତବ୍ୟ ଦେଇ କହିଛନ୍ତି– “ଯଥାର୍ଥରେ ତାଙ୍କ ପରି ଉଦାରଚେତା ଶିଶୁପ୍ରାଣ ଶିକ୍ଷକ ମୁଁ ବଡ଼ କମ ଦେଖିଛି । ପିଲାଙ୍କର ବ୍ରହ୍ମଚର୍ଯ୍ୟଗତ ଚରିତ୍ର ପାଇଁ ତାଙ୍କର ବଡ଼ ତୀକ୍ଷ୍‌ଣ ଦୃଷ୍ଟି ଥିଲା । ସେତିକି ନୁହେଁ ପାଠ ବୁଝିବା ଦରକାର ହେଲେ ତାଙ୍କଦ୍ୱାର ମୋ ପାଇଁ ସର୍ବଦା ଅବାରିତ ଥିଲା । ରାତି ଏଗାରଟାବେଳେ ମଧ୍ୟ ବୀଜଗଣିତର ମୋ ପକ୍ଷରେ ସେତେବେଳେ ଅସାଧ୍ୟ ସମସ୍ୟାମାନ ଘେନିଯାଇ ମୁଁ ପହଞ୍ଚିଛି । ସେ ଶୋଇବାଠାରୁ ଉଠିଆସି ମୋ ଅଙ୍କଟି ମୋତେ ବୁଝାଇ ଦେଇ ପୁଣି ଯାଇ ଶୁଅନ୍ତି ।” (୧୩)

 

ଓଡ଼ିଶାର କୃତବିଦ୍ୟ ବହୁ ସାହିତ୍ୟିକଙ୍କ ସ୍ମୃତିରେ ଅସାଧାରଣ ଶିକ୍ଷକ ଚନ୍ଦ୍ରମୋହନ ମହାରଣାଙ୍କ ନିର୍ଭୀକ ବ୍ୟକ୍ତିତ୍ୱ ଯେଉଁ ସ୍ପଷ୍ଟ ମୁଦ୍ରା ଅଙ୍କନ କରିଛି ତାହା ଓଡ଼ିଶାର ଅଧ୍ୟାପନା ଇତିହାସର ଏକ ଉଲ୍ଲେଖଯୋଗ୍ୟ ଅଧ୍ୟାୟ ନିଶ୍ଚୟ । କବି ରାଧାନାଥଙ୍କୁ ତାଙ୍କ ସାହିତ୍ୟ ସାଧନାର ନିଷ୍ଠା ଯେତିକି ପ୍ରଲୁବ୍ଧ କରିଥିଲା ତା’ଠାରୁ ବଳି ଆକର୍ଷଣ କରିଥିଲା ସ୍ୱର୍ଗତ ମହାରଣାଙ୍କ ଅସାଧାରଣ ଶିକ୍ଷକତା । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି କୃତୀ ଛାତ୍ର ମହାରଣାଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି– “ଉଚ୍ଚାରଣ ହେଉ ବା ଭାଷାଜ୍ଞାନ ହେଉ, ଇଂରାଜୀରେ ବ୍ୟୁତ୍ପତ୍ତି ନିମନ୍ତେ ମୁଁ ଚନ୍ଦ୍ରମୋହନ ବାବୁଙ୍କ ନିକଟରେ ଋଣୀ, କିନ୍ତୁ ତା’ର ଯଥାର୍ଥ ବ୍ୟବହାର କରି ପାରିନାହିଁ ।” (୧୪)

 

ସାହିତ୍ୟ ଆଲୋଚନା

 

ତାଙ୍କ ଲିଖିତ ପ୍ରବନ୍ଧଗୁଡ଼ିକ ଯେପରି ବିଶ୍ଳେଷଣାତ୍ମକ, ଯୁକ୍ତିଭିତ୍ତିକ ସେହିପରି ମନନଧର୍ମୀ, ତଥ୍ୟାତ୍ମକ ଓ ଉଦବୋଧନ ମୂଳକ । ଇଂରାଜୀ ସାହିତ୍ୟରେ ତାଙ୍କର ପାଣ୍ଡିତ୍ୟ ଥିବାରୁ ସେ ସାହିତ୍ୟ ଆଲୋଚନା ଓ ଲିଖିତ ପ୍ରବନ୍ଧମାନଙ୍କର ଏକ ତୁଳନାତ୍ମକ ଅଧ୍ୟୟନର ପ୍ରତିଷ୍ଠା କରିଛନ୍ତି । ସେ ବହୁ ଭାବରେ ବ୍ୟାକରଣ ସଚେତନ ଥିଲେ । ଏପରିକି କୁହାଯାଏ ସେ ତାଙ୍କ ଲେଖାଗୁଡ଼ିକୁ ସେପାଇଁ ବହୁବାର ସଂଶୋଧନ କରୁଥିଲେ । ସେ ପାଇଁ କୌଣସି ଲେଖା ଶେଷ କରିବାକୁ ତାଙ୍କୁ ଦୀର୍ଘ ସମୟ ଲାଗୁଥିଲା । ଓଡ଼ିଶାର ପ୍ରାଚୀନ, ମଧ୍ୟଯୁଗୀୟ, ତଥା ଆଧୁନିକ ସାହିତ୍ୟ ସମାଲୋଚନାରେ ସେ ନିଜର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ, ଜ୍ଞାନ, ମନନଶୀଳତା ତଥା ସଂଶ୍ଳେଷଣାତ୍ମକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି । ସେ ଜୀବନରେ ଯଦିଓ ରାଧାନାଥଙ୍କର ଜଣେ ମୁଗ୍‌ଧ ପାଠକ ଥିଲେ ତଥାପି ସେ କେବେ କୌଣସି ବ୍ୟକ୍ତି ବିଶେଷଙ୍କ ସାହିତ୍ୟର ଅନ୍ଧ ସ୍ତାବକ ନ ଥିଲେ । ସବୁ ଯୁଗର ନିର୍ଭୀକ ତଥା ସ୍ୱାଧୀନଚେତା କବି ଓ କଳାକାରମାନଙ୍କ ପରି ପାରିବାରିକ, ସାମାଜିକ ତଥା ଆନୁଷ୍ଠାନିକ ଜୀବନରେ ସେପାଇଁ ସେ ବହୁବାର ବିପର୍ଯ୍ୟସ୍ତ ହୋଇଛନ୍ତି । ତଥାପି ଶିକ୍ଷକ ଜୀବନରେ ତଥା ସାହିତ୍ୟ ସମାଲୋଚକ ଭାବେ ସେ ନିର୍ଭୀକ ମତ ପ୍ରଦାନରୁ କ୍ଷାନ୍ତ ହୋଇନଥିଲେ ।

 

ତାଙ୍କର କଥାବଳୀ ପୁସ୍ତକ ସନ୍ନିବେଶିତ ପ୍ରବନ୍ଧଗୁଡ଼ିକ ଅଧିକାଂଶରେ ନୀତି ଉପଦେଶାତ୍ମକ ଓ ଉଦବୋଧନମୂଳକ । ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ରଚନା ପରିବର୍ଦ୍ଧିତ ହେଉ ଏହା ସେ ସର୍ବାନ୍ତକରଣରେ କାମନା କରୁଥିଲେ । ଏତଦ୍‌ଭିନ୍ନ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ପରି ସାଧାରଣ ଗ୍ରାମ୍ୟ ଜୀବନର ଛବି ଆଙ୍କି ତାଙ୍କ କବିତାଗୁଡ଼ିକୁ କୋମଳମତି ଛାତ୍ରଛାତ୍ରୀମାନଙ୍କ ନିକଟରେ ଆପଣାର ଭାଷା ଭିତରେ ଅଧିକ ହୃଦ୍ୟ ଓ ହାର୍ଦ୍ଦିକ କରିପାରିଥିଲେ । ତାଙ୍କର ‘ବସନ୍ତ’, ‘ମଲ୍ଲୀକା’, ‘ଶରତ’, ‘ମଳୟାନିଳ ପ୍ରତି’ ପ୍ରଭୃତି ପ୍ରକୃତି ଚିତ୍ର ସମ୍ବଳିତ କବିତା, ‘ଅପୂର୍ବ କାରାରୁଦ୍ଧ ପୁରୁଷର ପତ୍ର’, ‘ଶଯ୍ୟାସ୍ଥ ଆଶାମୁଗ୍‌ଧ ବ୍ୟକ୍ତି’, ‘ମାତୃହୀନ ବାଳକର ଜନନୀ ପ୍ରତି’, ‘ନିରାଶ ବ୍ୟକ୍ତିର ନିଶୀଥ ନିଭୃତ ଚିନ୍ତା’, ‘ମାତୃବିୟୋଗ’ ଆଦି କରୁଣ ରସାତ୍ମକ କବିତା ଜୀବନର ନିବିଡ଼ ଅନୁଭୂତି ଅଥବା ଅଭିଜ୍ଞାନ ଉପରେ ଆଧାରିତ । ଫକୀରମୋହନ, ରାଧାନାଥ, ଶଶଭୂଷଣ ଓ ବୈକୁଣ୍ଠ ନାଥ ଦେ ପ୍ରଭୃତି ସାହିତ୍ୟିକ ଓ କଳାପ୍ରାଣ ବ୍ୟକ୍ତି ଚନ୍ଦ୍ରମୋହନ ମହାରଣାଙ୍କୁ ବହୁଭାବରେ ପ୍ରଭାବିତ କରିଛନ୍ତି । ଶବ୍ଦ ଗୁମ୍ପନ ତଥା ପ୍ରକୃତି ଚିତ୍ରଣରେ ରାଧାନାଥଙ୍କ ପ୍ରଭାବ ଚନ୍ଦ୍ରମୋହନ ବାବୁଙ୍କ କବିତାରେ ସ୍ଥାନେ ସ୍ଥାନେ ପରିଲକ୍ଷିତ ହୁଏ ।

 

“ଛାଡ଼ି ଛାଡ଼ି ଶୀତ

ହେଲାଣି ଅତୀତ

ଗ୍ରୀଷ୍ମ ମାଡ଼ି ଆସି ନାହିଁ

ଶ୍ରାବଣେ ଦୁର୍ଗମ

ବରଷା କର୍ଦ୍ଦମ

ବହୁଦୂରେ ଅଛି କାହିଁ?

ଆକାଶ ବିମଳ

ଚନ୍ଦ୍ରମା ବିମଳ

ବିମଳ ତାରକା ପୁଞ୍ଜ

ସ୍ୱଚ୍ଛ ସରୋବର

ନଦୀଝର ନୀର

ସୁରଭି ସୁଚିତ୍ର କୁଞ୍ଜ ।”

 

ରାଧାନାଥଙ୍କ ପ୍ରଭାବର ଆଉ ଏକ ଦୃଷ୍ଟାନ୍ତ ତାଙ୍କର ‘ଖଣ୍ଡଗିରି’ କବିତା–

 

ମନରେ ପ୍ରବଳ ହେଲା ଏହି ଅଭିଳାଷ

କରିବି କୋଳରେ ତୋ’ର ମୁହିଁ ସଦାବାସ

ପାବନ ମୋହନ କୋଳ ତୋ’ର ନ ତେଜିବି

ଜଗତର କୋଳାହଳେ ଆଉ ନ ପଶିବି ।

 

କେବଳ ରାଧାନାଥ କାବ୍ୟାଦର୍ଶୀ ନୁହେଁ, ଭାଷା ଓ ଛନ୍ଦ ଦୃଷ୍ଟିରୁ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟାଦର୍ଶକୁ ମଧ୍ୟ ସେ ଅତି ଶ୍ରଦ୍ଧାର ସହିତ ଅନୁସରଣ କରିଛନ୍ତି । ତାଙ୍କର ପ୍ରକୃତି ବର୍ଣ୍ଣନା ସମ୍ବଳିତ କବିତାଗୁଡ଼ିକ ଏଠାରେ ଦ୍ରଷ୍ଟବ୍ୟ ।

 

ନିଶାରେ

ଅଜସ୍ର ତୁଷାର ବର୍ଷିଲା;

ଧଳା ଭସ୍ମ ବୋଳା

ତପସ୍ୱୀ ମହିଳା

ପରାଏ ଯାମିନୀ ଦିଶିଲା ।

କମଳିନୀ ବନ

ଲଭିଲା ନିଧନ

ଶିଶିର ପରଶେ ପୋଡ଼ିଣ,

ଦିଶେ ହତଶିରୀ

ସରସୀ, ଯେପରି

ବିଧବା ଭୂଷଣ ବିହୀନ ।

ଏକାଳେ

ବିପିନେ ଅଶୋଭା ହୋଇଲା,

କେତେ କେତେ ତରୁ

ଲତାର ଅଙ୍ଗରୁ

ପକ୍ୱ ପତ୍ର ରାଶି ଝଡ଼ିଲା ।”

(ଶିଶିର)

 

ବର୍ଷା, ବସନ୍ତ, ଗ୍ରୀଷ୍ମ, ଶୀତ ପ୍ରତ୍ୟେକ ଋତୁର ଚିତ୍ର ଅଙ୍କନ କରି ସ୍ୱର୍ଗତ ମହାରଣା ନିଜର କଳ୍ପନା ଶକ୍ତି ଓ ପ୍ରକୃତିପ୍ରାଣତାର ପରିଚୟ ଦେଇଛନ୍ତି । ହେମନ୍ତ ଋତୁର ଚିତ୍ର ଅଙ୍କନ କରି କବି ଲେଖିଛନ୍ତି–

 

“ସହସ୍ର ଶତବର୍ଗ କୁସୁମ ଫୁଟେ;

ରମ୍ୟ କନକ କାନ୍ତି ସେହୁ ପ୍ରକଟେ;

ଛବିଳ ପତଙ୍ଗମ ପାର୍ବତୀ ତହିଁ

ବିହରି ପରିତୋଷେ ମଧୁ ଭୁଞ୍ଜଇ ।”

(ହେମନ୍ତ)

 

ଶରତ ଋତୁର ଚିତ୍ର

 

“ବିମଳ ସରସୀ ସଲିଳେ

 

ଶୁଭ୍ର ମରାଳ ପନ୍ତି

ସମୀରଣ ଲୋଳ ଲହରୀ–

 

ମାଳେ ରଙ୍ଗେ ଦୋଳନ୍ତି ।

(ଶରତ)

 

ଉପସଂହାର

 

ନିମ୍ନ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ସେ ମୁଖ୍ୟତଃ ପାଠ୍ୟପୁସ୍ତକ ରଚନା କରିଥିଲେହେଁ ତଥା ତାଙ୍କର ଉଭୟ ଗଦ୍ୟ ଓ ପଦ୍ୟ ରଚନା ତଥ୍ୟ ଜ୍ଞାପକ, ତଥା ବିଜ୍ଞାନ ପ୍ରଚାରକ ହୋଇଥିଲେହେଁ ସେଗୁଡ଼ିକରେ କଳାତ୍ମକତା ଓ ଏକ ପରିଚ୍ଛନ୍ନ ଉଚ୍ଚାଙ୍ଗ ବ୍ୟକ୍ତିନିଷ୍ଠ ଶୈଳୀ ଚିହ୍ନିତ ହୋଇଛି । ସେ ସମୟରେ ପୂର୍ବବର୍ତ୍ତୀ କବିମାନଙ୍କଦ୍ୱାରା ସେ କେବଳ ଅନୁପ୍ରାଣିତ ହୋଇନଥିଲେ । ବରଂ ଗଦ୍ୟରେ ସେ ଏକ ସାଧାରଣ, ସ୍ୱାଭାବିକ ତଥା ସହଜ ଶୈଳୀ ସୃଷ୍ଟି କରିଥିଲେ । ସେପାଇଁ ତାଙ୍କର ଗଳ୍ପଗୁଡ଼ିକ ଅଧିକ ଚିତ୍ରଧର୍ମୀ ଓ ପ୍ରାଣବନ୍ତ । ଇଂରାଜୀ ଶିଶୁଗଳ୍ପ ଛାୟାରେ ମଧ୍ୟ ସେ ଅଧିକାଂଶ ଗଳ୍ପ ଓ କାହାଣୀ ରଚନା କରିଛନ୍ତି । ପାଠ୍ୟପୁସ୍ତକ ପ୍ରଣୟନ କରିବାରେ ସେ ଯଦିଓ ମନୋନିବେଶ କରିଥିଲେ ତଥାପି ସ୍ୱତଃସ୍ଫୂର୍ତ୍ତ ଭାବେ କାବ୍ୟକବିତା ପ୍ରଣୟନ କରିବାରେ ତାଙ୍କର କୃତିତ୍ୱ ଚିହ୍ନିତ । ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ତାଙ୍କର ଇତିହାସ ପ୍ରବନ୍ଧ ଓ ତାଙ୍କର ପ୍ରଦତ୍ତ ଅଭିଭାଷଣ ମୁଦ୍ରିତ ହୋଇ ଉଚ୍ଚ ଶ୍ରେଣୀମାନଙ୍କରେ ପାଠ୍ୟରୂପେ ଗୃହୀତ ହୋଇଛି । ୧୯୧୨ ମସିହାରେ ଘରପୋଡ଼ିରେ ତାଙ୍କର ୪୦ଖଣ୍ଡରୁ ଅଧିକ ପାଣ୍ଡୁଲିପି ନଷ୍ଟ ହୋଇଯାଇଥିଲା । ମାଲି ମୋକଦ୍ଦମା, ନିଜର ଶାରୀରିକ ଅସୁସ୍ଥତା ତଥା ପତ୍ନୀ ବିୟୋଗ ଜନିତ ଦୁଃଖ ତାଙ୍କୁ ଅବସନ୍ନ କରି ପକାଇଥିଲା । ଦୀର୍ଘଦିନ ଧରି ରୋଗାକ୍ରାନ୍ତ ହେଲାପରେ ୧୯୨୯ ମସିହା ଚୈତ୍ର ଅମାବସ୍ୟା ଦିନ ତାଙ୍କର ପରଲୋକ ହୋଇଥିଲା ।

 

ଆସନ୍ତାକାଲି, ଜାନୁଆରୀ-୧୯୭୭

-୦-

 

ଚନ୍ଦ୍ରମୋହନ ବାଜ

ପ୍ରଫେସର ଜ୍ଞାନଦେବ ମହାରଣା

 

ଚନ୍ଦ୍ରମୋହନ ମହାରଣା ମୋର ଠାକୁବା । ମୋର ଜନ୍ମ ପୂର୍ବରୁ ଠାକୁବା ଇହଲୀଳା ଶେଷକରି ବାହୁଡ଼ି ଯାଇଥିଲେ । ମୁଁ ତାଙ୍କୁ ସ୍ୱଚକ୍ଷୁରେ ଦେଖିନଥିଲେ ତାଙ୍କର ଗୋଟିଏ ତୈଳଚିତ୍ର ଆମର ରେମୁଣା ଘରେ ଥିଲା । ପିଲାଦିନେ ମୋର ଗାଗା (ମା’) ମୋର ଠାକୁବାଙ୍କ ବିଷୟରେ ଗପ କହେ । ସେ କିପରି ଅଧ୍ୟବସାୟୀ ଥିଲେ ଏବଂ ଜଣେ କୃତି ଛାତ୍ର ଥିଲେ । ଦାରିଦ୍ର‌୍ୟର କଷାଘାତରେ ନିରୁତ୍ସାହିତ ନ ହୋଇ କଠୋର ପରିଶ୍ରମ କରି କୃତକାର୍ଯ୍ୟ ହୋଇଥିଲେ ।

 

ମୋର ଓଡ଼ିଆ ବ୍ୟାକରଣ ପରିଚୟ ଚନ୍ଦ୍ରମୋହନ କୃତ ବ୍ୟାକରଣ ସୋପାନରୁହିଁ ହେଲା । ଏହାର ରଚୟିତା ଏବଂ ମୋର ଠାକୁବା ଯେ ଏକ ବ୍ୟକ୍ତି ଏ କଥା ମୋତେ କହିନଥିଲେ । ସମ୍ଭବତଃ ଘରେ ସମସ୍ତଙ୍କର ଧାରଣା ଥିଲା ଯେ ବଡ଼ ହେଲେ ଆପେ ଜାଣିବ, ଆମେ କାହିଁକି କହିବା ? ମୁଁ ରାମଚନ୍ଦ୍ରପୁରର ‘ବାଣୀଶ୍ରୀ’ ମୌଳିକ ଶିକ୍ଷାନୁଷ୍ଠାନରେ ପଢ଼ିଲି । ଗୋଟିଏ ରଚନାରେ ବ୍ୟାକରଣର ନିୟମ ହୁଡ଼ିଲି । ଗୁରୁଜୀ ମୋତେ ଆକଟକରି କହିଲେ; ‘କିହୋ ତୁମେ ଚନ୍ଦ୍ରମୋହନ ମହାରଣାଙ୍କର ନାତି ହୋଇ ଏ ପ୍ରକାରର ବ୍ୟାକରଣଗତ ଭୁଲ କିପରି କରି ବସିଲ ?’ ମୁଁ ସେଦିନ ଅବଗତ ହେଲି ଯେ ମୋର ଠାକୁବା ଚନ୍ଦ୍ରମୋହନ ମହାରଣା ଏବଂ ବ୍ୟାକରଣ ସୋପାନର ରଚୟିତା ଚନ୍ଦ୍ରମୋହନ ମହାରଣା ଜଣେ ବ୍ୟକ୍ତି ।

 

ଗା ଗା ଠାକୁବାଙ୍କ ବିଷୟରେ ଅନେକ ଗପ କହେ । ସେ ଜଣେ ଖ୍ୟାତିସମ୍ପନ୍ନ ସାହିତ୍ୟିକ ଥିଲେ । ଠାକୁବା ସ୍ୱନାମଧନ୍ୟ ଶିକ୍ଷକ ଥିଲେ । ବ୍ୟାକରଣ ଶାସ୍ତ୍ରରେ ତାଙ୍କର ଅସାଧାରଣ ବ୍ୟୁତ୍ପତ୍ତି ଥିଲା । ଠାକୁବା କର୍ତ୍ତବ୍ୟନିଷ୍ଠ ଥିଲେ । ତାଙ୍କର ଚରିତ୍ର ନିଷ୍କଳଙ୍କ ଥିଲା । ତାଙ୍କର ଯେଉଁ ଛାତ୍ରମାନେ ପରବର୍ତ୍ତି କାଳରେ କୃତବିଦ୍ୟ ହେଲେ ଓ ଖ୍ୟାତି ଲାଭ କଲେ ସେମାନଙ୍କର ଜୀବନରେ ଠାକୁବାଙ୍କର ବ୍ୟକ୍ତିତ୍ୱର ଛାପ ରହିଯାଇଥିଲା । ଗୋଦାବରୀଶ ମିଶ୍ର ମହାଶୟ ତାଙ୍କର ଆତ୍ମଜୀବନୀ ‘ଅର୍ଦ୍ଧ ଶତାବ୍ଦୀର ଇତିହାସ ଓ ତହିଁରେ ମୋ ସ୍ଥାନ’ ପୁସ୍ତକରେ ଠାକୁବାଙ୍କ ବିଷୟରେ ବହୁ ତଥ୍ୟ ବାଢ଼ିଛନ୍ତି । ନୀଳକଣ୍ଠ ଦାଶ ମଧ୍ୟ ଠାକୁବା’ଙ୍କର ଛାତ୍ର ଥିଲେ । ସେ ତାଙ୍କର ଆତ୍ମ ଜୀବନୀରେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି । ଠାକୁବା’ କ୍ଷଣକୋପୀ ଥିଲେ । ସମସ୍ତେ କହନ୍ତି ଯେ ତାଙ୍କର କ୍ରୋଧ ଅତିଶୀଘ୍ର ଉପଶମ ହୋଇଯାଏ । ତାଙ୍କର ମନ ରସଗୋଲା ପରି ନରମ ଥିଲା । ଠାକୁବା’ ଛାତ୍ରବତ୍ସଳ ଥିଲେ । ସେ ମେଧାବୀ ଏବଂ ଆର୍ଥିକ ସମ୍ବଳରୁ ବଞ୍ଚିତ ବହୁ ଛାତ୍ରଙ୍କୁ ସହାୟତା ଦାନ କରିଛନ୍ତି । ସବୁଜ ଯୁଗର ଅନ୍ୟତମ ବିଖ୍ୟାତ ସାହିତ୍ୟିକ ହରିଶ୍ଚନ୍ଦ୍ର ବଡ଼ାଲ ମୋ ନିକଟରେ ବହୁବାର ଠାକୁବା’ଙ୍କର ଗୁଣ କୀର୍ତ୍ତନ କରିଛନ୍ତି । ସେ ଆଚାର୍ଯ୍ୟ ବିହାରରେ କିଛିଦିନ ଅବସ୍ଥାନ କରିଥିଲେ । ମୋତେ ଡକାଇ ପଠାଇଲେ । ପୁନର୍ବାର ଠାକୁବା’ଙ୍କର ସ୍ମୃତିଚାରଣ କଲେ । କିଛି ସମୟ ନୀରବ ରହି ପଚାରିଲେ “ବାବା ବୟସ କେତେ ହେଲା ?” ମୁଁ ଉତ୍ତର ଦେଲି “ପଚାଶ” । ମୋତେ ଟିକିଏ ନିରିଖେଇ ଅନେଇଲେ, କହିଲେ “ସେଇ ଆଖି ସେଇ ମୁହଁ, ସେଇ ନାକ ।”

 

ଠାକୁବାଙ୍କର ଶିକ୍ଷାଦାନ ପଦ୍ଧତ୍ତିର ଏକ ବୈଶିଷ୍ଠ୍ୟ ଥିଲା । ଗୋଦାବରୀଶବାବୁ ତାହାର ପ୍ରାଞ୍ଜଳ ବର୍ଣ୍ଣନା ନିଜର ଆତ୍ମଜୀବନୀରେ ଲିପିବଦ୍ଧ କରିଛନ୍ତି । ‘ଚିଲିକା’ ପଢ଼ାଇଲାବେଳେ ଚାରିପଦ ନ ସରୁଣୁ ପିରିଅଡ଼ ବିତିଯାଏ । ଇଂରାଜୀ ଗଦ୍ୟ ପଢ଼ାଇଲେ ଘଣ୍ଟାରେ ଗୋଟିଏ ପାରାଗ୍ରାଫ (Paragraph) ସାରିବା କଷ୍ଟକର । ବାକ୍ୟଟିର ବ୍ୟାକରଣ ଦୃଷ୍ଟିକୋଣର ତର୍ଜମା କରିବେ । ଅନ୍ୟାନ୍ୟ ସାହିତ୍ୟିକମାନଙ୍କର ଲେଖାର ଉଦାହରଣ ଦେଇ ତୁଳନାତ୍ମକ ମୂଲ୍ୟାୟନ କରିବେ ଏବଂ ତିନି ଚାରି ପ୍ରକାରର ବ୍ୟାଖ୍ୟା କରି ବୁଝାଇବେ । ମୋର ବା’ ମଧ୍ୟ ସେହି ଶୈଳୀରେ ପଢ଼ାଉଥିଲେ । ମୁଁ କହେଁ ଏ ହେଉଛି ଚନ୍ଦ୍ରମୋହନ ମହାରଣା ବାଜ । ମୁଁ ମଧ୍ୟ ସେହି ଶୈଳୀ ଅନୁସରଣ କରିବା ପାଇଁ ପ୍ରଚେଷ୍ଟା କରି ଆସୁଛି । ସିତାର ବାଦନରେ ଇମଦାଦ୍ ଖାନ ନିଜର ଗୋଟିଏ ବାଜ ସୃଷ୍ଟି କରିଥିଲେ । ତାଙ୍କର ତାନ-ତୋଡ଼ାରେ ସେ ‘ତିହାଇ’ର ଅନୁପ୍ରବେଶ କରାଇଥିଲେ । ଚନ୍ଦ୍ରମୋହନ ବାଜ ଓ ଇମଦାଦ୍ ଖାନ ବାଜରେ ବହୁତ ସାମଞ୍ଜସ୍ୟ ରହିଅଛି । ଇମଦାଦ୍‌ଖାନୀ ଘରନାରେ ଚାରିପୁରୁଷ ସିତାରିୟା ଏବଂ ଚନ୍ଦ୍ରମୋହନ ମହାରଣା ଘରନାରେ ମଧ୍ୟ ଚାରି ପୁରୁଷ ଧରି ଶିକ୍ଷାଦ ।*

 

* ଚନ୍ଦ୍ରମୋହନଙ୍କର ବ୍ୟାକରଣ ସିଦ୍ଧିଯୁକ୍ତି: “ଜଳଦାନ କରେ ଜଳଦ; ଶିକ୍ଷାଦାନ କରେ ଶିକ୍ଷାଦ ।”

-୦-

 

ଗାଳ୍ପିକ ଚନ୍ଦ୍ରମୋହନ

ପ୍ରଫେସର ମନୋରଂଜନ ପ୍ରଧାନ

 

ଚନ୍ଦ୍ରମୋହନ ମହାରଣା (୧୮୭୦-୧୯୨୯) ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ । ଶିକ୍ଷକ ଭାବରେ ସେ ମଧ୍ୟ ଥିଲେ ଜଣେ ଯଥାର୍ଥ ବ୍ୟାକରଣ ଶିକ୍ଷକ ଓ ରଚନା ପ୍ରଣାଳୀ ପ୍ରବର୍ତ୍ତକ । କୋମଳମତି ବାଳକ ବାଳକାଙ୍କ ପ୍ରତି ସେ ସର୍ବଦା ଥିଲେ ଉଦାର ଓ ସ୍ନେହଭାବାପନ୍ନ ଉପଯୁକ୍ତ ଆଦର୍ଶ ବ୍ୟକ୍ତିତ୍ୱ । ତାଙ୍କ ମନ ଓ ହୃଦୟକୁ ସ୍ପର୍ଶ କଲାଭଳି ଲେଖା ଓ ବକ୍ତବ୍ୟ ରଖି ସେ ପିଲାମାନଙ୍କୁ ପାଠପ୍ରେମୀ କରିପାରୁଥିଲେ । ନିଜେ ଛାତ୍ର ଜୀବନରେ ମେଧାବୀ ଥିବାରୁ ସବୁ ଛାତ୍ର ମେଧାବୀ ହୁଅନ୍ତୁ ବୋଲି ସେ ଚାହିଁବା ସହିତ ନାନା ସାଧନା ବଳରେ ସେମାନଙ୍କ ବ୍ୟକ୍ତିତ୍ୱକୁ ଆଦର୍ଶମୟ କରି ଗଢ଼ିବାକୁ ଚେଷ୍ଟା କରୁଥିଲେ । ସୁତରାଂ ଚନ୍ଦ୍ରମୋହନଙ୍କ ଅଧିକାଂଶ ଗଳ୍ପ ଥିଲା ନୀତିଶିକ୍ଷା, ଚରିତ୍ରଗଠନ ଉପଯୋଗୀ, ଶିଶୁ ମନଘେନା ହିତୋପଦେଶ ସମ୍ବଳିତ । ଜ୍ଞାନୀ ଓ ପଣ୍ଡିତ ଶିକ୍ଷକଭାବେ ଜଣାଶୁଣା ଚନ୍ଦ୍ରମୋହନ ସୁସ୍ଥ ସମାଜ ଓ ନୀତିନିଷ୍ଠ ଛାତ୍ର ନିର୍ମାଣରେ ବ୍ରତୀ ଥିଲେ । ସୁତରାଂ ସେ ଶିକ୍ଷକତା କରିଥିବା ପ୍ରତ୍ୟେକଟି ସ୍କୁଲର ଛାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶାରେ ଜଣାଶୁଣା ନାମ ଯଶଧାରୀ ଛାତ୍ରଭାବେ ପରିଚିତ ଥିଲେ । ନୀଳକଂଠ, ଗୋଦାବରୀଶ ଓ କୃପାସିନ୍ଧୁଙ୍କ ଭଳି ଛାତ୍ର ଚନ୍ଦ୍ରମୋହନଙ୍କ ପାଖରେ ବିଦ୍ୟା-ଅଧ୍ୟୟନ କରି ଓଡ଼ିଶାର ନାମ ଓ ଯଶ ରକ୍ଷାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ଚେଷ୍ଟା କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଚନ୍ଦ୍ରମୋହନ ମଧ୍ୟ ଥିଲେ ଅନ୍ୟତମ । ରାଧାନାଥ, ମଧୁସୂଦନ, ଫକୀରମୋହନ ପ୍ରମୁଖଙ୍କ ସାହଚାର୍ଯ୍ୟ ଓ ଜାତିପ୍ରେମରେ ଉଦ୍‌ବୁଦ୍ଧ ହୋଇ ଐତିହ୍ୟ ରଚନା କରିବା ସହିତ ଜାତୀୟ ସଂସ୍କୃତି ଓ ଐତିହ୍ୟରୁ ଉନ୍ନତି ଚର୍ଚ୍ଚା ଥିଲା ତାଙ୍କର ଅନ୍ୟତମ ଅଭିପ୍ରାୟ । ସୁତରାଂ ସାହିତ୍ୟିକ ଚନ୍ଦ୍ରମୋହନ ଅପେକ୍ଷା ଓଡ଼ିଆ ଜାତିର ଅନ୍ୟତମ ଜନନାୟକ ଭାବରେ ମଧ୍ୟ ତାଙ୍କୁ ଗ୍ରହଣ କରାଯାଇପାରେ । ମଧୁସୂଦନ ଦାସ ମଧ୍ୟ ତାଙ୍କ ପାଇଁ ଥିଲେ ଜଣେ ମହାନ୍‍ ଆଦର୍ଶର ବାହକ । ସୁତରାଂ ତାଙ୍କ କଥାକୁ ଉପେକ୍ଷା କରି ସେ ଯେଉଁ କାର୍ଯ୍ୟସବୁ କରିଛନ୍ତି ତାହା ତାଙ୍କ ଜୀବନକୁ ଅଗ୍ରଗତି କରାଇବା ସହିତ ନୂତନ ପ୍ରେରଣା ପ୍ରଦାନରେ ହୋଇଛି ସହାୟକ ।

 

ଗାଳ୍ପିକ ଚନ୍ଦ୍ରମୋହନ ସମୁଦାୟ ଛୟାଅଶୀ ଗୋଟି ଗଳ୍ପ ରଚନା କରିଛନ୍ତି । ମାତ୍ର ଏଥି ମଧ୍ୟରୁ ଅଳ୍ପ କେତୋଟି ପ୍ରବନ୍ଧ ଧର୍ମୀୟ । ସମୁଦାୟ ଗଳ୍ପକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇପାରେ । ୧-ଶିଶୁ ଉପଯୋଗୀ ୨-କିଶୋରମାନଙ୍କ ମନୋରଂଜନ ସହିତ ଜାତିଧର୍ମ ପାଳନ ପାଇଁ ପରାମର୍ଶ ଧର୍ମୀ ୩- ସଂସ୍କୃତ-ହିତୋପଦେଶ ଧର୍ମୀ, ୪- ବିଦେଶୀମାନଙ୍କୁ ଗୁରୁତ୍ୱ ଦେଇ ଲେଖାଯାଇଥିବା ଚରିତ୍ରଧର୍ମୀ ୫-ମାନବେତର ଚରିତ୍ର ପ୍ରଧାନ ଗଳ୍ପ ।

 

ଦୁଇଟି ଗଳ୍ପ ଗ୍ରନ୍ଥ ମଧ୍ୟରେ କଥାବଳୀ ୧ମ ଭାଗ (ଗଦ୍ୟାଂଶ) ଓ କଥାବଳୀ ୨ୟ ଭାଗ (ଗଦ୍ୟାଂଶ) ମୁଖ୍ୟତଃ ଗଳ୍ପକୁ କେନ୍ଦ୍ରକରି ସଂକଳିତ ଗ୍ରନ୍ଥ ।

 

ପ୍ରଥମ ଗପଟି ଈଶ୍ୱରଙ୍କ ଅସ୍ତିତ୍ୱ ସମ୍ପର୍କିତ ଓ କୋମଳମତି ବାଳକର ଧୀଶକ୍ତିକୁ ପରୀକ୍ଷା କରାଇ ଲେଖକ କହିବାକୁ ଚାହିଁଛନ୍ତି ଯେ ଈଶ୍ୱରଙ୍କ ଗୁରୁତ୍ୱ ନୁହେଁ ବରଂ ଛୋଟ ଛୋଟ ଶିଶୁମାନେ ସଂସାର ବିଷୟରେ ଭାବି ନିଜ ଉତ୍ତରରେ ପ୍ରମାଣ କରନ୍ତୁ ଯେ, ଭଗବାନ ସଂସାର ସୃଷ୍ଟି କରିଥିଲେ ହେଁ ସେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ନ ରହି ସର୍ବତ୍ର ବିରାଜମାନ । ବୃଦ୍ଧ ହିନ୍ଦୁ ସୌଦାଗର ନିଜ ପୁତ୍ର ରାମ ମାଧ୍ୟମରେ କୁହାଉଛନ୍ତି ଯେ ଈଶ୍ୱରଙ୍କ ଅସ୍ତିତ୍ୱ ସର୍ବଦା ବିରାଜମାନ । ସଂସାରକୁ ଜାଣିବୁଝି ତାକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ତାଙ୍କର । ସୁତରାଂ ଆମପରି ସାଧାରଣ ମଣିଷ ଅଯଥା ଶକ୍ତିଶୀଳ ରହିବା ଅବିଧେୟ । ଛାତ୍ରଛାତ୍ରୀଙ୍କ ସମୟଜ୍ଞାନ, ପରିଶ୍ରମ ଅଭାବରେ ମୌଳିକ ଆଦର୍ଶ ବିଘ୍ନିତ ହୁଏ । ସୁତରାଂ ଅତିଛୋଟ ଉଦାହରଣ ପିମ୍ପୁଡ଼ି ଓ ଝିଣ୍ଟିକା ମାଧ୍ୟମରେ ସମୟର ସଦ୍‌ବ୍ୟବହାରକୁ ଦର୍ଶାଇବାରେ ଚନ୍ଦ୍ରମୋହନ ଅଭିଜ୍ଞତାର ପରିଚୟ ଦେଇଛନ୍ତି । ନିର୍ବୋଧ ମୂଷା ଅନ୍ୟ ଏକ ଉଦାହରଣୀୟ ଗଳ୍ପ, ଯେଉଁଥିରେ ଛୁଆ ମୂଷା ବଡ଼ମାନଙ୍କ କଥା ନ ମାନି ଦୁର୍ବୁଧି ହେତୁ ଯନ୍ତାରେ ପଡ଼ି ପ୍ରାଣ ହରାଇଛି । ଗଳ୍ପଟିର ଉପସଂହାରରେ ଗାଳ୍ପିକ ନିଜ ମୁହଁରେ କହିଛନ୍ତି ଯେ, “ବଡ଼ବଡ଼ଙ୍କର କଥା ନ ମାନିଲେ ଲୋକେ ଏହିପରି ବିପଦରେ ପଡ଼ନ୍ତି ।” (ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ପୃଷ୍ଠା-୬୫, ୨୦୧୭) ଏହିପରି ‘ଲୋଭୀ କୁକୁର’ ଗଳ୍ପ ମଧ୍ୟ ପ୍ରମାଣ କରୁଛି ଯେ ଲୋଭହିଁ ସର୍ବନାଶର କାରଣ ହୋଇପାରେ । ମାଂସଲୋଭୀ କୁକୁରଟି ପାଣି ମଧ୍ୟରେ ଛବି ମାଂସକୁ ନିଜ ମୁହଁରେ ଥିବା ମାଂସଠାରୁ ଅନେକ ବଡ଼ ଭାବି ଖାଇବାକୁ ଯାଇ ନିଜ ଅର୍ଜିତ ମାଂସକୁ ମଧ୍ୟ ହରାଇଛି । ଅର୍ଥାତ୍ ନିଜ ମିଥ୍ୟାର କୁପ୍ରଭାବ, ଅସହାୟକୁ ସାହାଯ୍ୟ ପ୍ରଦାନ ଓ ଥଟ୍ଟା ପରିହାସରେ ଅନ୍ୟକୁ ଗୌଣ ଦୃଷ୍ଟିରେ ଗ୍ରହଣ କରିବା ଉଚ୍ଚ ଚିନ୍ତାଧାରାର ମାନସିକତା ନୁହେଁ ବୋଲି ଚନ୍ଦ୍ରମୋହନଙ୍କ ଅଧିକାଂଶ ଗଳ୍ପରୁ ସ୍ପଷ୍ଟ ହୋଇଥାଏ । ବ୍ୟାଧ ଓ କପୋତ, ଭଲ୍ଲୁକ ଓ ପଥିକ, କୋକି ଓ ବକ, ମୟୂର ଓ ମଣି ଆଦି ଗଳ୍ପରେ ଅତି ସଂକ୍ଷେପରେ ବହୁ ଉଚ୍ଚ ନୀତିକଥାର ପ୍ରଚାରକ ଜାଣିହୁଏ । ତେବେ ଏସବୁ ଗଳ୍ପରେ ଗାଳ୍ପିକ ନିଜକଥା ନୁହଁ ସାମାଜିକ ଚିନ୍ତାଧାରାକୁ ପ୍ରକାଶ କରିଛନ୍ତି ବୃହତ୍ତର ଦୃଷ୍ଟିକୋଣରୁ । ‘ସମ୍ପତ୍ ଓ ବିପତ୍‌’ ଗଳ୍ପ ଏହିଭଳି ସ୍ୱାର୍ଥପର ଓ ଅବିବେକି ପଣିଆର ନିଦର୍ଶନ । ରାମ ଓ ଶ୍ୟାମ ରାସ୍ତାରୁ ପାଇଥିବା ଟଙ୍କାଥଳିକୁ କେବଳ ନିଜର ବୋଲି କହିବାବେଳେ ରାମର ସ୍ୱାର୍ଥପରତା ପ୍ରକାଶ ପାଇଛି, ମାତ୍ର ସେ ଥଳିକୁ ପୋଲିସ ଦେଖିନେବାରୁ ଶ୍ୟାମ ହତବୁଦ୍ଧି ହୋଇ ରାମ ଆଡ଼କୁ ଚାହିଁଲା । ପ୍ରଭୁ ଆମମାନଙ୍କର ଏ ଦୁର୍ଭାଗ୍ୟ ବେଲେ ଏ ବିପଦରୁ ରକ୍ଷା ପାଇବାର ଉପାୟ କ’ଣ ଅଛି, ଆମକୁ ଜଣାନାହିଁ । ଦୟାକରି ସହଯୋଗ କରନ୍ତୁ । ସାରମର୍ମ ଭାବରେ ଏଠାରେ ଗ୍ରହଣ କରାଯାଇପାରେ ଯେ, “ଯେ ସମ୍ପଦରେ ଅନ୍ୟକୁ ଭାଗୀ ନ କର, ବିପଦରେ କେହି ତାହାର ସହାୟ ହୁଅନ୍ତି ନାହିଁ ।” ବ୍ୟକ୍ତିତ୍ୱ ଓ ନିଜସ୍ୱ ଗୁଣକୁ ଲୁଚାଇ ଯେଉଁମାନେ ଅଂଧ ଅହମିକାରେ ମାତି ନିଜକୁ ଶ୍ରେଷ୍ଠ ଓ ଅନ୍ୟଙ୍କ ପ୍ରିୟଭାଜନ ହେବାକୁ ଚାହାଁନ୍ତି ସେମାନେ ମଧ୍ୟ ମିଥ୍ୟାଚାରକୁ ଲୁଚାଇ ପାରନ୍ତି ନାହିଁ । କାଉଟି ମୟୂର ହେବାର ଆସ୍ପର୍ଦ୍ଧା ପ୍ରଦର୍ଶନ କରିଛି ‘ଅହଂକାରୀ କାକ କଥା’ ଗଳ୍ପରେ, ମାତ୍ର ତା’ର ଅସଲ ରୂପ ପ୍ରକାଶ ପାଇବାରୁ ସେ ଅନ୍ୟ ସମସ୍ତଙ୍କଦ୍ୱାରା ନିନ୍ଦିତ ହୋଇ ଅନ୍ୟସ୍ଥାନରେ ଅତ୍ମଗୋପନ କରିବା ପାଇଁ ବାଧ୍ୟ ହୋଇଛି । ଏ ସମସ୍ତ ଗଳ୍ପରେ ଶିଶୁ ଉପଯୋଗୀ ବହୁ ମନୋରଂଜନ ଉପାଦାନ ହେବାରୁ ଏହା ପିଲାମାନଙ୍କଦ୍ୱାରା ଗ୍ରହଣୀୟ ହୋଇ ପାରିଛି । ଏହିପରି କିଶୋରମାନଙ୍କୁ ଆପ୍ଲୁତ କରିବାପାଇଁ ଚନ୍ଦ୍ରମୋହନ ବହୁ ଗଳ୍ପ ରଚନା କରିଛନ୍ତି । ତାଙ୍କ ମତରେ ଏ ବୟସର ପ୍ରଭାବ ଯୋଗୁଁ ତାର ସଦୁପଯୋଗ କରିବା ସଂଭବ ହୋଇନଥାଏ, ଏଣୁ କିଶୋରମନକୁ ସ୍ପର୍ଶ କରୁଥିବା ତଥ୍ୟ ସମ୍ବଳିତ, ଉପାଦାନ ନିହିତ ଗଳ୍ପ ରଚନା ହେବା ଦରକାର । ରାମଚନ୍ଦ୍ର ଓ ଗୁଣ୍ଡୁଚି ମୂଷା, ଚୋରି କରିନାହିଁ, ବିଜ୍ଞ ବିଚାରକ କଥା, ମନୁଷ୍ୟର ଦଶଭୃତ୍ୟ, ରାଜା ଓ ଗୋପାଳ ବାଳକ କଥା ଆଦି ଅତ୍ୟନ୍ତ ହୃଦୟସ୍ପର୍ଶୀ । ‘ଯତ୍ନଶୀଳ ବାଳକ’ ଶୀର୍ଷକ ଗଳ୍ପଟିରେ ଗାଳ୍ପିକ ଦର୍ଶାଇବାକୁ ଚାହିଁଛନ୍ତି ଯେ ସଂସାରର କୌଣସି ବସ୍ତୁ ବା ପଦାର୍ଥ ଅଦରକାରୀ ନୁହେଁ । ଦରିଦ୍ର ବାଳକଟି ମଧ୍ୟ ଏହାର ଯଥାର୍ଥ ପ୍ରଦାନରେ ସକ୍ଷମ ହୋଇପାରିଛି । ପାଠ ପଢ଼ାପରେ ଚାକିରୀ ସଂଧାନରେ ଜମିଦାରଙ୍କ କିରାଣୀ ହେବାପାଇଁ ଦରଖାସ୍ତକରି ମଧ୍ୟ ଚାକିରୀ ନ ପାଇ ଭଗ୍ନ ମନୋରଥରେ ଫେରୁଥିବାବେଳେ ସାମାନ୍ୟ ଏକ ଲୁହା କଣ୍ଟାକୁ ଗୋଟାଇ ରଖିବାହିଁ ତା’ ଭାଗ୍ୟର ଗତିକୁ ପରିବର୍ତ୍ତନ କରିପାରିଥିଲା । ଜମିଦାରଙ୍କ ବିଶ୍ୱାସ, ପ୍ରତ୍ୟେକ ବସ୍ତୁକୁ ସାଇତି ରଖୁଥିବା ବ୍ୟକ୍ତିହିଁ ଭବିଷ୍ୟତ ଜୀବନରେ ଧନୀ ବା ଅର୍ଥର ମୂଲ୍ୟ ବୁଝୁଥାନ୍ତି । ଏଣୁ ସଂଗେ ସଂଗେ ସେ ଦରିଦ୍ର ବାଳକଟିକୁ ଡାକି ଆଣି କିରାଣୀ ଚାକିରିଟି ଦେଲେ । ଆଶ୍ଚର୍ଯ୍ୟର କଥା ଯେ, ବାଳକଟି ସମୟ କ୍ରମେ ବଡ଼ ହୋଇ ଜମିଦାରଙ୍କ ଉତ୍ତରାଧିକାରୀଭାବେ ଦାୟିତ୍ୱ ପାଳନ କରି ନିଜ କୃତିତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲା ।

 

ପ୍ରଥମରୁ ସ୍ପଷ୍ଟ କରିଛି ଯେ, ‘କଥାବଳି’ରେ ସ୍ଥାନିତ ଗଳ୍ପଗୁଡ଼ିକ ମହତ୍ତ୍ୱ ବିଚାର୍ଯ୍ୟ । ଏଥି ସହିତ ଧର୍ମ ଓ ଲୋଭ ସମ୍ପର୍କର ମଧ୍ୟ କେତୋଟି ଉଲ୍ଲେଖଯୋଗ୍ୟ ଗଳ୍ପ ଏହାର କଳାତ୍ମକ ମୂଲ୍ୟବୃଦ୍ଧିରେ ସହାୟକ ହୋଇପାରିଛି । ‘ରାଜା ଓ ସନ୍ନ୍ୟାସୀର କଥା’ ଗଳ୍ପରେ ଲେଖକଙ୍କ ଉଦ୍ଦେଶ୍ୟ ପ୍ରଣିଧାନ ଯୋଗ୍ୟ । ରାଜାଙ୍କ ନଅରକୁ ସନ୍ନ୍ୟାସୀ ଧର୍ମଶାଳା ତୁଲ୍ୟ ଗ୍ରହଣ କରିବାରୁ ଭୃତ୍ୟମାନେ କ୍ଷିପ୍ତ ହେଲେ ସତ; ମାତ୍ର ରାଜା ସନ୍ନ୍ୟାସୀଙ୍କ ଭଳି ଦାର୍ଶନିକଙ୍କଠାରୁ ସବୁ ବୁଝିସାରିବା ପରେ ଦେହତ୍ୟାଗ କରି ସମଗ୍ର ସଂସାରକୁ ଧର୍ମଶାଳାଭାବେ ବିଚାର କଲେ । ସନ୍ନ୍ୟାସୀ କହିଲେ, “ରାଜନ ! ଏ ସଂସାରରେ ସମସ୍ତେ ପାନ୍ଥ । ଆପଣ ଏହାକୁ ନଅର କହନ୍ତି । ପାନ୍ଥ ଯେପରି ଦିନେ ବା ଦୁଇଦିନ ଅବସ୍ଥାନ କରି ଧର୍ମଶାଳାକୁ ପରିତ୍ୟାଗ କରିଯାଏ, ଆପଣ ସେହିପରି ଏ ନଅରରେ କିୟକତ୍‌କାଳ ଅବସ୍ଥାନ କରି ଯଥା ସମୟରେ ଏହା ପରିତ୍ୟାଗ କରିଯିବେ ।” ସନ୍ନ୍ୟାସୀଙ୍କ ଏ ନିରାଟ ସତ୍ୟବାଣୀ ରାଜାଙ୍କୁ ମାୟାଠାରୁ ଦୂରେଇ ରଖିବା ସହିତ ସବୁ କାଳପାଇଁ ସବୁ ପ୍ରାଣୀ ସଚେତନ ହେବାପାଇଁ ପ୍ରତ୍ୟକ୍ଷ ଇଙ୍ଗିତ ପ୍ରକାଶ କଲା । ସାଧାରଣ ଜନତା ଯେପରି ପ୍ରାଚୀନ ସନ୍ଥ ବା ସାଧୁଙ୍କୁ ନିୟମ ପ୍ରଣେତା ଭାବରେ ଗ୍ରହଣ କରୁଥିଲେ ଆଲୋଚ୍ୟ ଗଳ୍ପ ସେହି ପ୍ରଣାଳୀରେ ଥିଲା ଅନ୍ୟତମ ଉଦ୍‌ବର୍ତ୍ତନ ।

 

ହିତୋପଦେଶଧର୍ମୀ ଗଳ୍ପଗୁଡ଼ିକରେ ନୀତିମୟ ଆଦର୍ଶ ଜୀବନ ଯାପନ ପାଇଁ ଇଙ୍ଗିତ ଥିଲେହେଁ ସାମାନ୍ୟ ସହଜ ଦର୍ଶନକୁ ଗ୍ରହଣ କରାଯାଇଛି ଅଧିକାଂଶ ଗଳ୍ପରେ । ଯଥା- ଈଶ୍ୱରଙ୍କ କୃପା ବଳରେ ତୁଚ୍ଛ ପଦାର୍ଥ ମଧ୍ୟ ଅମୂଲ୍ୟ ବସ୍ତୁରେ ପରିଣତ ହୁଏ; ବୁଦ୍ଧି ଥିଲେ ସାମାନ୍ୟ ପକ୍ଷୀଟିଏ ମଧ୍ୟ କୃଷ୍ଣସର୍ପକୁ ବିନାଶ କରିପାରେ; ଧୋବାକୁ ମନ୍ତ୍ରୀକଲେ ଦୁର୍ଦ୍ଦଶା ଅବଶ୍ୟମ୍ଭାବି, ସତ୍ୟ ଲଂଘନ କଲେ ଅନୁତାପ କରିବାକୁ ପଡ଼େ; ବିନୟ, ଧୈର୍ଯ୍ୟ, ଯତ୍ନ, ସତ୍ୟବାଦିତା ଆଦି ଯୋଗ୍ୟତା ଆତ୍ମସନ୍ତୋଷ ଧର୍ମୀ ଡିଗ୍ରୀ ପାଇଁ ଶ୍ରେଷ୍ଠ ପ୍ରମାଣପତ୍ର । ଗଳ୍ପଗୁଡ଼ିକର ଉତ୍କର୍ଷ ପ୍ରତିପାଦନ ପାଇଁ ଆଜ୍ଞାନୁବର୍ତ୍ତିତା, ଅଜ୍ଞାନ ବ୍ୟକ୍ତି ସହିତ ମିତ୍ରତା ନ କରିବା, ଯେ ସମସ୍ତଙ୍କର ସନ୍ତୋଷ ସାଧନାରେ ପ୍ରୟାସୀ ହୁଏ ସେ କାହାରି ସନ୍ତୋଷ ବିଧାନ କରିପାରେନାହିଁ; ଆତ୍ମପକ୍ଷ ଛାଡ଼ି ପରପକ୍ଷ ଅବଲମ୍ବନ ମୃତ୍ୟୁର କାରଣ, ଉପଦେଶ ଅପେକ୍ଷା କର୍ମ ମୂଲ୍ୟବାନ, ଚାଟୁବାକ୍ୟକୁ କର୍ଣ୍ଣପାତ ନ କରି ଜୀବଜଗତପ୍ରତି ଦୟା କରିବାକୁ ଅନେକ ଗଳ୍ପରେ ସେ କହି ଚାଲିଛନ୍ତି ।

 

ବିଦେଶରେ ଯେଉଁ କେତେଜଣ ବ୍ୟକ୍ତିଙ୍କ ଚରିତ୍ର ଚନ୍ଦ୍ରମୋହନଙ୍କୁ ଗଳ୍ପରେ ସ୍ଥାନ ଦେବାପାଇଁ ପ୍ରଭାବିତ କରିଥିଲେ ସେମାନେ ହେଲେ ରାଜା ଆଲଫ୍ରେଡ୍‌, ଜର୍ଜ ୱାଶିଂଟନ, ରାଜା କେନିଉଟ୍ ଓ ସବକ୍ତଗୀନ୍ ପ୍ରମୁଖ । ଆଲଫ୍ରେଡ୍‍ ନିଜ ଧୀ ଶକ୍ତି ବଳରେ ରାଜ୍ୟ ଶାସନ କରିବା ସହିତ ଯଥାର୍ଥ ଶାସନଧର୍ମ ପାଳନ କରି ସମସ୍ତଙ୍କ ପ୍ରୀତିଭାଜନ ହୋଇପାରିଥିଲେ । ସେହିଭଳି ଜର୍ଜ ୱାଶିଂଟନଙ୍କ ସତ୍ୟବାଦିତାହିଁ ତାଙ୍କୁ ସାଧାରଣ ଓ ଅସାଧାରଣ ଜନତାଙ୍କ ନିକଟବର୍ତ୍ତୀ କରିପାରିଥିଲା ବୋଲି ଜର୍ଜ ୱାଶିଂଟନ (୧) ଓ ତାଙ୍କର ଉଦାର ଓ ଦୟା ଗୁଣ ମଧ୍ୟ ଉତ୍ତର କାଳରେ ପ୍ରକାଶ ପାଇଥିଲା ବୋଲି ଜର୍ଜ ୱାଶିଂଟନ (୨) ଗଳ୍ପଟିରେ ସୁସ୍ପଷ୍ଟ । ‘ସବକ୍ତଗୀନ ଓ ମୃଗ ଶାବକର କଥା’ରେ ସବକ୍ତଗୀନଙ୍କ ଦୟାଗୁଣ ବେଶ୍ ହୃଦୟସ୍ପର୍ଶୀଭାବେ ଲିଖିତ । ଚନ୍ଦ୍ରମୋହନ ସବକ୍ତଗୀନ୍‌ଙ୍କୁ ମୁସଲମାନ ଧର୍ମର ସ୍ଥାପୟିତା ମହମ୍ମଦଙ୍କ ସ୍ୱପ୍ନାଦେଶ ମାଧ୍ୟମରେ କୁହାଇଲେ ତୁମ୍ଭର ଦୟା ଗୁଣ ଯୋଗୁଁ ତୁମେ ଭବିଷ୍ୟତରେ ଆଫଗାନିସ୍ଥାନର ନରପତି ହେବ । ସେତେବେଳେ ତୁମ୍ଭର ପ୍ରଜାମାନଙ୍କ ପ୍ରତି ଏପରି ବ୍ୟବହାର କରିବାକୁ ଭୁଲିବ ନାହିଁ ଏବଂ ଦୟା ଗୁଣକୁ ମନରୁ କେବେହେଁ ତିରୋହିତ କରିବ ନାହିଁ । କାରଣ ଇହଲୋକ ଓ ପରଲୋକର ଦୟାଗୁଣ ନରପତିମାନଙ୍କର ସର୍ବଶ୍ରେଷ୍ଠ ଭୂଷଣ ଅଟେ ।

 

ଚନ୍ଦ୍ରମୋହନ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ଗଳ୍ପରଚନାରେ ଅଭିନିବିଷ୍ଟ ଥିଲେ । ତାଙ୍କ ଗଳ୍ପରେ ମାନବ ଓ ମାନବେତର ଚରିତ୍ରଙ୍କ ସମାଗମ ଥିଲା ନଶ୍ଚିତ, ମାତ୍ର ମାନବେତର ଚରିତ୍ରଙ୍କ ସ୍ଥାନ ଥିଲା ଯଥେଷ୍ଟ ବେଶୀ । ଏମାନେ କେବଳ ମାଧ୍ୟମ ହୋଇନାହାଁନ୍ତି, ହୋଇଛନ୍ତି ମୁଖ୍ୟ ଚରିତ୍ର ମଧ୍ୟ । କପୋତ, ମୂଷା, କୋକିଶିଆଳ, ଭଲ୍ଲୁକ, କାକ, ଶୃଗାଳ, ମର୍କଟ, ବେଙ୍ଗ,ମୟୂର, କୁମ୍ଭୀର, ବୁଢ଼ିଆଣୀ, ଗୁଣ୍ଡୁଚିମୂଷା, ସିଂହ, ଶୁକପକ୍ଷୀ, କୃଷ୍ଣସର୍ପ, ମୃଗ, କୁକୁର, ହଂସ, ହସ୍ତୀ ଆଦି ପ୍ରାଣୀମାନେ ବହୁ ଗଳ୍ପରେ ସ୍ଥାନ ଲାଭ କରିଛନ୍ତି ।

 

ଗଳ୍ପଗୁଡ଼ିକର ବହୁଦେଶ ଓ ରାଜ୍ୟର ନାମ ସହିତ ସ୍ଥାନର ବର୍ଣ୍ଣନା ଉଲ୍ଲେଖଯୋଗ୍ୟ । ସମ୍ରାଟ, ସୁନାଗରିକ, ବୈଜ୍ଞାନିକ ତଥା ମହାପୁରୁଷଙ୍କ ଚରିତ୍ର ଚିତ୍ରଣହିଁ ଗାଳ୍ପିକ ଉଦ୍ଦେଶ୍ୟ ପରି ଜଣାଯାଏ । ଦେବତା ଓ ଦେବୀଙ୍କୁ ଯଥା ସମ୍ମାନର ସହିତ ଚିତ୍ରିତ କରିଛନ୍ତି ଚନ୍ଦ୍ରମୋହନ । ଚରିତ୍ର ଚିତ୍ରଣରେ ଭଲକୁ ଭଳ ଓ ମନ୍ଦଙ୍କୁ ମନ୍ଦ କହିବାର କୁଣ୍ଠା ପ୍ରକାଶ ପାଇନାହିଁ କୌଣସି ସ୍ଥାନରେ । ବରଂ ଉଭୟଙ୍କ ସଂସ୍ପର୍ଶରେ ଆସି ଖରାପମାନେ ଭଲ ହେବାର ନଜିର ରହିଛି କେତୋଟିରେ । ସୁତରାଂ ନୀତିନିୟମରେ ରହିଲେ ବା ତାକୁ ଅବଲମ୍ବନ ଭାବେ ଗ୍ରହଣ କଲେ ସଂସାରରେ ସୁଖଶାନ୍ତି ପ୍ରତିଷ୍ଠା ଲାଭ କରିବ ବୋଲି ପରୋକ୍ଷରେ କହିଛନ୍ତି ସେ ।

 

ସଂସ୍କୃତ ହିତୋପଦେଶର ଅନୁସରଣ ଓ ଅନୁକରଣରେ ଅନେକ ଗଳ୍ପ ଲିଖିତ । କେତେଗୁଡ଼ିକୁ ଅନୁବାଦ ବୋଲି କୁହାଯାଇପାରେ । ମାତ୍ର ଚନ୍ଦ୍ରମୋହନଙ୍କ କଳାକୁଶଲ୍ୟ ହେତୁ ଏସବୁର ମୌଳିକତାକୁ ମଧ୍ୟ ଜାଣିହୁଏ । କଥା, ଉପାଖ୍ୟାନ, ନିୟମରେ ଯେଉଁ ସବୁ ଗଳ୍ପ ଲିଖିତ ସେ ସବୁର ପ୍ରଭାବ ସ୍ପଷ୍ଟ । କିନ୍ତୁ ଉଭୟ ଭାଷାରେ ଶିକ୍ଷିତ ଚନ୍ଦ୍ରମୋହନ ଏହାକୁ ଯଥାର୍ଥଭାବରେ ବୁଝି ପ୍ରୟୋଗ କରିଥିବାରୁ ସେ ସାଧୁବାଦର ପାତ୍ର । ତାଙ୍କ ପ୍ରଶଂସନୀୟ ଉଚ୍ଚାରଣ ଓ ଆଚରଣ ଗଳ୍ପ ସବୁକୁ ମାର୍ଜିତ ଅବବୋଧର ପରିଚୟ ଦିଏ ।

 

ସାହିତ୍ୟିକ ଭାବରେ ବିଶେଷତଃ ଗାଳ୍ପିକ ଚନ୍ଦ୍ରମୋହନ ତାଙ୍କ ସମକାଳରେ କେତଜଣଙ୍କଠାରୁ ଥିଲେ ଉନ୍ନତ ବିଷୟ-ନିର୍ବାଚନ ଓ ବ୍ୟାପକ ଦୃଷ୍ଟିଭଙ୍ଗୀ ସମ୍ପନ୍ନ ଗଳ୍ପର ସ୍ରଷ୍ଟା । ସଂସ୍କୃତ ହିତୋପଦେଶ ‘ପଞ୍ଚତନ୍ତ୍ର’ ଆଦିରେ ନୀତିଶିକ୍ଷାମୂଳକ କାହାଣୀ ପରିଦୃଷ୍ଟ । ସେହିଭଳି ଚନ୍ଦ୍ରମୋହନ ଗଳ୍ପକୁ ପ୍ରଧାନତଃ ଶିକ୍ଷା ଉପଯୋଗୀ କରିବା ପାଇଁ ଚେଷ୍ଟାକରି ଗଳ୍ପ ରଚନା କରିଛନ୍ତି । ଏହା ମଧ୍ୟ କୁହାଯାଇପାରେ ଯେ, ସଂସ୍କୃତ ଗଳ୍ପ ଗ୍ରନ୍ଥ ସବୁକୁ ସେ ପାଠ କରିବା ସହିତ ତହିଁର ନିର୍ଯ୍ୟାସକୁ ଗ୍ରହଣ କରି ତା’ର ଅଭିବ୍ୟକ୍ତିକୁ ଉପଲବ୍‍ଧି କରିପାରିଥିଲେ । ସୁତରାଂ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରିୟ ପାଠକଭାବେ ଗ୍ରହଣ କରି ସେ ସୃଷ୍ଟି କରିଛନ୍ତି ପଚାଶାଧିକ ଓଡ଼ିଆ ଗଳ୍ପ । ଏଥି ସହିତ ପାଶ୍ଚାତ୍ୟ ଜଗତର ବିଶିଷ୍ଟ କଥାକାର, ଋଷିଆର ଟଲଷ୍ଟୟ, ଆମେରିକାର ହେମିଙ୍ଗ ୱେ, ଇଂଲଣ୍ଡର ସମରସେଟ ମମ୍ ପ୍ରମୁଖ ଯେଭଳି ବିଶ୍ୱ ଗଳ୍ପର ଧାରାକୁ ବଦଳାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେହିଭଳି ଚନ୍ଦ୍ରମୋହନଙ୍କ ଗୁଣ୍ଡୁଚିୟ ଅବଦାନ ଓଡ଼ିଆ ଗଳ୍ପ ସାହିତ୍ୟକୁ ଯୋଗାଇଛି ନାନା ଉପାଦାନ ।

 

ଚନ୍ଦ୍ରମୋହନଙ୍କ ସମକାଳରେ ଫକୀରମୋହନ, ଚନ୍ଦ୍ରଶେଖର, ଦୟାନିଧି, ବାଙ୍କନିଧି, ଦିବ୍ୟସିଂହ, ଜଳନ୍ଧର ଓ ଚିନ୍ତାମଣି ପ୍ରମୁଖ ଗଳ୍ପରଚନାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେହେଁ ଚନ୍ଦ୍ରମୋହନ ଥିଲେ ବ୍ୟତିକ୍ରମ । ସେ ପତ୍ରପତ୍ରିକାକୁ ଗଳ୍ପ ଦେବାକୁ ବିଶେଷ ଆଗ୍ରହୀ ନ ଥିଲେ, ପୁଣି ସମ୍ପାଦକଙ୍କ ଅନୁରୋଧକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେଉନଥିଲେ । ଏଣୁ କୁହାଯାଇପାରେ ପ୍ରତିଭାର ପ୍ରଚାରକୁ ସେ ସୁନଜରରେ ନ ନେଇ ଯଥା ସଂଭବ ଏହାର ଆଦର୍ଶଭାବ ଓ ନୀତିକୁ ପାଠକ ଗ୍ରହଣ କରନ୍ତୁ ବୋଲି ଚାହୁଁଥିଲେ । ଏଣୁ ବୋଧହୁଏ ଓଡ଼ିଆ ଆଲୋଚକଗଣ ଚନ୍ଦ୍ରମୋହନଙ୍କୁ ସେତିକିଭାବରେ ଚର୍ଚ୍ଚା ମଧ୍ୟକୁ ଆଣି ପାରି ନାହାଁନ୍ତି ।

-୦-

 

ଓଡ଼ିଆ ବ୍ୟାକରଣ ଓ ଚନ୍ଦ୍ରମୋହନ ମହାରଣା

ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ

 

ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କାଳରେ ଆଚାର୍ଯ୍ୟ ହରିହର ଦାସଙ୍କର ଗୋଟିଏ ବ୍ୟାକରଣ ଗ୍ରନ୍ଥପାଠର ସୁଯୋଗ ମିଳିଥିଲା । ଗ୍ରନ୍ଥଟିର ନାମ ଥିଲା ‘Child’s Easy First Grammar’ । ଏହି ଗ୍ରନ୍ଥଟିର ପ୍ରଥମ ବାକ୍ୟ ଥିଲା “ଯେଉଁ ଶାସ୍ତ୍ର ପାଠ କଲେ ଇଂରାଜୀ ଭାଷା ଶୁଦ୍ଧ କରି କହିହୁଏ ଓ ଲେଖିହୁଏ ତାହାକୁ ‘English Grammar’ କହନ୍ତି ।” ଆମେ ଆମ ଭାଷାର ବ୍ୟାକରଣ ଆଲୋଚନା ପ୍ରସଙ୍ଗରେ ଏହି ବାକ୍ୟଟିର ଗୁରୁତ୍ୱ ଯେ କେତେ-ଏବେ ତାହା ସ୍ପଷ୍ଟ ଅନୁଭବ କରୁଛୁ । ପ୍ରଥମ କଥା ହେଉଛି ଆମେ ଆମ ଭାଷାରେ ଯେତେ ଭାଷାନିପୁଣ ଓ ଦକ୍ଷ ହେଉନା କାହିଁକି; ଆମକୁ ଭାଷାର ଭିତ୍ତିକୁ ଦୃଢ଼ କରି ଭାଷାର ଗଭୀରତା ମଧ୍ୟକୁ ପ୍ରବେଶ କରିବାକୁ ହେଲେ କିମ୍ବା ଭାଷାକୁ ସମୃଦ୍ଧ କରିବାକୁ ହେଲେ ଏହାର ବ୍ୟାକରଣ ସହିତ ଓତଃପ୍ରୋତ ସମ୍ପୃକ୍ତ ହେବାକୁ ପଡ଼ିବ ।

 

ଅନେକ ସମୟରେ କେବଳ ଆମ କ୍ଷେତ୍ରରେ ନୁହେଁ ଯେକୌଣସି ବିଦ୍ୟାର୍ଥୀ / ଶିକ୍ଷାର୍ଥୀ ବା ସଚେତନ ପଣ୍ଡିତ ବ୍ୟକ୍ତି ସମ୍ମୁଖରେ ବ୍ୟାକରଣ ଚର୍ଚ୍ଚା ହେଲେ ତାହାର ମୁହଁ ଶୁଖିଲା ହୋଇଯାଏ, ଆଲୋଚନାର ଶୁଷ୍କ ଓ ନିରସ ହୋଇଥାଏ- ଆଲୋଚନାର ଗମ୍ଭୀରତା ଏତେ ବଢ଼ିଯାଏ ଯେ, ଅନେକ ନିଜକୁ ଏହି ଆଲୋଚନା କାଳରେ ଅଣନିଶ୍ୱାସୀ ଅନୁଭବ କରନ୍ତି ଓ ଏହି ଆଲୋଚନା ନେଇ ଖୁବ୍ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି । ଏହା ଶ୍ରେଣୀକକ୍ଷରେ ଯେପରି-କୌଣସି ପରୀକ୍ଷା କିମ୍ବା ସାକ୍ଷାତ୍‌କାର ପରୀକ୍ଷା କ୍ଷେତ୍ରରେ ମଧ୍ୟ ସେହିପରି ଅନୁଭୂତ ହୋଇଥାଏ । ଏସବୁ ସତ୍ତ୍ୱେ କୌଣସି ଭାଷାର ନିଜସ୍ୱ ଅର୍ଥବୋଧକ ଶକ୍ତିବୃଦ୍ଧି, ସେହି ଭାଷାକୁ ଅଧିକ ସ୍ୱଚ୍ଛ, ଶୁଦ୍ଧ, ନିର୍ଭୁଲ ଏବଂ ତହିଁରେ ନୂତନ ଶବ୍ଦ ସଂଯୋଗ କରିବା ପାଇଁ ଯେଉଁ ବିଦ୍ୟା ଚର୍ଚ୍ଚା ଓ ବିଶ୍ଳେଷଣର ଆବଶ୍ୟକତା ପଡ଼ିଥାଏ, ତାହା ହେଉଛି ସେହି ଭାଷାର ବ୍ୟାକରଣ । ଶୁଦ୍ଧ ଭାବରେ କହିବା ଓ ଲେଖିବା ବ୍ୟତୀତ ଭାଷାର ବିସ୍ତୃତିକୁ ବ୍ୟାପକ ଓ ତାହାର ଗଭୀରତାକୁ ପ୍ରଭାବଯୁକ୍ତ କରିବା ବ୍ୟାକରଣ ରଚନାର ଉଦ୍ଦେଶ୍ୟ । ବ୍ୟାକରଣ ବା ‘Grammar’ ମୂଳତଃ ଏକ ଗ୍ରୀକ୍ ଶବ୍ଦ, ଯାହାର ଅର୍ଥ ହେଉଛି ‘Craft of the letters’ ବା ‘ଅକ୍ଷରମାନଙ୍କର କାରୁକୀର୍ତ୍ତି-ଲିଖନ କଳା’ । ଏହାକୁ ଅଧିକ ସ୍ପଷ୍ଟ କଲେ ଆମେ କହିପାରିବା “The Systematic Study and Description of a Language”- ଏହାକୁ ଆହୁରି ପ୍ରାଞ୍ଜଳ କରି କୁହାଯାଇପାରେ “Grammar is the Study of a Language that deals with the form and the structure of words (Morphology) with their customary arrangement in phases, sentences, language sound and word meanings (semantics)” ଭାଷା କେବଳ କଥିତ ରୂପ ମଧ୍ୟରେ ସୀମିତ ନୁହେଁ । ଏହାର ଲିଖନଶୈଳୀ, ଲିଖନ ପଦ୍ଧତି, ରୀତି ଏବଂ ଧରା ପ୍ରଭୃତି ଯାହାଦ୍ୱାରା ସୁବ୍ୟବସ୍ଥିତ ଓ ମାର୍ଜିତ ହୋଇଥାଏ, ତାହା ହେଉଛି ଗ୍ରାମାର ବା ବ୍ୟାକରଣ ।

 

ଆମ ଭାଷାରେ ଏହି ‘Grammar’ ବା ବ୍ୟାକରଣ ରଚନାର ପରମ୍ପରା ଆରମ୍ଭ ହୋଇଛି ଊନବିଂଶ ଶତକର ପ୍ରଥମ ଦଶକରୁ- ଆମ ଗଦ୍ୟ ସାହିତ୍ୟର ବିକାଶ ମଧ୍ୟରେ । ଊନବିଂଶ ଶତକର ପ୍ରଥମଭାଗରେ ଇଂରେଜ ଶାସକମାନଙ୍କର ଓଡ଼ିଶା ଆଗମନ, ଇଂରାଜୀ ବିଦ୍ୟାଳୟ ଓ ଛାପାଖାନା ପ୍ରତିଷ୍ଠା, ଏହିସବୁ ଛାପାଖାନାରୁ ଓଡ଼ିଆ ପାଠ୍ୟପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନ ସହିତ ଓଡ଼ିଆ ଭାଷାର ରୂପକୁ ସମୃଦ୍ଧ ଓ ସୁବ୍ୟବସ୍ଥିତ କରିବା ପାଇଁ ବ୍ୟାକରଣ ରଚନାର ଉଦ୍ୟମ ଆରମ୍ଭ ହୋଇଥିଲା । ବିଶେଷ କରି ଏହି ଶତକର ଦ୍ୱିତୀୟାର୍ଦ୍ଧରେ ଫକୀରମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ ପ୍ରମୁଖ ସ୍ରଷ୍ଟାମାନେ ଓଡ଼ିଆ ପାଠ୍ୟପୁସ୍ତକ ରଚନାର ନେତୃତ୍ୱ ନେଇଥିଲେ । ମାତ୍ର ଏହାର ବହୁପୂର୍ବରୁ ଗଦାଧର ବିଦ୍ୟାବାଗୀଶ, ବିଶ୍ୱମ୍ବର ବିଦ୍ୟାଭୂଷଣ, ବିଚ୍ଛନ୍ଦ ଚରଣ ପଟ୍ଟନାୟକ, କପିଳେଶ୍ୱର ବିଦ୍ୟାଭୂଷଣ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, କୈଳାସ ଚନ୍ଦ୍ର ଶର୍ମା, ପ୍ରଭାକର ବିଦ୍ୟାରତ୍ନ ପ୍ରମୁଖ ଓଡ଼ିଆ ଭାଷାରେ ବ୍ୟାକରଣ ରଚନାରେ ପ୍ରୟାସୀ ହୋଇଥିଲେ ।

 

ଏକଥା ଆମକୁ ଦୃଢ଼ଭାବରେ ସ୍ୱୀକାର କରିବାକୁ ହେବ ଯେ, ଓଡ଼ିଆ ଭାଷାରେ ପ୍ରଥମେ ଯେଉଁ ବ୍ୟାକରଣ ରଚନାର ଆରମ୍ଭ ହୋଇଥିଲା, ତାହାର ପଶ୍ଚାତ୍ ଭାଗରେ ଥିଲେ ମୁଷ୍ଟିମେୟ ସଂସ୍କୃତ ପଣ୍ଡିତ ଓ କେତେକ ମିଶନାରୀ ଇଂରେଜ । ମିଶନାରୀ ଇଂରେଜମାନେ ଓଡ଼ିଆ ଭାଷାକୁ ଅନ୍ୟଭାଷାରୁ ସ୍ୱତନ୍ତ୍ର କରି ଏହାର ସ୍ୱାତନ୍ତ୍ର‌୍ୟ ଓ ନିଜସ୍ୱ ପରିଚୟ ସୃଷ୍ଟି କରିବା ପାଇଁ ଓଡ଼ିଆ ବ୍ୟାକରଣ ରଚନାର ଭିତ୍ତି ପ୍ରତିଷ୍ଠା କରିଥିଲେ । ଓଡ଼ିଆ ବ୍ୟାକରଣ ରଚନାକ୍ଷେତ୍ରରେ ମିଶନାରୀମାନଙ୍କର ଏହି ଉଦ୍ୟମ ପରବର୍ତ୍ତୀ କାଳରେ ଓଡ଼ିଆରେ ବ୍ୟାକରଣ ରଚନାର ଭିତ୍ତିକୁ ଦୃଢ଼ କରିଥିଲା । “ବ୍ୟାକରଣ ସାହାଯ୍ୟରେ ଯେ ଭାଷାରେ ସ୍ୱାତନ୍ତ୍ର‌୍ୟ ରକ୍ଷା କରାଯାଇପାରିବ, ଏକଥା ଓଡ଼ିଆମାନେ ଜାଣିପାରିଲେ କେବଳ ମିଶନାରୀମାନଙ୍କ ସଂସ୍ପର୍ଶରେ ଆସିବାପରେ ।” (ଓଡ଼ିଆ ବ୍ୟାକରଣ ବିଚାର, ଡ. ବିଜୟଲକ୍ଷ୍ମୀ ମହାନ୍ତି. ପୃ୫୩) ଇଷ୍ଟ୍‍ଇଣ୍ଡିଆ କମ୍ପାନୀର ଗଭର୍ଣ୍ଣରଙ୍କ ଶାସନକାର୍ଯ୍ୟକୁ ଓଡ଼ିଶାକ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ କରିବା ଓ ପହଞ୍ଚାଇବା ପାଇଁ ବ୍ରିଟିଶ ପ୍ରଶାସକ ଆମସ୍ ସଟନ୍ ‘ଇଣ୍ଟ୍ରଡକ୍ଟରି ଗ୍ରାମାର ଅଫ୍‍ ଦି ଓରିଆ ଲାଙ୍ଗୁଏଜ୍‍’ (୧୮୩୧) ଶୀର୍ଷକ ଏକ ବ୍ୟାକରଣ ରଚନା କରିଥିଲେ । ବ୍ୟାକରଣ ଗ୍ରନ୍ଥ ରଚନା ସମ୍ପର୍କରେ ଆମସ୍ ସଟନ୍ ଗ୍ରନ୍ଥ ଆରମ୍ଭରେ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ହେଉଛି- “ସ୍ଥାନୀୟ ପ୍ରଜାଏ ସେମାନଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ଏକମାତ୍ର ସନ୍ତୋଷଜନକ ଭାଷା ଓଡ଼ିଆ ପ୍ରାଦେଶିକ ଶାସନକର୍ତ୍ତାମାନଙ୍କୁ ଶିଖିବାର ସୁଯୋଗ ଦେଇ ସେ ମହାମାନ୍ୟ କମ୍ପାନୀ ସରକାରଙ୍କର ସାହାଯ୍ୟ କରୁଛନ୍ତି ।” ପୁନଶ୍ଚ ସଟନ୍‌ଙ୍କଦ୍ୱାରା ରଚିତ ହୋଇ ଓଡ଼ିଶା ମିସନ ପ୍ରେସରୁ ‘ଓଡ଼ିଆ ଅଭିଧାନ’ ତିନିଖଣ୍ଡରେ ପ୍ରକାଶ ପାଇଥିଲା । ଏହାର ପ୍ରଥମ ଭାଗ ‘ଓଡ଼ିଆ ବ୍ୟାକରଣ ଚୁମ୍ବକ’ ଶୀର୍ଷକରେ ୧୮୪୧ ମସିହାରେ ପ୍ରକାଶ ପାଇଥିଲା । ସଟନ୍‌ଙ୍କ ପରେ ସେହି ମିସନ ପ୍ରେସ୍‌ରୁ ୧୮୫୩ ମସିହାରେ ଲେସି ସାହେବଙ୍କଦ୍ୱାରା ‘ଓଡ଼ିଆ ବ୍ୟାକରଣ ସାର’ ପ୍ରଥମ ଭାଗ ପ୍ରକାଶ ପାଇଥିଲା । ଏହି ବ୍ୟାକରଣ ରଚନା ସମ୍ପର୍କରେ ନିଜସ୍ୱ କୈଫିୟତ ରଖିବାକୁ ଯାଇ ବ୍ୟାକରଣର ବିଜ୍ଞାପନ ମଧ୍ୟରେ ଲେସୀ ପ୍ରକାଶ କରିଥିଲେ- ‘ଏ କ୍ଷୁଦ୍ର ଭାଷା ବ୍ୟାକରଣ ସାର ଏତଦ୍ଦେଶୀୟ ପାଠଶାଳା ଇତ୍ୟାଦି ବାଳକଙ୍କ ଶିକ୍ଷା ନିମନ୍ତେ ରଚିତ ହୋଇଅଛି । ଏବଂ ଭରସା ଏହି କି ତାହା ଅଳ୍ପାୟାସରେ ବୋଧ ହୋଇପାରିବ କାରଣ କି ଭାଷା ଅତିଶୟ ସହଜ । ବ୍ୟାକରଣ ବିଧି ଜ୍ଞାତ ହେବାର ସମସ୍ତଙ୍କର ଅତ୍ୟାବଶକ ହେତୁ କି ଯଦ୍ୟପି ସ୍ୱୀୟ ଭାଷା ଶୁଦ୍ଧରୂପେ କହିବାକୁ ଆଉ ଲେଖିବାକୁ କାହାରି ଆକାଂକ୍ଷା ଥାଏ, ବ୍ୟାକରଣ ନ ଜାଣିଲେ ତାହାର ସେଇ ଇଷ୍ଟ କଦାପି ସଫଳ ହୋଇ ନ ପାରିବ । ଏ ବିଷୟର ପ୍ରମାଣ ବର୍ତ୍ତମାନ କାଳରେ ସ୍ପଷ୍ଟରୂପେ ଦେଖାଯାଏ । ପୁନର୍ବାର ଲୌକିକ ବିଚାରରେ ଲେଖାପଢ଼ି ବିଦ୍ୟାର ମୂଲ୍ୟ ପ୍ରତିଦିନ ଉନ୍ନତ ହେଉଅଛି ଏବଂ ଆସନ୍ତା କାଳରେ ଅଧିକ ହେବ । ଅତଏବ୍‍ ସେହି ବିଦ୍ୟା ଉଦ୍ଦେଶ୍ୟରେ ସହକାରୀ ସ୍ୱରୂପେ ଏ କ୍ଷୁଦ୍ର ବ୍ୟାକରଣ ଆକାଂକ୍ଷିମାନଙ୍କଠାରେ ସମର୍ପଣ ହେଉଅଛି ।’ ଏହା ପରେ ପରେ ସେହି ବିଦେଶୀଙ୍କଦ୍ୱାରା ରଚିତ ହୋଇଥିବା ବ୍ୟାକରଣଗୁଡ଼ିକ ମଧ୍ୟରେ ରହିଛି ମାଲଟବିଙ୍କର ‘ପ୍ରାକ୍ଟିକାଲ ହ୍ୟାଣ୍ଡବୁକ୍ ଅଫ୍ ଦି ଉରିଆ ଅର ଓଡ଼ିଆ ଲାଙ୍ଗୁଏଜ୍‌’ (୧୮୭୪), ହାରେମଙ୍କର ‘ଓରିଆ ଗ୍ରାମାର ଫର ଇଂଗ୍ଳିସ୍ ଷ୍ଟୁଡେଣ୍ଟ୍‌ସ’ (୧୮୭୪), ହର୍ଣ୍ଣେଲଙ୍କର ‘ଏ ଗ୍ରାମାର ଅଫ ଦି ଇଷ୍ଟର୍ଣ୍ଣ ହିନ୍ଦି କମ୍ପାଏଡ୍ ଉଇଥ ଦି ଅଦର ଗୌଡ଼ିଆନ୍ ଲାଙ୍ଗୁଏଜ୍‍ସ’ (୧୮୮୦), ବ୍ରାଉନ୍‌ଙ୍କର ‘ଆନ ଉରିୟା ଗ୍ରାମାର (ପ୍ରାଇମର) ଇନ୍ ରୋମାନ୍ କାରେକ୍ଟର’ (୧୮୮୨), ବିମସ୍‌ଙ୍କର ‘ଏ କମ୍ପାରେଟିଭ ଗ୍ରାମାର ଅଫ୍‍ ଦି ମଡ଼ର୍ଣ୍ଣ ଇଣ୍ଡିଆନ ଲାଙ୍ଗୁଏଜ୍‍ସ ଅଫ୍ ଇଣ୍ଡିଆ’ (୧୮୭୨-୭୯) ଇତ୍ୟାଦି ।

 

ଅନ୍ୟପକ୍ଷରେ ଗଦାଧର ବିଦ୍ୟାବାଗୀଶଙ୍କଠାରୁ ଆରମ୍ଭ କରି ଚନ୍ଦ୍ରମୋହନ ମହାରଣାଙ୍କ ପର୍ଯ୍ୟନ୍ତ ବ୍ୟାକରଣବିତମାନେ ଓଡ଼ିଆ ଭାଷାରେ ଯେଉଁ ବ୍ୟାକରଣ ରଚନା କରିଥିଲେ, ତାହା ଥିଲା ମୂଳତଃ ସଂସ୍କୃତାନୁସାରୀ । ଊନବିଂଶ ଶତକରେ ରଚିତ ବ୍ୟାକରଣକୁ ବିଦ୍ୟାଳୟ ଉପଯୋଗୀ କରିବା ପାଇଁ ଫକୀରମୋହନ, ରାଧାନାଥ ପ୍ରଭୃତି ପ୍ରୟାସୀ ହୋଇଥିଲେହେଁ ସେମାନେ ଓଡ଼ିଆ ଭାଷାରେ ରଚିତ ବ୍ୟାକରଣକୁ ସଂସ୍କୃତ ପ୍ରଭାବରୁ ମୁକ୍ତ କରିପାରିନଥିଲେ । ସେତିକିବେଳେ ଓଡ଼ିଆରେ ଏକ ମୌଳିକ ବ୍ୟାକରଣ ରଚନାର ଆବଶ୍ୟକତା ପଡ଼ିଥିଲା ଓ ତହିଁରେ ସଫଳ ହୋଇଥିଲେ ଚନ୍ଦ୍ରମୋହନ ମହାରଣା । ସ୍ରଷ୍ଟା ଜୀବନର ପ୍ରାରମ୍ଭରେ ବହୁ କାବ୍ୟ କବିତା ଓ ପ୍ରବନ୍ଧ ରଚନାରେ ମନୋନିବେଶ କରିଥିଲେହେଁ ତାଙ୍କ ଜୀବନର ବହୁକାଳ ଶିକ୍ଷକତା ବୃତ୍ତିକୁ ସେ ଗ୍ରହଣ କରିନେଇଥିଲେ । ଶିକ୍ଷକତା କାଳରେ ସେ ବହୁ ମେଧାବୀ ଓ ବିଦ୍ୱାନ ଛାତ୍ରମାନଙ୍କର ସଂସ୍ପର୍ଶରେ ଆସିଥିଲେ । ବିଦ୍ୟାଳୟରେ ଶିକ୍ଷକତା କାଳର ଛାତ୍ରମାନଙ୍କ ପାଇଁ ଏକ ଉପଯୋଗୀ ମୌଳିକ ଓଡ଼ିଆ ବ୍ୟାକରଣର ଅଭାବ ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ପୁନଶ୍ଚ ଓଡ଼ିଆ ଭାଷା ଆଲୋଚନା କାଳରେ ସେ ଏହି ଭାଷା ଗଠନରୀତି, ଶୈଳୀ ତଥା ଏହାର ରୂପକୁ ନେଇ ଶ୍ରେଣୀକକ୍ଷରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେସବୁର ସମାଧାନ ସହିତ ଓଡ଼ିଆ ଭାଷାର ମୌଳିକତା ଓ ନିଜସ୍ୱ ରୀତିକୁ ତହିଁରେ ପ୍ରକାଶ କରିବା ପାଇଁ ସେ ୧୯୧୯ ମସିହାରେ ରଚନା କରିଥିଲେ ‘ଓଡ଼ିଆ ବ୍ୟାକରଣ’ (ପ୍ରଥମ ସୋପାନ ଓ ଦ୍ୱିତୀୟ ସୋପାନ) । ଏହି ବ୍ୟାକରଣର ପ୍ରଥମ ସୋପାନ ଓ ଦ୍ୱିତୀୟ ସୋପାନ ବ୍ୟତୀତ ଏହାର ପରିଶିଷ୍ଟରେ ସେ ‘ରଚନା ଶିକ୍ଷା’ ଶିରୋନାମାରେ ବିଶେଷ୍ୟ ଓ ବିଶେଷଣ, ବିଶେଷ୍ୟ ଓ କ୍ରିୟା, କାରକ ଓ କ୍ରିୟାପଦ, ଅସମାପିକା କ୍ରିୟା, ପ୍ରାଗ୍‌ଭୂତ ଓ ପ୍ରାଗ୍ ଭବିଷ୍ୟତକାଳ, ନାମଧାତୁ, ପ୍ରେରଣାର୍ଥ କ୍ରିୟା, ମିଶ୍ର କ୍ରିୟା, କ୍ରିୟାର ବାଚ୍ୟ, କ୍ରିୟା ବିଶେଷଣ, ଉପସର୍ଗ, ପରସ୍ପର ବିପରୀତାର୍ଥ-ବୋଧକ ଶବ୍ଦ, ବାକ୍ୟର ସମ୍ପ୍ରସାରଣ, ବାକ୍ୟର ସଂକ୍ଷେପଣ, ଅଶୁଦ୍ଧି ସଂଶୋଧନ, କ୍ଷୁଦ୍ର ପ୍ରବନ୍ଧ ପ୍ରଭୃତି ସମ୍ପର୍କରେ ଅନୁଶୀଳନ କରିଥିଲେ । ଏସବୁ ହେଉଛି ତାଙ୍କର ନିଜସ୍ୱ, ମୌଳିକ ଏବଂ ତାଙ୍କ ବ୍ୟାକରଣ ରଚନାର ସ୍ୱାତନ୍ତ୍ର‌୍ୟ ବିଶେଷ କରି ପରସ୍ପର ବିପରିତାର୍ଥ-ବୋଧକ ଶବ୍ଦ, ବାକ୍ୟର ସମ୍ପ୍ରସାରଣ, ବାକ୍ୟର ସଂକ୍ଷେପଣ, ଅଶୁଦ୍ଧି ସଂଶୋଧନ ଏବଂ କ୍ଷୁଦ୍ର ପ୍ରବନ୍ଧ ମଧ୍ୟରେ ଆମ ଭାଷାରେ ରଚିତ ପ୍ରାୟ ସମସ୍ତ ବ୍ୟାକରଣର ଦୋଷ ଦୁର୍ବଳତା ଦୂର ସହିତ ଅଭାବ ପୂରଣ ପୂର୍ବକ ବ୍ୟାକରଣ ପାଠକାଳରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସେ ସଫଳ ସମାଧାନ କରିଛନ୍ତି ।

 

ଉପସର୍ଗ, ପରସ୍ପର ବିପରୀତବୋଧକ ଶବ୍ଦ, ବାକ୍ୟର ସମ୍ପ୍ରସାରଣ, ବାକ୍ୟର ସଂକ୍ଷେପଣ, ଅଶୁଦ୍ଧି ସଂଶୋଧନ ପ୍ରଭୃତି କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ଚନ୍ଦ୍ରମୋହନ ଓଡ଼ିଆ ଭାଷାସାହିତ୍ୟ ଅଧ୍ୟୟନ କାଳରେ ଛାତ୍ରମାନଙ୍କ ସେସବୁ ସମସ୍ୟା ପ୍ରତି ସଚେତନ ରହିଥିଲେ । ମୌଳିକ ପ୍ରବନ୍ଧ ରଚନା ଛାତ୍ରଛାତ୍ରୀମାନଙ୍କର ମୌଳିକ ଭାବନା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ତାଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇଥିଲା । ସୁତରାଂ ଛାତ୍ରମାନେ କ୍ଷୁଦ୍ର ପ୍ରବନ୍ଧ ରଚନାରେ କିପରି ମୌଳିକତା ଅବଲମ୍ବନ କରିବେ ଓ ନିଜସ୍ୱ ଭାବନାକୁ ବ୍ୟାପକ ତଥା ଶୁଦ୍ଧ କରିପାରିବେ, ସେଥିପାଇଁ ତାଙ୍କର ବ୍ୟାକରଣ ଗ୍ରନ୍ଥର ଶେଷ ପର୍ଯ୍ୟାୟରେ ସେ ଅନେକ ଦୃଷ୍ଟାନ୍ତ ଦେଇଥିଲେ ।

 

ବ୍ୟାକରଣ ଚର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବର୍ଣ୍ଣ ପ୍ରକରଣ (Orthography), ପଦ ପ୍ରକରଣ (Etymology) ଏବଂ ବାକ୍ୟ ପ୍ରକରଣ (Syntax) । ଆମ ଭାଷାରେ ଗଦାଧର ବିଦ୍ୟାବାଗିଶଙ୍କ ‘ଓଡ଼ିଆ ଭାଷାର ବ୍ୟାକରଣ’ (୧୮୦୬)ଠାରୁ ଆରମ୍ଭ କରି ୧୯୧୦ ପର୍ଯ୍ୟନ୍ତ ରଚିତ ଓଡ଼ିଆ ବ୍ୟାକରଣମାନଙ୍କରେ ବର୍ଣ୍ଣ, ପଦ ଓ ବାକ୍ୟ ପ୍ରକରଣ ସମ୍ପର୍କରେ ପ୍ରାୟତଃ ମୌଳିକ ବ୍ୟାଖ୍ୟା ଥିଲାପରି ମନେହୁଏ ନାହିଁ । ରାଧାନାଥ, ଫକୀରମୋହନ ପ୍ରଭୃତି ସ୍ରଷ୍ଟାମାନେ ଆମ ଭାଷାରେ ଯେଉଁ ବ୍ୟାକରଣ ଗ୍ରନ୍ଥ ରଚନା କରିଛନ୍ତି ତାହା ଥିଲା ଅସମ୍ପୂର୍ଣ୍ଣ ଓ ‌ଅତ୍ୟନ୍ତ କ୍ଷୁଦ୍ର । ସେସବୁ ଗ୍ରନ୍ଥ ଭାଷାଚର୍ଚ୍ଚା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ସମାଧାନ ପାଇଁ ଯଥେଷ୍ଟ ନ ଥିଲା । ଭାଷାଚର୍ଚ୍ଚାକୁ ନେଇ ଛାତ୍ରଙ୍କ ମଧ୍ୟରେ ଉପୁଜୁଥିବା ସମସ୍ୟାକୁ ପ୍ରତ୍ୟକ୍ଷ କରିବା ମଧ୍ୟରେ ଚନ୍ଦ୍ରମୋହନ ଓଡ଼ିଆରେ ଏକ ବ୍ୟାକରଣ ରଚନା ପାଇଁ ପ୍ରୟାସ ହୋଇଥିଲା । ଫଳତଃ ତାଙ୍କ ରଚିତ ବ୍ୟାକରଣ ଥିଲା ମୌଳିକ ଓ ପୂର୍ଣ୍ଣାଙ୍ଗ । ପୂର୍ବରୁ ରଚିତ ବ୍ୟାକରଣରେ ବର୍ଣ୍ଣ ସମ୍ପର୍କରେ ଆଲୋଚନା ସୀମିତ ରହିଥିବାବେଳେ ଚନ୍ଦ୍ରମୋହନଙ୍କ ବ୍ୟାକରଣରେ ବର୍ଣ୍ଣ ସହିତ ବର୍ଣ୍ଣମାନଙ୍କର ଉଚ୍ଚାରଣ ଓ ଉଚ୍ଚାରଣ ସ୍ଥାନ, ବର୍ଣ୍ଣ ଯୋଜନା, ବାକ୍ୟର ପ୍ରସାରଣ ଇତ୍ୟାଦି ମଧ୍ୟରେ ତାଙ୍କ ରଚନାର ମୌଳିକତା ଓ ତହିଁରେ ସଂସ୍କୃତ ଭାଷାର ପ୍ରଭାବଶୂନ୍ୟତା ସ୍ପଷ୍ଟ ବାରି ହୋଇଥାଏ ।

 

ଚନ୍ଦ୍ରମୋହନ କାବ୍ୟ କବିତା ଓ ପ୍ରବନ୍ଧ ରଚନାର ବିଂଶ ଶତକର ପ୍ରଥମ ଭାଗରେ ଯେପରି ସଫଳତା ଅର୍ଜନ କରିଥିଲେ, ଓଡ଼ିଆ ଭାଷାକୁ ଶୁଦ୍ଧ କରି ପ୍ରକାଶ କରିବା ଓ ସେଥିରେ ମୌଳିକତାର ସ୍ୱାଦ ଦେବାରେ ସେହିପରି ଥିଲେ ଜଣେ ଅନନ୍ୟ ଓ ପ୍ରବୀଣ ବ୍ୟାକରଣବିତ୍ । ତାଙ୍କ ରଚିତ ଓଡ଼ିଆ ବ୍ୟାକରଣର ଉଭୟ ଭାଗ ହେଉଛି ଯଥାର୍ଥରେ ଆମ ଭାଷାର ଏକ ପୂର୍ଣ୍ଣାଙ୍ଗ ଓ ମୌଳିକ ରଚନା ।

 

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,

ବ୍ରହ୍ମପୁର, ଗଞ୍ଜାମ

-୦-

 

Unknown

ଚନ୍ଦ୍ରମୋହନଙ୍କ କଥାବଳିରେ, ମାନବିକତାର ସନ୍ଦେଶ

ପ୍ରଫେସର ମଣୀନ୍ଦ୍ର କୁମାର ମେହେର

 

ବିଂଶ ଶତାବ୍ଦୀର ଯଶସ୍ୱୀ ସାହିତ୍ୟ ସ୍ରଷ୍ଟା ଚନ୍ଦ୍ରମୋହନ ମହାରଣାଙ୍କ ରଚନାବଳିରେ ମଣିଷର ଜୀବନକୁ ଅର୍ଥପୂର୍ଣ୍ଣ ଓ ମହନୀୟ କରି ଗଢ଼ିତୋଳିବା ପାଇଁ ଯେଉଁ ବଳିଷ୍ଠ ବାର୍ତ୍ତା ଗୁମ୍ଫିତ ହୋଇ ରହିଛି ତାହା ପ୍ରକୃତରେ ଗଭୀର ଅନୁଧ୍ୟାନର ବିଷୟ । ଯିଏ ଉତ୍କଳ ମାଟିର ମହାନ୍‍ ବରପୁତ୍ର ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଛାତ୍ର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ, ତାଙ୍କ କବିତାରେ ମାନବିକତାର ଆଲୋକ ସାର୍ଥକ ଭାବରେ ଫୁଟି ଉଠିବା ଏକାନ୍ତ ସ୍ୱାଭାବିକ । ଚନ୍ଦ୍ରମୋହନଙ୍କ ରଚନାବଳୀକୁ ସଂକଳିତ କରିବାର ଯେଉଁ ମହତ୍ ଉଦ୍ୟମ କରିଛନ୍ତି ସୁପ୍ରସିଦ୍ଧ ଗବେଷକ ଡଃ ଅରବିନ୍ଦ ଗିରି ତାହା ପ୍ରକୃତରେ ଆଗ୍ରହୀ ପାଠକମାନଙ୍କ ପାଇଁ ହୋଇଉଠିଛି ଆକର୍ଷଣର ଏକ ମହତ୍ତର ପ୍ରସଙ୍ଗ ।

 

ଚନ୍ଦ୍ରମୋହନଙ୍କ ରଚନାର ବିଭିନ୍ନ ସ୍ଥଳରେ ମନୁଷ୍ୟ ଜୀବନ ନିମିତ୍ତ ଯେଉଁ ସୌନ୍ଦର୍ଯ୍ୟମୟ ସଙ୍କେତ ବିଦ୍ୟମାନ ତାହା ତ ନିଶ୍ଚିତ ଭାବରେ ପ୍ରେରଣାଦାୟକ । ତେବେ ପ୍ରବନ୍ଧରେ ଶିଶୁମାନଙ୍କ ନିମିତ୍ତ ରଚିତ କଥାବଳିର ପଦ୍ୟାଂଶରେ ସରଳ ଭାଷା ମାଧ୍ୟମରେ ସେ ଶିଶୁମନକୁ ମହତ୍ତର ଦିଗ ପ୍ରତି ଆକୃଷ୍ଟ କରିବା ପାଇଁ ଯେଉଁ ଆନ୍ତରିକତା ପ୍ରଦର୍ଶନ କରିଛନ୍ତି ତାହା ଯେକୌଣସି ପାଠକକୁ ଅଭିଭୂତ କରିଦିଏ । ‘କୁଆ କୋଇଲି’ ନାମକ କବିତାରେ ସେ ଦର୍ଶାଇଛନ୍ତି ଯେ ଉଭୟେ ହେଉଛନ୍ତି ରଙ୍ଗରେ ସମାନ କିନ୍ତୁ ଗୁଣରେ ଭିନ୍ନ, ତେଣୁ ରୂପରେ ସାମଞ୍ଜସ୍ୟ ରହିଥିଲେ ମଧ୍ୟ ଯାହା ଭିତରେ ସୁଗୁଣର ସୁବାସ ନିହିତ ହୋଇ ରହିଥାଏ, ସିଏହିଁ ଲାଭ କରେ ପ୍ରକୃତ ଗୌରବ । କୋଇଲିର କୁହୁତାନ ମଣିଷର ହୃଦୟକୁ ଯେପରି ମଧୁରତାରେ ଭରିଦିଏ କାଉର କର୍କଶ ସ୍ୱର ତାହା କଦାପି କରିପାରେନାହିଁ । ସେଥିପାଇଁ ଏହି କବିତାଟିରେ, ଶେଷ ପଦରେ ଚନ୍ଦ୍ରମୋହନ କହୁଛନ୍ତି-

 

“ରୂପରେ ରୂପରେ

ମେଳଥିଲେ ଯଦି

ଅମେଳ ଥାଏ ଗୁଣରେ,

ଗୁଣ ଯେ ଅଧିକ

ସେ ପାଏ ଆଦର

ଏହି, ରୀତି ଜଗତରେ ।” (୧)

 

ଶିଶୁମାନଙ୍କ ପାଇଁ ରଚନା କରାଯାଉଥିବା କବିତାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା, ଭାଷାର ସରଳତା ଓ ଭାବର ଆନ୍ତରିକତା । ଏହି ଦୁର୍ଲ୍ଲଭ ଗୁଣର ଅଧିକାରୀ ଥିଲେ ଚନ୍ଦ୍ରମୋହନ । ସେଥିପାଇଁ ତାଙ୍କ କବିତାଗୁଡ଼ିକରେ ସାରଲ୍ୟର ଯେଉଁ ଦୀପ୍ତି ପ୍ରସ୍ଫୁଟିତ ତାହା ସ୍ୱତହଃ ଆଖିକୁ କରେ ସମ୍ମୋହିତ । ‘ହଳଦୀ ବସନ୍ତ’ ନାମକ କବିତାରେ ବାଳକ ବାଳିକାମାନଙ୍କୁ ସ୍ନେହସିକ୍ତ ଭାଷାରେ ଯେପରି ହଳଦୀ ବସନ୍ତ ପକ୍ଷୀର ମନୋହର ରୂପ ଓ ମନୋହର ସ୍ୱଭାବକୁ ସେ ବର୍ଣ୍ଣନା କରିଛନ୍ତି ତାହା ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧଜନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅଭିପ୍ରେତ । ମଣିଷ ଅନ୍ୟମାନଙ୍କ ସହିତ କଳହ, କରି ତା’ର ଜୀବନକୁ ପୀଡ଼ାଗ୍ରସ୍ତ କରିଦିଏ । ସାଧାରଣତଃ ହଲଦୀବସନ୍ତ ଚଢ଼େଇଟିର ନିଷ୍ପାପ ରୂପ ଯଦି ମଣିଷ ପ୍ରତି ମୁହୂର୍ତ୍ତରେ ନିଜ ସମ୍ମୁଖରେ ଦେଖିପାରୁଥାନ୍ତା, ତାହାହେଲେ ସେ ସକଳ ପ୍ରକାର କୁତ୍ସିତ କଳହରୁ ନିଜକୁ ମୁକ୍ତ କରିଦେଇପାରନ୍ତା । କବିଙ୍କ ଭାଷା ଉଦ୍ଧାର ନ କଲେ ତାଙ୍କ ବାଣୀର ମାଧୁର୍ଯ୍ୟ ଆମେ ଯଥାର୍ଥ ଭାବରେ ଅନୁଭବ କରିପାରିବାନାହିଁ । କବି ଲେଖୁଛନ୍ତି-

 

ନ କରୁ କଳହ

ତୁ କାହାରି ସହ

ନ ପୀଡ଼ୁ କାହାରି ମନ;

ପାଉ ତୁ ଆଦର

ତେଣୁ ଜଗତର

ଯେହ୍ନେ ସୁନ୍ଦର ସୁଜନ ।

ହଳଦୀ ବସନ୍ତ

ପରି ରୂପବନ୍ତ

ବାଳକ-ବାଳିକାମାନେ!

ମୋହ କଥା ମନେ

ରଖିବ ଯତନେ

ଗୁଣୀ ହୁଅ ତା ସମାନେ । (୨)

 

ଏହି ପଦ୍ୟାଂଶର ପ୍ରଥମ କବିତାରେ କାଉର କର୍କଶତା ସମ୍ପର୍କରେ ସେ ଶିଶୁମାନଙ୍କୁ ସଚେତନ କରିଦେଇଥିଲେ ମଧ୍ୟ, ତା’ ଭିତରେ ମଧ୍ୟ ଯେ ଏକ ଦୁର୍ଲଭ ଗୁଣ ନିହତ ଅଛି ଏକଥା ‘ଡାମରା କାଉ’ ନାମକ କବିତାରେ ଉଲ୍ଲେଖ କରିଛନ୍ତି । ଡାମରାକାଉ ଅନ୍ୟକେହି ଉଠିବା ପୂର୍ବରୁ ନିଜେ ପ୍ରଥମେ ଜାଗ୍ରତ ହୋଇଥାଏ । ତାହାଠାରେ ନ ଥାଏ ଅଳସତା । ସାରାଦିନ ତା’ର ବିତିଯାଏ ଶ୍ରମକ୍ଳାନ୍ତ ହୋଇ । ଅଥଚ ବିଶ୍ରାମ ନେବାପରେ ସମସ୍ତଙ୍କ ଆଗରୁ ସିଏହିଁ ରାତି ପାହିବାର ବାର୍ତ୍ତା ଦିଏ ପ୍ରଥମେ । ତେଣୁ ଯେଉଁଠି ଦୋଷ ରହିଛି ତାହାକୁ ତ୍ୟାଗକରି ଦୋଷୀ ଭିତରେ ମଧ୍ୟ ରହିଥିବା ଅନ୍ତର୍ନିହିତ ସୁଗୁଣକୁ ଆହରଣ କରିବା ପାଇଁ ସେ ଯେଉଁ ସଙ୍କେତ ପ୍ରଦାନ କରିଛନ୍ତି ତାହା ପ୍ରତିଟି ସମୟ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ।

 

କେବଳ ଯେ ପକ୍ଷୀମାନଙ୍କ ସମ୍ପର୍କରେ ସେ କବିତା ଲେଖିଛନ୍ତି ତାହା ନୁହେଁ । ବୃକ୍ଷଲତା ସମ୍ପର୍କରେ ମଧ୍ୟ ଲେଖନୀ ଚାଳନା କରି ତାଙ୍କ ପ୍ରକୃତି ପ୍ରୀତିର ନିଦର୍ଶନ ସେ ଛାଡ଼ି ଯାଇଛନ୍ତି । ‘ବଟବୃକ୍ଷ’ ନାମକ କବିତାରେ ତାହାର ଗୁଣଗାନ କରିଛନ୍ତି ମୂଳରୁ ସେ । ଗ୍ରୀଷ୍ମକାଳର ମଧ୍ୟାହ୍ନରେ ବଟବୃକ୍ଷରୁ ଯେଉଁ ଶୀତଳତା ଝରି ଆସେ ତାହା ମଣିଷକୁ ପ୍ରଦାନ କରେ ପରମ ଶାନ୍ତି । ସେହିପରି ଶୀତାର୍ତ୍ତ ଦିବସରେ ତା’ ମୂଳରେ ଆଶ୍ରୟ ନେଲେ ମଣିଷ ଅନୁଭବ କରିପାରେ ଉଷ୍ମତାର ସ୍ପର୍ଶ । କୋଇଲି, ହଳଦୀବସନ୍ତ, ଗୁଣ୍ଡୁଚି ମୂଷା, ଆଉ କେତେ ପକ୍ଷୀ ତା’ ଦେହରେ ନିଅନ୍ତି ଆଶ୍ରୟ । ବର୍ଷା ଶୀତର କଷଣ ସହ୍ୟ କରି ସେ ଯେ ଆମମାନଙ୍କର ହିତସାଧନ କରେ ତାହାହିଁ ତା’ ଜୀବନର ଶ୍ରେଷ୍ଠ ସଫଳତା । କବି ବଟବୃକ୍ଷଠାରୁ ଦୃଷ୍ଟି ଫେରାଇ ଦେଇ ମଣିଷ ଉପରେ ପାଠକର ଦୃଷ୍ଟି କେନ୍ଦ୍ରୀଭୂତ କରି କହିଛନ୍ତି ଯେ-ଯେଉଁ ମଣିଷ ଦୁଃଖ ଓ କଷ୍ଟ ସହ୍ୟ କରି ପରହିତ ସାଧାନରେ ନିଜକୁ ସମର୍ପିତ କରେ ସିଏହିଁ ହେଉଛି ପ୍ରକୃତ ‘ମହାଜନ’ । ପ୍ରକୃତିର ବିଭିନ୍ନ ଦୃଶ୍ୟ କବି ଚିତ୍ତକୁ ବିମୋହିତ କରି ଦେଇଛି । ପ୍ରଭାତର ଆଗମନ କିପରି ପୃଥିବୀକୁ ସୌନ୍ଦର୍ଯ୍ୟମୟ କରେ, ସେ କଥା କବି ନିଜ ଜୀବନର ନିଶ୍ଚିତ ଭାବରେ ଉପଲବ୍ଧି କରିଥିବାରୁ ‘ପ୍ରଭାତ’ ନାମକ କବିତାରେ ତାହାର ନିର୍ମଳତା ଓ ମଧୁରତା ପ୍ରତି ପାଠକର ଆତ୍ମାକୁ ଆକର୍ଷିତ କରିଦେଇଛନ୍ତି । ପ୍ରଭାତ ହେଉଛି ସମସ୍ତଙ୍କ ମନରେ ନୂତନ ଆନନ୍ଦ ସଞ୍ଚାର କରିଦେବାର ଦିବା ମୁହୂର୍ତ୍ତ । ଏହି ମହାନ୍‍ ମୁହୂର୍ତ୍ତକୁ ସ୍ମରଣ କରିବା ପାଇଁ କବି ଯେଉଁ ବଳିଷ୍ଠ ପ୍ରେରଣା ପ୍ରଦାନ କରିଛନ୍ତି ତାହା ଭକ୍ତ କବି ମଧୁସୂଦନ ରାଓଙ୍କ ଭକ୍ତି ଭାବାପୂର୍ଣ୍ଣ ହୃଦୟକୁ ସ୍ମରଣ କରାଇ ଦିଏ । ସଂକଳନରେ ‘ଭିତର ଓ ବାହାର’ ଶୀର୍ଷକ ଏକ କବିତା ରହିଛି- ‘ନାରୀକେଳ ଫଳ’, ପଣସର କଣ୍ଟକିତ ବାହ୍ୟସ୍ତର, କଠିନ ହେଲେହେଁ ଭିତରେ ଭରି ରହିଥାଏ ଅମୃତର ସ୍ୱାଦ । ଆଉ ରସାଳ ନାମକ ଫଳର ବାହାର ଓ ଭିତର ଉଭୟ ହେଉଛି ସମାନ । କବି ଚନ୍ଦ୍ରମୋହନ ମହାକାଳ ଫଳ ଭଳି ଅସୁନ୍ଦର ନ ହୋଇ ନିଜର ବାହାର ଓ ଭିତର ଉଭୟକୁ ନିର୍ମଳ, ସୁନ୍ଦର, ତଥା ମଧୁର କରିବା ପାଇଁ ପ୍ରଦାନ କରିଛନ୍ତି ସ୍ନେହସିକ୍ତ ନିର୍ଦ୍ଦେଶ । ଏସବୁ ମଧ୍ୟରେ ଶିଶୁ ମନକୁ ଶିକ୍ଷିତ କରିବା ପାଇଁ ସେ ଯେଉଁ ଶ୍ରେଷ୍ଠ ଭୂମିକାରେ ଅବତୀର୍ଣ୍ଣ ‘ମହୁମାଛି’ ନାମକ କବିତାରେ ମଧୁ ସଂଗ୍ରହ କରି ମହତ କାର୍ଯ୍ୟରେ ମହୁମାଛି ଯେଉଁ ଅତୁଳନୀୟ ଶ୍ରମ ସ୍ୱୀକାର କରେ ତାହାକୁ ବର୍ଣ୍ଣନା କରିଛନ୍ତି ଓ ଏହି ମହୁମାଛିକୁ ଗୁରୁରୂପେ ଗ୍ରହଣ କରି ସକଳ ଆଳସ୍ୟ ପରିତ୍ୟାଗ କରି ସଦ୍‌ଗୁଣ ଆହରଣ କରିବା ସକାଶେ କବିତା ଭିତରେ ଭରି ଦେଇଛନ୍ତି ସେ ମହୁମାଛିର ମଧୁର ସ୍ୱର । ଏ କବିତାଗୁଡ଼ିକ ଉପଦେଶାତ୍ମକ ନିଶ୍ଚୟ । ତେବେ ଏ ଉପଦେଶ ମଧ୍ୟରେ ନାହିଁ କୌଣସି ଶୁଷ୍କତା । ବରଂ ଅଛି ହାର୍ଦ୍ଦିକ ସରସତାର ନିର୍ମଳ ସ୍ୱର୍ଗ । ସେଥିପାଇଁ ଏହା ଯେ କୌଣସି ବର୍ଗର ପାଠକପାଠିକାଙ୍କ ନିମିତ୍ତ ନେଇ ଆସି ପାରିଛି ଏକ ନୂତନ ଅନୁଭବ ।

 

ଏ ପୃଥିବୀରେ ମଣିଷ ଜନ୍ମ ଦେଇଛି ସ୍ନେହର ବନ୍ଧନରେ ବାନ୍ଧି ହୋଇଯିବା ପାଇଁ । ସେଥିପାଇଁ ଜୀବନ ଥିବା ପର୍ଯ୍ୟନ୍ତ ସ୍ନେହ, ବାର୍ତ୍ତାଳାପ ମାଧ୍ୟମରେ କାହାକୁ ପୀଡ଼ା ନ ଦେବା ପାଇଁ, ମଧୁରବଚନ ଉଚ୍ଚାରଣ କରି ଅନ୍ୟମାନଙ୍କ ମନରେ ଆନନ୍ଦ ସଞ୍ଚାର କରିବା ପ୍ରସଙ୍ଗ ସଙ୍ଗେ ପରୋପକାରରେ ବ୍ରତୀ ହେବା ନିମିତ୍ତ କବିଙ୍କ ଆନ୍ତରିକତା ଭରା କବିତା ‘ମନେରଖ’ ପ୍ରକୃତରେ ସର୍ବଦା ସ୍ମୃତିକୋଷରେ ସାଇତି ରଖିବା ଭଳି ଏକ ଉଚ୍ଚକୋଟୀର କବିତା । ସାଧାରଣ ଦୁର୍ବାଦଳ ମଧ୍ୟରେ ବି କି ସନ୍ଦେଶ ଗୁମ୍ଫିତ ହୋଇ ରହିଛି ତାକୁ ଆବିଷ୍କାର କରିଛନ୍ତି କବି । ସୁକୁମାର ଦୁର୍ବାଦଳର ଶୋଭା ବାସ୍ତବିକ ଅତୁଳନୀୟ । ଯେଉଁଠି ତା’ର ଆବରଣ ଅନୁପସ୍ଥିତ ତାହା ଦେଖାଯାଏ ଶ୍ରୀହୀନ ମରୁଭୂମି ତୁଲ୍ୟ । ଏହି ନବ ଦୁର୍ବାଦଳ ଭଳି ଆପଣାର ମନକୁ ସୁନ୍ଦର, ଶ୍ୟାମଳ କରିବା ପାଇଁ କବି ପରୋକ୍ଷ ଭାବରେ ସଞ୍ଚାର କରିଛନ୍ତି ପ୍ରେରଣାର ମହାନ୍‍ ଆବେଗ ।

 

ମଣିଷର ଶୈଶବ କାଳ କେବଳ ଥରେ ଆସିଥାଏ ଜୀବନରେ । ଯେତେ ଝୁରି ହେଲେ ମଧ୍ୟ ଏହି ସମୟର ସୌକୁମାର୍ଯ୍ୟ ଆଉ ଲେଉଟି ଆସେନା । ତେଣୁ ଶିଶୁର ନିଷ୍ପାପ ସରଳତା କାହାକୁ ବା ମୁଗ୍ଧ କରେନାହିଁ ! କବି ଚନ୍ଦ୍ରମୋହନଙ୍କୁ ମଧ୍ୟ ଶୈଶବର ସୌନ୍ଦର୍ଯ୍ୟ ଅଭିଭୂତ କରି ଦେଇଛି । ସେ ଶିଶୁକୁ ଦେବତା ସହିତ ତୁଳନା କରିଛନ୍ତି । ମାତ୍ର ଦେବତା ହୃଦୟରେ ମଧ୍ୟ ଏପରି ମଧୁରତା ଓ ସରଳତା ଉପସ୍ଥିତ ଥିବ କି ନାହିଁ ତାହା ସନ୍ଦେହଜନକ । ସେଥିପାଇଁ କହିବାକୁ ଇଚ୍ଛା ହୁଏ ଯେ ଶିଶୁ ହୋଇଛି ଦେବତାଠାରୁ ମଧ୍ୟ ସୁନ୍ଦର । ତା’ର କୌଣସି ଚିନ୍ତା ନ ଥାଏ, ନ ଥାଏ କୌଣସି ଆଶା ବା ଅଭିଳାଷ । ସେ ଚିହ୍ନେ ନାହିଁ ଧନ ବା ମନକୁ । ସର୍ବଦା ପରିତୃପ୍ତିର ଭାବରେ ସେ ପରିପୂର୍ଣ୍ଣ ହୋଇ ରହିଥାଏ । ସେଥିପାଇଁ ଶୈଶବ, ଶୀର୍ଷକ କବିତାଟିରେ କବି କହନ୍ତି-

 

ନ ଜାଣଇ ଚିନ୍ତା, ନାହିଁ ତାର ଆଶା

 

ନ ଚିହ୍ନଇ ସେହୁ ଧନ;

ତେଣୁ ସଦା ତୋଷ, ନିର୍ମଳ ସଲିଳ

 

ପରାଏ ସଦା ତା’ ମନ ।(୩)

 

ପୃଥିବୀ ଓ ମଣିଷର କଲ୍ୟାଣ କାମନାରେ ସତକୁ ସତ ଯେଉଁ କବି ଅନ୍ତର କମ୍ପିତ ସେଥିରେ ଭରିଥାଏ ଅମିତ ତେଜ ଓ ଗଭୀର ପ୍ରଶାନ୍ତି । ମହାତ୍ମା ଗାନ୍ଧୀ କହୁଥିଲେ ପ୍ରାର୍ଥନା ହିଁ ତାଙ୍କ ଜୀବନକୁ ବଞ୍ଚାଇ ରଖିଛି । ଯେଉଁ ହୃଦୟ ପ୍ରାର୍ଥନା ହୀନ ତାହା କେବେହେଲେ ମାନବୀୟ ମମତାର ସୁକୋମଳ ହୋଇପାରେନା । ଅପର ପକ୍ଷରେ ପ୍ରାର୍ଥନା ହିଁ ଯାହାର ଜୀବନର ଶ୍ରେଷ୍ଠ ଶବ୍ଦୋଚାରଣ ତାହାର ହିଁ ପ୍ରଭାବ ଯେକୌଣସି ପରିବେଶକୁ କରିଦିଏ ପରିଶୁଦ୍ଧ, ନିର୍ମଳ ଓ ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୂର । ଅଧମ ବାଳକମାନଙ୍କୁ କୃପାର ବିନ୍ଦୁ ବିତରଣ କରିବାପାଇଁ କବିଙ୍କ ପ୍ରାର୍ଥନା ତ ନିଶ୍ଚିତ ଭାବରେ ଅନ୍ତର୍ଭେଦୀ । ମାତ୍ର କେବଳ ବାଳକ ବାଳିକାମାନଙ୍କ ପାଇଁ ନୁହେଁ ନିଜ ମନର ପବିତ୍ରତା ସକାଶେ ଈଶ୍ୱରଙ୍କ ପ୍ରତି ତାଙ୍କର ପ୍ରାର୍ଥାନା ଅତ୍ୟନ୍ତ ଅନ୍ତଃସ୍ପର୍ଶୀ । କୁହାଯାଏ ଏ ପୃଥିବୀର କୌଣସି ମଣିଷ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଏକାନ୍ତ ଅସମ୍ଭବ । ତଥାପି ଏହି ଅସମ୍ଭବକୁ ସମ୍ଭବ କରିବାର ନିବିଡ଼ ବ୍ୟାକୁଳତା ଯେଉଁ କବିର ଅନ୍ତରକୁ ଥରାଇ ଦିଏ ନା ସେ କ’ଣ ସତରେ ସୃଜନଶୀଳତାର ଆଧାର ?

 

ପ୍ରିୟବାଣୀ ଉଚ୍ଚାରଣ କରି ସକଳ ଜନର ମନରେ ସନ୍ତୋଷ ସଞ୍ଚାର କରିବା ପାଇଁ କବିଙ୍କ ନିରବ ଓ ଆନ୍ତରିକ ପ୍ରାର୍ଥନା ପ୍ରତ୍ୟେକଟି ପାଠକ ନିମିତ୍ତ ଏକ ଶାଶ୍ୱତ ଆହ୍ୱାନ । କବିଙ୍କ ଏହି ଉଚ୍ଚରେ ଅଭିଜ୍ଞତାର ପ୍ରତିଫଳନ କିପରି ଘଟିଛି ‘ପ୍ରାର୍ଥନା’ କବିତାରେ ତାହା ଦେଖାଯାଉ ।

 

‘ନିରନ୍ତର ସତ୍ୟ ପୁଣି ପ୍ରିୟବାଣୀ କହି

ସକଳ ଜନର ମନ ଯେହ୍ନେ ମୁଁ ତୋ ପାଇଁ ।

ଯେଉଁ ଯେଉଁ କର୍ମେ ହୁଏ ପ୍ରାଣୀର ମଙ୍ଗଳ,

ତାହା ହିଁ ଆବରୁ ଆଉ ଏ କର-ଯୁଗଳ ।

କର୍ମ୍ମରେ ହିଁ ଦିବସଟି ମୋର କଟି ଯାଉ

ଦିନ ଅନ୍ତେ ସୁନିଦ୍ରାରେ ରଜନୀ ମୋ ପାହୁ ।’ (୪)

 

ଯେଉଁ ପବିତ୍ର ପୃଥିବୀରେ ଆମର ଜନ୍ମ ଓ ଜୀବନ ଅତିବାହିତ ହୋଇଯାଏ, ସେହି ପୃଥିବୀ ସବୁଦିନ ଶସ୍ୟଶ୍ୟାମଳା ହୋଇ ରହିଥାଉ, ଧନଧାନ୍ୟରେ ଭରା ହୋଇ ରହିଥାଉ, ଏହି ଭାଷା ଯେ ଈଶ୍ୱର ଚନ୍ଦ୍ରମୋହନଙ୍କ ହୃଦୟ ମଧ୍ୟରେ ଭରପୂର ହୋଇ ରହିଥିଲା ଏହି ପ୍ରକାର ଦିବ୍ୟ ଅଭିଳାଷ । ଉପଦେଶ ପ୍ରଦାନ କରିବା ପାଇଁ ଜଗତରେ ସମସ୍ତେ ପ୍ରସ୍ତୁତ । ଆହୁରି ଅନେକ ଜ୍ଞାନପୂର୍ଣ୍ଣ ପୁସ୍ତକ ଅଧ୍ୟୟନ କରି ସିଦ୍ଧି ଲାଭ କରିଛନ୍ତି ବୋଲି ଅହଂ ଭାବନାରେ ସ୍ଫୀତ । ପଣ୍ଡିଚେରୀରେ ମହାଯୋଗୀ ଓ ମହାକବି ଶ୍ରୀ ଅରବିନ୍ଦଙ୍କ ତପସ୍ୟା ସହିତ ନିଜ ଆତ୍ମାକୁ ସଂଯୁକ୍ତ କରି ଦେଇଥିବା ଦିବ୍ୟ ଜୀବନ ପଥର ମହାନ୍‍ ସାଧିକା ଶ୍ରୀମା କହିଛନ୍ତି- “ଉପଦେଶ ପୁସ୍ତକ ପଠନର କୌଣସି ଉଦ୍ଦେଶ୍ୟ ସେପର୍ଯ୍ୟନ୍ତ ସିଦ୍ଧ ହୁଏ ନାହିଁ । ଯେ ପର୍ଯ୍ୟନ୍ତ ଜଣେ କୃତ ସଂକଳ୍ପ ନ ହୋଇଛି ଯେ ସେଥିରୁ ଯାହା ଶିକ୍ଷା ମିଳେ ସେହି ଅନୁସାରେ ଜୀବନ ନିର୍ବାହ କରିବା ପାଇଁ ।” (୫)

 

ଅଥଚ ପାଠକ ମନେ କରନ୍ତି ଯେ ଶିଶୁମାନଙ୍କ ନିମନ୍ତେ ରଚନା କରାଯାଇଥିବା କବିତା କେବଳ ଶିଶୁମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ ମାତ୍ର ଏ ଧାରଣା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଜୀବନର ନାନାବିଧ ଜଟିଳ ଅଭିଜ୍ଞତା ଆମକୁ ଏହି ବାର୍ତ୍ତାହିଁ ପ୍ରଦାନ କରେ ଯେ ଶିଶୁ ଉପଯୋଗୀ ସାହିତ୍ୟକୁ ବୟସ୍କମାନେ ପଢ଼ିବା ଏକାନ୍ତ ଜରୁରୀ । ନିଜର ଶୈଶବକାଳର ରସ ଉଚ୍ଛଳ, ଲୁହ ପିଚ୍ଛିଳ ସୁକୁମାର ମନଟିକୁ କେହି ଯଦି ମୃତ୍ୟୁ ପର୍ଯ୍ୟନ୍ତ ଅମଳିନ ରଖିବା ପାଇଁ ଚାହେଁ, ତା’ ହେଲେ ସିଏ ଶିଶୁମାନଙ୍କ ପାଇଁ ରଚିତ ସାହିତ୍ୟ ନିବିଷ୍ଟ ଚିତ୍ତରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ନିରନ୍ତର । ଚନ୍ଦ୍ରମୋହନ ମହାରଣାଙ୍କ କବିତ୍ୱ ଏ ଭଳି କବିତା ରଚନାଦ୍ୱାରା ଯେ କେତେ ପ୍ରଭାବ ଦୀପ୍ତ ହୋଇପାରିଛି ତାହା ଏହାର ମର୍ମଜ୍ଞ ପାଠକମାନେହିଁ ଯଥାର୍ଥ ଭାବରେ ଉପଲବ୍ଧି କରିପାରିବେ । ପଦ୍ୟରେ ଯେଭଳି ଗଦ୍ୟରେ ମଧ୍ୟ ସେହିଭଳି ଚନ୍ଦ୍ରମୋହନ ଯେଉଁ ପ୍ରେରଣାର ଦୀପ ପ୍ରଜ୍ୱଳିତ କରି ଦେଇଛନ୍ତି ଶିଶୁମାନଙ୍କୁ ମାଧ୍ୟମ କରି ତାହା ସ୍ୱତନ୍ତ୍ର ଅଧ୍ୟୟନରେ ଅପେକ୍ଷା ରଖେ । ଚନ୍ଦ୍ରମୋହନ ମହାରଣା ହେଉଛନ୍ତି ସେହି ସ୍ତରର ସ୍ରଷ୍ଟା ଯିଏ ସମ୍ପୂର୍ଣ୍ଣ ମୁକ୍ତ ହୃଦୟରେ ନିଜକୁ ପ୍ରକାଶ କରିପାରନ୍ତି ସ୍ୱଚ୍ଛଳ ଭାବରେ । ପ୍ରେମର ନିବିଡ଼ତାରେ ତାଙ୍କ ହୃଦୟ ପ୍ରବେଶ ଅତ୍ୟନ୍ତ ପ୍ରସାରିତ, ସେଥିପାଇଁ ତାଙ୍କର ସୃଜନଶୀଳତା ହୋଇପାରିଛି ଏକାନ୍ତ ଅର୍ଥପୂର୍ଣ୍ଣ ଓ ପ୍ରେରଣାମୟ । ସରଳ ଶବ୍ଦ ସେହିମାନେହିଁ ପ୍ରୟୋଗ କରିପାରନ୍ତି ତାଙ୍କ କବିତାରେ ଯେଉଁମାନଙ୍କ ଅନ୍ତର ସାରଲ୍ୟର ଜ୍ୟୋତିରେ ଭାସ୍ୱର । ଓଡ଼ିଆ ସାହିତ୍ୟାକାଶରେ ଚନ୍ଦ୍ରମୋହନ ମହାରଣାଙ୍କ ଆବିର୍ଭାବ ପରିଶୁଦ୍ଧ ପ୍ରଭାତୀ ତାରା ଭଳି । ସେଥିପାଇଁ ପ୍ରଭାତ କାଳରେ ପରିଚ୍ଛନ୍ନତା ପ୍ରଶାନ୍ତି ଯେପରି ତାଙ୍କ କବିତାରେ, ଚିରଉଦ୍‌ଭାସିତ ସେହିପରି କବିତ୍ୱର ମହିମାରେ ସମସ୍ତ କବିତା ହୋଇ ଉଠିଛି ମହିମାନ୍ୱିତ । ଏଭଳି ଉଚ୍ଚକୋଟୀର ସାହିତ୍ୟ ଶିଳ୍ପୀ ଆମ ସାହିତ୍ୟ ଜାଗତର ଯେ ଶ୍ରେଷ୍ଠ ଦିଗ୍‌ଦର୍ଶକ ଏଥିରେ ସନ୍ଦେହ ନାହିଁ ।

 

ପ୍ରାଧ୍ୟାପକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର-୭୫୧୦୦୪

 

ପ୍ରାନ୍ତଟୀକା

 

୧) ମହାରଣା ଚନ୍ଦ୍ରମୋହନ କଥାବଳି ପଦ୍ୟାଂଶ : ଚନ୍ଦ୍ରମୋହନ ଗ୍ରନ୍ଥାବଳୀ (ସମ୍ପାଦନା ଡଃ ଅରବିନ୍ଦ ଗିରି) ଦ୍ୱିତୀୟ ସଂସ୍କରଣ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪, ୨୦୧୭, ପୃଷ୍ଠା-୪୮

୨) ମହାରଣା ଚନ୍ଦ୍ରମୋହନ କଥାବଳି ପଦ୍ୟାଂଶ: ଚନ୍ଦ୍ରମୋହନ ଗ୍ରନ୍ଥାବଳୀ ପୃଷ୍ଠା-୪୯

୩) ମହାରଣା ଚନ୍ଦ୍ରମୋହନ, ଶୈଶବ କଥାବଳି ପଦ୍ୟାଂଶ :ଚନ୍ଦ୍ରମୋହନ ଗ୍ରନ୍ଥାବଳୀ ପୃଷ୍ଠା-୯୦

୪) ମହାରଣା ଚନ୍ଦ୍ରମୋହନ, ପ୍ରାର୍ଥନା : କଥାବଳି ପଦ୍ୟାଂଶ :ଚନ୍ଦ୍ରମୋହନ ଗ୍ରନ୍ଥାବଳୀ ପୃଷ୍ଠା-୯୦-୯୧-

 

୫) ଜୌହର ତାରା, ଚିନ୍ତା ଓ ସ୍ୱକ୍ତାବଳୀ :ମା’ଙ୍କ ସାନ୍ନିଧ୍ୟରେ ଜୀବନ-ପ୍ରଭାତ (ଭାଷାନ୍ତର ମଧୁସୂଦନ ମହାପାତ୍ର), ଶ୍ରୀ ଅରବିନ୍ଦ ଆଶ୍ରମ, ଦିଲ୍ଲୀ ଶାଖା ଟ୍ରଷ୍ଟ, ନୂଆଦିଲ୍ଲୀ-୧୦, ୨୦୦୭, ପୃଷ୍ଠା-୩୫

-୦-

 

ପ୍ରାବନ୍ଧିକ ଚନ୍ଦ୍ରମୋହନଙ୍କ ରଚନା ଶିକ୍ଷା ଓ ଜାତୀୟ ଚେତନା

ଡକ୍ଟର ରମାକାନ୍ତ ସିଂହ

 

ଚନ୍ଦ୍ରମୋହନ ମହାରଣା (୧୮୭୦-୧୯୨୯) ଜଣେ ସମର୍ପିତ ଶିକ୍ଷକ ଥିଲେ । ବହୁ ସୁନାମଧନ୍ୟ ଛାତ୍ର ଯଥା ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରମୁଖଙ୍କର ସିଏ ଯୋଗ୍ୟ ଶିକ୍ଷକ ଥିଲେ । ପୁରୀ ଜିଲ୍ଲାରେ ତାଙ୍କର ଅଧିକାଂଶ ଶିକ୍ଷକ ଜୀବନ ଅତିବାହିତ ହୋଇଥିଲା । ସେ ଛାତ୍ରଛାତ୍ରୀମାନଙ୍କର ଲେଖା କୌଶଳ ବୃଦ୍ଧି ତଥା ସୁସଂହତ କରିବା ପାଇଁ ବ୍ୟାକରଣ ଓ ରଚନା ଶିକ୍ଷା ଦେଉଥିଲେ । ଚନ୍ଦ୍ରମୋହନ ଶିକ୍ଷକତା କରିବା ସମୟରେ ଓଡ଼ିଆ ଭାଷା ସାହିତ୍ୟର ପରିଚୟରେ ସଙ୍କଟ ତଥା ଜାଗରଣ ବେଳା ଆରମ୍ଭ । ବିଧିବଦ୍ଧ ପାଠ୍ୟପୁସ୍ତକ ରଚନା କରିବା ଏବଂ କୋମଳମତି ଶିଶୁ ଓ କିଶୋର ମାନସକୁ ଉଦ୍‌ବୁଦ୍ଧ କରିବା ପାଇଁ ଚନ୍ଦ୍ରମୋହନ ପ୍ରୟାସ କରି ସେଥିରେ ଅପୂର୍ବ ସଫଳତା ଲାଭ କରିଥିଲେ । ତାଙ୍କ ରଚିତ ଓଡ଼ିଆ ବ୍ୟାକରଣ ସୋପାନ ଓ ରଚନା ଶିକ୍ଷାକୁ ମ୍ୟାକ୍‌ମିଲାନ୍‍ ଏଣ୍ଡ କୋମ୍ପାନି ଆଠଶହ ଟଙ୍କା ବିନିମୟରେ କ୍ରୟ କରି ଅନୁମୋଦିତ ପାଠ୍ୟପୁସ୍ତକରୂପେ ପ୍ରକାଶ ଓ ପ୍ରଚଳନ କରିଥିଲେ । ଓଡ଼ିଆ ଭାଷା ଓ ଜାତୀୟ ଜୀବନର ସନ୍ଧିକ୍ଷଣରେ ଜନ୍ମିତ ଚନ୍ଦ୍ରମୋହନ ପାଠ୍ୟପୁସ୍ତକ ପ୍ରଣୟନ କାର୍ଯ୍ୟକୁ ଏକ ଯୁଗୋପଯୋଗୀ ଜାତୀୟ କର୍ତ୍ତବ୍ୟରୂପେ ସମ୍ପାଦନ କରିଥିଲେ ଓ ସଫଳତା ଲାଭ କରିଥିଲେ । ତାଙ୍କ ପ୍ରଣୀତ ବ୍ୟାକରଣ ପୁସ୍ତକ ୧୯୧୦ରୁ ୧୯୫୦ ମସିହା ପର୍ଯ୍ୟନ୍ତ ଓଡ଼ିଶାର ବିଦ୍ୟାଳୟମାନଙ୍କେ ପ୍ରଚଳିତ ହୋଇ ଛାତ୍ରଉପଯୋଗୀ ହୋଇଥିଲା । ‘ଉତ୍କଳସାହିତ୍ୟ’ରେ ଚନ୍ଦ୍ରମୋହନଙ୍କର ଭୂଗୋଳ, ଇତିହାସ, ବାଣିଜ୍ୟ ଆଦି ସମ୍ପର୍କରେ ତାତ୍ତ୍ୱିକ, ଯୁକ୍ତିନିଷ୍ଠ ପ୍ରବନ୍ଧମାନ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିଲା । ନିଷ୍ଠାପର ଅଧ୍ୟବସାୟ ଏବଂ ଦକ୍ଷ ଲେଖନୀ ଚାଳନା କରି ତରୁଣ ଚନ୍ଦ୍ରମୋହନ ଫକୀରମୋହନ ଏବଂ ମଧୁସୂଦନ ରାଓଙ୍କର ଆସ୍ଥାଭାଜନ ହୋଇଥିଲେ । ‘ଉତ୍କଳ ସାହିତ୍ୟ ସମାଜ’ ପ୍ରତି ଅନୁରାଗ ଯୋଗୁଁ ୧୯୨୬ ମସିହାରେ ଏହି ସମ୍ଭ୍ରାନ୍ତ ସାରସ୍ୱତ ଅନୁଷ୍ଠାନର ବାର୍ଷିକ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ‘ଉତ୍କଳ ସାହିତ୍ୟ ସମାଜ’ର ସାତଜଣ ପ୍ରତିଷ୍ଠାତା ସଦସ୍ୟମାନଙ୍କ ଭିତରେ ଚନ୍ଦ୍ରମୋହନ ଜଣେ । ଏହି ଆଲେଖ୍ୟରେ ଚନ୍ଦ୍ରମୋହନଙ୍କ ରଚନା, ଲିଖନ କୌଶଳ, ଶିକ୍ଷା ଏବଂ ପରବର୍ତ୍ତୀ କାଳରେ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ କେତେକ ପ୍ରବନ୍ଧରେ ଚନ୍ଦ୍ରମୋହନଙ୍କ ଅଭିନବ ବିଷୟବସ୍ତୁ ନିର୍ବାଚନ, ବିଷୟ ବିଶାରଦଭାବେ ନିର୍ଦ୍ଦିଷ୍ଟ ଶବ୍ଦ ଚୟନ, ଭାବସମ୍ପଦକୁ ପ୍ରତିପାଦିତ କରିବା ପାଇଁ ତର୍କସମ୍ମତ ପ୍ରଜ୍ଞାର ପ୍ରୟୋଗ, ସ୍ୱକୀୟ ଗଦ୍ୟଶୈଳୀ ଉପରେ ଆଲୋକପାତ କରାଯାଇଛି ।

 

ଶିକ୍ଷଣର ଚାରୋଟି ମୁଖ୍ୟ କୌଶଳ (skill) ଭିତରେ ଲିଖନ ଶୈଳୀଟି ସବୁଠାରୁ କଷ୍ଟ । ମାତୃଗର୍ଭରୁ ଜନ୍ମମାତ୍ରେ ଶିଶୁଟି ଶବ୍ଦ ସବୁକୁ ଶୁଣେ, ବୁଝିବାକୁ ଚେଷ୍ଟାକରେ । ଶବ୍ଦ ବା sound ଶିଶୁଟିର ବୋଧଗମ୍ୟ ନ ହେଲେ ସେ ଅସହାୟ ହୋଇ କାନ୍ଦେ । ମାଆ ତାକୁ ପ୍ରବୋଧନା ଦେଇ ଶବ୍ଦ ସହିତ ପରିଚୟ କରାଏ । ଏହି ଶ୍ରବଣ ବା listening skill ପରେ ପରେ ଶିଶୁ କଥନ ଶୈଳୀକୁ (speaking skill) ସହଜାତ ପ୍ରବୃତ୍ତିରେ ଆପଣେଇ ନିଏ ।

 

“ଅଭ୍ୟାସ ବଳେ ଶିଶୁ ଯଥା

ଶିଖଇ କ୍ରମେ କହି କଥା ।”

 

ଶବ୍ଦ (sound) ଶୁଣିଶୁଣି ଶିଶୁ ଯେପରି କ୍ରମଶଃ ଶବ୍ଦ (word) ପ୍ରତି ଆକୃଷ୍ଟ ହୋଇ ଶବ୍ଦବ୍ରହ୍ମକୁ ଆୟତ୍ତ କରିବାକୁ ଚେଷ୍ଟାକରେ, ଠିକ୍ ସେହିପରି କଥା (speech) କହୁ କହୁ ବାକ୍‌ଶୁଦ୍ଧି ପରେ ସେ ବାଗ୍ମୀ ଭାବରେ ପ୍ରତିଷ୍ଠା ଲାଭ କରେ । ଶୁଣିବା ଓ କହିବା କୌଶଳ ଆୟତ୍ତ ପରେ ଶିଶୁ ଭିତରେ ପଠନ ଶୈଳୀର ଆକାଂକ୍ଷା ବୃଦ୍ଧିପାଏ । ପଠନ (reading skil) ପରିପକ୍ୱ ହେବାପରେ ଲିଖନ ଶୈଳୀର (writing skill) ଶିକ୍ଷଣ (learning) ଆରମ୍ଭ ହୁଏ । ଇଂଲିଶରେ ପ୍ରବାଦ ଅଛି writing makes a man perfect. ଲିଖନ ଶୈଳୀକୁ କରାୟତ୍ତ କରିବା ପାଇଁ ଛାତ୍ରକୁ ରୀତିମତ ବୌଦ୍ଧିକ କସରତ କରିବାକୁ ପଡ଼େ । ଜଣେ ପ୍ରଗଳ୍‌ଭ ବକ୍ତା ହୋଇପାରେ କିନ୍ତୁ ଲିଖନ ଶୈଳୀରେ ପାରଦର୍ଶିତା ଲାଭ ପାଇଁ ଛାତ୍ରକୁ ସାରାଜୀବନ ସଂଘର୍ଷ କରିବାକୁ ପଡ଼େ । ନିରନ୍ତର ପଠନ ପ୍ରୟାସ ଜାରି ରଖିବାକୁ ହୁଏ । ପଠନ ସହିତ ଆଲୋଚନା, ଶ୍ରବଣ, ସ୍ଥାନ ଭ୍ରମଣ ଏବଂ ଜ୍ଞାନ ଆଲୋଚନା ମାର୍ଜିତ ଲିଖନ ଶୈଳୀ ପାଇଁ ଅପରିହାର୍ଯ୍ୟ ।

 

ଛାତ୍ରଛାତ୍ରୀଙ୍କୁ ରଚନା ଶିକ୍ଷା ଦେବାକୁ ଯାଇ ସେମାନଙ୍କର ବ୍ୟାକରଣଗତ ତ୍ରୁଟି ସଂଶୋଧନ ବାକ୍ୟ ଶୁଦ୍ଧି ଅଶୁଦ୍ଧି ଜ୍ଞାନ ଆଦି ପ୍ରଦାନ କରି, କ୍ଷୁଦ୍ର ପ୍ରବନ୍ଧ ଲେଖା ପଦ୍ଧତି ସମ୍ପର୍କରେ ଚନ୍ଦ୍ରମୋହନ ଆଲୋଚନା କରିଛନ୍ତି । “ବସନ୍ତ ଋତୁ” ବିଷୟରେ ପ୍ରବନ୍ଧ ରଚନା କରିବା ପୂର୍ବରୁ କେଉଁ କେଉଁ ମାସ ସେହି ଋତୁର ଅନ୍ତର୍ଗତ, ନିର୍ଦ୍ଦିଷ୍ଟ ଋତୁର ପୂର୍ବ ଓ ପରବର୍ତ୍ତୀ ଋତୁ ସମ୍ବନ୍ଧୀୟ ଜ୍ଞାନ, ଋତୁ ବିଷୟରେ ସୁଖ ଓ ନିର୍ଦ୍ଦିଷ୍ଟ କଷ୍ଟ ବିଷୟକ ଜ୍ଞାନ ଆବଶ୍ୟକତା ସମ୍ପର୍କରେ ସେ ସୂଚେଇ ଦେଇଛନ୍ତି । ବସନ୍ତର ପୂର୍ବବର୍ତ୍ତୀ ଋତୁ ଶୀତ, ଉତ୍ତରା ପବନ, ମଳୟ ନାମକ ପର୍ବତରୁ ବହୁଥିବା ମଳୟ ପବନ, ଆମ୍ବ ବଉଳ, ନାନା ସୁଗନ୍ଧିତ ଫୁଲର ଋତୁ, ମଧୁମକ୍ଷିକାର ଫୁଲରୁ ମହୁ ସଂଗ୍ରହ, ନାତିଶୀତୋଷ୍ଣୁ ଜଳବାୟୁ, ଗଛପତ୍ର ଝଡ଼ା ଦେଇ କଅଁଳିବା, କୋକିଳର ମଧୁର ସ୍ୱନ ସହିତ ଅନ୍ୟ ପକ୍ଷୀମାନନଙ୍କର କୂଜନ, ଅଧିକ ମଳୟ ପବନ ଦେହ ପକ୍ଷେ ଅହିତକର, ଶ୍ଳେଷ୍ମା ଓ କଫର ସମସ୍ୟା ଆଦିକୁ ବାକ୍ୟ ମାଧ୍ୟମରେ ପ୍ରକାଶ କଲେ ଏହା ଏକ ସୁସଙ୍ଗଠିତ ରଚନା ପ୍ରତିପାଦିତ ହେବ । ଏହିପରି ଅନ୍ୟ ଋତୁମାନଙ୍କ ଉପରେ ଅନୁଶୀଳନ କରି ରଚନା ଲେଖିବାକୁ ସେ ପରାମର୍ଶ ଦେଇଛନ୍ତି ।

 

କୃଷି ବିଷୟକ ପ୍ରବନ୍ଧ ଲେଖିବାବେଳେ ଏହାର ନିର୍ଦ୍ଦିଷ୍ଟ ସମୟ, ମୃତ୍ତିକା ପ୍ରସ୍ତୁତି, ସାର ପ୍ରୟୋଗ, ବୀଜ ବପନ, ଜଳର ଆବଶ୍ୟକତା, ଅମଳ ଓ ଉପଯୋଗିତା ସମ୍ପକୀୟ ଜ୍ଞାନ ପ୍ରାବନ୍ଧିକର ନିହାତି ରହିବା ଆବଶ୍ୟକ । “ଧାନ୍ୟ” ସମ୍ପର୍କରେ ପ୍ରବନ୍ଧ ଲେଖିବା ପୂର୍ବରୁ ଏହା ଏକ ପ୍ରଧାନ ଖାଦ୍ୟ ଏଥିରୁ ପ୍ରସ୍ତୁତ ଭାତ, କ୍ଷୀରି, ପିଠା, ଚୂଡ଼ା, ମୁଢ଼ି ଆଦି ସମ୍ପର୍କରେ ବିଶେଷ ଜ୍ଞାନ ରହିବା ଜରୁରୀ । ଧାନଚାଷ ବିଷୟଭିତ୍ତିକ ନିର୍ବାଚିତ ଶବ୍ଦ ଯଥା ତିନି ଓଡ଼ ଚାଷ (କଢ଼ାଣ, ଦୋଓଡ଼, ତେଓଡ଼ ବା ମଡ଼ାଣ) ଧାନବୁଣାର ପ୍ରକୃଷ୍ଟ ସମୟ ଜ୍ୟୋଷ୍ଠମାସ, ବିହନ ବୁଣିବା, ଧାନ ତଳି ରୋଇବା, ବିଲରେ ବ୍ୟବହୃତ ଜୈବିକ ସାର ଯଥା ପିଡ଼ିଆ, ପୁରୁଣା ପଙ୍କ ବା ଗୋବର, ବୁଣା ହୋଇଥିବା ଧାନଗଛକୁ ବେଉସଣ ବା ବିହୁଡ଼ା କରି ପତଳା କରିବା, ଗର୍ଭଣା ସଂକ୍ରାନ୍ତିରେ ଧାନ ଗର୍ଭରେ ରହିବା, ଧାନ ପାଚିବା ସମୟ ଆଶ୍ୱିନ, ପୌଷ ମାସ, ଅମଳ ବେଳାରେ କଳେଇ ବନ୍ଧା, ଗଦା ମାରିବା ବା ପୁଞ୍ଜିଦେବା, ବେଙ୍ଗଳା ପକେଇ ଧାନ ଅମଳ କରି ଅମାର, ଡୋଲି, ମରାଇ ବା ଓଳିଆରେ ସାଇତି ରଖିବା, ନଡ଼ାକୁଟା ତୁଷ ଆଦି ଗୋଖାଦ୍ୟରୂପେ ବ୍ୟବହୃତ ହେବା ଆଦି ଶବ୍ଦ ସମ୍ଭାରରୁ ଯଥାର୍ଥ ପ୍ରୟୋଗ ଖଳାରେ ଅମଳ ଆଦି ଶବ୍ଦ ସହିତ ଛାତ୍ର ପରିଚିତ ହେବା ନିହାତି ଆବଶ୍ୟକ ବୋଲି ଚନ୍ଦ୍ରମୋହନ ଉପଲବ୍ଧି କରିଛନ୍ତି ।

 

ପ୍ରାଣୀ ବିଷୟକ ରଚନାର ଉଦାହରଣସ୍ୱରୂପ ହାତୀ ବା ‘ହସ୍ତୀ’ ବିଷୟକ ରଚନା ଲିଖନବେଳେ ହାତୀର ଅବୟବ ଯଥା ପାଦ. ଲାଙ୍ଗୁଡ଼, ଶୁଣ୍ଢ (ହସ୍ତ ବା କର) ବିଷୟରେ ବିଶେଷ ଜ୍ଞାନ ସହିତ ଏଗୁଡ଼ିକର ଆବଶ୍ୟକତା ସମ୍ବନ୍ଧରେ ବିଶାରଦର ଜ୍ଞାନ ଆବଶ୍ୟକ । ହାତୀ ବା କରୀର କ୍ଷୁଦ୍ର ଆଖି, କୁଲା ପରି କାନ, ଶୁଣ୍ଢ ସାହାଯ୍ୟରେ କ୍ଷୁଦ୍ର ଛୁଞ୍ଚି ଉଠାଇବାଠାରୁ ଗଛ ଡାଳ ଭାଙ୍ଗି ପତ୍ର ଭକ୍ଷଣ କାର୍ଯ୍ୟ, ହାତୀର ପ୍ରକାର ଭେଦ ଯଥା କୃଷ୍ଣ ବା ଶ୍ୱେତ ବର୍ଣ୍ଣ, ପ୍ରିୟଖାଦ୍ୟ ଯଥା ଧାନ, ନଡ଼ିଆ, କଇଁଥ, କିଆକନ୍ଦା, ହାତୀ ଖେଦାରେ ବଣୁଆ ହାତୀକୁ ମଣ କରିବା କୌଶଳ, ଦନ୍ତରିତ ପର୍ବତ ଭ୍ରମଣରେ ହସ୍ତୀ ବାହନରୂପେ ସ୍ୱୀକୃତ ହେବା, ଗଜଦନ୍ତରେ ନିର୍ମିତ ମୂଲ୍ୟବାନ ପଲଙ୍କ, ଗହଣା ବାକ୍ସ ତଥା ହାତୀ ହାଡ଼ର ଉପଯୋଗିତା ସମ୍ପର୍କରେ ସିଏ ଯଥୋଚିତ ପରାମର୍ଶ ନେଇଛନ୍ତି ।

 

ସେହିପରି ଖଣିଜ ବିଷୟକ ଦ୍ରବ୍ୟର ଉଦାହରଣ ଛଳରେ “ସ୍ୱର୍ଣ୍ଣ” ଉପରେ ରଚନା ଲିଖନ ବେଳରେ ଏହା ଏକ ଦୁର୍ମୂଲ୍ୟ ଖଣିଜ ଧାତୁ, ଏହାର ପର୍ଯ୍ୟାପ୍ତ ପ୍ରାପ୍ତିସ୍ଥାନ ଯଥା କାଲିଫର୍ଣ୍ଣିଆ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ତଥା ଭାରତର ମହୀଶୂର ସୁନାଖଣି ବିଷୟରେ ସୂଚନା । ସୁନାର ପ୍ରସ୍ତୁତ ମୋହର, ଗିନି ଓ ମୂଲ୍ୟବାନ ଅଳଙ୍କାର ନିର୍ମାଣ, କବିରାଜି ଔଷଧରେ ସ୍ୱର୍ଣ୍ଣ ଭସ୍ମର ପ୍ରୟୋଗ, ଚୀନ ଦେଶର ସର୍ବୋତ୍କୃଷ୍ଟ ପତ୍ର ସୁନା, ସୁନାର ଜରିକାମ ଆଦି ସମ୍ପର୍କରେ ସମ୍ୟକ ଧାରଣା ପ୍ରଦାନ କରାଯାଇଛି ।

 

ଭୌଗୋଳିକ ବିଷୟ ଅନ୍ତର୍ଭୁକ୍ତ ନଦୀ ସମ୍ପର୍କରେ ରଚନା ଲେଖିଲାବେଳେ ପ୍ରଥମେ ନଦୀର ଉତ୍ପତ୍ତି, ଗତି, ପତନ, ପ୍ରଧାନ ପ୍ରଧାନ ଉପନଦୀ ଓ ଶାଖାନଦୀ, କୂଳସ୍ଥ ପ୍ରଧାନ ନଗର ଓ ବାଣିଜ୍ୟସ୍ଥଳୀ, କୃଷି ଓ ବାଣିଜ୍ୟରେ ଉପଯୋଗିତା ଓ ଦୃଶ୍ୟାବଳୀ ବିଷୟ ଅନୁଧ୍ୟାନ କରିବାକୁ ଚନ୍ଦ୍ରମୋହନ ପରାମର୍ଶ ଦେଇଛନ୍ତି । ଊନବିଂଶ ଶତାବ୍ଦୀର ଶେଷ ତିନି ଦଶନ୍ଧି ଏବଂ ବିଂଶ ଶତାବ୍ଦୀର ପ୍ରଥମ ତ୍ରିଦଶକ ଭିତରେ ଶିକ୍ଷକତା କରିଥିଲେ । ଚନ୍ଦ୍ରମୋହନଙ୍କ ପ୍ରବନ୍ଧ ରଚନା ପାଇଁ ଶିକ୍ଷାଦାନ ସମସାମୟିକ ପ୍ରବନ୍ଧ ରଚନା କୌଶଳଠାରୁ କୌଣସି ଗୁଣରେ ଊଣା ନୁହେଁ । ସ୍ୱୟଂସମ୍ପୂର୍ଣ୍ଣ ପ୍ରବନ୍ଧଟିଏ ପାଇଁ ଲୋଡ଼ା ବିଷୟଭିତ୍ତିକ ଉପାଦାନ । କ୍ଷୁଦ୍ର ପ୍ରବନ୍ଧ “ମହାନ୍‍ଦୀ”ର ଉତ୍ପତ୍ତିସ୍ଥଳ ବିନ୍ଧ୍ୟ ପର୍ବତର ଅମରକଣ୍ଟକ, ଛତିଶଗଡ଼, ସମ୍ବଲପୁର, ନରସିଂହପୁର, ଆଠଗଡ଼, କଟକ ଦେଇ ବତୀଘରଠାରେ ବଙ୍ଗୋପସାଗରରେ ପତିତ ହୋଇଛି । ତା’ର ସୁବିସ୍ତୃତ ବର୍ଣ୍ଣନା ଦେବା ସହିତ ଏହା କିପରି ଶାଖାନଦୀ କାଠଯୋଡ଼ିରୁ ବାହାରି ପୁରୀ ଜିଲ୍ଲା ସମୁଦ୍ର ମୁହାଣରେ ସତ୍ତା ହରାଇଛି ସେ ବିଷୟ ଉଲ୍ଲେଖ କରିଛନ୍ତି । ଏହି ନଦୀକୂଳରେ ପ୍ରତିଷ୍ଠିତ ହୋଇଥିବା ପ୍ରାଚୀନ ସହର, ନଗର, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଏ ନଦୀର ଦାନ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି । ଯୋବ୍ରା ନିକଟରେ ଆନିକଟ କରାଯାଇ ଜଳସେଚନ ନିମନ୍ତେ ଏହାର ଜଳର ସୁବିନିଯୋଗ, ଚାଷବାସ ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳ କିପରି ଖ୍ୟାତ ଏସବୁକୁ ସେ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି ।

 

ଜୀନବ-ଚରିତ ରଚନା ପଦ୍ଧତିରେ ଆଦର୍ଶ ପ୍ରବନ୍ଧ ରାଧାନାଥ ରାୟଙ୍କ ସଂକ୍ଷିପ୍ତ ଜୀବନୀ ଲେଖିବାବେଳେ ସେ ପ୍ରଧାନ ଉପାଦାନ ଭାବରେ ଜନ୍ମସ୍ଥାନ, ବଂଶ, ବାଲ୍ୟ, ମଧ୍ୟ ଓ ଅନ୍ତ୍ୟ ଜୀବନ, ପାଣ୍ଡିତ୍ୱ, କବିତ୍ୱ ଅପର ଗୁଣାବଳୀ, ପ୍ରଧାନ ପ୍ରଧାନ କାବ୍ୟକବିତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସୁଚିନ୍ତିତ ପରିକଳ୍ପନା କରିଛନ୍ତି । ସୋର କେଦାରପୁରରେ ବଙ୍ଗାଳୀ କାୟସ୍ଥ ପରିବାରରେ ବିଦ୍ୱାନ ସୁନ୍ଦର ନାରାୟଣଙ୍କ ପୁତ୍ର ରାଧାନାଥ, କ୍ଷୀଣ କୃଶକାୟ, ରୁଗ୍‌ଣ ବପୁବନ୍ତ ଯୁବକ, ଉଚ୍ଚଶିକ୍ଷା ନିମନ୍ତେ କଲିକତାର ପ୍ରେସିଡେନ୍‌ସି କଲେଜରେ ପ୍ରବେଶ କରିଥିଲେ । ବାଲେଶ୍ୱରସ୍ଥିତ ସତୀର୍ଥ ବନ୍ଧୁ ଦାମୋଦରଙ୍କ ଓଡ଼ିଆ ବଙ୍ଗଳା ପୁସ୍ତକାଳୟର ଉପଯୋଗ କରୁଥିଲେ । ବଙ୍ଗଳାରେ ରଚନା ଆରମ୍ଭ କରିଥିବା ରାଧାନାଥ ଭୂଦେବ ମୁଖୋପାଧ୍ୟାୟଙ୍କ ଉପଦେଶରେ ଓଡ଼ିଆରେ କାବ୍ୟକବିତା ରଚନା କରି ରାଧାନାଥ ଯୁଗ ସୃଷ୍ଟି କରିଥିଲେ । ପୁରୀ, ବାଲେଶ୍ୱର ଜିଲ୍ଲାସ୍କୁଲମାନଙ୍କରେ ଶିକ୍ଷକତା କରି ଇନ୍‌ସପେକ୍ଟର ପଦକୁ ଉନ୍ନୀତ ହେଲେ । ୧୮୯୬ରେ ‘ରାୟବାହାଦୂର’ ଉପାଧି ପ୍ରାପ୍ତ ହେଲେ । ‘କର୍ତ୍ତବ୍ୟପରାୟଣତା, ବିଦ୍ୟାନୁରାଗ, ବିନନ ଓ ଶିଷ୍ଟାଚାରର ସେ ଗୋଟିଏ ଆଦର୍ଶ ଥିଲେ ।’ (ପୃ-୩୩୮) ତାଙ୍କ ରଚିତ କାବ୍ୟକବିତାଗୁଡ଼ିକ “ଚନ୍ଦ୍ରଭାଗା”, “ଚିଲିକା”, “ମହାଯାତ୍ରା”, “ଉଷା”, “ପାର୍ବତୀ”, “ନନ୍ଦିକେଶରୀ”, “କେଦାରଗୌରୀ” ଓ “ଦରବାର” ଆଦି ଅନ୍ୟତମ ।

 

ଏହିପରି କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ରଚନା ପାଇଁ ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟରେ ବୈୟାକରଣିକ ତ୍ରୁଟି ରହିତ ଶୁଦ୍ଧ ବାକ୍ୟରଚନା, ନିର୍ଦ୍ଦିଷ୍ଟ, ଶବ୍ଦଚୟନ, ବିବିଧ ଗ୍ରନ୍ଥ ଅଧ୍ୟୟନ, ଭ୍ରମଣ ଜନିତ ବା ପାକଳ ଅଭିଜ୍ଞତାକୁ ମନ୍ମୟଭାବେ ପ୍ରକାଶ କଲେ ଏହା ପାଠକର ଦୃଷ୍ଟି ଆକର୍ଷଣ କରେ । ପ୍ରକୃତି, ସ୍ଥାନ ବା ଜୀବନୀ ସମ୍ପର୍କରେ ରଚନା କାଳରେ ବିଶାରଦ ଜ୍ଞାନର ଆବଶ୍ୟକତା ଅବଶ୍ୟ ଅନୁଭୂତ ହୁଏ । ଛାତ୍ରମାନସକୁ ପ୍ରବନ୍ଧ ରଚନା ଆଡ଼କୁ ଆକୃଷ୍ଟ କରିବା ପରେ ପରବର୍ତ୍ତି କାଳରେ ଚନ୍ଦ୍ରମୋହନ “ଉତ୍କଳସାହିତ୍ୟ”ରେ କେତେକ ବୌଦ୍ଧିକ ପ୍ରବନ୍ଧ ରଚନା କରି ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବରେ ସ୍ୱୀକୃତି ଲାଭ କରିଛନ୍ତି । “ସାହିତ୍ୟ ପତ୍ରିକାର ଉପଯୋଗିତା” ପ୍ରବନ୍ଧରେ ମଣିଷ କିପରି ଦୁଇ ପ୍ରକାର ଜ୍ଞାନ ‘ଅନୁଭବ ସିଦ୍ଧ’ ‘ଅଧ୍ୟୟନ ସିଦ୍ଧ’ ଜ୍ଞାନ ସମ୍ପର୍କରେ ସୂଚନା ପ୍ରଦାନ କରି ଉଭୟ ପୁସ୍ତକ ପଠନ ଓ ପତ୍ରିକା ପଠନରୁ ତଥା ଜ୍ଞାନୀଙ୍କଠାରୁ ଶ୍ରବଣ କରି ଜ୍ଞାନ ଆହରଣ କରାଯାଏ ବୋଲି ସୂଚନା ପ୍ରଦାନ କରିଛନ୍ତି । ପତ୍ରିକାର ପ୍ରକାର ଭେଦ, ଯଥା-ଦୈନିକ ଓ ସପ୍ତାହିକ ପତ୍ରିକା ସହିତ ମାସିକ ପତ୍ରିକା । ମାସିକ ପତ୍ରିକାରେ ସାମୟିକ ସମ୍ବାଦ ଓ ସାମୟିକ ଘଟଣାମାନ ଆଲୋଚିତ ହୋଇଥାଏ ।

 

କଟକ ଆଲୋଚନା ସଭାରେ ପ୍ରବନ୍ଧ “ଭୂଗୋଳ ବିଦ୍ୟା” ପାଠକରି ଏହି ବିଦ୍ୟା ଅନ୍ୟାନ୍ୟ ଆନ୍ତଃଶୃଙ୍ଖଳା ବିଷୟ (Interdisciplinar subjects) ସହିତ ଜଡ଼ିତ ବୋଲି ସେ ଦର୍ଶାଇଛନ୍ତି । ଭୂଗୋଳ ବିଦ୍ୟାର ଗାଣିତିକ ବିଦ୍ୟା (ସୌରନକ୍ଷତ୍ର ଗତିବିଧି ସମ୍ପର୍କିତ), ପ୍ରାକୃତିକ ବିଦ୍ୟା (ପ୍ରାକୃତିକ ଅବସ୍ଥା ଓ ନୈସର୍ଗିକ ପରିବର୍ତ୍ତନ ଅଧ୍ୟୟନ) ତଥା ରାଜନୈତିକ ବିଦ୍ୟା (ମାନବ ସମାଜର ଆଚାର, ବ୍ୟବହାର, ଶିକ୍ଷା ସମୃଦ୍ଧି ଓ ଶାସନ ପ୍ରଣାଳୀ ସମ୍ପର୍କିତ ଅଧ୍ୟୟନ) ସହିତ ଓତଃପ୍ରୋତ ଜଡ଼ିତ । କେହି ବାଣିଜ୍ୟ ଶିକ୍ଷା ଭୂଗୋଳ ବିଦ୍ୟାର ଅଂଶ ବିଶେଷ ବୋଲି ମତ ଦିଅନ୍ତି କାରଣ ବାଣିଜ୍ୟ କାରବାର ଉଦ୍ଦେଶ୍ୟରେ ଜଳଜାହାଜରେ ସମୁଦ୍ରରେ ବା ନୌକାରେ ନଦୀରେ ଭ୍ରମଣ କଲେ ଏକ ଦେଶ ବାଣିଜ୍ୟ ସମୃଦ୍ଧ ହୁଏ, ଆଳସ୍ୟ ଓ ଅବନତିର ଊର୍ଦ୍ଧ୍ୱକୁ ଉଠି ଧନୀ ରାଷ୍ଟ୍ରରେ ପରିଣତ ହୁଏ ତଥା କୂପମଣ୍ଡୁକତ୍ୱ ଅପସରି ଯାଇ ବିଶ୍ୱର ବିବିଧତା ସମ୍ପର୍କରେ ଅଭିଜ୍ଞତା ଅର୍ଜନ କରାଯାଏ । ଏହି ବିଦ୍ୟା ଜ୍ୟୋତିର୍ବିଦ୍ୟା, ଭୂତତ୍ତ୍ୱ ବିଦ୍ୟା, ଉଦ୍ଭିଦ ବିଦ୍ୟା, ଜୀବତତ୍ତ୍ୱ ବିଦ୍ୟା ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଅଛି । ପ୍ରାବନ୍ଧିକ ଲେଖୁଛନ୍ତି, “ଭୂପୃଷ୍ଠମାନଙ୍କର ଆବାସ ଏବଂ ଭୂପୃଷ୍ଠର ନାନାସ୍ଥାନ ଇତିହାସର ରଙ୍ଗଭୂମି ।” (ପୃ-୩୪୫) ମାନବଜାତିର କେହି କେହି ନେତାମାନେ ଏକସ୍ଥାନରେ ଜନ୍ମ ଗ୍ରହଣ କରି ଜୀବନର ଉଦ୍ଦେଶ୍ୟ ଚରିତାର୍ଥ ନିମିତ୍ତ ଅନ୍ୟସ୍ଥାନରେ “ବିଚରଣ ଓ ଅବସ୍ଥାନ କରି ଇତିହାସ ସହିତ ଭୂଗୋଳର ଏବଂ ଅତୀତ ସହିତ ବର୍ତ୍ତମାନର ସମ୍ବନ୍ଧ ସ୍ଥାପନ କରିଯାଇଛନ୍ତି ।” (ପୃ-୩୪୫) ଭୂଗୋଳ ବିଜ୍ଞାନ ତରୁଣ ବୟସ୍କ ହେଲେ ମଧ୍ୟ ଭୂଗୋଳ ଜ୍ଞାନ ଓ ଭୌଗୋଳିକ ଆବିଷ୍କାର ଇଉରୋପର ସାହିତ୍ୟ ଓ ବୈଷୟିକ ଅବସ୍ଥାରେ ନବଯୁଗର ଅବତାରଣା କରିଅଛି । ଆଳସ୍ୟ ପରାୟଣ ଭୂଗୋଳ ଜ୍ଞାନ ବିମୁଖ ମାନବ ସମାଜର ଲଲାଟରେ ଜୀର୍ଣ୍ଣକୁଟୀର ବାସ ଓ ପରାଧୀନତାର ଶୃଙ୍ଖଳ ଲଦି ଦିଆଯାଇଛି । ଭୌଗଳିକ ସ୍ଥାନ ଗୟା, ନବଦ୍ୱୀପ, ଜେରୁଜେଲମ୍‌, ମକ୍‌କା, ମଦିନା, ରାମେଶ୍ୱର, ପଞ୍ଚବଟୀ, ମଥୁରା, ବୃନ୍ଦାବନ, ଦ୍ୱାରକା ପ୍ରଭୃତି ଧର୍ମ ଓ ଇତିହାସ ସହ ସମ୍ପୃକ୍ତ ହୋଇ ତୀର୍ଥସ୍ଥାନରେ ପରିଣତ ହୋଇଅଛି ।

 

ପ୍ରବନ୍ଧ “ବାଣିଜ୍ୟ” ଶୀର୍ଷକରେ ବାଣିଜ୍ୟ ମାନବ ସଭ୍ୟତାର ସହୋଦର ଓ ଏହା ଦେଶ ଦେଶ ପ୍ରୟୋଜନୀୟ ଦ୍ରବ୍ୟସମୂହର ଆଦାନ-ପ୍ରଦାନକୁ ବୁଝାଏ । ବିନିମୟ ପ୍ରଥାରୁ ବାଣିଜ୍ୟ ଆରମ୍ଭ ହୋଇ ମୁଦ୍ରା ପ୍ରଚଳନ ପରେ ଏହା କ୍ରୟବିକ୍ରୟ ରୂପ ନେଇଛି । ବାଣିଜ୍ୟ ମୁଦ୍ରା ଓ ଯାନ ସହିତ ଜଡ଼ିତ । ଶଗଡ଼ ଗାଡ଼ି, ପୋତ, ବାଷ୍ପୀୟ ଶକଟ, ଜଳଜାହାଜ, ସ୍ଥଳ ଓ ଜଳପଥରେ ବାଣିଜ୍ୟ କାରବାରର ପଥ ସୁଗମ କରୁଥିବାବେଳେ ମରୁଭୂମିର ଓଟ ବାଣିଜ୍ୟ ଯାନରୂପେ ବ୍ୟବହୃତ ହୁଏ । ଉତ୍କଳ ପ୍ରଦେଶର ମୁଖ୍ୟ ବନ୍ଦରଭାବେ ଚିଲିକା ଖ୍ୟାତ । ପାଶ୍ଚାତ୍ୟ ଭୂଖଣ୍ଡର ଟ୍ରୟ ଓ କାର୍ଥେଜ ବାଣିଜ୍ୟ ପେଣ୍ଠସ୍ଥଳୀ ଥିଲା । ତ୍ରୟୋଦଶ ଶତାବ୍ଦୀରେ ଜର୍ମାନୀ ଅନ୍ତର୍ଗତ ରୁବେକ, ହାମବର୍ଗ ଓ ବ୍ରନ୍‌ସ୍ୱିକ ନଗରୀର ମହାଜନମାନେ ବାଣିଜ୍ୟ ସମିତି ଗଠନ କରି ନରପତିମାନଙ୍କୁ ସିଂହାସନଚ୍ୟୁତ କରିପାରୁଥିଲେ । ପଞ୍ଚଦଶ ଶତାବ୍ଦୀରେ ପର୍ତ୍ତୁଗୀଜ ନୌବାଣିଜ୍ୟ ଓ ବହିର୍ବାଣିଜ୍ୟରେ ଖ୍ୟାତିଲାଭ କରିଥିଲେ । ପଞ୍ଚଦଶ ଶତାବ୍ଦୀର ଶେଷଭାଗରେ ଭେନିସ ନଗରୀ ବାଣିଜ୍ୟ କ୍ଷେତ୍ରରେ ସମୃଦ୍ଧିଶାଳିନୀ ହୋଇଥିଲା । ସମରଗାନ୍ନି ପ୍ରଜ୍ୱଳିତ ହୋଇନଥିଲେ ମାର୍କ୍କିନବାସୀ ବାଣିଜ୍ୟ କ୍ଷେତ୍ରରେ ବ୍ରିଟେନ ସମକକ୍ଷ ହୋଇଥାନ୍ତେ । ରାଜପୁତନାର ମାରୱାଡ଼ି ସମ୍ପ୍ରଦାୟର ଲୋକେ ବାଣିଜ୍ୟ ବିଶାରଦ । “ବାଣିଜ୍ୟ ବସତେ ଲକ୍ଷ୍ମୀଃ ।” ବାଣିଜ୍ୟ କାରବାର କରି ଲୋକେ ଦାରିଦ୍ର‌୍ୟ ଓ ଆଳସ୍ୟର ଊର୍ଦ୍ଧ୍ୱକୁ ଉଠନ୍ତି । ଅର୍ଥୋନ୍ନତି ହୋଇ ସୁଖ ଓ ଶାନ୍ତିର ସାମ୍ରାଜ୍ୟ ପ୍ରତିଷ୍ଠା କରନ୍ତି । ମହାନ୍‍ଦୀ ଓ ମହାସାଗରରେ ବାଣିଜ୍ୟପୋତ ସର୍ବଦା ବିଚରଣ କରିବାର ତଥ୍ୟ ପ୍ରଦାନ କରିଛନ୍ତି ପ୍ରାବନ୍ଧିକ ଚନ୍ଦ୍ରମୋହନ ।

 

ବ୍ୟକ୍ତିନିଷ୍ଠ ପ୍ରବନ୍ଧ ପର୍ଯ୍ୟାୟରେ “ଶ୍ରୀଧର ସ୍ୱାମୀ” ପ୍ରବନ୍ଧ ଉତ୍କଳ ସାହିତ୍ୟରେ ପ୍ରକାଶ କରି ସେ ତତ୍କାଳୀନ ସାରସ୍ୱତ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲେ । ଗ୍ରନ୍ଥକାର ଓ ଟୀକାକାର ଶ୍ରୀଧର ଗୋସ୍ୱାମୀ ବାଲେଶ୍ୱର ଜିଲ୍ଲାସ୍ଥିତ ରେମୁଣା ନିବାସୀ ବୋଲି ସେ ପ୍ରତିପାଦିତ କରିଛନ୍ତି । ପୁରୀରେ ଜଗନ୍ନାଥ ଦର୍ଶନକାଳରେ କୌଣସି ସ୍ୱଗ୍ରାମବାସୀ ରେମୁଣା ନିବାସୀ ବୃନ୍ଦାବନ ପତିଙ୍କ ଦାନ ଗ୍ରହଣ କରିବା ପ୍ରସ୍ତାବରେ କ୍ଷୁବ୍ଧ ହୋଇ କହିଥିଲେ ଯେ ସେ ଶ୍ରୀଧର ଗୋସ୍ୱାମୀଙ୍କ ବଂଶଧର ହୋଇଥିବାରୁ ତୀର୍ଥସ୍ଥାନରେ ତାଙ୍କର ଦାନଗ୍ରହଣଦ୍ୱାରା ପୁଣ୍ୟ ହାନୀ ହେବ । ଚନ୍ଦ୍ରମୋହନ ବୃନ୍ଦାବନ ପତିଙ୍କଠାରୁ ଏ ବିଷୟ ଶୁଣି ଶ୍ରୀଧରଙ୍କ ସମ୍ବନ୍ଧରେ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କଲେ । ଶ୍ରୀମଦ୍ଭାଗବତ ଓ ଶ୍ରୀମଦ୍ଭଗବତ୍ ଗୀତାର ଟୀକାକାର ଶ୍ରୀଧର ଗୋସ୍ୱାମୀ ବଳଙ୍ଗ ଉପନଦୀ ବଡ଼ସୋନ ଓ ଗଙ୍ଗାହାର ସମୀପସ୍ଥ ମରେଇ ଗାଁ ନିବାସୀ ଥିଲେ । ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରି ନବଦୀପରେ ପୁରୀ ରାଜସଭାରେ ଏବଂ କ୍ୱଚିତ କାଶୀ ଗମନ କରି ପଣ୍ଡିତମାନଙ୍କ ସହ ଜ୍ଞାନାଲୋଚନାରେ କାଳ କାଟିଥିଲେ । ଶ୍ରୀଧର ଦାଶ ସଂଜ୍ଞକ ବ୍ରାହ୍ମଣ ଥିଲେ । ବୃନ୍ଦାବନଙ୍କ ପୂର୍ବଜ ଦାଶବଂଶକୁ ପୁତ୍ର ହୋଇ ଆସିବା ପରେ ଦାଶ ସାଙ୍ଗିଆ ଲୁପ୍ତ ହୋଇ ପତିରୂପେ ପରିଚିତ ହେଲେ । ମହାଦେବ ପତିଙ୍କ ପିତା ବଳଭଦ୍ର, ପିତାମହ ହରିହର ପତି ଓ ପ୍ରପିତାମହ ଶିବରାମ ଦେବ, ପତିବଂଶର ତାଳପତ୍ର ପୋଥି ସବୁ ସଂସ୍କୃତ ଓ ଓଡ଼ିଆ ଅକ୍ଷରରେ ଲିପିବଦ୍ଧ ହୋଇଛି, ସ୍ୱଳ୍ପ ମୂଲ୍ୟରେ ଅପାତ୍ରରେ ବିକ୍ରି ହୋଇଅଛି ଅବା ବନ୍ଧା ପଡ଼ିଅଛି । ସେଗୁଡ଼ିକର ପୁନଃରୁଦ୍ଧାର ଅସମ୍ଭବ । ଯେଉଁ ଖଣ୍ଡେ ଦୁଇଖଣ୍ଡ ଶ୍ରୀଧରକୃତ ଗ୍ରନ୍ଥ ସେ ଦେଖିଛନ୍ତି ସେଥିରେ ଲେଖକ ଆତ୍ମ ପରିଚୟ ପ୍ରଦାନ କରିନାହାଁନ୍ତି । କହିବା ବାହୁଲ୍ୟ ଏହି ପ୍ରବନ୍ଧ ତତ୍କାଳୀନ ଓଡ଼ିଆ ଭାଷା ସାହିତ୍ୟର ମୁର୍ଦ୍ଧନ୍ୟ ବ୍ୟକ୍ତିତ୍ୱ ଫକୀରମୋହନଙ୍କୁ ଏପରି ପ୍ରଭାବିତ କରିଥିଲା ଯେ ସେ ଚିଠି ଲେଖି ଚନ୍ଦ୍ରମୋହନଙ୍କୁ ଶ୍ରୀଧରଙ୍କ ସମ୍ପର୍କରେ ଅନାଲୋଚିତ ଦିଗକୁ ଆଲୋକକୁ ଆଣିବା ପାଇଁ ଓ ନିଜ ମତକୁ ଦୃଢ଼ଭାବେ ଉପସ୍ଥାପନ କରିବା ପାଇଁ ତାଗିଦ୍ ଓ ପ୍ରେରଣା ପ୍ରଦାନ କରିଥିଲେ ।

 

“ଇତିହାସ” ସମ୍ପର୍କରେ ପ୍ରବନ୍ଧଟିଏ ଉତ୍କଳ ସାହିତ୍ୟରେ ପ୍ରକାଶ କରି ସେ ହେରୋଡଟସ୍‌ଙ୍କୁ ଇତିହାସର ଜନକ ଓ ପାଶ୍ଚାତ୍ୟ ଜାତିକୁ ଏ ବିଦ୍ୟାର ଗୁରୁ ବୋଲି ତଥ୍ୟ ପ୍ରଦାନ କିରଛନ୍ତି । ଭାରତୀୟ ଆର୍ଯ୍ୟ ଓ ମିଶରବାସୀ ଗ୍ରୀସୀୟମାନଙ୍କଠାରୁ ପ୍ରାଚୀନତର ହେଲେ ମଧ୍ୟ ସେମାନଙ୍କର ଇତିହାସ ଲେଖାର ରୀତି କାଳ ବକ୍ଷରେ ଲୁପ୍ତ ହୋଇଥିବାରୁ ଗ୍ରୀସୀୟମାନେ ଇତିହାସର ଗୁରୁ ବୋଲି ଆପାତତଃ ଧରି ନିଆଯାଇଛି ।

 

ଉତ୍କଳର ମାଦଳାପାଞ୍ଜି ଇତିହାସ ନୁହେଁ, ଇତିହାସର ପୂର୍ବାକୃତି । ଏଥିରେ ବର୍ଣ୍ଣିତ କାଳକ୍ରମିକ ବିବରଣ ଇତିହାସର ପ୍ରଧାନ ଉପାଦାନ, କିମ୍ବଦନ୍ତୀ ଓ ଜନଶ୍ରୁତି ମଧ୍ୟ ଗୋଟିଏ ଗୋଟିଏ ଉପାଦାନ । ଦେବାଳୟ, ବନ୍ଧ, ସେତୁ, ସମାଧି, ମୁଦ୍ରା, ତାମ୍ରଫଳକ, ପ୍ରସ୍ତର ଫଳକ, ସନନ୍ଦ ପ୍ରଭୃତି ଇତିହାସର ଏକ ଏକ ଉପାଦାନ । ଇତିହାସ ପ୍ରଣେତାଙ୍କୁ ଘଟଣା ସଂଗ୍ରହ କରି ଉଲ୍ଲିଖିତ ଜାତି ବା ବଂଶର ପ୍ରଚଳିତ ରୀତି ନୀତି ପ୍ରଥା ସମ୍ପର୍କରେ ଜ୍ଞାନ ଆହରଣ କଲେ ଇତିହାସ ପ୍ରଣୟନ କାର୍ଯ୍ୟ ସୁଗମ ହୁଏ । ଇତିହାସ ରଚୟିତା ପକ୍ଷପାତ ବିଜେତା ହେବା ଆବଶ୍ୟକ । ଏଡମଣ୍ଡ ବର୍କ ବ୍ରିଟିଶ ପାର୍ଲାମେଣ୍ଟରେ ଭାରତବର୍ଷ ସମ୍ପର୍କରେ ଅଭିଜ୍ଞତାପୂର୍ଣ୍ଣ ବକ୍ତୃତା ମାଧ୍ୟମରେ ପ୍ରଦାନ କରି ସମସ୍ତଙ୍କୁ ଚକିତ କରିଥିଲେ । ମହାପୁରୁଷଙ୍କ ଚରିତ ପାଠ କଲେ ମନରୁ ସଂକୀର୍ଣ୍ଣତା ଓ ଅହଂଭାବ ଦୂର ହୁଏ । ଜୀବନ-ଚରିତ, ଜାତି, ଦେଶ ବା ଅନୁଷ୍ଠାନର ବିବରଣ । ପୌରାଣିକ ଉପାଖ୍ୟାନରେ ମଧ୍ୟ ଐତିହାସିକ ସତ୍ୟ ନିହିତ ରହିଅଛି । ରାଜା, ରାଜବଂଶ, ରାଜ୍ୟ, ମାନବ ଜାତି, ଧର୍ମ ସମ୍ପ୍ରଦାୟ, ଚିତ୍ରକଳା ଏବଂ ସଙ୍ଗୀତ ଶାସ୍ତ୍ର ଆଦିର ଇତିହାସ ଲେଖାଯାଏ । ଇତିହାସ ପ୍ରବନ୍ଧର ଉପସଂହାରରେ ଚନ୍ଦ୍ରମୋହନ କହୁଛନ୍ତି “ବିଧାତାଙ୍କ କୃପାରେ ଏହି ସାହିତ୍ୟ ସମାଜ ଶତାୟୁ ହେଲେ, ତେତେବେଳେ କେହି ଯଦି ଏହାର ଇତିହାସ ଲିପିବଦ୍ଧ କରନ୍ତି, ତେବେ ତାହା ଉତ୍କଳସାହିତ୍ୟ ସେବକମାନଙ୍କର କେଡ଼େ କୌତୂକାବହ ଓ ଶିକ୍ଷାପ୍ରଦ ନ ହେବ ?” (ପୃ-୩୬୧)

 

ଚନ୍ଦ୍ରମୋହନ ମହାରଣାଙ୍କର “ରଚନା ଶିକ୍ଷା” ଏବଂ “ପ୍ରବନ୍ଧ ଓ ଆଲୋଚନା”ରୁ ନିର୍ଦ୍ଦିଷ୍ଟଭାବେ ଏଇ କେତେକ କ୍ଷୁଦ୍ର ବା ବିସ୍ତାରିତ ପ୍ରବନ୍ଧ ଆଲୋଚନା କଲେ ପ୍ରାବନ୍ଧିକଙ୍କ ପ୍ରବନ୍ଧ ରଚନା ପାଇଁ ନିଷ୍ଠା, ଆନ୍ତରିକତା ତଥା ଶ୍ରମ ସ୍ୱତଃ ସ୍ପଷ୍ଟ ହୋଇଉଠେ । ବିଂଶ ଶତାବ୍ଦୀର ଆରମ୍ଭରେ ଛାତ୍ରଛାତ୍ରୀଙ୍କୁ ପ୍ରବନ୍ଧ-ମନସ୍କ କରାଇବା ପାଇଁ ସେ ଶୁଦ୍ଧ ବ୍ୟାକରଣଗତ ଜ୍ଞାନ ବିଷୟରେ ଉଲ୍ଲେଖ କରି ପ୍ରତିନିଧିମୂଳକ (Representative) କ୍ଷୁଦ୍ର ପ୍ରବନ୍ଧ ପ୍ରଦାନ କରିଛନ୍ତି । ଋତୁ, କୃଷି, ପ୍ରାଣୀ, ଖଣିଜ ପଦାର୍ଥ, ଭୂଗୋଳ ଏବଂ ଜୀବନ ଚରିତ ବିଭାଗରେ କେତେଗୁଡ଼ିଏ ଆଦର୍ଶ ପ୍ରବନ୍ଧ (model essay) ପ୍ରଦାନ କରିଛନ୍ତି । ପ୍ରବନ୍ଧ ରଚନା କାଳରେ ପ୍ରାବନ୍ଧିକ ନିର୍ଦ୍ଦିଷ୍ଟ ବିଷୟରେ ପ୍ରଚଳିତ ଶବ୍ଦ ସମ୍ପର୍କରେ ସଚେତନ ହେବା ଆବଶ୍ୟକ । ନାନା ପର୍ଯ୍ୟାୟର ପରୀକ୍ଷା ନୀରିକ୍ଷା, ପର୍ଯ୍ୟାଲୋଚନା ପରେ ଶିକ୍ଷାବିତ୍‍ମାନେ ଆଜିକାଲି ଯେପରି ବିଶାରଦ ଜ୍ଞାନ ପ୍ରଦର୍ଶନ କରୁଛନ୍ତି, ସେକାଳରେ ଏପରି ପ୍ରଥାର ଉନ୍ମେଷ ହୋଇନଥିଲା । ତଥାପି ଚନ୍ଦ୍ରମୋହନ ଜଣେ ନିଷ୍ଠାପର ଶିକ୍ଷକ ଭାବରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଆଦର୍ଶ ବସ୍ତୁ-ନିଷ୍ଠ, ବ୍ୟକ୍ତିନିଷ୍ଠ ପ୍ରବନ୍ଧର ଉଦାହରଣ ଦେଇଛନ୍ତି । ଭୂଗୋଳ ବିଦ୍ୟା ଆନ୍ତଃଶୃଙ୍ଖଳା ବିଷୟ ସହିତ କିପରି ସନ୍ନବିଷ୍ଟ ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଶିକ୍ଷାକୁ କଳା, ବିଜ୍ଞାନ, ବାଣିଜ୍ୟ ତିନି ବ୍ୟାପକ ଭାଗରେ ବିଭାଜିତ ନକରି ଆଧୁନିକ ଶିକ୍ଷାନୀତିରେ ଏସବୁ ଅଙ୍ଗାଙ୍ଗୀ ଜଡ଼ିତ ବୋଲି କୁହାଯାଇ ବିଭାଜନ ରେଖାକୁ ଅପସାରିତ କରାଯାଇଛି । ପ୍ରାବନ୍ଧିକ ହିସାବରେ ଚନ୍ଦ୍ରମୋହନ ଜଣେ ଦୂରଦ୍ରଷ୍ଟାଭାବେ ନାନା ବିଷୟ ଭିତରେ ସାମ୍ୟ ପ୍ରଦର୍ଶନ କରି ଜଣେ ଯୁଗୋପଯୋଗୀ ସାଧକ ବୋଲି ପ୍ରମାଣ ଦେଇଛନ୍ତି ।

 

ଉତ୍ତୀର୍ଣ୍ଣ ବୟସରେ ଚନ୍ଦ୍ରମୋହନଙ୍କ ରଚିତ ପ୍ରବନ୍ଧଗୁଡ଼ିକ ତଥ୍ୟ ଓ ତତ୍ତ୍ୱଭିତ୍ତିକ ହୋଇଛି । ଭୂଗୋଳ ବିଦ୍ୟା, ବାଣିଜ୍ୟ, ଇତିହାସ ସମ୍ପର୍କରେ ରଚିତ ପ୍ରବନ୍ଧଗୁଡ଼ିକ ବିସ୍ତାରିତ ଭାବରେ ବ୍ୟକ୍ତି ମାନସକୁ ଉତ୍କୀର୍ଣ୍ଣ କରିଛି । ବିପୁଳ ଅଭିଜ୍ଞତା, ବ୍ୟାପକ ଅଧ୍ୟୟନ, ଶବ୍ଦଚୟନରେ ଶୃଙ୍ଖଳା ରକ୍ଷାକରି ପାଠକକୁ ଭେଟି ନେଇଥିବା ପ୍ରତ୍ୟେକଟି ପ୍ରବନ୍ଧ ପାଠକର ଦୃଷ୍ଟି ଆକର୍ଷଣ କରେ । ବ୍ୟକ୍ତିନିଷ୍ଠ ପ୍ରବନ୍ଧ ‘ରାଧାନାଥ’ ଯେପରି କବିବରଙ୍କ ଜୀବନୀ ଓ ସୃଜନୀ ସମଗ୍ରକୁ ଶିଶୁ ମାନସକୁ ଆଚ୍ଛନ୍ନ ତଥା ମୋହାବିଷ୍ଟ କରିଛି, ‘ଶ୍ରୀଧରସ୍ୱାମୀ’ ଠିକ୍ ସେହିପରି ସାଧାରଣ ବାର୍ତ୍ତାଳାପରୁ ଏକ ଅସାଧାରଣ ପ୍ରତିଭାର ସ୍ଫୁରଣ ଘଟିଛି । ପ୍ରାବନ୍ଧିକଙ୍କ ଅସାଧାରଣ ସୃଜନୀ ପ୍ରତିଭା ଓ ସଂକୋଚର ସମନ୍ୱୟ ବ୍ୟାସକବି ଫକୀରମୋହନଙ୍କ ଚିନ୍ତା ଓ ଚେତନାକୁ ଆନ୍ଦୋଳିତ କରିଛି । ଫଳରେ ଟୀକାକାର ଶ୍ରୀଧର ସ୍ୱାମୀ କ୍ଷୀରଚୋରା ଗୋପୀନାଥଙ୍କ କ୍ଷେତ୍ର ରେମୁଣାର ବରପୁତ୍ର ସାବ୍ୟସ୍ତ ହୋଇଛନ୍ତି । ଉପସଂହାରରେ ଏତିକି କୁହାଯାଇପାରେ ଯେ ଦୂରଦ୍ରଷ୍ଟା ପ୍ରାବନ୍ଧିକ ଚନ୍ଦ୍ରମୋହନ ଉତ୍କଳ ସାହିତ୍ୟ ସମାଜର ଶହେବର୍ଷର ଇତିହାସ ରଚନା ବିପୁଳ କୌତୁକାବହ ବା ଶିକ୍ଷାପ୍ରଦ ହେବାର ଯେଉଁ ଆକଳନ କରିଥିଲେ ତାହା ଶତ ପ୍ରତିଶତ ସଠିକ୍ ପ୍ରମାଣିତ ହୋଇଛି । ଏହି ସମ୍ଭ୍ରାନ୍ତ ସାରସ୍ୱତ ଅନୁଷ୍ଠାନ କଟକରୁ ଓଡ଼ିଶାରୁ ତିରିଶିଟି ଜିଲ୍ଲାକୁ ଏବଂ ଦିଲ୍ଲୀ ଓ କଲିକତା ମହାନ୍‍ଗରୀକୁ ସମ୍ପ୍ରସାରିତ ହୋଇଛି । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦେବା ତଥା ଏହାର ପ୍ରଚାର ପ୍ରସାର ପରିକଳ୍ପେ ସଙ୍କଳ୍ପବଦ୍ଧ ଏକମାତ୍ର ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ । ଶିକ୍ଷକ ଚନ୍ଦ୍ରମୋହନ ପ୍ରବନ୍ଧ ରଚନା ମାଧ୍ୟମରେ ଏକ ପରମ ଜାତୀୟ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ, ତଥା ଓଡ଼ିଆ ଭାଷା ସାହିତ୍ୟର ଉତ୍କର୍ଷ ସାଧନର ସେତୁବନ୍ଧ ନିର୍ମାଣରେ ସେ ଗୁଣ୍ଡୁଚିମୂଷାର ଅବଦାନ ଦେଇ ପ୍ରାବନ୍ଧିକର କର୍ତ୍ତବ୍ୟକୁ ସୂଚାରୁରୂପେ ନିର୍ବାହ କରିଛନ୍ତି ।

 

ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ,

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ମୟୂରଭଞ୍ଜ

 

ସହାୟକ ଗ୍ରନ୍ଥ

ଚନ୍ଦ୍ରମୋହନ ଗ୍ରନ୍ଥାବଳୀ -ସମ୍ପାଦନା ଡ. ଅରବିନ୍ଦ ଗିରି,

ଓଡ଼ିଶା ସାହିତ୍ୟ ଏକାଡେମୀ, ୨୦୧୭ ମସିହା

-୦-

 

ଓଡ଼ିଆ ଶିଶୁ ସାହିତ୍ୟକୁ ଚନ୍ଦ୍ରମୋହନ ମହାରଣାଙ୍କ ଅବଦାନ

ବୀରେନ୍ଦ୍ର ମହାନ୍ତି

 

ରାଧାନାଥ ଯୁଗର ବିଶଷ୍ଟ ଶିକ୍ଷାବିତ୍ ସୁସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ ଜୀବନୀ ଓ ସାହିତ୍ୟ ସାଧନା ବହୁ ବୈଚିତ୍ର‌୍ୟମୟ । ବାଲାକାଳରୁ ବ୍ୟକ୍ତିଗତ ଜୀବନ ଯେପରି ନାନା ଘାତପ୍ରତିଘାତ ମଧ୍ୟରେ ଗତି କରିଆସିଛି, ତାଙ୍କର କର୍ମମୟ ଜୀବନ ମଧ୍ୟ ସେହିପରି ବହୁ ବାଧାବିଘ୍ନ ଦେଇ ଗତି କରିଛି ।

 

ଦେଶ ପରାଧୀନତାର ଘନ-ଅନ୍ଧକାରମୟ ଯୁଗରେ ଯେତେବେଳେ ଓଡ଼ିଆ ଭାଷା ନିଜର ପରିଚୟ ହରାଇ ବସିଥିଲା, ସେହି ସମୟରେ ବ୍ୟାସକବି ଫକୀରମୋହନ, କବିବର ରାଧାନାଥ, ଭକ୍ତକବି ମଧୁସୂଦନଙ୍କ ଆବିର୍ଭାବ ଓଡ଼ିଆ ଭାଷା ସାହିତ୍ୟ ଜଗତକୁ ନୂତନ ଅରୁଣିମାରେ ଉଦ୍‌ଭାସିତ କରିଥିଲା ।

 

ତତ୍‌କାଳୀନ ଯୁବଗୋଷ୍ଠୀ ଉଚ୍ଚଶିକ୍ଷା ଲାଭ କରି ପ୍ରଶାସନିକ ଅଧିକାରୀ ନ ହୋଇ ଶିକ୍ଷକ ଓ ଶିକ୍ଷା ବିଭାଗରେ କାମ କରିବାକୁ ପସନ୍ଦ କରୁଥିଲେ । ଭକ୍ତକବି ମଧୁସୂଦନ, କବିବର ରାଧାନାଥଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚନ୍ଦ୍ରମୋହନ ଆଇ.ଏ.ଏସ୍ ପରୀକ୍ଷା ପାଇଁ ମନ ନ ବଳାଇ ଶିକ୍ଷାବିଭାଗରେ ଯୋଗଦାନ ଦେଇଥିଲେ । ଲକ୍ଷ୍ୟ ଥିଲା ଶିକ୍ଷାଦାନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମରୂପେ ଗଢ଼ିବା ସହିତ ଦେଶ ମାତୃକାର ସେବା ଓ ମାତୃଭାଷାର ସୁରକ୍ଷା । ଶିକ୍ଷାଦାନକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ଉତ୍ତମ ଶିକ୍ଷାଦାନ ସହିତ ଉତ୍ତମ ସାହିତ୍ୟ ରଚନାରେ ମନନିବେଶ କରିଥିଲେ ଚନ୍ଦ୍ରମୋହନ । ବାଲେଶ୍ୱରରେ ଜନ୍ମ ନେଇଥିଲେ ସତ ମାତ୍ର ତାଙ୍କର କର୍ମମୟ ଜୀବନ ଥିଲା ପୁରୀରେ । ସେ ଥିଲେ ପୁରୀ ଜିଲ୍ଲା ସ୍କୁଲର ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ । ଦେଶ ମାତୃକାର ସେବା କରିବା ସହିତ ଉପଯୁକ୍ତ ଦାୟଦଗଢ଼ିବା ପାଇଁ ତାଙ୍କୁ ମିଳିଥିଲା ସୁଯୋଗ । ସତ୍ୟବାଦୀ ଯୁଗର ଜାତୀୟ ଚେତନାର ପ୍ରେରଣା-ଦାତା ଓ ନବ ଉତ୍କଳର ନିର୍ମାତା ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ, କାଳିନ୍ଦୀଚରଣ; ପ୍ରଭୃତିଙ୍କର ସେ ଥିଲେ ଶିକ୍ଷାଗୁରୁ । ପଣ୍ଡିତ ଗୋପବନ୍ଧୁଙ୍କର ଥିଲେ ପରାମର୍ଶଦାତା । ଛାତ୍ରଛାତ୍ରୀମାନେ କିପରି ଅଧ୍ୟବସାୟ ବଳରେ ଜାତୀୟସ୍ତରରେ ପ୍ରତିଷ୍ଠା ଲାଭ କରିବେ, ସେଥିପାଇଁ ଚନ୍ଦ୍ରମୋହନ ସଦାସର୍ବଦା ଚେଷ୍ଟାକରି ଆସୁଥିଲେ । କେବଳ ଶିକ୍ଷାଦାନ ନୁହେଁ ସାହିତ୍ୟ ରଚନା ଥିଲା ଅନ୍ୟ ଏକ ପ୍ରଚେଷ୍ଟା । ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଉତ୍କଳ ସାହିତ୍ୟ ଓ ଶିକ୍ଷା ଭଣ୍ଡାରକୁ ଋଦ୍ଧିମନ୍ତ କରିଯାଇଛନ୍ତି ।

 

ଏପରି ବୌଦ୍ଧିକ ସାହିତ୍ୟର ସ୍ରଷ୍ଟା ଓ ମହାନ୍‍ ଶିକ୍ଷାବିତ୍ ଯେ ଶିଶୁ ମନଲାଖି ସରଳ, କୋମଳ ସାହିତ୍ୟ ସୃଷ୍ଟି କରିପାରନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । କଥାବଳୀ-ପଦ୍ୟାଂଶ ୧ମଭାଗ, ୨ୟଭାଗ ଓ କଥାବଳୀ ଗଦ୍ୟାଂଶ ୧ମଭାଗ ଓ ୨ୟ ଭାଗକୁ ପାଠ କଲାବେଳେ ଲାଗେ କବିଙ୍କର ହୃଦୟ କେତେ କୋମଳ ଓ ମନଥିଲା କେତେ ସରଳ ଆମ ଶିଶୁମାନଙ୍କ ପରି । ଶିଶୁମାନଙ୍କୁ ପ୍ରକୃତି ଓ ପରିବେଶ ସହିତ ପରିଚିତ କରାଇବାକୁ ଯାଇ ସେ ରଚନା କରିଛନ୍ତି ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶିଶିର, ବସନ୍ତ, ସନ୍ଧ୍ୟା, ଚନ୍ଦ୍ର, ଆକାଶ, ମେଘ ପ୍ରଭୃତି ଶିକ୍ଷଣିୟ କବିତା । ସେହିପରି ଗଦ୍ୟ ବିଭାଗରେ ଅଳସୁଆ ବାଳକ, କାକ ଓ କୋକି, ପିମ୍ପୁଡ଼ି ଓ ଝିଣ୍ଟିକା, ମୟୂର ଓ ବଣି, ରାଜା ଓ ଶୁକପକ୍ଷୀ, ବୈଷ୍ଣବ ବିରାଡ଼ି, ରଜକ ଓ ମନ୍ତ୍ରୀକଥା, ସିଂହ ଶଶକ କଥା, ମିତ୍ରଲାଭ, ସିଂହ ଓ ମୂଷିକ କଥା, ନୀଳବର୍ଣ୍ଣ ଶୃଗାଳ ଉପାଖ୍ୟାନ ପ୍ରଭୃତି ଅଜସ୍ର ଗଳ୍ପ ରଚନା କରି ଓଡ଼ିଆ ଶିଶୁ ସାହିତ୍ୟ ଜଗତକୁ ସମୃଦ୍ଧ କରିଯାଇଛନ୍ତି । ପରିବେଶ ସୁରକ୍ଷା କଥାକୁ କବିତା ମାଧ୍ୟମରେ ମଧ୍ୟ ସୁନ୍ଦରଭାବେ ବର୍ଣ୍ଣନା କରିଯାଇଛନ୍ତି ।

 

ଚନ୍ଦ୍ରମୋହନଙ୍କ ଶିଶୁ ସାହିତ୍ୟ ସୃଷ୍ଟିବେଳକୁ ତାଙ୍କ ଆଗରେ ଥିଲା ଭକ୍ତିକବି ମଧୁସୂଦନ, ଫକୀରମୋହନ, ନନ୍ଦକିଶୋର ବଳ, ଗଙ୍ଗାଧର ମେହେରଙ୍କ ଶିଶୁ ଉପଯୋଗୀ ସୃଷ୍ଟି ସବୁ । ସେତେବେଳେ ଶିଶୁମାନଙ୍କ ପାଇଁ ଯାହା ସାହିତ୍ୟ ରଚନା ହେଉଥିଲା ତାହା ପାଠ୍ୟପୁସ୍ତକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପଢ଼ୁଥିଲେ । ସାଧାରଣତଃ ବୃତ୍ତି ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କର ମନସ୍ତତ୍ତ୍ୱକୁ ଅନୁଧ୍ୟାନ କରି ରଚନା କରୁଥିଲେ ଉତ୍ତମ ଶିଶୁ ସାହିତ୍ୟ । ଆଧୁନିକ ଶିଶୁ ସାହିତ୍ୟର ପ୍ରସ୍ତୁତି ଓ ପ୍ରତିଷ୍ଠାକାଳରେ ଚନ୍ଦ୍ରମୋହନଙ୍କ ଶିଶୁ ସାହିତ୍ୟ ରଚନା ଥିଲା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।

 

କଥାବଳି-ପଦ୍ୟାଂଶ ୧ମଭାଗ ଓ ୨ୟଭାଗରେ ମୋଟ ୨୭ଟି କବିତା ଓ କଥାବଳି-ଗଦ୍ୟାଂଶରେ ମୋଟ ୮୬ଟି ଗଳ୍ପ ରଚନା କରିଥିଲେ । ସବୁ କବିତା ଓ ସବୁ ଗଳ୍ପଗୁଡ଼ିକ ଶିକ୍ଷଣୀୟ ଓ ଶିଶୁମାନଙ୍କ ଉପଯୋଗୀ ଲେଖା । ସବୁଗୁଡ଼ିକ ମୁଖତଃ ନୀତିଶିକ୍ଷାମୂଳକ ଓ ଉପଦେଶ ପ୍ରଦାନ ଥିଲା ସେଗୁଡ଼ିକର ମୁଖ୍ୟ ବିଷୟବସ୍ତୁ । ଆମ ପରିବେଶ, ଆମ ସମାଜ, ଆମ ପରିବାର ପ୍ରତି ଆମ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ସବୁଗୁଡ଼ିକ ଥିଲା ଆଧାରିତ । ଶିକ୍ଷକତା, ସମାଜସେବା ଓ ପାଠ୍ୟପୁସ୍ତକ ରଚନା ମଧ୍ୟ ଦେଇ ତାଙ୍କର ଶିଶୁସାହିତ୍ୟ ରଚନାର ବୀଜ କ୍ରମେ ଅଙ୍କୁରିତ ହୋଇଛି । ପିଲାମାନଙ୍କ ମେଳରେ ଜୀବନର ଅଭିଜ୍ଞତା ତାଙ୍କୁ ମହାନ୍‍ କରି ଗଢ଼ି ତୋଳିଛି ।

 

କଥାବଳି ପଦ୍ୟାଂଶର ପ୍ରଥମ କବିତା - ‘କୁଆକୋଇଲି’ କବିତାରେ କବି ଲେଖିଛନ୍ତି-

 

“କୁଆ କଳା ପୁଣି

କୋଇଲି ତ କଳା

ରୂପରେ ସମାନ ଦୁହେଁ

ଗୁଣରେ ତୁଳିଲେ

କୋଇଲି ସଙ୍ଗରେ

କୁଆ ତ ସମାନ ନୁହେଁ ।”

(କୁଆକୋଇଲି)

 

ଉକ୍ତ କବିତାଟିରେ କୁଆ ଓ କୋଇଲି ଦୁଇ ପକ୍ଷୀଙ୍କର ରଙ୍ଗ ଏକା ହେଲେବି ଗୁଣ କିପରି ସମାନ ନୁହେଁ, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ସେହିପରି ‘ହଳଦୀବସନ୍ତ’ କବିତାରେ କବି କହିଛନ୍ତି-

 

“ନ କରୁ କଳହ

ତୁ କାହାରି ସହ

ନ ପୀଡ଼ୁ କାହିରି ମନ

ପାଉ ତୁ ଆଦର

ତେଣୁ ଜଗତର

ଯେହ୍ନେ ସୁନ୍ଦର ସୁଜନ ।”

(ହଳଦୀବସନ୍ତ)

 

 

ଯେ କଳହ ନକରେ କାହା ମନରେ ପୀଡ଼ା ନ ଦିଏ ସେ ଜଗତରେ ସୁନ୍ଦର ସୁଜନଭାବେ ପରିଚିତ ହୁଏ ।

 

ସେହିପରି ‘ବଟବୃକ୍ଷ’ କବିତାରେ କହିଛନ୍ତି–

 

“ନିଜେ ସହି ଖରାବର୍ଷା ଶୀତର କଷଣ

ଜୀବମାନଙ୍କର ହିତ କରଇ ସାଧନ

ଏହି ରୂପେ ଯେଉଁ ଜନ ନିଜେ କଷ୍ଟ ସହି

ପରହିତ ସାଧେ, ତାକୁ ମହାଜନ କହି ।”

(ବଟବୃକ୍ଷ)

 

ଏଠାରେ ବଟବୃକ୍ଷଟି କିପରି ଶୀତଳ ଛାଇ ପ୍ରଦାନ କରେ, ପଶୁପକ୍ଷୀମାନେ ତା’ରି କୋଳରେ ଆଶ୍ରୟ ନିଅନ୍ତି, ଖରାବର୍ଷା ଶୀତ କାକର କଷଣ ସହି ଅନ୍ୟର ହିତସାଧନ କରୁଛି ତାହା ବର୍ଣ୍ଣନା କରି ମଣିଷ ସମାଜକୁ ‘ସହିବା ଲୋକ ମହତଜନ’ କଥା କହିଛନ୍ତି । ସେହିପରି ‘ଭିତର ଓ ବାହାର’ କବିତାଟିରେ ଲେଖିଛନ୍ତି-

 

“ବାଳକ ବାଳିକା! ଶୁଣ ହୋଇ ସାବଧାନ

ବାହାରେ ଭିତରେ ହୁଅ ରସାଳ ସମାନ ।

ବାହାରେ ଭିତରେ ଯଦି ନୋହିବ ସେପରି

ହୁଅ ନାରିକେଳ ଅବା ପଣସର ପରି ।

କଦାପି ନ ହୁଅ ଯେହ୍ନେ; ମହାକାଳ ଫଳ

ଯେ ହୁଏ ତେସନ, ତା’ର ଜନମ ବିଫଳ ।”

 

ଛାତ୍ରଛାତ୍ରୀମାନଙ୍କୁ ନଡ଼ିଆ ଓ ପଣସ ପରି ବାହାର ଯାହା ହେଉ ନା କାହିଁକି, ଭିତରେ ଅର୍ଥାତ୍ ହୃଦୟରେ କୋମଳ ଓ ରସାଳ ଭାବନାରେ ଅନ୍ୟକୁ ଆକର୍ଷିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

 

କବି କଥାବଳି ପଦ୍ୟାଂଶ ୨ୟ ଭାଗରେ ୬ ଋତୁ ବର୍ଣ୍ଣନା କରିବାକୁ ଯାଇ ଋତୁମାନଙ୍କର ଉତ୍ତମ ଗୁଣଗୁଡ଼ିକୁ ପିଲାମାନଙ୍କ ନୀତିଶିକ୍ଷା ପାଇଁ ସୁନ୍ଦର ଉଦାହରଣ ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ଏତଦ୍‌ବ୍ୟତୀତ ଶିଶୁମାନଙ୍କ ହୃଦୟରେ ସ୍ୱଦେଶ ପ୍ରେମକୁ ଜାଗରଣ କରିବା ପାଇଁ ଓ ଐତିହାସିକ କୀର୍ତ୍ତିରାଜି ବିଷୟରେ ଶିଶୁମାନଙ୍କୁ ଅବଗତ କରାଇବା ପାଇଁ କବିତା ରଚନା କରିଯାଇଛନ୍ତି ।

 

କବିଙ୍କର ସୌନ୍ଦର୍ଯ୍ୟପିପାସୁ ମନ ଖଣ୍ଡଗିରିର ଶ୍ରୀଶୋଭା ଦେଖି ଖଣ୍ଡଗିରିରେ ଉଷାକାଳ, ତା’ ବକ୍ଷର ବୃକ୍ଷ, ଲତା ଗହଳ, ପର୍ବତ ଶିଖରର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କଲାବେଳେ ସମ୍ରାଟ ଖାରବେଳଙ୍କର ରାଜତ୍ୱ ଓ କୀର୍ତ୍ତିରାଜିକୁ ବର୍ଣ୍ଣନା କରିଛନ୍ତି । ତାଙ୍କ ବର୍ଣ୍ଣନାରେ

 

“ଯାହାର ମହିମା ଶୁଣି ହେଉଥିଲା ମନ

ପିଞ୍ଜରେ ଯତନେ ରୁଦ୍ଧ ବିହଗ ଯେସନ ।

ସେହି ଖଣ୍ଡଗିରି ଏବେ ଦେଖିଲା ନୟନ

ସେହି ଖଣ୍ଡଗିରି ରମ୍ୟ ବିଜନ ପାବନ ।

ବିଜନ ଶୋଭାରେ ପୂରି ରାଜୁଛି ଶଇଳ

କହୁଛି ପରଶି ଦେହ ମଳୟ ଅନିଳ ।

ବିବିଧ ବିହଗ ମାତି ଅଛନ୍ତି ଗାନରେ

ରିହଛି ବିବିଧ ଫୁଲ ଫୁଟି କାନନରେ

ସୁରଙ୍ଗ ପ୍ରବାଳେ ତରୁଲତା-ଅବୟବ

ଶୋଭୁଛି କୋମଳ, ସ୍ନିଗଧ୍‌, ଚାରୁ ଅଭିନବ ।

X x x

କେମନ୍ତ ଭୁଲିବି କହ ଶଇଳ-ରତନ?

ହେ ଶୈଳ? ତୋହର ଦେଖି ମାଧୁରୀ ପାବନ

ଚୁମ୍ବକରେ ଲୌହ ପରି ଲାଗିଗଲା ମନ ।” (କଥାବଳି)

 

ଉକ୍ତ କବିତା ମାଧ୍ୟମରେ କବି ଶିଶୁମାନଙ୍କ ମନରେ ଜାତୀୟତା, ଐତିହାସିକ କୀର୍ତ୍ତି, ବିଭିନ୍ନ ଗୁମ୍ଫା, ଶ୍ୟାମକୁଣ୍ଡ, ଜୈନକୀର୍ତ୍ତି ଓ ଖଣ୍ଡଗିରି ଉଦୟଗିରିର ପ୍ରାକୃତିକ ପରିବେଶକୁ ଲୁହା ଓ ଚୁମ୍ବକ ପରି ସଂଯୋଗ କରିପାରିଛନ୍ତି ।

 

କବି ଚନ୍ଦ୍ରମୋହନ ମହାରଣା ଶିଶୁମାନଙ୍କ ମନକୁ ଆକୃଷ୍ଟ କଲାଭଳି, ଦୁର୍ବାଦଳ, ବକୁଳ, ପୁଷ୍ପ, ବଟବୃକ୍ଷ ପ୍ରଭୃତି କଥାମାନ କବିତା ମାଧ୍ୟମରେ କହିଛନ୍ତି । ‘ପୁଷ୍ପ’ କବିତାରେ କବି କହିଛନ୍ତି-

 

“ଯେତେ ଯେତେ ଅଛି

ବିଧାତା ଭିଆଣ

ତହିଁରେ ତୁ ଅଟୁସାର

ନହିଲେ କୁସୁମ!

ଚଢ଼ି ପାରନ୍ତୁ କି

ଶିରେ ତୁହି ଦେବତାର ?”

(କଥାବଳି-୨)

 

ବିଧାତାଙ୍କ ସୃଷ୍ଟିରେ ଫୁଲ କେତେ ଆକାର, କେତେ ପ୍ରକାର, କେତେ ରଙ୍ଗରେ ଗଛଡାଳେ, ତରୁଲତା ଡାଳେ ଫୁଟିଥାଏ । ତାହା ପରିବେଶର ଶୋଭାବର୍ଦ୍ଧନ କରେ ପୁଣି ଦେବତାଙ୍କର ଶିରରେ ମଣ୍ଡିତ ହୁଏ । ଏଠାରେ କବି ପୁଷ୍ପ କବିତା ମାଧ୍ୟମରେ ଶିଶୁମାନଙ୍କୁ ଗୁଣର ଅଧିକାରୀ ହେବାକୁ ପରାମର୍ଶ ଦେଇଛନ୍ତି । ଭାଷାର ସରଳତା କବିତାଗୁଡ଼ିକୁ ଅନେକ ଗୁଣରେ ଉପଭୋଗ୍ୟ କରି ତୋଳିଛି । ପ୍ରତିଧ୍ୱନୀ, ଶୈଶବ, ମେଘ ପ୍ରଭୃତି ବିବିଧ ବର୍ଣ୍ଣନାମୂଳକ କବିତା । କବି ନାନା ପ୍ରସଙ୍ଗରେ ଶିଶୁମାନଙ୍କୁ ଆକୃଷ୍ଟ କରାଇ ଆନନ୍ଦ ମାଧ୍ୟମରେ ଆଲୋକ ପ୍ରଦାନ କରିବାକୁ ପ୍ରଚେଷ୍ଟା କରିଛନ୍ତି । ଶିଶୁମାନଙ୍କ ପାଇଁ କବିତା ଯେତିକି ଆବଶ୍ୟକତାଠାରୁ ଅଧିକ ଆବଶ୍ୟକ ଗଳ୍ପ ବା କାହାଣୀ । ଶିଶୁମାନେ ବେଶି କାହଣୀପ୍ରିୟ । ଜେଜେମାଆ କୋଳରେ ଆଈ ମାଆ କୋଳରେ ଗପ ଶୁଣି ଶୁଣି ଆନ୍ଦରେ ଶୋଇପଡ଼ନ୍ତି ଶିଶୁମାନେ । ପୃଥିବୀର ଶ୍ରେଷ୍ଠଗଳ୍ପ ପଞ୍ଚତନ୍ତ୍ର ଓ ଏସଫ୍‌ଙ୍କ ନୀତିକଥା ବେଶ ଆଦୃତ ହୋଇଥିଲା । ପରୀ କାହାଣୀ, ପୌରାଣିକ କାହାଣୀ, ପରିବେଶ କାହାଣୀ, ଐତିହାସିକ କାହାଣୀ, ବିଜ୍ଞାନଭିତ୍ତିକ କାହାଣୀ ଓ ଭ୍ରମଣ କାହାଣୀ ଶିଶୁମାନଙ୍କ ମନରେ ଗଭୀର ରେଖାପାତ କରିଥାଏ । ଶିଶୁ ସାହିତ୍ୟିକ ଚନ୍ଦ୍ରମୋହନ ମହାରଣା ଶିଶୁମାନଙ୍କ ପାଇଁ କବିତା ରଚନା କରିବା ସଙ୍ଗେ ସଙ୍ଗେ କଥାବଳି ଗଦ୍ୟାଂଶ ୧ ଭାଗ ଓ ୨ୟ ଭାଗରେ ମୋଟ ୮୬ଟି ଗଳ୍ପ ରଚନା କରି ଓଡ଼ିଆ ଶିଶୁଗଳ୍ପର ଭିତ୍ତିଭୂମିକୁ ସୁଦୃଢ଼ କରିଯାଇଛନ୍ତି । ଲେଖକଙ୍କ ଗଳ୍ପଗୁଡ଼ିକ ମଧ୍ୟରେ-ଈଶ୍ୱର, ଅଳସୁଆ ବାଳକ, ପିମ୍ପୁଡ଼ି ଓ ଝିଣ୍ଟିକା, ନିର୍ବୋଧ ମୂଷା, ଲୋଭୀ କୁକୁର, କାକ ଓ କୋକି, ବ୍ୟାଧ ଓ କପୋତ, ଭଲ୍ଲୁକ ଓ ପଥିକ, ମୟୂର ଓ ମଣି, ରାମଚନ୍ଦ୍ର ଓ ଗୁଣ୍ଡୁଚି ମୂଷା, ଦୁଇ କୃଷକ କଥା, ପକ୍ଷୀ ଓ କୃଷ୍ଣସର୍ପ କଥା, ସିଂହଶଶକ କଥା, ମିତ୍ରଲାଭ, ନୀଳବର୍ଣ୍ଣରେ ରଞ୍ଜିତ ଶୃଗାଳର ଉପାଖ୍ୟାନ, ବାୟା ଚଢ଼େଇ ଓ ମାଙ୍କଡ଼ମାନଙ୍କ କଥା ପ୍ରଭୃତି ଅନେକ ନୀତିଶିକ୍ଷା ମୂଳକ ଗଳ୍ପଗୁଡ଼ିକ ଗାଳ୍ପିକଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରେ । ଶିଶୁଗଳ୍ପ ହେଉଛି ବିନ୍ଦୁ ମଧ୍ୟରେ ସିନ୍ଧୁର ଦର୍ଶନ । ଶିଶୁର ଆଶା ଆକାଂକ୍ଷା, ଜିଜ୍ଞାଷାକୁ ଯେଉଁ କାହାଣୀ ବା ଗଳ୍ପ ସମାଧାନ କରି ପାରୁଥିବ ତାହା ଶିଶୁଗଳ୍ପ ପଦବାଚ୍ୟ ବୋଲି ବିଶିଷ୍ଟ ବ୍ୟକ୍ତିମାନଙ୍କର ମତ । ସେସବୁ ଦୃଷ୍ଟିରୁ ଗାଳ୍ପିକ ଚନ୍ଦ୍ରମୋହନଙ୍କର ସମସ୍ତ ଗଳ୍ପଗୁଡ଼ିକ ନୀତିଶିକ୍ଷାମୂଳକ ହୋଇପାରିଛି ଏଥିରେ ଦ୍ୱିମତ ନାହିଁ ।

 

ପ୍ରଥମଗଳ୍ପ ‘ଈଶ୍ୱର’ରେ ଗାଳ୍ପିକ ଗଳ୍ପ ଛଳରେ କହିଛନ୍ତି –

 

ଅବଧାନେ ‘ରାମ’କୁ ପଚାରନ୍ତି “ଈଶ୍ୱର” କେଉଁଠାରେ ଅଛନ୍ତି ? ସେ କ’ଣ ଜାଣନ୍ତି ? ଏବଂ କ’ଣ କରିପାରନ୍ତି ? ରାମ ଉତ୍ତର ଦେଇ ପୁଣି ଅବଧାନଙ୍କୁ ପ୍ରଶ୍ନ କରିଛି-ପ୍ରଥମେ ଆପଣ କୁହନ୍ତୁ, ଈଶ୍ୱର କେଉଁଠାରେ ନାହାଁନ୍ତି ? ଈଶ୍ୱର କ’ଣ ଜାଣନ୍ତି ନାହିଁ ? ଈଶ୍ୱର କ’ଣ କରିପାରନ୍ତି ନାହିଁ ?

 

ପ୍ରଶ୍ନ ଛଳରେ ଅବଧାନ ଓ ଛାତ୍ରଙ୍କର ମଧ୍ୟରେ ଜ୍ଞାନ ଆରୋହଣ କରିବା ପ୍ରୟାସ ବେଶ୍‍ ଫଳପ୍ରଦ ହୋଇ ପାରିଛି । ‘ଅଳସୁଆ ବାଳକ’ ଗଳ୍ପରେ ଗାଳ୍ପିକ ଜଣେ ଅଳସୁଆ ବାଳକ ବୋଲି କୁଆ, ମହୁମାଛି, ପିମ୍ପୁଡ଼ିମାନଙ୍କଠାରୁ ଶିକ୍ଷା ଲାଭ କରି ପାଠପଢ଼ାରେ ମନନିବେଶ କରିଛି ତାହାକୁ ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି । ଅଳସୁଆ ବାଳକଟି ସ୍କୁଲଯିବା ନାମରେ ଘରୁଯାଇ ଖେଳପଡ଼ିଆରେ ପହଞ୍ଚି ଖେଳିବାକୁ ଇଚ୍ଛା କରନ୍ତି । ସାଙ୍ଗ କେହି ନ ଥିବାରୁ ପ୍ରଥମେ ଭିଜିଯାଇଥିବା କୁଆକୁ ଡାକିଛି ତା’ ସଙ୍ଗରେ ଖେଳିବାକୁ । କୁଆ କହିଛି- “ନା, ନା....ବର୍ଷାଋତୁ ପୂର୍ବରୁ ମୋତେ ମୋ ବସା ଖଣ୍ଡିକ ତିଆରି କରିବାକୁ ହେବ । ମୁଁ ଖେଳିବି ନାହିଁ ।” ମହୁମାଛିମାନଙ୍କୁ ଦେଖି କହିଛି ତା’ ସାଙ୍ଗରେ ଖେଳିବାକୁ । ମହୁମାଛିମାନେ ମଧ୍ୟ ମନା କରିଛନ୍ତି-ସେମାନେ କହିଛନ୍ତି- “ଏବେ ଫୁଲରୁ ମହୁ ଟାଣିବା ବେଳ । ନଚେତ ଫୁଲମାନେ ମଉଳି ଯିବେ । ମହୁ ମିଳିବ ନାହିଁ ।” ସେହପରି ପିମ୍ପୁଡ଼ି ଦଳକୁ କହିଛି ତା’ ସହିତ ଖେଳିବା ପାଇଁ- ପିମ୍ପୁଡ଼ିମାନେ କହିଛନ୍ତି- “ବର୍ତ୍ତମାନ ଖାଦ୍ୟ ସମ୍ପାଦିବାର ବେଳ । ଆମ୍ଭେମାନେ ଆଗହୁଁ ଖାଦ୍ୟ ସମ୍ପାଦି ରଖି ଥାଉଁ ଯେ, ବର୍ଷା ଶେଷ ପର୍ଯ୍ୟନ୍ତ ବସି ଖାଉ । ଆମ୍ଭମାନେ ଏକ ମିନିଟ୍ ସୁଦ୍ଧା ବିଳମ୍ବ କରିପାରିବୁଁ ନାହିଁ । ଦେଖ, ତୁମ୍ଭ ସାଙ୍ଗରେ କଥା କହୁଁ କହୁଁ ଅନେକ ସମୟ ନଷ୍ଟହେଲା । ପାଖରେ ଖେଳିବାକୁ ସମୟ ନାହିଁ । ଦେଖ, ତୁମ୍ଭ ସଙ୍ଗରେ କଥା କହୁଁ କହୁଁ ଅନେକ ସମୟ ନଷ୍ଟ ହେଲା ।”

 

ଶେଷରେ ପିଲାଟି ଅଳସୁଆ ପଣ ଛାଡ଼ି ସ୍କୁଲକୁ ଯାଇଛି । ସେହିଦିନଠାରୁ ମନଦେଇ ପାଠ ପଢ଼ିଛି । ଏହି ଗଳ୍ପ ମାଧ୍ୟମରେ ଛାତ୍ର ସମାଜକୁ ଆଳସ୍ୟ ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି ଲେଖକ । ବେଶ କଥୋପକଥନ ଛଳରେ ଗଳ୍ପଟି ସୁଖପାଠ୍ୟ ହୋଇପାରିଛି ।

 

ଅନ୍ୟ ଏକ ଶିଶୁପ୍ରିୟ ଗଳ୍ପ ‘ଲୋଭୀକୁକୁର’ । ଉକ୍ତ ଗଳ୍ପରେ ଲେଖକ ଛାଇଠାରୁ ମାଂସ ଛଡ଼ାଇ ଆଣିବାକୁ ଯାଇ ଲୋଭୀ କୁକୁର କିପରି ହଟାହଟ୍ଟା ହୋଇଛି ଓ ନିଜର ମାଂସ ଖଣ୍ଡକ ହରାଇ ବସିଛି, ସେ କଥାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । କୁକୁରଟି ନଦୀପୋଲ ଉପରେ ମାଂସ ଖଣ୍ଡେ ପାଟିରେ ଧରି ଯାଉ ଯାଉ ନଦୀପାଣିରେ ତା’ର ଛାଇ ଦେଖି ଭାବିଛି ଆଉ ଏକ କୁକୁର ମାଂସ ଖଣ୍ଡେ ନେଇ ତଳେ ଯାଉଛି । ତା’ଠାରୁ ମାଂସଖଣ୍ଡକ ଛଡ଼ାଇ ଆଣିବାକୁ ଭୁକି ଦେଲାବେଳକୁ ତା’ ନିଜ ମାଂସ ଖଣ୍ଡିକ ନଦୀ ପାଣିରେ ପଡ଼ିଯାଇଛି ।

 

ପଶୁ ପକ୍ଷୀମାନଙ୍କୁ ଗଳ୍ପଗୁଡ଼ିକରେ ଚରିତ୍ରରୂପେ ଚିତ୍ରଣ କରି ଲେଖକ ଅନେକ ଗଳ୍ପ ରଚନା କରିଛନ୍ତି ଯାହା ଶିଶୁ ସୁଖପାଠ୍ୟ ହୋଇପାରିଛି । ସମସ୍ତ ଗଳ୍ପଗୁଡ଼ିକ ଓ କବିତା ଗୁଡ଼ିକରେ ନୀତିଶିକ୍ଷା, ଉପଦେଶ, ବୁଦ୍ଧି ପ୍ରୟୋଗ ସାହାର୍ଯ୍ୟ ଓ ସେବା ମନୋବୃତ୍ତିକୁ ଶିଶୁମାନଙ୍କ ମନରେ ଭରିଦେବା ପାଇଁ ଲେଖକ ଚନ୍ଦ୍ରମୋହନ ଉଦ୍ୟମ କରିଛନ୍ତି । ସମସ୍ତ ଗଳ୍ପ କବିତାରେ କଥା ଛଳରେ ସୁନ୍ଦର ଓ ସରଳ ଭାଷା ପ୍ରୟୋଗ କରି ରଚନା କରିଛନ୍ତି ଅଜସ୍ର ରଚନା । ଓଡ଼ିଆ ଶିଶୁ ସାହିତ୍ୟ ଜଗତକୁ ଚନ୍ଦ୍ରମୋହନଙ୍କ ଅବଦାନ ଅତୁଳନୀୟ ।

 

ଓଡ଼ିଶାର ପ୍ରଥମ ଓଡ଼ିଆ ହେଡ଼୍‍ମାଷ୍ଟର, ପ୍ରଥମ ବ୍ୟାକରକାର, ଗୁରୁଣାଂ ଗୁରୁ ଚନ୍ଦ୍ରମୋହନ ମହାରଣା ଆମ ସମସ୍ତଙ୍କର ଚିରସ୍ମରଣୀୟ । କାରଣ ଉତ୍କଳ ମାଟିର ବରପୁତ୍ର ସତ୍ୟବାଦୀ ଯୁଗର ଯଶସ୍ୱୀକବି ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରମୁଖ ତାଙ୍କର ଛାତ୍ର ହେବାର ଯୋଗ୍ୟତା ହାସଲ କରିପାରିଥିଲେ ।

 

ଏହିପରି ଜଣେ ମହାନ୍‍ ଗୁରୁ, ଶିକ୍ଷାବିତ, ପ୍ରଥିତଯଶା କବି, କଥାକାର, ପ୍ରାବନ୍ଧିକ ଏବଂ ବ୍ୟାକରଣବିତ୍ ଚନ୍ଦ୍ରମୋହନ ମହାରଣା ତାଙ୍କର ଶିଶୁ ସୁଲଭ ରଚନାରେ ଓଡ଼ିଆ ଶିଶୁସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିଯାଇଛନ୍ତି, ସେଥିପାଇଁ ଆମେ ଆଜି ପ୍ରଣିପାତ ଜଣାଉଛୁ ।

 

ମହାନ୍‍ ସାରସ୍ୱତ ଶିଳ୍ପୀ ଚନ୍ଦ୍ରମୋହନ ମହାରଣାଙ୍କ ଜୀବନୀ ଓ ସୃଜନ କାରିଗରିକୁ ଲୋକଲୋଚନକୁ ଆଣିବାରେ ଗବେଷକ ଡକ୍ଟର ଅରବିନ୍ଦ ଗିରିଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଛି, ଏହା ତାଙ୍କର ସମ୍ପାଦନାରେ ପ୍ରକାଶିତ “ଚନ୍ଦ୍ରମୋହନ ଗ୍ରନ୍ଥାବଳୀ”ରୁ ସ୍ପଷ୍ଟ ଅନୁମେୟ । ଡକ୍ଟର ଗିରିଙ୍କ ସମ୍ପାଦନାରେ ଓ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ଗ୍ରନ୍ଥାବଳୀର ଦ୍ୱିତୀୟ ସଂସ୍କରଣ ହୋଇସାରିଛି । ଉକ୍ତ ଅମୂଲ୍ୟ ଗ୍ରନ୍ଥଟି ପ୍ରତ୍ୟେକ ଓଡ଼ିଆ ପାଠକ ପାଠିକାଙ୍କ ପାଇଁ ଉତ୍ସାହପ୍ରଦ ଏଥିରେ ସନ୍ଦେହ ନାହିଁ ।

 

ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ

ନୀଳଚକ୍ର ନଗର, ଅଠରନଳା, ପୁରୀ-୨

 

ସହାୟକ ଗ୍ରନ୍ଥ

 

ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ସମ୍ପାଦନା- ଡକ୍ଟର ଅରବିନ୍ଦ ଗିରି, ପ୍ରକାଶକ - ଓଡ଼ିଶା ସାହିତ୍ୟ ଏକାଡେମୀ

-୦-

 

ଆଧୁନିକ ଯୁଗର ବୈତାଳିକ କବି ଚନ୍ଦ୍ରମୋହନ ମହାରଣା

ଡକ୍ଟର ଶିଶିର ବେହେରା

 

ଆଧୁନିକ ଯୁଗ ତଥା ରାଧାନାଥ ଯୁଗର ମହାନ୍‍ ପ୍ରତିଭାଧର କବି ଚନ୍ଦ୍ରମୋହନ ମହାରଣା । ତତ୍କାଳୀନ କବି-ସାହିତ୍ୟିକଙ୍କ ପରି ଚନ୍ଦ୍ରମୋହନଙ୍କ କାବ୍ୟ ପ୍ରତିଭା ଓଡ଼ିଆ ସାହିତ୍ୟକୁ ବହୁଭାବରେ ସମୃଦ୍ଧ କରିଛି । ସମସାମୟିକ କବି ରାଧାନାଥ, ମଧୁସୂଦନ, ଗଙ୍ଗାଧର, ନନ୍ଦକିଶୋର ଯେତେବେଳେ କାବ୍ୟ-ଶିଖରେ ପ୍ରତିଷ୍ଠିତ; ଚନ୍ଦ୍ରମୋହନ ମଧ୍ୟ ସେହିକାଳରେ ଲେଖନୀଚାଳନା କରି ସକଳଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ସମତାଳରେ ପ୍ରତିଷ୍ଠିତ କବିମାନଙ୍କ ସମକକ୍ଷ ହୋଇପାରିଛନ୍ତି । ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ବୁଦ୍ଧିଜୀବି, ସମାଜସେବୀ, ଶିକ୍ଷା ସଂସ୍କାରକ ଭାବରେ ଚନ୍ଦ୍ରମୋହନ ମହାରଣାଙ୍କ ଅବାଦନ ଅତୁଳନୀୟ । ଏକାଧାରରେ ଜଣେ କବି, ପ୍ରାବନ୍ଧିକ, ଅନୁବାଦକ, ପାଠ୍ୟପୁସ୍ତକ ପ୍ରଣେତା, ବ୍ୟାକରଣ ରଚୟିତା, ଶିଶୁ ସାହିତ୍ୟିକ, ସମାଲୋଚକ, ପୁସ୍ତକ ସମୀକ୍ଷକ ଭାବରେ ନିଜର ଅସାମାନ୍ୟ ପାଣ୍ଡିତ୍ୟ ଓ ସାଧନାର ପରିଚୟ ଦେଇପାରିଛନ୍ତି ସେ । ସମକାଳର କବି-ସାହିତ୍ୟିକଙ୍କ ପରି ତାଙ୍କ ପ୍ରତିଭାର ମୂଲ୍ୟାୟନ ଯେପରି ହେବାକଥା, ସେପରି ହୋଇପାରିନାହିଁ । ଏହା ନିଶ୍ଚିନ୍ତ ଭାବରେ ପରିତାପର ବିଷୟ । ଆଧୁନିକ କାଳରେ, ଇଂରେଜ ଶାସନାଧୀନ ଓଡ଼ିଶାରେ ଯେତେବେଳେ ଓଡ଼ିଆ ଭାଷାରେ ବୈପ୍ଳବିକ ପରିବର୍ତ୍ତନ ସଂଗଠିତ ହେଉଥିଲା, ସେଥିରେ ଚନ୍ଦ୍ରମୋହନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଭାଷା-ଉନ୍ନତିରେ ସହଯୋଗ ବାସ୍ତବିକ ପ୍ରଶଂସନୀୟ । ବାଲେଶ୍ୱର ମାଟିର ଏହି କୃତିସନ୍ତାନ ଓଡ଼ିଶାର ଶିକ୍ଷା, ସଂସ୍କୃତି, ଭାଷା-ସାହିତ୍ୟକୁ ବହୁଭାବରେ ସମୁଜ୍ଜ୍ୱଳ କରିଅଛନ୍ତି । ବାଲେଶ୍ୱର ଅଞ୍ଚଳର ମହାନ୍‍ ପ୍ରତିଭାଧର କବି ରାଧାନାଥ ରାୟ, ଫକୀରମୋହନ ସେନାପତି ଚନ୍ଦ୍ରମୋହନଙ୍କ ସାରସ୍ୱତ ପ୍ରତିଭାର ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଛାତ୍ରାବସ୍ଥାରୁ ତାଙ୍କ ସାରସ୍ୱତ ପ୍ରତିଭାର ହୋଇଥିବା ବିକଚ-ବିକାଶ । ବାଲେଶ୍ୱର ଜମିଦାର ରାଜା ବୌକୁଣ୍ଠ ନାଥ ଦେ, ବ୍ୟାସକବି ଫକୀରମୋହନ, କବିବାର ରାଧାନାଥଙ୍କ ମିଳିତ ଉଦ୍ୟମରେ ସ୍ଥାପିତ ହୋଇଥିବା ରେମୁଣାସ୍ଥ ମିଡ଼ିଲ ଭର୍ଣ୍ଣାକ୍ୟୁଲାର ସ୍କୁଲରେ ଅଧ୍ୟୟନ କରିଥିଲେ ଚନ୍ଦ୍ରମୋହନ । ପରେ ବାଲେଶ୍ୱର ଜିଲ୍ଲାସ୍କୁଲ, ରେଭେନ୍ସା କଲେଜରେ ତାଙ୍କର ଶିକ୍ଷା ଅର୍ଜନ ତାଙ୍କୁ କୃତିଛାତ୍ରରେ ପରିଣତ କରିବା ସହିତ କବିବର ରାଧାନାଥ, ଫକୀରମୋହନ, ଉତ୍କଳଗୌରବ ମଧୁସୂଦନ ଦାସ, ଭକ୍ତିକବି ମଧୁସୂଦନଙ୍କ ସହ ସମ୍ପର୍କ; ଶିକ୍ଷାଦାନ କାଳରେ ଏହି ପ୍ରତିଭାଙ୍କ ସହବାସ-ସାନ୍ନିଧ୍ୟ, ଆଦର ଏବଂ ପ୍ରେରଣା ତାଙ୍କ ସାହିତ୍ୟିକ ପ୍ରତିଭାକୁ ମହିମାନ୍ୱିତ କରାଇଥିଲା । ଛାତ୍ରାବସ୍ଥାରୁ ସେ କବିତା ଲେଖି ଏହି ସମସ୍ତ ପ୍ରସିଦ୍ଧ କବିମାନଙ୍କ ପ୍ରଶଂସାଭାଜନ ହୋଇପାରିଥିଲେ । ବ୍ୟାସକବି ତାଙ୍କର ‘ଉତ୍କଳ ଭ୍ରମଣ’ କାବ୍ୟରେ ଆଦରଣୀୟ ଚନ୍ଦ୍ରମୋହନଙ୍କୁ ପ୍ରଶଂସା କରି ଲେଖିଛନ୍ତି-

 

“ଆହେ ଚନ୍ଦ୍ର ମହାରଣେ! ହେଉ ହେଉ ହେଉ

ଢାଳିଦିଅ ଆଉଥରେ କବିତାର ଢେଉ,

ଛପାଇବେ ରାମଚନ୍ଦ୍ର ଚିନ୍ତା କି ହେ ଆଉ

ମାରିନେବ ଟଙ୍କା ମୁଠେ ଠୁଙ୍କି ଦେଇ ବାହୁ ।”

 

୧୮୮୩ରୁ ୮୫ ମସିହାରେ ଚନ୍ଦ୍ରମୋହନ ମହାରଣା ଯେତେବେଳେ ବାଲେଶ୍ୱର ଜିଲ୍ଲାସ୍କୁଲର ଛାତ୍ର ଥିଲେ, ଫକୀରମୋହନଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ରେଭେନ୍ସା କଲେଜର ଏଫ୍‌-ଏ ଶ୍ରେଣୀରେ ପଢ଼ିବାବେଳେ ‘ସଂସ୍କାରକ’ ପତ୍ରିକାରେ ଅନେକ କବିତା ପ୍ରକଶ କରିଥିଲେ । ଯାହାକୁ ପାଠକରି ରାଧାନାଥ, ଫକୀରମୋହନ, ମଧୁସୂଦନ ରାଓ ପ୍ରମୁଖ ମନୀଷୀମାନେ ଯୁବକ ଚନ୍ଦ୍ରମୋହନଙ୍କୁ ଶ୍ରଦ୍ଧା-ଆଦର କରିବା ସହିତ ତାଙ୍କ ଭବିଷ୍ୟତର ସାରସ୍ୱତ ଯାତ୍ରା ଉପରେ ଯଥେଷ୍ଟ ଆସ୍ଥା-ବିଶ୍ୱାସ ରଖିପାରିଥିଲେ । ମେଧାବୀ ଚନ୍ଦ୍ରମୋହନ ମଧ୍ୟ ଏହି ବିଶ୍ୱାସକୁ ସାକାର କରିଥିଲେ ।

 

ଶିକ୍ଷାଲାଭଠାରୁ ଶିକ୍ଷାଦାନ ମଧ୍ୟରେ ସାହିତ୍ୟ ରଚନା ଜୀବନର ବ୍ରତ ଭାବରେ ଗ୍ରହଣ କରିନେଲେ । କଟକ ନର୍ମାଲ ଟ୍ରେନିଂ ସ୍କୁଲ, କଟକ କଲିଜିଏଟ୍ ସ୍କୁଲ, ପୁରୀ ଜିଲ୍ଲା ସ୍କୁଲ, ବାଲେଶ୍ୱର ଜିଲ୍ଲା ସ୍କୁଲର ଶିକ୍ଷକ ଜୀବନ ଓ ପରିଦର୍ଶକ ଜୀବନରେ ସେ ତେଣୁ ଛାତ୍ରମାନଙ୍କ ଲାଗି ସାହିତ୍ୟ ସୃଷ୍ଟି କରିଥିଲେ ଏବଂ ଅନେକ ଛାତ୍ରଛାତ୍ରୀଙ୍କୁ ସାହିତ୍ୟକ ହେବାର ସହଯୋଗ ଦେଇ ଆସିଥିଲେ ।

 

ସାହିତ୍ୟର ସକଳ ବିଭାଗରେ ଚନ୍ଦ୍ରମୋହନଙ୍କ ଦଖଲ, ବିଦ୍‌ବତ୍ତା ଓ ପାଣ୍ଡିତ୍ୟ ପ୍ରମାଣିତ ହୋଇଛି । ବିଶେଷତଃ କବିତା ରଚନାରେ ତାଙ୍କର ସିଦ୍ଧି ସ୍ୱତନ୍ତ୍ର । ଏହି କବିତା ରଚନା ହିଁ ତାଙ୍କୁ ପ୍ରାଥମିକ କାଳରୁ ଓଡ଼ିଆ ସାହିତ୍ୟ ପ୍ରତି ଆକୃଷ୍ଟ କରାଇଥିଲା । ଆଦ୍ୟ ଯୌବନରେ ପ୍ରକାଶିତ ହୋଇଥିଲା ତାଙ୍କର ‘ନବୋଦ୍ୟମ’ କବିତା ଗ୍ରନ୍ଥ ୧୮୮୮ ମସିହାରେ । ୧୮୮୫ରୁ ୧୮୮୭ ମସିହାବେଳକୁ ରେଭେନ୍ସା କଲେଜରେ ଏଫ୍‌.ଏ. ପଡ଼ୁଥିବା କାଳରେ ଛାତ୍ରସୁଲଭ ଉନ୍ମାଦନାରେ ସେ ଅନେକ କବିତା ରଚନା କରି ‘ସଂସ୍କାରକ’ ପ୍ରତିକାରେ ପ୍ରକାଶ କରୁଥିଲେ । ପରବର୍ତ୍ତୀ କାଳରେ ସେ ସମସ୍ତ କବିତାକୁ ଏକତ୍ର କରି ‘ନବୋଦ୍ୟମ’ ନାମରେ ଏହାକୁ ସଂକଳିତ କରି ପ୍ରକାଶ କରିଥିଲେ । କବି ଜୀବନ ତଥା ଆଦ୍ୟ ଯୌବନର ଏହା ପ୍ରୀତିପୁଷ୍ପ । କବିତାର ନାମକରଣରୁ ଚନ୍ଦ୍ରମୋହନଙ୍କ ତାରୁଣ୍ୟର କବିତ୍ୱକୁ ଏଥିରେ ଅନୁମାନ କରିହୁଏ । ପୁସ୍ତକଟିକୁ ପ୍ରକାଶ କରିଥିଲେ ଭିକ୍ଟୋରିଆ ପ୍ରେସ୍‍, ଓଡ଼ିଶା ପ୍ରିଣ୍ଟିଂ କୋରପୋରେସନ୍‌, କଟକ । ପ୍ରକୃତିକୁ ବ୍ୟକ୍ତିତ୍ୱମୟୀ କରିତୋଳିବା, ରୋମାଣ୍ଟିକ କଳ୍ପନା ବିଳାସ, ଉନ୍ନତ ଉପମା ପ୍ରୟୋଗ, ସରଳ, ସାବଲିଳ ଭାଷା ବିନ୍ୟାସ ‘ନବୋଦ୍ୟମ’କୁ ସଫଳ ଓ ସାର୍ଥକ ସୃଷ୍ଟିର ଗୌରବ ପ୍ରଦାନ କରିଛି । “‘ନବୋଦ୍ୟମ’ ନବୀନ ବୟସର ଉଦ୍ୟମ ହେଲେହେଁ ଏକ ଉଚ୍ଚକୋଟିର କାବ୍ୟ ପ୍ରଚେଷ୍ଟା । ଭାବ ପ୍ରକାଶର ସଂଯମତା, ସୌନ୍ଦର୍ଯ୍ୟବୋଧର ନିବିଡ଼ତା, ବ୍ୟଥିତ ପ୍ରତି ସମବେଦନାର ଗଭୀରତା, ଭାଷା ପ୍ରୟୋଗର ସାଧୁତା, ଶାଳୀନତା କବିଙ୍କର ଉଚ୍ଚକୋଟିର ସୃଜନ ସମ୍ଭାବନାର ପ୍ରତିଶ୍ରୁତି ବହନ କରେ ।” (ଭୂମିକା : ଚନ୍ଦ୍ରମୋହନ ଗ୍ରନ୍ଥାବଳୀ) । ‘ନବୋଦ୍ୟମ’ରେ ସ୍ଥାନିତ ହୋଇଛି ୧୫ଗୋଟି କବିତା । ଯଥା- ବସନ୍ତ, ମାତୃପିତୃହୀନ ବାଳକର ଜନନୀ ପ୍ରତି, ନିରାଶା ବ୍ୟକ୍ତିର ନିଶୀଥ ନିଭୃତ ଚିନ୍ତା, ନିୟତି ପ୍ରତି, ସମୁଦ୍ର ପ୍ରତି, ମଲ୍ଲିକା, ବିଦେଶରୁ ସ୍ୱଗୃହାଭିମୁଖରେ ବାଲେଶ୍ୱର ପ୍ରତ୍ୟାବର୍ତ୍ତନ କାଳରେ ସମୁଦ୍ରପୋତରେ ଦୁଇ ସହୋଦରର ବିନାଶ, ଶରଦୁଷା- ପ୍ରାକ୍‌କାଳ, ଶଯ୍ୟାସ୍ଥ ଆଶାମୁଗ୍ଧ ବ୍ୟକ୍ତି, ଝିଟିକା, ପର୍ବତ, ମଳୟାନିଳ ପ୍ରତି, ଅପୂର୍ବ-କାରାରୁଦ୍ଧ ପୁରୁଷର ପତ୍ର, ଶରତ, ଶିଶୁ ବିୟୋଗ-ଇତ୍ୟାଦି । ଏହି ସମସ୍ତ କବିତାକୁ ମୁଖତଃ ଦୁଇପ୍ରକାରରେ ବିଭାଗ କରାଯାଇପାରେ-

 

୧- ପ୍ରକୃତି ବର୍ଣ୍ଣନାଧର୍ମୀ

୨- କରୁଣ ରସାତ୍ମକ କବିତା ।

 

୧୯୧୦ ମସିହାରେ ଚନ୍ଦ୍ରମୋହନଙ୍କ ‘କଥାବଳୀ’ ପୁସ୍ତକ ପ୍ରକାଶିତ ହୁଏ । ତତ୍କାଳୀନ ସମାଜରେ ଚନ୍ଦ୍ରମୋହନଙ୍କ ନିଷ୍ଠାପର ଶିକ୍ଷାଦାନ, ଦକ୍ଷ ସ୍କୁଲ ପରିଦର୍ଶକ, ଶୃଙ୍ଖଳାନିଷ୍ଟ-କର୍ତ୍ତବ୍ୟପରାୟଣ ଶିକ୍ଷକ ହେତୁ ପାଠ୍ୟପୁସ୍ତକର ଅଭାବ ଦେଖି ସେ ଏହି ପୁସ୍ତକ ରଚନା କରିଥିଲେ । ମାଇନର କ୍ଳାସରେ ପାଠ୍ୟପୁସ୍ତକରୂପେ ଏହା ପ୍ରଚଳିତ ହୋଇଥିଲା । ଇଂଲଣ୍ଡର ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ମ୍ୟାକ୍‌ମିଲାନ୍ ଏଣ୍ଡ କୋ ଲିମିଟେଡ୍‍ କମ୍ପାନୀର ଅନୁରୋଧରେ ସେ ସେହି ପାଠ୍ୟଗ୍ରନ୍ଥ ରଚନା କରିଥିଲେ । ପ୍ରଥମେ ଚାରିଖଣ୍ଡରେ ପ୍ରକାଶ ହୋଇଥିଲେ ହେଁ ଟେକ୍ସଟ୍‍ ବୁକ୍ କମିଟିଦ୍ୱାରା ମଞ୍ଜୁରୀ ପ୍ରାପ୍ତ ହୋଇ ଏହା ଦୁଇଖଣ୍ଡରେ ପ୍ରକାଶିତ ହୋଇଥିଲା । ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗରେ ବିଭକ୍ତ ଏହି ପୁସ୍ତକ ଦୁଇଟି ଶିଶୁମାନଙ୍କ ଶିକ୍ଷା ବିକାଶ ଲାଗି ଅମୂଲ୍ୟ ଗ୍ରନ୍ଥ । କୋମଳମତି ଶିଶୁଙ୍କୁ ଶିକ୍ଷା ମନଯୋଗୀ କରାଇବା ପାଇଁ ସେ ଭାରତୀୟ ସଂସ୍କୃତି, ହିତୋପଦେଶ, ପଞ୍ଚତନ୍ତ୍ର, ଭାରତୀୟ ପୁରାଣ ରାମାୟଣ, ମହାଭାରତ, ଇଂଲଣ୍ଡ ଓ ଆମେରିକା ଇତିହାସ, ଇଂରାଜୀ କବିତା ସହିତ ବାଇବେଲର କାହାଣୀକୁ ଉପଜୀବ୍ୟ କରି ସୁନ୍ଦର କବିତା, କାହାଣୀ ରଚନା କରିଥିଲେ । ‘କଥାବଳୀ’ର ପ୍ରଥମଭାଗ ପ୍ରଥମ ମାନ, ଦ୍ୱିତୀୟମାନରେ ବିଭକ୍ତ । ପ୍ରଥମମାନରେ ପାଞ୍ଚଟି ଶିଶୁ କବିତା, ଦ୍ୱିତୀୟମାନରେ ନଅଗୋଟି କବିତା ସ୍ଥାନିତ । ସେହିପରି ଦ୍ୱିତୀୟ ଭାଗରେ ଏଗାରଟି କବିତା ସ୍ଥାନ ପାଇଛି । ଶିଶୁ ପ୍ରାଣକୁ ଛୁଇଁଲା ଭଳି ସରଳ ଭାଷାରେ ପ୍ରକୃତି ବର୍ଣ୍ଣନା, ଉପମା ପ୍ରୟୋଗ ମଧ୍ୟରେ ଶିଶୁର ନୈତିକ ବିକାଶ, ଚରିତ୍ରଗଠନ, ସଦାଚାର, ଈଶ୍ୱର ବିଶ୍ୱାସ, ସମୟାନୁବର୍ତ୍ତିତା, ସଂଯମତା ଏବଂ ପରୋପକାରୀ ଗୁଣାବଳୀର ବିକାଶ ପାଇଁ ଅନେକ କବିତା ରଚନା କରିଛନ୍ତି ସେ । ଜଣେ ସଫଳ ଶିଶୁକବି ଭାବରେ ଚନ୍ଦ୍ରମୋହନଙ୍କ ସଫଳତାର ସ୍ୱୀକାର କରିବାକୁ ହୋଇଥାଏ । ନନ୍ଦକିଶୋରଙ୍କ ଏହିକାଳରେ ଯେପରି ନାନାବାୟା କବିତାମାନ ରଚନା କରିଥିଲେ, ଚନ୍ଦ୍ରମୋହନ ପାଠ୍ୟପୁସ୍ତକରେ ଅନୁରୂପ ଭାବରେ କିବତାମାନ ରଚନା କରିଅଛନ୍ତି । ତାଙ୍କ ରଚିତ ସୁନ୍ଦର ଶିଶୁ କବିତା ‘ଡାମରା କାଉ’ କବିତାକୁ ଲକ୍ଷ୍ୟ କରାଯାଉ-

 

“ଡାମରା କାଉରେ ଡାମରା କାଉ

 

ଦିନଯାକ ତୁହି ବୋବାଉ ଥାଉ ।

ଗୁଣିଟିଏ ଅଛି ଜାଣଇ ମୁହିଁ

 

କେହି ନ ଉଠୁଣୁ ଉଠୁରେ ତୁହି ।

କାଆ କାଆ ରାବି ଉଠାଉଆନେ

 

ରାବ ଶୁଣି ରାତି ପାହିଲା ଜାଣେ ।”

 

ସେହିପରି ଶିଶୁବୋଧ ଭାଷାରେ ଲଳିତ ସାଂଗୀତିକ ପଦାବଳୀ ମଧ୍ୟରେ ସେ ଶିଶୁମାନଙ୍କୁ ପାଠ୍ୟଶିକ୍ଷା ଦେବାପାଇଁ ଚମତ୍କାର ପଦାବଳୀ ରଚନା କରିଅଛନ୍ତି । ଏଥିରୁ ତାଙ୍କର କବି ପ୍ରତିଭାର ଯଥାର୍ଥ ନିଦର୍ଶନକୁ ଲକ୍ଷ୍ୟ କରିହୁଏ । ଯେପରି ‘ବେଙ୍ଗରାଜା’ କବିତା-

 

“ପାଣି ବରଷିଲା ଟପରଟପର

କେସୁର ମାଇଲା ଗଜା

ସାରୁ ଗଛ ମୂଳେ ବେଙ୍ଗଟିଏ ବସି

ଆପେ ବୋଲାଉଛି ରଜା ।

ଚଉପାଶେ ଛନ୍ତି ଆଉ ଯେତେ ବେଙ୍ଗ

ସେମାନଙ୍କୁ ପ୍ରଜା ମଣେ

ତହିଁରୁ ଗୋଟିଏ ଆପଣା ପାଖରେ

ବସାଇଛି ମନ୍ତ୍ରୀ ପଣେ ।”

 

ଆଉ ଏକ ଶିଶୁ କବିତା ‘କୁଆକୋଇଲି’କୁ ଲକ୍ଷ୍ୟ କରାଯାଉ ।

 

“କୁଆ କଳା ପୁଣି କୋଇଲି ତ କଳା

 

ରୂପରେ ସମାନ ଦୁହେଁ

ଗୁଣରେ ତୁଳିଲେ କୋଇଲି ସାଙ୍ଗରେ

 

କୁଆ ତ ସମାନ ନୁହେଁ ।

X x x

ରୂପରେ ରୂପରେ ମେଳ ଥିଲେ ଯଦି

 

ଅମେଳ ଥାଏ ଗୁଣରେ

ଗୁଣ ଯେ ଅଧିକ ସେ ପାଏ ଆଦର

 

ଏହି ରୀତି ଜଗତରେ ।”

 

ଶିଶୁ ହୃଦୟକୁ ଛୁଇଁଲା ଭଳି ପ୍ରକୃତିବର୍ଣ୍ଣନା, ଉପମା ପ୍ରୟୋଗ, ନାଟକୀୟତା, ବିଭୁ ଆରାଧନା ଆଦି ପ୍ରସଙ୍ଗ ସଂଯୋଜନା କରିଛନ୍ତି । ତାହା ଯେପରି ସୁଖପାଠ୍ୟ ସେହିପରି ବାସ୍ତବଧର୍ମୀ । ଏକ କବିତାରୁ ଏହାର ପ୍ରମାଣ ନିଆଯାଉ । ମେଘଠାରେ ବ୍ୟକ୍ତିତ୍ୱ ଆରୋପ କରିଛନ୍ତି କବି ।

 

“ବହୁରୂପୀ ଅଟ ମେଘ! ଯେତେ ପରକାରେ

 

ରଚିଲେ ବିଧାତା ବର୍ଣ୍ଣ, ଦେଖୁଁ ତୋହଠାରେ ।

କଳାରୂପ ଧରି ଯେବେ ଘୋଟୁ ତୁ ଅମ୍ବର

 

ଚମକେ ବିଜୁଳି, ଗର୍ଜେ ବଜ୍ର ଭୟଙ୍କର ।

ଦିନାନ୍ତେ ବୁଡ଼ଇ ଯେବେ ପଶ୍ଚିମରେ ରବି

 

କେଡ଼େ ରମଣୀୟ ଆହା ଦିଶଇ ତୋ ଛବି ।”

 

କବିର ହୃଦୟ ଓ ଶିଶୁ ଅବବୋଧ ମାନସିକତା ନେଇ ଚନ୍ଦ୍ରମୋହନ ରଚନା କରିଥିବା ପାଠ୍ୟପୁସ୍ତକ ‘କଥାବଳି’ ଆଧୁନିକ ଯୁଗରେ ଯଥେଷ୍ଟ ଖ୍ୟାତିଲାଭ କରିଥିଲା । ଏହା ତତ୍କାଳୀନ ସମୟରେ ଏତେ ପ୍ରଭାବଶାଳୀ ଥିଲା ଯେ, ଉଭୟ ତେଲଗୁ ଓ ହିନ୍ଦୀ ଭାଷାରେ ଅନୂଦିତ ହୋଇ ସେଠାକାର ସ୍କୁଲର ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ହେଉଥିଲା । (ନବୋଦ୍ୟମ-କଥାବଳି)

 

କବିତ୍ୱ ଏକ ନୈସର୍ଗିକ ପ୍ରତିଭା । ଚନ୍ଦ୍ରମୋହନ ମହାରଣା ଏହି ପ୍ରତିଭାର ଯଥାର୍ଥ ଅଧିକାରୀ ଥିଲେ । ଇଂରେଜ ଶାସନାଧୀନ ଓଡ଼ିଶାରେ ତାଙ୍କର ଜନ୍ମ, ଭାଷା ଆନ୍ଦୋଳନରେ ସେ ସାକ୍ଷୀ । ରେନାଁସା କାଳରେ ତାଙ୍କ ଶିକ୍ଷାଗ୍ରହଣ ଓ ପରବର୍ତ୍ତୀ କାଳରେ ଶିକ୍ଷାଦାନ ମଧ୍ୟ । ଯେଉଁମାନଙ୍କ ସାନ୍ନିଧ୍ୟରେ ଆସିଥିଲେ ଛାତ୍ରକାଳରୁ ସେମାନେ ଥିଲେ ଆଧୁନିକ ଯୁଗର ଏକ ଏକ ଯଶସ୍ୱୀ ପ୍ରତିଭା । କବିବର ରାଧାନାଥ, ବ୍ୟାସକବି ଫକୀରମୋହନ ସେନାପତିଙ୍କ ମାଟିରେ ଜନ୍ମହୋଇ ସେମାନଙ୍କ ସାହଚର୍ଯ୍ୟ ପାଇଛନ୍ତି । ବହୁ ଭାବରେ ପ୍ରଭାବିତ ହୋଇଛନ୍ତି । ଭକ୍ତକବି ମଧୁସୂଦନ ରାଓଙ୍କ ସହ ଏକତ୍ର ଶିକ୍ଷାଦାନ କରିଛନ୍ତି । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟର ମୂଲ୍ୟାୟନ କରିଛନ୍ତି ଏବଂ କବିଙ୍କ ସହ ପତ୍ରାଳାପ କରି ପ୍ରିୟପାତ୍ର ମଧ୍ୟ ହୋଇଛନ୍ତି । ଏହି ସବୁ ମନୀଷିଙ୍କ ସହ ଆସି ସେ ମଧ୍ୟ ପାଲଟି ଯାଇଛନ୍ତି ଯଥାର୍ଥ କବି ପ୍ରତିଭା । ଆଧୁନିକ ଚିନ୍ତାଚେତନାରେ ତାଙ୍କ ରଚନା ପ୍ରଭାବିତ । ପ୍ରତିଷ୍ଠିତ ଏହି କବିମାନଙ୍କ ସହ ସମତାଳରେ ସେ ନିଜର କବିତ୍ୱକୁ ପରଖିଛନ୍ତି ଅନେକ ପତ୍ରପତ୍ରିକାରେ । ଫକୀରମୋହନ, ରାଧାନାଥଙ୍କ ପ୍ରଶଂସା ମଧ୍ୟ ପାଇଅଛନ୍ତି । ତତ୍କାଳୀନ ପତ୍ରିକା ‘ସଂସ୍କାରକ’, ‘ଉତ୍କଳ ପ୍ରତିଭା’, ‘ପ୍ରଜାବନ୍ଧୁ’, ‘ନବ ସମ୍ବାଦ’, ‘ସମ୍ବଲପୁର ହିତୈଷିଣୀ’, ‘ଉତ୍କଳ ସାହିତ୍ୟ’ ଓ ‘ବିଜୁଳି’ ଆଦିରେ ଅନେକ କବିତା ରଚନା କରିଛନ୍ତି । କେତେବେଳେ ଛଦ୍ମନାମରେ ମଧ୍ୟ ଆତ୍ମପ୍ରକାଶ କରିଛନ୍ତି ଚନ୍ଦ୍ରମୋହନ ମହାରଣା । ଅସାମାନ୍ୟ କବି ପ୍ରତିଭାର ଅଧିକାରୀ ଚନ୍ଦ୍ରମୋହନଙ୍କୁ ତେଣୁ ଆଧୁନିକ ଯୁଗର ବୈତାଳିକ ବୋଲି କହିବା ସମୀଚୀନ ।

 

ରାଧାନାଥ ପ୍ରତିଭାର ସେ ମୁଗ୍ଧ ପ୍ରଶଂସକ । ଏହାର ପ୍ରମାଣ ତାଙ୍କ କବିତାରୁ ଅନୁମେୟ । ଚନ୍ଦ୍ରମୋହନଙ୍କ କବିତାବଳୀରେ ରାଧାନାଥ ରାୟଙ୍କ ଅସପତ୍ନ ପ୍ରଭାବ ଦେଖିବାକୁ ମିଳେ । ରାଧାନାଥ ସେତେବେଳେ ଓଡ଼ିଆ ସାରସ୍ୱତ ଜଗତରେ ଦେଦୀପ୍ୟମାନ କବି ମନୀଷୀ, ଯେତେବେଳେ ତାଙ୍କର କାବ୍ୟ ବିତାନ ସମଗ୍ର ସାହିତ୍ୟ ଜଗତରେ ନବରୂପରେ ଉଦ୍ଭାସିତ, ସେତେବେଳେ ଚନ୍ଦ୍ରମୋହନଙ୍କ ବାଲେଶ୍ୱରରେ ଶିକ୍ଷାଗ୍ରହଣ । କବିଙ୍କ କାବ୍ୟ-କବିତା ଯେ ନିଶ୍ଚୟ ତାଙ୍କୁ ପ୍ରଭାବିତ କରିଛି ଏବଂ ସେ ରାଧାନାଥ ରାୟ ଶୈଳୀକୁ ଆପଣାଇ ନେଇଥିବାର ଯଥାର୍ଥ ଆବେଦନ ତାଙ୍କ ରଚନାରୁ ବାରିହୁଏ । ଏହି ପ୍ରଭାବ ସ୍ୱତଃପ୍ରବୃତ୍ତ, ଆନୁଗତ୍ୟ ଏବଂ ଆକର୍ଷଣଜନିତ । ରାଧନାଥ ରାୟ ଶବ୍ଦ ପ୍ରୟୋଗର ଏକ ଦୃଷ୍ଟାନ୍ତକୁ ଚନ୍ଦ୍ରମୋହନଙ୍କ ‘ସମୁଦ୍ରପ୍ରତି’ କବିତାରୁ ଲକ୍ଷ୍ୟ କରାଯାଉ-

 

“ନ ଶୋଭେ ନୃ-ପଦ ଚିହ୍ନ, ପୟୋଧୋ ତୋ ବକ୍ଷେ

ତୋ ଅଙ୍ଗ ଲୁଣ୍ଠନ-ଭୂମି ନୁହଇ ତା ପକ୍ଷେ;

ଧରା ଧ୍ୱଂସୀ ବଳ ତା’ର ମଣୁ ତୁହି ଛାର

ଉତ୍‌କ୍ଷେପି ତୋ କୋଳକୁ ହାୟ ବୃଥା ଅହଂକାର ।

x x x

ରହଇ ଦୁର୍ଭାଗ୍ୟ ପଡ଼ି ଶବ ବିଜନରେ

ଭୀମକାର ରଣ-ତରି ବର୍ଷି ବଜ୍ରାନଳ ।”

 

ଶବ୍ଦ ପ୍ରୟୋଗ ସହିତ ରାଧାନାଥଙ୍କ ଅମିତ୍ରାକ୍ଷର ଛନ୍ଦର ପ୍ରଭାବରେ ଚନ୍ଦ୍ରମୋହନ ରଚନା କରିଛନ୍ତି କବିତା । ‘ପର୍ବତ’ କବିତାରେ ଅମ୍ରିତାକ୍ଷର ଛନ୍ଦର ଚମତ୍କାର ବର୍ଣ୍ଣନାକୁ ଲକ୍ଷ୍ୟ କରିହୁଏ-

 

“ଅଙ୍କନ-କୌଶଳେ ଏକା କଳ୍ପନା ସୁନ୍ଦରୀ

କାମ-ଗତି ନିଭୃତରେ ଯେଉଁ ଚିତ୍ରମାନ ।

ସଦାନବ୍ୟ-ଅଭିଳାଷ ମାନବେ ଦେଖାଏ,

ତହୁଁ ବଳି ପ୍ରୀତିକର ନାହିଁ ଜଗତରେ ।

କଳ୍ପନା-ସେବକ ପରା ସେ ହେତୁ ମାନବ

କଳ୍ପନା ଫିଟାଇ ଦିନେ ସ୍ୱୀୟ ଚାରୁଚିତ୍ର

ଦେଖାଇଲା ମହୀଧର ବହୁଧା ଚିତ୍ରିତ ।”

 

ଚନ୍ଦ୍ରମୋହନ ମହାରଣା ସାହିତ୍ୟର ସକଳ ବିଭାଗରେ ଲେଖନୀଚାଳନା କରିଥିଲେହେଁ କବିତା କ୍ଷେତ୍ରରେ ସେ ଥିଲେ ପ୍ରତିଭାଧର । ଆଧୁନିକ ଯୁଗରେ ତାଙ୍କର କାବ୍ୟସାଧନା ବାସ୍ତବିକ ପ୍ରଶଂସନୀୟ । ମହାରଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ‘ଉତ୍କଳପ୍ରଭା’ରେ ତାଙ୍କ କବିତା ‘ଖଣ୍ଡଗିରି’, ‘କପିଳାସ’ ପ୍ରକାଶ ପାଇଥିଲା ଏବଂ ଏଥିପାଇଁ ସେ ରାଧାନାଥ, ମଧୁସୂଦନ, ଗଙ୍ଗାଧର ମେହେର ଆଦିଙ୍କ ସହ ପୁରସ୍କୃତ ହୋଇଥିଲେ । ‘କପିଳାସ’ କବିତାରେ ପ୍ରଭାତ ବର୍ଣ୍ଣନା କରିଛନ୍ତି, ତାହା ବାସ୍ତବରେ ଚିତ୍ତାକର୍ଷକ । ଯେପରି –

 

“ନିମେଷ ପରାଏ ରଜନୀ-ଶେଷ ଶେଷ ହୋଇଲା,

ପ୍ରକୃତି ଅଶେଷ ମୁଖରେ ବୋଲେ ‘ରାତି ପାହିଲା’ ।

ବୁଡ଼ି ଯାଇଅଛି ଶଶାଙ୍କ ଏବେ ପଶ୍ଚିମାଶାରେ

ପାତଳିଛି ନିଶା-କାଳିମା ଫିକା ପ୍ରାଚୀ-ଆଭାରେ

ଦୋଳୁଛି ଦୋଳୁଛି ଗୁବାକ-ଚୂଡ଼ା-ଉଷା-ସମୀରେ ।

ସୁରଭି ନିଃଶ୍ୱାସ ଛାଡ଼ନ୍ତି ଫୁଲେ ନିଜ କୁଟୀରେ;

ସେ ଦିବ୍ୟ ସୁରଭି ବିତରି ସମୀରଣ ବୋଲଇ,

ଘେନ ଉପହାର ଅତିଥି । ଉଷା ଦେଇ ଅଛଇ ।”

 

ଗଙ୍ଗାଧରଙ୍କ ଚଳମାନ-ଜୀବନ୍ତ ପ୍ରକୃତି ପରି ଚନ୍ଦ୍ରମୋହନଙ୍କ ଉଷାକାଳ ସମରୂପତା ଲାଭ କରିଛି । ଜୀବନ୍ତ ପ୍ରକୃତିର ଏହି ଆବେଦନ ଗଙ୍ଗାଧରୀୟ ଶୈଳୀର ପ୍ରଭାବ ଅନୁରୂପ ମାତ୍ର । ବ୍ୟକ୍ତିଗତ ପରାକାଷ୍ଠା ଓ ମୌଳିକ ପ୍ରତିଭା ମାଧ୍ୟମରେ ଆପଣାର କବିତାମାନଙ୍କୁ ପାଠକପ୍ରିୟ କରାଇ ପାରିଥିଲେ କବି ଚନ୍ଦ୍ରମୋହନ ମହାରଣା । ଶାରଦାକାଶୀୟ ଶୋଭା ଏବଂ ପ୍ରାକ୍ ଉଷାକାଳର ବର୍ଣ୍ଣନାରେ ମାନବାୟନ ଘଟିଛି । ଉପମା ଓ ରୂପକ ମାଧ୍ୟମରେ କବି ଚନ୍ଦ୍ରମୋହନଙ୍କ ପ୍ରକୃତିଚିତ୍ରଣ ଅପରୂପ ଶୋଭା ଧାରଣ କରିଛି । ଯେପରି-

 

“ବିରଜଇ ଊର୍ଦ୍ଧ୍ୱେ ଯାହା ଦେଖୁଛି ନୟନ”

ନୁହଇ ନୁହଇ ବୋଲି ପାଞ୍ଚଇ ତ ମନଃ ।

ପାଞ୍ଚଇ ରୂପସୀ-ନିଶା-ଅବଗୁଣ୍ଠନରେ

ଖଚିତ ହୀରକ ଜାଳ ଜ୍ୱଳେ ହରୂ ନିରୀକ୍ଷଣ

କର ବଢ଼ାଇଣ କାଳେ କରିବ ହରଣ ।

ଶଙ୍କାରେ ରଜନୀ ଧନୀ ତନୁ ଉତ୍ତରୀୟ

ଢାଙ୍କିଲା ଯତନେ ଶିରେ; ତେଭେଁ ଦୀପ୍ତିପ୍ରିୟ

ଲୁଚି ନରହିଲେ ହୀରା-ଶକଳ-ସକଳ;

ହୀରକେ ଏସନ ରୀତି ଦେଖିଣ ବିକଳ

ରଜନୀ ଢାଙ୍କୁଛି ଅନ୍ୟ ଉତ୍ତରୀୟ ତହିଁ ।

(ଶରଦୁଷା ପ୍ରାକ୍‌କାଳ)

 

ଶରତ ଋତୁର ଶୋଭାଶ୍ରୀ ବର୍ଣ୍ଣନା ପ୍ରସଙ୍ଗରେ ପ୍ରକୃତିର ଶସ୍ୟଶ୍ୟାମଳା, ସବୁଜଶ୍ରୀକୁ ଚିତ୍ରିତ କରିଛନ୍ତି କବି । ଏଥି ସହିତ ବିବିଧ ପୁଷ୍ପସମ୍ଭାରରେ ପ୍ରକୃତିରାଣୀର ସାଜସଜ୍ଜା ମଧ୍ୟ ବର୍ଣ୍ଣିତ । ଶରତ୍‌କାଳୀନ ପୁଷ୍କରିଣୀର ଅବସ୍ଥା ବର୍ଣ୍ଣନା ପ୍ରସଙ୍ଗରେ ଚନ୍ଦ୍ରମୋହନଙ୍କ ପ୍ରକୃତିପ୍ରାଣତାକୁ ଅନୁଭବ କରିହୁଏ-

 

ସରୋବର-ଭୂଷା-କୁମୁଦ-ନିଚୟ

ନିମୀଳି ଆସନ୍ତି ଦେଖି ଦିନୋଦୟ;

ଫୁଟିବେ କି ଅବା ମୁଦିବେ, ନିଶ୍ଚୟ

କହିବା କଠିନ କୁମୁଦେ ଚାହିଁ ।

କୁମୁଦ-ବଲ୍ଲଭ ଅସ୍ତଗିରି-ଗତ

କମ୍‍ଳିନୀ-ପତି ଏବେ ପୁରୋଗତ

ବୋଲେ କମ୍‍ଳିନୀ, ଘୋଷଇ ଜଗତ

କୁମୁଦର ଲାଜ ତଥାପି କାହିଁ ।

(ଶରତ)

 

ସେହିପରି କୋମଳମତି ଶିଶୁ ଅନ୍ତରକୁ ସ୍ପର୍ଶ କଲାଭଳି ପ୍ରକୃତି ଚିତ୍ରଣ, ଉପମାଦିର ପ୍ରୟୋଗ ନାଟକୀୟ ଶୈଳୀ ପ୍ରୟୋଗ ଚନ୍ଦ୍ରମୋହନଙ୍କୁ ଯଥାର୍ଥରେ ଶିଶୁ ସଚେତନ କବି ଭାବରେ ମଧ୍ୟ ପ୍ରତିଷ୍ଠିତ କରାଇଛି । ‘କଥାବଳି’ର ପଦ୍ୟାଂଶ ଭାଗରେ ସଂଯୋଜିତ କବିତାଗୁଡ଼ିକ ଏହି ଦୃଷ୍ଟିରୁ ଗୁରୁତ୍ୱ ବହନ କରିଛି । ଶିଶୁମାନଙ୍କୁ ଶିକ୍ଷାଦେବା ଛଳରେ ସେମାନଙ୍କ ଶୃଙ୍ଖଳାଜ୍ଞାନ, ପରୋପକାରିତା, କର୍ମପରାୟଣତା, ସମୟାନୁବର୍ତ୍ତିତା ଏବଂ ନୈତିକ ବିକାଶ ଉପରେ ଆଲୋକପାତ କରିଛନ୍ତି କବି । ପ୍ରକୃତିର ବର୍ଣ୍ଣନାରେ ମଧ୍ୟ ଶିଶୁ ଅବବୋଧର ସରଳ ଶବ୍ଦଚିତ୍ର ଅଙ୍କିତ କରିଛନ୍ତି । ‘କଥାବଳି’ର ପଦ୍ୟାବଳୀରେ ଚନ୍ଦ୍ରମୋହନଙ୍କ କବି ହୃଦୟର ନିର୍ମଳ ପରିପ୍ରକାଶ ଘଟିଛି । ଛ’ ଋତୁ ବର୍ଣ୍ଣନାରେ ପାର୍ଥିବ ପ୍ରକୃତିର ଅନିନ୍ଦ୍ୟ ରୂପ ସୁଷମା ବିଳସି ଉଠିଛି । ପ୍ରତ୍ୟେକଟି ଋତୁ କିପରି ପ୍ରାଣୀ ଓ ଉଦ୍ଭିଦ ଜଗତ ମଧ୍ୟରେ ପ୍ରଭାବ ବିସ୍ତାର କରିଥାଏ, ତା’ର ବାସ୍ତବଚିତ୍ର ଅଙ୍କନ କରିଛନ୍ତି । କବିତାଗୁଡ଼ିକ ଯେପରି ପ୍ରାଣସ୍ପର୍ଶୀ, ସେହିଭଳି ଭାବୋଦ୍ୟକ । ଛ’ଋତୁର ପ୍ରାକୃତିକ ସମ୍ପଦ ଫୁଲ-ଫଳ, ନଦୀ-ଝରଣା, ଗିରି-ବନ, କାନନ-କାନ୍ତାରର ରୂପଚିତ୍ର ଶିଶୁପ୍ରାଣକୁ ମୁଗ୍ଧ କରିଥାଏ । ବିଭିନ୍ନ ଋତୁରେ ପ୍ରଭାତ, ପ୍ରଦୋଷ, ମଧ୍ୟାହ୍ନ, ରାତ୍ରି, ଆକାଶ, ଅନ୍ତରୀକ୍ଷର ଶ୍ରୀଶୋଭା ଶିଶୁ ଅନ୍ତରରେ ଅପୂର୍ବ ଭାବନା ସୃଷ୍ଟି କରିଥାଏ ।”

 

(ଭୂମିକା: ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ସମ୍ପାଦନା-ଡକ୍ଟର ଅରବିନ୍ଦ ଗିରି, ଓଡ଼ିଶା ସାହିତ୍ୟ ଏକାଡେମୀ)

 

ପ୍ରକୃତିକୁ ଏକ ନାରୀଭାବରେ କଳ୍ପନା କରି ବିବିଧ ଋତୁରେ ତା’ର ଆଳଙ୍କରିକ ବର୍ଣ୍ଣନା ଦେଇଛନ୍ତି କବି ଚନ୍ଦ୍ରମୋହନ । ଏହି କ୍ଷେତ୍ରରେ ସେ ଗଙ୍ଗାଧରୀୟ ପ୍ରତିଭାର ସମକକ୍ଷ ହୋଇପାରିଛନ୍ତି । ଆଧୁନିକ ଯୁଗର ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ପରି ଚନ୍ଦ୍ରମୋହନଙ୍କ ପ୍ରକୃତି ବର୍ଣ୍ଣନା ମଧ୍ୟ ହୃଦୟସ୍ପର୍ଶୀ ହୋଇଛି । ଶୀତଋତୁର ବର୍ଣ୍ଣନାକୁ ଲକ୍ଷ୍ୟକଲେ ଏକଥା ସ୍ପଷ୍ଟ ବୁଝିହେବ । ଚମତ୍କାର ଉପମା ମାଧ୍ୟମରେ ଏକ ରୂପକଳ୍ପ ନିର୍ମାଣ କରିଛନ୍ତି କବି ‘ଶିଶିର’ କବିତାରେ । ଏହି କବିତାରେ ଶିଶିର ଝରା ରାତିକୁ ଏକ ଶ୍ୱେତ ଭସ୍ମ ପ୍ରଲେପିତା ତପସ୍ୱିନୀ ସହିତ ତୁଳନା କରିଛନ୍ତି ଏବଂ ପଦ୍ମବନର ଜରାଜୀର୍ଣ୍ଣ ଅବସ୍ଥାକୁ ବିଧବାନାରୀର ଭୂଷଣବିହୀନ ଶ୍ରୀହୀନ ଅବସ୍ଥା ସହିତ ତୁଳନା କରିଛନ୍ତି-

 

“ଶିଶିରେ ଦିବସ ହେଲା ଅତି କୃଶ

 

ଅତିବଡ଼ ନିଶା ହୋଇଲା

ଗୋଧୂଳି ଯେହୁଣୁ କୋଟି ହିମରେଣୁ

 

ଧରଣୀରୁ ତାପ ହାରିଲା ।

ନିଶାରେ, ଅଜସ୍ର ତୁଷାର ବର୍ଷିଲା;

 

ଧଳା ଭସ୍ମବୋଳା ତପସ୍ୱୀ ମହିଳା”

 

 

ପରାଏ ଯାମିନୀ ଦିଶିଲା ।-

କମଳିନୀ ବନ ଲଭିଲା ନିଧନ

 

ଶିଶିର ପରଶେ ପୋଡ଼ିଣ

ଦିଶେ ହତଶିରୀ ସରସୀ, ଯେପରି

 

ବିଧବା ଭୂଷଣ ବିହୀନ

ଏକାଳେ, ବିପିନେ ଅଶୋଭା ହୋଇଲା,

 

କେତେକେତେ ତରୁ ଲତାର ଅଙ୍ଗରୁ

 

 

ପକ୍ୱ ପତ୍ରରାଶି ଝଡ଼ିଲା ।”

 

କାବ୍ୟଶାସ୍ତ୍ରମାନଙ୍କରେ ଉପଦେଶ ଦେବାର ଯେଉଁ ବିଧି ପ୍ରଚଳିତ ଥିବ, ତାହାର ମଧ୍ୟ ଅନୁସରଣ କରିଛନ୍ତି କବି ଚନ୍ଦ୍ରମୋହନ । ପ୍ରସଙ୍ଗ ବର୍ଣ୍ଣନା କ୍ରମରେ ଶିକ୍ଷା ଓ ଉପଦେଶ ପ୍ରଦାନ ଆଧୁନିକ କବିମାନଙ୍କର ହୋଇଛି ସହଜାତ ଗୁଣ । ଏହି କାଳରେ ଚନ୍ଦ୍ରମୋହନ କିପରି ବାଦ୍ ପଡ଼ିବେ ? ସମକାଳର କବିସୂରୀଙ୍କ ନ୍ୟାୟରେ ସେ ମଧ୍ୟ ଆପଣାର କବିତାରେ ଶିକ୍ଷାଧର୍ମୀ ଆଲେଖ୍ୟ ବାଢ଼ିଛନ୍ତି । ନଶ୍ୱର ଜଗତରେ ସୁଖ ଝଟିକା ପ୍ରାୟ । ଏହାକୁ ବର୍ଣ୍ଣନା କରିଛନ୍ତି କବି-

 

“ଧରଣୀ ମଣ୍ଡଳେ କିଏ ? ଅଲଂଘ୍ୟ ନିୟତି

ନ ସହି ଜଗତେ କାହିଁ ମାନବର ଗତି ?

ଯେଇଛେ ସମ୍ପଦ-ଭୋଗ, ସହିବ ଆପଦ

ତେବେ ହେ ଧରଣୀବାସୀ, ଭଜ ତାଙ୍କ ପଦ ।

ଅସ୍ଥିର ନିୟତି ଚକ୍ର ଯାହା ଆଦେଶରେ

ଅବିରତ ଘୁରୁଅଛି, ବିଶୁଦ୍ଧ ସୁଖରେ ।

ଯଦି ଥାଏ ଅଭିଳାଷ; ଅଚିରାଂଶୁ ପ୍ରଭ

ଜନ-ମନୋ-ମୋହକର ବିପୁଳ ବିଭବ ।

ଅଚିରାଂଶୁ ଅନୁଗାମୀ-ସାନ୍ଦ୍ରୋ-ତମୋ-ନିଭ

ସୁଖ-ଅନୁଗାମୀ ଦୁଃଖେ, ସମାନ ଦିଶିବ ।”

(ଝିଟିକା)

 

ଅଳିକ ସଂସାରର କ୍ଷଣସୁଖଦାୟୀ ମୋହରେ ମଣିଷ ପତିତ ହୁଏ । ମାତ୍ର ଅଳ୍ପଦିନ ଲାଗି ମର୍ତ୍ତ୍ୟମଣ୍ଡଳରେ ବାସ ପାଇଁ ଅବତରି ଥିବା ମଣିଷ ଗର୍ବ, ଅଭିମାନ ତ୍ୟାଗ କରିବା ଉଚିତ ବୋଲି କବି ଶିକ୍ଷାତ୍ମକ ଉଦାହରଣ ମାଧ୍ୟମରେ ବ୍ୟକ୍ତି କରିଅଛନ୍ତି-

 

“ସୁମନ-ନିଚୟ ଉଦ୍ଭିଦ-ରତନ,

ଅଳଙ୍କାର ଜନେ ଭୂଷଇ ଯେସନ

ଲତା ବୃକ୍ଷେ ତଥା କରଇ ମଣ୍ଡନ

କିନ୍ତୁ ହାୟ ଏହା କେତେ ଦିନକୁ!

ଦିବସରୁ ଯେବେ ଦ୍ୱିତୀୟ ହୁଅଇ

ତରୁ କଳେବର ପୁଣି ନ ମଣ୍ଡଇ;

ସକଳ ଏସନ କ୍ଷଣିକ ଅଟଇ

ତ୍ୟଜ ତ୍ୟଜ ମନୁ ବିଜ୍ଞେ! ଗର୍ବକୁ ।”

(ବସନ୍ତ-ନବୋଦ୍ୟମ)

 

କବିତାର ଗଠନ ଶିଳ୍ପ ଓ ବର୍ଣ୍ଣନା ବିଳାସରେ ଯେପରି ନୂତନତା ପ୍ରଦର୍ଶନ କିରଛନ୍ତି କବି ଚନ୍ଦ୍ରମୋହନ, ସେହିପରି ଭାଷାବିନ୍ୟାସ, ଆଳଙ୍କାରିକ ପ୍ରୟୋଗ ମଧ୍ୟ ସମାନୁପାତରେ ନବସ୍ୱାଦ ଦାନ କରିଅଛି । ଆଧୁନିକ ଯୁଗୀୟ କବିଙ୍କ ପ୍ରଚ୍ଛନ୍ନ ପ୍ରଭାବ ବିଶେଷ କରି ରାଧାନାଥୀୟ ଶୈଳୀ ଓ ଶବ୍ଦ ବିନ୍ୟାସର ଅଟୋପ ମଧ୍ୟ ଚନ୍ଦ୍ରମୋହନଙ୍କଠାରେ ଲକ୍ଷିତ ହୋଇଛି । ଯଥା-

 

“ତୋ ବକ୍ଷରେ, ହେ ବାରିଧେ! ନୀର ବିନ୍ଧୁ ସମ

ପଡ଼ଇ କ୍ଷଣିକେ ଖସି, କୌଶଳେ ଅସମ ।

ମାନବ; ବୁଦ୍‌ବୁଦ୍ ଶବ୍ଦେ ଆର୍ତ୍ତନାଦ କ୍ଷଣେ,

ସପଦି ତୋ ଗର୍ଭଗତ; ଜ୍ଞାତେ ପରିଜନେ ।”

x x x

“ଧରା ଧ୍ୱଂସୀ ବଳ ତା’ର ମଣୁ ତୁହି ଛାର

ଉତକ୍ଷେପି ତୋ କୋଳୁ ହାୟ, ବୃଥା ଅହଂକାର ।

କମ୍ପେ, ଆର୍ତ୍ତନାଦେ ଉଚ୍ଚୈ, ତରଙ୍ଗ-ଜାଲରେ,

ସ୍ମରେ ଇଷ୍ଟଦେବ-ତାକୁ ଦୂର-ପୁଳିନରେ ।

ଗୁରୁବେଗେ ପ୍ରହାରୁ ତୁ ତା ଶିରଃ ତଟରେ;

ରହଇ ଦୁର୍ଭାଗ୍ୟ ପଡ଼ି ଶବ ବିଜନରେ

ଭୀମାକାର ରଣ -ତରି ବର୍ଷି ବଜ୍ରାନଳ

ପ୍ରସ୍ତର-ନିର୍ମିତ ପୁର କରେ ସମତଳ ।

କମ୍ପାଏ ମାନବ ଛାତି କମ୍ପେ ନରପତି

ତୁଙ୍ଗ ସିଂହାସନେ, କାଷ୍ଠ ତିମିଙ୍ଗିଳ ପଂକ୍ତି ।”

(ସମୁଦ୍ର ପ୍ରତି)

 

ଆଳଙ୍କାରିକ (ଉପମା) ବର୍ଣ୍ଣନା ମଧ୍ୟ ବେଶ ଚମତ୍କାର ହୋଇଛି କବିଙ୍କ ଲେଖନୀରେ-

 

“ବାରିଧି-ଲହରୀ ଯଥା ପାରାବାରେ

ଯଥା ନଦୀ-ଚୟ ବରଷା-କାଳରେ

କେଦାର-ନିଚୟ ଯଥା ଶରଦରେ

ତଥା ଜୀବକୁଳ-ନନ୍ଦା,ଲହରୀ ।” (ବସନ୍ତ)

 

ସାଧୁଶବ୍ଦ ବ୍ୟବହାର ମଧ୍ୟରେ ସମାସଧର୍ମୀ ପଦ ବ୍ୟବହାରର ଚମତ୍କାରିତାକୁ ଅନୁଭବ କରାହୁଏ ଚନ୍ଦ୍ରମୋହନଙ୍କ କବିତାମାନଙ୍କରେ । ରାଧାନାଥ ବର୍ଣ୍ଣନାର ପ୍ରଭାବ ଏବଂ ଶାବ୍ଦିକା ଅନୁଷଙ୍ଗ କବିଙ୍କ ରଚନାରେ ସର୍ବତ୍ର ପ୍ରସାରିତ । ଆଧୁନିକ ଯୁଗର ଏହି କବି ତେଣୁ ସମକାଳରେ ବୈତାଳିକ କବିଭାବରେ ଅଧିକ ଆଲୋଚିତ ହେବାର ଅପେକ୍ଷା ରଖିଅଛନ୍ତି । ସେହି ଶାବ୍ଦିକ ବର୍ଣ୍ଣନାର ଏକ ମୁଗ୍ଧ-ବିଭୋର ପଙ୍‌କ୍ତିକୁ ତାଙ୍କ ‘ବିଦେଶରୁ ସ୍ୱଗୃହାଭିମୁଖରେ ବାଲେଶ୍ୱର ପ୍ରତ୍ୟାଗମନ କାଳରେ କୌଣସି ସମୁଦ୍ରପୋତରେ ଦୁଇ ସହୋଦର ବିନାଶ’ କବିତାରେ ଲକ୍ଷ୍ୟ କରାଯାଉ-

 

“ଅମଳ-ଶଶାଙ୍କ-ହୀନ; ନାହିଁ ତାରାବଳୀ

ଘରଟ୍ଟ-ଘର୍ଘରୀ, ଘୋର ଘନ-ଘଟା ଘୋଟି

ଆଚ୍ଛାଦିଛି ଚତୁର୍ଦ୍ଦିଗ, କୃଷ୍ଣ-ପଟ୍ଟ-କୋଟି

ଯେହ୍ନେ ଆବରିଛି ନଭଃ; ଭୀମ-ପରାକ୍ରମ

ଭୟଙ୍କର ରବ ଛାଡ଼ି ବହେ ବାତ୍ୟାକ୍ରମ ।

ପ୍ରଳୟ-କରାଳ-ଚଣ୍ଡ-ଝଞ୍ଜା-ପରାହତ

ପୋତ-ରୋଦ୍ଧା-ବନ୍ଧ ରଜ୍ଜୁ ଛିଣ୍ଡାଇଲା ପୋତ ।”

 

ଚନ୍ଦ୍ରମୋହନ ମହାରଣା ଆଧୁନିକ କାଳରେ ଜଣେ ଯଥାର୍ଥ ସାହିତ୍ୟିକ । ଓଡ଼ିଆ ଭାଷାର ଓ ଜାତୀୟ ଜୀବନର ସଂକଟକାଳରେ ତାଙ୍କର ଜନ୍ମ । ଶିକ୍ଷକତା ଜୀବନରେ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ଅଭାବ ଦେଖି ବ୍ୟାକରଣ, କବିତା, ପ୍ରବନ୍ଧ ରଚନା କରିଥିଲେ । ଓଡ଼ିଶାର ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ର ସହକାରୀ ସଭାପତି ଭାବରେ କାର୍ଯ୍ୟକରି ଅଛନ୍ତି । ଓଡ଼ିଆ ଭାଷା-ସାହିତ୍ୟର ଉନ୍ନତି ପାଇଁ ବିଶ୍ୱନାଥ କର ଯେଉଁ ‘ଉତ୍କଳ ସାହିତ୍ୟ’ ପତ୍ରିକାର ପରିକଳ୍ପନା କରିଥିଲେ । ଏଥିସହିତ ତତ୍‌କାଳୀ ପ୍ରସିଦ୍ଧ, କବି ଓ ସାହିତ୍ୟିକମାନେ ଚନ୍ଦ୍ରମୋହନଙ୍କଠାରୁ ନିଜ ରଚନା ସମ୍ପର୍କରେ ଅଭିମତ ପାଇବା ପାଇଁ ଆଗ୍ରହ କରୁଥିଲେ । ଚନ୍ଦ୍ରମୋହନଙ୍କ ସମୀକ୍ଷାରେ ସେମାନଙ୍କୁ କାବ୍ୟ ସନ୍ତୁଷ୍ଟି ମିଳୁଥିଲା । “ପ୍ରବନ୍ଧ ସାହିତ୍ୟ ବ୍ୟତୀତ ଚନ୍ଦ୍ରମୋହନ ଏକାଧିକ ପୁସ୍ତକ ସମୀକ୍ଷା ମଧ୍ୟ କରିଥିଲେ । ପୁସ୍ତକ ରଚୟିତାମାନଙ୍କ ଦ୍ୱାରା ଅନୁରୁଦ୍ଧ ହୋଇ ସେ ପୁସ୍ତକଗୁଡ଼ିକ ସମୀକ୍ଷା କରିଥିଲେ । ତା’ଛଡ଼ା ତତ୍‌କାଳୀନ ସମାଜରେ ଚନ୍ଦ୍ରମୋହନଙ୍କ ଭଳି ସୁଦକ୍ଷ ଶିକ୍ଷକ ଓ ପ୍ରବୀଣ ସାହିତ୍ୟିକ ଭାବରେ ଯେଉଁ ସୁନାମ ଥିଲା, ପୁସ୍ତକ ରଚୟିତାମାନେ ସେମାନଙ୍କ ରଚିତ ପୁସ୍ତକ ବିଷୟରେ ଚନ୍ଦ୍ରମୋହନଙ୍କଠାରୁ ଅଭିମତ ପାଇବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଫଳରେ ପୁସ୍ତକ ରଚୟିତାମାନଙ୍କ ପାଇଁ ଏକ ବଳିଷ୍ଠ ସ୍ୱୀକୃତି ମିଳିପାରୁଥିଲା ।”

(ଭୂମିକା-ଚନ୍ଦ୍ରମୋହନ ଗ୍ରନ୍ଥାବଳୀ-ସମ୍ପାଦନା, ଅରବିନ୍ଦ ଗିରି, ଓଡ଼ିଶା ସାହିତ୍ୟ ଏକାଡେମୀ) ।

 

କବି ଭାବରେ ଯେତିକି ପରିଚିତ ତଥା ପ୍ରତିଭାର ଅଧିକାରୀ; କାବ୍ୟ ସମୀକ୍ଷକ ଭାବରେ ସେହିପରି କୁଶଳୀ ଓ ସିଦ୍ଧହସ୍ତ ଚନ୍ଦ୍ରମୋହନ । କବି ଦାମୋଦର ମିଶ୍ରଙ୍କ ଐତିହାସିକ କାବ୍ୟ ‘ଦୁର୍ଗାବତୀ’ର ଦୀର୍ଘ ସମାଲୋଚନା ସେ ବାମଣ୍ଡାରୁ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ ସପ୍ତାହିକ ପତ୍ରିକାରେ (୧୧ ଏପ୍ରିଲ ୧୮୯୪ ଏବଂ ୧୮ ଏପ୍ରିଲ ୧୮୯୪ ଦୁଇଟି ସଂଖ୍ୟାରେ) ପ୍ରକାଶ କରି କବି ଓ ତାଙ୍କ ଜାତୀୟବାଦୀ ଆଭିମୁଖ୍ୟ ସମ୍ପର୍କରେ ଚର୍ଚ୍ଚା କରିଥିଲେ । ସେହିପରି କବିଙ୍କର ରାଧାନାଥ ରାୟଙ୍କର ‘କେଦାରଗୌରୀ’ କାବ୍ୟ ଏବଂ ତାଙ୍କ କବି ପ୍ରତିଭା ସମ୍ପର୍କରେ ଚନ୍ଦ୍ରମୋହନ ୧୮୮୭ ମସିହାରେ ‘ସଂସ୍କାରକ’ ପତ୍ରିକାରେ ଏକ ଆଲୋଚନା ପ୍ରକାଶ କରିଥିଲେ । ସ୍ୱଭାବ କବି ଗଙ୍ଗାଧର ମେହେର ‘କବିତାକଲ୍ଲୋଳ’ ପୁସ୍ତକ ପାଇଁ ଚନ୍ଦ୍ରମୋହନଙ୍କ ଅଭିମତ ଲୋଡ଼ିବା ବାସ୍ତବରେ ତାଙ୍କ ସମୀକ୍ଷକ ପ୍ରାଣର ପରିଚୟକୁ ଦ୍ୟୋତିତ କରିଛି । ଗଙ୍ଗାଧରଙ୍କୁ ଲିଖିତ ଏକ ପତ୍ରରେ ସେ ଏହାର ସୂଚନା ଦେଇଅଛନ୍ତି- “ପ୍ରିୟ ଗଙ୍ଗାଧର ବାବୁ, ଆପଣଙ୍କ ‘କବିତା କଲ୍ଲୋଳ’ ଖଣ୍ଡିକ ପାଇ ଅତିଶୟ” ଆନନ୍ଦିତ ହେଲି । ମୁଁ ଆପଣଙ୍କ କବିତାମୃତର ନୂତନ ଆସ୍ୱାଦକ ନୁହେଁ । ସୁତରାଂ ମୋ ପକ୍ଷରେ କବିତ୍ୱର ମୂଲ୍ୟ ନିରୂପଣ କବିତା ପାଠର ଉଦ୍ଦେଶ୍ୟ ନୁହେଁ । ‘ଇନ୍ଦୁମତୀ’ ଓ ‘କୀଚକବଧ’ର ପ୍ରଣେତାଙ୍କର ଗତିମାର୍ଗ ପର୍ଯ୍ୟବେକ୍ଷଣ ହିଁ ମୋହର ପାଠର ଉଦ୍ଦେଶ୍ୟ ।”

(ଚନ୍ଦ୍ରମହୋନ ଗ୍ରନ୍ଥାବଳୀ, ପୃଷ୍ଠା- ୪୫୨)

 

ଆଧୁନିକ ଯୁଗର ବୈତାଳିକ କବି ଭାବରେ ଚନ୍ଦ୍ରମୋହନ ମହାରଣାଙ୍କ ପରିଚୟ ଅନନ୍ୟ । ଓଡ଼ିଆ ସାହିତ୍ୟର ସକଳ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି । ସିଦ୍ଧି ମଧ୍ୟ ଲାଭ କରିଛନ୍ତି । ଆଧୁନିକ କବିଗଣଙ୍କ ସମକକ୍ଷ ହୋଇ ଅପୂର୍ବ ସାରସ୍ୱତ ସାଧନାରେ ବ୍ରତୀ ହୋଇଛନ୍ତି । ଫକୀରମୋହନ, ଗଙ୍ଗାଧର, ରାଧାନାଥ, ନନ୍ଦକିଶୋର, ମଧୁସୂଦନ ଆଦିଙ୍କ ସହିତ ପ୍ରତ୍ୟେକ୍ଷ ସମ୍ପର୍କ ଓ ଅନୁଭୂତି ମଧ୍ୟ ତାଙ୍କୁ ସାହିତ୍ୟ ସର୍ଜନାରେ ଅନୁପ୍ରେରିତ କରିଛି । ଏହି ମହନୀୟ କବିମାନଙ୍କ ସହିତ ଏକାଧାରରେ ସେ ମଧ୍ୟ ନିଜ କୃତିତ୍ୱର ପରିଚୟ ଦେଇଛନ୍ତି । କାବ୍ୟ କବିତା, ପ୍ରବନ୍ଧ, ସମାଲୋଚନା, ଶିଶୁ ସାହିତ୍ୟ, ବ୍ୟାକରଣ, ରଚନାଶିକ୍ଷା, ପାଠ୍ୟପୁସ୍ତକ ରଚନା କରିଅଛନ୍ତି । ବହୁ ସଂସ୍କୃତି ସମ୍ପନ୍ନ ସାରସ୍ୱତ ଅନୁଷ୍ଠାନରେ ପଦବୀ ମଣ୍ଡନ କରିଛନ୍ତି, ପତ୍ରପତ୍ରିକାରେ ଲେଖା ପ୍ରକାଶ କରିଛନ୍ତି । ଏଥି ସହିତ ରାଜନ୍ୟବର୍ଗ ପ୍ରତିଷ୍ଠିତ ସାହିତ୍ୟ ସାଧକଙ୍କ ସହ ସମ୍ପର୍କ ସ୍ଥାପନ କରି ନିଜର ସାହିତ୍ୟ ଧରଣୀକୁ ପ୍ରଶସ୍ତ କରିଛନ୍ତି । ଆଦର୍ଶ ଶିକ୍ଷକ ଭାବରେ ବହୁ କୃତିବାନ ଛାତ୍ର ସୃଷ୍ଟି କରିଛନ୍ତି, ଯେଉଁମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିବାରେ ସହାୟକ ହୋଇଛନ୍ତି । ଜଣେ ସର୍ଜନପ୍ରାଣ ଆଧୁନିକ କବି ଭାବରେ ଚନ୍ଦ୍ରମୋହନଙ୍କ ପରିଚିତ କିନ୍ତୁ ଭିନ୍ନ ଓ ଅସାଧାରଣ । ଓଡ଼ିଆ ସାହିତ୍ୟରେ ତାଙ୍କ ପ୍ରତିଭାର ଯଥାର୍ଥ ମୂଲ୍ୟାୟନ ହୋଇନପାରିବା ପରିତାପ କଥା । ମାତ୍ର ବିଳମ୍ବରେ ହେଲେହେଁ ଗବେଷକ ଡକ୍ଟର ଅରବିନ୍ଦ ଗିରି ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ‘ଚନ୍ଦ୍ରମୋହନ ଗ୍ରନ୍ଥାବଳୀ’ (ଦ୍ୱିତୀୟ ସଂସ୍କରଣ ୨୦୧୭) ପ୍ରକାଶ କରି ତାଙ୍କ ସାହିତ୍ୟ ଓ ସାହିତ୍ୟିକ ପ୍ରତିଷ୍ଠାକୁ ଯଥାମାନ୍ୟ ଦେଇଅଛନ୍ତି । ଅନ୍ୟ ପ୍ରତିଷ୍ଠିତ ଆଧୁନିକ ଯୁଗୀୟ କବିମାନଙ୍କ ମଧ୍ୟରେ ଚନ୍ଦ୍ରମୋହନ ଜଣେ ପ୍ରତିଭା ସମ୍ପନ୍ନ କାବ୍ୟକାର । ତାଙ୍କ ସମସ୍ତ କାବ୍ୟକବିତା ମଧ୍ୟରୁ ଏହି ଅବବୋଧକୁ ହୃଦୟଙ୍ଗମ କରିହୁଏ । ତେଣୁ, ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ଚନ୍ଦ୍ରମୋହନ ମହାରଣାଙ୍କୁ ବୈତାଳିକ କବି ଭାବରେ ସ୍ୱୀକାର କରାଯାଇପାରେ ।

 

ସହକାରୀ ପ୍ରଫେସର

ଭାଷା ବିଭାଗ ସମୂହ,

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, କେନ୍ଦୁଝର କ୍ୟାମ୍ପସ

-୦-

 

Unknown

ଚନ୍ଦ୍ରବିଧୌତ ଜ୍ୟୋତ୍ସ୍ନାରେ ପ୍ରକୃତି

ଡକ୍ଟର ହେମଲତା ବେହେରା

 

ଯୁଗେ ଯୁଗେ ପ୍ରକୃତିର ରମ୍ୟ, ମନଲୋଭା ରୂପକାନ୍ତି ପ୍ରକୃତିପ୍ରେମୀ, ବିଦଗ୍ଧ କବି, ଭାବୁକ, ଦାର୍ଶନିକମାନଙ୍କୁ ଶିହରିତ ଓ ପୁଲକିତ କରି ଆସିଛି । ଯେମିତି ଚନ୍ଦ୍ରର କୋମଳ ଜ୍ୟୋତ୍ସ୍ନା ସମସ୍ତଙ୍କୁ ଆହ୍ଲାଦିତ କରି ଆସିଛି, ଯେମିତି କୋଇଲିର ମନ୍ଦ୍ରମଧୁର କୁହୁତାନ ସମସ୍ତଙ୍କୁ ମତୁଆଲା କରି ଆସିଛି । ସେମିତି ଓଡ଼ିଆ ସାହିତ୍ୟକାଶର ଚନ୍ଦ୍ର ବିଚକ୍ଷଣ ବୁଦ୍ଧିଜୀବୀସମ୍ପନ୍ନ ସୁ-ସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ ଜ୍ୟୋତ୍ସ୍ନାଭଳି ଝଲସି ଉଠୁଥିବା ଅମରକୃତିଗୁଡ଼ିକ ଓଡ଼ିଶାର ସାହିତ୍ୟିକ ଦିଗ୍‌ବଳୟକୁ ଓ ସାହିତ୍ୟିକମାନଙ୍କ ଅର୍ନ୍ତଃ ଓ ବର୍ହି ଚେତନାକୁ ଉଲ୍ଲସିତ ଓ ଚିନ୍ତାଶୀଳ କରିଆସିଛି । ଚନ୍ଦ୍ରମୋହନଙ୍କ ସୃଷ୍ଟିଗୁଡ଼ିକ କେବଳ ଯେ ସାହିତ୍ୟିକମାନଙ୍କ ଅର୍ନ୍ତଃ ଓ ବର୍ହି ଚେତନାକୁ ପୁଲକିତ ଓ ଭାବନାଗ୍ରସ୍ତ କରିଛି ତାହା ନୁହେଁ; ତାଙ୍କ କାବ୍ୟ କବିତାରେ ମଧ୍ୟ ରୂପସୀ ପ୍ରକୃତିକୁ ଭିନ୍ନ ଭାବରେ ଅବଲୋକନ କରିବାର ନିଆରା ଆସ୍ପର୍ଦ୍ଧା ତିଆରି ହୋଇପାରିଛି ।

 

ଯେଉଁ ସମୟରେ ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା କ୍ରମଶଃ ବିଲୋପ ହେବାକୁ ବସିଥିଲା; ସେ ସମୟରେ ଭାଷା ସାହିତ୍ୟର ସୁରକ୍ଷା ଓ ଉନ୍ନତି କଳ୍ପେ ଯେଉଁ କେତେଜଣ ଚିନ୍ତାନାୟକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମଙ୍ଗ ଧରିଥିଲେ ଓ ସେଥିପାଇଁ ଉତ୍ସର୍ଗୀକୃତ ଜୀବନ ଜୀଇଁଥିଲେ, ତନ୍ମଧ୍ୟରୁ ଚନ୍ଦ୍ରମୋହନ ଥିଲେ ଅନ୍ୟତମ । ସାହିତ୍ୟର ସବୁଦିଗକୁ ଖୁବ୍ ଚତୁରତାର ସହ ସନ୍ତର୍ପିତ ଭଙ୍ଗୀ ଥିଲା ସ୍ୱତନ୍ତ୍ର ଓ ଅସାଧାରଣ । ବିଶେଷ କରି ପ୍ରକୃତି ପ୍ରତି ତାଙ୍କର ଅନାବିଳ ମମତ୍ୱବୋଧ ତାଙ୍କର ଅଧିକାଂଶ କାବ୍ୟ କବିତାରେ ଝଙ୍କୃତ ହୋଇଉଠିଛି । ପ୍ରକୃତି ପ୍ରେମରେ ତଲ୍ଲୀନ ଏକ ସଭାର ଆକୁଳିତ ବ୍ୟାକୁଳିତ ପ୍ରାଣର ନିର୍ଭେଜାଲ କଥା ତାଙ୍କର ଅଧିକାଂଶ କାବ୍ୟ କବିତାରେ ସୁସ୍ପଷ୍ଟ । ‘ନିୟତି ପ୍ରତି’, ସମୁଦ୍ର ପ୍ରତି, ମଳୟାନିଳ ପ୍ରତି, ଶରଦୁଷା ପ୍ରାକ୍‌କାଳ, ପର୍ବତ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶିଶିର, ବସନ୍ତ, ନିଦାଘମଧ୍ୟାହ୍ନ, ହଳଦୀବସନ୍ତ, ପ୍ରଭାତ, ସନ୍ଧ୍ୟା, ଦୁର୍ବାଦଳ, ମେଘ, ଚନ୍ଦ୍ର, ଖଣ୍ଡଗିରି, କପିଳାସ, ଯୋବରାର ଆନିକଟ୍‌ର ଜଳପ୍ରପାତ ଦର୍ଶନେ ଆଦି କବିତାଗୁଡ଼ିକରୁ କବିଙ୍କର ପ୍ରକୃତି ପ୍ରୀତିକୁ ଅକ୍ଳେଶରେ ଅନୁଭବ କରାଯାଇପାରେ । ପ୍ରକୃତିର ରମ୍ୟ ଚାରୁକାନ୍ତିକୁ ଦେଖି ତାଙ୍କ ଅମୃତହସ୍ତରୁ ଝରିଆସିଛି ବାକ୍‌ରୁଦ୍ଧ ମରମୀ ମନତଳର ନିରୁତା କଥା ।

 

“ପ୍ରକୃତିର ଶୋଭା କିବା ମନୋହର!

ଦେଖ ଚଉଦିଗେ ସର୍ବ ତରୁବର

ହରିତ ଲୋହିତ ପୀତ ବରନର

କୋମଳ ପରନେ ରୁଚିର ଦିଶେ ।”

(ନବ୍ୟୋଦମ-ବସନ୍ତ)

 

ପୁନଶ୍ଚ

 

“କେତେ କମନୀୟ ଶୋଭା ପ୍ରକୃତି ଧରିଛି

ପକ୍ଷୀ କଣ୍ଠୁ ବଳି ତାର ମାଧୁରୀ କାହିଁଛି ?

ପିପାସୁ ପାଇଲା ଯହୁଁ ଏ ପୀୟୂଷ ରସ

ଅଧିକ ପିପାସା-ପାଶେ ପଡ଼ିଲା ମାନସ ।

ଶ୍ୟାମବାଟୀ -ପରିବୃତା ପ୍ରକୃତି- ସୁନ୍ଦରୀ

ଚଉପାଶେ ତରୁରାଜି ଯେସନ ପ୍ରହରୀ ।” (ପୃ-୭୯)

 

ପ୍ରକୃତିର ମନଲୋଭା ଶୋଭା କବିକୁ ମୁଗ୍ଧ କରିଥିବାବେଳେ ସାୟଂକାଳୀନ ଶ୍ୟାମଶାଟୀ ପରିବୃତା ପ୍ରକୃତି ଆହୁରି କମନୀୟ ଲାଗିଛନ୍ତି । ଚାରିପଟେ ବଳୟ ଆକାରରେ ଘେରି ରହିଥିବା ବୃକ୍ଷରାଜି କବିଙ୍କୁ ସୁନ୍ଦରୀ ପ୍ରକୃତିକୁ ସଦାସର୍ବଦା ଜଗି ରହିଥିବା ଅଙ୍ଗରକ୍ଷୀ ସଦା ଜାଗ୍ରତ ପ୍ରହରୀ ପରି ମନେ ହୋଇଛନ୍ତି । ପୃଥିବୀକୁ ଓ ପ୍ରକୃତିକୁ କିଏ ଯେମିତି ଶ୍ୟାମ ଉତ୍ତରୀୟଟିଏ ଢାଙ୍କି ହୋଇଛି ବୋଲି ପ୍ରତୀୟମାନ ହୋଇଛି । ପ୍ରକୃତିର ଚାରୁ ମନଲୋଭା ରୂପକାନ୍ତିଙ୍କୁ ଆହୁରି ଆକର୍ଷଣୀୟ କରି ଗଢ଼ି ତୋଳିଛି ସ୍ୱର୍ଣ୍ଣାଭ ସକାଳର ଦୃଶ୍ୟ, ଗୋଧୂଳି ସନ୍ଧ୍ୟାର ସମ୍ମୋହନୀ ରୂପ, ଆକାଶରେ ଭସାଭସା ମେଘଖଣ୍ଡ, ଶାରଦୀୟ ଆକାଶ, କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ, ଗୋଠ ଫେରନ୍ତା ବତ୍ସା ସହ ଗାଭୀମାନଙ୍କ ଦୃଶ୍ୟ, ନୀଡ଼ ଫେରନ୍ତା ଗୋଷ୍ଠୀବଦ୍ଧ ପକ୍ଷୀ ସମୂହର କଳରବ, ଜ୍ୟୋତ୍ସ୍ନାବିଧୌତ ରଜନୀର ମତୁଆଲା ରୂପ ପାଠକ ପ୍ରାଣକୁ ଖାଲି ଆପ୍ଳୁତ କରିନାହିଁ ମନ୍ଥି ଦେଇଛି ମଧ୍ୟ । ଜ୍ୟୋତ୍ସ୍ନାବିଧୌତ ରଜନୀରେ ତନ୍ଦ୍ରାଚ୍ଛନ୍ନ କବିପ୍ରାଣ ଆହୁରି ଉଲ୍ଲସିତ ଓ ପୁଲକିତ ହୋଇ ଉଠିଛି । ଏ ସୌନ୍ଦର୍ଯ୍ୟ ଏ ସୁଖ ବିଶେଷ କରି ସାଂୟକାଳୀନ ସମୟର ଦୃଶ୍ୟ ଓ ଗୋଧୂଳି ବେଳାର ମନୋଲୋଭା ଶ୍ରୀ ଶୋଭା କବି କଲମରେ ଖୁବ୍ ଚିତ୍ତାକର୍ଷକ ଭାବେ ଆଙ୍କି ହୋଇ ଯାଇଛି ।

 

“ମଧୁର ଗୋଧୂଳି ସମୟ

 

ଅସ୍ତରବି କିରଣେ

ବାରୁଣୀ ଗଗନ ଝଳଇ

 

ତପ୍ତ ସ୍ୱର୍ଣ୍ଣ ବରଣେ

ଉଦର ପୂରାଇ ଆନନ୍ଦେ

 

ଗୋରୁପଲ ମନ୍ଥରେ

ବାହୁଡ଼ୁ ଅଛନ୍ତି ଗୋଠରୁ

 

ଶୋଭା ନୟନ ହରେ

ଜହ୍ନିଫୁଲ ଜହ୍ନି ଲତିକା-

 

ଶେଯେ ଆସିଲା ଫୁଟି

ଶ୍ୟାମ ଛାୟା ପଥେ କି ଅବା

 

ସ୍ୱର୍ଣ୍ଣ ତାରକା କୋଟି

ପବିତ୍ର ପ୍ରଦୋଷ ସମୟେ

 

ପ୍ରତି ଗୃହେ ଜଲିଲା

ସନ୍ଧ୍ୟା ଦୀପାବଳୀ,

 

ଉଚ୍ଛୁଳି ଶଙ୍ଖ ଧ୍ୱନି ପଡ଼ିଲା

ବିମଳ ଆକାଶେ ରାଜିଲେ

 

ତାରାପତି ଅମଳ

ଚଉପାଶେ ବେଢ଼ି ବସିଲେ

 

ତାଙ୍କୁ ତାରା ପଟଳ ।” (ପୃ୬୯)

 

ପୁଣି ଭିନ୍ନ ଦୃଷ୍ଟିଭଙ୍ଗୀରୁ ମୋହିନୀ ସନ୍ଧ୍ୟାକୁ ବର୍ଣ୍ଣି କବି କହୁଛନ୍ତି,

 

“ବାହୁଡ଼ିଲେ ନୀଡ଼େ ପକ୍ଷୀ ମହା କୋଳାହଳେ

ଗୋଷ୍ଠୁ ବାହୁଡ଼ିଲେ ଗୃହେ ଗୋରୁ ପଲେ ପଲେ

ଗୃହେ ଗୃହେ ଜଳିଲାକ ସନ୍ଧ୍ୟା ଦୀପାବଳୀ

ସଙ୍ଗେ ସଙ୍ଗେ ଶଙ୍ଖଧ୍ୱନି ପଡ଼ୁଛି ଉଛୁଳି

ଗୋଟି ଗୋଟି ଫୁଟି ତାରା ମଣ୍ଡିଲା ଗଗନ

ରତ୍ନଦୀପ ଜାଳିଲେ ବା ଦେବକନ୍ୟା ଗଣ ।” (ପୃ୫୭)

 

ଶ୍ୟାମ ଛାୟାପଥରେ ସ୍ୱର୍ଣ୍ଣରୂପୀ ତାରକାମାନଙ୍କ ଆର୍ବିଭାବ, ଉଦରପୂର୍ଣ୍ଣ ଗୋରୁପୋଲଙ୍କ ଖୁସିର ଘରବାହୁଡ଼ା, ଘଣ୍ଟ ଘଣ୍ଟା ଶଙ୍ଖଧ୍ୱନିସହ ଉଚ୍ଛୁଳି ଉଠୁଥିବା ମୁହୂର୍ତ୍ତ କବି ଆଖିକୁ ଅନନ୍ୟ ଲାଗିଛି । ବିଶେଷ କରି ତୁଳସୀ ଚଉରାମୂଳେ କୁଳବଧୂ ଓ କୁମାରୀ କନ୍ୟାମାନଙ୍କର ସନ୍ଧ୍ୟାଦୀପ ଜାଳିବାର କଥା କବିଦୃଷ୍ଟିରେ ଭିନ୍ନ ଭାବରେ ଆତ୍ମପ୍ରକାଶ କରିଛି । ଗୃହବଧୂ ଓ ଅନୁଢ଼ା କୁମାରୀମାନଙ୍କୁ ପବିତ୍ରମନା ଦେବକନ୍ୟାମାନଙ୍କ ସହ ତୁଳନା ଓ ତାଙ୍କ ହାତରେ ଥିବା ସନ୍ଧ୍ୟାଦୀପକୁ ସାଧାରଣ ନୁହଁ ରତ୍ନଦୀପ ବୋଲି ଆକଳନ କରିବାର ମାନସିକତା ତାଙ୍କ ଦୃଷ୍ଟିଭଙ୍ଗୀକୁ ଅନ୍ୟ ଅନେକଙ୍କଠୁ ନିଆରା କରିଛି ନିଶ୍ଚୟ । ଏଥିରୁ କବିଙ୍କ ପ୍ରକୃତି ପ୍ରତି ଗଭୀର ଭଲପାଇବାର ନିଚ୍ଛକ ନିଦର୍ଶନ । କେବଳ ସ୍ୱର୍ଣ୍ଣିମ ସକାଳ ବା ଗୋଧୂଳି ବେଳା ନୁହଁ, ମେଘର ବହୁରୂପୀ ଚିତାକର୍ଷକ ବର୍ଣ୍ଣନ ସହ ଚନ୍ଦ୍ରଙ୍କ ଜ୍ୟୋତ୍ସ୍ନାବିଧୌତ ରଜନୀର ଅପରୂପ ଶୋଭା, ଚନ୍ଦ୍ରଙ୍କ ସୁଶୀତଳ ଜ୍ୟୋତ୍ସ୍ନା, କବି, ଭାବୁକ, ସାଧାରଣ ନେତା ବିଶେଷ କରି ସସାଗରାଧରାକୁ ଚନ୍ଦ୍ରଙ୍କ ସମତୁଳୀୟ ସୁଧାବର୍ଷଣ ପ୍ରସଙ୍ଗ, କାବ୍ୟ କବିତାରେ ମନଲୋଭା ଜହ୍ନର ଶୀର୍ଷାଗ୍ର ସ୍ଥାନ ଗ୍ରହଣ ପ୍ରସଙ୍ଗ ପରି ବହୁ ପ୍ରସଙ୍ଗ କବି ବର୍ଣ୍ଣନାରେ ଜୀବନ୍ତ ଭାବରେ ସ୍ଥାନ ପାଇବା ସହିତ ପାଠକର ଅନ୍ତଃସ୍ଥଳକୁ ଚହଲାଇ ଦେଇଛି ।

 

କାବ୍ୟଶିଳ୍ପୀ ମହାରଣାଙ୍କ କୁଶଳୀ ହାତର କରିସ୍ମାକୁ ତାଙ୍କର ଷଡ଼ଋତୁ (ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶିଶିର, ବସନ୍ତ)ର ବର୍ଣ୍ଣନା ପ୍ରସଙ୍ଗରେ ଅନୁଭବ କରିହୁଏ । ଗ୍ରୀଷ୍ମଋତୁର ଅସହ୍ୟ ଗରମ, ପ୍ରଚଣ୍ଡ ରୌଦ୍ରତାପରେ ଆକ୍ତାମାକ୍ତା ଜନସମାଜ, ଶ୍ରୀହୀନ ରାଜପଥ, ତୁଷାତୃର ପ୍ରାଣୀର ଛଟପଟ ରୂପ, ପଥଚାରୀ ଶୂନ୍ୟ ରାଜପଥ, ଅତି ମାର୍ମିକ ଭାବେ ଚିତ୍ରିତ ହୋଇଛି । ପ୍ରଚଣ୍ଡ ରୌଦ୍ରତାପରେ ପଥଚାରୀ ଶୂନ୍ୟ ରାଜରାସ୍ତାକୁ ଦେଖି କବି କଳ୍ପନା କରିଛନ୍ତି ସତେକି କେଉଁ ଭୋଗୀ ଶତ୍ରୁପକ୍ଷକୁ ପରାଜିତ କରି ଫେରିଛି; ଏ ମାନବଶୂନ୍ୟ ନଗରୀ ତାର ଉଦାହରଣ । ପୁଣି ଯେଉଁ ରବିର ଶୀତଳ କିରଣ ପ୍ରାଣୀଜନକୁ ସନ୍ତୋଷ ପ୍ରଦାନ କରୁଥିଲା, ସେଇ ସୂର୍ଯ୍ୟଙ୍କ କିରଣ ଗ୍ରୀଷ୍ମଦିନରେ ଯମାଳୟ ଓ କାଳ ବିଷଧର ପରି ମନେ ହୋଇଛି ।

 

“ଦୁଃସହ-ଅନଳମୟ

 

ଯେସନ ବା ଯମାଳୟ

ତହୁଁ ବଳି ଭୀମ ବା ସେ

 

ମହୀ ଏ କାଳରେ

ବାୟୁ ବହେ ହୁହୁ ହୁହୁ

 

ଧୂଳି ଉଡ଼େ ମହୁର୍ମୁହୁ

ତରୁଶିର ଆନ୍ଦୋଳିତ

 

ଯେହେଁ ଶୋକ ଭରେ ।

x x x

ଯେଉଁ ତପନର କର

 

ଶୀତକାଳେ ସୁଖକର

ଏବେ ସେ ତପନ

 

ଦିଶେ, କାଳ ବିଷଧର ।” (ପୃ-୪୩୩)

 

ଗ୍ରୀଷ୍ମଋତୁର ବିଶେଷ ବର୍ଣ୍ଣନା କବି ତୁଳୀରେ ଜୀବନ୍ତଭାବେ ଚିତ୍ରିତ ହୋଇଥିବାବେଳେ ବର୍ଷାଋତୁର କମନୀୟ ବର୍ଣ୍ଣନା ପାଠକ ପ୍ରାଣକୁ ଆହ୍ଲାଦିତ କରିଛି । ଶୁଷ୍କ ନିରସ ମାଟି ପହିଲି ବର୍ଷାର ପ୍ରଥମ ସ୍ପର୍ଶରେ ନବଯୌବନା ଲାଭ କରିଛି । ନୀରସା ରସାରେ ନବ ଅଙ୍କୁରୋଦ୍‌ଗମ ଘଟିଛି । ଧରଣୀ ରାଣୀର ଶ୍ରୀଅଂଗରେ ସବୁଜ ଶ୍ରୀର ଅଳଙ୍କାର ଦେଖି ହୃଦୟ ଆହ୍ଲାଦିତ ହୋଇଉଠିଛି ।

 

ଶରତଋତୁର ବର୍ଣ୍ଣନାରେ କବି ପ୍ରାଣ ଆଉ ଟିକେ କାବ୍ୟିକ ହୋଇଉଠିଛି । ଏହି ଋତୁର ବର୍ଣ୍ଣନାରେ କବିପ୍ରାଣ ପ୍ରକୃତି ସହ ତଲ୍ଲୀନ ଏକ ସତ୍ତା ପାଲଟି ଯାଇଛନ୍ତି । ଶରତ ଋତୁର ଶୁଭ୍ର ସ୍ୱଚ୍ଛ ଆକାଶ, ଶାରଦୀୟ ଆକାଶର ଶାମିଆନା ତଳେ ପ୍ରକୃତିର ମୁକୁଳା ରୂପଲାବଣ୍ୟ, ଜହ୍ନିଫୁଲର ମହନୀୟ ବର୍ଣ୍ଣନା, ଗଙ୍ଗଶିଉଳି ଫୁଲର ହୃଦମନ୍ଥା ସୁବାସ ଓ ତା’ର ଚିତ୍ର, ଶୁଭ୍ର କାଶତଣ୍ଡୀ ଫୁଲର ଅସାଧାରଣ ସୌନ୍ଦର୍ଯ୍ୟର ବର୍ଣ୍ଣନା କବି କଲମରେ ଅତି ସୁନ୍ଦରଭାବେ ରୂପ ପାଇଛି । ନଦୀପଠା ମାନଙ୍କରେ ଗହଳ ଗହଳ କାଶତଣ୍ଡୀ ଫୁଲର ଆର୍ବିଭାବ ଓ ତା’ର ଶୁଭ୍ର ସ୍ପଟିକସମ ସୌନ୍ଦର୍ଯ୍ୟ ଶରତ ଋତୁର ଅୟଂ ଆରମ୍ଭର ସୂଚନା ଦେବା ସହ ଏହା ମନେହୋଇଛି ପ୍ରକୃତି ଶିଳ୍ପୀର ରଜତ ଚାମର ତୁଲ୍ୟ । କବି ତୁଳୀରେ ତାହା ସ୍ପଷ୍ଟ -

 

ପ୍ରକୃତି ଶିଳ୍ପୀର “ରଜତ ଚାମର

ମାନବ-ନୟନ-କ୍ଷଣ ମୋହକର

ଅନୁପମ ସୃଷ୍ଟି ବିକାଶ କାଶର

ଶରଦାଗମନ ସୂଚଇ ତଥା ।” (ପୃ-୩୮)

 

ପୁଣି କବି କହୁଛନ୍ତି ଶରତ ଋତୁରେ

 

“କୁଙ୍କୁମ ବରଣେ ଦିଶଇ

 

ଉଷା କି ମନଲୋଭା

ଦ୍ୱିଗୁଣିତ କରେ ପ୍ରଭାତୀ

 

ସେହି ପବିତ୍ର ଶୋଭା

ଅଗଣିତ ଗଙ୍ଗଶିଉଳୀ

 

ତରୁମୂଳେ ଚୂଳରେ

ଉଷା ସମୀରଣେ ମୁକୁଳା

 

ସଉରଭ ବିତରେ

x x x

ନଦୀକୂଳ ପଠା ପାଟରେ

 

କାଶ କୁସୁମ ଶୋଭା

ନିରେଖି ମଣଇଁ ଧରଣୀ

 

ହସେ ଆହ୍ଲାଦେ ଅବା

x x x

ଶରଦେ କୁମାର ପୂର୍ଣ୍ଣିମା

 

ନିଶା କି ମନୋହର

ନିଖିଳ ବିଧାତା ଭିଆଣେ

 

କାହିଁ ତା’ ପଟାନ୍ତର ?

କରନ୍ତି କୁଆଁରୀ ଜହ୍ନରେ

 

କୁମାରୀ -ଏ ପ୍ରସନ୍ନ

କୁମାର ପୂର୍ଣ୍ଣିମା ଉତ୍ସବ

 

ଯଥାବିଧି ପାଳନ ।” (ପୃ-୬୮-୭୦)

 

କୁମାର ଉତ୍ସବ ପରେ ପରେ ଧରଣୀକୁ ଆକ୍ରାନ୍ତ କରିଛି ଶିଶିର । ଶିଶିର ବର୍ଷାରେ ମହୀମଣ୍ଡଳ ତିନ୍ତି ଉଠିଛି । ଉପର ହେମନ୍ତ ଓ ଶୀତ ଋତୁରେ ପ୍ରକୃତି ଭିନ୍ନ ରୂପ ଧାରଣ କରିଛି । ଯେଉଁ ସୂର୍ଯ୍ୟ କିରଣ ଗ୍ରୀଷ୍ମ ଦିନରେ ଯମାଳୟ ଓ କାଳ ବିଷଧର ପରି ମନେ ହେଉଥିଲା; ସେହି ସୂର୍ଯ୍ୟକିରଣ ଶୀତଦିନରେ “ନିଦାଘ ଚନ୍ଦନ ପରାଏ ଲାଗିଛି । ପୁଣି ଘରେ ଘରେ ନିଆଁର ଆଦର ବଢ଼ିବାରେ ଲାଗିଛି । ପ୍ରବଳ ଶୀତଋତୁରେ ତୁଷାର ଗ୍ରସ୍ତ କୁହୁଡ଼ି ମିଶ୍ରିତ ଶୀତରାତି କବିଙ୍କୁ ଧଳାଭସ୍ମ ବୋଳା ତପସ୍ୱୀ ମହିଳା ଭଲି ପ୍ରତୀୟମାନ ହୋଇଛନ୍ତି; ଏହା କବି କଲମରେ ଅତି ଚିତାକର୍ଷକ ଢଙ୍ଗରେ ଆଙ୍କି ହୋଇଯାଇଛି ।”

 

ଶୀତଋତୁ ପରେ ପରେ ଋତୁରାଜ ବସନ୍ତର ଏ ଧରାପୃଷ୍ଠକୁ ଆଗମନ । ଚର୍ତୁଦିଗରେ ବିବିଧ ଫୁଲମାନଙ୍କର ମହାମହୋତ୍ସବ, ମନ୍ଦ୍ର ମଧୁର ମଳୟ ପବନର ମଧୁର ସ୍ପର୍ଶରେ ଦେହ ମନ ପୁଲକିତ । ମନ୍ଦ ମନ୍ଦ ଫୁଲ ଗନ୍ଧରେ ଅଳିକୁଳ ଭ୍ରମଗ୍ରସ୍ତ । ଯେଉଁ ପୃଥିବୀକୁ ଶୀତ ଜରାଗ୍ରସ୍ତ କରି ଦେଇଥିଲା; ସେହି ଧରଣୀକୁ ବସନ୍ତ ପୁଣି ନବଯୌବନରେ ପରିପୂର୍ଣ୍ଣ କରିଦେଲା । କବି ବର୍ଣ୍ଣନାରେ

 

“ଧରା ଜରା କରି

ଗଲା ଅପସରି

ଶିଶିର ସମୟ ଧୀରେ;

ସିଞ୍ଚି ସଞ୍ଜୀବନୀ

ଋତୁ ଶିରୋମଣି

ପ୍ରବେଶ କଲେ ମହୀରେ

X X X X

ତରୁଲତା ଅଂଗେ

ଏବେ କେତେ ରଂଗେ

ଶୋଭାର ହେଲା ବିଲାସ;

କେହୁ ପଲ୍ଲବିଲା,

କେହୁ ମୁକୁଳିଲା,

କାହିଁ ବା ପୁଷ୍ପ ବିକାଶ

କୁସୁମେ ସଞ୍ଚରି

ସଉରଭ ହରି

ସମୀରଣ ବିତରିଲା;

ନିମିଷକେ ଆସି

ମଧୁ-ଅଭିଳାଷୀ

ମଧୁପ ତହିଁ ମିଳିଲା

X X X

ରୂପ ଚହଟଇ

ବାସ ମହକଇ

ନନାଜାତି କୁସୁମର;

ସରୋବର ବନେ

ବସିଲା ଉଦ୍ୟାନେ

ଶୋଭା ହାଟ ବସନ୍ତର ।”

(ପୃ୭୫-୭୬)

 

ବସନ୍ତ ଋତୁର ବର୍ଣ୍ଣିଳ ଓ ରଙ୍ଗୀନ ମୁହୂର୍ତ୍ତକୁ ଆଉ ଟିକେ ରଂଗ ଓ ବର୍ଣ୍ଣ ଲେସି ଦେଇଛି ଅଦ୍ୱିତୀୟ କଣ୍ଠଶିଳ୍ପୀ ହଳଦୀ ବସନ୍ତମାନଙ୍କର କୁଜନ । ହଳଦୀ ବସନ୍ତମାନଙ୍କର ମଧୁମୟ ସ୍ୱର ଓ ବୀଣାଜିଣା କଣ୍ଠର କୁହୁତାନ ପ୍ରେମୀଯୁଗଳ ହୃଦୟକୁ ପ୍ରେମରେ ବତୁରାଇ ଦେବାସହ ବସନ୍ତ ଋତୁର ମହିମାକୁ ବହୁଗୁଣିତ କରିଛି । କୋକିଳର ଗୁଣକୁ ପ୍ରଶଂସା କରିବାକୁ ଯାଇ କବି ଲେଖନୀ ଚଳଚଞ୍ଚଳ ହୋଇଉଠିଛି–

 

“ଧନ୍ୟରେ କୋକିଳ ! ଧନ୍ୟ ତୋହ ଧ୍ୱନି !

ସୁଜିଲେ ଯେ ତୋତେ ଧନ୍ୟ ତାକୁ ଗଣି !

ଧନ୍ୟ ତାର ପିତା, ଧନ୍ୟ ତୋ ଜନନୀ

ଧନ୍ୟ ସ୍ୱୟଂ, ଯେହୁ କରେ ଶ୍ରବଣ

ପୀୟୂଷ ବରଷୀ ତୋ ମଧୁର ରବ;

ଏ ଧରା ଧାମର ତୋ ରବ ଗରବ ।”

 

ପୁଣି କବି କହିଛନ୍ତି

 

“ପଲ୍ଲବ ବିତାନେ

କୋକିଳ ପଞ୍ଚମେ

ଛାଡ଼ିଦିଏ କୁହୁତାନ;

ଶ୍ରବଣର କାରା

ସେ ଅମୃତ ଧାରା

କେଉଁ ବୀଣା ତା ସମାନ ।”

(ପୃ-୭୬)

 

ଋତୁରାଜ ବସନ୍ତ ଓ ବୀଣୀଜିଣା କଣ୍ଠଧାରିଣୀ କୋକିଳର ରୂପ ଚିତ୍ରଣରେ କବି ପ୍ରାଣ ପ୍ରଶଂସାରେ ଶତମୁଖର ହୋଇ ଉଠିଛି । ଏତଦ୍‌ଭିନ୍ନ ନିୟତି ପ୍ରତି, ସମୁଦ୍ର ପ୍ରତି, ଦୁର୍ବାଦଳ, ଖଣ୍ଡଗିରି, ଯୋବରରାର ଆନିକଟର ଜଳପ୍ରପାତ ଦର୍ଶନେ, କପିଳାସ ଆଦି ବହୁ କବିତାରୁ କବିଙ୍କ ପ୍ରକୃତି ପ୍ରୀତିକୁ ଅକ୍ଳେଶରେ ଅନୁଭବ କରାଯାଇପାରେ ।

 

ଯୁଗେ ଯୁଗେ ପ୍ରକୃତିରାଣୀ ତା’ର ରୂପଶ୍ରୀରେ ଏ ଜଗତକୁ ଓ ମନୁଷ୍ୟ ସମାଜକୁ ମୋହଗ୍ରସ୍ତ କରି ଆସୁଛି । ତା’ର ସମ୍ମୋହନୀ ତନୁଶ୍ରୀର ସନ୍ଦର୍ଶନରେ ଅବଳା ହେଉ ବା ସବଳା, ନାରୀ ହେଉ ବା ପୁରୁଷ, ବୃଦ୍ଧ ହେଉ ବା ଶିଶୁ, ଶିକ୍ଷିତ ହେଉ ବା ଅଶିକ୍ଷିତ, ସମସ୍ତଙ୍କୁ ବଶ କରି ରଖିପାରିଛି । ଯାଦୁକର ପ୍ରକୃତି ତା’ର ଯାଦୁଗରୀ ମାୟାରେ ଏ ସମାଜକୁ ଛନ୍ଦି ଦେଇଛି; ବନ୍ଦୀ କରି ରଖିଛି । ତେଣୁ ଜ୍ୟୋତ୍ସ୍ନାବିଧୌତ ରଜନୀରେ ମହାରଣା ଶିଳ୍ପୀ କବି ଚନ୍ଦ୍ରମୋହନ ପ୍ରକୃତିର ଶୋଭାକୁ ଅଙ୍କିଲା ବେଳେ ଓ ତାକୁ ଦେଖି ମନ୍ତ୍ରମୁଗ୍ଧ ହେଉଥିବାବେଳେ ମନେ ହେଉଥିବ ପୃଥିବୀର ସବୁ ସୁଖ ବୋଧହୁଏ ଲୁଚି ହୋଇ ରହିଛି ଏହି ପ୍ରକୃତିଠାରେ । ପ୍ରକୃତି ଖାଲି ଶୋଭାର ନିଳୟ ନୁହଁନ୍ତି; ନିରାପଦ ସୁଖର ଆଳୟ ମଧ୍ୟ । ଏଭଳି ପ୍ରକୃତି ମୂଲ୍ୟବାନ, ଦୁର୍ଲଭ ଧନଛଡ଼ା ଅନ୍ୟକିଛି ନୁହଁ । ତେଣୁ କବି ପ୍ରକୃତିକୁ ସାଲ୍ୟୁଟ୍ ମାରି କହୁଛନ୍ତି-

 

“ଧନ୍ୟରେ ପ୍ରକୃତି ! ତୋ ଶିଳ୍ପୀ ପଣ !

ରାଜେ ଯେତେ ରତ୍ନ ପ୍ରକୃତି ଭଣ୍ଡାରେ

ସକଳ ପରାସ୍ତ ଶରନ୍ନିଶାଠାରେ;

ସେ ଅତୁଳ ନିଧି ଯେ ଭୋଗିଛି ବାରେ

ଭୁଲି କି ପାରଇ ଯଦା ଜୀବନ ?

ବର୍ଣ୍ଣନେ ଅକ୍ଷମା ଲେଖନୀ କମ୍ପିତା

ବଖାଣି ନ ପାରି ଭାରତୀ ଲଜ୍ଜିତା;

ଭାବୁକ କଳ୍ପନା ଏକାତ୍ମ ବିସ୍ମିତା

ପ୍ରକୃତି ! ପାଇଲୁ କାହୁଁ ଏ ଧନ ?” (ପୃ-୪୪)

 

ତେଣୁ କବି ସଂକଳ୍ପବଦ୍ଧ ବାକି ତକ ଜୀବନ ଏହି ପ୍ରକୃତିର ଶାନ୍ତିପ୍ରଦ କୋଳରେ କାଟିଦେବା ପାଇଁ । ପ୍ରକୃତି ପାଶରେ ବାକି ଜୀବନ କାଟିବାର ଅଭିଳାଷା ତାଙ୍କ ମନ ଭିତରେ ବହୁଗୁଣିତ ହୋଇଉଠୁଛି । ତେଣୁ କବି ତାଙ୍କ ମନୋବାଞ୍ଛା ଜଣାଇ ଶେଷୋକ୍ତିରେ ବଖାଣିଛନ୍ତି –

 

ପ୍ରକୃତି “ତୋହର ଦେଖି ମାଧୁରୀ ପାବନ

ଚୁମ୍ବକରେ ଲୌହ ପରି ଲାଗିଗଲା ମନ

ମନରେ ପ୍ରବଳ ହେଲା ଏହି ଅଭିଳାଷ

କରିବି କୋଳରେ ତୋର ମୁହିଁ ସଦା ବାସ;

ପାବନ ମୋହନ କୋଳ ତୋର ନତେଜିବି;

ଜଗତର କୋଳାହଳେ ଆଉ ନ ପଶିବି ।”

 

ତେଣୁ କବି ସ୍ୱଜୀବନର ବାକି ଅଂଶକୁ ପ୍ରକୃତିର ନିରାପଦ କୋଳରେ କାଟିଦେବାର ଅଭିପ୍ସା ପୋଷଣ କରିଛନ୍ତି । ତେଣୁ ତାଙ୍କ ମନ ଚୁମ୍ବକରେ ଲୌହ ଲାଖିଗଲା ପରି ପ୍ରକୃତି ସହ ଲାଖିଯାଇଛି । କୋଳାହଳପୂର୍ଣ୍ଣ ଏ ଜଗତ, ଯନ୍ତ୍ରଣାଗ୍ରସ୍ତ ଜୀବନ ଓ ବସ୍ତୁବାଦୀ ଦୁନିଆର ମୋହଠାରୁ ନିଜକୁ ବିଚ୍ୟୁତ ରଖି ପ୍ରକୃତିର ଆଜୀବନ ନିରାଜନା କରିବାରେ ନିଜକୁ ଲିପ୍ତ ରଖିଛନ୍ତି ଓ ସ୍ୱୟଂ ଏକ ଶାନ୍ତିପ୍ରଦ ଜୀବନ ଜୀଇଁବା ସହ ଜନସମାଜକୁ ପ୍ରକୃତିର ନିରାଜନା କରି ତାଙ୍କ ଭଳି ସଫଳ ଓ ଶାନ୍ତିପ୍ରଦ ଜୀବନ ଜୀଇଁବା ପାଇଁ ପରୋକ୍ଷରେ ବାର୍ତ୍ତା ପ୍ରଦାନ କରିଛନ୍ତି । କବି ଚନ୍ଦ୍ରମୋହନ ‘ନବ୍ୟୋଦମ’ କବିତା ଗ୍ରନ୍ଥରେ ପ୍ରକୃତିକୁ ଭଲପାଇବାର ଓ ତାକୁ ନିରାଜନା କରିବାର ଯେଉଁ ନବଉଦ୍ୟମ କରିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ । କବି ଶିଳ୍ପୀ ଚନ୍ଦ୍ରମୋହନ ମହାରଣାଙ୍କ ସୃଷ୍ଟିରେ ପ୍ରକୃତିର ରୂପକାନ୍ତି ଯେଭଳି ବୈଚିତ୍ର‌୍ୟପୂର୍ଣ୍ଣ ସେଭଳି ଆକର୍ଷଣୀୟ ଓ ଚିତାକର୍ଷକ ହୋଇପାରିଛି ।

 

(ସହକାରୀ ପ୍ରଫେସର, ଭାଷା ଓ ସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟ)

-୦-

 

ପ୍ରାବନ୍ଧିକ ଚନ୍ଦ୍ରମୋହନ ମହାରଣା

ଡକ୍ଟର ଜୟନ୍ତ କୁମାର ଦାସ

 

ଊନବିଂଶ ଶତାବ୍ଦୀରେ ଶେଷାର୍ଦ୍ଧରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସଙ୍କଟମୟ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଏବଂ ଏହି ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ଯେଉଁ କେତେଜଣ ପ୍ରଚଣ୍ଡ ପ୍ରତିଭାଧାରୀ ସାହିତ୍ୟିକ ଆଗେଇ ଆସିଥିଲେ ସେମାନଙ୍କ ମଧ୍ୟରେ ଚନ୍ଦ୍ରମୋହନ ମହାରଣା ଅନ୍ୟତମ । ଗୋଟିଏ ଜାତିକୁ ଶିକ୍ଷାର ଆଲୋକରେ ଉଦ୍ଭାସିତ କରିବା ଉଦ୍ଦେଶ୍ୟରେ ପାଠ୍ୟପୁସ୍ତକ ପ୍ରଣୟନ କରିବା ସହିତ ଗୋଟିଏ ଭାଷାର ରକ୍ଷାକବଚ ‘ବ୍ୟାକରଣ’ ରଚନା କରି ନିଜର ଅସାମାନ୍ୟ କୃତିତ୍ୱର ପରିଚୟ ଦେଇଛନ୍ତି । ତାଙ୍କ ରଚିତ ଓଡ଼ିଆ ବ୍ୟାକରଣ ପ୍ରଥମ ସୋପାନ ଓ ଦ୍ୱିତୀୟ ସୋପାନ ଓଡ଼ିଆ ସାହିତ୍ୟର ପ୍ରଥମ ମୌଳିକ ବ୍ୟାକରଣର ମର୍ଯ୍ୟାଦା ବହନ କରେ । ଏହା ସହ ସେ ବହୁ କବିତା ଓ ଗଳ୍ପ ରଚନା କରି ଓଡ଼ିଆ ସାହିତ୍ୟକୁ ସୁସମୃଦ୍ଧ କରିଛନ୍ତି । ତାଙ୍କର ସର୍ଜନଶୀଳତା ଉଭୟ ପରିମାଣାତ୍ମକ ଓ ଗୁଣାତ୍ମକ ଦୃଷ୍ଟିରୁ ଖୁବ୍ ବଳିଷ୍ଠ ଓ ଉତ୍କୃଷ୍ଟ । ନିଜର ସାଧନା, ନିଷ୍ଠା ଓ ଏକାଗ୍ରତା ବଳରେ ଓଡ଼ିଆ ସାହିତ୍ୟର ପ୍ରତ୍ୟେକ ବିଭାଗକୁ ସରସ ସୁନ୍ଦର କରିଥିବା ଏହି ଯଶସ୍ୱୀ ସ୍ରଷ୍ଟା ଜନ୍ମଲାଭ କରନ୍ତି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ରେମୁଣା ଥାନାର ପୁରୁଷୋତ୍ତମପୁର ଗ୍ରାମରେ ଏକ ସ୍ୱର୍ଣ୍ଣକାର ପରିବାରରେ । ପରିବାରର ଦାରିଦ୍ର‌୍ୟ ଓ ପାରିପାର୍ଶ୍ୱିକ ପ୍ରତିକୂଳତା ତାଙ୍କୁ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରିନଥିଲା । ନିଜର ନିଷ୍ଠା ଓ ଏକାଗ୍ରତା ବଳରେ ପ୍ରଥମେ ଶିକ୍ଷକ ଓ ପରେ ହେଡ଼୍‍ମାଷ୍ଟର, ଡେପୁଟି ଇନ୍‌ସପେକ୍ଟର ଅଫ୍ ସ୍କୁଲସ ଏବଂ ପୁରୀ ଜିଲ୍ଲାର ଇନ୍‌ସପେକ୍ଟର ଅଫ୍ ସ୍କୁଲସ ରୂପେ ଅବସ୍ଥାପିତ ହୋଇଥିଲେ ।

 

ଚନ୍ଦ୍ରମୋହନ ମହାରଣାଙ୍କ ଅତି ପ୍ରିୟ ଛାତ୍ର ଥିଲେ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ । ଓଡ଼ିଆ ଭାଷାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଫକୀରମୋହନଙ୍କୁ ଆଦର୍ଶ ଭାବେ ମାନି ଓଡ଼ିଆରେ ପାଠ୍ୟ ପୁସ୍ତକ ପ୍ରଣୟନର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ସହିତ ସେଥିରେ ମନୋନିବେଶ କରିଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଅନୁରକ୍ତି ଓ ମାତୃଭାଷା ପ୍ରୀତି ଜାଗ୍ରତ କରେଇବା ପାଇଁ ସେ ସର୍ବଦା ଉଦ୍ୟମ କରୁଥିଲେ । ମାତୃଭାଷାର ଉନ୍ନତି ନିମନ୍ତେ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ଅଧିବେଶନ (୦୫-୧୦-୧୯୨୬)ରେ ସଭାପତି ଭାବେ ଯୋଗଦେଇ ସେ କହିଥିଲେ- “ଜାଗରଣର ଓ ଅଧ୍ୟବସାୟର ଅଭାବ ଆଉ ଯୋଡ଼ିଏ ଅନ୍ତରାୟ । ଏହି ଅନ୍ତରାୟ ମାତୃଭାଷା ପକ୍ଷରେ ଯେପରି ଅନ୍ୟ ଯାବତୀୟ ବିଷୟର ଉନ୍ନତି ପକ୍ଷରେ ସେହିପରି । ମୋହ, ଆଳସ୍ୟର ସନ୍ତାନ ଅଥବା ଜନକ, ତମୋ ଗୁଣ ସୁତରାଂ ଉନ୍ନତିର ଘୋର ଶତ୍ରୁ । ଏହା ମନୁଷ୍ୟର ମନକୁ ତିମିରାଚ୍ଛନ୍ନ କରି ରଖେ । କୃପାମୟଙ୍କ କୃପାରୁ ମାତୃଭାଷାର ଉନ୍ନତିରେ ଜାଗରଣର ଲକ୍ଷଣ ବର୍ତ୍ତମାନ ଦେଖାଯାଉଅଛି । ଏହି ମହାସଭାରେ ଉପସ୍ଥିତ ଉତ୍କଳ ଜନନୀର କୃତୀ ସନ୍ତାନମାନେ ଏହି ଜାଗରଣର ସହାୟ ଅଟନ୍ତି । ସୁତରାଂ ମାତୃଭାଷାର ଉନ୍ନତି ସାଧନ ଥିଲା ତାଙ୍କ ସାହିତ୍ୟ ସାଧନାର ଅନ୍ୟତମ ଆଭିମୁଖ୍ୟ ।” ଏହା ତାଙ୍କର ମାତୃଭାଷା ପ୍ରୀତିର ପରିଚୟ ଦିଏ ।

 

ବ୍ୟାକରଣରେ ପାଣ୍ଡିତ୍ୟ ଥିବା ଏହି ଯଶସ୍ୱୀ ସାହିତ୍ୟିକଙ୍କ ପ୍ରବନ୍ଧ ରଚନା ଶୈଳୀ ନିୟମଯୁକ୍ତ, ସ୍ୱଚ୍ଛ ଓ ଭାବଗର୍ଭକ । ଅନାୟାସରେ ଓ ସ୍ୱାଭାବିକ ରୀତିରେ ସେ ନିଜର ବକ୍ତବ୍ୟ ପ୍ରକାଶ କରିଥାନ୍ତି । ପରିମାଣାତ୍ମକ ଦୃଷ୍ଟିରୁ ଗଳ୍ପ ଓ କବିତା ତୁଳନାରେ ତାଙ୍କର ପ୍ରବନ୍ଧ ଖୁବ୍ କମ୍ । ସେ ସର୍ବମୋଟ ଏଗାରଟି ପ୍ରବନ୍ଧ ରଚନା କରିଛନ୍ତି । ସେଥିମଧ୍ୟରୁ ତିନୋଟି ଶିକ୍ଷା ସମ୍ବନ୍ଧୀୟ, ଚାରୋଟି ଜୀବନୀ ସମ୍ବଳିତ, ତିନୋଟି ସାହିତ୍ୟ ରଚନା ପର୍ଯ୍ୟାୟଭୁକ୍ତ ଓ ଗୋଟିଏ ସ୍ୱପ୍ନକୁ ନେଇ । ଗୋଟିଏ ଦୁଇଟି ପ୍ରବନ୍ଧକୁ ବାଦ୍ ଦେଲେ ଅନ୍ୟ ପ୍ରବନ୍ଧଗୁଡ଼ିକର କଳେବର କ୍ଷୁଦ୍ର । ସ୍ୱଳ୍ପ ପରିମାଣରେ ପ୍ରବନ୍ଧ ରଚନା କରିଥିଲେ ମଧ୍ୟ ତାଙ୍କର ପାଣ୍ଡିତ୍ୟ ଓ ବିଚକ୍ଷଣ ପ୍ରତିଭା ଯୋଗୁଁ ଚନ୍ଦ୍ରମୋହନ ବିଦଗ୍‌ଧ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ । ବିଭିନ୍ନ ବିଷୟରେ ତାଙ୍କର ଅଭିଜ୍ଞତା ଓ ପାରଦର୍ଶିତା ଥିଲା । ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜନ୍ମ ଲଗ୍ନରେ ତାଙ୍କର ଏହି ଅନନ୍ୟ ପ୍ରୟାସ ବାସ୍ତବିକ୍ ପ୍ରଶଂସାଯୋଗ୍ୟ । ‘ଉତ୍କଳ ସାହିତ୍ୟ’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ତାଙ୍କ ପ୍ରବନ୍ଧମାନ ପ୍ରକାଶିତ ହେଉଥିଲା । ଏହା ସହ ବିଭିନ୍ନ ସାରସ୍ୱତ ସଭାରେ ଯୋଗଦେଇ ଆମ ଭାଷା ଓ ସାହିତ୍ୟର ବିଭିନ୍ନ ଅଭାବ ସମ୍ପର୍କରେ ସେ ସୂଚନା ଦେଉଥିଲେ । ଏହା ମଧ୍ୟ ପ୍ରବନ୍ଧକାରରେ ପ୍ରକାଶିତ ହେଉଥିଲା । ‘ଉତ୍କଳ ସାହିତ୍ୟ ସମାଜ’ର ଏକବିଂଶ ବାର୍ଷିକ ଅଧିବେଶନରେ ସଭାପତିଭାବେ ଯୋଗଦେଇ ସେ କହିଥିଲେ- “ଓଡ଼ିଶାରେ ପ୍ରଥମ ଶ୍ରେଣୀର ଶକ୍ତିଶାଳୀ ଲେଖକର ଆବିର୍ଭାବ ହୋଇନାହଁ । ଶକ୍ତିଶାଳୀ ଲେଖକ ବ୍ୟକ୍ତିବିଶେଷର ରୁଚିରେ ଯେପରି ପରିବର୍ତ୍ତନ ସମ୍ପାଦନ କରାନ୍ତି, ଜାତିବିଶେଷର ରୁଚିରେ ସେହିପରି ନବଯୁଗର ପ୍ରବର୍ତ୍ତନ କରାନ୍ତି । ଉତ୍କଳ ସାହିତ୍ୟର ଆଜିଯାଏ ଏତାଦୃଶ ଦିବସର ପ୍ରଭାତ ଦୃଷ୍ଟିପଥାରୂଢ଼ ହୋଇନାହିଁ ।”

 

ଚନ୍ଦ୍ରମୋହନ ଗ୍ରନ୍ଥାବଳୀ ପ୍ରବନ୍ଧ ବିଭାଗରେ ସ୍ଥାନିତ ତାଙ୍କର ପ୍ରଥମ ପ୍ରବନ୍ଧର ଶୀର୍ଷକ ହେଇଛି ‘ସାହିତ୍ୟ ପତ୍ରିକାର ଉପଯୋଗିତା’ । ଏଥିରେ ସେ ସାହିତ୍ୟ ପତ୍ରିକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ତାଙ୍କ ମତରେ, ଜ୍ଞାନଲାଭ କରିବା ପାଇଁ ପୋଥି, ପୁସ୍ତକ ଓ ପତ୍ରିକାର ଆବଶ୍ୟକତା ରହିଛି । ମାତ୍ର; ପୋଥି ଓ ପୁସ୍ତକରୁ ଗୋଟିଏ ବିଷୟରେ ଜ୍ଞାନ ଲାଭ କରାଯାଇଥିବା ବେଳେ କେବଳ ପତ୍ରିକାରୁ ନାନା ବିଷୟରେ ଧାରଣା ମିଳିଥାଏ । ସୁତରାଂ ଖଣ୍ଡିଏ ପତ୍ରିକା ପାଠର ନାନା ପୁସ୍ତକ ପାଠର ଜ୍ଞାନ ମିଳିପାରେ । ପୁଣି ବିଭିନ୍ନ ପ୍ରକାର ପୁସ୍ତକ କିଣିବାରେ ସାମର୍ଥ୍ୟ ସମସ୍ତଙ୍କର ନ ଥାଏ, ଅଥଚ ପତ୍ରିକା ଖଣ୍ଡିଏ କିଣିବା ସେହି ପରିମାଣରେ କଷ୍ଟସାଧ୍ୟ ନୁହେଁ । ଗୋଟିଏ ପତ୍ରିକାରେ ନାନା ବିଷୟକ ପ୍ରବନ୍ଧର ସମାବେଶ ଥିବାରୁ ବିଷୟ ପରିବର୍ତ୍ତନ କିୟତ୍ ପରିମାଣରେ ମାନସିକ କ୍ଳାନ୍ତି ଦୂର କରିବା ସହିତ ଆଗ୍ରହ ସୃଷ୍ଟି କରିଥାଏ । ପତ୍ରିକା ମାଧ୍ୟମରେ ସର୍ଜନଶୀଳତା ବା ଲେଖିବାର ମାନସିକତା ବୃଦ୍ଧି ହୋଇଥାଏ । ଆହୁରି ମଧ୍ୟ ଏକାଧିକ ବ୍ୟକ୍ତି ମିଳିତ ହୋଇ ଖଣ୍ଡିଏ ପତ୍ରିକାର ଗ୍ରାହକ ହେବା ଅନେକ ସ୍ଥଳରେ ଦେଖାଯାଏ । କିନ୍ତୁ, ଏକାଧିକ ବ୍ୟକ୍ତି ମିଳିତ ହୋଇ ଖଣ୍ଡିଏ ପୁସ୍ତକ କିଣି ପଢ଼ିବାର ଉଦାହରଣ ବିରଳ ।

 

ପତ୍ରିକା ପାଠମାନଙ୍କ ମଧ୍ୟରେ ସର୍ଜନଶୀଳତା ବା ଲେଖିବାର ପ୍ରବଣତା ସୃଷ୍ଟି କରିଥାଏ । ପ୍ରାବନ୍ଧିକଙ୍କ ମତରେ- “ପତ୍ରିକା-ପାଠର ଆଉ କେତେକ ସୁଫଳ ଏଠାରେ ଉଲ୍ଲେଖ କରାଯାଉଅଛି । ପାଠକମାନଙ୍କ ମଧ୍ୟରୁ କାହାରି ମନରେ ରଚନାତ୍ମକ ପ୍ରବନ୍ଧର ପ୍ରଭାବ ସହଜରେ ଅଙ୍କୁରିତ ହୁଏ । ପୁସ୍ତକ-ପାଠରେ ସେପରି ହେଉନଥିବାର ଦେଖାଯାଏ ନାହିଁ । ଏପରି ପାଠକ, ତନ୍ମଧ୍ୟରେ ବିଶେଷତଃ ତରୁଣ ବୟସ୍କପାଠକ ପ୍ରବନ୍ଧ ସହିତ ଲେଖକର ନାନା ଲିପିବଦ୍ଧ ଦେଖିବାକୁ ଅଭିଳାଷୀ ହୋଇ ରଚନାର ‘ସିଦ୍ଧିରସ୍ତୁ’ ଆରମ୍ଭ କରିଥାନ୍ତି । ଏପରି ଅଭିଳାଷ ସାହିତ୍ୟ ବିକାଶର ଅନୁକୂଳ, ଏଣୁ ସମ୍ବୋଧନୀୟ ।” (ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ପୃଷ୍ଠା-୨୧୦) ପତ୍ରିକାର ଏହିପରି ବହୁ ଉପଯୋଗିତା ସମ୍ପର୍କରେ ସୂଚନା ଦେଲେ ବି, ପ୍ରାବନ୍ଧିକ ପୁସ୍ତକକୁ ନ୍ୟୁନ ଦେଖେଇବାକୁ ଚାହିଁ ନାହାଁନ୍ତି । ଏ ସମ୍ପର୍କରେ ସେ ସ୍ୱୀକାରୋକ୍ତି ପ୍ରଦାନ କରିଛନ୍ତି ଏହି ପ୍ରବନ୍ଧରେ- “ଏହା ବୋଲି ପୁସ୍ତକ-ପାଠ ହେୟ ଓ ପତ୍ରିକା-ପାଠହିଁ ଉପାଦେୟ, ଏହା ବୋଲିବା ଆମ୍ଭମାନଙ୍କର ଅଭିପ୍ରାୟ ନୁହେଁ । ପୁସ୍ତକ-ପାଠର ମଧ୍ୟ ଉପଯୋଗିତା ଅଛି, କିନ୍ତୁ ତାହା ଅଦ୍ୟ ଆଲୋଚ୍ୟ ବିଷୟ ନୁହେଁ ।” (ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ପୃଷ୍ଠା-୨୧୦)

 

ଶିକ୍ଷା ସମ୍ବନ୍ଧୀୟ ତାଙ୍କ ପ୍ରବନ୍ଧଗୁଡ଼ିକ ଖୁବ୍ ମାର୍ମିକ ଓ ଆକର୍ଷକ । ଛାତ୍ରଛାତ୍ରୀଙ୍କ ମେଧାଶକ୍ତିର ଉନ୍ନତି ପାଇଁ ଏହି ପ୍ରବନ୍ଧଗୁଡ଼ିକର ଆବଶ୍ୟକତା ରହିଛି । ଏହି ଧରଣର ପ୍ରବନ୍ଧଗୁଡ଼ିକ ହେଲା- ‘ଭୂଗୋଳ ବିଦ୍ୟା’, ‘ବାଣିଜ୍ୟ’ ଓ ‘ଇତିହାସ’ । ଏହି ପ୍ରବନ୍ଧର ଆଦ୍ୟରେ ସେ ପ୍ରତ୍ୟେକର ସଂଜ୍ଞା, ସ୍ୱରୂପ ନିର୍ଦ୍ଧାରଣ କରିଛନ୍ତି । ପ୍ରାବନ୍ଧିକ ଭୂଗୋଳକୁ ଭୂଗୋଳ ବିଜ୍ଞାନ କହିବା ସହିତ ଏହାକୁ ତିନି ଭାଗରେ ବିଭକ୍ତ କରି ଏହାର ଯଥାର୍ଥତା ପ୍ରତିପାଦନ କରିବାକୁ ଚେଷ୍ଟା କରିଛନ୍ତି ।

 

୧) ଗାଣିତିକ,

୨) ରାଜନନୀତିକ,

୩) ପ୍ରାକୃତିକ ।

 

ଚନ୍ଦ୍ରମୋହନଙ୍କ ମତରେ ସୌରଜଗତ ସହ ସମ୍ପର୍କିତ ତଥ୍ୟ ଗାଣିତିକ, ମାନବ ସମାଜର ଆଚାର, ବ୍ୟବହାର, ଶିକ୍ଷା ଓ ମାନବକୃତ ଭୂପୃଷ୍ଠର ବୈଚିତ୍ର‌୍ୟ ରାଜନୀତିକ ଏବଂ ପ୍ରକୃତି ପରିବର୍ତ୍ତନର ନୈସର୍ଗିକ କାରଣ ସମ୍ପର୍କିତ ତଥ୍ୟ ହେଉଛି ପ୍ରାକୃତିକ ଭୂଗୋଳ ବିଜ୍ଞାନ । ଏହା ବ୍ୟତୀତ ଭୂଗୋଳ ବିଦ୍ୟା ସହିତ ଇତିହାସ, ଜୋତିର୍ବିଦ୍ୟା, ଭୂତତ୍ତ୍ୱ ବିଦ୍ୟା, ଉଦ୍ଭିଦ ବିଦ୍ୟା, ଜୀବତତ୍ତ୍ୱ ବିଦ୍ୟାର ଘନିଷ୍ଠତାକୁ ସ୍ୱୀକାର କରିବା ସହିତ ଇତିହାସ ଓ ଭୂଗୋଳ ବିଦ୍ୟାର ଘନିଷ୍ଠତା ଯେ ସର୍ବାଧିକ ତାହାର ସୂଚନା ଦେଇଛନ୍ତି । ଭୂଗୋଳ ବିଜ୍ଞାନର ଚର୍ଚ୍ଚା ଊନବିଂଶ ଶତାବ୍ଦୀର ପ୍ରଥମ ଦଶକରୁ ଆରମ୍ଭ ବୋଲି ପ୍ରାବନ୍ଧିକ ଚନ୍ଦ୍ରମୋହନ ମହାରଣା ଯୁକ୍ତି ଦର୍ଶାଇଛନ୍ତି । ୟୁରୋପୀୟମାନଙ୍କର ରାଜ୍ୟ ବିସ୍ତାର, ବାଣିଜ୍ୟ, ଧନବୃଦ୍ଧି, ଧର୍ମପ୍ରଚାର, ଦେଶଭ୍ରମଣ, ନୂତନ ନୂତନ ଆବିଷ୍କାର ଲାଳସା ପାଇଁ ଭୂଗୋଳ ବିଜ୍ଞାନର ପୁଷ୍ଟିସାଧନ ହୋଇଛି ବୋଲି ପ୍ରାବନ୍ଧିକ ମତପୋଷଣ କରିଛନ୍ତି ।

 

‘ବାଣିଜ୍ୟ’ ପ୍ରବନ୍ଧରେ ବାଣିଜ୍ୟର ସଂଜ୍ଞା ନିରୂପଣ କରି ପ୍ରାବନ୍ଧିକ କହନ୍ତି- ଭିନ୍ନ ଭିନ୍ନ ଦେଶ ମଧ୍ୟରେ ମାନବ ସମାଜର ପ୍ରୟୋଜନୀୟ ଦ୍ରବ୍ୟମାନଙ୍କର ଆଦାନ ପ୍ରଦାନକୁ ବାଣିଜ୍ୟ କୁହାଯାଏ । ମଣିଷର ଅସଂଖ୍ୟ ଅଭାବ ରହିଛି ଏବଂ ତାହା ପୂରଣ ପାଇଁ ସହସ୍ର ସହସ୍ର ଦ୍ରବ୍ୟର ଆବଶ୍ୟକତା ମଧ୍ୟ ରହିଛି, ଯାହା କୌଣସି ଜଣେ ବ୍ୟକ୍ତିଦ୍ୱାରା ବା ରାଷ୍ଟ୍ରଦ୍ୱାରା ପ୍ରସ୍ତୁତ ହୋଇନଥାଏ । ତେଣୁ ବାଣିଜ୍ୟ କାରବାରର ଆବଶ୍ୟକତା ଦେଖାଦେଇଛି । ପୂର୍ବରୁ ବିନା ମୁଦ୍ରାରେ ବାଣିଜ୍ୟ ହେଉଥିଲା, ଏବେ ମୁଦ୍ରା ବାହୁଲ୍ୟ ପାଇଁ ବାଣିଜ୍ୟର ବିସ୍ତାର ଘଟିଛି । ପ୍ରାବନ୍ଧିକଙ୍କ ମତରେ ଶିଳ୍ପୋନ୍ନତି ହେଲେ ବାଣିଜ୍ୟର ଶ୍ରୀବୃଦ୍ଧି ହୋଇପାରିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ବାଣିଜ୍ୟ କାରବାର ହୋଇଥାଏ । ପ୍ରାବନ୍ଧିକ ଏହି ପ୍ରବନ୍ଧର ପୃଥିବୀର, ଭାରତର ସର୍ବୋପରି ଓଡ଼ିଶାର ବିଭିନ୍ନ ବାଣିଜ୍ୟିକ ସ୍ଥାନର ନାମ ଉଲ୍ଲେଖ କରିଛନ୍ତି । ଏହା ସହିତ ବିଶ୍ୱର ସର୍ବୋତ୍କୃଷ୍ଟ ବାଣିଜ୍ୟିକ ସହରର ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ।

 

ଉପରୋକ୍ତ ପ୍ରବନ୍ଧରେ ୟୁରୋପୀୟମାନଙ୍କ ବାଣିଜ୍ୟ ନିପୁଣତାକୁ ପ୍ରଶଂସା କରାଯାଇଛି । ପରେ ପରେ ଜାପାନୀମାନେ ହିଁ ୟୁରୋପୀୟମାନଙ୍କ ସହିତ ସଫଳ ପ୍ରତିଯୋଗିତା କରିପାରିଛନ୍ତି । ପ୍ରାଚୀନ କାଳରୁ ଭାରତରେ ଉପନିବିଷ୍ଟ ପାରସୀ ଜାତିର ବାଣିଜ୍ୟ ପ୍ରତିଷ୍ଠା ଭାରତୀୟମାନଙ୍କର ଲୁପ୍ତ ବାଣିଜ୍ୟ-ଗୌରବ ଉଦ୍ଧାର କରିପାରିବ ବୋଲି ମନେ କରିଛନ୍ତି ପ୍ରାବନ୍ଧିକ । ସେହିପରି ଭାରତର ଯୋଧପୁର, ମାନ୍ଦ୍ରାଜ ପ୍ରଭୃତି ସହର ମଧ୍ୟ ବାଣିଜ୍ୟର ପ୍ରମୁଖ ସହରଭାବେ ପ୍ରତିଷ୍ଠିତ ହୋଇପାରିଛି । ଜଣେ ବାଲେଶ୍ୱରବାସୀ ହିସାବରେ ଓଡ଼ିଶାର ମୁଖ୍ୟ ବାଣିଜ୍ୟିକ ସହର ବାଲେଶ୍ୱର ବିଷୟରେ ମତ ଦେବାକୁ ଏହି ପ୍ରବନ୍ଧରେ ସେ ଭୁଲିନାହାନ୍ତି । ବାଣିଜ୍ୟ କାରବାରରେ ବାଲେଶ୍ୱରର ସ୍ଥିତି ସମ୍ପର୍କରେ ଚନ୍ଦ୍ରମୋହନଙ୍କ ମନ୍ତବ୍ୟ ହେଲା- “ଉତ୍କଳରେ ବାଲେଶ୍ୱରବାସୀମାନେ ବାଣିଜ୍ୟ ସ୍ପୃହା ନିମନ୍ତେ ଖ୍ୟାତ ଥିଲେ । ମାତ୍ର ଭାରତର ପାଶ୍ଚାତ୍ୟ ଜାତିମାନଙ୍କର ପ୍ରତିଯୋଗିତାରେ ବାଣିଜ୍ୟ-ଲକ୍ଷ୍ମୀ ସେମାନଙ୍କଠାରୁ ମେଲାଣି ଘେନିଲେଣି ।” (ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ପୃଷ୍ଠା-୨୧୮)

 

‘ଇତିହାସ’ ଚନ୍ଦ୍ରମୋହନଙ୍କ ଏକ ଉଚ୍ଚକୋଟୀର ପ୍ରବନ୍ଧ । ଏଥିରେ ଗ୍ରୀସୀୟ ହାଇରଡଟ୍‌ସଙ୍କୁ ଇତିହାସର ଗୁରୁ ଆଖ୍ୟା ଦେବା ସହିତ ଇତିହାସର ଉପାଦାନ ଭାବରେ କିମ୍ବଦନ୍ତୀ ଓ ଜନଶ୍ରୁତିକୁ ଗ୍ରହଣ କରିଛନ୍ତି । ଇତିହାସର ଉପାଦାନ ଭାବେ ଦେବାଳୟ, ବନ୍ଧ, ସେତୁ, ମୁଦ୍ରା, ମୃତ ବ୍ୟକ୍ତିର ସମାଧି ସ୍ଥାନ, ତାମ୍ର-ଫଳକ, ପ୍ରସ୍ତର-ଫଳକ, ସନନ୍ଦ ଇତ୍ୟାଦିକୁ ଗ୍ରହଣ କରିବା ସହିତ ମାଦଳାପାଞ୍ଜିକୁ ଉତ୍କଳର ଇତିହାସ ଭାବେ ଦର୍ଶାଇଛନ୍ତି । ମାତ୍ର, ଉପରୋକ୍ତ ଉପାଦାନଗୁଡ଼ିକ ମଧ୍ୟରୁ ତାମ୍ରଫଳକକୁ ସର୍ବୋତ୍କୃଷ୍ଟଭାବେ ଗ୍ରହଣ କରିଛନ୍ତି ପ୍ରାବନ୍ଧିକ । ପ୍ରାବନ୍ଧିକଙ୍କ ମତରେ ସ୍ୱଦେଶ, ସ୍ୱଜାତି ଓ ସ୍ୱବଂଶୀୟ ଲୋକମାନେ ଇତିହାସରେ ବିଜ୍ଞ ହେଲେ ମାନବ ଆପଣାର ଦାୟିତ୍ୱ ଓ ଅଧିକାର ଠିକ୍ ଭାବରେ ବୁଝିପାରେ । ଏହି ଅଭିଜ୍ଞତା ବ୍ୟକ୍ତି ବିଶେଷକୁ କୁକର୍ମ ଓ କୁପଥରୁ ନିବର୍ତ୍ତାଇଅଛି । ଏହି ଅଭିଜ୍ଞତା ଇଂଲଣ୍ଡ ପରି ଏକ ଦେଶର ଶାସନ ତନ୍ତ୍ରକୁ ଦୃଢ଼ ମୂଳଦୁଆ ପ୍ରଦାନ କରିଛି । ଏହା ମଧ୍ୟ ଅନେକ ମହାତ୍ମାଙ୍କୁ ଆତ୍ମୋତ୍ସର୍ଗ ବ୍ରତରେ ଦୀକ୍ଷିତ କରିଅଛି । ଏହା ସହିତ ଗୋଟିଏ ଉନ୍ନତ ଜାତିର ଇତିହାସ ଗୋଟିଏ ହୀନବସ୍ଥ୍ୟ ଜାତି ମନରେ ଉତ୍ସାହ ସଞ୍ଚାର କରେ, ମନୋବଳ ବୃଦ୍ଧିକରେ ଓ ପଥ ପ୍ରଦର୍ଶନ କରେ । ପୁଣି ବର୍ତ୍ତମାନ ଯେଉଁ ଅଧଃପତିତ ଜାତିର ପୂର୍ବପୁରୁଷମାନେ ପ୍ରାଚୀନ କାଳରେ ଗରୀୟାନ ଥିଲେ, ସେ ଜାତି ଅତୀତ ଓ ବର୍ତ୍ତମାନ ତୁଳନା କରି ଭବିଷ୍ୟତରେ ଲୁପ୍ତ ଗୌରବର ଉଦ୍ଧାର ନିମନ୍ତେ ପ୍ରୋତ୍ସହିତ ହୋଇଥାଏ । ଏଥିରୁ ଇତିହାସରେ ଗୁରୁତ୍ୱ ପ୍ରତିପାଦନ କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରାବନ୍ଧିକ ।

 

ଚନ୍ଦ୍ରମୋହନଙ୍କ ମତରେ ଇତିହାସର କ୍ଷେତ୍ର ଅତି ବ୍ୟାପକ । ଯାହାର ଉତ୍ପତ୍ତି, ସ୍ଥିତି, ବିଲୟ ଅଛି ତାହା ଇତିହାସ ପର୍ଯ୍ୟାୟଭୁକ୍ତ । ରାଜା, ରାଜବଂଶ, ମାନବଜାତି ସବୁ ଏଥିରେ ଅନ୍ତର୍ଭୁକ୍ତ । ବିଭିନ୍ନ ଯୁଦ୍ଧର, ମାନବୀୟ ବିଭିନ୍ନ ଧର୍ମ ସମ୍ପ୍ରଦାୟର, ବାଷ୍ପୀୟ ଯନ୍ତ୍ରର, ଚିତ୍ରବିଦ୍ୟା ଓ ସଂଗୀତ ଶାସ୍ତ୍ରର ଯେପରି ଇତିହାସ ଲେଖାଯାଏ ସେହିପରି ସୂକ୍ଷ୍ମ ବଟବୀଜ, ଧୂଳିକଣା ଓ ସୃଷ୍ଟିତତ୍ତ୍ୱର ମଧ୍ୟ ଇତିହାସ ଲେଖାଯାଇପାରେ । ମାତ୍ର ଇତିହାସ ଲେଖିବା ପାଇଁ ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ଅଧ୍ୟବସାୟ ଜରୁରୀ ବୋଲି ପ୍ରାବନ୍ଧିକ ମତପୋଷଣ କରିଛନ୍ତି । ଇତିହାସ ଲେଖିବାର ସ୍ୱଚ୍ଛତା ଓ ସଚ୍ଚୋଟତା ଆବଶ୍ୟକ । ଏଥିରେ ମିଥ୍ୟା ଲେଖିଲେ ଆମର ଇତିହାସ କଳଙ୍କିତ ହୋଇଥାଏ । ସତ୍ୟ ପ୍ରତି ଅଟଳ ଭକ୍ତି ଇତିହାସ-ପ୍ରଣେତାଙ୍କର ପ୍ରଧାନ ଲକ୍ଷଣ ହେବା ବିଧେୟ ।

 

ଇତିହାସ ଓ ତା ଅନ୍ତର୍ଗତ ମହାପୁରୁଷଙ୍କ ଜୀବନୀ ପାଠକଲେ ମନରେ ସଂକୀର୍ଣ୍ଣତା ଓ ଅହଂକାର ଦୂରହୁଏ ଓ ପୂର୍ଣ୍ଣାଙ୍ଗ ଇତିହାସ ପାଠକଲେ ବିପୁଳ ଅଭିଜ୍ଞତା ଜନ୍ମେ ଓ ସଂସାର ଯାତ୍ରା ସୁଖମୟ ହୁଏ । ଏହି ପ୍ରବନ୍ଧ ମାଧ୍ୟମରେ ପ୍ରାବନ୍ଧିକ ଆମର ସଭ୍ୟତା, ସଂସ୍କୃତି, ଶାସ୍ତ୍ର-ପୁରାଣ, ସଂଗୀତ ଶାସ୍ତ୍ର, ଦର୍ଶନ ଶାସ୍ତ୍ର ପ୍ରଭୃତିର ଇତିହାସ ଲିପିବଦ୍ଧ କରିବାକୁ ସେ ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ କରିଛନ୍ତି ।

 

ଓଡ଼ିଶାର ଚାରିଜଣ ବରେଣ୍ୟ ସାହିତ୍ୟିକଙ୍କ ସମ୍ପର୍କରେ ସେ ରଚନା କରିଛନ୍ତି ଚାରୋଟି ପ୍ରବନ୍ଧ । ଏହି ଚାରିଜଣ- ପ୍ରବାଦ-ପୁରୁଷ ହେଲେ ଶ୍ରୀଧର ସ୍ୱାମୀ, କବିବର ରାଧାନାଥ, ସରସ୍ୱତୀ ଫକୀରମୋହନ ଓ ବିଶ୍ୱନାଥ କବିରାଜ । ଶ୍ରୀଧର ସ୍ୱାମୀ ଏକ କ୍ଷୁଦ୍ର ପ୍ରବନ୍ଧ । ଏହି ପ୍ରବନ୍ଧରେ ସେ ଶ୍ରୀଧର ସ୍ୱାମୀଙ୍କ ଜନ୍ମ ବୃତାନ୍ତ ସହ ସାମାନ୍ୟ ସାହିତ୍ୟିକ କୃତୀର ବର୍ଣ୍ଣନା ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାର ରେମୁଣା ପାର୍ଶ୍ୱବର୍ତ୍ତୀ ବଡ଼ସୋନ ଓ ଗଙ୍ଗାହାର ନଦୀ କୂଳବର୍ତ୍ତୀ ମରେଇଗାଁ ଶ୍ରୀଧରଙ୍କ ଜନ୍ମଭୂମି । ସେ ଶ୍ରୀମଦ୍ ଭାଗବତ ଓ ଶ୍ରୀମଦ୍ ଭଗବତ୍ ଗୀତାର ଟୀକାକାର । ଶ୍ରୀଧରଙ୍କ କୌଣସି ଲେଖା ପ୍ରକାଶିତ ହୋଇନଥିବାରୁ ଓ ତାଙ୍କ ସମ୍ପର୍କରେ କୌଣସି ସ୍ଥାନରେ ଆଲୋଚନା ନ ଥିବାରୁ ଚନ୍ଦ୍ରମୋହନ ଏହି ପ୍ରବନ୍ଧ ଲେଖିଛନ୍ତି ବୋଲି ସ୍ୱୀକାର କରିଛନ୍ତି । ଅନ୍ୟ ତିନୋଟି ପ୍ରବନ୍ଧର କଳେବର ଦୀର୍ଘ । ମାତ୍ର ସେଥିରେ ମଧ୍ୟ ସେହି ବରପୁତ୍ରମାନଙ୍କର ଜନ୍ମ, ଜୀବନୀ ଓ ସେମାନଙ୍କର ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଛି ।

 

ପ୍ରାବନ୍ଧିକ ମନେକରନ୍ତି, ଯେକୌଣସି ବ୍ୟକ୍ତି ସମ୍ବନ୍ଧରେ ଆଲୋଚନା କରିବାର ଉପଯୁକ୍ତ ସମୟ ତା’ର ମୃତ୍ୟୁର ପର ମୁହୂର୍ତ୍ତ । ଫଳରେ ସେ ବ୍ୟକ୍ତିକୁ ଉପଯୁକ୍ତ ସମ୍ମାନ ମିଳିପାରିବ । ସେମାନଙ୍କ ଜୀବଦ୍ଦଶାରେ ଯେଉଁମାନେ ସେମାନଙ୍କ ସମ୍ପର୍କରେ ଜାଣିନଥିବେ ବା ଜାଣିବାର ଅବକାଶ ପାଇନଥିବେ, ସେମାନେ ମୃତ୍ୟୁପରେ ଏହି ମହାନ୍‍ ଆତ୍ମାମାନଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ ଓ ସେମାନଙ୍କ ସାହିତ୍ୟ ପ୍ରତି, ଆମ ସମାଜ ପ୍ରତି ଏମାନଙ୍କ ତ୍ୟାଗ ଓ ନିଷ୍ଠାକୁ ସମସ୍ତେ ସମ୍ମାନ ଦେବା ସହ ଏମାନଙ୍କ ପଦାଙ୍କ ଅନୁକରଣ କରିବାକୁ ଅନେକେ ଆଗଭର ହେବେ । ସେହି ନ୍ୟାୟରେ ବୋଧହୁଏ ସେ ରାଧାନାଥଙ୍କ ଉଦ୍ଦେଶ୍ୟରେ ଲିଖିତ ପ୍ରବନ୍ଧଟିର ନାମକରଣ କରିଛନ୍ତି ‘ପରଲୋକଗତ ରାଧାନାଥ ରାୟ’ । ଉକ୍ତ ପ୍ରବନ୍ଧରେ ରାଧାନାଥଙ୍କ ଛାତ୍ରାବସ୍ଥାର ଉତ୍କର୍ଷତା ଓ ପ୍ରଚଣ୍ଡ ଧୀଶକ୍ତିର ପ୍ରଶଂସା କରିବା ସହିତ ସେ ଯେ ଜଣେ ଖୁବ୍‍ ବିନୟୀ ସ୍ୱଭାବର ବ୍ୟକ୍ତି ଥିଲେ ତାହା ଦର୍ଶାଇଛନ୍ତି ପ୍ରାବନ୍ଧିକ । ରାଧାନାଥଙ୍କ ଏକ ଉକ୍ତିକୁ ଏଠାରେ ଉଦ୍ଧାର କରିଛନ୍ତି ଚନ୍ଦ୍ରମୋହନ । “ମୁଁ କିଛି ନୁହେଁ, ଏତିକି ମନେକଲେ ତ ଅହଙ୍କାର ମନରେ ସ୍ଥାନ ପାଇପାରିବ ନାହିଁ ।” (ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ପୃଷ୍ଠା-୨୩୪)

 

ସେହିପରି ଫକୀରମୋହନ ମଧ୍ୟ ଦୟା ଓ କ୍ଷମାର ଅବତାର ଥିଲେ ବୋଲି ସେ ‘ଫକୀରମୋହନ’ ପ୍ରବନ୍ଧରେ ଦର୍ଶାଇଛନ୍ତି । ‘ସାହିତ୍ୟ-ଦର୍ପଣକାର’ ପ୍ରବନ୍ଧରେ ବିଶ୍ୱନାଥ କବିରାଜଙ୍କ ପାଣ୍ଡିତ୍ୟକୁ ପ୍ରଶଂସା କରିବା ସହିତ, ସେ ଯେ ଜଣେ ଉତ୍କଳୀୟ, ସେଥିପାଇଁ ଚନ୍ଦ୍ରମୋହନ ଗର୍ବ ଅନୁଭବ କରିଛନ୍ତି ।

 

ବିଶ୍ୱନାଥ କବିରାଜ ଜଣେ ବିଦ୍ୱାନ ଥିଲେ ଓ ଏକ ପଣ୍ଡିତ ବଂଶରେ ଜନ୍ମ ଗ୍ରହଣ କରିଥିଲେ । ସେ ଅଠରଟି ଭାଷାରେ ପାରଦର୍ଶିତା ଅର୍ଜନ କରିଥିଲେ । କାବ୍ୟର ପରିଭାଷା ବିଭିନ୍ନ ବିଦ୍ୱାନମାନେ ଭିନ୍ନ ଭିନ୍ନ ପ୍ରକାରେ ପ୍ରଦାନ କରିଛନ୍ତି; ମାତ୍ର ‘ସାହିତ୍ୟଦର୍ପଣ’ରେ ବିଶ୍ୱନାଥଙ୍କ ସଂଜ୍ଞା-ବାକ୍ୟଂ ରସାତ୍ମକଂ କାବ୍ୟଂ, ସର୍ବାଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ଏଥିରୁ ବିଶ୍ୱନାଥଙ୍କ ପାଣ୍ଡିତ୍ୱ ସ୍ପଷ୍ଟ ଅନୁମେୟ । ଏହିପରି ଭାବରେ ପ୍ରାବନ୍ଧିକ ଓଡ଼ିଶାର ବରପୁତ୍ରମାନଙ୍କର ସ୍ମୃତିଚାରଣ କରିବା ସହିତ ସେମାନଙ୍କୁ ମନେ ପକେଇବାରେ ପ୍ରାସଙ୍ଗିକତାକୁ ଏଠାରେ ଉପସ୍ଥାପନ କରିଛନ୍ତି ।

 

‘ସ୍ୱପ୍ନ’ ପ୍ରାବନ୍ଧିକ ଚନ୍ଦ୍ରମୋହନଙ୍କ ଏକ ସ୍ୱତନ୍ତ୍ର ପ୍ରବନ୍ଧ । ଏଥିରେ ସେ ସ୍ୱପ୍ନର ବିଭିନ୍ନ ଅବସ୍ଥା ସମ୍ପର୍କରେ ବର୍ଣ୍ଣନା କରିବା ସହିତ କେତୋଟି ସ୍ୱପ୍ନର ମଧ୍ୟ ବ୍ୟାଖ୍ୟା କରିଛନ୍ତି । ନିଦ୍ରା ଓ ଜାଗରଣ ଭେଦରେ ପ୍ରାଣୀର ଦ୍ୱିବିଧ ଅବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ନିଦ୍ରା, ସ୍ୱପ୍ନ ଓ ସୁଷୁପ୍ତି ଭେଦରେ ଦୁଇଭାଗରେ ବିଭକ୍ତ । ସ୍ୱପ୍ନ ହେଉଛି ଜାଗରଣ ଓ ସୁଷୁପ୍ତିର ସନ୍ଧିସ୍ଥଳ । ମଣିଷ ଜାଗ୍ରତ ଅବସ୍ଥାରେ ମଧ୍ୟ ସ୍ୱପ୍ନ ଦେଖିଥାଏ । ଚନ୍ଦ୍ରମୋହନ ପୁନଶ୍ଚ ସ୍ୱପ୍ନର କାରଣ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ଯଥା- ବାହ୍ୟକରଣ ଓ ଅନ୍ତର୍ନିହିତ କାରଣ । ବାହ୍ୟକରଣ ହେଉଛି ମଣିଷର ଦୈନନ୍ଦିନ ଜୀବନରେ ଘଟୁଥିବା ସମସ୍ତ ଘଟଣାବଳୀ । ଅଭ୍ୟନ୍ତରୀଣ କାରଣ ମଧ୍ୟ ଦୁଇପ୍ରକାର । ଯଥା-ମାନସିକ ଓ ଶାରୀରିକ । ମଣିଷର କ୍ରୋଧ, ବାତ୍ସଲ୍ୟ, ବାସନା ଇତ୍ୟାଦି ମାନସିକ କାରଣ । ବିଭିନ୍ନ ରୋଗର ଆଧିକ୍ୟ ମାନସିକ କାରଣ ଅଟେ । ସ୍ୱପ୍ନ ସମୟରେ ମନରରଗତି ଅତି କ୍ଷୀପ୍ର । ଜାଗରଣ କାଳରେ ଅନୁଭୂତ ବିଷୟ ସ୍ୱପ୍ନରେ ସୁନ୍ଦରରୂପେ ପୁନରାନୁଭୂତ ହୁଏ । ମଣିଷର ଯେଉଁ ବିଷୟରେ ପ୍ରବଳ ଆଗ୍ରହ ଥାଏ ଏବଂ ଭାବୁଥାଏ ତାହା ସ୍ୱପ୍ନର ବିଷୟୀଭୂତ ହୁଏ । ମଣିଷର ଯେଉଁ ବିଷୟରେ ପ୍ରବଳ ଆଗ୍ରହ ଥାଏ ଏବଂ ଭାବୁଥାଏ ତାହା ସ୍ୱପ୍ନର ବିଷୟୀଭୂତ ହୁଏ । ଏହା ସହିତ କୁତ୍ରିମ ଉପାୟରେ ମଧ୍ୟ ନିଦ୍ରିତ ଲୋକର ସ୍ୱପ୍ନ ଜାତ କରାଯାଇନପାରେ । ନେତ୍ରଚ୍ଛଦ ଉପରେ ଆଲୋକ-ରଶ୍ମି ପକାଇଲେ ଦାହର ସ୍ୱପ୍ନ ବିଷୟ ହେବ; ନିଦ୍ରିତ ଲୋକପାଖରେ ମୁଗ ପ୍ରଭୃତି ଭାଜିଲେ ଯୁଦ୍ଧର ସ୍ୱପ୍ନ ହୋଇପାରେ । ବିଶେଷ କରି ଜାଗ୍ରତ ଅବସ୍ଥାରେ ମସ୍ତକ ବା ବକ୍ଷରେ ଆର୍ଦ୍ର ଓ ଶୀତଳ ପବନ ଲାଗିଲେ ଭୀଷଣ ସ୍ୱପ୍ନ ଅନୁଭୂତ ହୋଇଥାଏ ।

 

ସ୍ୱପ୍ନ ଦୋଷକୁ ନିବାରଣ କରିବାର ଉପାୟ ମଧ୍ୟ ଉପସ୍ଥାପନ କରିଛନ୍ତି ଚନ୍ଦ୍ରମୋହନ । ଶୀତଳ ବାୟୁ ସ୍ପର୍ଶରେ ଯେଉଁ ସ୍ୱପ୍ନ ହୁଏ, ଶଯ୍ୟାର ନିକଟରେ ବା କିଞ୍ଚିତ୍ ଦୂରରେ ଅଗ୍ନି ସଂସ୍ଥାପନ ଦ୍ୱାରା ତାହା ନିବାରିତ ହୁଏ । ବାୟୁର ଆଧିକ୍ୟରେ ଯେଉଁ ସ୍ୱପ୍ନ ହୁଏ, ଆର୍ଦ୍ର ବସ୍ତ୍ରଦ୍ୱାରା ଦେହ ପୋଛି ଅଥବା ଶୀତଳ ଜଳ ପାନକରି ନିଦ୍ରିତ ହେଲେ ତାହାର ନିବାରଣ ହୋଇପାରେ । ଦୂଷିତ ବାଷ୍ପ ଦ୍ୱାରା ଉତ୍ପନ୍ନ ସ୍ୱପ୍ନ ହୋମ ଦ୍ୱାରା ନିବାରିତ ହୋଇଥାଏ । ଏହିପରି ଭାବରେ ପ୍ରାବନ୍ଧିକ ସ୍ୱପ୍ନର ଉତ୍ସ ଓ ତାହାର ନିରାକରଣର ପ୍ରକ୍ରିୟା ସମ୍ପର୍କରେ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି ।

 

ସ୍ୱପ୍ନ ପ୍ରବନ୍ଧରେ ଚନ୍ଦ୍ରମୋହନ ଉଦାହରଣସ୍ୱରୂପ କେତୋଟି ସ୍ୱପ୍ନର ଅବତାରଣା କରିଛନ୍ତି । ସେଥିରୁ ଏଠାରେ ଗୋଟିଏ ସ୍ୱପ୍ନର ଆଲୋଚନା କରାଗଲା । ସ୍ୱପ୍ନଟି ଏହିପରି- ଇଂଲଣ୍ଡର କୌଣସି ଏକ ବୋର୍ଡ଼ିଂ ସ୍କୁଲରେ ଗୋଟିଏ ପିଲା ପଡ଼ୁଥିଲା । ଛାତ୍ରାବାସର ନିୟମ ଅନୁଯାୟୀ ସମସ୍ତେ ଶୋଇଲା ପରେ କକ୍ଷଗୁଡ଼ିକ ବାହାରୁ ବନ୍ଦ କରିଦିଆଯାଏ । ଦିନେ ରାତିରେ ସେ ପିଲାଟିର ନିଦ ଭାଙ୍ଗିଲା ଏବଂ ସେ ଦେଖିଲା ତା’ ବାପା ତା’ ଶଯ୍ୟା ପାଖରେ ଦଣ୍ଡାୟମାନ । ସେ ଉଠୁ ଉଠୁ ତା’ ବାପାଙ୍କ ଆକୃତି ଧୀରେ ଧୀରେ ଦ୍ୱାରାଭିମୁଖ ହେଲା । ପିଲାଟି ତା’ ପଛେ ପଛେ ଗଲା ଓ ଦେଖିଲା ଦ୍ୱାରଟି ବନ୍ଦ । ପୁଣି ବିଛଣା ପାଖକୁ ଫେରି ଦେଖିଲା କକ୍ଷ ଅନ୍ଧକାରମୟ । ସେ ବିସ୍ମିତ ହେଲା, ଡରିଗଲା । ଦୀପଜାଳି ଏହି ଘଟଣା ଲେଖି ସେ ପୁନର୍ବାର ଶୋଇଗଲା । ଶୋଇବାର କିଛିକ୍ଷଣ ପରେ ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିଲା । ତା’ପରେ ସେ ଆଉ ଶୋଇପାରିଲା ନାହିଁ । ପିତା-ପୁତ୍ରଙ୍କ ବାତ୍ସଲ୍ୟ ପ୍ରବଳ ଥିଲା । ସକାଳୁ ଉଠି ସେ ଘରକୁ ଗଲା । ଜାଣିଲା ପୂର୍ବ ରାତ୍ରିର ପ୍ରଥମ ଦୁଇଥର ସେ ଯେତେବେଳେ ତା’ ବାପାଙ୍କ ମୂର୍ତ୍ତି ଦେଖିଥିଲା ତା’ର ରୁଗ୍‌ଣ ଓ ଶଯ୍ୟାଶାୟୀ ବାପା ତାକୁ ଦେଖିବାକୁ ବ୍ୟାକୁଳ ହୋଇ ମୂର୍ଚ୍ଛା ଯାଇଥିଲେ ଏବଂ ତୃତୀୟ ଥର ସେ ଯେତେବେଳ ତା’ ବାପାଙ୍କ ମୂର୍ତ୍ତି ଦେଖିଲା ସେହି ମୁହୂର୍ତ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ମାଧ୍ୟମରେ ପ୍ରାବନ୍ଧିକ କହିବାକୁ ଚାହିଁଛନ୍ତି ଯେ; ଆମ ପରିବାର, ଆମେ ସାମ୍ନା କରୁଥିବା ବିଭିନ୍ନ ପରିସ୍ଥିତି ଓ ଆମ ଚତୁର୍ପାଶ୍ୱ, ଯେଉଁମାନଙ୍କ ସହିତ ଆମ ସମ୍ପର୍କ ଘନିଷ୍ଠ ସେମାନଙ୍କ ସୁବିଧା-ଅସୁବିଧା ଆମେ ସ୍ୱପ୍ନ ମାଧ୍ୟମରେ ଜାଣିପାରୁ ।

 

ଉତ୍କଳ ସାହିତ୍ୟର ସମ୍ପାଦକ ଚନ୍ଦ୍ରମୋହନଙ୍କୁ ଏକ ପ୍ରବନ୍ଧ ଦେବାକୁ ବାରମ୍ବାର ଅନୁରୋଧ କରିଛନ୍ତି । ଏହାର ଉତ୍ତର ଦେବାକୁ ଯାଇ ସେ ‘କୈଫିୟତ୍‌’ ନାମକ ଏକ କ୍ଷୁଦ୍ର ପ୍ରବନ୍ଧ ରଚନା କରିଛନ୍ତି । ଏଥିରେ ସେ ଓଡ଼ିଶାର ସେହି ସମୟର ଅବସ୍ଥା ସାହିତ୍ୟ ବିକାଶର ଅନୁକୂଳ ନୁହେଁ ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି । ଓଡ଼ିଶାର ଅତୀତର ସ୍ମୃତିଚାରଣ କରିବା ସହିତ, ଆଳସ୍ୟ ଓ ବ୍ୟସନରୁ ମୁକ୍ତ ନହେଲେ ଓଡ଼ିଶା ବିଦ୍ୟା ଗୌରବରେ ମହୀୟାନ୍ ହୋଇପାରିବ ନାହିଁ ବୋଲି ପ୍ରାବନ୍ଧିକ ମତପୋଷଣ କରିଛନ୍ତି ।

 

ପ୍ରାବନ୍ଧିକ ଚନ୍ଦ୍ରମୋହନ ମହାରଣାଙ୍କ ଶେଷ ପ୍ରବନ୍ଧ ଭାବରେ ସ୍ଥାନ ପାଇଛି ୫.୧୦.୨୬ ମସିହାରେ ଉତ୍କଳ ସାହିତ୍ୟ ସମାଜର ଏକବିଂଶ ବାର୍ଷିକ ଅଧିବେଶନର ପ୍ରଦାନ କରିଥିବା ଅଭିଭାଷଣ । ଯାହା ଏଠାରେ ‘ଅଭିଭାଷଣ’ ନାମରେ ସ୍ଥାନିତ । ଏହି ପ୍ରବନ୍ଧରେ ସେ ଓଡ଼ିଶା ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି । ଓଡ଼ିଆ କହୁଥିବା ଲୋକେ ବା ଯେଉଁ ଓଡ଼ିଆମାନେ ଓଡ଼ିଶାର ପଡ଼ୋଶୀ ରାଜ୍ୟର ବାସିନ୍ଦା ହୋଇ ରହିଛନ୍ତି ସେହି ଅଞ୍ଚଳକୁ ଓଡ଼ିଶାରେ ମିଶେଇବାକୁ ସରକାରଙ୍କ ଉଦାସୀନତାକୁ ସେ ଦର୍ଶାଇଛନ୍ତି । ଏହା ସହିତ ଆମ ଭାଷାରେ ଇତିହାସ ଲେଖିବାକୁ ସେ ଆହ୍ୱାନ ଜଣେଇଛନ୍ତି । ଆମର ପଡ଼ୋଶୀ ରାଜ୍ୟ ବଙ୍ଗଳାର ମାତୃଭାଷା ପ୍ରୀତିକୁ ଉପସ୍ଥାପନ କରି ଓଡ଼ିଆମାନଙ୍କୁ ନିଜର ମାତୃଭାଷା ସମ୍ପର୍କରେ ସଚେତନ କରିବାର ପ୍ରୟାସ କରିଛନ୍ତି । ମାତୃଭାଷାର ସ୍ଥିତି ସମ୍ପର୍କରେ ବିଭିନ୍ନ ଯୁକ୍ତି ମାଧ୍ୟମରେ ଆକର୍ଷିତ କରିବାକୁ ଚେଷ୍ଟା କରିବା ସହିତ ପ୍ରାବନ୍ଧିକ ଚନ୍ଦ୍ରମୋହନ ଆଶାପୋଷଣ କରିଛନ୍ତି ଯେ- “ସମସ୍ତେ ମନପ୍ରାଣ ଢାଳିଦେଇ ଲାଗିପଡ଼ିଲେ ନିଶ୍ଚୟ ମାତୃଭାଷାର ଉନ୍ନତି ହେବ । ମାତୃ ଭାଷାରେ ଅଭାବମାନଙ୍କର ପୂରଣ ହେବ ଏବଂ ସଭ୍ୟ ଜଗତରେ ଉନ୍ନତ ଭାଷାମାନଙ୍କ ସହିତ ସମାନ ଆସନରେ ବସିବାକୁ ଇଦାନୀଂ ଆମ୍ଭମାନଙ୍କର ଦୀନା ମାତୃଭାଷା ସମର୍ଥ ହେବ ।” (ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ପୃଷ୍ଠା-୨୬୫)

 

ଚନ୍ଦ୍ରମୋହନ ମହାରଣା ବ୍ୟାକରଣ ରଚନା ପାଇଁ ପାଠକ ସମାଜରେ ପରିଚିତି ଲାଭ କରିଥିଲେ ହେଁ କବିତା, ଗଳ୍ପ ଓ ପ୍ରବନ୍ଧ ରଚନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ବିଶେଷ କରି ତାଙ୍କର ପ୍ରବନ୍ଧଗୁଡ଼ିକ ଯୁକ୍ତିନିଷ୍ଠ, ବିଶ୍ଳେଷଣାତ୍ମକ ଓ ଶିକ୍ଷାପ୍ରଦ । ସେ ବ୍ୟାକରଣ ସଚେତନ ଥିବାରୁ ତାଙ୍କର ପ୍ରବନ୍ଧଗୁଡ଼ିକ ଥଲା ‌ତ୍ରୁଟିହୀନ । ଜଣେ ସୁଶିକ୍ଷକ ହୋଇଥିବାରୁ ତାଙ୍କ ପ୍ରବନ୍ଧରେ ନୀତି ଓ ଆଦର୍ଶକୁ ବେଶୀ ପରିମାଣରେ ଗୁରୁତ୍ୱ ଦିଆଯାଇଛି । ପ୍ରାବନ୍ଧିକ ହେବାର ଅଭିଳାଷ ପାଇଁ ସେ ଏହି ପ୍ରବନ୍ଧ ସବୁ ରଚନା କରିନଥିଲେ । କେବଳ ଛାତ୍ରଛାତ୍ରୀମାନଙ୍କୁ ଉପରୋକ୍ତ ବିଷୟରେ ସଚେତନ କରିବା ସହ ଓଡ଼ିଶାବାସୀଙ୍କୁ ଜାତୀୟତା, ମାତୃଭାଷା ପ୍ରୀତି, ସଭ୍ୟତା, ସଂସ୍କୃତି ସର୍ବୋପରି ନୈତିକ ମୂଲ୍ୟବୋଧରେ ଦୀକ୍ଷିତ କରେଇବା ଥିଲା ତାଙ୍କର ଉଦ୍ଦେଶ୍ୟ । ସେଥିପାଇଁ ସେ ‘ଭୂଗୋଳ’, ‘ବାଣିଜ୍ୟ’ ଓ ‘ଇତିହାସ’ ‌ପ୍ରବନ୍ଧ ରଚନା କରି ଛାତ୍ରଛାତୀମାନଙ୍କୁ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଓ ‘କୈଫିୟତ୍‌’ ଓ ‘ଅଭିଭାଷଣ’ ପରି ପ୍ରବନ୍ଧରେ ଉତ୍କଳୀୟତାରେ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରିବାକୁ ଚେଷ୍ଟା କରିଛନ୍ତି । ବାସ୍ତବିକ୍ ଓଡ଼ିଆ ପ୍ରବନ୍ଧ ରଚନାର ଆଦ୍ୟ ସମୟରେ ପ୍ରାବନ୍ଧିକ ଚନ୍ଦ୍ରମୋହନ ମହାରଣାଙ୍କ ପ୍ରବନ୍ଧ ରଚନାର ସାଧୁ ଉଦ୍ୟମ ପାଇଁ ସମ୍ପ୍ରତି ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଆଜି ଏକ ସ୍ୱର୍ଣ୍ଣିମ ସମୟରେ ଉପନୀତ ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ସହକାରୀ ପ୍ରଫେସର, ଓଡ଼ିଆ

ଫକୀରମୋହନ ବିଶ୍ୱବିଦ୍ୟାଳୟ,

ବ୍ୟାସବିହାର, ବାଲେଶ୍ୱର

-୦-

 

କବି ଚନ୍ଦ୍ରମୋହନଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟି

ଡକ୍ଟର ପ୍ରହ୍ଲାଦ ଖିଲ

 

ସୌନ୍ଦର୍ଯ୍ୟବାଦୀ ଦାର୍ଶନିକ Oscar Wildeଙ୍କ ମତରେ କଳା ବାସ୍ତବ ପ୍ରୟୋଜନ ହୀନ (All art is quite useless) ବିଷୟ । ସୌନ୍ଦର୍ଯ୍ୟ ସୃଷ୍ଟି ସାହିତ୍ୟର ଏକମାତ୍ର ଉଦ୍ଦେଶ୍ୟ । ବ୍ୟକ୍ତି ଓ ରାଷ୍ଟ୍ରର ପ୍ରୟୋଜନରେ ତା’ର ଭୂମିକା ରହିଲା କି ନ ରହିଲା -ଏ ଦାୟବଦ୍ଧତା ସାହିତ୍ୟର ନୁହେଁ । ଶିଳ୍ପୀ ଯେଉଁ ସୌନ୍ଦର୍ଯ୍ୟ ସୃଷ୍ଟି କରେ; ପାଠକ ତା’କୁ ହିଁ ଉପଲବ୍ଧି କରନ୍ତି । ଦାର୍ଶନିକ କାଣ୍ଟ୍ ମଧ୍ୟ ଅନୁରୂପ ମତପୋଷଣ ପୂର୍ବକ ନିଜର (ସୌନ୍ଦର୍ଯ୍ୟ ମୀମାଂସା) ପୁସ୍ତକରେ ସୌନ୍ଦର୍ଯ୍ୟସୃଷ୍ଟି / ସୌନ୍ଦର୍ଯ୍ୟ ଚେତନାକୁ “purposiveness without purpose” ବୋଲି ଉଲ୍ଲେଖ କରିଛନ୍ତି । ଅର୍ଥାତ୍ କଳାଗତ ସୌନ୍ଦର୍ଯ୍ୟର କୌଣସି କ୍ରିୟାମୂଳକ ଉଦ୍ଦେଶ୍ୟ ନାହିଁ । ବାସ୍ତବ ପ୍ରୟୋଜନହୀନ ଏଇ ସୌନ୍ଦର୍ଯ୍ୟ ଚେତନା ହେଉଛି ଆନନ୍ଦମୟ ଆକର୍ଷଣ, ଇନ୍ଦ୍ରିୟଗତ ଅନୁଭୂତି ଓ ମନୋଜ ଭାବାବେଗର ସଂଯୋଗସୂତ୍ର । ସହୃଦୟପାଠକ ସାହିତ୍ୟରେ ଏହି ଅପ୍ରୟୋଜନରେ ଆନନ୍ଦ ଉପଲବ୍ଧି କରୁଥିବା ପରିପ୍ରେକ୍ଷୀରେ ତାକୁ କୋଳାଗତ ସୌନ୍ଦର୍ଯ୍ୟ ଆବିଷ୍କାର କରିବାକୁ ହୋଇଥାଏ ।

 

ପାଶ୍ଚାତ୍ୟ ସୌନ୍ଦର୍ଯ୍ୟଦର୍ଶନରେ ଆଦର୍ଶ / ନୀତିବାଦୀ ସକ୍ରେଟିସ୍ ସୁନ୍ଦର ଭିତରେ ମଙ୍ଗଳର ସ୍ଥିତି ନିରୂପଣ କରି ଯାହା ଉପକାରକ (ମଙ୍ଗଳ ବିଧାୟକ) ତାହା ସୁନ୍ଦର ଓ ଜୀବନ ସାପେକ୍ଷ କହିଛନ୍ତି । କାବ୍ୟ- ପ୍ରେରଣା-ସିଦ୍ଧାନ୍ତର ଉପସ୍ଥାପକ ପ୍ଲୋଟୋ ସତ୍ୟ-ଶିବ-ସୁନ୍ଦରକୁ ଏକ ଓ ଅଭିନ୍ନରୂପେ ଗ୍ରହଣ କରି ଯାହା ସତ୍ୟପ୍ରଖ୍ୟାପକ ତାହା ମଙ୍ଗଳବିଧାୟକ; ତେଣୁ ସୁନ୍ଦର ବୋଲି କହିଛନ୍ତି । କବି ଅନୁକରଣକାରୀ ସିଦ୍ଧାନ୍ତ (Imitation Theory)ର ପ୍ରବକ୍ତା ଆରିଷ୍ଟୋଟଲ ବିରେଚକ (Catharsis) ତତ୍ତ୍ୱକୁ ପ୍ରାଧାନ୍ୟ ଦେଇ ଟ୍ରାଜେଡ଼ିର ଫଳଶ୍ରୁତିକୁ ସୌନ୍ଦର୍ଯ୍ୟ (ଆନନ୍ଦ) ଅର୍ଥରେ ଗ୍ରହଣ କରିଛନ୍ତି । ଦାର୍ଶନିକ ସିସେରୋଙ୍କ ମତରେ ଅଙ୍ଗ ସହିତ ରଙ୍ଗର ଅନୁକୂଳ ମିଳନ ହେଉଛି ସୌନ୍ଦର୍ଯ୍ୟ । ପ୍ଲୋଟିନ୍ସ (ପ୍ରତିକୀକରଣ) ପ୍ରତୀକକୁ / ପ୍ରତିକବାଦୀ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇ ଏହା ପ୍ରଜ୍ଞାର ବିଷୟ ବୋଲି କହିଛନ୍ତି । ଅଗଷ୍ଟାଇନ ଆକୃତିମୂଳକ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟକୁ ପ୍ରାଥମିକତା ଦେଇଛନ୍ତି । ସେଫ୍‌ଟସବରୀ, ଏଡିସନ, କେମ୍‌ସ ପ୍ରମୁଖ ସୌନ୍ଦର୍ଯ୍ୟକୁ ବ୍ୟକ୍ତିଗତ ଅନୁଭୂତି / ବ୍ୟକ୍ତିର ଦୃଷ୍ଟିକୋଣ ଜନିତ ବିଷୟ (ତର୍କ)ରୂପେ ଗ୍ରହଣ କରି ଏହା ମନର ନୈତିକ ଓ ଅଧ୍ୟାତ୍ମିକ ପୂର୍ଣ୍ଣତାରେ ଅବସ୍ଥାନ କରେ ବୋଲି କହିଛନ୍ତି । ଦାର୍ଶନିକ ଗେଟେ ପ୍ରେମକୁ, ବସାଙ୍କେ, କ୍ରୋଚେ, ‘ଅଭିବ୍ୟଜ୍ଞନା’ ବା ‘କଳ୍ପନା’କୁ, ଲାଞ୍ଜାଇନ୍‍ସ ବର୍କ ପ୍ରମୁଖ ଉଦ୍ଧାତ୍ତ (Sublin) ଚେତନାକୁ ସୌନ୍ଦର୍ଯ୍ୟ ଅର୍ଥରେ ଗ୍ରହଣ କରିଥିବାବେଳେ; ହେଗେଲ, କାଣ୍ଟ, ଟଲଷ୍ଟୟ ଏମାନେ ତଟସ୍ଥ ସିଦ୍ଧାନ୍ତ (Phychic distance) ଓସ୍‌କାର ୱାଇଲଡ କଳାପାଇଁ କଳା ସିଦ୍ଧନ୍ତ (Art for Art’s Sake) ଭିତରେ ସୌନ୍ଦର୍ଯ୍ୟ ସନ୍ଧାନ / ସ୍ଥାନିତ କରିଛନ୍ତି ।

 

ସୌନ୍ଦର୍ଯ୍ୟ ଚେତନା / ନନ୍ଦନତତ୍ତ୍ୱର ପରିସର ବ୍ୟାପକ । ଏହାର ସର୍ବଜନଗ୍ରାହ୍ୟ ପ୍ରମାଣିତ ପରିଭାଷା ନିରୂପଣ ସହଜ କଥା ନୁହେଁ । “ସୌନ୍ଦର୍ଯ୍ୟ ସୀମାଂସା ସମ୍ବନ୍ଧରେ ଚରମ କଥା କେହି କହିପାରିବେ ନାହିଁ । ମନୁଷ୍ୟର ସୌନ୍ଦର୍ଯ୍ୟ ଚେତନା ନିତ୍ୟ ବିକାଶମୁଖୀ । ସୌନ୍ଦର୍ଯ୍ୟତତ୍ତ୍ୱ ପ୍ରତିଷ୍ଠାରେ ନାନାମୁନିଙ୍କର ନାନାମତ, ମାନେ ଶିଳ୍ପ-ସାହିତ୍ୟର ରସୋପଭୋଗ ନିମନ୍ତେ ତାହା ସହାୟକ, ବାଧକ ନୁହେଁ ।” (ନନ୍ଦନ ତାତ୍ତ୍ୱିକ ପ୍ରବନ୍ଧାବଳି, ଡ. ବୈରାଗୀ ଚରଣ ଜେନା, ପ୍ରାକ୍‍କଥନ) ଆନନ୍ଦଦାନ ସାହିତ୍ୟର ଲକ୍ଷ୍ୟ ହୋଇଥିବା ହେତୁ ସର୍ଜନଶୀଳତା ମୂଳରେ ସୌନ୍ଦର୍ଯ୍ୟଚେତନା ନ ରହିଲେ ପାଠକ ହୃଦୟରେ ଆନନ୍ଦମୟ ସମ୍ବିତର ଉଦୟ ହୋଇପାରେନାହିଁ । ଏହି ଦୃଷ୍ଟିରୁ ସାହିତ୍ୟରେ ସୌନ୍ଦର୍ଯ୍ୟ ସହିତ ଆନନ୍ଦର ଅବସ୍ଥିତି ଅନିବାର୍ଯ୍ୟ ହୋଇଥାଏ । ଭାରତୀୟ ଶିଳ୍ପଶାସ୍ତ୍ର ଦୃଷ୍ଟିରୁ ବିଚାର କଲେ ନବମଶତାବ୍ଦୀର କବି ମାଘ ‘ଶିଶୁପାଳବଧମ୍‌’ କାବ୍ୟରେ ସୌନ୍ଦର୍ଯ୍ୟ ଚେତନାକୁ ପାରିଭାଷିକ ଅର୍ଥ ଦେବାର ମନୋଜ୍ଞ ପ୍ରୟାସ କରିଛନ୍ତି ।

 

“ଦୃଷ୍ଟୋଽପି ଶୈଳଃସ ମୁହୁର୍ମୁରାରେର୍‌

ଅପୂର୍ବବଦ୍ ବିସ୍ମୟ ମାତତାନ

କ୍ଷଣେକ୍ଷଣେ ଯନ୍ନ ବତାମୁପେତି

ତଦେବ ରୂପମ୍ ରମଣୀୟତାୟାଃ ।”

(ମାଘ, ଶିଶୁପାଳବଧମ୍‌)

 

ଶ୍ରୀକୃଷ୍ଣ ରୈବତକ ପର୍ବତକୁ ପୂର୍ବରୁ ବହୁବାର ଦେଖିଥିଲେ ମଧ୍ୟ ତାହା ପ୍ରତିଥର ନୂଆଁ ନୂଆଁ ରୂପରେ ଦେଖାଦେଇ ତାଙ୍କୁ ବିସ୍ମୟାଭିଭୂତ କରୁଛି । ରୈବତକ ପର୍ବତ ସମ୍ପର୍କରେ ଶ୍ରୀକୃଷ୍ଣଙ୍କର ଏହି ନିତ୍ୟନୂତନ ଉପଲବ୍ଧିହିଁ ସୌନ୍ଦର୍ଯ୍ୟର ପରିଭାଷାରୂପେ ବହୁଜନାଦୃତ ।

 

ପାଶ୍ଚାତ୍ୟ ସାହିତ୍ୟ କ୍ଷେତ୍ରରେ ଜର୍ମାନ ଦାର୍ଶନିକ ବମ୍‌ଗାର୍ତ୍ତେନ ପ୍ରଥମେ ୧୨୩୫ ମସିହାରେ ଉପଯୁକ୍ତ ଅର୍ଥରେ Aesthetic ଶବ୍ଦକୁ ଗ୍ରହଣ କରି ଏହିଭାବକୁ ସ୍ୱତନ୍ତ୍ର କଳାସିଦ୍ଧାନ୍ତ ଓ ଇନ୍ଦ୍ରିୟବୋଧ ବିଜ୍ଞାନ (ଇନ୍ଦ୍ରିୟଲବ୍ଧ ଜ୍ଞାନ)ରୂପେ ପ୍ରତିପାଦନ କରିଛନ୍ତି ।

 

ସୌନ୍ଦର୍ଯ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ । ସୌନ୍ଦର୍ଯ୍ୟ ବିନା ରୂପ ପଥରର କୌଣସି ଏକ ମୂର୍ତ୍ତି ସଦୃଶ: ଯା ଦେହରେ ନା ଚମକ ଥାଏ; ନା ରଙ୍ଗର ସତ୍ୟତା ଥାଏ; ନାହିଁ ସ୍ପର୍ଶର କୌଣସି ମଧୁର ଅନୁଭବ ରହିଥାଏ । ଯେଉଁମାନଙ୍କ ନିକଟରେ ସୌନ୍ଦର୍ଯ୍ୟ ରହିଛି; ସେମାନଙ୍କ ଅନ୍ତରରେ ସୌନ୍ଦର୍ଯ୍ୟର ଦେବୀ ବିରାଜ କରନ୍ତି । ସୌନ୍ଦର୍ଯ୍ୟ ବ୍ୟକ୍ତିଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । କିନ୍ତୁ ରୂପ ସୌନ୍ଦର୍ଯ୍ୟ ତୁଳନାରେ ଅନ୍ତରର ସୌନ୍ଦର୍ଯ୍ୟ / ଗୁଣଗତ ସୌନ୍ଦର୍ଯ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ । ସାମାଜିକ ଜୀବନରେ ସମରୂପତାର ଅଭାବ ନାହିଁ; ଅଭାବପଣ ରହିଛି ଗୁଣ ଓ ଗୁଣ ପ୍ରତି ଅନୁରାଗର । କବି ଚନ୍ଦ୍ରମୋହନଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟିରେ ଏହି ଗୁଣହିଁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗୁଣରେ ମନହରିନେଉଥିବା ବ୍ୟକ୍ତିବିଶେଷ ସମାଜରେ ଆଦର ପାଉଥିବାର କଥାକୁ ସ୍ୱୀକାର କରିଛନ୍ତି ।

 

“ରୂପରେ ରୂପରେ ମେଳିଥିଲେ, ଯଦି

ଅମେଳଥାଏ ଗୁଣରେ

ଗୁଣ ଯେ ଅଧିକସେ ପାଏ ଆଦର

ଏହି ରୀତି ଜଗତରେ ।”

(କୁଆ କୋଇଲି)

 

ରଙ୍ଗ ଦୃଷ୍ଟିରୁ କୁଆ ଓ କୋଇଲି ମଧ୍ୟରେ ରୂପଗତ ସାମଞ୍ଜସ୍ୟ ରହିଥିଲେ ମଧ୍ୟ, କୁଆ କର୍କଶସ୍ୱରରେ କାଆ କାଆ ରାବି ଏଣେତେଣେ ବୁଲି ସ୍ୱଭାବରେ ବିରକ୍ତିକାରକ ଓ ଖଳ ବୋଲାଉଥିବା ହେତୁ କୁଆ ପ୍ରତି ଲୋକମାନସିକତାରେ ଅନାଦର ଭାବ ରହିଛି । କୋଇଲି କିନ୍ତୁ ମନୋହର ଉଚ୍ଚ ଡାଳରେ ବସି କୁହୁକୁହୁ ରାବରେ ମଧୁମୟ ସ୍ୱରଝଙ୍କାର ସୃଷ୍ଟିକରି ମନ ବନ୍ଦି କରିନେଉଥିବା ହେତୁ କୋକିଳ ଜଗତଜନଙ୍କ ଦୃଷ୍ଟିରେ ଆଦରଣୀୟ ହୋଇଥାଏ । ଏଇଠି କଳାଗତ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବିଚାର କଲେ କୁଆ ଓ କୋଇଲି ମଣିଷ-ପ୍ରବୃତ୍ତିର ଦୁଇଟ ଭିନ୍ନ ଭିନ୍ନ ସ୍ୱରୂପର ପ୍ରତିନିଧିତ୍ୱ କରୁଛନ୍ତି । ମନୁଷ୍ୟ ବିବର୍ତ୍ତନ ବାଦର ଚରମ ପ୍ରତିଶ୍ରୁତି । ତା’ ନିକଟରେ ବର୍ତ୍ତମାନ ବି ଦୁଇଟି ପ୍ରବୃତ୍ତି ସମାନ୍ତରାଳ ଭାବରେ ଗତିଶୀଳ । ଗୋଟିଏ ହେଉଛି ମାନବିକତାର; ଅନ୍ୟଟି ଅମାନବିକତାର । ପ୍ରଥମଟି ବିବେକୀତାର, ଦ୍ୱିତୀୟଟି ଅବିବେକୀତାର । ଯେତେବେଳେ ଯେଉଁ ପ୍ରବୃତ୍ତିଟି ପ୍ରଧାନ୍ୟ ଲାଭ କରୁଛି; ସେତେବେଳେ ସିଏ ହିଁ ଜୁଆର ଆଣୁଛି, ତରଙ୍ଗ ସୃଷ୍ଟି କରୁଛି, ଉଚ୍ଚାଟ ସୃଷ୍ଟି କରୁଛି ଏବଂ ଅନ୍ୟ ପ୍ରବୃତ୍ତିଟି ଭଟ୍ଟା ପଡ଼ିଯାଉଛି । ତେଣୁ ମାନବୀୟ ଗୁଣାବଳୀର ସୌନ୍ଦର୍ଯ୍ୟରେ ଅନୁପମ ହେବାକୁ ହେଲେ ଉତ୍ତମଭାବମାନସ ତିଆରି କରିବାର ପ୍ରେରଣାଲାଭର ଆବଶ୍ୟକତା ରହିଛି ବୋଲି କବି ଭାବନା ରୂପାୟିତ ହୋଇଛି ।

 

‘ହଳଦିବସନ୍ତ’ କବିତାରେ, ହଳଦି ବସନ୍ତ ପକ୍ଷୀ ନିକଟରେ ରହିଥିବା ମନୋହର ରୂପ, ସୁମଧୁର କଣ୍ଠ ଓ ଶାନ୍ତ ସ୍ୱଭାବରୁ ସକାରତ୍ମକ ଶିକ୍ଷାଲାଭ କରି ବାଳକ-ବାଳିକାମାନେ ଜୀବନ ନିର୍ମାଣରେ ମାର୍ଗ ପ୍ରଶସ୍ଥ କରିପାରିଲେ ମଣିଷ ପରି ମଣିଷଟିଏ ହୋଇ କୋଟିଜନମନ ଟାଣି ନେବାର ଯଥାର୍ଥତା ଦର୍ଶାଇଛନ୍ତି । ରୂପପ୍ରତି ବ୍ୟକ୍ତିଗତ ରୁଚିର ଅନୁରାଗ ସର୍ବାଧିକ ବୋଲି ରୂପଦର୍ଶନରେ ମନସ୍ୱତଃ ବନ୍ଦିହୁଏ । ଏହି ଭାବାନୁସାରୀ ଦେଖିଲେ ସୌନ୍ଦର୍ଯ୍ୟ, ଆକର୍ଷଣ ଓ ପ୍ରେମ ହେଉଛି ସଂସାର ପରିଚାଳନାର ପ୍ରମୁଖ ଅନୁସଙ୍ଗ । ଶାରିରୀକ ସୌନ୍ଦର୍ଯ୍ୟା/ ରୂପ ଦ୍ରଷ୍ଟାକୁ ମନର ସୌନ୍ଦର୍ଯ୍ୟ ନିକଟରେ ପହଞ୍ଚାଇବାର କାର୍ଯ୍ୟକରୁଥିବା ହେତୁ ରୂପସୌନ୍ଦର୍ଯ୍ୟ ବ୍ୟକ୍ତିର ବାହ୍ୟ ଆଭୂଷଣ ସଦୃଶ । କବିଙ୍କ ବିଚାରରେ ରୂପସୌନ୍ଦର୍ଯ୍ୟ ସହିତ ମନର ସୌନ୍ଦର୍ଯ୍ୟ (ଉତ୍ତମଗୁଣ) ମଧ୍ୟ ନିତାନ୍ତ ଜରୁରୀ । ମନର ସୌନ୍ଦର୍ଯ୍ୟ ପ୍ରତ୍ୟେକ ବ୍ୟକ୍ତିଠାରେ ରହିବା ଆବଶ୍ୟକ । ଅନ୍ୟକଥାରେ ମଣିଷର ଅନ୍ତର୍ମନ (ହଳଦିବସନ୍ତ ପରି) ସ୍ୱଚ୍ଛ ଓ ନିର୍ମଳ ହେବା ଆବଶ୍ୟକ । କିନ୍ତୁ ସତ୍ୟତା ହେଉଛି କେହି କେବେ ଅନ୍ତର୍ନିହିତ ଗୁଣାବଳୀକୁ ନିରେକ୍ଷି ଦେଖିବର ପ୍ରୟାସ କରନ୍ତି ନାହିଁ; ବାହ୍ୟ ଆବରଣରେହିଁ ମୋହିତ ହୋଇ ସେଥିରେ ଚରମସୁଖ ପ୍ରାପ୍ତି ସମ୍ଭବ ବୋଲି ଧରି ନିଅନ୍ତି । କିନ୍ତୁ କବି ଚନ୍ଦ୍ରମୋହନ ଜ୍ଞାନି, ତପସ୍ୱୀଙ୍କ ପରି ଗୁଣଗତ ସୌନ୍ଦର୍ଯ୍ୟକୁ ମହତ୍ୱ ଦେଇଛନ୍ତି । ଗୁଣଜସୁନ୍ଦର ଈଶ୍ୱରଙ୍କ ଦର୍ପଣ ସଦୃଶ । ଏଇ ଦର୍ପଣ ସେତିକି ବେଳେ ଦାଗସବୁ ପଡ଼ିଯାଏ । ଏ ସବୁଠାରୁ ଊର୍ଦ୍ଧ୍ୱରେ ନିର୍ବିକାର ସୌନ୍ଦର୍ଯ୍ୟ ଅହଂର ତ୍ୟାଗରେ ପ୍ରାପ୍ତ ହୋଇଥାଏ । ଏହା ଐଶ୍ୱରୀୟ ବରଦାନ ! ଈଶ୍ୱର ସେଇମାନଙ୍କୁ ପ୍ରଦାନ କରନ୍ତି ଯେଉଁମାନେ ଓଲଟ ମାଠିଆ ସଦୃଶ ନହୋଇ ସକରାତ୍ମକତା ଆଡ଼କୁ ସଦା ଉନ୍ମୁଖ ରହନ୍ତି । ଗୁଣ ପ୍ରତି ସୌନ୍ଦର୍ଯ୍ୟର ଅନୁରାଗ କେତେ ଯେ କବି ଉକ୍ତିରୁ ଲକ୍ଷ କରାଯାଉ-

 

“ହଳଦି ବସନ୍ତ ପରି ରୂପବନ୍ତ

ବାଳକ ବାଳିକାମାନେ ।

ମୋହ କଥା ମନେ ରଖିବ ଯତନେ

ଗୁଣୀହୁଅ ତା’ ସମାନେ ।”

 

କର୍ମଗୁଣ ମାନବୀୟ ମୂଲ୍ୟବୋଧର ବଡ଼ ବିଷେଶତ୍ୱ । ନିଜର କର୍ମହିଁ ବ୍ୟକ୍ତିକୁ ଛୋଟ କରେ କିମ୍ବା ବଡ଼ କରେ । ଜନ୍ମଠାରୁ ଆରମ୍ଭ କରି ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହେବା ପର୍ଯ୍ୟନ୍ତ ବ୍ୟକ୍ତିଜୀବନରେ ଲମ୍ବିଯାଇଥିବା ସୁଦୀର୍ଘ ସରଣୀ ମଧ୍ୟରେ ଜୀବନ ହେଉଛି କର୍ମପ୍ରଧାନ । ଉତ୍ତମକର୍ମ କରିଥିବା ବ୍ୟକ୍ତିହିଁ ମହାନ୍‍ତା ପ୍ରାପ୍ତିର ସ୍ତରକୁ ଉନ୍ନିତ ହୋଇଥାଏ । ଏଥିନିମିତ୍ତ ସାଧନାର ମାର୍ଗରେ- ବ୍ୟକ୍ତିତ୍ୱ, ବୁଦ୍ଧି, ପରିଚୟ, ଭୌତିକତା, ପରିପକ୍ୱତା, ଅନ୍ତର୍ଦୃଷ୍ଟି ଓ ଆତ୍ମପ୍ରତ୍ୟୟ ପରି କେତୋଟି ସୋପାନ ଆସେ, ଯାହାକୁ ସଫଳତାର ସହ ଅତିକ୍ରମ କରୁ କରୁ ସିଦ୍ଧି ସ୍ପର୍ଶ କରେ । ‘ବଟବୃକ୍ଷ’ କବିତାରେ ବଟବୃକ୍ଷର ଲାକ୍ଷଣୀୟ ବୈଶିଷ୍ଟ୍ୟ କବିଙ୍କ ସମଷ୍ଟିଭୂତ ଚେତନ ସ୍ତରରେ ଲୀନ ହୋଇ ଭାବରୂପଲାଭ କଲାପରେ ତାହା ପ୍ରେରଣାଦାୟୀ ମାନଦାୟୀ ସୁନ୍ଦରତା ପ୍ରକାଶ କରି କବି କର୍ମର ଚମତ୍କାରିତା ସୃଷ୍ଟି କରିଛି ।

 

“ନିଜେ ସହି ଖରାବର୍ଷା ଶୀତର କଷଣ

ଜୀବମାନନଙ୍କର ହିତ କରଇ ସାଧନ ।

ଏହି ରୂପେ ଯେଉଁ ଜନ ନିଜେ କଷ୍ଟ ସହି

ପରହିତ ସାଧେ; ତାକୁ ମହାଜନ କହି ।” (ବଟବୃକ୍ଷ)

 

ପରହିତ ସାଧାନ ହିଁ କବି ଦୃଷ୍ଟିରେ ଜୀବନର ନାନ୍ଦନିକ ଉଦ୍ଦେଶ୍ୟ । ବ୍ୟକ୍ତି ଯଦି ଏତେ ଆତ୍ମକୈନ୍ଦ୍ରିକ ହୋଇଯିବ ଯେ ଆପଣା ସ୍ୱାର୍ଥ ବ୍ୟତୀତ ଅନ୍ୟ କାହାରି ସ୍ୱାର୍ଥକଥା ଚିନ୍ତା କରିବ ନାହିଁ, ତେବେ ତା’ର ସମସ୍ତ ଅର୍ଜିତ ଜ୍ଞାନ ଅଜ୍ଞାନଠାରୁ ଆହୁରି ଭୟଙ୍କର ହୋଇଯାଏ । ଆମେ ବ୍ୟକ୍ତିରୁ ବିଶ୍ୱ ଆଡ଼କୁ ଯାଉନା । ବ୍ୟକ୍ତିରୁ ବ୍ୟକ୍ତିକୈନ୍ଦ୍ରିକ ହୋଇଯାଉ ଏବଂ ସେହି କେନ୍ଦ୍ର ଭିତରେ ମଧ୍ୟ ସ୍ଥିରହୋଇ ରହିପାରୁ ନା । ଯଥାର୍ଥରେ ଏହାହିଁ କୁରୂପତା ।

 

ମଣିଷ ହିସାବରେ ଜଣେ ବ୍ୟକ୍ତି ନିକଟରେ ଥିବା ରୁଚି, ନୀତି ଓ ମାନବିକତାର ମୂଲ୍ୟବୋଧକୁ ଚିହ୍ନି ସହୃଦୟ ପାଠକଙ୍କୁ ଚିହ୍ନାଇଦେବାର ପ୍ରଯତ୍ନଶୀଲତା କବିଙ୍କର ଭିତର ଓ ବାହାର, ମହୁମାଛି, ମନେରଖ, ସନ୍ଧ୍ୟା, ଦୁର୍ବାଦଳ, ମେଘ, ଶୈଶବ, ପ୍ରାର୍ଥନା ଆଦି କବିତାଗୁଡ଼ିକର ପ୍ରାୟତଃ ପଂକ୍ତିରେ ରୂପାୟିତ ହୋଇଛି । କବିତାର ଧର୍ମ କେବଳ ଆନନ୍ଦଦାନରେ ସୀମାବଦ୍ଧ ନୁହେଁ । ଏହା ମଧ୍ୟ ପାଠକୀୟ ମାନସିକତା (ଭାବମାନସ) ତିଆରି କରିବାର ପ୍ରେରଣା ଯୋଗାଇ ଦେଇଥାଏ । ଏହି ଦୃଷ୍ଟିକୋଣରୁ ବିଚାର କଲେ କବି ଚନ୍ଦ୍ରମୋହନଙ୍କର କବିତାଗୁଡ଼ିକ ବେଶ୍ ସମର୍ଥ । ବ୍ୟକ୍ତିର ବ୍ୟକ୍ତିତ୍ୱ ନିର୍ମାଣ ଓ ଜୀବନଗଠନ ମାର୍ଗରେ କାମ, କ୍ରୋଧ, ଅହଂକାର, ମୋହ, ଲୋଭ, ଆଳସ୍ୟ ଓ ଇର୍ଷା ଆଦି ଦୋଷଗୁଣଗୁଡ଼ିକ ସର୍ବଦା ବାଧକ ହୋଇ ଠିଆ ହୁଅନ୍ତି । ଏମାନଙ୍କର ସଂସ୍ପର୍ଶରେ ଆସିଲେ ଯେ କୌଣସି ବ୍ୟକ୍ତିର ମଧ୍ୟ ବିନାଶ ହିଁ ସାର ହୋଇଥାଏ । ଏହି ସବୁ ରୀପୁଦୋଷ / ଭାବଦୋଷଗୁଡ଼ିକର ଏକ ବଡ଼ ଶତ୍ରୁ ରହିଛି; ଯାହାର ନାମ ‘ପରିଶ୍ରମ’ ବୋଲି କବି ଅତି ସୁନ୍ଦର ଭାବରେ ‘ମହୁମାଛି’ କବିତାରେ ଉଲ୍ଲେଖ କରି କାବ୍ୟିକ ସୌନ୍ଦର୍ଯ୍ୟ ସୃଷ୍ଟି କରିଛନ୍ତି । କବି ବର୍ଣ୍ଣନାରେ-

 

“ଶ୍ରମଅଟେ ବଡ଼ ଗୁଣ, ଆଳସ୍ୟର ଅରି !

ପ୍ରାଣୀର ମନକୁ ଏହା ମହତ ପ୍ରହରୀ ।”

 

କବି ଚନ୍ଦ୍ରମୋହନଙ୍କ ଲେଖନୀରେ ପ୍ରକୃତି ହୋଇଛି ପ୍ରେରଣାଦାୟୀ । ଏହାଙ୍କ କବିତାରେ ପ୍ରକୃତି ଶୀଳା-ସ୍ରୋତ-କାନନର ଜଡ଼ ସମଷ୍ଟିରୂପେ ଚିତ୍ରିତ ନ ହୋଇ ଜୀବନ୍ତ ରୂପ ଲାଭ କରି ହୃଦୟର ଭାବାବେଗକୁ ବିଭିନ୍ନ ଭାବରେ ଉଦୀପ୍ତ କରିଛି । ଦୂର୍ବାଦଳ, ମେଘ, ବର୍ଷା, ଶରତ, ହେମନ୍ତ, ଶିଶିର, ବସନ୍ତ, ଚନ୍ଦ୍ର, ଖଣ୍ଡଗିରି ଆଦି କବିତାଗୁଡ଼ିକରେ ଦୃଶ୍ୟମାନ ବହିଃପ୍ରକୃତି ଓ ଅନୁଭବ ଯୋଗ୍ୟ ଅନ୍ତଃପ୍ରକୃତି ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ସୌନ୍ଦର୍ଯ୍ୟାନୁଭୂତି ଜନିତ ଆନନ୍ଦ ସୃଷ୍ଟି କରିଛନ୍ତି । କବି ହେଗେଲଙ୍କର ସୌନ୍ଦର୍ଯ୍ୟଦୃଷ୍ଟି ପ୍ରକୃତିକୁ ଗୁରୁତ୍ୱ ଦେଇଛନ୍ତି । ତାଙ୍କ କଳାସିଦ୍ଧାନ୍ତ ଅନୁସାରେ, “ମନୁଷ୍ୟ ପ୍ରକୃତିର ଅସୀମ ସୌନ୍ଦର୍ଯ୍ୟକୁ ଅବଲୋକନ କରି ପ୍ରାଣରେ ଯେଉଁ ଅପୂର୍ବ ଆନନ୍ଦାନୁଭୂତି ପାଇଥାଏ; ତାହାକୁ ସିଏ କଳା ମାଧ୍ୟମରେ ପ୍ରକାଶ କରିଥାଏ ।”

 

(ମୁଗ୍ଧଦୃଷ୍ଟି: ମଧୁର ସୃଷ୍ଟି, ଡ. ହୃଷିକେଶ ପଣ୍ଡା, ପୃଷ୍ଠା-୭୪)

 

ଏହି ଭାବଧାରାରେ ‘ଦୂର୍ବାଦଳ’ ସାମାନ୍ୟ ଘାସଟିଏ ହୋଇଥିଲେ ମଧ୍ୟ ତା’ ନିକଟରେ ଥିବା ମହନୀୟଗୁଣ ଯୋଗୁଁ କବି ହୃଦୟରେ ଆନନ୍ଦମୟ କ୍ରିୟା ପ୍ରତିକ୍ରିୟା ସଂଜାତ କରି ତା’ର ସୁକୁମାର ପଣରେ ମାନବୀୟ ସୌନ୍ଦର୍ଯ୍ୟ ସହ ତୁଳନୀୟ ହୋଇଛି । ଯଥା :–

 

“ସୁକୁମାର ପଣେ କାହିଁ ତୋର ପଟାନ୍ତର ।

ସୁକୁମାର ହୁଏ ତନୁ ଯେଉଁ ମାନବର,

ପୁଣି ସୁନ୍ଦର ଶ୍ୟାମଳ,

ତୋ ସଙ୍ଗେ ତୁଳନ୍ତି ତା’କୁ ନବଦୂର୍ବାଦଳ ।-”

(ଦୂର୍ବାଦଳ)

 

ଦାର୍ଶନିକ ସିସେରୋ ଅଙ୍ଗ ସହିତ ରଙ୍ଗର ଅନୁକୂଳ ମିଳନକୁ ସୌନ୍ଦର୍ଯ୍ୟ କହି ପୁରୁଷ ସୌନ୍ଦର୍ଯ୍ୟରେ “ଆଭିଜାତ୍ୟ” ଓ ନାରୀ ସୌନ୍ଦର୍ଯ୍ୟରେ “ମାଧୁରୀ” (ସୁକୁମାରପଣ)ର ଗୁରୁତ୍ୱ ସ୍ୱୀକାର କରିଛନ୍ତି । ଏଠାରେ ସୁକୁମାର ପଣରେ ଦୂର୍ବାଦଳ ଓ ନାରୀ-ପୁରୁଷର ଆଭିଜାତ୍ୟ ଓ ମାଧୁରୀ ଉଭୟ ପ୍ରତି କବିଙ୍କର ସମରୂପ ଆନୟନକାରୀ ଦୃଷ୍ଟିଭଙ୍ଗୀ ପ୍ରକୃତି ପ୍ରତି କବି ପ୍ରାଣର ଅନୁରାଗ ସୂଚିତ କରୁଛି ।

 

ପ୍ରକୃତି ବିଚିତ୍ରବର୍ଣ୍ଣା ହୋଇଥିବା ହେତୁ ଦ୍ରଷ୍ଟା ବା ସହୃଦୟକୁ ଥରକୁ ଥର ନୂଆଁ ନୂଆଁ ରୂପରେ ଦେଖାଦେଇ ଅଭିଭୂତ କରିବାର ସାମର୍ଥ୍ୟ ରଖେ । ପ୍ରକାଶ ଓ ପ୍ରକୃତି ପରସ୍ପର ପରିପୂରକ । ପ୍ରକାଶବିନା ଦୃଶ୍ୟମାନ ଜଗତର ସବୁକିଛି ଅସୁନ୍ଦର ପ୍ରତୀତ ହୁଏ । ଏହି ପ୍ରକାଶ ହେଉଛି ସପ୍ତରଙ୍ଗର ମଞ୍ଜୁଳ ସମାହାର । ସୁନ୍ଦର ବସ୍ତୁମାନଙ୍କରେ ଏହା ପ୍ରତିବିମ୍ବିତ ହେଲେ ପ୍ରକାଶକ୍ଷମ ହୋଇ ସୌନ୍ଦର୍ଯ୍ୟ ସୃଷ୍ଟି ହୁଏ । ମେଘମାଳା ଉପରେ ଅସ୍ତଗାମୀ ସୂର୍ଯ୍ୟ କିରଣର ପ୍ରତିଫଳନ ହେତୁ ପ୍ରକୃତି କିପରି ଅନିର୍ବଚନୀୟ ରୂପଲାଭ କରି ଦେଖଣାହାରିକୁ ମୁଗ୍ଧଚକିତ କରିଛି; ତା’ର ବର୍ଣ୍ଣନା କବି ଲେଖନୀରେ ହୃଦୟସ୍ପର୍ଶୀ ହୋଇଛି ।

 

“ଝଳଇ ପୀତ ଆଦି ବରଣରେ

ଏକ ଚିତ୍ରି ପାରିବ ଅବା କହି ବଚନରେ?

ସପ୍ତବର୍ଣ୍ଣ ସୁବିଶାଳ ଚାରୁ ଇନ୍ଦ୍ରଧନୁ

ମଣିମୟହାର ପରି ମଣ୍ଡଇ ତୋ ତନୁ ।” (ମେଘ-୧୨)

 

ସପ୍ତରଙ୍ଗର ବର୍ଣ୍ଣିଳ ରୂପ ହେଉଛି ଇନ୍ଦ୍ରଧନୁ । ଯେ କୌଣସି ବ୍ୟକ୍ତିକୁ ସୁଦ୍ଧା ପ୍ରଲୁବ୍ଧ କରି ଆନନ୍ଦ ଦେବାର କ୍ଷମତା ଇନ୍ଦ୍ରଧନୁ ନିକଟରେ ରହିଛି । ଏହା ଅନୁରାଗ ଭାବର ପ୍ରତିନିଧିତ୍ୱ କରେ ବୋଲି ସହୃଦୟର ଇନ୍ଦ୍ରିୟଲବ୍ଧ ଜ୍ଞାନ / ଅନୁଭୂତି ପ୍ରଭାବିତ ହୁଏ । ଇନ୍ଦ୍ରଧନୁ କ୍ଷଣେ ଦେଖାଦେଇ ଲିଭି ଯାଉଥିଲେ ମଧ୍ୟ ପ୍ରକାଶ ଜନିତ ଅନୁଭୂତି ମନରେ ନୂଆ ନୂଆ ଭାବରୂପ ସୃଷ୍ଟିକରି ଦ୍ରଷ୍ଟା / ସ୍ରଷ୍ଟାଙ୍କୁ ଆନନ୍ଦମୟ ସମ୍ବିତସ୍ତରକୁ ନେଇଯାଏ । “ପ୍ରକୃତିର ଦୃଶ୍ୟରୂପ ଓ ଧ୍ୟାନରୂପ ଉଭୟପ୍ରତି ଦର୍ଶକର ସମାନ ଅନୁରାଗ । ଦୃଶ୍ୟପ୍ରତି ସେ ଯେପରି ଆଗ୍ରହ ରଖେ, କଳ୍ପରୂପକୁ ସେହିପରି ସ୍ମରଣ କରି ବିଭୋର ହୁଏ ।” ଏହି ରୀତିରେ ଇନ୍ଦ୍ରଧନୁର ଦୃଶ୍ୟରୂପ କବିଙ୍କ ଧ୍ୟାନରୂପରେ ମଣିମୟ ହାରର କଳ୍ପନା ସୃଷ୍ଟି କରି ମେଘମାଳାର ତନୁବଲ୍ଲରୀକୁ ମଣ୍ଡନ କରିବା ଭିତରେ ଏକ ଆନନ୍ଦମୟ ଇନ୍ଦ୍ରୟଜ ଆକର୍ଷଣ ସୃଷ୍ଟିକରି ପାଠକଙ୍କୁ ସୌନ୍ଦର୍ଯ୍ୟାଭିମୁଖୀ କରାଇଛି ।

 

ଶିଶିର ବା ଶୀତଋତୁର ସୌନ୍ଦର୍ଯ୍ୟ ବର୍ଣ୍ଣନା କବି ଲେଖନୀରେ ଅତି ଚମତ୍କାର ହୋଇଛି । ଏହି ଋତୁରେ ଶୀତ ଅନୁଭୂତ ହେଉଥିବା ହେତୁ ଜନଜୀବନ ନାନାଭାବରେ ପ୍ରଭାବିତ ସହିତ ବ୍ୟକ୍ତି ହୃଦୟକୁ ଆହ୍ଲାଦିତ କରେ । କବି ନିଜ ପ୍ରତିଭାନିକ ଶକ୍ତି ବଳରେ ଶିଶିରସିକ୍ତ ଧରଣୀର ସୌନ୍ଦର୍ଯ୍ୟକୁ କଳ୍ପନା ସୌନ୍ଦର୍ଯ୍ୟ ସହିତ ଯୋଡ଼ି ଦ୍ରଷ୍ଟାର ରୂପେନ୍ଦ୍ରିୟକୁ କ୍ରମଶଃ ଚିତ୍ତରଞ୍ଜନୀବୃତ୍ତି ଆଡ଼କୁ ଘେନିଯାଇଛନ୍ତି ।

 

“ନିଶାରେ

ଅଜସ୍ର ତୁଶାର ବର୍ଷିଲା;

ଧଳା ଭସ୍ମବୋଳା ତପସ୍ୱୀ-ମହିଳା ।

ପରାଏ ଯାମିନୀ ଦିଶିଲା ।”

(ଶିଶିର)

 

ଶୀତରାତିରେ ତୁଷାରପାତ ପରେ ଧରଣୀ ଧବଳବର୍ଣ୍ଣା ହୋଇଛି । କବିକଳ୍ପନାରେ ଯାମିନୀ ଧଳାଭସ୍ମବୋଳା ତପସ୍ୱୀ- ମହିଳାରୂପେ ଉପମା ଗର୍ଭିତ ହୋଇ କବିପ୍ରାଣର ପ୍ରକୃତି ଅନୁରାଗୀ ସୌନ୍ଦର୍ଯ୍ୟାନୁଭୂତିକୁ ବ୍ୟଞ୍ଜିତ କରିଛି ।

 

ବିଧାତାଙ୍କ ସୃଷ୍ଟିରେ ପୁଷ୍ପର ସ୍ଥାନ ସ୍ୱତନ୍ତ୍ର । ଜଳ, ସ୍ଥଳ, ବନ, ସ୍ୱର୍ଗ ସର୍ବତ୍ର କୁସୁମବିକଶିତ ହୋଇ ବ୍ୟକ୍ତି ସତ୍ତାର ଅବଚେତନକୁ ତଲ୍ଲୀନ କରି ନିଜର ମହତ୍ତ୍ୱ ବୃଦ୍ଧି କରିଛି । ଫୁଲ କେତେବେଳେ ମାଳ ଆକାରରେ ଗୁନ୍ଥାହୋଇ ଝୁଲିଥାଏ ଦେବତାର ଗଳାରେ, ପ୍ରତିଭାଧାରୀ ବ୍ୟକ୍ତିର ଗଳାରେ, ମୃତକର ଶବ ଦେହରେ, ଅବଶେଷର କବର ଉପରେ, ପ୍ରତିଟି ଉପକ୍ରମର ବାର୍ତ୍ତାବହରେ । ଫୁଲ ସୁକୁମାର, ରଙ୍ଗ ଦୀର୍ଘ ଓ ଗଭୀର ତେଣୁ ଆକର୍ଷଣକାରୀ, ରୂପ-ଅନୁପମ, ଗୁଣ-ମନୋହର, କାନ୍ତି-କମନୀୟ, ସୁବାସ-ସଞ୍ଚରଣଶୀଳ, ସ୍ୱାଦ-ମଧୁଭରା ଓ ସୌନ୍ଦର୍ଯ୍ୟ ଆତ୍ମ ପ୍ରକାଶ କ୍ଷମ । ଫଳତଃ ପ୍ରକୃତି ସୁନ୍ଦରୀ ପୁଷ୍ପରେ କରିଥାଏ ଆପଣାର ଅଙ୍ଗମଣ୍ଡନ । ସ୍ୱଭାବତଃ କବି ଭାବୁକ; ତେଣୁ ଚନ୍ଦ୍ରମୋହନଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟିରେ ପୁଷ୍ପପ୍ରୀତି ସଂକ୍ରମିତ ହେବା କିଛି ଅସ୍ୱାଭାବିକ ହୋଇନାହିଁ । କବିଙ୍କ ଭାଷାରେ –

 

“ତୋ ଯୋଗେ କରଇପ୍ରକୃତି ସୁନ୍ଦରୀ

ଆପଣା ଅଙ୍ଗମଣ୍ଡନ

ବିଳାସୀ ବିଳାସେଶୁଭକାର୍ଯ୍ୟେ ପୁଣି

ଲୋଡ଼ା ହେଉ ହେ ସୁମନ ।”

(ପୁଷ୍ପ)

 

ପ୍ରକୃତରେ ଫୁଲର ମହତ୍ୱ ଅନିର୍ବଚନୀୟ । ଏହାର ଉପଯୋଗିତା ବୈଚିତ୍ର‌୍ୟପୂର୍ଣ୍ଣ ଓ ଅତୁଳନୀୟ । ବ୍ୟକ୍ତିର ବ୍ୟକ୍ତିତ୍ୱଠାରୁ ଆରମ୍ଭ କରି ଦେବତାଙ୍କ ମସ୍ତକ ପର୍ଯ୍ୟନ୍ତ, ବିଳାସସ୍ଥଳୀଠାରୁ ଆରମ୍ଭ କରି ପ୍ରତିଟି ଶୁଭକାର୍ଯ୍ୟ ପର୍ଯ୍ୟନ୍ତ, ଭୋଗୀର ଭୋଗଠାରୁ ରୋଗୀର ରୋଗ ପର୍ଯ୍ୟନ୍ତ, ପ୍ରତିଟି କ୍ଷେତ୍ରରେ ପୁଷ୍ପର ପ୍ରୟୋଜନିୟତା ସହିତ କେହି ସରି ନୁହନ୍ତି । ଏହି ଭାବଧାରା କ୍ରମେ ଫୁଲ ଭିନ୍ନ ଭିନ୍ନ ବ୍ୟକ୍ତି, ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ, ନାନାସ୍ଥାନରେ ନିୟୋଜିତ ହୋଇ ସେଇ ସେଇ ପାତ୍ର ଓ କ୍ଷେତ୍ରର ଶୋଭାବୃଦ୍ଧି କରି ମାନ ବଢ଼ାଇବାରେ ପ୍ରମୁଖ ଭୂମିକା ରଖୁଥିଲେ ମଧ୍ୟ ଫୁଲ କୌଣସି କ୍ଷେତ୍ରରେ, ଅଥବା କାହାରି ନିକଟରେ ଲିପ୍ତ ହୋଇ ରହିଯାଇନାହିଁ । ସେ ପାତ୍ର ଓ କ୍ଷେତ୍ରର ବୈଶିଷ୍ଟ୍ୟ ଅନୁସାରୀ ପ୍ରଭାବିତ ହୁଏ ନାହିଁ । ସର୍ବତ୍ର ଏକ ପ୍ରକାର ହିଁ ଆନନ୍ଦମୟ ଆକର୍ଷଣ ଓ ଅନୁରାଗ ବିତରଣ କରି ନିର୍ଲିପ୍ତ ରହିଥାଏ । କୁସୁମ କ୍ଷେତ୍ରରେ ଏହାହିଁ ତା’ର ସୁନ୍ଦରତା । ଉଦାତ୍ତଭାବ ଅନୁସାରେ ଏହି ସୌନ୍ଦର୍ଯ୍ୟ ଭୌତିକ ପ୍ରକୃତି ପରି ପରିଦୃଶ୍ୟମାନ ନୁହେଁ, ଏହା ଅନୁଭବର ବିଷୟ ।

 

ଆତ୍ମାର ବିରାଟୀକରଣ ଉଦାତ୍ତ ଭାବର ପରିଚାୟକ । ଶିଳ୍ପୀ ବା ଶିଳ୍ପର ଭାବଦେଇ ମହାଭାବର ପ୍ରତିଫଳନ ଘଟିଲେ ଆତ୍ମାର ବିରାଟୀକରଣ ତଥା ହୃଦୟର ସମ୍ପ୍ରସାରଣ ସମ୍ଭବ ହୋଇଥାଏ । ଏହି ମହାଭାବହିଁ ଶାଶ୍ୱତ ଓ ସାର୍ବଜନୀନ ସୌନ୍ଦର୍ଯ୍ୟବୋଧର ଦ୍ୟୋତକ । ପ୍ରକୃତିର ବିଶାଳ ଓ ଦୁର୍ଗମ ରୂପ ସନ୍ଦର୍ଶନ /ମନନ ଫଳରେ ମନରେ ଭୟ ଓ ବିସ୍ମୟଭାବ ଉଦ୍ରେକ ହୋଇଥାଏ । ବିସ୍ମୟ, ଭୟ, ହର୍ଷୋତ୍‌ଫୁଲ୍ଲିତ ଆଦି ଲକ୍ଷଣ ବିରାଟତ୍ୱର ଉପଲବ୍ଧି ହେତୁ ସଞ୍ଜାତ ହୋଇ ଚିତ୍ତବୃତ୍ତିକୁ ଆଚ୍ଛନ୍ନକରି ଉଦାତ୍ତ ସୌନ୍ଦର୍ଯ୍ୟର ଦ୍ୟୋତନା ସୃଷ୍ଟି କରିଥାଏ । ଫଳତଃ ଉଦାତ୍ତ ଏକ ସଙ୍ଗେ ଭୟାନକ ଓ ସୁନ୍ଦର । ଚନ୍ଦ୍ରମୋହନଙ୍କ ‘ମେଘ’ କବିତାରେ ବର୍ଷାକାଳୀନ ମେଘର କରାଳ ରୂପ ବର୍ଣ୍ଣନା ଅବସରରେ ପରିସ୍ଥିତି ଭୟପ୍ରଦ ହୋଇଥିବାରୁ ବିରାଟ ପ୍ରତୀତ ହୋଇ ଉଦାତ୍ତ ଉପଲବ୍ଧି ନିମିତ୍ତ କିପରି ଆଲମ୍ବନ ବିଭାବରୂପେ କାର୍ଯ୍ୟ କରିଛି ଲକ୍ଷକରାଯାଉ ।

 

“କରାଳରୂପ ଧିର ଯେବେ ଘୋଟୁ ତୁ ଅମ୍ବର

ଚମକେ ବିଜୁଳୀ ଗର୍ଜେ ବଜ୍ର ଭୟଙ୍କର

ଦେଖିଲେ ସେ ରୂପ ତୋର ଉପୁଜଇ ଭୟ

ସତେ ଅବା ଘଟାଇବୁ ତୁ ମହାପ୍ରଳୟ ।”

 

ଦୃଶ୍ୟରୂପକୁ ଧ୍ୟାନରୂପରେ କଳ୍ପନା କରୁଥିବା ଅବସରରେ କବି ବର୍ତ୍ତମାନ ସୁଦ୍ଧା ସେହି ଦୃଶ୍ୟକୁ ସ୍ୱଚକ୍ଷୁରେ ଦେଖି ଅନ୍ୟମାନଙ୍କୁ ମଧ୍ୟ ତାହା ଦେଖାଇ ଦେଉଥିବା ଭଳି ଅନୁଭବ କରି ବିସ୍ମୟ ଓ ଆନନ୍ଦରେ ଅବିଭୂତ ହୋଇପଡ଼ିଛନ୍ତି । ଏହାହିଁ ଉଦାତ୍ତଭାବନାର ଚମତ୍କାରିତା । ଭୟପ୍ରଦ ପରିସ୍ଥିତିକୁ ଧୈର୍ଯ୍ୟର ସହିତ ସହିଯିବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ ଅନୁଭୂତିକୁ ଧ୍ୟାନରୂପରେ କଳ୍ପନା କଲେ ଚିତ୍ତ ହର୍ଷୋତ୍‌ଫୁଲ୍ଲିତ ଓ ଆହ୍ଲାଦିତ ହୋଇ ହୃଦୟକୁ ସମ୍ପ୍ରସାରିତ କରିବାର ଯୋଗ୍ୟତା ଏହି ପଂକ୍ତିରେ ରହିଥିବା ହେତୁ ତାହା ଉଦାତ୍ତ ହୋଇ ଆନନ୍ଦମୟ ଅନୁଭୂତି ସୃଷ୍ଟି କରିପାରିଛି ।

 

ରସ୍କିନ୍‌ଙ୍କ ବିଚାରରେ ସୌନ୍ଦର୍ଯ୍ୟ ଈଶ୍ୱରଙ୍କ ବିଭୂତି । ମୁରାଟରୀଙ୍କ ଦୃଷ୍ଟିରେ, “ଈଶ୍ୱର ସବୁଠାରୁ ସୁନ୍ଦର । ଯେଉଁ ସୌନ୍ଦର୍ଯ୍ୟ ତାହାର ମାଧୁର୍ଯ୍ୟରେ ମାନବୀୟ ପ୍ରଜ୍ଞାକୁ ନିନ୍ଦିତ କରେ ଓ ଚଞ୍ଚଳ କରେ ତାହା ସତ୍ୟର ଏକ ଆଭାମୟ ଦିଗ ।” (ସୌନ୍ଦର୍ଯ୍ୟ ତତ୍ତ୍ୱ ଓ ଓଡ଼ିଆ ସାହିତ୍ୟରେ ସୌନ୍ଦର୍ଯ୍ୟ ଚେତନା; ପୃଷ୍ଠା-୪୫; ଡ. ବୈରାଗୀ ଚରଣ ଜେନା) କବି କିଟସ୍‌ଙ୍କ ମତରେ ସତ୍ୟହିଁ ସୁନ୍ଦର । ଈଶ୍ୱର ହେଉଛନ୍ତି ଶାଶ୍ୱତରୂପେ ଚରମ ସତ୍ୟ; ତେଣୁ ସୁନ୍ଦର । କବି ଚନ୍ଦ୍ରମୋହନ ବିଶ୍ୱନିୟନ୍ତା ସେଇ ଚରମ ଶକ୍ତିର ଅଧିକାରୀ ଭୂମାପୁରୁଷ / ଈଶ୍ୱରଙ୍କର ମହିମା ଗାନ କରି ଆହ୍ଲାଦମୟ ଚରମ ଅନୁଭୂତି ଲାଭ କରିଛନ୍ତି । କବିଙ୍କ ବିଚାରରେ ଈଶ୍ୱରହିଁ ଯଥାର୍ଥରେ ବିଶ୍ୱର ଆତ୍ମା । ଏହି ରୂପେ କବିଙ୍କ ଭାବସୌନ୍ଦର୍ଯ୍ୟ ସହିତ ବିଶ୍ୱ-ବିନ୍ଧାଣୀ ବିଶ୍ୱସଷ୍ଟା ଓତଃପ୍ରୋତ ଭାବରେ ଜଡ଼ିତ । କବି ଦୃଷ୍ଟିରେ–

 

“ତୋହ କୃତି ଏହି ବିଶ୍ୱ ଏଡ଼େ ମହୀୟାନ,

ହେ ବିଶ୍ୱବିନ୍ଧାଣି! ନୋହୁ ତୁ କେଡ଼େ ମହାନ୍‍!

X X X

ଆସ ସର୍ବେ ବନ୍ଦି ବିଶ୍ୱରାଜ ଶ୍ରୀଚରଣ

ଭକ୍ତି ପ୍ରେମେ କରୁଁ ତାଙ୍କ ମହିମା କୀର୍ତ୍ତନ ।”

 

ଈଶ୍ୱରଙ୍କ ପ୍ରତି କବିଙ୍କର ଅନୁରାଗ ଆଧ୍ୟାତ୍ମିକ ଓ ନୈତିକଭାବ ଜାଗ୍ରତ କରିବା ସହିତ; ବିଶ୍ୱନିୟନ୍ତା ଓ ବିଶ୍ୱମାନବ ମଧ୍ୟରେ ଭାବବନ୍ଧନ ପ୍ରତିଷ୍ଠା କରି ମଙ୍ଗଳର ପଥ ନିର୍ଦ୍ଦେଶ କରୁଥିବା ହେତୁ କଳାଗତ ସୌନ୍ଦର୍ଯ୍ୟ ଆଧ୍ୟାତ୍ମିକତା ଆଡ଼କୁ ଉନ୍ନିତ ହୋଇଛି ।

 

ଚନ୍ଦ୍ରମୋହନଙ୍କ କବିତାଗୁଡ଼ିକ ସାଧାରଣତଃ ପ୍ରେରଣାଦାୟୀ ମାନବୀୟ ମୂଲ୍ୟବୋଧଯୁକ୍ତ ବାଣୀର ଲିଖିତ ରୂପ । ମନୁଷ୍ୟ ହୋଇଥିବା ଦୃଷ୍ଟିରୁ ତା’ ନିକଟରେ ସ୍ୱତଃରହିଥିବା ସୁଖ, ଦୁଃଖ, ହର୍ଷ, ବିଷାଦ, ରୂପ, ଗୁଣ, ଜ୍ଞାନ, ଗରିମା ଓ ଅନ୍ୟାନ୍ୟ ଭାବଗୁଡ଼ିକର ଗୁରୁତ୍ୱକୁ ବୁଝି ଜୀବନକୁ ସକରାତ୍ମକ ଦିଶାଆଡ଼କୁ ନେଇଯିବାର ଯଥାର୍ଥତା ଏଥିରେ ଅତି ସରଳ ଭାଷାରେ ରୂପାୟିତ ହୋଇଛି । ନିଜର ସ୍ୱରୂପସ୍ଥିତି ବା ଅସ୍ମିତାକୁ ସମ୍ମାନଦେଇ ଜୀବନ ଓ ଜଗତ ପ୍ରତି ଦାୟବଦ୍ଧ ହେବାର ଐକାନ୍ତିକ ଆଗ୍ରହରେ ନିଜର ଅନ୍ତର୍ମୁଖୀ ବାସ୍ତବତାକୁ ପ୍ରୟୋଗ କରିବାର ଚମତ୍କାରିତା ବ୍ୟକ୍ତିକୁ ଗୁଣ ସମ୍ପନ୍ନ କରେ । ଏହି ବାର୍ତ୍ତା ନୀତିଶିକ୍ଷା/କାବ୍ୟାଦର୍ଶରୂପେ କବିଙ୍କ ପ୍ରାୟତଃ କବିତାରେ ରହିଛି । ପ୍ରକୃତି, ଆଧ୍ୟାତ୍ମିକତା, କଳ୍ପନା ମହାନ୍‍ତା ଭାବପ୍ରତି ଅନୁରାଗୀ ବସ୍ତୁର ରଙ୍ଗ, ଗୁଣ, ପ୍ରଭାବ, ପ୍ରେରଣା, ଇନ୍ଦ୍ରିୟବୋଧଜ୍ଞାନ, ଆନନ୍ଦ, ସୁନ୍ଦର, ଆବେଗ ଓ ମହିମାବୋଧ ଆଦି ବିଷୟରେ ଲୀନହୋଇ ନାନ୍ଦନିକ ଉଚ୍ଛ୍ୱାସ ସୃଷ୍ଟି କରିଛି ।

 

ଆସିଷ୍ଟାଣ୍ଟ ପ୍ରଫେସର (ଓଡ଼ିଆ) ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ

ଫକୀରମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସବିହାର,

ବାଲେଶ୍ୱର

 

ସହାୟକ ଗ୍ରନ୍ଥସୂଚୀ

 

୧. ଗିରି, ଅରବିନ୍ଦ, ଚନ୍ଦ୍ରମୋହନ ଗ୍ରନ୍ଥାବଳୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ୨୦୧୭

୨.ଜେନା, ବୈରାଗୀ ଚରଣ, ନନ୍ଦନତାତ୍ତ୍ୱିକ ପ୍ରବନ୍ଧାବଳୀ

୩.ଜେନା, ବୈରାଗୀ ଚରଣ, ସୌନ୍ଦର୍ଯ୍ୟ, ତତ୍ତ୍ୱ ଓ ଓଡ଼ିଆ କାବ୍ୟରେ ସୌନ୍ଦର୍ଯ୍ୟ ଚେତନା, ଓଡ଼ିଶା ବୁକ୍ ଷ୍ଟୋର, ୧୯୯୨

୪.ତ୍ରିପାଠୀ, ସନ୍ତୋଷ, ତୁଲ୍ୟଦେହୀ, ତୃପ୍ତି, ଭୁବନେଶ୍ୱର, ୨୦୧୪

୫.ପଣ୍ଡା ହୃଷିକେଶ, ମୁଗ୍ଧଦୃଷ୍ଟି, ମଧୁର ସୃଷ୍ଟି, ସାହିତ୍ୟ ଶ୍ୱେତପଦ୍ମା, ଭୁବନେଶ୍ୱର-୨୦୦୯

୬.ମେହେର, ରଘୁନାଥ, ଗଙ୍ଗାଧରଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟି. ସାହିତ୍ୟ ଶ୍ୱେତପଦ୍ମା, ଭୁବନେଶ୍ୱର-୨୦୧୨

୭.ସାହୁ, ଆଦିକନ୍ଦ, କଳାସୌରବ, ସାରସ୍ୱତ ପୁସ୍ତକ ଭଣ୍ଡାର, ସମ୍ବଲପୁର, ୧୯୮୭